ଗଳ୍ପ

ଦାଣ୍ଡପିଣ୍ଡା

Bidyadhara Panda's odia Story Daandapindaa

ସାଇଭାଇ ଚାହୁଁଥାନ୍ତି କିଛି ପଇସା ବାବୁ ଦେଲେ ଗୋଟିଏ ବ୍ରାହ୍ମଣକୁ ଡ଼ାକି ପ୍ରେତ ଶାନ୍ତି କରାନ୍ତେ । ଭୋଜିଭାତ କରି ଶୁଦ୍ଧିକ୍ରିୟା ସାରିଦିଅନ୍ତେ । ବାବୁ କୃପଣ ଆଉ ନିର୍ଦ୍ଧୟ । ହଉ ଦେଖାଯାଉ କଣ କହୁଛନ୍ତି ।

ଦାଣ୍ଡପିଣ୍ଡା

ଯଶୋଦା ଅପଲକ ନୟନରେ କେତେବେଳୁ ଗୋଟିଏ ଆଡ଼େ ଚାହିଁଛି । ଗୁଣ୍ଡୁଚି ମୂଷା ଦୁଇଟା ତାଙ୍କର ଦୌଡ଼ ପ୍ରତିଯୋଗିତାରେ ବ୍ୟସ୍ତ । ବହୁଦିନ ତଳର ସାଉଁଟା ସପନ ଗୁଡ଼ାକୁ ନେଇ ବଡ଼ ମାଳାଟିଏ ଗୁନ୍ଥିଥିଲା । ସବୁଗୁଡ଼ାକୁ ଧିରେ ଧିରେ କାଢ଼ି ବନ୍ଧତଳକୁ ଗଡ଼ାଇ ଚାଲିଛି । ବନ୍ଧହୁଡ଼ାର ଓସ୍ତଗଛମୁଳ ତା’ର ଏବେ ନୂଆ ଠିକଣା । ସାଇଭାଇଙ୍କ ଭିତରୁ କିଏ ହେଲେ ଆସି ମୁଠାଏ ଭାତ ସାଙ୍ଗରେ ତୋରାଣି ବେଲାଏ ଦେଇଯାଆନ୍ତି । ଦିନଟା କଟିଯାଏ । ବନ୍ଧର ଗୋଟିଏ ପଟେ ରାସ୍ତା ଏବଂ ଆରପଟେ ମହାନଦୀର ବାଲି । ପୁରୁଣା ଓସ୍ତଗଛଟିର ମୂଳରେ ଏକ ବଡ଼ ଖୋଲ ଅଛି । ତା’ ଭିତରେ ଯଶୋଦା ନିଜର ଜିନିଷ ପତ୍ର ରଖି ରାତି ହେଲେ ବନ୍ଧଉପରେ କାନିପାରି ଶୋଇଯାଏ । ଚୁଟିଆ ମୂଷା କେଇଟା କେବେ କେବେ ଦେହରେ ଚଢ଼ି ହଇରାଣ କରୁଛନ୍ତି । ତେନ୍ତୁଳିଆ ବିଛାଟେ ବୁଲୁଛି କିନ୍ତୁ କେବେବି କାମୁଡ଼ିନି । ପ୍ଲାଷ୍ଟିକ ପାଣି ବୋତଲଟି ଅସ୍ତ୍ର । ଆଖିରେ ଲୁହ ଆଉ ବାକି ନାହିଁ । ସବୁଠାରୁ ବଡ଼ ଦୁଃଖ ନିଜ ଝିଅଟି ବି ନିଜର ହେଲାନି । କେମିତି ବି ହୁଅନ୍ତା? ବାବୁ ମୋ ନାଁ ରେ ଥିବା ଜମିକୁ ଠକିଦେଇ ତାଙ୍କ ନାଁରେ କରେଇନେଲେ ।

ସେଦିନ ବାବୁ ଯାହା କହିଥିଲେ- ଯଶୋଦା କାନରେ ବାରମ୍ବାର ପ୍ରତିଧ୍ୱନିତ ହେଇ କାନ ଦୁଇଟା ତାବଦା ହୋଇଗଲାଣି । ଯଶୋଦା ! ତୁ କେବେ ବି ଭାବିବୁନି ଯେ, ତୁ ଏ ଘରର ଚାକରାଣୀ । ତୋର ସବୁକଥା ମୁ ବୁଝିବି । ମୋ ମା’ ଯେମିତି ଏ ଘରଦୁଆର ଯତ୍ନ ନେଉଥିଲା ସେମିତି ତୁ ଏ ସବୁକୁ ଦେଖେ । ଆଜିଠାରୁ ମୁଁ ଭାବିବି ମୋ ମା’ ମରିନି । ତୋ ଝିଅ ଜୋଇଁଙ୍କ କଥା ଭୁଲିଯା । ତୁ ଏବେ ତୋ ଜିନିଷ ପତ୍ର ନେଇ ଏଇ ଘରକୁ ଆସି ଯା’ । ଏଇଠି ରହିବୁ, ଏଇଠି ଖାଇବୁ । ଆମେ ଓଡ଼ିଶା ସାରା ବୁଲିବୁ- ମାସେ ଦି ମାସରେ ଥରେ ଘରକୁ ଆସିବୁ । ସେଇଦିନ ଯଶୋଦା ଭାବିଲା ହେ ଭଗବାନ ! ଏତେ ବଡ଼ ଧନିପୁଅଟେ ମୋତେ ଦେବ ବୋଲି କ’ଣ ମୋ କୋଳରେ ଖାଲି ଝିଅଟେ ଦେଇଥିଲ ? ସେ ଝିଅ ବି ଏତେ ଦୁଷ୍ଟ? ସାକ୍ଷାତ୍ ଦୁର୍ଗା । ବାହାଘର ତିନିମାସ ହୋଇନି, ମୋ ସାଙ୍ଗରେ ଛଅ ଥର କଜିଆ କରିସାରିଲାଣି । ତମକୁ ଅଶେଷ ଧନ୍ୟବାଦ । ମୁଁ ବାବୁ ଘରଦୁଆରର ଯତ୍ନ ଏମିତି ନେବି ଯେ, ବାବୁ ତାର ମା’କୁ ବି ଭୁଲିଯିବ । ସେଇଦିନ ଠାରୁ ଯଶୋଦା ମନେ ମନେ ହୋଇଗଲା ପୁଅର ମା । ଛାତି କୁଣ୍ଢେ ମୋଟ ।

ପଡ଼ୋଶିମାନେ ଦୁଇଟା ଦିନରେ ସାବଧାନ ହୋଇଗଲେ । ବାବୁଙ୍କ ବାଡ଼ିରେ ଆମ୍ବ, ଲେମ୍ବୁ, ପଣଷ, ପିଜୁଳି, ନଡ଼ିଆ ସବୁ ଥାଏ । ଚାଳିଶ ବର୍ଷ ଭିତରେ ଗୋଟିଏ ଥର ବି ଚୋରି ହୋଇନାହିଁ । ବୁଢ଼ି ପାଖରେ ନିଜର ବୋଲି ଅଛି ଖଣ୍ଡିଆ ଟ୍ରୁଙ୍କଟିଏ ବାବୁ ବେଳେ ବେଳେ କିଛି ପଇସା ଦେଲେ ସିଏ ସେଇଥିରେ ରଖେ । ବାବୁଙ୍କର ତିନିପୁଅ ଆଉ ଗୋଟିଏ ଝିଅ । ପୁଅ ଗୁଡ଼ିକ ସବୁ ବାଳୁଙ୍ଗା । ଗୋଟାଏ ମଦ ପିଇବା ଆରମ୍ଭ କରି ଦେଲାଣି । ଦିନେ ମଦ ପିଇବା ଲାଗି ଯଶୋଦା ଟ୍ରୁଙ୍କଟିକୁ ଭାଙ୍ଗି ସବୁ ପଇସାତକ ନେଇଗଲା । ଯଶୋଦା ବାବୁଆଣିଙ୍କୁ ଡ଼ାକି ଦେଖାଇଲା । ଓଲଟା ଗାଳି ଖାଇଲା । ବାବୁ ବି ସେଇ ଭଙ୍ଗା ଟ୍ରୁଙ୍କଟିକୁ ଖୋଲିଲେ । ନଜର ଆସିଲା ଦୁଈଟି ଧୁସର ରଙ୍ଗର ମୋଟା କାଗଜ । ବୋଧେ ଜମି ପଟ୍ଟା- ବୁଢ଼ି ନାଁ ରେ ଥିବ । ସଙ୍ଗେ ସଙ୍ଗେ ବଡ଼ପୁଅକୁ ଡ଼ାକି ତାଗିଦ କରି ପଚାରିଲେ- ସତ କହ କେତେ ପଇସା ନେଇଛୁ ? ପୁଅ କିଛି ବି କହିଲାନି । ବାବୁ ଯଶୋଦାକୁ ଚାହିଁଲେ । ଯଶୋଦା ବି କେବେ ମୋଟ କରି ଗଣିନି । ପିଲାଟା ନାଁ ରେ ମିଛ କେମିତି କହିବ? ବାବୁ ଶହେଟଙ୍କା ଦେଇ କହିଲେ ନେ’ ତୋର ରଖିଦେ କିନ୍ତୁ ବାକ୍ସଟିକୁ ମୋ ଶୋଇବାଘର ଖଟତଳେ ଥୋଇଦେଇ ଆସେ । ଯଶୋଦା ଖଟତଳେ ରଖି ନିଶ୍ଚିନ୍ତ ହୋଇଗଲା । ବାବୁ ଖାଇ ସାରି ଭିତର ପଟୁ କବାଟ କୁଣ୍ଡି ଲଗାଇଲେ । ଟ୍ରୁଙ୍କଟିକୁ କୋଳରେ ରଖି ପଟ୍ଟା ଦୁଇଟିକୁ ତନଖି ନେଲେ । ମନଟି ନାଚି ଉଠିଲା । ଏତେ ବଡ଼ ସମ୍ପତିଟା ଏତେ ପାଖରେ କିନ୍ତୁ ଏପର୍ଯ୍ୟନ୍ତ ମୋର ହାତମୁଠାକୁ ଆଣିନି ? ବୁଢ଼ି ମଣିଷ । ଆଜି କଥା କାଲିକି ନାହିଁ । ଜଲଦି କିଛି କରିବାକୁ ହେବ ।

ସନ୍ଧ୍ୟା ହେଲା । ବାବୁଆଣି ଚା’ନେଇ ବାବୁଙ୍କୁ ଉଠାଇଲେ । ବାବୁଙ୍କ ଆଖିରେ ଥାଏ ଏକ ଭିନ୍ନ ଚମକ । ବାବୁ ତ ଏମିତି ବହୁତ ଲୋକଙ୍କୁ ଠକିଛନ୍ତି କିନ୍ତୁ ଆଜି ଗୋଟିଏ ବଡ଼ ଶିକାର ମିଳିଛି । ସରଳ ଏବଂ ସାଧାରଣ । ଦୁଇ ମାଣ ଦାଳୁଅ ଆଉ ଏକ ମାଣ ଶାରଦ ଜମି ଯଶୋଦା ନାଁ ରେ । ପାଖାପାଖି ତିନି ଲକ୍ଷ ଟଙ୍କାର ସମ୍ପତି । ନିଜ ନାଁକୁ କାରାଇ ନବାର ଅଛି । ଝିଅ ଜୋଈଁ ଙ୍କ ସାଙ୍ଗରେ ବୁଢ଼ିର ଅହିନକୂଳ ସମ୍ପର୍କ । ଏଇତ ସୁଯୋଗ । ସେ ଚା’ଟି ଫେରାଇ ଦେଇ ବାବୁଆଣିଙ୍କୁ କହିଲେ- ଦୁଇଟା ଚା’ ନେଇ ଦାଣ୍ଡପିଣ୍ଡାକୁ ଆସ । ପ୍ରଶ୍ନ କିଛି କରିବା ଦରକାର ନାହିଁ- ମୁଁ ଯାହା କହୁଛି, ଠିକ୍ ସେଇଆ କର । ଯଶୋଦା ସେ ସମୟରେ ପ୍ରାୟ ଦାଣ୍ଡପିଣ୍ଡାରେ ବସି ନଡ଼ିଆପତ୍ରରୁ ଖଡ଼ିକା ଛଡ଼ାଏ ।

ପ୍ରଥମ ଥର ପାଇଁ ବାବୁ ନିଜ ହାତରେ ଚା’ନେଇ ଦାଣ୍ଡପିଣ୍ଡାରେ ଯଶୋଦାକୁ ଧରାଇଲେ । ବାବୁ ଶ୍ରୀଧର ଜଣେ କଅଁଳ ସୁମଧୁର ବଚନ ବିର ଭାବେ ପରିଚିତ । ସେଇଥିପାଇଁ ତ ଲଗାତାର ଛ’ବର୍ଷ ହେଲା ପୁରଷ୍କାର ପାଇ ଆସୁଛନ୍ତି ଜୀବନବୀମା କମ୍ପାନୀରୁ । ମାତ୍ର ଦୁଇମିନିଟ୍ରେ ବୁଢ଼ି ଆସନ୍ତା କାଲି ଆଠଗଡ଼ ଯାଇ ଦସ୍ତଖତ ଦେବାକୁ ରାଜି ହୋଇଗଲା । ସପ୍ତାହ ଭିତରେ ବାବୁଆଣିଙ୍କ ନାଁରେ ରେଜେଷ୍ଟ୍ରି କବଲା ବାହାରିଗଲା । ତା’ପରେ ଆରମ୍ଭ ହେଲା ଯଶୋଦାର ଦୁର୍ଦ୍ଦିନ ଗୁଡ଼ାକ । ବାବୁ ଆଗପରି ଆଉ କିଛି ଶୁଣିଲେନି । ଦିନକୁ ଦିନ ବଳ କମି ଆସିଲା । ଯଶୋଦା ଆଖିକୁ ଏବେ ଭଲ ଦିଶୁନି । ଘରେ ଉଇ ଲାଗିଲେ । ବାଡ଼ିରୁ ଚୋରି ହେଲା । ସବୁ ଦୋଷ ଯଶୋଦାର । ଦିନେ ଅତିଷ୍ଠ ହୋଇ ବାବୁଆଣି ଘରୁ ତଡ଼ିଦେଲେ । ବୁଢ଼ି ଧିରେ ଧିରେ ଆସି ଝିଅଘର ବାରଣ୍ଡାରେ ବସିଥାଏ । ଝିଅ ଦେଖି ରକ୍ତ ଚାଉଳ ଚୋବାଇ ମାରିବାକୁ ଆସିଲା । ସାଇଭାଇ ଯେତେ କହିଲେ ବି କାହା କଥା ଶୁଣିଲାନି । ଜୋଇଁ ଆସିବା ପୁର୍ବରୁ, ଯଶୋଦା ବନ୍ଧହୁଡ଼ାର ଓସ୍ତଗଛମୁଳକୁ ତା’ର ଶେଷ ଠିକଣା ବାଛି ନେଇଥିଲା । ନିଷ୍ପତି ନେଲା ଆଉ କାହା ଦୁଆରକୁ ଯିବନାହିଁ ।

ଦିନକର କଥା । ସଞ ନଇଁ ଆସୁଥାଏ । ଗାଈଗୋରୁ ଗୁଡ଼ାକ ଧୁଳି ଉଡ଼ାଇ ବନ୍ଧହୁଡ଼ାକୁ ପାର ହେଲେ । ଶରଦା ଯଶୋଦାପାଇଁ ନାଲି ଚା’ଗ୍ଲାସ ସାଙ୍ଗରେ ଗୋଟିଏ ଜର ବଟିକା ନେଇ ପହଁଞ୍ଚିଲା । ଶରଦା ଗରିବ ସିନା କିନ୍ତୁ ଯଶୋଦାର ଦୁଃଖ ସହି ପାରେନା । ସିଏ ବା କଣ କରି ପାରିବ । ନିଜର ବି ନିଅଁଟିଆ ସଂସାର । ତଥାପି ଯଶୋଦାକୁ ଆର ମାସରେ ପୁରୁଣା ଶାଢ଼ିଟିଏ ଦେଇଥିଲା । ଶରଦା ଯଶୋଦା ଦେହରେ ହାତ ମାରି ଦେଖିଲା ଦେହଟି ତାତିରେ ଖଇ ଫୁଟୁଛି । ଗଛମୂଳ ପବନରେ କେମିତି ରହିବୁ?ଚାଲ୍ ଯିବା, ମୁଁ ତୋତେ କୋଠଘର ବାରଣ୍ଡାକୁ ନେଇଯିବି । ଯଶୋଦାର ବଞ୍ଚିବାରେ ଇଚ୍ଛା ନଥିଲେ ମଧ୍ୟ ମରିପାରୁ ନଥାଏ । ବାବୁଘର କାର୍ ଟା ପେଁ ପେଁ ଶବ୍ଦ କରି ଫୁରର୍ କିନି ବନ୍ଧତଳ ରାସ୍ତାରେ ଚାଲିଗଲା । ବାବୁ ଶ୍ରୀଧର ସମୟର ମୁଲ୍ୟ ଭଲରେ ବୁଝନ୍ତି । ଯଶୋଦାପାଇଁ କାହିଁକି ତାଙ୍କର ମୁଲ୍ୟବାନ ସମୟକୁ ନଷ୍ଟ କରିବେ । ଆଡ଼ ଆଖିରେ ଟିକିଏ ନଜର ବି ପକାଇଲେ ନାହିଁ । ଯଶୋଦା ସଂସାରର ମରମ କଥାଟିକୁ ବୁଝିସାରିଥାଏ । ଶରଦାକଥାରେ ରାଜି ନହୋଇ ସେଇଠି ଶୋଇବ ବୋଲି କହିଲା । ରାତି ଆଠଟା ବାଜିଲାଣି । ସିଆଡ଼େ ଶରଦାକୁ କାଳିଆବାପା ଡ଼ର । ମନ ନଥିଲେ ବି ଯଶୋଦାକୁ ଏକା ଛାଡ଼ି ଘରକୁ ଆସିଲା ।

ଶରଦା ଆଖିରେ ନିଦ ନାହିଁ । ଅଧରାତିରେ ହଠାତ୍ ପେଚା’ଟା ଜୋରରେ ବୋବାଇବାକୁ ଲାଗିଲା । ଶରଦାକୁ ଡ଼ର ମାଡ଼ୁଥାଏ । କେମିତି ଅଜବ ଅନୁଭୁତି ହେଉଥାଏ । କିଛି ସମୟ ପରେ ବିଲୁଆଗୁଡ଼ା ଏକ ସଙ୍ଗରେ ଭୁକିବାକୁ ଲାଗିଲେ । ଆଉ ଶରଦା ଶୋଇ ପାରିଲାନି । କାଳିଆ ବାପାକୁ ଉଠାଇଲା । ଯଶୋଦା ପାଖକୁ ଦୁହେଁ ଗଲେ । ଦେଖିଲେ ଯଶୋଦା ଦୁଇ ହାତରେ ମାଟି ଗୁଡ଼ିଏ ମୁଠାଇ ନିଶ୍ଚଳ ଭାବେ ଶବାଶନ ମୁଦ୍ରାରେ ପଡ଼ି ରହିଛି । ଦୁଇଟା ଯାକ ଗୋଇଠିରେ ଗୋଡ଼ତଳ ମାଟି ଗୁଡ଼ାକୁ ଖଳିକରି ଖୋଳିଦେଇଛି । ଆଖି ଖୋଲା ଅଛି ଆକାଶ ଆଡ଼କୁ । ଡ଼ୋଳା ଉପରେ ପିମ୍ପୁଡ଼ି କେଇଟା ଚାଲୁଛନ୍ତି । ଶରଦା ଯୋରରେ ଚିତ୍କାର କରି ଉଠିଲା । ଭୋର ତିନିଟା କି ଚାରିଟା ହେବ । ଯଶୋଦା ଶୋଇଥାଏ ଚିରନିଦ୍ରାରେ । ଝିଅ ଜୋଈଁ ଙ୍କ ରାଗ ଶାନ୍ତ ହେବାର ନାଁ ନେଉନଥାଏ । ଗାଁର କିଛି ଲୋକ ଏକାଠି ହେଲେ । ସକାଳ ହେଲାରୁ କାଠ ଯୋଗାଡ଼ ହେଲା । କାନ୍ଧ ଦେବାକୁ କେହି ନାହିଁ କି କାନ୍ଧ ଦେବା କାହାର ଦରକାର ବି ନାହିଁ । ବନ୍ଧ ତଳଟା ମଶାଣି । ତଳକୁ ଗଡ଼େଇ ଦେଇ, ଦି ତଡ଼ା ଠେଲିଦେଲେ ଶବଟି ଠିକଣା ଜାଗାକୁ ଚାଲିଯିବ । ଝିଅ ଜୋଈଁ ମୁଖାଗ୍ନି ଦେବାକୁ ନାତିକୁ ଛାଡ଼ିଲେନି । କହିଲେ ଯାହା ନାଁରେ ଜମି କରିଛି ତା’ ପୁଅକୁ ଡ଼ାକ- ତା’ ମୁହଁରେ ନିଆଁ ଦେବ । ଶେଷରେ କାଳିଆ ବାପା ଜୁଇରେ ନିଆଁ ଲଗାଇଲା । ଗାଁର କିଛି ଲୋକ ବସି ବାବୁଘରକୁ ଯିବା ପାଇଁ ସ୍ଥିର କଲେ । ସାଇଭାଇ ଚାହୁଁଥାନ୍ତି କିଛି ପଇସା ବାବୁ ଦେଲେ ଗୋଟିଏ ବ୍ରାହ୍ମଣକୁ ଡ଼ାକି ପ୍ରେତ ଶାନ୍ତି କରାନ୍ତେ । ଭୋଜିଭାତ କରି ଶୁଦ୍ଧିକ୍ରିୟା ସାରିଦିଅନ୍ତେ । ବାବୁ କୃପଣ ଆଉ ନିର୍ଦ୍ଧୟ । ହଉ ଦେଖାଯାଉ କଣ କହୁଛନ୍ତି ।

ସନ୍ଧ୍ୟାବେଳକୁ ଡ଼କାଡ଼କି ହୋଇ ଛଅ ସାତ ଜଣ ମୁରବି ଶ୍ରେଣୀର ଲୋକେ ବାବୁଘର ଦାଣ୍ଡପିଣ୍ଡା ଉପରକୁ ଉଠିଲେ । ଅଧଘଣ୍ଟା ପରେ ବାବୁ ଘରୁ ବାହାରି ସମସ୍ତ କଥା ଶୁଣିଲେ । କିଛି ସମୟ ନିରବ ରହି କହିଲେ ଯଶୋଦାର ମୃତ୍ୟୁରେ ସିଏ ବହୁତ ଦୁଃଖିତ । ଆତ୍ମା ଶାନ୍ତି ବ୍ରାହ୍ମଣ ଦକ୍ଷିଣା- ଏ ସବୁ ବକବାସ୍ କଥା । ଆଉ ରହିଲା ଯଶୋଦାର ସେ ଜମି ତିନିମାଣ ବିଷୟ । ତୁମେମାନେ ସମସ୍ତେ ଜାଣ ଯେ ତା’ର ଝିଅ ଜୋଈଁ ତା ସଙ୍ଗରେ କିଭଳି ଝଗଡ଼ା କରି ତାକୁ ଘରୁ ବାହାର କରି ଦେଇଥିଲେ? ମୁଁ ନ ରଖିଥିଲେ ସେତେବେଳେ ତା ଅବସ୍ଥା ଯେ କଣ ହୋଇଥାଆନ୍ତା କିଏ ଭାବିଛ? ମୁଁ ଚାଳିଶ ବର୍ଷ ତାକୁ ଖୁଆଇ ପିଆଇ ଏଇ ଘରେ ରଖିଥିଲି । ଏତେ ବରଷ ଭିତରେ କେବେ ସିଏ କହିଛି ଯେ ତାର କିଛି ଉଣା ହେଉଥିଲା । ଦୁଇ ମହଲା ପକ୍କା ଘର, ଭିତରେ ନଳକୂଅ । ତମ ସମସ୍ତଙ୍କ ଆଗରେ ସିଏ କେମିତି ଅୟେସରେ ରହୁଥିଲା, ସେ କଥାଟା ମୁଁ କହିଲେ ଭଲ ହେବନି । ସେସବୁ ଖର୍ଚ୍ଚ ହିସାବ କଲେ ଛ’ ମାଣ ଜମିମୁଲ୍ୟ ଠାରୁ ବି ବହୁତ ଅଧିକା ହେବ । ସୁତରାଂ, ଏଥିରେ ମୋତେ ଆଉ କିଛି ମାଗନ୍ତୁନି । ମୁଁ କିଛି ସାହାଯ୍ୟ କରିପାରିବିନି । ମୁଁ ତା ପାଇଁ ଯାହା କରିଛି ଆଉ କିଏ କାହା ପାଇଁ କେବେ କରି ନଥିବ । ସମସ୍ତେ ସମସ୍ତଙ୍କ ମୁହଁକୁ ଅନେଇ ଆଶ୍ଚର୍ଯ ହେବା ଭିତରେ ବାବୁ ଶ୍ରୀଧର ଘର ଭିତରକୁ ପସିିଯାଇଥିଲେ । କାହା ପାଟିରୁ ଉଁ କି ଚୁଁ କିଛି ଶବଦ ବାହାରିଲାନି । ଗଉଡ଼ ସାହିର ଗାଁଉଲି ଲୋକମାନେ ବାବୁ ଶ୍ରୀଧରଙ୍କ ଆଗରେ ହତବାକ୍ୟ ହେବା ସ୍ୱଭାବିକ କଥା ।

ଯଶୋଦା ଗଉଡ଼ୁଣି ମନେ ମନେ ପୁଅ ଭାବି ଚାଳିଶ ବର୍ଷ କଟେଇ ଦେଲା । ପ୍ରତି ମାସରେ ବାବୁ ଆସିଲେ ନଡ଼ିଆ, ଆମ୍ବ, ଲେମ୍ବୁ, ପଣଷ, ଅଦା କେତେ ଭଳି ଭଳି ନିଜ ବାଡ଼ି ଜିନିଷ ରେ ଗାଡ଼ି ଡ଼ିକିରେ ରଖିବାକୁ ଯାଗା ଅଣ୍ଟେନି । ଖାଲିବେଳେ ନଡ଼ିଆପତ୍ର ଖଡ଼ିକା ଝାଡ଼ୁ ବି ବୁଢ଼ି ହାତରେ ତିଆରି ହୋଇ ସହରକୁ ଯାଏ । ଏଇ ଶେଷ କେଇଟା ଦିନକୁ ଛାଡ଼ିଦେଲେ, ଘରଦୁଆର କେତେ ପରିଷ୍କାର ରହେ ସମସ୍ତେ କହିବେ । ପରିଶେଷରେ ପ୍ରତିବଦଳ ଊପହାର ସ୍ୱରୁପ ମିଳିଲା କ’ଣ ? ମା’ ଠାରୁ ଅଧିକ ସ୍ନେହଁ ଢ଼ାଳିଦେଇ ନିଜ ଜିବନର ଚାଳିଶଟି ବସନ୍ତକୁ ବାବୁଘର ସେବାରେ ଲଗାଇବାରେ କ’ଣ ଥିଲା ତାର ଆଶା? ମଣିଷ ପଣିଆକୁ ଭୁଲିଯାଇ ବାକଚାତୁରିରେ କେତେଜଣ ଗାଁଉଲି ଲୋକଗୁଡ଼ାକୁ ବାବୁ ବୋକା ବନେଇଲେ । ସେଦିନ ବାବୁଙ୍କର ମାୟାବି ହୃଦୟର ନିର୍ଦ୍ଦୟ ବିଚାର କଥା ଗୁଡ଼ିକୁ ମୁକସାକ୍ଷି ହୋଇ ଦ୍ୱିତୀୟଥର ପାଇଁ ସହିଯାଉଥାଏ ସେ ପକ୍କା ଦୁଇମହଲା ଛାତଘର ତଳେ କଙ୍କ୍ରିଟ୍ ଫୁଲପକା ବାବୁଘର ରଙ୍ଗିନ୍ ଦାଣ୍ଡପିଣ୍ଡା ।

ଲୋକପ୍ରିୟ ଲେଖା

To Top