ଗଳ୍ପ

ଦଣ୍ଡ

Ramakant Mishra's odia story Danda

ଏଥିରେ କାହାର ଦୋଷ ସେ କଥା ବିଚାର୍ଯ୍ୟ ନୁହେଁ , ବିଚାର୍ଯ୍ୟ ହେଉଛି ପୁଅଟିର ମନୋଦଶାର ! ସେ ବିଚରା କେଉଁ ଜନ୍ମ ର ଦଣ୍ଡ ପାଇଲା ? ତାହା ତ ଭଗବାନଙ୍କୁ ଜଣା !

ଦଣ୍ଡ

ନଟବର ରାଉଳଙ୍କ ସହିତ ମୋର ଏବେ ନଗଦା ନଗଦୀ ବନ୍ଧୁତା ହୋଇଛି । ମୁଁ ଏଠି ଭୁବନେଶ୍ୱରରେ ସ୍ଥାୟୀ ହୋଇ ରହିବାର ଦଶ ବର୍ଷରୁ ଅଧିକ ହୋଇ ଗଲାଣି । ନୂଆ କରି ଆସିଲା ବେଳକୁ ବହୁ ଲୋକଙ୍କ ସହିତ ସାଙ୍ଗ ହେଲି କିନ୍ତୁ ଏବେ ଦେଖି ଚାହିଁ ବନ୍ଧୁତା କରୁଛି । କାରଣ ସବୁ ଲୋକଙ୍କ ସହିତ ବନ୍ଧୁତା ହୋଇ ପାରିବ ନାହିଁ, ଯଦିବା ହୁଏ ତେବେ ରହି ପାରିବ ନାହିଁ । ବିଶେଷ କରି ମୁଁ ଆସିଛି ବାହାରୁ, ଟାଟା କମ୍ପାନୀରେ ଚାକିରୀ କରି । ସେଠାକାର ମାହୋଲ ଅଲଗା ଥିଲା । ଏଠାକାର ଲୋକଙ୍କର ମନୋଭାବ ଏପରିକି କଥାବାର୍ତ୍ତା ଓ ଚାଲିଚଳନ ମଧ୍ୟ ଭିନ୍ନ । ତେଣୁ ଧୀରେ ଧୀରେ ମୁଁ ନୂଆ ବନ୍ଧୁ କରିବା କମାଇ ଦେଇ ଥିଲି । ଏ ରାଉଳ ବାବୁ ନିଜେ ଦିନେ ମୋ ସହିତ ଉପରେ ପଡି ବନ୍ଧୁତା କରିଥିଲେ । ମୁଁ ତାଙ୍କ ସହିତ ବନ୍ଧୁତା କରିବାର କାରଣ ହେଲା ସେ ମଧ୍ୟ ମୋ ପରି ଲେଖା ଲେଖି କରୁଛନ୍ତି ବୋଲି । ସେ ମତେ ଜାଣିବା ପରେ ଆଉ ମୋର ସାହିତ୍ୟାୟାନୁରାଗ ବୁଝିବା ପରେ ମତେ ପୁରୀରୁ ପ୍ରତିବର୍ଷ ପ୍ରକାଶିତ ହେଉଥିବା ‘ଅମୃତ ଅନୁଭବ’ ର ନବମ ସଂଖ୍ୟା ପାଇଁ ଗୋଟାଏ ଲେଖା ଲେଖିବାକୁ କହିଲେ । ଅମୃତ ଅନୁଭବର ଅଷ୍ଟମ ସଂଖ୍ୟାଟାକୁ ମତେ ପଢିବାକୁ ଦେଲେ । ସେଥିରେ ବିଭିନ୍ନ ସାହିତ୍ୟିକ ମାନେ ଜଗନ୍ନାଥଙ୍କୁ ନେଇ ନିଜ ନିଜ ର ଅନୁଭବକୁ ବର୍ଣ୍ଣନା କରିଥିଲେ । ମତେ ପଢିକରି ଭଲ ଲାଗିଲା । ତେଣୁ ମୁଁ ମୋର ଗୋଟାଏ ନିଜସ୍ୱ ଅନୁଭୂତି ଲେଖିଲି । ଏହା ଗଲା ଜୁନ ମାସର କଥା । ମୁଁ ନୂଆ ନୂଆ କରି ଓଡ଼ିଆ ରେ ଟାଇପିଙ୍ଗ ଶିଖିଥାଏ । ଇଣ୍ଡିଆ.ଓଡ଼ିଆ ରେ ଇଂରାଜୀ ଲିପିରେ ଟାଇପ କରି ବାଡେଇ ଦେଲେ ତାହା ଓଡ଼ିଆ ଅକ୍ଷରରେ ହୋଇ ଯାଉଥିଲା । ମୋର ସ୍ଵରଲିପିର ଜ୍ଞାନ ଥିବାରୁ କିଛି ଦିନର ଅଭ୍ୟାସ ପରେ ମୁଁ ନିର୍ଭୁଲରେ ଓଡ଼ିଆରେ ଟାଇପ କରି, ତାକୁ କାହାରି ପାଖକୁ ପଠାଇବାକୁ ହେଲେ ଇ-ମେଲ ରେ ଆଟାଚ କରି ପଠାଇବା ଭାରି ସହଜ ହେଲା । ଅବଶ୍ୟ ଆଜିକାଲି ସବୁ ପତ୍ରିକା ବାଲାଏ ‘ଆକୃତି’ ଲିପି ଓ ଫର୍ମାଟରେ ହିଁ ଟାଇପ କରୁଛନ୍ତି । ମୋ ପାଖରେ ‘ଆକୃତି’ ନ ଥିଲା କି ଏବେ ପର୍ଯ୍ୟନ୍ତ ମଧ୍ୟ ବସାଇ ପାରି ନାହିଁ । କିନ୍ତୁ ମୁଁ ମନସ୍ଥ କରିଛି ଶୀଘ୍ର ଆକୃତି ଫାର୍ମଟି କୁ କିଣି ମୋ ପି.ସି ରେ ବସାଇବି ଆଉ କାମ କରିବି କାରଣ ତା ବିନା ମୋର ଅନେକ ଭଲ ଲେଖା ପ୍ରକାଶିତ ହୋଇ ପାରୁ ନାହିଁ । ତେବେ ଇଣ୍ଡିଆ.ଓଡ଼ିଆ ରେ ଟାଇପ କରି ୱାର୍ଡ ଡକୁମେଣ୍ଟରେ ଶେଭ କରି ଇ-ମେଲ ଆଟାଚ କରି ପଠାଇଲେ ପ୍ରାୟ କିଛି ବିଶେଷ ଅସୁବିଧା ହେଉ ନ ଥିବାରୁ ଓ ଶୀଘ୍ର ଯାଇ ନିର୍ଦିଷ୍ଟ ବ୍ୟକ୍ତି ବା ସଂସ୍ଥାଙ୍କ ପାଖରେ ପହଞ୍ଚି ଯାଉ ଥିବାରୁ ମୁଁ ସେଥିରେ କାମ ଚଳାଇ ନେଉ ଥାଏ । ତେଣୁ ଗଲା ବର୍ଷ ଜୁନ ରେ ମୁଁ ମୋ ଭାବନାକୁ ସିଧା ସଳଖ ଓଡ଼ିଆରେ ଟାଇପ କରି ମୋର ଜଗନ୍ନାଥ ସମ୍ବନ୍ଧୀୟ ଅନୁଭୂତି କୁ ଲେଖିଲି ଯାହାର ନାମ ଥିଲା “ଶ୍ରୀ ଜଗନ୍ନାଥ ଓ ଶ୍ରୀ ବଳଭଦ୍ର” । ସେ ଲେଖାଟି ଗ୍ରହଣ ହେଲା ଏବଂ ଏ ବର୍ଷ (୨୦୧୭) ଜାନୁଆରୀ ରେ ଅମୃତ ଅନୁଭବର ନବମ ଅର୍ଘ୍ୟ ରେ ସ୍ଥାନିତ ହେଲା ଏବଂ ଅନେକ ପାଠକଙ୍କ ଦ୍ୱାରା ଆଦୃତ ହେଲା । ଏହା ପରେ ଯେବେ ଯେବେ ମୋର ରାଉଳ ବାବୁଙ୍କ ସାଙ୍ଗରେ ଦେଖା ହୁଏ ସେବେ ସେବେ ଆମର ବିଭିନ୍ନ ସାହିତ୍ୟିକ ଆଲୋଚନା ଚାଲେ ।

ଏଇ ଗଲା ଫେବୃଆରୀ ୫ ତାରିଖ ୨୦୧୭ ଦିନ ବୋଧେ ତାଙ୍କ ଘରେ କାହାରି ବାହାଘର ଥିଲା ଏହା ମୁଁ ତାଙ୍କ ଘରର ସାଜସଜ୍ଜାକୁ ଦେଖି ବୁଝୀଥିଲି । ରାଉଳ ବାବୁଙ୍କ ପରିବାର ସମ୍ବନ୍ଧରେ ମୁଁ କିଛିବି ଜାଣେ ନାହିଁ । ତାଙ୍କର କେତୋଟି ପିଲା ପିଲି ସେ କଥା ମଧ୍ୟ ଆଗରୁ କେବେ ପଚାରି ବୁଝି ନାହିଁ । ମୁଁ ପରେ କେବେ ଦେଖା ହେଲେ ରାଉଳ ବାବୁଙ୍କୁ ପଚାରିବି ବୋଲି ଭାବିଥିଲି କିନ୍ତୁ ଫେବୃଆରୀ ଯାଇ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ମଧ୍ୟ ତାଙ୍କ ସାଙ୍ଗରେ ଆଉ ଦେଖା ହୋଇ ପାରି ନ ଥିଲା ।

ମୁଁ କିନ୍ତୁ ରାଉଳ ବାବୁଙ୍କ କଥାରୁ ପୂର୍ବରୁ ଅନୁମାନ କରିଥାଏ ଯେ ତାଙ୍କ ସ୍ତ୍ରୀ ତାଙ୍କର ଏଇ ଲେଖା ଲେଖିକୁ ଜମାରୁ ପସନ୍ଦ କରନ୍ତି ନାହିଁ । ଅବଶ୍ୟ ମୋର ମଧ୍ୟ ସେହି ଏକା ଅବସ୍ଥା । ମୋ ସ୍ତ୍ରୀ ଗୀତାବି ମୋର ଲେଖା ପଢାକୁ ବଡ଼ ବିରୋଧ କରିଥାଏ । ଏକେତ ସେ ହିନ୍ଦୀ ପଢ଼ିଛନ୍ତି ଆଉ ସାହିତ୍ୟରେ ତାଙ୍କର ଜମାରୁ ଅନୁରାଗ ନାହିଁ । ଏ ଅବସର ପରେ ଘରେ ଆମ ଦୁଇ ଜଣଙ୍କ ଛଡା ଆଉ କେହି ନ ଥିବାରୁ, ସେ ଚାହୁଁ ଥିଲେ ମୁଁ ସବୁବେଳେ ତାଙ୍କ ପାଖରେ ରହିବି ତାଙ୍କର ସହାୟକ ହୋଇ । ଏପରିକି ଖବର କାଗଜ ପଢିବାକୁ, ଲାପଟପରେ କାମ କରିବାକୁ, ବଜାର ଯିବାକୁ ମଧ୍ୟ ତାଙ୍କର ଅନୁମତି ଦରକାର । ଏ ବୁଢା ବୟସରେ ନିଜସ୍ୱ କାମ କରିବାକୁ ଏତେ କଟକଣା, ଆଉ କ’ଣ ବା କରିବି ? ତେଣୁ ମୁଁ ଭୁକ୍ତ ଭୋଗୀ ଯେ ସ୍ତ୍ରୀ ମାନେ ଚାହାନ୍ତି ନାହିଁ ତାଙ୍କ ସ୍ୱାମୀ ମାନେ ଏ ଲେଖା ପଢ଼ାରେ ମାତନ୍ତୁ ବୋଲି । ରାଉଳ ବାବୁ ତାଙ୍କ ସ୍ତ୍ରୀଙ୍କ କଥା କହିଦେଲେ ମୁଁ କିନ୍ତୁ ମୋ ସ୍ତ୍ରୀଙ୍କ କଥା ତାଙ୍କୁ କିଛି କହି ନାହିଁ ।

ତେବେ ସେ ଯାହା ହେଉ ଗଲା ମାର୍ଚ୍ଚ ୧୩ ତାରିଖରେ ସନ୍ଧ୍ୟା ବେଳେ ମୁଁ ତାଙ୍କ ଘରେ ଥିବା ସଉଦା ଦୋକାନକୁ ଯାଇଥିଲି । ରାଉଳ ବାବୁ ରିଟାୟାର କଲା ପରେ ନିଜ ଦୁଇ ମହଲା ଘରେ ଉପରେ ରହି ତଳର ଗୋଟେ କଣକୁ ତେଜରାତି ଦୋକାନ ଟିଏ କରିଥାନ୍ତି । ନିଜେ ସେ ଦୋକାନରେ ବସନ୍ତି ନ ହେଲେ ତାଙ୍କ ପୁଅ ବସେ । ମୁଁ ବେଳେ ବେଳେ ତାଙ୍କ ଦୋକାନକୁ ଯାଏ ସଉଦା ଆଣିବାକୁ କାରଣ ଯେତେବେଳେ ଶୀଘ୍ର କିଛି ଜିନିଷ ଦରକାର ହୁଏ ସେତେବେଳେ ତାଙ୍କ ଦୋକାନଟା ଘର ପାଖରେ ଥିବାରୁ ଯାଇ ନେଇ ଆସେ । ୧୩ ତାରିଖ ମାର୍ଚ୍ଚ ଦିନ ତାଙ୍କ ଦୋକାନ ଟା ଖୋଲା ଥିଲା କିନ୍ତୁ ଖାଲି ଥିଲା । ନା ସେ ନା ତାଙ୍କ ପୁଅ କେହି ହେଲେ ବି ଦୋକାନରେ ନ ଥିଲେ । ମୋର କିନ୍ତୁ ମନରେ ଥିଲା ଆଜି ଯେମିତି ହେଲେ ବି ରାଉଳ ବାବୁଙ୍କୁ ଡାକି ଦୁଇ ପଦ କଥା ହେବି ଆଉ ତାଙ୍କୁ ପଚାରିବି ଫେବୃଆରୀ ୫ ତାରିଖରେ କାହାର ବାହାଘର କଲେ ବୋଲି । ମୁଁ ରାଉଳ ବାବୁଙ୍କୁ ଡାକିଲି ସେ ଆସିଲେ । ମୁଁ ତାଙ୍କୁ ଭଲ ମନ୍ଦ ପଚାରିଲିକିନ୍ତୁ ତାଙ୍କ ମନ ସରସ ଥିଲା ପରି ମନେ ହେଲା ନାହିଁ । ସେ କଥା କହିଲା ବେଳକୁ ଟିକିଏ ଥଙ୍ଗେଇ ହୁଅନ୍ତି କିନ୍ତୁ ବେଶ ଲମ୍ବା ଆଉ ସରାଳିଆ ମଣିଷଟେ ବୋଲି ମନେ ହୁଅନ୍ତି । ମୁଁ ତାଙ୍କୁ ପଚାରି ଦେଲି କାହାର ବାହାଘର କଲେକି ? ସେ ହଠାତ କରି ଟିକିଏ ସକ ପକେଇ ଗଲେ ଆଉ କହିଲେ ମୋର ଗୋଟିଏ ବୋଲି ପୁଅ, ଯାହାକୁ ମୁଁ ପୂର୍ବରୁ ଦେଖି ସାରିଛି; ତାର ବାହାଘର ହେଲା ବୋଲି କହିଲେ । ମୁଁ କହିଲି ଏଇଟା ତ ବହୁତ ଖୁସି ଖବର, ଏବେ ଆପଣ ଘରେ ବୋହୁ ରନ୍ଧା ଖାଉ ଥିବେ ? ମୋ କଥାଟା କିନ୍ତୁ ତାଙ୍କୁ ଆଘାତ ଦେଲା ଭଳିଆ ଲାଗିଲା । ସେ ଉଦାସିଆ କଣ୍ଠ ରେ କହିଲେ ପୁଅର ବିଭାଘର ହେଲା ଯେ କିନ୍ତୁ ଚତୁର୍ଥୀ ଦିନ ବିଭାଘର ଭାଙ୍ଗି ଗଲା ଆଉ ବୋହୁ ଘର ଛାଡି ଚାଲି ଗଲାଣି । ଏବେ ମୋର ସକ ପକେଇ ଯିବାର ପାଳି । ମୁଁ କହିଲି ଏମିତି କଣ ହେଲା ଯେ ? ଆପଣଙ୍କ ପୁଅ କଣ ଆଗରୁ ଝିଅ ଦେଖି ପସନ୍ଦ କରି ନ ଥିଲା କି ? ଆପଣ ନିର୍ବନ୍ଧ କରିବା ପୂର୍ବରୁ ପୁଅ ଆଉ ସେ ଝିଅର ଜାତକ ମେଳଣ କରି ନ ଥିଲେ କି ? ଆପଣଙ୍କ କଥା ଶୁଣି ଏବେ ମତେ ଖରାପ ଲାଗୁଛି । ଗୋଟେ ବୋଲି ପୁଅ । ଏମ.ସି.ଏ ପାସ କରିଛି । ଅବଶ୍ୟ ଚାକିରୀ କରିନି । ଦୋକାନ ସମ୍ଭାଳୁଛି, ଚାକିରୀ ନ କଲେ ବି ଯାଏ ଆସେ ନାହିଁ । ଘର ଅଛି, ଦୋକାନ ଅଛି, ଗାଁରେ ଜମିବାଡ଼ି ଅଛି ଆଉ ତା ସାଙ୍ଗରେ ଭାଗ ବସାଇବାକୁ ମଧ୍ୟ କେହି ନାହିଁ । ତା ଛଡା ତାଙ୍କ ପୁଅ ଦେଖିବାକୁ ମଧ୍ୟ ସୁନ୍ଦର ଏବଂ ଶାନ୍ତ ଶିଷ୍ଟ ପିଲାଟିଏ ପରି ଜଣା ପଡେ ।

ମୋ କଥା ଶୁଣି ରାଉଳ ବାବୁ ଟିକିଏ ଟିକିଏ ଖୋଲିବାକୁ ଆରମ୍ଭ କଲେ । କହିଲେ ସେ ମୋ ସ୍ତ୍ରୀଙ୍କର ଗାଁର ଝିଅ । ସେ ନିଜେ ସେହି ଝିଅକୁ ନିଜ ପୁଅ ପାଇଁ ପସନ୍ଦ କରିଥିଲେ । ଗାଁ ଝିଅ, ମାଟ୍ରିକ ମଧ୍ୟ ପାସ କରି ନାହିଁ । ଝିଅର ବାପା ମଧ୍ୟ ବହୁ ପୂର୍ବରୁ ମରି ଯାଇଛନ୍ତି । ମୁଁ ପଚାରିଲି ତେବେ ବିଭା ପରେ ଚଉଠି ଦିନ ସେ କାହିଁକି ଘର ଛାଡି ଚାଲିଗଲା ? ରାଉଳ ବାବୁ କହିଲେ ଝିଅର ଦାଦି ଖୁଡି ହେରିକା ବାଧକ ହେଲେ ତେଣୁ ସେମାନେ ଯାହା ସବୁ ଜାଣି ଯୌତୁକ ଦେଇ ଥିଲେ ଆଉ ରାଉଳ ବାବୁ ଯେଉଁ ସବୁ ଗହଣା ଆଦି ଦେଇ ଥିଲେ ସବୁ ପରସ୍ପରକୁ ଫେରାଇ ମଧ୍ୟ ଦେଇଛନ୍ତି । ମତେ ଭାରି ଖରାପ ଲାଗିଲା । ସେତିକି ବେଳକୁ ତାଙ୍କ ପୁଅ ମଧ୍ୟ ଆସି ପହଞ୍ଚି ଗଲା, ତେଣୁ ଆମେ ଟିକିଏ ଦୁରକୁ ଯାଇ ପୁଣି ଗପ ଆରମ୍ଭ କଲୁ । ତେବେ ରାଉଳ ବାବୁ ମୋ କଥାର କିଛି ସ୍ପଷ୍ଟ ଉତ୍ତର ଦେଲେ ନାହିଁ । ମୁଁ ନିଜ ତରଫରୁ କହିଲି ଆପଣଙ୍କ ପୁଅଟି ଏବେ ବାଛ ପଡି ଗଲା ନା, ତାକୁ କଣ ଆଉ ଭଲ ଝିଅ ମିଳିବେ ? ଆପଣ ଏତେ ଦିନ ବ୍ୟାଙ୍କରେ ଚାକିରୀ କରିଛନ୍ତି, ଏତେ ଲୋକ ଜୀବନରେ ଦେଖିଛନ୍ତି, ଆପଣ ପୁଣି ନିଜେ କାହାଣୀ ଲେଖୁଛନ୍ତି ଆଉ ଭଲ ଭାବରେ ନ ବୁଝି ସୁଝି ଗୋଟେ ବୋଲି ପୁଅର ଜୀବନକୁ ନେଇ ଗୋଟାଏ ଦୁଃଖ ଭରା କାହାଣୀ ସୃଷ୍ଟି କରି ଦେଲେ ? ଆପଣଙ୍କର ତ ଯାହା ହେବାର କଥା ହେଲା ଏବେ ପୁଅର ମାନସିକ ଅବସ୍ଥା କିପରି ଥିବ ? କଥାଟାକୁ ଶୁଣି କରି ମତେ ଖରାପ ଲାଗୁଛି ଆଉ ଆପଣଙ୍କର ପୁଅର ମନୋଦଶା କଣ ହେଉଥିବ ତାହା ଅନୁମାନ ସାପେକ୍ଷ ।

ସେଠାରୁ ସଉଦା ନେଇ ଫେରି ଆସିଲି । ଫେରିଲା ବେଳକୁ ଭାବୁ ଥିଲି ଗୋଟେ ବୋଲି ପୁଅର ବାହାଘର ଆଉ ତାକୁ ମଧ୍ୟ ଠିକ̖ ଭାବରେ ଲୋକମାନେ କରି ପାରୁ ନାହାନ୍ତି । ଏଥିରେ କାହାର ଦୋଷ ସେ କଥା ବିଚାର୍ଯ୍ୟ ନୁହେଁ , ବିଚାର୍ଯ୍ୟ ହେଉଛି ପୁଅଟିର ମନୋଦଶାର ! ସେ ବିଚରା କେଉଁ ଜନ୍ମ ର ଦଣ୍ଡ ପାଇଲା ? ତାହା ତ ଭଗବାନଙ୍କୁ ଜଣା !

ଲୋକପ୍ରିୟ ଲେଖା

To Top