ଗଳ୍ପ

ସିଗାରେଟ୍

Pradip Nayak's odia story Cigarette

ଆଚ୍ଛା ଏଇ ଯେଉଁ ଭଦ୍ର ମହିଳା ଆପଣଙ୍କ ସାମ୍ନାରେ ବସିଛନ୍ତି, ଆପଣଙ୍କ କୋଉ ଆଇନ୍ ବହିର ଯୁକ୍ତି ତାଙ୍କୁ ବିବାହିତା ପ୍ରମାଣ କରିପାରିବ ।

ସିଗାରେଟ୍

-: ପୂର୍ବରୁ :-

ହଁ, ସୋମେଶ । ମୁଁ ପ୍ରକୃତିସ୍ଥ ହେଲି । ସୋମେଶ କହିଲା- “କ’ଣ ସିଗାରେଟ୍ ପିଆଇବୁନି କି ?” ତା’ର ଏଇ କଥାପଦକ ଶୁଣି ମୋତେ ବିକଳ ବିକଳ ଲାଗିଲା । ବନ୍ଧୁ ହିସାବରେ ସିଏ ମୋତେ ବେଶ୍ ପଢ଼ିପାରେ । ପ୍ରଥମେ ପ୍ରଥମେ ଚାକିରୀରେ କେତେ ମାସ ଆମେ ଏକାଠି ରହିଚୁ । ତା’ ଭଡ଼ାଘର ଉଡ଼ା ଉଡ଼ା ଜୀବନ ସେତେବେଳେ ମୋତେ ଭାରି ଆରେଇଥିଲା । ମୋର ଯାହା ମନେପଡୁଚି. . . ପ୍ରଡ଼କ୍ସନ କମ୍ପାନୀରେ ବିଭିନ୍ନ ସମୟର ଛୋଟ ଛୋଟ ସମସ୍ୟାକୁ ମୁଁ କେମିତି କେଜାଣି, କି ପରାମର୍ଶ ଦେଇ ସମାଧାନ କରିଦେଉଥିଲି । ଏବଂ ଏଇ ସୋମେଶ ସେଇଥିପାଇଁ ମୋତେ ଆଇଡ଼ିଆ ମାଷ୍ଟର କହୁଥିଲା । ତାରି କଥାକୁ ସାରା କମ୍ପାନୀର ଲୋକଙ୍କ ମୁହଁରେ ମୋର ଗୋଟେ ନୂଆ ନାଆଁ ହୋଇଯାଇଥିଲା । ଯଥେଷ୍ଟ ସମ୍ମାନବୋଧ ମଧ୍ୟ କମ୍ପାନୀରେ ଥିଲା ।

ସୋମେଶ ପାଖରେ ମୋର ଏ କପର୍ଦ୍ଦକଶୂନ୍ୟ କଥା ତ ଜଣେଇବା ବୋଧହୁଏ ଆମ ବନ୍ଧୁତା ପାଇଁ ଅପମାନ ହେବ । ତେଣୁ ମୁଁ ସବୁକଥା ତା’ ଆଗରେ କହିଲି । ଆଉ କିଛି କହିବା ପୂର୍ବରୁ ସିଏ ମୋତେ ସିଗାରେଟ୍ ପିଆଇଲା । ମୋ କାନ୍ଧରେ ହାତ ରଖି କହିଲା- “ଆଚ୍ଛା ତୋର ମନେଅଛି ମୋର ତତେ କିଛି ପଇସା ଦେବାର ଥିଲା । ଅନେକ ଦିନରୁ ତୋର ତ ଆଉ ଦେଖାନାହିଁ ।” ଏତକ କହିସାରି ନିଜ ପକେଟ୍ରେ ହାତ ମାରିଲା ଆଉ ନିରୁତ୍ସାହିତ ସ୍ୱରରେ କହିଲା- “ଏବେ ତ ପକେଟ୍‌ରେ ଏତେ ପଇସା ନାହିଁ, ଚାଲ ଏବେ ଚାରିଟା ବାଜିଲା, ମୋ ଘରେ ଆଜି ରହିଯିବୁ । କାଲିକି ଦେଖିବା ।”

ମୋର ମନେପଡୁନି କେବେ ତାକୁ କିଛି ଧାର ଦେବାଭଳି । ଏମିତିରେ ସାଙ୍ଗ ହେଇ ରହୁଥିବା ବେଳେ ମୁଁ କେତେବେଳେ ଅଧିକ ଦେଇଥିବି । ଏମିତି ହେବାର କାରଣ ବି ଥିଲା । ସିଏ ମେସ୍ ଚଲାଏ, ସବୁ ଜିନିଷ କିଣାକିଣି କରେ । ସୋମେଶ୍ ତା’ ନିଜ ଚାକିରୀ ପଇସାରେ ଗୋଟେ ଟୁ-ଆର୍ ଘର ବିଏମ୍ସି ପାଖରୁ କିଣିଚି । ସୁନ୍ଦର ଭାବରେ ଆଗପଟେ କିଛି ଫୁଲଗଛ ଲଗେଇଚି । ଘରେ ସ୍ତ୍ରୀ, ଗୁଲୁଗୁଲିଆ ଗୋଟେ ପୁଅ ।

ଘର ଭିତରକୁ ପାଦ ଦଉ ଦଉ ସୋମେଶ ପାଖକୁ ଦଉଡ଼ି ଆସିଲା ତା’ ପୁଅ । ସିଏ କହିବାରୁ ପିଲାଟା ହାତଯୋଡ଼ି ମୋତେ ନମସ୍କାର କଲା । ଆଉ ଦି’ପାଦ ଆଗରେ ତା’ ସ୍ତ୍ରୀ । ରୂପରେ ସୁନ୍ଦରୀ କୁହାନଯାଇପାରେ କିନ୍ତୁ ମୁହଁର ହସ କେତେ ଗୁଣ ମୁଗ୍ଧକାରୀ, ସୁନ୍ଦର । ସ୍ତ୍ରୀ ସହ ପରିଚୟ କରାଇଲା ଗୋଟେ ଅଜବ ଢଙ୍ଗରେ । ନିର୍ଦ୍ଦେଶ ଦେଇ କହିଲା- “ଅନୀମା ଇଏ ଆମ କମ୍ପାନୀ ବସ୍ । ଏମିତି ହସୁଚ କ’ଣ ?”

ଅନୀମା ଓଠର ହସ ବାତ୍ୟାହତ ଲଣ୍ଠନ ପରି ଧପ୍‌କିନା ଲିଭିଗଲା । ସମ୍ଭ୍ରମ ବୋଧରେ ନମସ୍କାର କରି ଏକଦମ୍ ଚୁପ୍ ହୋଇଗଲା ।

ମୁଁ ମଧ୍ୟ ଜଣେ ଉଚ୍ଚପଦାଧିକାରୀ ଢଙ୍ଗରେ କହିଲି- “ବୁଝିଲ ସୋମେଶ ! ଏମିତି ଜଣେ ବିଲୋ ଫିପ୍ଟି ପରସେଣ୍ଟ ସୁନ୍ଦରୀ ସ୍ତ୍ରୀ ପାଇଁ ତମେ ସବୁଦିନ ଅଫିସ୍‌ରେ ପହଞ୍ଚିବା ଡେରି କର । ଟେଲିଫୋନ୍‌ରେ ପଇସା ସାର । ହୋପ୍‌ଲେସ୍ ।”

ଲାଜ ଆଉ ଅପମାନର ମିଶାମିଶି ମୁହଁଟା ଲାଲ୍ ପଡ଼ିଗଲା ଅନୀମାର । ଘର ଭିତରକୁ ନିରବରେ ଚାଲିଯାଉଥିବା ସ୍ତ୍ରୀର ହାତଟାକୁ ଧରି ଅଟକେଇ ଦେଇ ସୋମେଶ ହୋ’ ହୋ’ ହେଇ ହସି ଉଠିଲା । ତା’ ସାଙ୍ଗରେ ମୁଁ ବି ।

– ଆରେ ଅନୀମା ତମକୁ ଗୋଟେ ସରପ୍ରାଇଜ୍ ଦେଲି ଯେ ତମେ ଏମିତି ଡରିଗଲ । ଇଏ ମୋ ବେଷ୍ଟ ଫ୍ରେଣ୍ଡ । ଗୋଟେ ସମୟରେ ଆମେ କମ୍ପାନୀରେ ଏକାଠି ଚାକିରୀ କରୁଥିଲୁ । ଗୋଟେ ଭଡ଼ାଘରେ ରହୁଥିଲୁ । ମୁଁ ପ୍ରାୟ ଏଇ ଦିପ୍ତୀ କଥା ହିଁ କହେ ।

ଅନୀମା ଟିକେ ସ୍ୱାଭାବିକ୍ ଦିଶିଲା ଆଉ ଚା’ କରିବାକୁ ଭିତରକୁ ଗଲା । ଭିତରକୁ ଯାଉଥିବା ବେଳେ ପଛରୁ ବଡ଼ ପାଟିରେ ବୈଠକ ଘରୁ କହିଲା ସୋମେଶ- ଆରେ ଇଏ ଆମ ପୁରୁଣା ଦିନର କମ୍ପାନୀ ସାଙ୍ଗ ବୁଝିଲ କଫି ବନାଅ । ଆମ ଆଇଡ଼ିଆ ମାଷ୍ଟରଙ୍କୁ ପସନ୍ଦ ହେବାର ଅଛି । ଏଇକଥା ଭିତରେ ଆମକୁ ଦେଖି ସୋମେଶର କନ୍‌ଭେଣ୍ଟରେ ପଢୁଥିବା ଛୋଟ ପୁଅ ଚାଲିଆସିଲା । ଏକଦମ୍ ମୋ ପାଖରେ ଆଉଜି ପଡ଼ି କହିଲା- “ତା’ହେଲେ ତମକୁ ମୁଁ ଆଇଡ଼ିଆ ଅଙ୍କଲ ଡାକିବି ।” ମୁଁ ହସି ହସି କହିଲି- “ଓକେ, ଓକେ !”

ଗୋଟେ ନିରାପଦ ଚବିଶଘଣ୍ଟା ମୋ ହାତକୁ ଆସିଯାଇଚି । ମୋ ଆସିବା ପରଠୁ ଅନୀମାର ଆତିଥ୍ୟରେ ଟିକିଏ ଊଣା ନାହିଁ । ସଞ୍ଜ ସୁଦ୍ଧା ଗରମ ଗରମ ପକୋଡ଼ି ସାଙ୍ଗକୁ ଦି’ଥର କଫି । ସନ୍ଧ୍ୟାରୁ ରାତିଯାଏ ସୋମେଶ ପୁଅ ସାଙ୍ଗରେ ଗମାତ କରି କରି ରାତି ଦଶ । ଏମିତି ହେଲା ପିଲାଟା ଜିଦ୍ କରି ମୋ ପାଖରେ ହିଁ ଶୋଇଗଲା । ଅନୀମା ଆମକୁ ରାତି ଖାଇବା ଦେଇ ତାକୁ ଉଠେଇ ନେଲା ସେମାନଙ୍କ ଶୋଇବା ଘରକୁ ।

ଦିନ ତମାମ ଗୁଡ଼ାଏ ଚାଲିଚି । ଭଲ ନିଦ ହେଲା ରାତିରେ । ବଢ଼ିସକାଳୁ ନିଦ ଭାଙ୍ଗିଲା । ସୋମେଶ ଏ ଯାଏ ଉଠି ନାହିଁ । ପାଇଖାନା ଯିବା ପୂର୍ବରୁ ପୁରୁଣା ଅଭ୍ୟାସ ପାଇଁ ମନ ଡହଳ ବିକଳ । ସୋମେଶ କି ଯେ ପଇସା ଦବ (?) ତା’ ବି ହାତକୁ ଆସିନି । ଏ ସମୟରେ ଦୋକାନକୁ ଯିବା ଅର୍ଥ ପଇସା ଲୋଡ଼ା । ଗତକାଲିର ବିବ୍ରତ ବୋଧ ପୁଣି ମୋ ଉପରେ ସବାର, ଆଗକୁ ଦି’ପାଦ ବଢ଼େଇ ପୁଣି ଫେରିଲି ଶୋଇବା ଘରକୁ । କିନ୍ତୁ ଇଏ କ’ଣ ଦେଖୁଚି ? ବିଛଣା ଉପରେ ଦଶବାର ଟଙ୍କାର ଖୁଚୁରା ପଇସା । କଉଠୁ ଆସିଲା ! କିଛି ନ ଭାବି ସିଧା ଚାଲିଲି, ପାଖ ଦୋକାନରୁ ସିଗାରେଟ୍ କିଣି ଦି’ଦମ୍ ଭିତରକୁ ନେଲା ପରେ ଦିମାକ୍‌ର କଳଙ୍କିକରା ତାଲା ସତେକି ଖୋଲିଗଲା । ସକାଳଟା ପୁରା ଚିକ୍‌ଚିକ୍ ଲାଗିଲା । ସେଠୁ ଫେରି ପାଇଖାନା ଭିତରକୁ ଯିବାବେଳକୁ ସୋମେଶ୍ ଉଠି ସାରିଚି । ମୁଁ ସୁପ୍ରଭାତ ଜଣେଇ ତରତରରେ ପାଇଖାନାକୁ ପଶିଗଲି । ବାହାରେ ଟିକି ପୁଅର କାନ୍ଦୁରା ସ୍ୱର ଶୁଭୁଚି- ମା’ ମା’ ମୋ ପଇସା କୁଆଡ଼େ ଗଲା ? ଅନୀମା କହୁଚି ଜିଦ୍ କରି ତ କାଲିଠୁ ପଇସା ତୋ ପକେଟ୍‌ରେ ରଖି ବୁଲୁଚୁ । ଏବେ କଉଠି ରଖିଲୁ ମୁଁ କେମିତି କହିବି ! ଆଜି ପୁଣି ପେନ୍‌ସିଲ୍ ପାଇଁ ଜିଦ୍ କରିବୁ ନା କ’ଣ ?

ପାଇଖାନା ଘର ଭିତରୁ ମୁଁ ଶୁଣିପାରୁଚି । ବୁଝିପାରୁଚି ସବୁକଥା । ପିଲାଟା କାଲିରାତିରେ ଶୋଇବା ବେଳେ ତା’ ପକେଟ୍‌ରୁ ଖସିପଡ଼ିଚି ପଇସା । ଏକଥା ବୁଝିବା ପୂର୍ବରୁ ଧୂଆଁ ହେଇ ଉଡ଼ିସାରିଚି ସେସବୁ ।

ପରଦିନ ସୋମେଶ ଠାରୁ ବିଦା ହେଇ ଗୋଟେ ଠିକଣାହୀନ ରାସ୍ତାରେ ହଜିଯିବା ପୂର୍ବରୁ ପକେଟ୍‌କୁ କିଛି ଟଙ୍କା ଆସିଯାଇଚି । ମୋତେ ଟାଉନ୍‌ବସ୍ ଯାଏ ଛାଡ଼ିବାକୁ ଆସି ସୋମେଶ କହିଲା- ଜୀବନରେ ହିସାବ ରଖିବା ଶିଖିବୁ ସାଙ୍ଗ । ହଉ ପୁଣି କେବେ !

ନିରୁଦ୍ଦିଷ୍ଟ ଭାବରେ ବୁଲୁବୁଲୁ ତମାମ ଦିନଟା ସୋମେଶର କଥା ମହୁମାଛିପରି ଗୁଣୁଗୁଣୁ ହଉଚି ମୋ ଭାବନା ଚାରିପାଖେ । ଜୀବନର ହିସାବ, ମୋତେ ଲାଗୁଚି ଜୀବନ ଆଉ ହିସାବ ଏ ଦି’ଟା ବୋଧହୁଏ ପରସ୍ପର ବିପରୀତ । କାହିଁକି ନା ଜୀବନଟା ତ ଗଦାଏ ଲମ୍ୱା ତାଲିକା ହବ । ଫୁ. . . !

କେବେଠୁ ମୁଁ ଛାଡ଼ିଥିବା ମୋର ବଖୁରିଆ ଆଜବେଷ୍ଟସ ଘରର ଠିକଣାରେ ଆସିଥିବା ଗୋଟେ ଲଫାପା ଘରର ପୁରୁଣା ମାଲିକ ମୋତେ ରାସ୍ତାରେ ଦେଖି ବଢ଼େଇ ଦେଲା ହାତକୁ । କହିଲା- “ବାବୁ ଏଇଟା କେବେଠୁ ଆସି ଆମ ଘରେ ପଡ଼ିଚି ।” ଆଶ୍ଚର୍ଯ୍ୟ ହେଲି ବାପାମା’ଙ୍କର ଅବାଧ୍ୟ ପୁଅ ହେତୁ କେବେ ଘରୁ ଚିଠିଟିଏ ବି ଆସେନା । ଯଦିଓ ସେମାନେ ମୋ ଠିକଣା ଜାଣିଥିଲେ, କେହି ହେଲେ ମୋ ଅବୁଝାପଣକୁ ଆଖିବୁଜି ଦେଇ ପୁଅ ବୋଲି ଦାବି କରନ୍ତି ନାହିଁ । ତେବେ କାହାର ଏ ଚିଠି ? ଲଫାପାକୁ ଓଲଟେଇ ଦେଖିଲି ପରିବାର ଅଦାଲତରୁ ଆସିଚି ।

ନେଭିଆ ମୋ ଠୁ ଛାଡ଼ପତ୍ର ଚାହୁଁଚି । ଏଇଟା ମୋ ପାଖକୁ ତା’ର ନୋଟିସ୍ । ହେଲେ ସିଏ ଏବେ କଉଠି ? କ’ଣ କରୁଚି ? କିଛି ବି ମୋତେ ଜଣାନାହିଁ । ପୁଣି ଥରେ ନୋଟିସ୍‌ଟା ପଢ଼ିଲି । ଦି’ମାସ ତଳୁ ଆସିଚି । ତା’ର ଜବାବ ଦେବାର ତାରିଖ ମଧ୍ୟ କେବେଠୁ ଗଲାଣି । ଆଶ୍ଚର୍ଯ୍ୟ ଲାଗିଲା ସିଏ ମୋଠୁ ଛାଡ଼ପତ୍ର କାହିଁକି ଚାହୁଁଚି ? ଏମିତିରେ ସିଏ ମୋଠୁ କେବେଠୁ ମୁକ୍ତ । ତା’ ଇଚ୍ଛାର ଆକାଶ ଅଲଗା ହେଇସାରିଚି କେବେଠାରୁ । ହଁ, ନିହାତି ମାମୁଲି ଭାବରେ ଗୋଟେ ବିବାହ ପଞ୍ଜୀକରଣ କରାଯାଇଥିଲା । ସେ କାଗଜଟା ବି କାହା ପାଖରେ ମୋତେ ଜଣାନାହିଁ । ତେବେ ନେଭିଆ କେଉଁ ଗୋଟେ ଫିଲ୍ମ ପାଇଁ ଅଡ଼ିସନ୍ ଦେବା କଥା କାହାଠୁ ଗୋଟେ ଶୁଣିଥିଲି । ଖୁସି ବି ହେଇଚି । ନିଜ କ୍ୟାରିଅର୍ ପାଇଁ ସଂଗ୍ରାମ କରୁଥିବା କଥା ଜାଣି । ନିଜକୁ ମଧ୍ୟ ଦୋଷ ଦେଇଚି । ହୁଏତ ମୋ ସାଥୀରେ ରହିଥିଲେ ସେତିକି ଯାଏ ସିଏ ଯାଇପାରିଥାନ୍ତା କି ନାହିଁ, ମୋ ଅବ୍ୟବସ୍ଥିତ ଜୀବନଚର୍ଯ୍ୟା, ଉଦ୍ଦେଶ୍ୟହୀନ ସମୟ ପାଖରେ କାହିଁକି ବନ୍ଧା ପଡ଼ିଥାଆନ୍ତା ସିଏ ?

ମୁଁ ଯେତେ ଭାବିଚି ନେଭିଆ ବିଷୟରେ, ଯେତେବେଳେ ଖୁବ୍ ଖୋଜିଚି ତା’ର ସାନ୍ନିଧ୍ୟ ସେତେବେଳେ ସିଏ ମୋ ପାଖରେ ଅଜଣା, ଅପହଞ୍ଚ ! ଆଜି ସିଏ କେଉଁଠି ଅଥଚ ତା’ ଚିଠି ମୋ ପାଖରେ । ତା’ ଓକିଲ ଆସି ହାଜର । ତା’ଠୁ ନେଭିଆ ଠିକଣା ଅନ୍ତତଃ ମିଳିଯିବ ଏଇ ଖୁସିରେ ମୁଁ ଯେତେ ବିଭୋର ଶେଷ ନୋଟିସ୍ ନେଇ ଆସିଥିବା ତା’ ଓକିଲବାବୁଟା ସେତିକି ଗମ୍ଭୀର । ମୋ ଉତ୍ସାହରେ କୌଣସି ଧାର ନ ଧରି ଲୋକଟା ମୋତେ ବୃତ୍ତିଗତ ଶବ୍ଦରେ, ଢଙ୍ଗରେ କହିଲା- ମାଡ଼ାମ୍ ବର୍ତ୍ତମାନ ଗୋଟେ ବଡ଼ ବଜେଟ୍‌ର ଫିଲ୍ମ ସାଇନ୍ କରିବାକୁ ଯାଉଛନ୍ତି । ସେଥିପାଇଁ ତାଙ୍କୁ ଅନମ୍ୟାରେଡ୍ ପ୍ରମାଣ ଦେଖେଇବାକୁ ପଡ଼ିବ । ଏ ବିବାହ ବିଚ୍ଛେଦ କାମଟା ସମାଧାନ ହେଲେ ଯାଇ ସେଇଟା ସମ୍ଭବ । ଯାହା ଉପରେ ତାଙ୍କର ବଡ଼ ଭବିଷ୍ୟତ ନିର୍ଭର କରୁଚି । ଆପଣଙ୍କୁ ତିନିଟା ରିମାଇଣ୍ଡର ଦିଆଗଲାଣି । କୌଣସି ଜବାବ ମିଳିନାହିଁ । ଏଇଟା ଆପଣଙ୍କ ପାଇଁ ଶେଷ ନୋଟିସ୍ । ହାତରେ ମାତ୍ର ପାଞ୍ଚଦିନ ସମୟ । ୟା’ ପରେ ଅଦାଲତ ଅବମାନନାରେ ଆପଣଙ୍କୁ ଦଣ୍ଡିତ ହେବାକୁ ପଡ଼ିପାରେ । ମୁଁ ଭାବୁଚି ମାଡ଼ାମ୍ ଆଉ ଆପଣଙ୍କ ଭିତରେ ଏମିତି ଗୋଟେ ସମ୍ପର୍କକୁ କାହିଁକି କାଗଜ ପତ୍ରରେ ବଞ୍ଚେଇ ରଖିବେ । ଭଲ ହେବ ଆପୋସ ସମାଧାନ କରିଦେଲେ ଆଉ କୋର୍ଟକୁ ଯିବାକୁ ପଡ଼ିବନି । ତେଣିକି ଉଭୟ ଫ୍ରି ।

ଲୋକଟା ମୋ ଆଗରେ ଠିଆ ହୋଇ କେତେ ସବୁ କଥା କହିଚାଲିଚି । କିନ୍ତୁ ଅନେକବେଳୁ ଗୋଟେ ସିଗାରେଟ୍ ପିଇବା ଇଚ୍ଛାରେ ସେସବୁ କଥା ଅର୍ଥହୀନ ଲାଗୁଚି । ତା’ ପରାମର୍ଶ, ତା’ ଧମକ ବି ! ପକେଟ୍‌ରେ ଦି’ଥର ହାତମାରି ହତାଶ ।

– ଆଚ୍ଛା, ସିଗାରେଟ୍ ଅଛି କି !

– ନା, ମୁଁ ସିଗାରେଟ୍ ପିଏନା ।

– ଚାଲନ୍ତୁ ସେଠି ସିଗାରେଟ୍ ପିଇବା, କଥା ହେବା ।

ଦୋକାନ ଆଗରେ ଠିଆ ହେଇ ମୁଁ ସିଗାରେଟ୍ ପିଉଚି । ଲୋକଟା ଯେ ମୋ ପାକରେ କେତେବେଳୁ ଠିଆ ହେଇଚି ସେଆଡ଼କୁ ମୋ ଧ୍ୟାନ ନାହିଁ । ମୋ ଷଷ୍ଠ ଇନ୍ଦ୍ରିୟ କହୁଚି ଲୋକଟା ବ୍ୟସ୍ତ ହଉଚି ନେଭିଆ ବିଷୟରେ କିଛି କହିବ । କିନ୍ତୁ ମୋ ସିଗାରେଟ୍ ପିଇବା ତଲ୍ଲୀନତାକୁ ଦେଖି ଅଟକି ରହିଚି । ଲାଗୁଚି ତା’ କଥାଟା ଯେତେ ଶୀଘ୍ର ଶେଷ କରି ମୋ ପାଖକୁ ସିଏ ଫେରିଯିବ । ମୁଁ କିନ୍ତୁ ଟିକିଏ ବି ଧ୍ୟାନ ଦେଇନି ସେ ଆଡ଼କୁ ।

ଲୋକଟା କେତେ ସମୟ ଅପେକ୍ଷା କଲାପରେ ଶେଷକୁ ବ୍ୟସ୍ତ ହେଇ କହିଲା- “ଆଜ୍ଞା ଏଇଠି ଗୋଟେ ଦସ୍ତଖତ କରିଦିଅନ୍ତୁ । ଆଶା କରୁଚି ଏଇ ଦିନେ ଦୁଇଦିନ ଭିତରେ କିଛି ଗୋଟାଏ ସମାଧାନ କରନ୍ତୁ । ମୁଁ ଯେତିକି ଜାଣେ ଫିଲ୍ମରେ ଏଗ୍ରିମେଣ୍ଟ ବାବଦରେ ମାଡ଼ାମ୍‌ଙ୍କ ହାତରେ ଖୁବ୍ ମୋଟା ଅଙ୍କର ପଇସା ଅଛି ।” ସିଏ ମଧ୍ୟ କେଶ୍‌ର ସମାଧାନ ପାଇଁ ବ୍ୟାକୁଳ । ଚାହିଁଲେ ସେ ପାଇଁ ବହୁତ ଅର୍ଥ ମଧ୍ୟ ଦେଇପାରନ୍ତି ।

ଲୋକଟା ଏତେ ସବୁ କହିସାରିବା ପରେ ମୋ ଅନ୍ୟମନସ୍କତାକୁ ଆବିଷ୍କାର କଲା । ଯାହା ତା’ ପାଇଁ ନିହାତି ଅସହ୍ୟ ଲାଗୁଚି । ଶେଷରେ ମୋ’ଠୁ ଦସ୍ତଖତ ନେଇ ଗଲାବେଳେ କହିଲା- “ସିଗାରେଟ୍ ପଇସାଟା ମୁଁ ପେମେଣ୍ଟ କରିଦେଇଚି । ଆସୁଚି ।”

ଏହା ହିଁ ହେବାର ଥିଲା । ହେଲା ବି । ମୁଁ ନିଜକୁ ନିଜର ଅଭିନୟ ପାଇଁ ଧନ୍ୟବାଦ ନ ଦେଇ ରହି ପାରିଲିନି ।

ସହରର ଗୋଟେ ଦାମୀ ହୋଟେଲ୍‌ରେ ଆମ ବିବାହ ବିଚ୍ଛେଦର ମୂଲଚାଲ୍ ହେବାକୁ ସ୍ଥିର ହେଲା । ଶୀତତାପ ନିୟନ୍ତ୍ରିତ କୋଠରୀ ଭିତରେ ମୁଁ ମୋ ପୁରୁଣା ସାଙ୍ଗ ସହ ଆଳାପ କରୁଛି । ହୋଟେଲ୍ ପରିଚାରକ ଜଣେ ଆସି କହିଲା- “ସାର୍ ଏ ରୁମ୍‌ରେ ସିଗାରେଟ୍ ପିଇବା ମନା ।” ପରିଚାରକ କଥା ମୋତେ ଭଲ ଭାବରେ ଶୁଭିଚି କି ନାହିଁ କାଗଜପତ୍ର କାମରେ ବ୍ୟସ୍ତ ଥିବା ନେଭିଆ ଗର୍ଜି ଉଠିଲା ପିଲାଟା ଉପରେ । ପରିଚାରକ ଝାଉଁଳି ପଡ଼ି ଚୁପ୍ ହେଇଗଲା । ମୋତେ ଲାଗିଲା ପରିଚାରକ ପିଲାଟା କେଡ଼େ ଭାଗ୍ୟବାନ୍ ସତରେ । ସୁନ୍ଦରୀ ନେଭିଆର ପଲିସ୍ କରା ମୁହଁ, ଗୋଲାପି ଗୋଲାପି ଓଠ, ପ୍ଲାଷ୍ଟିକ୍ ସର୍ଜରୀ ଦ୍ୱାରା ବନା ଯାଇଥିବା ତୀକ୍ଷ୍ଣ ନାକ ଏସବୁ ଭିତରେ ଆଖିର ତାଗିଦାଟା ଦେଖିବାର ସୌଭାଗ୍ୟ ତ ପାଇଲା ।

ସମ୍ପର୍କକୁ ନେଇ ମୂଲଚାଲ ।

କେତେ ଆପଣାପଣ, ଦାମ୍ପତ୍ୟର ସ୍ୱପ୍ନ, ଗୋପନୀୟତା, ହଜେଇବା, ହଜିଯିବାର ଆନନ୍ଦ, ପ୍ରାପ୍ତି ଅପ୍ରାପ୍ତି ଏସବୁ କେତେଟା କାଗଜ ଦସ୍ତଖତରେ ଶେଷ ହୋଇଯିବ । ମୁଁ ଜାଣେ ସବୁ ସମାପ୍ତିର ଗୋଟେ ନିଜସ୍ୱ ପ୍ରକ୍ରିୟା ଥାଏ । ଯାହା ସିଏ ନିଜ ଆଡ଼କୁ ସବୁ ଅସମାପ୍ତି, ଅସଙ୍ଗତିକୁ ଟାଣି ନେଇପାରେ ।

ଟେବୁଲ୍ ଉପରେ ରଖାଯାଇଛି ଦଶ ଲକ୍ଷ ଟଙ୍କା, ଆମ ଦାମ୍ପତ୍ୟର ସଉଦା । ମୋ ମୁହଁରୁ ଥରୁଟିଏ ବି ଆଖି ଉଠେଇ ଚାହିଁ ପାରୁ ନ ଥିବା ନେଭିଆକୁ ଇସାରା କରି ଓକିଲବାବୁଙ୍କୁ ପଚାରିଲି- ଆଚ୍ଛା ଏଇ ଯେଉଁ ଭଦ୍ର ମହିଳା ଆପଣଙ୍କ ସାମ୍ନାରେ ବସିଛନ୍ତି, ଆପଣଙ୍କ କୋଉ ଆଇନ୍ ବହିର ଯୁକ୍ତି ତାଙ୍କୁ ବିବାହିତା ପ୍ରମାଣ କରିପାରିବ ।

ଓକିଲବାବୁ ମୋ କଥାରେ ଭାରି ଅପ୍ରସ୍ତୁତ ଦିଶିଲେ । ଥରେ ନେଭିଆ ଆଡୁ ଦୃଷ୍ଟି ପହଁରେଇ ଆଣି ସାମାନ୍ୟ ଉତ୍ତେଜିତ ସ୍ୱରରେ କହିଲେ- “ଏବେ ଏସବୁ ଆମର ପ୍ରସଙ୍ଗ ନୁହେଁ । ମୁଁ ମୋ କ୍ଲାଏଣ୍ଟ ପାଖରୁ ଜାଣିଚି ଆପଣଙ୍କ ମୁଣ୍ଡରେ ହଜାର ହଜାର ଆଇଡ଼ିଆ ।” ଆପଣ କୌଣସି ବି କଥାର କିଛି ବି ଖିଅ ବାହାର କରି ପାରନ୍ତି । ଏଣୁ ଦୟା କରି ଏମିତି ଅପ୍ରାସଙ୍ଗିକ ପ୍ରଶ୍ନ କରି ସମୟର ଗୁରୁତ୍ୱକୁ ଏଡ଼େଇ ଦିଅନ୍ତୁ ନାହିଁ ।

ମୁଁ କେବଳ ହସିଲି ।

ମୋ ହସ ଆହୁରି ଅପ୍ରସ୍ତୁତ କଲା ଓକିଲବାବୁଙ୍କୁ । ଆଶଙ୍କିତ ଦିଶିଲା ନେଭିଆ । ନିଜ କ୍ଲାଏଣ୍ଟକୁ ସନ୍ତୁଷ୍ଟ କରିବାକୁ ଯାଇ ଓକିଲବାବୁ କହିଲେ- “ଦେଖନ୍ତୁ ଦୀପ୍ତିବାବୁ ଆପଣଙ୍କର ଏମିତି ଗୋଟିଏ ବିପର୍ଯ୍ୟସ୍ତ ଜୀବନ ସହ ମୋ କ୍ଲାଏଣ୍ଟ ଆଦୌ ଖାପ୍ ଖୁଆଇ ଚଳି ପାରି ନଥା’ନ୍ତେ । ନିଜ କ୍ୟାରିୟର୍ ଦୃଷ୍ଟିରୁ ସେ ଆପଣଙ୍କଠାରୁ ଅଲଗା ହେବାକୁ ଚାହୁଁଛନ୍ତି । ସେଥିପାଇଁ ଆପଣଙ୍କୁ ମଧ୍ୟ କମ୍ ଦାମ୍ ଦିଆଯାଉ ନାହିଁ । ପ୍ଲିଜ୍ କଥାକୁ ଆଉ ଆଇନ୍ କାନୁନ୍ ଆଡ଼କୁ ନ ନେଇ ଏଇଠି ସମାପ୍ତ କରି ଦିଅନ୍ତୁ ।”

ଓକିଲବାବୁ ତାଙ୍କ କ୍ଲାଏଣ୍ଟ ପକ୍ଷରୁ ଯାହା ବି ଯୁକ୍ତି କରୁଥିଲେ ସେଥିରେ ସତ୍ୟତା ଥିଲା । ବାସ୍ତବରେ ନେଭିଆ ମୋ ସହ ନ ଚଳିପାରିବା, ଏତେଗୁଡ଼ାଏ ଟଙ୍କା ମୋ ଜୀବନରେ ପ୍ରଥମ ଥର ଦେଖିବା, କାହାକୁ ବି ମିଛ କୁହାଯାଇ ନ ପାରେ ।

ମୋ ଆଗରେ କୋର୍ଟ ପେପର । କେବଳ ମୋ ଦସ୍ତଖତକୁ ଅପେକ୍ଷା । କାହିଁକି ଯେ ମୋ ଆଖି ନେଭିଆ ଉପରକୁ ଉଠିଗଲା ? ସେଦିନ କ୍ୟାବିନ୍ ପଛପଟେ ଫିଙ୍ଗା ଯାଇଥିବା ଅଧାଜଳା ସିଗାରେଟ୍ ପରି ଦିଶିଲା ତା’ ସମୁଦାୟ ଚେହେରା । ଅଳ୍ପ ଅଳ୍ପ କୁହୁଳୁଛି, ଲିଭିବା ଅପେକ୍ଷାରେ ।

ପରିଚାରକ ପଶିଆସିଲା ରୁମ୍ ଭିତରକୁ । ହାତରେ କିଛି ଖାଇବା ଜିନିଷ । ମୁଁ ଧଡ୍ କରି ଚେୟାର୍‌ରୁ ଉଠିଲି । ଟଙ୍କାଟା ଉଠେଇ ନେଭିଆ ହାତରେ ଧରେଇ ଦେଇ କହିଲି- “ତମକୁ ସବୁଦିନ ସୁନ୍ଦରୀ ହେଇ ରହିବାକୁ ଏଇଟା ହୁଏତ କିଛି ଦିନ କାମରେ ଲାଗିପାରେ ।’ କୋର୍ଟ ପେପରରେ ଦସ୍ତଖତ କରି ଝଡ଼ବେଗରେ ରୁମ୍ ବାହାରକୁ ଆସିବା ବେଳକୁ ନେଭିଆ ଠିଆ ହେଲା ମୋ ଆଗରେ । ବଢ଼େଇ ଦେଲା ପୁରା ଦାମୀ ଗୋଟେ ସିଗାରେଟ୍ ପ୍ୟାକେଟ୍ । ବାସ୍ତବରେ ଅନେକ ବେଳୁ ପରିଚାରକକୁ ସମ୍ମାନ ଦେଇ ମୁଁ ସିଗାରେଟ୍ ପିଇ ନାହିଁ । କ୍ଷତି କ’ଣ ? ନେଭିଆ ହାତରୁ ପ୍ୟାକେଟ୍‌ଟା ଆଣି ଗୋଟିଏ ବାହାର କରି ଅବଶିଷ୍ଟ ଧରାଇ ଦେଲି ତା’ ହାତରେ । ପ୍ୟାକେଟ୍‌ଟାକୁ ନିରୁତ୍ତର, ନିର୍ବାକ ହେଇ ଧରିବା ବେଳେ ତା’ ମସୃଣ ଲମ୍ୱା ନଖର ଦାଗ ରହିଗଲା ମୋ ହାତରେ ।

ଲୋକପ୍ରିୟ ଲେଖା

To Top