ଗଳ୍ପ

ଦାମ୍ପତ୍ୟ ଚିତ୍ର

Kalindicharana Panigrahi's Odia Story DAAMPATYA CHITRA

ମୁଁ ଦେଖୁଛି ମୋର ସକଳ ଆୟାସ ଉଦ୍ୟମ ସତ୍ତ୍ୱେ ଗତିପଥଟା ଏହି ଜଗନ୍ନାଥ ରଥ ପରି ହୋଇପଡୁଛି, ମୁଁ ଯୁଆଡ଼େ ଟାଣେ ସେ ସବୁବେଳେ ଚାଲେ ଅନ୍ୟ ଦିଗରେ ।

ଦାମ୍ପତ୍ୟ ଚିତ୍ର

ଭାଇ ସାରସ,

ମନଟା ଆଜି ବଡ଼ ଶୂନ୍ୟବୋଧ ହେଉଛି । ଏ ବିଜନ କକ୍ଷରେ କର୍ମହୀନ ହୋଇ ବସି ବସି ପୁଣି ବାହାରେ ବିରାମହୀନ ଜଳପତନର ଶବ୍ଦ ଶୁଣି ପ୍ରାଣ ଏକାବେଳକେ ଉଦାସ ହୋଇପଡ଼ିଛି । ହାତରେ କିଛି କାମ ନାହିଁ । ଅଗତ୍ୟା ବସି ବସି ଚିଠି ଲେଖୁଛି । ତୁମର ଏ ଅବସ୍ଥାରେ ଏ ଚିଠି ହସ୍ତଗତ ହେବ ଜାଣେ ନାହିଁ । ଯାହାହେଉ, ମନୁଷ୍ୟର ଦୃଷ୍ଟି କୌଣସି ଜିନିଷର ସମସ୍ତ ଦିଗ ଦେଖି ପାରେ ନାହିଁ । ଗୋଟିଏ ମାତ୍ର ପାର୍ଶ୍ଵ ଦେଖି ଏହା ତାହାର କର୍ତ୍ତବ୍ୟ ଶେଷ କରେ । ମତେ ଯାହା ଭଲ ଲାଗିଲା, ତୁମର କାଳକାଳ ବିଚାର ନ କରି ଲେଖିଲି । ତୁମକୁ ଯେପରି ଭଲ ଲାଗିବ, ଏହାର ସଦ୍‌ବ୍ୟବହାର ସେପରି କରିପାର । ସେ ସ୍ୱାଧୀନତା ମୁଁ ନିଜେ ଯେପରି ଚାହେଁ, ଅନ୍ୟକୁ ଦେବାରେ ମଧ୍ୟ ସେହିପରି ମୁକ୍ତ ହସ୍ତ ।

ଆଗ ତୁମ କଥାର ଜବାବ୍ ଦିଏ । ପଚାରିଛି ବିଦ୍ୟୁଲ୍ଲତା ସହିତ ମୋର ବିଚ୍ଛେଦ ଘଟିବାର କାରଣ । ତୁମ ପାଖରେ ମୋର ଗୋପନ ରଖିବାର କିଛି ନାହିଁ । ଘର ଓ ତା’ର ବହିର୍ଦେଶକୁ ସମାନ କରିଦେବା ମୋର ଇଚ୍ଛା ନୁହେଁ । ତୁମେ ତ ଆପଣା ଘରର ଲୋକ, ଏ ବିବାହର ପ୍ରଥମରୁ ଅଛ । ସେଠାରେ ଆଉ ଯତ୍ନତଃ ଗୋପ୍ୟାନି କ’ଣ ଥାଇପାରେ ? ତୁମେ ଭାଇ ଆଧୁନିକ ଜଗତର ସମ୍ୱାଦ ସମସ୍ୟାର ଯଥେଷ୍ଟ ସନ୍ଧାନ ରଖ । ଯେଉଁ ଦାମ୍ପତ୍ୟ କଳହକୁ ଲୋକେ ତୁଚ୍ଛ ବୋଲି ଅବଜ୍ଞ କରୁଥିଲେ, ତାହା ଆଜି ପୃଥିବୀର ଗୋଟାଏ ପ୍ରକାଣ୍ଡ ଖାଇବାର ପାସ୍ ହୋଇ ଦଣ୍ଡାୟମାନ ହୋଇଛି । ଭାଗ୍ୟ କ୍ରମେ ତୁମେ ଏହାକୁ ବଡ଼ ସହଜରେ ଅତିକ୍ରମ କରି ଯାଇଛ । ମୋ ପକ୍ଷରେ କିନ୍ତୁ ଏହା କଠିନ ହୋଇପଡ଼ିଛି । ଜଣକର ଜୀବନ ଏତେ ସହଜ ସରଳ, ଅନ୍ୟର ପୁଣି ଏତେ କଠିନ, ଏତେ ଜଟିଳ ହୁଏ କାହିଁକି ? ଏ ସୃଷ୍ଟିର ନିୟମ ଅନୁସନ୍ଧାନ କରି କିଛି ବୁଝି ହୁଏ ନାହିଁ । ଏହିସବୁ ଜାଗାରେ ମନୁଷ୍ୟ ନିଜ ଶକ୍ତିର ଅକ୍ଷମତା ଅନୁଭବ କରିପାରେ । ଏକ ସମୟରେ ମୁଁ ଭାଗ୍ୟକୁ ଅସ୍ୱୀକାର କରୁଥିଲି । ବର୍ତ୍ତମାନ ଦେଖୁଛି ମୋ ପରି ଦୁର୍ବଳ ଲୋକ ପକ୍ଷରେ- ଯାହାର ପଦେ ପଦେ ସ୍ଖଳନ ଘଟଛି- ଏତେ ଦୂର ଧୃଷ୍ଟତା ଉଚିତ୍ ହୋଇ ନାହିଁ । ପ୍ରବାଦ ଅଛି, ଜଗନ୍ନାଥ-ରଥକୁ ଲୋକେ ଏକ ଦିଗରେ ଟାଣନ୍ତି, ସେ କିନ୍ତୁ ଚାଲେ ଅନ୍ୟ ଦିଗରେ । ମୁଁ ଦେଖୁଛି ମୋର ସକଳ ଆୟାସ ଉଦ୍ୟମ ସତ୍ତ୍ୱେ ଗତିପଥଟା ଏହି ଜଗନ୍ନାଥ ରଥ ପରି ହୋଇପଡୁଛି, ମୁଁ ଯୁଆଡ଼େ ଟାଣେ ସେ ସବୁବେଳେ ଚାଲେ ଅନ୍ୟ ଦିଗରେ । ଏଥିରେ ଲୋକର ଆତ୍ମପ୍ରତ୍ୟୟ ରହିବ କି ? ଏହି ଦିଗରେ ତୁମକୁ ବିପରୀତ ବୋଲି ମନେ କରେ । ତୁମର ଜୋର୍ ଅଛି ନିଜର ତରୀକୁ ଇଚ୍ଛାଧୀନ କରି ବହି ନେବାକୁ, ଥରକୁ ଥର ଅକୃତକାର୍ଯ୍ୟ ହେଲେ ହେଁ ଅନ୍ତତଃ ସେହି କଥାଟାକୁ ନ ମାନିବାକୁ । ନିଜ ଦୁର୍ବଳତା ଘୋଡ଼ାଇବାକୁ ମଧ୍ୟ ମୋର ଶକ୍ତି ନାହିଁ ।

ବର୍ତ୍ତମାନ କହେ ବିଦ୍ୟୁତର କଥା । ତୁମେ ଭାଇ ଏ ବିବାହର ପ୍ରଥମରୁ ଅଛ । ସେତେବେଳେ ତୁମର ବୟସ ଯେପରି ଅଳ୍ପ, ମୋର ମଧ୍ୟ ସେହିପରି । ବିବାହର ଆବଶ୍ୟକତା ମୁଁ ଯେତେବେଳେ ବୁଝି ନାହିଁ, ସେହି କାଳରୁ ମୋତେ ବିବାହ କରିବାକୁ ହେଲା । ବିନା ଓଜର ଆପତ୍ତିରେ ସୁନାପୁଅ ହୋଇଯାଇ ବେଦୀରେ ବସିଗଲି । ବାକି ଆୟୋଜନ, ଆହାର, ପେୟ ଇତ୍ୟାଦିରେ ଅନ୍ୟମାନେ ମାତିଥାନ୍ତି । ଅସଲ ବିବାହଟା କିନ୍ତୁ ଅକିଞ୍ଚିତ୍କର । ତଥାପି ଏସବୁ ଉତ୍ସାହ ଦେଖି ମନଟାରେ ମୋର ବେଶ୍ ଆନନ୍ଦ ହେଉଥାଏ । ନ ହେବ କିପରି ? ବାଳକ-ମନ ଗର୍ବର ଅନୁଭବ କରୁଥାଏ, ମୋହରି ଲାଗି ତ ଏତେ ଆୟୋଜନ, ଏତେ ଆନନ୍ଦ ଚହଳ ।

ବିବାହ ଶେଷ ହୋଇଗଲା । କଳ୍ପନା ଯେତେବେଳେ ଚଞ୍ଚଳ ଗତିରେ ଦୌଡ଼ିଥାଏ, କେତେ ରୋମାନ୍ସର ଛବି ବାୟସ୍କୋପ ପରି ମୁହୁର୍ମୂହୁଃ ପରିବର୍ତ୍ତିତ ହୋଇପଡୁଥାଏ । ମୋହର ଏହି ବାଳିକା ପ୍ରେୟସୀଟିକି କେତେ ଭାବରେ ଶିକ୍ଷା ଦେବି, କେତେ ସ୍ଥାନ ଦେଖାଇବି, ତା’ଠାରୁ ମଧ୍ୟ କେତେ ଆଦର ଯତ୍ନ ପାଇବି, ଇତ୍ୟାଦି ଇତ୍ୟାଦି, କିନ୍ତୁ ସେ ମୋ ପାଇଁ କିଛି ଭାବୁଛି କି ନାହିଁ, ଏ କଥା ମୋଟେ ମନକୁ ଆସି ନାହିଁ । ମୁଁ ତ ନିଜ ଅହମିକାରେ ଅନ୍ଧ, ଅନ୍ୟର ସେଠାରେ ସ୍ଥାନ କାହିଁ ?

ବିବାହ ପରେ ଯେତେବେଳେ ମୋର ମନୋଭାବ ତା’ ଆଗରେ ବ୍ୟକ୍ତ କରିବାକୁ ଗଲି, ଦେଖିଲି, ବାଳିକାଟିର ମୁଖ ଫିଟୁ ନାହିଁ । ମୋ ପ୍ରତି ଟିକିଏ ସୁଦୃଷ୍ଟିର ଅନୁଗ୍ରହର ମଧ୍ୟ ନାହିଁ । ଅବାକ୍ ହେଲି । ଏ କ’ଣ ? ଛାତିରେ ଧଡ୍ କରି ଗୋଟାଏ କ’ଣ ପଡ଼ିଗଲା । ମୋତେ କ’ଣ ଏକାଧାରରେ ଗୋଟାଏ କାଲ, ଖନା ଓ ଅନ୍ଧକୁ ବିବାହ କରିବାକୁ ଯୋଗ ଥିଲା ?

କିନ୍ତୁ ବାହାରେ ଆସି ଶୁଣେ, ବେଶ୍ ସୁନ୍ଦରୀ, ବଡ଼ ନିରୀହ । ପୁଣି ଚେଷ୍ଟା କରେ, କିନ୍ତୁ ସବୁ ବିଫଳ ଭାଇ, ସବୁ ବିଫଳ ।

ବିଦ୍ୟୁତ ଘରକୁ ଆସିଲା ସତ, ତା’ ପାଖରେ ମୋର ଆନନ୍ଦ ନ ହୁଏ ବୋଲି କହି ପାରିବି ନାହିଁ । ତଥାପି ମୋ ମନ ଭିତରେ କେଉଁ ଥାନରେ ଟିକିଏ ଖଟ୍‌କ ରହିଗଲା । ବିବାହଟାକୁ ବର୍ତ୍ତମାନ କେତେକ ପରିମାଣରେ ବୁଝିବାକୁ ସୁଯୋଗ ଘଟିଲା । ଏ ଯେପରି ଗୋଟାଏ ଅମୁହାଁ ଦେଉଳ ଭିତରେ ପ୍ରବେଶ କରିବାର ପ୍ରୟାସ । ଦେଉଳ ପାଖକୁ ଯାଉଁ ଯାଉଁ କେତେ ମଧୁର କଳ୍ପନା, କେତେ ଆନନ୍ଦ, କେତେ ଉତ୍ସାହ, ଦେଉଳଟାକୁ ଆବିଷ୍କାର କରିବି, କିନ୍ତୁ ପାରିଲି ନାହିଁ ଭାଇ, ଥରକୁ ଥର ଚେଷ୍ଟା ବିଫଳ ହେଲା, ସେ ରହସ୍ୟପୂର୍ଣ୍ଣ ଦେଉଳର ଦ୍ୱାର ଫିଟିଲା ନାହିଁ ।

ବିଦୁକୁ ଯେତେବେଳେ ଦାମ୍ପତ୍ୟ ପ୍ରେମର କଥା କହେ, ସେ ମୁହଁ ବୁଲାଇ ନିର୍ଜୀବ ପରି ପଡ଼ିରହେ । ପଦେ ଉତ୍ତର ନାହିଁ, କଥା ପଚାରିଲେ ଥରେ ହଁ କି ନା କିଛି ନାହିଁ । ମନରେ ବଡ଼ ଅସନ୍ତୋଷ, ବଡ଼ ଗ୍ଲାନି ଜନ୍ମିଲା । ମନକୁ ବୁଝାଇ ପୁଣି ଭାବେ, ସେ ତ ନିହାତି ବାଳିକା, ରାଗ କଲେ ତା’ ପ୍ରତି ବଡ଼ ଅନ୍ୟାୟ ହେବ । ଥରକୁ ଥର କ୍ଷମା କରିଯାଏ । ଶେଷକୁ ଦେଖିଲି ମୋର କ୍ଷମା କରିବା ହିଁ ସାର ହେଲା । କ୍ଷମା ପାଇବା ଲୋକ ହୁଏ ତ ଏ ପର୍ଯ୍ୟନ୍ତ ନିଜର ଦୋଷ ହୃଦୟଙ୍ଗମ କରି ନାହିଁ ।

ତୁମେ କହ, ମୁଁ ବିଦୁକୁ କାହିଁକି ମନୋମତ ଶିକ୍ଷା ନ ଦିଏ ? ତୁମର ସମାଜ ଓ ବେଷ୍ଟନୀ ଏପରି ଯେ, ଆମ ସମାଜର ଅବସ୍ଥା ତୁମ ପକ୍ଷରେ ଧାରଣା କରିବା କଠିନ । କହେ, ବିଦୁ ସଙ୍ଗରେ ସାକ୍ଷାତ୍ ହେବ ନିଶି ତୃତୀୟ ପ୍ରହରରେ, ଯେତେବେଳେ ସମସ୍ତ ପୃଥିବୀ ନିରବ ସ୍ୱପ୍ନମୁଗ୍ଧ, ବିଦୁର ଅଭିସାର ସେତିକି ବେଳେ । ବାଟକୁ ଅବଧାନ ପାଖକୁ ନେଲାପରି କିମ୍ୱା ଅମଲା ଜଣେ ମାଜିଷ୍ଟ୍ରେଟ୍ ପାଖକୁ ଯିବା ପରି ଅତି ଭୟ, ଅତି ସନ୍ତର୍ପଣରେ ଧୀର ମନ୍ଥର ଗତିରେ ସେ ଆସିବ । ଦିବସରେ ସାକ୍ଷାତ୍ କଥା ତୁଣ୍ଡକୁ ଆଣି ନାହିଁ । ସେଇଟା ହେବ ସମାଜ-ଦ୍ରୋହିତା, ଧର୍ମଦ୍ରୋହିତା, ଦେଶଦ୍ରୋହିତା । ଆଉ ଶିକ୍ଷା ଦେବି କେତେବେଳେ । ଏ କଥାଗୁଡ଼ାକ ଯେପରି ରାଗ ଜନ୍ମାଏ, ସେହିପରି ହାସ୍ୟୋଦ୍ଦୀପକ ମଧ୍ୟ । ସମାଜର ଏସବୁ ତ୍ରୁଟି ଗୋପନ ରଖିବା ଦ୍ୱାରା ଆମମାନଙ୍କର ଯେ ନୈତିକ ସ୍ଖଳନ ଓ ସମଷ୍ଟିଗତ କ୍ଷତି ଘଟୁଛି, ସେ ସ୍ଥଳରେ ଏସବୁ ପ୍ରକାଶ କରିଦେବା ମୁଁ ଶ୍ରେୟସ୍କର ମନେକରେ ।

ମୁଁ ଅବା ଏ ହୀନ ବନ୍ଧନରୁ କେତେକ ପରିମାଣରେ ମୁକ୍ତ ହେବାକୁ ଯାଆନ୍ତି । କିନ୍ତୁ ବିଦୁ ସେ କଥା ଶୁଣିବାକୁ ଯିବ କାହିଁକି ? ମୁଁ ତ ଘରର ମୁରବି ନୁହେଁ, ମତେ ବି ତ ଅନ୍ୟମାନଙ୍କ ହୁକୁମ ଅନୁସାରେ ଚଳିବାକୁ ହେଉଛି । ଅନ୍ୟ କଥାରେ କହିବାକୁ ଗଲେ ମୋ ଇଚ୍ଛାରେ ମୁଁ ତ ବିଦୁକୁ ବିବାହ କରି ନାହିଁ । ମୁରବିମାନଙ୍କ ଇଚ୍ଛାରେ, ସୁତରାଂ ମୋର ଆଉ କାହିଁରେ କି ଅଧିକାର ଅଛି । ସେହିମାନଙ୍କର ତ ସବୁ । ତେଣୁ ତା’ର ଶିକ୍ଷା ଦୀକ୍ଷା ଆବଦ୍ଧ ରହିଲା ପରିବାର ମଧ୍ୟରେ । ମୁଁ କେବଳ ଗୋଟାଏ ତୃତୀୟ ଉପସର୍ଗ, ମୋର ପ୍ରୟୋଜନ ଅତି ଅକିଞ୍ଚିତ୍କର ।

ଯାହାହେଉ, ଟିକିଏ ଆନନ୍ଦ ଅନୁଭବ କଲି ଯେତେବେଳେ ବିଦୁଠାରୁ କଥା ପଦେ ଦୁଇପଦ ଶୁଣିବାକୁ ପାଇଲି । ସେ ଏକ ବିରାଟ ସାଧନାର ଫଳ । ବେତାଳ ପଞ୍ଚବିଂଶତିର ଦୀପରୁଖା, ଖଟଖୁରାର ସାହାଯ୍ୟ ନେବାର ସୁବିଧା ଥିଲେ, ଏଇଟା ଏତେ କଠିନ ହୋଇ ନ ଥାନ୍ତା । ବିଦୁ ଯେତେବେଳେ କଥା କହିବାକୁ ଆରମ୍ଭ କଲା- ଅବଶ୍ୟ କ୍ରମେ ଖୁବ୍ ନିକଟତମ ବନ୍ଧୁପରି- ସେତେବେଳେ ମନେ ହେଉଥାଏ, ଯେପରିକି ମୁଁ ଆଫ୍ରିକାର ଗୋଟିଏ ନିବିଡ଼ ତମସାଚ୍ଛନ୍ନ ଜଙ୍ଗଲ ଆବିଷ୍କାର କରୁଛି । ସେଥିରେ ପୁଣି ଗଳ୍ପ କରିବାର ବିଷୟ ନିର୍ବାଚନରେ ଯେତେଦୂର ଅଧ୍ୟବସାୟ କରିବାକୁ ପଡ଼େ, ତାହା ଶୁଣିଲେ ଯେ କୌଣସି ସମ୍ପାଦକଙ୍କଠାରୁ ମାଗଣା ପ୍ରବନ୍ଧ ଯୋଗାଇବା ଲାଗି ମୋ ପ୍ରତି ନିର୍ବନ୍ଧ ଆହ୍ୱାନ ଆସନ୍ତା । ବିଦୁ ସଙ୍ଗେ ବନ୍ଧୁତା କ୍ରମେ ଘନିଷ୍ଠତର ହୋଇଆସିଲା । ଭାବର ଆଦାନ ପ୍ରଦାନ ଯଥେଷ୍ଟ ହେଲା, କିନ୍ତୁ ମନର ଅତୃପ୍ତି ମନ ମଧ୍ୟରେ ରହିଗଲା । ତା’ର ଚିନ୍ତାର ଗତି କେଉଁ ଦିଗରେ, ତା’ର ଗଭୀରତମ ପ୍ରାଣଟି କେଉଁଠାରେ, ଏ ସବୁର କୌଣସି ସନ୍ଧାନ ମିଳିଲା ନାହିଁ ।

ଏ ସମସ୍ତ ପଢ଼ି ତୁମେ ସେଇ ପୁରୁଣା ଅଭିଯୋଗ ଆଣିବ । ଏ ସକଳ ତ ସମାଜର ଦୋଷ । ବିଦୁ ବିଚାରୀ ପ୍ରତି ଏତେ ଅବିଚାର, ଅବହେଳା କରିବାର ନ୍ୟାୟ କେଉଁଠାରେ ? ସମାଜର ଅସଂଖ୍ୟ ଘୃଣ୍ୟ ଅନୁଶାସନ ମୁଁ ସ୍ୱୀକାର କରୁଛି । ତାହା ବୋଲି ସେ କାହିଁକି ସବୁକଥା ଜାଣିଶୁଣି ଏତେ ସଙ୍କୋଚ କରିବ । ଏ ଅବସ୍ଥାରେ ଯେତେ ପରିମାଣରେ ମୁକ୍ତ ହୋଇ ପାରିବା ସମ୍ଭବ, ତାହାର ସମର୍ଥନ ନ କରିବ କାହିଁକି ? ଏହାଦ୍ୱାରା ସକଳ ଆଦର ଯତ୍ନର ସେ ଅବମାନନା କଲା ନାହିଁ କି ? ମନର ଗ୍ଲାନି ଓ ସ୍ୱାସ୍ଥ୍ୟଭଙ୍ଗ କୌଣସି ଦିଗକୁ ଭ୍ରୁକ୍ଷେପ ନ କରି ମୁଁ ତା’ର ଶିକ୍ଷାଦୀକ୍ଷା ପ୍ରତି ଯତ୍ନବାନ୍ ହେବାକୁ ଗଲେ, ସେ ଅନ୍ୟମାନଙ୍କର ବିଦ୍ରୁପକୁ ଭୟ କରି ଅଥବା ନିଜ ବେଖାତିରରେ ସମସ୍ତ ଏଡ଼ିଦିଏ କାହିଁକି ? ମୁଁ ଦେଖିଛି ଏ ସକଳ ତା’ର ବଡ଼ ବିରକ୍ତିକର । ମୋଠାରୁ ନ୍ୟାୟ କ’ଣ, ଅନ୍ୟାୟ କ’ଣ ସବୁ ବୁଝି ମଧ୍ୟ ସେଥିରୁ ସେ ଯତ୍କିଞ୍ଚିତ୍ କାର୍ଯ୍ୟରେ ପରିଣତ କରିବାକୁ ମଧ୍ୟ ନାରାଜ । ମୁଁ ସ୍ପଷ୍ଟ ଦେଖିପାରିଛି, ସେ ମୁକ୍ତି ପାଇବାକୁ ଚାହେଁ ଭିନ୍ନ ଦିଗରୁ । ମୋହରିଠାରୁ ମୁକ୍ତି ପାଇଲେ ତା’ର ଆନନ୍ଦ- ପିତୃଗୃହକୁ ଯିବାରେ କିମ୍ୱା ମୋର ଅନୁପସ୍ଥିତିରେ ତା’ର ସକଳ ସଙ୍କୋଚ ଦୂର ହୋଇଯାଏ । ମୁଁ ଏପରି ଧରଣ ତାହାଠାରୁ ତ କୌଣସି ସମୟରେ ଆଶାକରି ନ ଥିଲି । ମନରେ ବଡ଼ ଅନୁତାପ ଆସିଲା । ଏଭଳି ହୀନଭାବରେ ନିଜକୁ ଏତେଦିନ ପ୍ରତାରିତ ହେବାକୁ କାହିଁକି ଦେଲି ? କାହିଁକି ମୋର ସ୍ନେହ ମମତାର ମର୍ଯ୍ୟାଦା ଏତେ ଅଳ୍ପ ଦରରେ ବିକ୍ରି କରିବାକୁ ଗଲି ?

ବିଦୁ ପ୍ରତି ମୁଁ ଅବିଚାର କରି ନାହିଁ, ଭାଇ । ସେ ମୋଠାରୁ ଦୂରରେ ରହିବାକୁ ଭଲ ପାଏ । ସେଥିରେ ଯଦି ତା’ର ଆନନ୍ଦ ହୁଏ, ମୁଁ ଗୋଟାଏ ଅନାବଶ୍ୟକ ଭାବରେ ପଶି ସେଥିରେ ବାଧା ପହଞ୍ଚାଇବି କାହିଁକି ? ମୁଁ ତା’ ସହିତ ଚିଠିପତ୍ରର ଆଦାନ ପ୍ରଦାନ ବନ୍ଦ କରିଦେଇଛି । କାରଣ ଏପରି ପ୍ରାଣହୀନ ସମ୍ପର୍କ ରଖିବାକୁ ଯିବା ମୋ ପକ୍ଷରେ ଅସହ୍ୟ ।

ଆଉ ଗୋଟାଏ ମଜା କଥା ଶୁଣିଛ । ଦିନେ କଥା ପ୍ରସଙ୍ଗରେ ବୁଝିପାରିଲି, ବିଦୁର ଇଚ୍ଛା ମୁଁ ଗୋଟାଏ ମସ୍ତ ନାମଜାଦା ଲୋକ ହୁଏ । ସେ ଅବଶ୍ୟ ଅନ୍ୟ କୌଣସି ଦିଗରେ ନୁହେଁ, ଧନ ଓ ମର୍ଯ୍ୟାଦା ଦିଗରେ । ସ୍ପଷ୍ଟ ବୁଝିପାରିଲି, ସେ କେତେଦୂର ସ୍ୱାର୍ଥପର । ସେ ମୋତେ ନେଇ ନିଜ ସ୍ଥାନକୁ ଉଚ୍ଚ କରିବାକୁ ଚାହେଁ । ଅଥଚ ଆପଣାକୁ କୌଣସି ଆୟାସ ସହିବାକୁ ହେବ ନାହିଁ । ସଙ୍ଗେ ସଙ୍ଗେ ଉତ୍ତର କଲି, ତୁମେ ବଡ଼ ଛୋଟ ଜିନିଷ ଇଚ୍ଛାକର ବିଦୁ । ତୁମର ମୋତେ ପାଇବାକୁ ଆଗ୍ରହ ନାହିଁ, ମୋର ବଡ଼ଲୋକିଟା ପାଇବାକୁ ଚାହିଁ । ସେ ବୁଝିଲା କି ନାହିଁ, କିନ୍ତୁ ମୁଁ ସ୍ପଷ୍ଟ ବୁଝିନେଲି, ଜଣକର ମୋ ପ୍ରତି ସଦିଚ୍ଛା ଲାଭ କରିବା ଲାଗି ମୋତେ ବରାବର ତ୍ୟାଗ କରିବାକୁ ହେବ । ପ୍ରେମଟା ତେବେ କ’ଣ ଗୋଟାଏ ରାକ୍ଷସୀ ପ୍ରବୃତ୍ତି । ଏଥିରେ କ’ଣ ଜଣେ ଚାହେଁ ଅନ୍ୟ ଜଣକର ବିନ୍ଦୁ ବିନ୍ଦୁ ରକ୍ତ ଶୋଷଣ । କଥାଟା ବଡ଼ ଅଗଭୀର ବୋଧହେଲା । ମନରେ ବଡ଼ ବିରାଗ, ବଡ଼ ହତାଶାଭାବରେ ଉଦ୍ରେକ ହେଲା । ଏ ଅବସ୍ଥାରେ ଗୋଟାଏ ତଥ୍ୟ ଲାଭ କଲି । ପରିଷ୍କାର ଦେଖିପାରିଲି, ବିବାହଟା ଫିରେଇ କାଟିବା ଓ ଭଲ ଧୋତି ଚାଦର କୁର୍ତ୍ତା ପିନ୍ଧିବା ପରି ଗୋଟାଏ ମୂଲ୍ୟବାନ୍ ଫ୍ୟାସନ୍ ମାତ୍ର । ଏଥିରେ ଜୀବନର ମୂଲ୍ୟ ହ୍ରାସ ବୃଦ୍ଧିର କୌଣସି କାରଣ ନାହିଁ । ଏ ଗୋଟାଏ ବାହାରର ଜିନିଷ, ମାନବ-ଜୀବନର ଏଥିରେ କିଛି ଲାଭକ୍ଷତି ନାହିଁ । ଲୋକେ ଏଥିରେ ନିଜେ କିଞ୍ଚିତ୍ ଆନନ୍ଦ ଲାଭ କରି ଅନ୍ୟମାନଙ୍କୁ ଦାନ କରେ । ଦେହରୁ କୋଟ୍ କାମିଜ୍ କାଢ଼ିଲା ପରି ଏହାକୁ ମଧ୍ୟ ସମୟରେ କାଢ଼ି ଥୋଇଦେବ । ପରିଚ୍ଛଦ ରଖିଦେଲେ ନୂତନ ପରିଚ୍ଛଦ କିଣିବା ପରି ଅବସ୍ଥାଚକ୍ରରେ ପଡ଼ି ପୁନର୍ବିବାହର ମଧ୍ୟ ବ୍ୟବସ୍ଥା ଅଛି । ଏହାଠାରୁ ବିବାହକୁ ଅଧିକ କରି ଦେଖିବାର ସୁବିଧା ମୋତେ ମିଳି ନାହିଁ । ମୋର ସବୁ ଆଦର୍ଶ, ସବୁ ଗଭୀର ଭାବ କ୍ଷଣକରେ କାହିଁ ଉଭେଇଗଲା । ବିବାହ ଜିନିଷଟାକୁ ଅତି ସାମାନ୍ୟ ଅତି ତୁଚ୍ଛ କରି ଦେଖିଲି । ଆଜି ଏତିକି ଥାଉ । ଆଲୋକ ନିଭାଇ ଶଯ୍ୟା ଉପରକୁ ଯାଏ । ମନର ବୈଗୁଣ୍ୟରେ ନିଦ୍ରାଦେବୀଙ୍କୁ କାକୁତି ମିନତି କରିବାକୁ ହେବ । ବାହାରେ ଅନ୍ଧକାର ସଙ୍ଗେ ପବନର ମହାଗଣ୍ଡଗୋଳ ଲାଗିଛି । କବାଟ ଜଳା ମଧ୍ୟରେ ବତାସର ଝଙ୍କାର ଓ ବଂଶୀନାଦ ଘନ ଘନ ଶୁଣାଯାଉଛି ।

ତୁମର,
ଲଳିତ

ତା’ପରେ

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top