ଗଳ୍ପ

ଦାମ୍ପତ୍ୟ ଚିତ୍ର

Kalindicharana Panigrahi's Odia Story DAAMPATYA CHITRA

ସମସ୍ତେ ତ ସବୁବେଳେ ଝିଙ୍ଗାସ କରୁଥାନ୍ତି । ଖାଲି ସେ ଘରେ ଥାଆନ୍ତି ବୋଲି କିଛି ଦୁଃଖ ମତେ ଦୁଃଖ ପରି ଲାଗୁ ନଥାଏ । ସେ ନ ଥିଲାବେଳେ ମୁଁ ଖୁସିରେ ଥାଏ, ଏ କଥା ସେ କାହିଁକି ଲେଖିଲେ ?

ଦାମ୍ପତ୍ୟ ଚିତ୍ର

-: ପୁର୍ବରୁ :-

ସ୍ନେହର ଭଉଣୀ ମଞ୍ଜରୀ,

ତୁମେ ପଠାଇଥିବା ଦୁଇଖଣ୍ଡଯାକ ପତ୍ର ପାଇଲି । ମିଛ କାହିଁକି ଲେଖିବି, ତାଙ୍କ ହସ୍ତାଙ୍କିତ ପତ୍ରଖଣ୍ଡି ଆଗ ପଢ଼ିବାକୁ ବେଶି ଇଚ୍ଛା ହେଲା । ଭଉଣୀ ମୋର, ତୁମେ ମତେ ଏ ମଧ୍ୟରେ କ’ଣ ବୋଲି ଭାବିବଣି କେଜାଣି ? ତୁମେ ତ ଜାଣ, ମୋଠାରୁ ତୁମେ ସବୁ ଗୁଣରେ ଭାଗ୍ୟବତୀ, ସାରସବାବୁଙ୍କ ପରି ସ୍ୱାମୀର ସ୍ନେହ ଆଦର ପାଉଛ, ମୋଠାରୁ କେତେ ବେଶି ପଢ଼ାଶୁଣା କରିଛ । ତୁମ ସହିତ ଚିହ୍ନାହେବା ଦିନଠାରୁ ଏ ପର୍ଯ୍ୟନ୍ତ ଯାହା ଘଟିଛି, ତୁମେ ତ ସବୁ ଜାଣ । ତୁମ ସ୍ୱାମୀଙ୍କ ନିକଟକୁ ଏ ଯେଉଁ ପତ୍ର ଆସିଛି, ଏଥିରେ ଆଉ ବା ଅଧିକା କ’ଣ ଅଛି ? ମୋ ରାଣ, ଭଉଣୀ, ସତ କହିବ, ତୁମେ କ’ଣ ତାଙ୍କରି ପରି ମତେ ରାକ୍ଷସୀ ଭାବୁଛ ?

କ’ଣ ଲେଖିବି ଭଉଣୀ, ମୋ ହୃଦୟ ତ ଫାଟି ଯାଉଛି । ଯାହାଙ୍କ ମୁହଁରୁ କଅଁଳ କଥା ବିନା ପଦେ ଆଉ କିଛି ଶୁଣି ନ ଥିଲି, ତାଙ୍କ ମୁହଁରୁ ପୁଣି ଏକଥା ଦିନେ ବାହାରିଲା । ତାଙ୍କୁ କହ ମୁଁ ତାଙ୍କ ପାଦତଳେ ପଡ଼ି ସବୁ ଦୋଷ ମାଗି ନେଉଛି । ମୋପରି ଅଭାଗିନୀ କେହି ନାହିଁ, ଭଉଣୀ । ମୁଁ କାହିଁକି ତାଙ୍କ ପାଖରେ ଟାଣ ହୋଇପାରେ ନାହିଁ ? ଆଗରେ ଦେଖିଲେ କାହିଁକି ଲାଜରେ ସଢ଼ିଯାଏ, କାହିଁକି ମୋ ଦେହରେ ହାଡ଼ ଖଣ୍ଡେ ଥିଲାପରି ଲାଗେ ନାହିଁ, ଦିହଯାକ ଶୀତେଇ ଉଠେ, ପାଣି ପରି ତରଳି ଯାଏ, କେତେ ଆଦରରେ ଡାକନ୍ତି, ମୁଁ ପାଖକୁ ନ ଯାଇ ଓଢ଼ଣା ଟାଣି ବସେ । ଆଉ ଲେଖିପାରିବି ନାହିଁ । ଲୁହରେ ତ କିଛି ଦିଶୁ ନାହିଁ । କାଗଜ ଓଦା ହୋଇଯାଉଛି ।

ତୁମମାନଙ୍କର ମୋ ଉପରେ ଏତେ ଦୟା କାହିଁକି କହିବ ନାହିଁ ? ତୁମେ ଯେତେ ବୁଝାଇଲେ ମୋର ଖାଲି କୋହ ଉଠୁଛି ସିନା, ଏଡ଼େ ମନ ଦୁଃଖରେ ଯାହାଙ୍କ ମୁହଁରୁ ପଦେ କଥା ଶୁଣି ସବୁ ପାସୋର ହୋଇଯାଆନ୍ତା, ସେ ତ କହିଲେଣି ରାକ୍ଷସୀ, ଆଉ କାହା କଥାରେ କିପରି ମନ ବୁଝିବ ? ମୋ ବୁଢ଼ୀମା’ କହେ, ପୂର୍ବରୁ ବହୁତ ପାପ କଲେ ସ୍ତିରୀ ଜନମ ପାଆନ୍ତି । ସତେ ଲୋ ଭଉଣୀ ସ୍ତିରୀ ହେବାଠାରୁ ଆଉ ଅଧିକା ପାପ କ’ଣ ଅଛି ? ଏତିକି ଦୁଃଖ, ଏତିକି କାନ୍ଦଣା ପୁରୁଷଙ୍କର ତ ନାହିଁ ।

ମୁଁ ତ ପିଲାଟି ଦିନରୁ ଗାଉଁଲି ଲୋଙ୍କ ସାଙ୍ଗରେ ମିଶି ଆସିଛି, ଗାଁ ସ୍କୁଲରୁ ତ ମୋର ପାଠ ଶେଷ ହୋଇଛି । ସେମିତି ପୁଣ୍ୟର ବଳ ଥିଲା ବୋଲି ସିନା ତାଙ୍କ ପରି ସ୍ୱାମୀ ପାଇଲି । ହେଲେ କ’ଣ ହେବ, ତାଙ୍କ ମନ ମୁତାବକ କିପରି ହେବି, କହିଲ ଭଲା । ତାଙ୍କ ଘରେ ମୁଁ କାହିଁକି ତାଙ୍କ ସହିତ ମନ ଇଚ୍ଛା ମିଶିପାରେ ନାହିଁ, ଏଇଥିପାଇଁ ସେ କେତେ ବିରକ୍ତ ହୋଇ ଲେଖିଛନ୍ତି । ତୁମ ସ୍ୱାମୀଙ୍କ ପାଖକୁ ସିନା ଆଜି ଲେଖିଲେ, ମତେ ତ ଏକଥା ହଜାର ଥର କହିଥିବେ । ଆଚ୍ଛା କହିଲ ଭଉଣୀ, ମୋର କ’ଣ ଇଚ୍ଛା ହୁଏ ନାହିଁ, ତାଙ୍କ ପାଖରେ ସବୁବେଳେ ରହି କେତେ ନୂଆ ନୂଆ କଥା ଶୁଣିବାକୁ ? କ’ଣ କରିବି ଭଉଣୀ, ତୁମେ ତ ତାଙ୍କ ଘର କଥା ଜାଣ ନାହିଁ- ତାଙ୍କର ତ ବାପ, ମା’, ଦାଦି, ଖୁଡ଼ୀ ସବୁବେଳେ ମତେ ଜଗିଛନ୍ତି । ନୂଆବୋହୂ ଯେତେବେଳେ, ସମସ୍ତଙ୍କୁ ଲୁଚିଲି, କାଉ କୋଇଲିଙ୍କ ଛାଇ ପଡ଼ିବ ନାହିଁ । ନଣନ୍ଦ ବୋଲି ଯେ ଝିଅ ବକଟେ ଅଛନ୍ତି, ଭାଇଙ୍କ ଆଗରେ ତାଙ୍କର ଥରେ ଚାଲିଗଲେ ଥଟ୍ଟା ତାମସା କରି ଘରଯାକ ଚହଳ ପକାଇଦେବେ । ମୋର ଏଥିରେ ଆଉ କ’ଣ ଚାରା ଅଛି ।

ସେଦିନ କଣ କଥା ପଡୁ ପଡୁ ସେଇ ମୋତେ ପଚାରିଲେ, କ’ଣ କହିବାକୁ ହେବ, କିପରି ଚଳିବାକୁ ହେବ ? ମୁଁ ମୂରୁଖଟାଏ ଏସବୁ କଥାରେ ତାଙ୍କୁ କ’ଣ କହନ୍ତି ମ ? ମତେ ଯାହା ଭଲ ଲାଗିଲା କହିଦେଲି । ତା’ ଭିତରେ ଏତେ କଥା ଅଛି ବୋଲି କେମିତି ଜାଣିବି ? ତୁମେ କହିଲ ଭଉଣୀ, ଏଥିରେ ମୁଁ ତାଙ୍କ ମନ୍ଦ ପାଞ୍ଚିଲି ବୋଲି କ’ଣ ଜଣାଗଲା ?

ସେ ମତେ ଯେତେ ଭଲ ପାଆନ୍ତି, ସେ କଥା ନ କହିଲେ ମୋର ମହାପାତକ ହେବ । ତାହା ବୋଲି ତାଙ୍କ ପାଖରୁ ଦୂରରେ ରହିବାକୁ ମୁଁ ଭଲ ପାଏ, ଏ କଥା ଲେଖିବାକୁ ତାଙ୍କ ହାତ କିପରି ଗଲା ? ଭଉଣୀ ଲୋ, ତାଙ୍କୁ ଛାଡ଼ି ଆଉ ତାଙ୍କ ଘରେ ମୋର କିଏ ଅଛି ? ସମସ୍ତେ ତ ସବୁବେଳେ ଝିଙ୍ଗାସ କରୁଥାନ୍ତି । ଖାଲି ସେ ଘରେ ଥାଆନ୍ତି ବୋଲି କିଛି ଦୁଃଖ ମତେ ଦୁଃଖ ପରି ଲାଗୁ ନଥାଏ । ସେ ନ ଥିଲାବେଳେ ମୁଁ ଖୁସିରେ ଥାଏ, ଏ କଥା ସେ କାହିଁକି ଲେଖିଲେ ? ଆଉ ତ କାହା ସଙ୍ଗରେ କଥା କହିପାରିବି ନାହିଁ, ଛୋଟ ପିଲା ଦିଓଟି ଗୋଟିଏ ଅଛନ୍ତି ଯେ, ବେଳ ମିଳିଲେ କଣ୍ଢେଇ ସାଙ୍ଗରେ ତାଙ୍କରି ଖେଳ ଦେଖିଲେ ମନଟା ଟିକିଏ ଭଲ ଲାଗେ । ଏଥିରେ ସେ ରାଗିବେ ବୋଲି ଜାଣିଥିଲେ କ’ଣ ମୁଁ କରନ୍ତି ?

ସେ ଲେଖିଛନ୍ତି, ତାଙ୍କୁ ଛାଡ଼ି ବାପଘରକୁ ଯିବାକୁ ମୁଁ ଭାରି ଭଲ ପାଏ । ଆଚ୍ଛା, କହିଲ ଭଉଣୀ, ପିଲାଦିନରୁ ଯେଉଁଠି ବଢ଼ି ଆସିଲି, ପିଲାଦିନରୁ ଯେ ଖାଇବା ପିଇବାକୁ ଦେଇ ବଢ଼େଇ ଆଣିଲେ, ତାଙ୍କୁ ଦେଖିବାକୁ ଟିକିଏ ମନ ହେବ ନାହିଁ । ଏଥିରେ କ’ଣ ୟା’ଙ୍କୁ ଭଲ ପାଏ ନାହିଁ ବୋଲି ଜଣାଗଲା । ସେଇ ବୋଉଟା, ତାରି କଥା ଯାହା ସବୁବେଳେ ମନେପଡ଼େ, ଶାଶୂଘରକୁ ଆସିଲେ କାନ୍ଦି କାନ୍ଦି ତ କଣ୍ଟା ରହିବ । କାହା ହାତରେ ଶାଗ କେରିଏ, କାହା ହାତରେ ଶୁଖୁଆ ଖଣ୍ଡେ, ଆଠ ଦିନ ପନ୍ଦର ଦିନେ ବରାବର ପଠାଉଥିବ । ଯାହାକୁ ପଚାରେ, ଶୁଣେ ବୋଉ କାନ୍ଦୁଚି । ଯେତେହେଲେ ମା’ ତ, ମନଟା ଟିକିଏ ଛଟପଟ ହେବ ନାହିଁ । କେତେ ଦୁଃଖରେ ସେ ମତେ ପାଳିଛି, ଆଉ କାହାରି ପାଇଁ ତାକୁ କଷ୍ଟ ହେଉ ନାହିଁ । ଗୋଟିଏ ବୋଲି ଝିଅ, ସେଥିରେ ପୁଣି କୁଆଡ଼େ ପିଲାଦିନେ ରୋଗିଣା । କେତେ ଦିଅଁ ଦେବତା, ଓଷାବ୍ରତ ସେ ମୋ ପାଇଁ ପାଳିଛି । ମନ ଟିକିଏ ହେବ ନାହିଁ ତାକୁ ଥରେ ଦେଖି ଆସିବାକୁ । ଘରକୁ ଆସିବାବେଳେ ସେ ବରାବର ଅଭିମାନ କରନ୍ତି । ହାତ ଗୋଡ଼ ଧରି କହି ଆସିବାକୁ ମନ ହୁଏ । ପୁଣି ଲାଜ ମାଡ଼େ, କହିପାରେ ନାହିଁ । ବାପଘରକୁ ଆସେ ବୋଲି କ’ଣ ତାଙ୍କ କଥା ଏକାବେଳେକେ ପାସୋରି ପକାଏ । ଭଉଣୀ ଲୋ ମନ ଭିତର କଥା ସେ କାହୁଁ ଜାଣିବେ ।

ଏଠାକୁ ଆସିବାଦିନୁ କାହିଁରେ ମନ ଲାଗୁ ନାହିଁ । ମୁଣ୍ଡ କାହିଁକି ସବୁବେଳେ କ’ଣ ହୋଇଯାଉଛି । ସେ ଲେଖିଛନ୍ତି, ମୋର ଖାଲି ତାଙ୍କ ବଡ଼ଲୋକୀରେ ମନ । ତାଙ୍କୁ ଆଦୌ ଭଲ ପାଏ ନାହିଁ । କହିଲ ଭଉଣୀ, ଯେଉଁ କଥାଟାକୁ ସମସ୍ତେ ଭଲ ପାଇବେ, ସେମିତି କଥାଟାଏ ସିନା ମୁଁ କହିଦେଲି, ଏଥିରେ ଏପରି ମନ୍ଦ କଥା ରହିଲା । ଏଇଥିପାଇଁ ମୁଁ ତ ଜମାରୁ ଜାଣି ନ ଥିଲି । କିବା କଥାଟାକୁ ଧରି ଏଡ଼େ ବଡ଼ କଥାଟାଏ କହି ପକାଇଲେ । ସେ ଗରିବ ହୋଇ ଭିକ ମାଗିଲେ ମୁଁ କ’ଣ ମନା କରୁଛି ? ମୋର ତ ଆଉ କାହିଁରେ ଲୋଡ଼ା ନାହିଁ । ତାଙ୍କ ପାଖରେ ରହି ଚିରା କନା ଖଣ୍ଡେ ଆଉ ଦି’ପଟ କାଚ ହେଲେ ତ ମୋର ସବୁ ହେଲା । ଆଉ ଲୋକମାନେ ତାଙ୍କୁ ଭଲ କହିବେ, ଏଥିପାଇଁ ସିନା ମୁଁ ସେପରି କହି ପକାଇଥିଲି । ନ ହେଲେ ମୋର ଆଉ କାହିଁରେ ଲୋଡ଼ା । ତାଙ୍କ ସମାନ ତ ମୁଁ କେଉଁ ଗୁଣରେ ନୁହେଁ । ପାଦତଳର ଦାସୀଟା ଉପରେ ଏତେ ରାଗ ତାଙ୍କର । ସେ କହନ୍ତି, ଆଜି କାଲିକା ପଢୁଆ ମାଇପେ ଆଉ ନିଊନ ହୋଇ ରହିବାକୁ ରାଜି ନୁହଁନ୍ତି । ସ୍ୱାମୀ ସଙ୍ଗରେ ସରିସା ହେବାକୁ ଇଚ୍ଛା କରନ୍ତି । ମୁଁ ତ ପଢୁଆ ନୁହେଁ, ଏସବୁ କଥା କିପରି ବୁଝିବି ?

ପୁରୁଷ ଜାତି ଏତେ ଭଳିରେ କଥା କହି ଏଡ଼େ ସହଳ ବଦଳି ଯାଆନ୍ତି ବୋଲି ମୁଁ ଆଦୌ ଜାଣି ନ ଥିଲି ଲୋ ଭଉଣୀ । ମନେଅଛି, ନୂଆ ହୋଇ ଯେତେବେଳେ ତାଙ୍କ ଘରକୁ ଗଲି, କେତେ ଆଦର କରି କେତେ ଦେଶର କଥା କହି ରାତିରେ ତାଙ୍କୁ ନିଦ ହୁଅଇ ନାହିଁ । ମୁଁ ପାଠ ପଢ଼ି ନାହିଁ ବୋଲି କେତେ ଥଟ୍ଟା ତାମସା, ପୁଣି କେତେ ବୁଝାଇ କହନ୍ତି- କିଛି ପରୁଆ ନାହିଁ, ସବୁ ପଢ଼ାପଢ଼ି ମୁଁ ଦୁଇ ଦିନରେ କରାଇଦେବି । ସବୁ କଥା ତୁନି ହୋଇ ବସି ଶୁଣୁଥାଏ, ଲାଜରେ କିଛି ଭରସି କହିପାରେ ନାହିଁ ।

ଏବେ ସବୁ କଥା ଗଲାଣି ଲୋ ଭଉଣୀ । ବେଶି ରାତି ହେଲାଣି, ଦିହ ଖରାପ ହେବାର ଉପଦେଶ ଦେଇ ଶୋଇପଡ଼ନ୍ତି । ପାଠପଢ଼ାର ଆଉ ନାଁ ଧରନ୍ତି ନାହିଁ । କାହାକୁ କହିବି କହିଲା ଭଲା । ଏସବୁ ଦୋଷ ତ ମୋହରି । ମୁଁ ଚଣ୍ଡାଳୁଣୀ କାହିଁକି ପହିଲେ ତାଙ୍କୁ ଏତେ ଲୁଚି ଲୁଚି ଚଳିଲି । କାହିଁରେ ମନ ଖୋଲି ତାଙ୍କ ଆଗରେ କହିପାରେ ନାହିଁ । ତାଙ୍କ କଥା ଶୁଣି ଦିହଯାକ ଲାଜରେ ସଢ଼ିପଡ଼େ କାହିଁକି ?

ଆଗପରି ମତେ ଆଉ ଚିଠି ଲେଖିବାକୁ ଟଣାଓଟରା ଦୂରେ ଥାଉ, ଚିଠି ଲେଖି ଲେଖି ଥକିଲିଣି, ଧାଡ଼ିଏ ଉତ୍ତର ନାହିଁ । ମୋ ପରି ମୂରୁଖଟାକୁ ଚିଠି ଲେଖିବାକୁ ତ ତାଙ୍କୁ ଲାଜ ମାଡୁଥିବ । ଏତେ ବିଦ୍ୟାବୁଦ୍ଧି ତାଙ୍କର ଥାଇ ସେ ମୋ ମନ କଥାଟାକୁ କ’ଣ ଟିକିଏ ଜାଣିପାରିଲେ ନାହିଁ । ଖାଲି ଉପରେ ଲାଜ କଲି ବୋଲି ମୋଠାରେ ଏତେ ରାଗ, ଏତେ ବିରକ୍ତ । ମନ ଭିତରେ ତ ଏବେ ଜଳିପୋଡ଼ି ମରୁଛି । ତୁମ ଆଗରେ ନିଲଜୀ ପରି କେତେ କଥା କହି ପକାଇଲିଣି । ଏସବୁ ଯେବେ ତାଙ୍କ ଆଗରେ କହି ପାରୁଥାଆନ୍ତି, ମୋର ତେବେ ଆଉ ଦୁଃଖ ରହନ୍ତା କାହିଁକି ? କେତେ ତ ଚିଠି ଲେଖିଲିଣି, ଆଉ ଲେଖିବାକୁ ସାହସ ହେଉ ନାହିଁ । ତୁମ ମୋର ହୋଇ ଖାଲି ଏତିକି କହ ଯେ, ସବୁ ଦୋଷ ମୁଁ ମାଗି ନେଉଛି । ପାଦତଳର ଦାସୀଟା, ତାଙ୍କ ପାଦତଳରେ ମୁଁ ପଡ଼ିଛି । ସେ ପଛେ ଆଗପରି ଆଦର କର ପାଖକୁ ନ ଡାକନ୍ତୁ, ପାଦତଳୁ ଯେପରି ଠେଲି ନ ଦେବେ ।

ତୁମରି ଅଭାଗିନୀ
ବିଦୁ

ଲୋକପ୍ରିୟ ଲେଖା

To Top