ଗଳ୍ପ

ଡାହାଣୀ

Rajiba Lochana Panda's Odia Story DAAHAANI

ସେ ସୁଧ ପଇସା ବାବଦରେ ତା’ ଘର ଖଣ୍ଡିକ ବି ଚାଲିଗଲା । ସବୁବେଳେ ଗୁମ୍ ମାରି ବସୁଥିଲା । ଦେଖୁ ଦେଖୁ ତା’ର ଏହି ଅବସ୍ଥା ।

ଡାହାଣୀ

ମୋର ପିଲାଦିନ କଥା ମନେପଡୁଛି । ସେତେବେଳେ ମୋତେ ୫ ବରଷ ହୋଇଥାଏ । ଏମିତି କହିଲେ ପିଲାଦିନ ମୋର ମୋ ନିଜ ଜନ୍ମମାଟିରେ କଟିଛି । ଛୋଟ ଗାଁଟିଏ ପାଖରେ ଗୋଟିଏ ଜଙ୍ଗଲ ଅଛି । ମୋ ବାପା ଆମ ଗାଁରେ ଛୋଟ ପିଲାଙ୍କୁ ସ୍କୁଲ୍‌ରେ ପାଠ ପଢ଼ାନ୍ତି । ପରିବାର କହିଲେ ମୁଁ ମୋ ବାପା ମୋଉ ଆଉ ମୋ ବୁଢ଼ୀମା’ । ଆମର ପକ୍କାଘର, ହେଲେ ଆମ ପଡ଼ିଶା ଘରେ ଜଣେ ସ୍ତ୍ରୀଲୋକ ରହୁଥିଲେ ଗୋଟେ ଚାଳକୁଡ଼ିଆ ଘରେ । ଘରର ଆର୍ଥିକ ଅବସ୍ଥା କିଛି ଭଲ ନଥିଲା । ମୁଁ ତାଙ୍କୁ ମାଉସୀ ବୋଲି ଡାକୁଥିଲି, ଆଉ ତାଙ୍କ ଝିଅକୁ ଅପା ଡାକୁଥିଲି ଯାହାର ବୟସ ପାଖାପାଖି ପନ୍ଦର ବର୍ଷ ହେବ । ଅପା କୁଆଡ଼େ କେଉଁ ସଭ୍ୟ ମଣିଷର ଅସଭ୍ୟ କାମର ଫଳ ଥିଲା । ଆଉ ତାକୁ କୁଆଡ଼େ ମାଉସୀ ଗୋଟାଇ ଆଣି ପାଳିଥିଲେ । ମୋର ଯେତେବେଳେ ସ୍କୁଲ୍ ଛୁଟି ହୋଇଯାଏ ମୁଁ ଅପା ଘରକୁ ଯାଏ । ମାଉସୀକୁ ପଚାରେ “ଅପା କାହିଁ ?” ମାଉସୀ ଉତ୍ତର ଦିଏ “ଜଙ୍ଗଲକୁ ଯାଇଛି କାଠ ଆଣିବା ପାଇଁ ।” ମୁଁ ତାକୁ ଅପେକ୍ଷା କରେ, କାହିଁକି ନା ଅପା ଯଦି ଜଙ୍ଗଲକୁ ଯାଇଛି ମୋ ପାଇଁ ନିଶ୍ଚୟ କୋଳି ଆଣିଥିବ । ସତକୁ ସତ ଅପା ମୋ ପାଇଁ କୋଳି ଆଣିଥାଏ, ତା’ପରେ ପାଖରେ ବସାଇ ଗପ କହେ “ଗୋଟେ ଡାହାଣୀ ଥିଲା, ଗୋଟେ ଭୂତ ଥିଲା, ଗୋଟେ ବାଘ ଥିଲା” ଏହା ଶୁଣି ମାଉସୀ ବିରକ୍ତ ହୁଏ, ଅପାକୁ ଗାଳି କରେ । କହେ “ଡାହାଣୀ ଗପ ତାକୁ କାହିଁକି କହୁଛୁ, ସେ ପରା ରାତିରେ ଡରିବ ।” ଅପା ଚୁପ୍ ହୋଇଯାଏ । ମୁଁ କିନ୍ତୁ ଜିଦ୍ ଧରି ତା’ଠୁ ଡାହାଣୀ ଗପ ଶୁଣେ । ଲମ୍ୱା ଲମ୍ୱା ଚୁଟି ରଖି ଧଳା ଶାଢ଼ୀ ପିନ୍ଧି ହାତରେ ନିଆଁ ହୁଳା ଧରି ଅଧରାତିରେ କେମିତି ଡାହାଣୀ ଆସି ସମସ୍ତଙ୍କ ବାରି କବାଟକୁ କୁଆଡ଼େ ଖଟ ଖଟ କରେ । ଏସବୁ ଶୁଣି ମୁଁ ଭିତରେ ଭିତରେ ଡରିଯାଏ । ହେଲେ ବାହାରକୁ ସାହାସୀ ବୋଲି ଅଭିନୟ କରେ । ମୋ ଅପା କିନ୍ତୁ ଏସବୁ ଜାଣି ଦିଏ, କହେ “ଡରୁଆ କେଉଁଠିକାର ଘରକୁ ଯା’ ପାଠ ପଢ଼ିବୁ ।” ମୁଁ ତା’ କଥା ଶୁଣି ଘରକୁ ପଳାଇ ଆସେ । ଏମିତି ମୋର ନିତିଦିନ ଚାଲେ ।

ଆମ ଗାଁରେ ବାରମାସରେ ତେରପର୍ବ ହୁଏ । କେତେବେଳେ ଜହ୍ନିଓଷା ତ କେତେବେଳେ ଖୁଦୁରୁକୁଣୀ ଓ କେତେବେଳେ ଦଣ୍ଡନାଚ । ପୂଜାରେ ଭୋଗ ହେଲେ ଅପା ଆମଘରକୁ ପୂଜାର ଭୋଗ ନେଇ ଆସେ । ମୋତେ ଭୋଗ ଦେଇ ଚୁପ୍‌ଚାପ୍‌ ଚାଲିଯାଏ । ସତ କହିବାକୁ ଗଲେ ମୁଁ ତାକୁ ବହୁତ ଭଲପାଏ ସେ ବି ମୋତେ ବହୁତ ଭଲ ପାଏ । ଏମିତି କିଛିଦିନଗଲା ପରେ ଦିନେ ଅପାର ମା’ମାନେ ମୁଁ ଯାହାକୁ ମାଉସୀ ଡାକୁଛି ହଠାତ୍ ଅସୁସ୍ଥ ହୋଇପଡ଼ିଲେ । ଯେତେ ଡାକ୍ତର ଦେଖାଇଲେ ବି ଭଲ ହେଲା ନାହିଁ । ଭଲ ହେବା ପାଇଁ ଦରକାର ଥିଲା ଅଜସ୍ର ଟଙ୍କା । କିନ୍ତୁ ମୋ ଅପା ପାଖରେ ସେମିତି କିଛି ସମ୍ୱଳ ନଥିଲା । ସବୁବେଳେ ଗୁମ୍ ମାରି ବସୁଥିଲା । ଜଙ୍ଗଲ ଯାଇ ଆଉ କାଠ ଆଣୁନଥିଲା । ମୁଁ ବି ତା’ ପାଖରେ କୋଳି ଆଣିବାକୁ ଆଉ ଜିଦ୍ ଧରୁନଥିଲି । ଗପ ଶୁଣାଇବା ତ ଦୂରର କଥା ମୋ ମୁହଁକୁ ଭଲ ଭାବରେ ଚାହୁଁ ନଥିଲା, ଭଲରେ କଥା କହୁନଥିଲା । ମୋ ମନ ଭାରି ଦୁଃଖ ମୁଁ ତାକୁ କିଛି ବି ସାହାଯ୍ୟ କରିପାରୁନଥିଲି । ଛୋଟ ପିଲାଟେ ମୁଁ ତାକୁ କି ସାହାଯ୍ୟ କରିପାରିଥାନ୍ତି । ଏହାରି ଭିତରେ ମୋ ବାପାଙ୍କର ପାଖ ସହରକୁ ବଦଳି ହୋଇଗଲା । ଆମେ ସମସ୍ତେ ଗାଁ ଛାଡ଼ି ସହରକୁ ଚାଲିଆସିଲୁ । ଆସିଲାବେଳେ ଅପାସାଙ୍ଗରେ ଦେଖା କରିବାକୁ ଇଚ୍ଛା ହେଲା ହେଲେ ସମୟ ଅଭାବରୁ ଦେଖା ହୋଇପାରିଲାନି ।

ସହରକୁ ଆସିଲା ପରେ ସହରର ପରିବେଶ ମୋତେ ଖୁବ୍ ଭଲ ଲାଗିଲା । ସହରରେ କେତେ ପାର୍କ କେତେ ବଡ଼ ବଡ଼ ଘର ଆଉ କେତେ ସାଙ୍ଗସାଥୀ । ଏହାରି ଭିତରେ ପଚିଶ ବର୍ଷ ବିତି ଯାଇଥିଲା । ମୋତେ ଭଲ ଚାକିରୀ ଖଣ୍ଡେ ମିଳିଥିଲା । ବାପା କାଳ ହୋଇଯାଇଥିଲେ । ଘରର ଭଲମନ୍ଦ ସବୁ ମୁଁ ବୁଝୁଥିଲି । ଏହାରି ଭିତରେ ମୁଁ ମୋ ଅପାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲି ସତେ ଯେମିତି ଗୋଟିଏ ସ୍ୱପ୍ନ ଭଳି । ଦିନେ ରବିବାର ଛୁଟିରେ ମୁଁ ବିଶ୍ରାମ କରୁଥିଲି । ଆମ ଗାଁ ଚାଷୀ ଆସି ଆମ ଘରେ ହାଜର । ମୁଁ ଚାଷୀକୁ କହିଲି “ହଠାତ୍ କ’ଣ କାମ ପଡ଼ିଲା ?” ଚାଷୀ କହିଲା “ବାବୁ ତୁମକୁ ଯେମିତି ହେଲେ ଗାଁକୁ ଯିବାକୁ ପଡ଼ିବ, ଗାଁରେ ଥିବା ଘର ଜରାଜୀର୍ଣ୍ଣ ହୋଇଗଲାଣି ତାକୁ ଯେମିତି ହେଲେ ମରାମତି କରିବାକୁ ପଡ଼ିବ । ଆଉ ବିଲବାଡ଼ି କଥା ଦେଖି ଆସିବାକୁ ପଡ଼ିବ ।” ମୁଁ ତା’ କଥାରେ ସମ୍ମତି ଜଣାଇ କହିଲି “ଆସନ୍ତା ଛୁଟିରେ ଗାଁକୁ ଯିବି ।” ଏ ସମୟରେ ମୋର ହଠାତ୍ ମନେପଡ଼ିଲା ଅପା କଥା । ମୁଁ ପଚାରିଲି, “ଆମ ପଡ଼ିଶାଘର ଚାଳକୁଡ଼ିଆରେ ରହୁଥିବା ଝିଅଟିର ଖବର କ’ଣ ?” ସେ ମୋ କଥା ଶୁଣି ଚାଷୀ ବିରକ୍ତରେ କହିଲା, “ତା’ କଥା ଛାଡ଼ ବାବୁ କ’ଣ ମିଳିବ ସେଥିରୁ ?” ମୁଁ କିନ୍ତୁ ଜିଦ୍ ଧରିଲି ତା’ ବିଷୟରେ ଜାଣିବା ପାଇଁ ଚାଷୀ କହିଲା “ବାବୁ ସେ ବହୁତ ଦିନ ହେଲା ପାଗଳି ହୋଇଯାଇଛି । କେବେ ଗାଁରେ ତ କେବେ ଜଙ୍ଗଲରେ । କେବେ ଏ ଗାଁରେ ତ କେବେ ସେ ଗାଁରେ ।” ମୁଁ କାରଣ ପଚାରିଲି ଚାଷୀ କହିଲା, “ତା’ ମା’ର ଦେହ ଦେଖାଇବା ପାଇଁ ସେ କୁଆଡ଼େ ଗାଁ ସାହୁକାରମାନଙ୍କ ଠାରୁ ବହୁତ ଟଙ୍କା ସୁଧକୁ ଆଣିଥିଲା । ସେ ଟଙ୍କାରେ ବି ତା’ ମା’ର ଦେହ ଭଲ ହେଲା ନାହିଁ । ସେ ସୁଧ ପଇସା ବାବଦରେ ତା’ ଘର ଖଣ୍ଡିକ ବି ଚାଲିଗଲା । ସବୁବେଳେ ଗୁମ୍ ମାରି ବସୁଥିଲା । ଦେଖୁ ଦେଖୁ ତା’ର ଏହି ଅବସ୍ଥା ।” ଏତିକି କହି ଚାଷୀ କହିଲା “ମୁଁ ଆସୁଛି ବାବୁ ମୋର ସମୟ ହୋଇଗଲାଣି, ଗଲାବେଳକୁ ରାତି ହୋଇଯିବ ।” ଗଲାବେଳେ କହିଲା “ଆସିବେ ଯଦି ଦିନରେ ଆସିବେ ରାତିରେ ଆସିବେ ନାହିଁ ।” ମୁଁ ପଚାରିଲି “କାହିଁକି ?” ଚାଷୀ କହିଲା “ବାବୁ ଆମ ଗାଁରେ କିଛିଦିନ ହେଲା ଗୋଟେ ଡାହାଣୀ ମାତିଛି । ରାତିରେ ଯାହାକୁ ଏକୁଟିଆ ଦେଖୁଛି ତାକୁ ଗୋଡ଼େଇ ଗୋଡ଼େଇ କାମୁଡୁଛି । ବାରିକବାଟ ଖଟ ଖଟ କରୁଛି ।” ମୋର ଅପା କଥା ମନେ ପଡ଼ିଗଲା । ମୁଁ ଭାବୁଥିଲି ତାହାହେଲେ ପିଲାଦିନେ ଅପା ଯାହା କହୁଥିଲା ତାହା କ’ଣ ସତ? ସେତେବେଳେ ସିନା ପିଲାଥିଲି ଯେ ଡାହାଣୀକୁ ଡରୁଥିଲି ଏବେ କାହିଁକି ଡରିବି ? ମୁଁ ସ୍ଥିର କରିଥିଲି ଗାଁକୁ ରାତିରେ ହିଁ ଯିବି ।

କିଛିଦିନ ପରେ ଛୁଟି ନେଇ ବାହାରିଲି ଗାଁକୁ ଯିବାକୁ । ସନ୍ଧ୍ୟା ସମୟରେ ବସ୍ ଧରିଲି ଯେମିତି ରାତିରେ ଗାଁରେ ପହଞ୍ଚିବି । ଗାଁ ପାଖରେ ଓହ୍ଲାଇଲା ବେଳକୁ ପାଖାପାଖି ସାଢ଼େ ଆଠଟା ହେବ । ବସ୍ ଓହ୍ଲାଇବା ରାସ୍ତାଠାରୁ ଆମ ଗାଁ ପାଖାପାଖି ଦେଢ଼ କିଲୋମିଟର ହେବ । ତାହା ପୁଣି ବିଲମାଳିଆ ରାସ୍ତା । ରାସ୍ତାକଡ଼ରେ ଲାଇଟ୍‌ର ସୁବିଧା ନାହିଁ । ସାହାସ କରି ସିନା ଆସିଲି ହେଲେ ଚାଷୀ କଥା ମନେ ପଡ଼ିଗଲା, ତଥାପି ବ୍ୟାଗ୍‌ଟାକୁ କାନ୍ଧରେ ଝୁଲାଇ ଆଗକୁ ଆଗକୁ ମାଡ଼ି ଚାଲିଲି । ଅମାବାସ୍ୟା ପାଖାପାଖି ଦିନ ହୋଇଥିବାରୁ ରାସ୍ତାଘାଟ ପୁରା ଅନ୍ଧାରୁଆ ଲାଗୁଥିଲା । ମନରେ ଖାଲି ଡାହାଣୀ ଚିନ୍ତା, ସତରେ ଡାହାଣୀ କ’ଣ ମତେ ଦେଖା ଦେବ ? ଏମିତି ଭାବି ଭାବି କିଛି ବାଟ ଆଗକୁ ଗଲା ପରେ ମୋତେ କିଛି ଆଲୋକ ଦେଖାଗଲା । ମୁଁ ଚମକି ପଡ଼ିଲି । ଦେଖିଲି ଲମ୍ୱା ଲମ୍ୱା ଚୁଟି ରଖି, ଧଳାଶାଢ଼ୀ ପିନ୍ଧି ହାତରେ ନିଆଁହୁଳା ଧରି ସ୍ତ୍ରୀଲୋକଟିଏ ମୋ ଆଡ଼କୁ ମାଡ଼ି ଆସୁଛି । ମୁଁ ଜାଣିଗଲି ଚାଷୀ କହୁଥିବା କଥା ସତ । ମୁଁ କ’ଣ କରିବି କିଛି ଭାବିପାରୁନଥିଲି, ତା’ପରେ ସାହାସର ସହିତ ମୁଁ ତା’ ପାଖାପାଖି ମାଡ଼ି ଚାଲିଲି । ହେଲେ ଡାହାଣୀ ହଠାତ୍ ତା’ର ଦିଗ ବଦଳାଇ ଦେଲା । ମୋ’ଠାରୁ ଦୂରକୁ ଦୂରକୁ ଚାଲିଗଲା । ମୋ ମନରେ କୌତୂହଳ ଜାତ ହେଲା । ମୁଁ ଭାବିଲି ଡାହାଣୀ ମୋ ପାଖକୁ ଆସି ହଇରାଣ କରିବା ବଦଳରେ ମୋ’ଠାରୁ ଦୂରକୁ ଦୂରକୁ କାହିଁକି ଯାଉଛି ? ମୁଁ ମନରେ ସାହସ ବାନ୍ଧିଲି ଯେମିତି ହେଲେ ଡାହାଣୀକୁ ପାଖରୁ ଦେଖିବି । ତା’ପଛେ ପଛେ ଧାଇଁଲି କିଛି ବାଟ ଗଲା ପରେ ଡାହାଣୀ ବାଉଁଶ ବୁଦା ଉହାଡ଼ରେ ଲୁଚିଗଲା ।

ନିଆଁହୁଳାକୁ ଅନୁସରଣ କରି କରି ମୁଁ ତା’ ପାଖାପାଖି ପହଞ୍ଚିଗଲି । ମୋତେ ପାଖରେ ଦେଖି ସେ ମୁହଁ ଲୁଚାଇ ବସିଲା, ହେଲେ ମୋତେ ଚିହ୍ନା ଚିହ୍ନା ଲାଗିଲା । ମୁଁ ତା’ କାନ୍ଧରେ ହାତ ମାରି ପଚାରିଲି “କିଏ ତମେ ?” ଡାହାଣୀ ମୋ ଆଡ଼କୁ ମୁଁ ବୁଲାଇ ଲୁହ ଛଳଛଳ ଆଖିରେ ମୋତେ ଚାହିଁ କହିଲା “ମୁଁ ପରା ତୋ ଅପା ।” ମୁଁ ହତ୍‌ବାକ୍ ହୋଇ ଚାହିଁ ରହିଲି ତାରି ମୁହଁକୁ । ଭିତରେ ଥିବା କୋହକୁ ସମ୍ଭାଳି ନ ପାରି କାନ୍ଦି ପକାଇ କୁଣ୍ଢାଇ ଧରିଲି ଅପାକୁ । ତା’ଦେହରେ ମଶାଣିର ପାଉଁଶ ବୋଳିଥିଲା ସେ । ଦେହରୁ ଦରପୋଡ଼ା ମଢ଼ର ଗନ୍ଧ ବାହାରୁ ଥିଲା । ହେଲେ ମୋତେ ଜମାରୁ ଘୃଣା ଲାଗୁନଥିଲା । ତାକୁ ପଚାରିଲି “ତୁ ପରା ପାଗଳି ହୋଇ ଯାଇଥିଲୁ । ପୁଣି ଡାହାଣୀ କେମିତି ହେଲୁ ?” ଅପା ତା’ କାହାଣୀ ଆରମ୍ଭ କଲା କହିଲା, “ମା’ ଦେହ ଭଲ କରିବା ପାଇଁ ଗାଁ ସାହୁକାରମାନଙ୍କ ଠାରୁ ବହୁତ ଟଙ୍କା ସୁଧକୁ ଆଣିଥିଲି, ସେ ସୁଧ ସୁଝିପାରିଲିନି । ସୁଧବାବଦରେ ଘର ଚାଲିଗଲା, ତଥାପି ସାହୁକାରମାନେ କହିଲେ “ମୂଳଟଙ୍କା ଫେରାଇବାକୁ ପଡ଼ିବ ନହେଲେ ସେମାନଙ୍କ ଲୋଲୁପଦୃଷ୍ଟିର ଶିକାର ହେବାକୁ ପଡ଼ିବ ।” ମୁଁ ନିରୁପାୟ ହୋଇଯାଇଥିଲି । ଶେଷରେ ସ୍ଥିର କଲି ପାଗଳି ହେବାର ଅଭିନୟ କରିବି ।” ଏତିକି କହି ମୋ ଅପା ଚୁପ୍ ହୋଇ ବସିପଡ଼ିଲା । ତା’ କଥା ଶୁଣି ନିଜକୁ ଅସହାୟବୋଧ କରୁଥିଲି । ଭାବୁଥିଲି ମୁଁ କେଡ଼େ ସ୍ୱାର୍ଥପର, ଅପାକୁ ଜୀବନରେ କିଛି ବି ସାହାଯ୍ୟ କରିପାରିଲିନି । ମୋତେ କିନ୍ତୁ ଦେଖି ଅପା ଭାରି ଖୁସି ହେଲା ପରି ଲାଗୁଥିଲା । ମୋତେ କହୁଥିଲା “ଆରେ ଏ ଗାଁରେ କିଛିଦିନ ରହିଯା’ । ମୁଁ ଜଙ୍ଗଲକୁ ଗଲେ ତୋ ପାଇଁ କୋଳି ଆଣି ଦେବି, ଗପ କହିବି ।” ତା’ କଥା ଶୁଣି ମୁଁ ଆହୁରି କାନ୍ଦିବାକୁ ଲାଗିଲି କହିଲି “ରହିବି ଯେ ତୁ ମୋତେ କହ ପାଗଳିରୁ ଡାହାଣୀ କାହିଁକି ହେଲୁ ?” ଅପା କହିଲା “କ’ଣ କରିଥାନ୍ତି କହିଲୁ ? ଏ ସଭ୍ୟ ସମାଜର ଅସଭ୍ୟ ମଣିଷ ଗୁଡ଼ାକ ସିନା ଦିନରେ ନିୟମ କାନୁନ୍ ମାନିଥାନ୍ତି, ହେଲେ ରାତିରେ ସୁଯୋଗ ଖୋଜନ୍ତି ନିଜ କାମନା ଚରିତାର୍ଥ କରିବା ପାଇଁ । ସେମାନଙ୍କ ପାଖରେ ରାତିରେ କିଛି ବାଛ ବିଚାର ନଥାଏ । ଭଲ ମଣିଷ ଆଉ ପାଗଳ ମଣିଷ ମଧ୍ୟରେ କିଛି ପାର୍ଥକ୍ୟ ଦେଖନ୍ତିନି ସେମାନେ । ସେଥିପାଇଁ ଶେଷରେ ଠିକ୍ କଲି ପାଗଳିରୁ ଡାହାଣୀ ହୋଇଯିବି ଆଉ ଭୟରେ ହେଉ କି ଘୃଣାରେ ହେଉ ମୋ ପାଖ କେହି ମାଡ଼ିବେନି ।” ଅପା କଥା ଶୁଣି ମୋ ନିଜ ଉପରେ ମୋର ରାଗ ବଢ଼ିବାରେ ଲାଗିଥିଲା । ପକେଟରୁ ଗୋଟେ ହଜାରେ ଟଙ୍କିଆ ନୋଟ୍ କାଢ଼ି ତା’ ହାତରେ ଧରେଇ ଦେଲି । ଅପା ନୋଟ୍‌ଟିକୁ ଆଗପଛ କରି ଖୋଲି ଦେଖୁଥିଲା । ଭାବୁଥିଲା ଟଙ୍କାଟିକୁ କେଉଁଠି ଲୁଚାଇବ ନ ହେଲେ ସାହୁକାର ସୁଧବାବଦକୁ ନେଇଯିବ । ଗାଁକୁ ଯିବାକୁ ଆଉ ଇଚ୍ଛା ହେଉନଥିଲା ସ୍ଥିର କଲି ସହରକୁ ଫେରିଯିବି, ଦୂରରୁ ଦେଖି ଗାଁଟା ଘୃଣା ଲାଗୁଥିଲା । ଭାବୁଥିଲି ଲୋକଗୁଡ଼ାକ ଏତେ ସ୍ୱାର୍ଥପର । କାନ୍ଧରେ ବ୍ୟାଗ୍ ଝୁଲାଇ ବାହାରିପଡ଼ିଲି ସହର ଅଭିମୁଖେ । ଅପା ପଛରୁ ପଚାରିଲା “ଆଉ ଥରେ କେବେ ଆସିବୁ ?” ମୁଁ କିଛି ଉତ୍ତର ଦେଲିନି । କିଛି ଦୂର ଆଗକୁ ଯିବା ପରେ ପଛକୁ ଫେରି ଚାହିଁଲି ହେଲେ ଅପା କୁଆଡ଼େ ଚାଲିଯାଇଥିଲା ।

ଲୋକପ୍ରିୟ ଲେଖା

To Top