ଗଳ୍ପ

ଚୁପ୍‌ଚାପ୍

Ritika Pattanaik's odia story Chupchaap

ଏକ ଦାମୀ ପାର୍ଲରରେ ଚେହେରାକୁ ଏକ ଖାସ୍ କରିବାକୁ ଚେଷ୍ଟା କଲା, ଜିମ୍‌ରେ ଆଡ଼ମିଶନ ବି ନେଲା ।

ଚୁପ୍‌ଚାପ୍

ଶ୍ରୀକାନ୍ତ ମୋବାଇଲରେ ହ୍ୱାଟ୍ସ୍ଆପ୍ ଖୋଲିଲା । ଦୁହେଁ ସବୁଦିନ ପରି ଅନ୍-ଲାଇନ୍ ଥିଲେ, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନଥିଲା । ତଥାପି ଶ୍ରୀକାନ୍ତକୁ ଏକ ଝଟ୍‌କା ଲାଗିଲା, କିଛି ଯେମିତି ହଜି ଯାଉଛି, ଓ ସେ କେତେ ନିରୂପାୟ ସତେ ! ପ୍ରାୟ ସବୁଦିନ ଏକା ସମୟରେ ଦୁହିଁଙ୍କ ଅନ୍- ଲାଇନ୍ ରହିବାଟା କେବେ ବି ସଂଯୋଗ ନହୋଇ ପାରେ । ନିଶ୍ଚୟ ଚାଟ୍ କରୁଛନ୍ତି । ଏତେ ରାତିରେ ! ସମୟ ଦେଖିଲା ଶ୍ରୀକାନ୍ତ । ବାରଟା ପଇଁଚାଲିଶ । ଅନନ୍ୟାର ତ ଏବେ ଏବେ ବିବାହ ହେଇଛି, ତା’ ସ୍ୱାମୀ କ’ଣ କିଛି ଜାଣି ପାରୁନି !!

ଶୋଇବା ପୂର୍ବରୁ ଅନେକ ସମୟ ପର୍ଯ୍ୟନ୍ତ ହ୍ୱାଟ୍ସ୍ଆପ୍ , ଫେସବୁକ୍ ଚେକ୍ କରିବା ଶ୍ରାକାନ୍ତର ଏକପ୍ରକାର ଅଭ୍ୟାସ ହେଇସାରିଥିଲା । ଏବେ ତ ଏସବୁ ବିରକ୍ତ ଲାଗିଲାଣି । ସେ ଅନ୍ୟମାନଙ୍କ ଭଳି ଚାଟ୍ କରିବା, ଫଟୋ ସେୟାର କରିବା,ଲାଇକ୍ କି କମେନ୍ଟ ଦେଉନଥିଲା । ତା’ର ଏକ ମାତ୍ର କାର୍ଯ୍ୟ ଥିଲା, ଅନନ୍ୟା ଓ ସମ୍ବିତର ପ୍ରୋଫାଇଲ ତନ୍ନତନ୍ନ କରି ଚେକ୍ କରିବା, ସେମାନେ କେତେବେଳେ ଅନ୍ଲାଇନ୍ ରହୁଛନ୍ତି, କେତେ ସମୟ ରହୁଛନ୍ତି, ତା’ର ଏକ ବିସ୍ତୃତ ବିଶ୍ଳେଷଣାତ୍ମକ ରିପୋର୍ଟ ନିଜ ମନରେ ଧରିରଖିବା । ପୁଣି ଏସବୁ କଲାବେଳେ ଛାତିଟା ମନ୍ଥି ହେଇଯାଏ ଏକ ବ୍ୟଥାରେ । ଏହି ସ୍ମାର୍ଟଫୋନଟିକୁ ବିକ୍ରି କରିଦେବ, ତା’ର ସେହି ଛୋଟ ନୋକିଆ ଫିଚର ଫୋନଟି ହିଁ ଭଲ । ପୁଣି ଭାବିଲା, ଏସବୁ ସାଇଟ୍‌ରୁ ସେ ନିଜର ଆକାଉଣ୍ଟ ହିଁ ଡିଲିଟ କରିଦେବେ । ମନର ଶାନ୍ତି, ଏକାଗ୍ରତା, ନିଜ ପରିବାର ପ୍ରତି ଆନ୍ତରିକତାରେ ଏସବୁ ବାଧକ ହେଉଛି । ତା’ପରେ ସେ ମନେ ମନେ ହସିଲା, ନା … ୧୧୨୯ଥର ପାଇଁ ନିଷ୍ପତ୍ତି ନେଲା ଉଭୟଙ୍କ ନମ୍ବରକୁ ସେ ଡିଲିଟ କରିଦେବ । ଫେସ୍‌ବୁକରୁ ବି ବ୍ଳକ୍ କରିଦେବ । ବାସ୍ ତା’ପରେ ସେମାନେ କ’ଣ କରୁଛନ୍ତି ତା’ର ଯାଏ ଆସେ କେତେ ! ସେମାନଙ୍କ ସହିତ ତା’ର କୋଉ ସବୁଦିନିଆ ଦେଖାସାକ୍ଷା୍ତ ହେଉଛି ଯେ! ସେ ଶୋଇବାକୁ ଚେଷ୍ଟା କରୁ କରୁ ଧଡ଼ପଡ଼ ଉଠି ବସିଲା….. ପୁଣି ହ୍ୱାଟ୍ସଆପ୍ ଖୋଲିବାର ତୀବ୍ର ଇଚ୍ଛାକୁ ଏକ ଦୀର୍ଘନିଶ୍ୱାସ ଛାଡ଼ି ପ୍ରତିହତ କଲା । ଦେଢ଼ ଘଣ୍ଟା ଭିତରେ ସେ ଚାରିଥର ହ୍ୱାଟ୍ସଆପ୍ ଓ ଦୁଇଥର ଫେସବୁକ୍‌ରେ ସ୍ଥିତି ପରଖିଲାଣି ।

ରାତି ଦୁଇଟା ପନ୍ଦର…

ସକାଳୁ ପୁଣି ଦୌଡ଼ିବାକୁ ହେବ, ଜୀବନ ଜୀବିକା ପ୍ରବାହରେ । ବଖରାକୁ ଝାପ୍ସା ଆଲୋକିତ କରୁଥିଲା ନୀଳ ଲାଇଟ । ପାଖରେ ନିଘୋଡ଼ ନିଦରେ ଦାଦା ପୁଅ ଭାଇ । ସଦ୍ୟ ମାଟ୍ରିକ୍ ପାଶ୍ କରି କଳେଜରେ ଆଡ୍‌ମିଶନ ନେଇଛି । ଭାଇ ହାତରେ ସ୍ମାର୍ଟଫୋନ ଦେଖି ତା’ ବାପାଙ୍କୁ ପାଖେ ଅଳି ବି କଲାଣି । ଶ୍ରୀକାନ୍ତର ମନ କିଛି କ୍ଷଣ ପାଇଁ ସମ୍ବିତ ଓ ଅନନ୍ୟାଠୁ ଉଡ଼ିଗଲା ନିଜ ପାରିବାରିକ ଦୁନିଆଁକୁ । ସ୍ନେହ ଶ୍ରଦ୍ଧାରେ ବାନ୍ଧି ହୋଇରହିଥିବା ତା’ର ସମସ୍ତ ପରିବାର ଲୋକେ ତା’ ବାହାଘର ପାଇଁ ବିଶେଷ ଚିନ୍ତିତ । ବୟସ ୩୨ ହେଲାଣି । ସେ କିନ୍ତୁ ଟାଳିଚାଲିଛି । କାହିଁକି ? ଅନନ୍ୟା ! …ଅନନ୍ୟା ! ଧକେଇ ଧକେଇ କେବଳ ଏହି ନାମଟି ଗୁଞ୍ଜରିତ ହେଉଥିଲା ମନର କୋଣ ଅନୁକୋଣରେ । ‘ଛଳନାମୟୀ ଅନନ୍ୟା !’ ପୁଣି ଭାବିଲା ଅନନ୍ୟା କ’ଣ ତାକୁ ଧୋକ୍କା ଦେଇଥିଲା କି ? ନା… ତ ! ତା’ହେଲେ…?

କିନ୍ତୁ ….ଏଥର ପରିବାରର ପସନ୍ଦନୁସାରେ ବିବାହ କରିନେବ ନିଶ୍ଚୟ ।

ଦେଢ଼ବର୍ଷ ତଳେ ସେ ନିଜର ଛୋଟ ମନୋହରି ଦୋକାନ ସାମ୍ନାର ଥିବା ଏକ କମ୍ପୁଟର ଶିକ୍ଷା ସଂସ୍ଥାରେ ଅନନ୍ୟାକୁ ପ୍ରଥମେ ଦେଖିଥିଲା କିନ୍ତୁ ବିଶେଷ ଧ୍ୟାନ ଦେଇନଥିଲା । ସେ ନିଜ ଲାଜକୁଳା ଓ ଗମ୍ଭୀର୍ ପ୍ରକୃତି ସକାଶେ ବନ୍ଧୁମହଲରେ ବେଶ୍ ଜଣାଶୁଣା । “ତୁ ନା ବହୁତ ଦିବାସ୍ୱପ୍ନ ପ୍ରବଣ, ସ୍ମାର୍ଟ ଜମା ନୁହଁ ।” ସମ୍ବିତ ବାରମ୍ବାର କୁହେ, ଶ୍ରୀକାନ୍ତର ଜଣେ ସମବୟସ୍କ, ଅନ୍ତରଙ୍ଗ, ଅଭିଜ୍ଞ ଠିକାଦାର ବନ୍ଧୁ ।

“ଏ ଶ୍ରୀକାନ୍ତ ଦେଖ ତ!” ଦିନେ ସନ୍ଧ୍ୟାବେଳେ ସମ୍ବିତର ଆଖିର ଇସାରାକୁ ପିଛା କରି ସେ ଦେଖିଲା, ବେଶ୍ ସ୍ୱାସ୍ଥ୍ୟବତୀ, ଗୋରା, ମଧ୍ୟମ ଉଚ୍ଚତା ତଥା ଆକର୍ଷଣୀୟ ଚେହେରାର ଝିଅଟିଏ । “ତୋ ପାଇଁ ଠିକ୍ ହେବ, ନୁହେଁ ?” ଏମିତି ବହୁବାର ସମ୍ବିତ କହିବାରୁ ସେ ବି ତାକୁ ଚିଡ଼େଇଲା, “ରାଜଶ୍ରୀଠାରୁ ମନ ଛାଡ଼ିଗଲାଣି କି?” “ଆସନ୍ତା ଜୁଲାଇ ଆଠରେ ମୋର ବାହାଘର !” ଟିକେ ଗାଡ଼େଇ ଚାହିଁ ସମ୍ବିତ କହିଲା ।

ସେ ଝିଅଟି ସମ୍ବିତର ପରିଚିତ ତ ନଥିଲା । କିନ୍ତୁ ଏହା ପରେ କ୍ୱଚିତ୍ ତା’ ଦୋକାନକୁ ଆସୁଥିବା ସମ୍ବିତ କୌଣସି ନା କୌଣସି ବାହାନାରେ ପ୍ରାୟ ଆସିଯାଉଥିଲା, ଏବଂ ଦୁଇ ବନ୍ଧୁ ଝିଅଟିର ବେଶପୋଷାକ, ହାବଭାବ ଉପରେ ଚୁପଚାପ୍ ଗପିବା ଏକ ପ୍ରକାର ଟାଇମପାସ୍ ହୋଇଯାଇଥିଲା ।

କେବେ ରାସ୍ତାରେ ଝିଅଟିର ସାମ୍ନାସାମ୍ନୀ ହେଇଗଲେ ଓ ଆଖିରେ ଆଖି ମିଶିଗଲେ ଶ୍ରୀକାନ୍ତ ନଜର ତଳକୁ କରିନିଏ ତ କେବେ ଜାଣିଶୁଣି ଝିଅଟିର ସାମ୍ନାକୁ ଆସିଯାଏ । ପୁଣି କେବେ ତା’ ସ୍କୁଟି ପାଖରେ ନିଜ ବାଇକ୍ ରଖେ । ସେ ଅପେକ୍ଷା କରେ ସନ୍ଧ୍ୟା ଛ’ଟାକୁ । ……ଝିଅଟିର ଘର ବାହୁଡ଼ା ବେଳାକୁ । ହାତେ ଦୂରରେ ଏପଟ ସେପଟ ହେଉଥାଏ । ଝିଅଟି ଓ ତା’ ସାଙ୍ଗମାନଙ୍କ ଗପସପକୁ କାନେଇଥାଏ, ଇଆଡ଼େ ଦୋକାନକୁ ତା’ କର୍ମଚାରୀଟିର ଜିମାରେ ଛାଡ଼ିଦେଇ । କିଛି ଦିନରେ ସେ ଜାଣିଗଲା ଝିଅଟିର ନାମ ଅନନ୍ୟା ।

ସମ୍ବିତର ଆଡ଼ମ୍ବରପୂର୍ଣ୍ଣ ବାହାଘର ଭୋଜିଦିନ ଅପ୍ରତ୍ୟାଶିତ ଭାବେ ସେ ଦେଖିଲା ଅନନ୍ୟାକୁ । ସମ୍ବିତର ସ୍ତ୍ରୀ ରାଜଶ୍ରୀ ସହିତ ହସି ହସି କଥା ହେଉଥିଲା ସ୍ମିତା । ରାଜଶ୍ରୀ ପରିଚୟ କରାଇଦେଲା ଯେ ଅନନ୍ୟା, ତା’ର ସହପାଠୀ ତଥା ଘନିଷ୍ଠ ବାନ୍ଧବୀ । ଅନନ୍ୟା ଟିକେ ହସିଦେଲା । କିନ୍ତୁ ସେ ହସରେ ନଥିଲା ଏକ ପରିଚିତାର ଝଳକ । ଶ୍ରୀକାନ୍ତ ମନ ଟିକେ ଦବିଗଲା । ଏତିକିବେଳେ ସମ୍ବିତ ତାକୁ ଧୀରେ କାନରେ କହିଲା, “ଏବେ ତ ସାହାସ କର” । କିଛି ସମୟ ପରେ ସମ୍ବିତ ଅନନ୍ୟା ନିକଟକୁ ଗଲା ଓ ତା’ ସହିତ ଗପ ଜମେଇଲା । ଶ୍ରୀକାନ୍ତ ମନେ ମନେ କୁରୁଳି ଉଠୁଥିଲା, ଭାବିଲା, ‘ଏବେ ସମ୍ବିତ ଉପରେ ଏ ବ୍ୟାପାରକୁ ଛାଡ଼ି ଦିଆଯାଇପାରେ । ହୁଏତ କିଛି ଦିନ ପରେ ଅନନ୍ୟା ଘର ତରଫରୁ ବାହାଘର ପ୍ରସ୍ତାବ ବି ଆସିଯାଇପାରେ ମୋ ଘରକୁ’ ।

କିନ୍ତୁ ସନ୍ଧ୍ୟା ଗଡ଼ିଚାଲିଲା । ଅନନ୍ୟାର ନିକଟତର ହେବା ପାଇଁ ସେ ଆତୁର ଥିଲା । କିନ୍ତୁ ସମ୍ବିତ ତ ନିଜେ ଅନନ୍ୟା ସହିତ ଗପରେ ମଜଗୁଲ, ଶ୍ରୀକାନ୍ତ ପାଇଁ ଅନୁକୂଳ ପାଗ କ’ଣ ସୃଷ୍ଟି କରିବ ? ନବବଧୂ ରାଜଶ୍ରୀ ପ୍ରତି ଶ୍ରୀକାନ୍ତର ବହୁତ ଦୟା ଆସିଲା, ଓ ଟିକେ ବ୍ୟସ୍ତ ବି ହେଲା… ଭାବିଲା, “ସମ୍ବିତର ବନ୍ଧୁପରିଜନ ଏସବୁ ଲକ୍ଷ୍ୟ କଲେ, କ’ଣ ଧାରଣା କରିବେ ?”

ଘରକୁ ଫେରି ଶ୍ରୀକାନ୍ତ ନିଜକୁ ଦର୍ପଣରେ ଦେଖିଲା, ପ୍ରଥମ କରି ନିଜ ଚେହେରାକୁ ବିଶ୍ଳେଷଣ କଲା; ସେ ଗେଡ଼ା, ମୋଟା, ତ୍ରିପଣ୍ଡକଳା କହିଲେ ଚଳେ । ନିଜ ପ୍ରତି ଘୃଣା ଭାବ ଆସିଲା, ଏବଂ ପ୍ରଥମ ଥର ପାଇଁ ସମ୍ବିତ ପ୍ରତି ଇର୍ଷା । ସମ୍ବିତ ଜଣେ ସଫଳ ଉଦ୍ୟୋଗୀ, ପୁଣି ସ୍ମାର୍ଟ, ଗୋରା, ଡେଙ୍ଗା, ଓ ପ୍ରତିଦିନ ଜିମ୍ ଯାଇ ନିଜକୁ ଫିଟ୍ ରଖିଛି । ଅବସାଦରେ ସେ ଘାଣ୍ଟିଚକଟି ହେଲା ଯେବେ ମନେ ପଡ଼ିଲା କେବଳ ସମ୍ବିତ କାହିଁକି ଅନନ୍ୟା ବି ତ ରାଜଶ୍ରୀ ଅପେକ୍ଷା ସମ୍ବିତ ସହିତ ବେଶି ହସାହସି ହେଉଥିଲା ଯେମିତି ଦୁହେଁ ଅତି ପୁରାତନ ବନ୍ଧୁ ।

ଏହାପରେ ଶ୍ରୀକାନ୍ତ ନିଜ ମନୋହରି ଦୋକାନ ବ୍ୟବସାୟକୁ ସଂପ୍ରସାରିତ କରିବା ବାହାନାରେ ବିଭିନ୍ନ ପ୍ରକାରର ପ୍ରସାଧନ ତଥା ଉପହାର ସାମଗ୍ରୀ, ସ୍ନାକସ୍, ମୃଦୁ ପାନୀୟ, ମୋବାଇଲ ରିଚାର୍ଜ ସେବା ଆଦିରେ ଭର୍ତ୍ତି କଲା । ଉଦ୍ଧେଶ୍ୟ, ଅନନ୍ୟାକୁ ନିୟମିତ ଗ୍ରାହକ ରୂପେ ପାଇବା । ଦିନେ ତ ଜାଣି ଜାଣି ତା’ ସାମ୍ନାକୁ ଆସିଗଲା କିନ୍ତୁ ହସିବାକୁ ଚେଷ୍ଟା ଚେଷ୍ଟା ହିଁ ରହିଗଲା । ଅନନ୍ୟା କିନ୍ତୁ “ହାଏ” କହି ଟିକେ ହସି ଦେଲା । ସେଦିନର ଶ୍ରୀକାନ୍ତର ପ୍ରଗ୍ଳଭତା ତା ନିୟମିତ ଗ୍ରାହମାନଙ୍କୁ କିଛିଟା ଆଚମ୍ବିତ କରିଥିଲା ।

ଦିନେ ସନ୍ଧ୍ୟା ବେଳେ ସମ୍ବିତକୁ ଅନନ୍ୟା ସହିତ ଦୋକାନ ବାହାରେ କଥା ହେଉଥିବାର ଦେଖି, ସେ ଶୀଘ୍ର ବାହାରକୁ ଆସି ଦି’ଜଣଙ୍କ ପାଖରେ ଛିଡ଼ା ହେଇଗଲା ।

“ଅନୁ, ଘର ଆଡ଼େ ଆସୁନ ?” ସମ୍ବିତ ପଚାରୁଥିଲା । “ଅନନ୍ୟାରୁ ଅନୁ” ହେଇଗଲାଣି, କେବେ (?)କେଜାଣି… ହେଇଥିବା ତା’ର ଡାକ ନାମ …. ଶ୍ରୀକାନ୍ତ ଭୃକୁଞ୍ଜନ କଲା । ସେ ଟିକେ ସମ୍ବିତର ମୋବାଇଲ ପରଦାକୁ ଝୁଙ୍କିପଡ଼ି ଦେଖିଲା । ଫେସ୍‌ବୁକ ! କଣେଇ ଚାହିଁଲା ଅନନ୍ୟାର ମୋବାଇଲକୁ । ହ୍ୱାଟ୍‌ସଆପ୍ ! ଶ୍ରୀକାନ୍ତ କେବଳ ଦାନ୍ତ ଦେଖେଇ ଦି’ଜଣଙ୍କୁ ଜଳ ଜଳ ଚାହିଁଥାଏ । ଦୁହେଁ ନିଜ ନିଜ ଫୋନରେ ଫେସବୁକ୍ ଓ ହ୍ୱାଟ୍ସଆପ୍‌ରେ ଯୋଡ଼ି ହେବାର ପ୍ରକ୍ରିୟା ସେ ଦେଖି ଚାଲିଥିଲା କେବଳ । କେତେବେଳୁ କେଜାଣି ତା’ର ସେ ଛୋଟ ନୋକିଆ ଫୋନଟି ବାଜୁଥିଲା । ସେ ଫୋନ କାଟି ଚାହିଁଲା ବେଳକୁ ଅନନ୍ୟା ସ୍କୁଟିରେ ଚାଲିଯାଉଥିଲା ଓ ସମ୍ବିତ ତାକୁ ହାତ ହଲେଇ ବାଏ ବାଏ କରୁଥିଲା । ତା’ ସହିତ ପଦେ କଥା ବି ନକହି ସମ୍ବିତ ବି ଅନନ୍ୟା ପଛେ ପଛେ ତା’ର ଆପାଚି ଆର.ଟି.ଆର ବାଇକ୍‌ଟି ଉଡ଼େଇ ଚାଲିଗଲା ।

ସମ୍ବିତଠୁ ସ୍ମିତାର ମୋବାଇଲ ନମ୍ବରଟି ହାସଲ କରି ଶ୍ରୀକାନ୍ତ ତୁରନ୍ତ ଏକ ସତର ହଜାର ଟଙ୍କାର ସ୍ମାର୍ଟ ଫୋନ କିଣିଲା । ଏକ ଦାମୀ ପାର୍ଲରରେ ଚେହେରାକୁୁ ଏକ ଖାସ୍ କରିକାବୁ ଚେଷ୍ଟା କଲା, ଜିମ୍‌ରେ ଆଡ଼ମିଶନ ବି ନେଲା । ଗାଁରେ ଘରର ମରାମତି ପାଇଁ ବାପାଙ୍କୁ ଦେଇଥିବା ପ୍ରତିଶୃତି ତା’ର ମନେ ଥିଲା ଅବଶ୍ୟ ।

ଅନନ୍ୟାର ଅନେକ ଅନୁରୋଧ ପରେ ହିଁ ସେ ନିଜର ପ୍ରୋଫାଇଲ ଫଟୋଟିଏ ଅପଲୋଡ଼ କରିଥିଲା ହ୍ୱାଟ୍ସ୍ଆପ୍‌ରେ । ଚାଟିଂ କିନ୍ତୁ ସୀମିତ ଥିଲା ଔପଚାରିକ କଥାବାର୍ତ୍ତାରେ । ସେ ଚାହୁଁଥିଲା, ଅନନ୍ୟା ନିଜଆଡ଼ୁ କିଛି ରୋମାଣ୍ଟିକ କଥାବାର୍ତ୍ତା ଆରମ୍ଭ କରୁ । କିନ୍ତୁ ସମୟ ଗଡ଼ିଚାଲିଲା ।

ଆଜି ତା’ ଫେସ୍‌ବୁକ୍ ଆକାଉଣ୍ଟ ରେ ଗତ ବର୍ଷକର ସ୍ମୁତି ସାଉଁଟା ଏକ ଭିଡ଼ିଓ ଦୃଶ୍ୟମାନ । କିଛି ମାସ ତଳେ ସେ, ସମ୍ବିତର ପରିବାର ଓ ଅନନ୍ୟା ବୁଲିଯାଇଥିଲେ ଶିମିଳିପାଳ । ଏକାଧିକ ଗ୍ରୁପ ଫଟୋ ଅଛି…. ଅନନ୍ୟା ବି ଅଛି ସେସବୁରେ, କିଛି ସେଲଫି ବି । ସେ ଝରଣା, ପାହାଡ଼, ସବୁଜ ଆଜି ବି କେତେ ସତେଜ ତା’ ମନରେ । ଅନନ୍ୟା ଥିଲା ହାତ ପାହାନ୍ତାରେ କିନ୍ତୁ ଶ୍ରୀକାନ୍ତ ତଥାପି ଥିଲା ଚୁପଚାପ୍ !

ଆଜି ସବୁ ସ୍ୱପ୍ନ !

ଦୂରରେ କେଉଁଠି ଗର୍ଜୁଥିଲା ଘଡ଼ଘଡ଼ି, ରହି ରହି ଝମକୁଥିଲା ବିଜୁଳି । ବର୍ଷା ହେବ ବୋଧହୁଏ ।

ଏମିତି ଦିନେ ବର୍ଷାରାତିରେ ଦୋକାନରୁ ଫେରି ସେ ହ୍ୱାଟ୍ସ୍ଆପ୍ ଚେକ୍ କରୁକରୁ ଅନନ୍ୟାର ଏକ ସଦ୍ୟ ଅପଲୋଡ଼ ହେଇଥିବା ଫଟୋ ଓ କିଛି କମେନ୍ଟସ୍ ଦେଖି ଚମକି ପଡିଥିଲା । ତା’ର ନିର୍ବନ୍ଧ ସରିଯାଇଛି! ଦି’ ମାସରେ ବାହାଘର!

ନିଜକୁ ଦୃଢ଼ କଲା, ଭାବିଲା, ଦୁଇ ମାସ ତ ଅଛି! ଏବେ ବି ଅନନ୍ୟାକୁ ନିଜ ମନ କଥା କହିପାରନ୍ତା । କିନ୍ତ…ଏଥି ପାଇଁ ତଥାପି ସେ ସମ୍ବିତ ଉପରେ ନିର୍ଭରଶୀଳ ଥିଲା ।

“ଜାଣିଛୁ …..ତା ଭାବି ବର ବ୍ୟାଙ୍କ ଅଫିସର ! ହାଣ୍ଡସମ୍ ତ ଜମା ନୁହଁ । ଏ ମ୍ୟାଡ଼ାମତ କେତେ ପ୍ରସ୍ତାବକୁ ପ୍ରତ୍ୟାଖାନ କରିଛନ୍ତି କେବଳ ଚେହେରା ପାଇଁ । କିନ୍ତୁ ଏବେ ଦେଖ ! ବିବାହ ପରେ ସେ ଗୌହାଟି ଚାଲିଯିବ । ବାପା ତ ସାମାନ୍ୟ ପାନଦୋକାନୀ…. କିନ୍ତୁ ଝିଅକୁ ଭଲ ବର ମିଳିଗଲା ।”

“ତୁ ସବୁ ଜାଣୁ ତା’ ହେଲେ…!!!,” ଅବଶୋଷ ଓ ଅପମାନରେ ଶ୍ରୀକାନ୍ତ ଶିହରି ଯାଉଥିଲା ।

ଯଦି ସମ୍ବିତ ଉତ୍ସାହିତ କରିନଥାନ୍ତା ତ ସେ ଏ ସବୁ ବ୍ୟାପାରରେ ମୁଣ୍ଡ ହିଁ ଖେଳାଇନଥାନ୍ତା । ଏମିତି ବି ଅନନ୍ୟାର ହାବଭାବ ଅଫ୍ -ଲାଇନ ଓ ଅନ୍-ଲାଇନ୍ ଏତେ ମଧୁର ଯେ ଯିଏ ବି ସମ୍ନୋହିତ ହେଇଯିବ ।

ସମୟ ତିନିଟା ଦଶ …

ପୁଣି ହ୍ୱାଟ୍ସ୍ଆପ୍ ଚେକ୍ କଲା । ସମ୍ବିତ କି ଅନନ୍ୟା କେହି ବି ଅନ୍-ଲାଇନ ନଥିଲେ । ଏଥର ତାକୁ ହାଇ ପରେ ହାଇ ଆସିଲା ।

ଅନନ୍ୟାର ବାହାଘର ପୂର୍ବରୁ, ଦି’ଜଣଙ୍କ ଏକା ସଙ୍ଗେ ଅନ୍-ଲାଇନ୍ ରହିବା ସଂଯୋଗ ବୋଲି ଭାବୁଥିଲା । ସେ ସନ୍ଦେହୀ ସ୍ୱଭାବର ନଥିଲା ତ କେବେ । କିନ୍ତୁ …ଅନନ୍ୟାର ବିବାହ ପରେ…! ସେଦିନ ସମ୍ବିତର ଭଣଜାର ଜନ୍ମଦିନ ଉତ୍ସବରେ ସେ ଲକ୍ଷ୍ୟ କରିଥିଲା…ଦି’ଜଣଙ୍କ ଆଖିର ଇସାରା ଓ ପରେ ପରେ ସ୍ଥାନ ଛାଡ଼ି ଅନ୍ତର୍ଧ୍ୟାନ ହୋଇଯିବା ସୂଚାଉ ଥିଲା ଯେ, କିଛି ତ ଅଛି… । ତା’ହେଲେ ପ୍ରଥମରୁ କ’ଣ ସମ୍ବିତ ଅନନ୍ୟା ପ୍ରତି ଆକୃଷ୍ଟ ଥିଲା? ବାସ୍ତବରେ ଏବେ ସେମାନଙ୍କ ସମ୍ପର୍କର ଷ୍ଟାଟସ୍ କ’ଣ ଜାଣିବାର କୌଣସି ଉପାୟ ହିଁ ନଥିଲା । ପୂର୍ବ ଭଳି ସମ୍ବିତ ଗପୁନଥିଲା ଅନନ୍ୟା ବିଷୟରେ । କେବଳ ଏବେ ହ୍ୱାଟ୍ସ୍ଆପ୍ ଓ ଫେସ୍‌ବୁକ୍ ସାହା । କିଛିଟା ସୁରାଗ ମିଳିଯିବ ଏଥିରୁ ନିଶ୍ଚୟ । ସେ ଏବେ ପ୍ରାୟତଃ ଅନ-ଲାଇନ୍ ରହିବାକୁ ଲାଗିଛି, ଶ୍ରୀକାନ୍ତ ଓ ଅନନ୍ୟାର ଗତିବିଧି ଉପରେ ନଜର ରଖିବା ତା’ର ଏକ ବଦ୍-ଅଭ୍ୟାସ(?) ହୋଇଯାଇଛି । ସେ ଯେମିତି ଏକ ପ୍ରକାର ଭ୍ରଚ୍ୟୁଆଲ ଷ୍ଟକର ହୋଇସାରିଥିଲା । ସେମାନେ ଅନ-ଲାଇନ୍ ନଥିଲେ ସେ ଖୁସି ହେଉଥିଲା ତ ଉଭୟେ ଅନ-ଳାଇନ୍ ଥିଲେ ମନଟା ବାମ୍ପେଇ ଯାଉଥିଲା, ଆତ୍ମଗ୍ଳାନିରେ । ସେମାନେ କ’ଣ କ’ଣ ଚାଟିଂ କରୁଥିବେ, ଭାବି ସେ ଅବଶ ହେଉଥିଲା । ଭାବୁଥିଲା ସମ୍ବିତର ସ୍ତ୍ରୀ ରାଜଶ୍ରୀକୁ ସତର୍କ କରିଦେବ ଓ ଅନନ୍ୟାର ସ୍ୱାମୀ କେଡ଼େ ବୋକା ସତେ ! ନିଜ କଳ୍ପନାର ପରିଧିରେ ସେ ବି ଅନନ୍ୟା ସହିତ କେତେ ଚାଟିଂ କରୁଥିଲା ଓ ଏକ ନିଶିଦ୍ଧ ଆହ୍ଳାଦପ୍ରାପ୍ତ ହେଉଥିଲା । ସେ ଏଥିରୁ ମୁକୁଳିବାକୁ ବି ଚାହୁଁଥିଲା । ତେଣୁ ନିଶ୍ଚୟ କଲା ଦୁହିଁଙ୍କ ନମ୍ବରକୁ ହିଁ ଡିଲିଟ ଓ ନିଜ ବନ୍ଧୁ ତାଲିକାରୁ ବ୍ଳକ୍ କରିଦେଲେ କଥା ସରିବ ।

“ନିଜେ ତ ରାଜଶ୍ରୀ ସହିତ ଅନୁବନ୍ଧିତ ଥିଲା, ଆଉ କାହା ସହତି କେମିତି ସଂବନ୍ଧ ଯୋଡ଼ିଥାଆନ୍ତା ? ତେଣୁ ମୋତେ ଉସ୍କାଉ ଥିଲା ବୋଧହୁଏ…”, ସେ ଗୁଣୁଗୁଣେଇଲା । ଶ୍ରୀକାନ୍ତ ଏବେ ଦୁହିଁଙ୍କର ନମ୍ବରକୁ ଡ଼ିଲିଟ କରିବାକୁ ମନ ଦୃଢ଼ କଲା । ସମ୍ବିତର ନମ୍ବର ଉପରେ ଆଙ୍ଗୁଳିର ଚାପ ଜୋର କଲା ଓ ନମ୍ବର ଡିଲିଟ କରିଦେଲା । କିନ୍ତୁ ଅନନ୍ୟାର……ଅନନ୍ୟାକୁ ଏକ ମେସେଜ୍ ଟାଇପ୍ କଲା, “କେମିତି ଅଛ ?” କିଛି ସମୟ ପରେ ପୁଣି ଲେଖିଲା “ଶୁଭ ସକାଳ” ।

ଲୋକପ୍ରିୟ ଲେଖା

To Top