ଗଳ୍ପ

ଦରଜା ଖୋଲା ଥାଉ

Matrudatta Mohanty's odia story Darajaa Kholaa Thaau

ତାଙ୍କ ଭିତରେ ଭରି ଯାଇଥିଲା ଅନେକ ବ୍ୟସ୍ତତା । ସେ ବାରମ୍ବାର ଫେରି ଯାଉଥିଲେ ବାରଣ୍ଡାକୁ ।

ଦରଜା ଖୋଲା ଥାଉ

ଅଗଣାରେ ଥିବା ପଞ୍ଜୁରି ଭିତରେ କିଚିରି ମିଚିରି ହେଉଛନ୍ତି ରଙ୍ଗ ବେରଙ୍ଗର କୁନିକୁନି ଚଢ଼େଇ କେତେଟା । ପରସ୍ପରକୁ ଖୁମ୍ପିଖୁମ୍ପି ଲହୁଲୁହାଣ କରି ପକାଉଛନ୍ତି । କେହି କେହି ପାଣି ସରାରେ ଦେହ ବୁଡ଼େଇ ଫୁରଫାର୍ ଉଡ଼ି ଯାଉଛନ୍ତି ସରୁ ତାର ଉପରକୁ । ଖାଦ୍ୟ ଥାଳିରେ ଦାନା ବକଟେ ବି ନାହିଁ । ନରିଆ ନରିଆ ଚିତ୍କାର କଲେ ଜାନକୀ, “ଚଢ଼େଇ ଗୁଡ଼ାଙ୍କୁ ମୁଠେ ଦାନା ଦେଇ ଯା, ନହେଲେ ଖୋଲି ଦେ ପଞ୍ଜୁରି, ସେମାନେ ଉଡ଼ି ଯାଆନ୍ତୁ ।” ଚାକର ଟୋକାଟା ଦଉଡ଼ି ଆସି ପଞ୍ଜୁରି ଭିତରକୁ ଛାଟି ଦେଲା ମୁଠାଏ ଦାନା । କିଛି ସମୟ ପାଇଁ ଚୁପ୍ ହୋଇଗଲେ ନିରିହ ଚଢ଼େଇ ଦଳ । ଅଗଣାରେ ଥିବା ବେଲଗଛର ଦେହକୁ ଆଶ୍ରା କରି ଛାତ ମୁହାଁ ହୋଇଥିବା ମଧୁମାଳତିଲତାରେ ଭର୍ତ୍ତି ହୋଇଥିଲା ନାଲି ଧଳା ଫୁଲ ସବୁ । ମଧୁମାଳତି ମହକରେ ଫାଟି ପଡୁଥିଲା ପୁରୁଣା ଖଞ୍ଜାର ରଙ୍ଗଛଡା ପରିସର । ଖଞ୍ଜା ଭିତରକୁ ଉଠିଯିବା ପାଇଁ ଥିବା ପାହାଚରେ ଥୁଆ ହୋଇଥିଲା କେତେଟା ପାମ୍ ଟ୍ରୀର କୁଣ୍ଡ । ଆଉ କିଛି ଶୋ’ଗଛ । ବାରଣ୍ଡା କାନ୍ଥରେ ଝୁଲୁଥିଲା ହରିଣ ସିଂଘ ଦୁଇ ଯୋଡ଼ା । ତା ପାଖକୁ ଲାଗିକରି ଟଙ୍ଗା ଯାଇଥିଲା କଳାଧଳା ଫଟୋ କେତେଟା । ଲମ୍ବା ବାରଣ୍ଡାର ଠିକ୍ ମଝିଆମଝି ଜାଗାରେ ଆରାମ ଚେୟାର ଉପରେ ପଡ଼ି ଉପରକୁ ଚାହିଁଥିଲେ ଜାନକୀ ଦେବୀ । ପଟ୍ଟନାୟକ ବଂଶର କୂଳବଧୁ । ତାଙ୍କ ସ୍ୱାମୀ ଗିରିଜା ପଟ୍ଟନାୟକଙ୍କ ଜେଜେବାପାଙ୍କର ଜମିଦାରି ଥିଲା ବାଙ୍କୀ ଅଞ୍ଚଳରେ । ଗିରିଜାଙ୍କ ବାପା ସହରକୁ ପଢ଼ିବାକୁ ଆସି ଆଉ ଫେରି ନଥିଲେ ଗାଁକୁ । ଜେଜେ ତାଙ୍କର ଏଇ ସହରରେ ଗଢ଼ି ଦେଲେ ରାଜଉଆସ ପରି ଘର । ସେଇଠି ଓକିଲାତି ପେଶାରେ ଜୀବନ କଟିଲା ଗିରିଜାଙ୍କ ବାପାଙ୍କର । କିନ୍ତୁ ଗିରିଜା ବାପାଙ୍କ ପେଶାରୁ ଦୂରେଇ ଯାଇ ଡାକ୍ତରୀ ପାଠ ପଢ଼ିଲେ । ସେବେଠୁ ପଟ୍ଟନାୟକ ପରିବାର ଏଇଠି । ଏଇ ଘରଟା ବି ବେଶ୍ ପୁରୁଣା । ଅନେକ ଦିନ ଧରି ଘରେ ରଙ୍ଗ ଟିକେ ବାଜିନି । କାନ୍ଥ ସାରା ମାନଚିତ୍ର ପରି ଅଙ୍କା ବଙ୍କା ଫାଟ । ଡାକ୍ତରୀ ପେଶାରୁ ଅବସର ନେଇ ଗିରିଜା ଏବେ ଘରେ । ପତ୍ନୀ ଜାନକୀ ମଧ୍ୟ ସହରର ଏକ ମହିଳା କଲେଜ୍‌ରୁ ଅଧ୍ୟାପିକା ଭାବେ ଅବସର ନେଇଛନ୍ତି । ଘରର କଡ଼ିବରଗାରୁ ଆଖି ଫେରାଇ ଆଣି ଅଗଣାକୁ ଚାହିଁଲେ ଜାନକୀ । ପାଟିରୁ ପାନ କାଢ଼ି ପିକଦାନିରେ ଥୁ କରିଦେଲା ବେଳକୁ ଚାକର ନରିଆ ତାଙ୍କ ହାତକୁ ବଢ଼େଇ ଦେଲା ପାଣି ଗିଲାସ । ୟା’ ଭିତରେ ଦୁଇ ବର୍ଷ ପ୍ରାୟ ଅତିକ୍ରାନ୍ତ ହେଲାଣି । ଏମିତି ଏ ଘରଟାରେ ଚାଲିଛି ନିରବତାର ଶାସନ । ଯାହା ଯୋଉଠି ଥିଲା ସେମିତି ଥୁଆ ହୋଇଛି । ଅନେକ ଜିନିଷ ଉପରେ ଜମାଟ ବାନ୍ଧିଛି ଧୂଳି । ଘରକଣରେ ଚୁନାମାରିଜାଲ ପରି ଛନ୍ଦି ହୋଇଛି ଅଳନ୍ଧୁର ଜାଲ । ସେହି ସୂକ୍ଷ୍ମ ଜାଲ ଭିତରେ ବନ୍ଦି ହୋଇଯାଇଛି ଉଭୟଙ୍କ ଜୀବନର ସବୁ ସୁଖ ସୌଭାଗ୍ୟ । ଦିନ ଥିଲା ଚାକର ପୁଝାରୀ ବନ୍ଧୁ ବାନ୍ଧବଙ୍କ କୋଳାହଳରେ ପୁରୁଣା ଘରଟା ସତେ ଯେମିତ ଯବାନ୍ ହୋଇ ଉଠିଥିଲା । ଆଜି କିନ୍ତୁ ଘରଟା ନିଶବ୍ଦ ହୋଇଯାଇଛି । ସ୍ୱାମୀ ସ୍ତ୍ରୀ ଦିହେଁ ଯୋଉଠି ବସୁଛନ୍ତି ସେଇଠି ସେମିତି ପଡ଼ି ରହୁଛନ୍ତି । ଚାକର ଟୋକାଟା କେତେବେଳେ କେମିତି ମନ ବୁଝି ଚା’ ପାଣି ଦଉଛି । ଖାଇବା ପିଇବା ଦିହେଁ ଏକବାର ଭୁଲି ଯାଇଛନ୍ତି । ବସିବା ଜାଗାରୁ ଉଠି ଛିଡ଼ା ହେଲେ ଜାନକୀ । ଅଗଣାକୁ ଓହ୍ଲେଇ ଯାଇ ମୁଣ୍ଡ ଟେକି ଚାହିଁଲେ ମଧୁମାଳତିଲତା ଆଡ଼କୁ । ଆକାଶକୁ । ପୁଣି ଖଞ୍ଜା ଭିତରକୁ । ତାଙ୍କ ଆଖିରେ ଜକେଇ ଆସିଲା ଲୁହ । ନିଜ ଲୁଗାକାନିରେ ପୋଛିବା ପରେ ବି ବନ୍ଦ୍ ହେଲାନି ସେ ଲୁହର ସ୍ରୋତ । କିଛି ଦିନ ଧରି ଛାତିରେ ଜମାଟ ବାନ୍ଧିଥିବା କୋହ ସବୁ ସୁଯୋଗ ପାଇଲେ ଏମିତି ବୋଧେ ତରଳି ଯାଆନ୍ତି । ଓଦା କରି ଦିଅନ୍ତି ଆଖି । ପୁଣି ଅବୁଝା ମନକୁ ବି । ଅଖିଆ ଅପିଆରେ କଟୁଛି ଦିନ । ସେଥିପାଇଁ ଦେହରେ ତାଙ୍କର ବଳ ଟିକେ ନାହିଁ ଦି ପାହୁଣ୍ଡ ଜୋର କରି ପକେଇବା ପାଇଁ । ବସିବା ଜାଗାରୁ ଉଠି ଯିବା ବି ଜାନକୀଙ୍କ ପାଇଁ କାଠିକାର ପାଠ । ଅଗଣାକୁ ଜଗିଥିବା ପୁରୁଣାକାଳିଆ ଦରଜାରେ କେହି ଜଣେ ଠକ୍ ଠକ୍ କରୁଛି । ବୋଧହୁଏ କ୍ଷୀରବାଲା ହୋଇଥିବ । କିମ୍ବା ମିଟର ରିଡିଙ୍ଗ୍ ପାଇଁ ଆସିଥିବ ସେ ଲୋକଟା । କିଛି ସମୟ ରହି ପୁଣି ଥରେ ଦରଜାରେ ସମାନ ଶବ୍ଦ ଶୁଣି ପାରିଲେ ଜାନକୀ । ନରିଆକୁ ନିର୍ଦ୍ଧେଶ ଦେଲେ ଦେଖିବା ପାଇଁ । ନରିଆ ଦରଜା ଖୋଲିଲା । କେଁ କେଁ ଆବାଜ କରି ବଡ଼ କଷ୍ଟରେ ନିଜ ଜାଗାରୁ ସାମାନ୍ୟ ଘୁଞ୍ଚି ଆସିଲା ବୟସ୍କ ଦରଜା । ଆରପଟରେ ଥିବା ଲୋକଟା ଘରର ମାଲିକଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିବାରୁ ନରିଆ ବିରକ୍ତ ହୋଇ ଉଠିଲା । କ’ଣ କାମ କୁହ ନଚେତ୍ ଯା’ ବୋଲି ନରିଆଠୁ ଚରମବାଣୀ ଶୁଣିବା ପରେ ଲୋକଟି କହିଲା ମୋର ଘରଭଡ଼ା ଦରକାର । ମିଳିବ କି ? ଅଗଣା ଭିତରେ ଥାଇ ଜାନକୀ ସବୁ କିଛି ଶୁଣି ପାରୁଥିଲେ । ଲୋକଟିର ପ୍ରଶ୍ନରେ ଚୁପ୍ ରହିଲା ନରିଆ । ଏଡ଼େ ବଡ଼ ଘର । ଲୋକ ବୋଲି ଦି’ଟା । ତଳ ଉପର ମିଶେଇ ଦଶ ବଖରା ଘର । ପାଇଖାନା ଗାଧୁଆଘର ଚାରିଟା ହବ । ଦୁଆର ବାରଣ୍ଡା, ବାଡ଼ି ଦାଣ୍ଡ ସେମିତି ପଡିଛି । ଯତ୍ନ ଅଭାବରୁ ପଥର ଚଟାଣ ଫଟେଇ ଦୁବଘାସ ମୁଣ୍ଡ ଟେକିଲାଣି । ବାଡ଼ିପଟେ ଜଙ୍ଗଲ ବୋଝେଇ । କିଏ ହେଲେ ରହିଲେ ଘର ବାଡ଼ିର ଯତ୍ନ ନବ । ଆଉ କେତେ ଦିନ ଏମିତି ଚାଲିବ । ନରିଆ ମନେ ମନେ ଏହି କଥାଗୁଡ଼ାକ ଭାବୁଭାବୁ ଜାନକୀ ପଛରୁ ଡାକ ଛାଡ଼ିଲେ କ’ଣ ହେଲା କିରେ ? ନରିଆ ଦବିଲା ସ୍ୱରରେ କହିଲା ନାଇ ମା’ ଏଇ ଲୋକଟା ଘରଭଡ଼ା… । ନରିଆ ପାଟିରୁ କଥା ଛଡ଼େଇ ନେଇ ଜାନକୀ କହିଲେ ଦରଜା ବନ୍ଦ କରିଦେ ।

ଏମିତି ଘଟଣା ନୂଆ ନୁହେଁ । ଦୈନିକ କେତେ ଲୋକ ଆସି ଫାଟକ ଆର ପାଖରୁ ଫେରି ଯାଉଛନ୍ତି । ଛକରେ କେହି ଦୋକାନୀ କିମ୍ବା ଯୋଗାଡ଼ିଆ ତାଙ୍କୁ ଏଇ ଠିକଣାରେ ପଠେଇ ଦଉଛନ୍ତି । ଜାନକୀ କିନ୍ତୁ ବିରକ୍ତ ହୁଅନ୍ତି ଘରଭଡ଼ା କଥା ଶୁଣିଲେ । ଘର ସହିତ ଜୋଡ଼ି ହୋଇଥିବା ସ୍ମୃତିର ସୂତାଖିଅ କାଳେ ତୁଟିଯିବ ବୋଲି ଭାବି ଭୟଭିତ ହୋଇ ଉଠନ୍ତି । ଧୂଳି ହେଉ ମଳି ହେଉ ଯାହା ଯେମିତି ଅଛି ସେମିତି ସେଇଠି ଥାଉ । ଏ କଥା ଅନେକ ଥର ସେ ସ୍ୱାମୀଙ୍କୁ କହିଛନ୍ତି । ଗିରିଜା ମଧ୍ୟ ଘରଭଡ଼ା ଦେବା ସପକ୍ଷରେ ଅନେକ ଥର ଯୁକ୍ତି କରିଛନ୍ତି ଜାନକୀଙ୍କ ସାଙ୍ଗରେ । ଆମେ ଉପରକୁ ପଳେଇ ଯିବା ତଳ ଘର ଭଡ଼ା ଲଗେଇ ଦେବା । ସ୍ୱାମୀଙ୍କର ଏ ପ୍ରସ୍ତାବରେ ଚିଡ଼ି ଉଠନ୍ତି ସେ । କୁନିପିଲାଟି ପରି କାନ୍ଦି ଉଠନ୍ତି । ଆପଣାର ମୂଲ୍ୟବାନ ଜିନିଷ ହଜିଯିବାର ଭୟରେ ବିଳାପି ଉଠନ୍ତି । ପତ୍ନୀଙ୍କର ମାନସିକତାକୁ ବୁଝି ଗିରିଜା ଚୁପ୍ ରହନ୍ତି । ଏବେ ସମ୍ପୂର୍ଣ୍ଣ ଚୁପ୍ ହୋଇ ଯାଇଛନ୍ତି ଘରଭଡ଼ା ପ୍ରସଙ୍ଗରେ । ଜାନକୀଙ୍କର କିନ୍ତୁ ଏକା ଜିଦି ଘରଭଡ଼ା ଦିଆଯିବନି । ଏ ଘରର ପ୍ରତିଟି ଜାଗାରେ ରହିଛି ପୁଅ ବୁବୁନ୍‌ର କିଛି ନା କିଛି ସ୍ମୃତି । ସେ ସ୍ମୃତିକୁ କେହି ଅପରିଚିତ ଆସି ନଷ୍ଟ କରିବ ତାହା କଳ୍ପନା ବି କରି ପାରୁ ନଥିଲେ ଜାନକୀ । ଏଇ ଖଞ୍ଜାରେ ଦିନେ କୁଆଁ କୁଆଁ ରାବ ଦେଇ ଦୁନିଆ ଦେଖିଥିଲା ବୁବୁନ୍ । ଏଇ ଅଗଣାରେ ଗୁରୁଣ୍ଡି ଗୁରୁଣ୍ଡି ଚାଲି ଶିଖିଲା । ପୁଣି ଏଇ ଘରେ ନିଜକୁ ସମ୍ଭାଳିଲା । ଏ ଘରଟା କ’ଣ ଏମିତି ସେମିତି ଘର ହେଇଛି ଯେ ଯାହା ହାତରେ ନାହିଁ ତାହା ହାତରେ ଟେକି ଦେବ । କାନ୍ଥରେ ଝୁଲୁଥିଲା ବୁବୁନ୍‌ର ପିଲାଦିନର କଳାଧଳା ଫଟୋ । ସେ ଫଟୋରୁ ବାହାରି ଆସି ଯେମିତି ଫିକ୍ କିନା ହସି ଦେଉଛି ମା’ର ଶୁଖିଲା ମୁହଁ ଦେଖି । ୟୁନିଭରସିଟି ଡିଗ୍ରୀ ପାଇବା ଦିନ ତାହା ଚେହେରାରେ ଥିବା ଖୁସି ଆଜିବି ଫଟୋରେ ଜୀବନ୍ତ ଦିଶୁଛି । ଘର କାନ୍ଥରେ ଅତୀତକୁ ଦେଖି ପଥର ପାଲଟି ଯାଉଥିଲେ ଜାନକୀ । ତେଣେ ଦରଜା ବନ୍ଦ କରି ଘର ଭିତରକୁ ଚାଲି ଯାଇଥିଲା ନରିଆ ।

କ୍ଲାନ୍ତ କହରା ଖରା ମୁହଁ ଫେରାଇ ନେଲାଣି ସହର ଉପରୁ । ଆଉ କିଛି ସମୟ ପରେ ଅନ୍ଧାର ମାଡ଼ିବସିବ ସହରଟାକୁ । ଦୁଇଟି ଚଉକି ମଝିରେ ଥିବା ଟି-ପଏ ଉପରେ ଥୁଆ ହୋଇଛି ଦୁଇ କପ୍ ଚା । ପାଖରେ ରହିଛି ପାଣି ବୋତଲ । ଅନ୍ୟମନସ୍କ ଭାବେ ଚା’ କପ୍‌କୁ ଚାହିଁଛନ୍ତି ଗିରିଜା । ପାଖରେ ବସି କେବେ ଆକାଶକୁ କେବେ ଅଗଣାକୁ ଚାହୁଁଛନ୍ତି ଜାନକୀ । ନରିଆ ଔଷଧ ପୁଡ଼ାଟା ଆଣି ହାତରେ ଧରେଇ ଦେଲା । ଚା’ କପ୍ ଓଠରେ ଲଗେଇ ଗିରିଜା ଜାନକୀଙ୍କ ଆଡେ ଚାହିଁଲେ । “ଏ ଘରଟାରେ ଆଉ କେତେ ଦିନ ତମେ ପଡ଼ି ରହିବ ମୁଁ ଜାଣି ପାରୁନି । ଚାଲ ପଳେଇବା ଏଠୁ”– ସ୍ୱାମୀଙ୍କ ମୁହଁରୁ କଥା ପଦକ ଶୁଣି ଜାନକୀଙ୍କ ଆଖିରେ ଏକ ତିରସ୍କାର ଭାବ ଫୁଟି ଉଠିଲା । ଗୋଟିଏ ବୋଲି ପୁଅର ସ୍ମୃତିବିଜଡ଼ିତ ଏଇ ଘରଟାକୁ କେମିତି ସେ ଛାଡ଼ି ଚାଲିଯିବେ । ପୁଣି ଏଠି ପଡ଼ିରହିଲେ ବି ସେ ସ୍ମୃତି ସବୁ ବାଘପରି ନଖ ଦାନ୍ତ ଦେଖେଇ ଗୋଡ଼େଇ ଆସୁଛନ୍ତି ବେଳ ଅବେଳରେ । ଉଭୟ ସ୍ୱାମୀ ସ୍ତ୍ରୀ ସହଜରେ ଗ୍ରହଣ କରି ପାରୁ ନଥିଲେ ସେଦିନର ଘଟଣାକୁ । କାଳୀପୂଜା ପାଇଁ ସଜେଇ ହୋଇଥାଏ ସାରା ସହର । ଘରେ ଘରେ ଏଥିପାଇଁ ପ୍ରସ୍ତୁତି । ବୁବୁନ୍ ଓ ତାର ନବ ବିବାହାତି ସ୍ତ୍ରୀ କାଳିମନ୍ଦିର ବାହାରିଲେ । କିଛି ସମୟ ପରେ ମନ୍ଦିରରୁ ଫେରି ବୁବୁନ୍ ସିଧା ବିଛଣାରେ ଗଡ଼ି ପଡ଼ିଲା । ଛାତିରେ ଯନ୍ତ୍ରଣା । କପାଳରେ ବିନ୍ଦୁ ବିନ୍ଦୁ ଝାଳ । “ଓଃ । ମା’ ମୋତେ ପାଣି ଦେ ।” ଜାନକୀ ଧାଇଁ ଯାଇ ପାଣି ଆଣିଲେ । ଗିରିଜା ମଧ୍ୟ ଦଉଡ଼ି ଆସି ପୁଅର ନାଡ଼ିକୁ ଚିପି ଧରିଲେ । ତୁରନ୍ତ ପାଖ ଡାକ୍ତରଖାନାକୁ ନେବାର ବ୍ୟବସ୍ଥା ହେଲା । କିନ୍ତୁ ବାଟରେ ଲିଭିଗଲା ବୁବୁନ୍‌ର ଜୀବନଦୀପ । କାନ୍ଥରୁ ଲିଭି ନଥିଲା ବାହାଚିତା । ପରେ ପରେ ବୋହୁ ଫେରିଗଲା ତା’ ବାପଘରକୁ । ସେହି ଦିନଠାରୁ ସେ ଶାଶୁ-ଶ୍ୱଶୁରଙ୍କୁ ଫେରି ଚାହିଁନି । ନିଜର ଏକମାତ୍ର ପୁଅକୁ ହରେଇବା ପରେ ଉଭୟ ଯେମିତି ପଥର ପାଲଟି ଯାଇଛନ୍ତି । ତାଙ୍କର ପ୍ରତିଟି ମୁହୂର୍ତ୍ତ ଲୁହରେ ଭିଜୁଛି । ଚା’ କପ୍ ଥୋଇଦେଇ ନିଜ କଥାକୁ ଦୋହରାଇଲେ ଗିରିଜା । ଜାନକୀଙ୍କ ଆଖି ଛଳଛଳ ହୋଇ ଆସିଲା । ଦରଜାରେ ଠକ୍ ଠକ୍ ଶବ୍ଦ ଶୁଭିଲା । ନରିଆ ଚିଲପରି ଧାଇଁ ଆସି ଦରଜା ଖୋଲିଲା । ଆରପଟେ ଛିଡ଼ା ହୋଇଥିଲେ ଜଣେ ମହିଳା ଓ ଜଣେ ପୁରୁଷ । ସାଙ୍ଗରେ ତିନି ଚାରି ବର୍ଷର ପୁଅ ଛୁଆଟେ । ନରିଆ କ’ଣ ବୋଲି ପଚାରୁ ପଚାରୁ ଦରଜା “ଫାଙ୍କ ଅତିକ୍ରମ କରି ଅଗଣାକୁ ଧାଇଁ ଆସିଲା ପିଲାଟା । ଚଢ଼େଇମାନଙ୍କୁ ଦେଖି ଖୁସିରେ ନାଚି ଉଠିଲା । ତା’ ଓଠ କ’ଣରୁ ଝରି ପଡିଲା ମିଠା ମିଠା ନିରିହ ହସର ଧାର । ନରିଆ ହାଁ ହାଁ କହି ଧାଇଁଲା ତା’ ପଛରେ । ପଦାକୁ ଯା’ ପଦାକୁ ଯା’ କହି ଚିତ୍କାର କଲା । ପଛେ ପଛେ ତା’ ବାପା-ମା’ ବି ଦଉଡ଼ି ଆସିଲେ ଭିତରକୁ । ଉଭୟ ମିଶି ଛୁଆଟାର ଖୁଆ ପାଖରୁ ଧରି ଭିଡ଼ିନେଲେ । “ମୁଁ ଚଢେଇ ଦେଖିବି” କହି କାନ୍ଦି ପକାଇଲା ସେ । କିନ୍ତୁ ତା’ କଥା କେହି ଶୁଣିଲେନି । ଜାନକୀ ବୁଲି ଚାହିଁଲେ ଛୁଆଟା ଆଡ଼କୁ । ତାଙ୍କ କାନକୁ କିଛି ବି ଶୁଭୁ ନଥିଲା । ସେ ଦେଖି ପାରୁଥିଲେ କେବଳ କୁନି ପିଲାଟାର ଚେହେରାରେ ଖୁନ୍ଦି ହୋଇଥିବା ନିରିହପଣ । ନରିଆ ଚିତ୍କାର କଲା ପଳା ପଳା । ପରେ ଆସିବ । ଧଡ଼ କରି ଦରଜାକୁ ଆଉଜେଇ ଦେଲା ।

ସନ୍ଧ୍ୟାର ସେ ଘଟଣାକୁ ଭୁଲି ପାରୁ ନଥିଲେ ଜାନକୀ । ରାତିରେ ବିଛଣାରେ ପଡ଼ିପଡ଼ି ପିଲାଟା କଥା ଭାବୁଥିଲେ । ବିଚରା ଛୁଆଟା ଟିକେ ଚଢ଼େଇ ଦେଖିଥିଲେ କଣ ଯେ ବେଦ ଅଶୁଦ୍ଧ ହୋଇ ଯାଇଥାଆନ୍ତା । ନରିଆ ଉପରେ ମନେ ମନେ ରାଗୁଥିଲେ ସେ । ପିଲାଟାର କାନ୍ଦ ତାଙ୍କ କାନରେ ବାରମ୍ବାର ଉଚ୍ଚାରିତ ହେଉଥିଲା । ବିଛଣାରୁ ଉଠିଆସି ଝରକା ପାଖରେ ଛିଡ଼ାହେଲେ ସେ । ବାହାରେ ଅନ୍ଧାରକୁ ଚାହିଁଲେ । ଅନ୍ଧାରରେ ବି ତାଙ୍କୁ ଦିଶୁଥିଲା କୁନି ଛୁଆଟାର କାନ୍ଦୁରା ମୁହଁ । ସେ ମୁହଁର ପଛପଟେ ବୁବୁନ୍ ହସୁଥିଲା । ଜାନକୀଙ୍କ ଭିତରେ ବ୍ୟସ୍ତତା ବଢ଼ିବାରେ ଲାଗିଥିଲା । ଏଇକ୍ଷଣି ନରିଆକୁ ପଠେଇ ସେ ପିଲାଟାକୁ ଖୋଜି ଆଣିବାକୁ କହିବା ପାଇଁ ତାଙ୍କର ଇଚ୍ଛା ହେଉଥିଲା ।

ସକାଳୁ ବିଛଣା ଛାଡ଼ିବା ପରେ ବି ସେ ଭୁଲି ପାରିନଥିଲେ କୁନି ପିଲାର କାନ୍ଦ ଆଉ ଜିଦ୍ଧି । ତାଙ୍କ ଭିତରେ ଭରି ଯାଇଥିଲା ଅନେକ ବ୍ୟସ୍ତତା । ସେ ବାରମ୍ବାର ଫେରି ଯାଉଥିଲେ ବାରଣ୍ଡାକୁ । ଚାହୁଁଥିଲେ ପଞ୍ଜୁରିକୁ । ଦରଜା ଆଡ଼କୁ ଚାହିଁ ପୁଣି ଫେରି ଆସୁଥିଲେ । ନରିଆ ଆସି ଚା’ କଥା ପଚାରିବାରୁ ଚିଡ଼ି ଉଠିଲେ ତା’ ଉପରେ । ଅଗଣାରେ ଟେବୁଲ ଉପରେ ଚା’ ରଖିବା ପାଇଁ କହିଲେ । ପତ୍ନୀଙ୍କ ଭିତରେ ଏ ପରିବର୍ତ୍ତନ ଦେଖି ଆଶ୍ଚର୍ଯ୍ୟ ହେଉଥିଲେ ଗିରିଜା । ରାତିକ ଭିତରେ ଏମିତି କଣ ହେଲା ଯେ ପଥର ପାଣି ହୋଇଗଲା । ତାହା ବୁଝି ପାରୁ ନଥିଲେ ସେ । କିନ୍ତୁ ନିରବରେ ନିରୀକ୍ଷଣ କରୁଥିଲେ ପତ୍ନୀଙ୍କୁ । ଅଗଣାରେ ଚା’ ପିଉ ପିଉ ଦରଜା ଆଡ଼େ ଚାହୁଁଥିଲେ ଜାନକୀ । ପୁଣି ଚାହୁଁଥିଲେ ପଞ୍ଜୁରିକୁ । ତାଙ୍କୁ ଶୁଭୁଥିଲା ସତେ ଯେମିତି ସେଇ କୁନି ପିଲାଟି ପୁଣି ଥରେ ଜିଦ୍ଦି କରୁଛି ଚଢ଼େଇ ଦେଖିବା ପାଇଁ । ଦରଜାରେ କେହି ହାତ ବାଡ଼େଇବାର ଶବ୍ଦ ରହି ରହି ତାଙ୍କୁ ବିବ୍ରତ କରୁଥିଲା । ନରିଆ ଘର ଭିତରକୁ ଚାଲି ଯାଇଥିଲା । ଉପର ମହଲାରେ ନିଜ ବହି ଭିତରେ ହଜି ଯାଇଥିଲେ ଗିରିଜା । ଖରା ଟାଣ ହେବାରେ ଲାଗିଥିଲା । କିନ୍ତୁ ନିଜ ବସିବା ଜାଗାରୁ ଉଠି ଆସୁ ନଥିଲେ ଜାନକୀ । ଦରଜାରେ ଠକ୍ ଠକ୍ ଶବ୍ଦ । ସେ ଆଡ଼େ ବୁଲି ଚାହିଁଲେ ସେ । ନରିଆକୁ ଡାକିଲେ ଦରଜା ଖୋଲିବା ପାଇଁ । ନରିଆ କାନରେ ଜାନକୀଙ୍କ ଡାକ ବାଜିଲାନି ବୋଧହୁଏ । ସେ ପୁଣି ଚିତ୍କାର କଲେ । କେହି ଶୁଣିଲେନି । ମୁହଁରେ ତାଙ୍କର ଦେଖାଗଲା ବିରକ୍ତି ଭାବ । ଆରପଟେ ରହିରହି ଦରଜାରେ ହାତ ପିଟୁଥିଲା କେହି ଜଣେ । ପୁଣି ସେପାଖରୁ ଶୁଭୁଥିଲା ଗୁଣୁ ଗୁଣୁ ଶବ୍ଦ । ଜାନକୀ ପଚାରିଲେ କିଏ । ଆର ପଟୁ ଶୁଭିଲା, “କାଲି ଆସିଥିଲି ମା’ । ଆପଣଙ୍କ ପିଲା କହିଲା ପରେ ଆସିବା ପାଇଁ ।” ଜାନକୀଙ୍କ ଖୁସି ସତେ ଯେମିତି ବନ୍ଧ ବାଡ଼ ମାନିଲାନି । ସେ କୋଟିନିଧି ପାଇବା ପରି ଅନୁଭବ କଲେ । ତାଙ୍କର ଇଚ୍ଛା ହେଉଥିଲା ଧାଇଁଯାଇ ଦରଜା ଖୋଲି ଦେଇ ପିଲାଟାକୁ କୋଳେଇ ନେବାକୁ । ନିଜ ଉତ୍କଣ୍ଠା ଉପରେ ନିୟନ୍ତ୍ରଣ ରଖି ପାରୁ ନଥିଲେ ସେ । ଆଉଥରେ ଠକ୍ ଠକ୍ ଶବ୍ଦରେ ଚେତା ଫେରି ପାଇଲେ । ସେପଟୁ ଶୁଭୁଥିଲା ମା’ ଅଛନ୍ତି । ଜାନକୀ ଉଚ୍ଚ ସ୍ୱରରେ କହିଲେ ହଁ ହଁ ଦରଜା ଖୋଲା ଅଛି ଭିତରକୁ ଆସ । ଦରଜା ଖୋଲା ଅଛି । ଲୋକଟି ଭିତରକୁ ଆସି ଘର ଖାଲି ଅଛିକି ବୋଲି ପଚାରୁଥିବା ବେଳେ ଜାନକୀଙ୍କ ଓଦା ଆଖି ହଳକ ଖୋଜୁଥିଲା ଆଉ କିଛି ।

କ’ଣ ଏକା ଆସିଛ ? ତୁମ ପରିବାର ।

ନାଇଁ ଆଜ୍ଞା ସମସ୍ତେ ଆସିଛନ୍ତି । ମା ପିଲା “ଫାଟକ ଆରପଟେ ଅଛନ୍ତି । ଦୁଷ୍ଟ ପିଲାଟା ତ ଭିତରକୁ ଆସିଲେ ଏଠି ସେଠି ହାତ ମାରିବ ।

ଜାନକୀ ଧାଇଁଗଲେ ଦରଜା ପାଖକୁ । ଦରଜା ଆରପଟେ ମା’ ପଛରେ ଲୁଚି ଥିବା ପିଲାଟାର ହାତଧରି ଘୋଷାଡ଼ି ଆଣିଲେ । କହିଲେ, “କିରେ ଟୋକା ଚଢ଼େଇ ଦେଖିବୁନି କିରେ ।” ପିଲାଟାକୁ ଛାତି ଉପରକୁ ଆଉଜେଇ ନେଲେ । କୁଣ୍ଢେଇ ଧରି ଭିତରକୁ ନେଇଆସିଲେ । ପଞ୍ଜୁରୀ ପାଖରେ କାଖେଇ ଧରି ଚଢ଼େଇ ଦେଖାଇଲେ । ପିଲାଟାର ବାପା-ମା’ ବଲବଲ କରି ଚାହିଁଥିଲେ ଜାନକୀଙ୍କୁ । ପାମ୍ ଟ୍ରୀର ଆଢ଼ୁଆଳରେ ଚୁପଚାପ୍ ଛିଡ଼ା ହୋଇଥିଲା ନରିଆ । ବାଲକୋନିରେ ଥାଇ ଅଗଣାକୁ ଚାହିଁଥିଲେ ଡାକ୍ତର ଗିରିଜା ପଟ୍ଟନାୟକ । ସେ ମନେ ମନେ ଭାବୁଥିଲେ ବୁବୁନ୍ ଫେରି ଆସିଲା ବୋଧହୁଏ । ବିଗତ କିଛି ମାସ ଭିତରେ ତାଙ୍କ ଔଷଧ ଯାହା କରି ପାରି ନଥିଲା ଏଇ ପିଲାଟା ତାହା କରି ଦେଖାଇଲା । ଜାନକୀ କ’ଣ କ’ଣ ଯେ ଗପି ଚାଲିଥିଲେ ପିଲାଟା ସହିତ ତାହା ସେ ନିଜେ ବି ଜାଣି ନଥିଲେ । ନରିଆକୁ ଚାହିଁ କହିଲେ, “ବୁଝିଲୁ ସେ ଦରଜାଟା ସେମିତି ଖୋଲା ଥାଉ, ଟିକେ ଥଣ୍ଡା ପବନ ଆସିବ ହେଲେ ।” ନରିଆ ସବୁ ବୁଝିଗଲା ଭଳି ମୁଣ୍ଡ ଟୁଙ୍ଗାରିଲା । ଅଗଣାରେ ଘୂରିବୁଲୁଥିଲା ବୋଝବୋଝ ଥଣ୍ଡା ପବନ । ଆଉ ସେ ପବନରେ ଗୋଳେଇ ହୋଇଥିଲା ମଧୁମାଳତୀର କୁଢ଼କୁଢ଼ ବାସ୍ନା ।

ଲୋକପ୍ରିୟ ଲେଖା

To Top