ଗଳ୍ପ

ଦେବକନ୍ୟା

Dr Ajeet Kumar Tripathy's Odia Story DEBAKANYAA

ମୁଁ ଚେଷ୍ଟା କରୁଛି ତାଙ୍କୁ ଫସାଇବାକୁ ଓ ତାଙ୍କର ସଂସାର ଉଜାଡ଼ିବାକୁ । ସେ ନିରୁତା ଗଙ୍ଗାଜଳ ଭଳି ପବିତ୍ର ଓ ମୋତେ ସାନଭଉଣୀ ଛଡ଼ା ଅନ୍ୟ ଦୃଷ୍ଟିରେ ଦେଖନ୍ତି ନାହିଁ, କିନ୍ତୁ ମୋ ଆଖିରେ ଥାଏ ଯେପରି ଶତାବ୍ଦୀର କ୍ଷୁଧା

ଦେବକନ୍ୟା

-: ପୁର୍ବରୁ :-

ଏ କୋଡ଼ିଏ ବର୍ଷ ତଳର କଥା ଭୁଲି ଯାଇଥିଲି । ମୁଁ ସମ୍ପୂର୍ଣ୍ଣ ଭାବେ । ଏତେ ବର୍ଷ ଭିତରେ ଆଉ ତୋ ନାଁରେ କେଉଁଠୁ କିଛି ଶୁଣିନାହିଁ । ତେଣୁ ଆଉ ତୋ କଥା ଆଦୌ ମନେ ନଥିଲା । ତୁ ଏବେ ମନେ ରଖି ମୋତେ ଡାକିଲୁ କାହିଁକି ? ମୁଁ ସତ କହୁଛି, ତୋ ବିଷୟରେ କେବେ ହେଲେ କୌଣସି ପ୍ରଚାର ବା ଅପପ୍ରଚାର ତ କରିନାହିଁ । ଗଲା କଥା ଗଲାଣି । ଏବେ ତୁ ଅବସର ନେଲୁଣି । ମୁଁ ଅବସର ନେଲିଣି । ଆମ ଦୁଇଜଣଙ୍କୁ ନେଇ କେବେ କେହି କଥା ହୋଇନାହାନ୍ତି, ହେବେ ନାହିଁ ମଧ୍ୟ । ମୁଁ ଦୁଃଖ ପ୍ରକାଶ କରୁଛି ସେଦିନ ତୋତେ ନ ଚିହ୍ନିବାର ଅଭିନୟ କରି । ସତକଥା କହିଲେ, ମୋର ନିଜ ବଦନାମର ଡର ମୋତେ ମିଛୁଆ କରି ଦେଇଥିଲା । ତୋ ମନରେ ଏତେ ଦୁଃଖ ହେବ ବୋଲି ମୋର ଧାରଣା ନ ଥିଲା । ଏବେ ଭୁଲିଯା’ ସବୁ ପୂର୍ବ କଥା । ମୋତେ କ୍ଷମା କରିଦେ’ । ମୋର ବଡ଼ ଭୁଲ୍ ହୋଇଗଲା ।

ଏଥର ସରୋଜିନୀ ଆରମ୍ଭ କଲା’ ତା’ କଥା । ତୁ ସିନା ଜାଣିପାରିଲୁନି ବିଜୟ, ତୋର ମୋତେ ନ ଚିହ୍ନିବାଟା ମୋତେ କେତେ ବାଧିଥିଲା । ବାହାର ଲୋକ ମୋ ବିଷୟରେ କ’ଣ କହିବେ ବା କ’ଣ କଥା ହେବେ ସେ କଥା ଅଲଗା । ତୁ ନଥିଲୁ ମୋର ପ୍ରେମିକ କିମ୍ୱା ମୋର ଶତ୍ରୁ । ତୋର ମୋତେ ଏତେ ଦୂର ଖରାପ ଭାବିବା କ’ଣ ଠିକ୍ ଥିଲା ।

– ତୁ ପରା ମୋତେ ସ୍କୁଲ୍ କଲେଜ୍‌ରେ ପାଞ୍ଚବର୍ଷ ଜାଣିଥିଲୁ । ତୁ ଯାହା ବି ଶୁଣିଲୁ ମୋ ନାଁରେ ବିଶ୍ୱାସ କଲୁ କିପରି ? ମୁଁ ତୋତେ ଯାହା ଏବେ ପଚାରିଲି ସେଥିରେ ମୁଁ ତୋତେ କ’ଣ ଦୋଷ ଦେଇଛି କି ? ତୁ ବ୍ୟସ୍ତ କାହିଁକି ? ଆଗ ମୋ କଥା ଶୁଣିସାର, ତା’ପରେ ଦୁଃଖ ପ୍ରକାଶ କରିବୁ ।

ଏଥର କହୁଛି ମୋ ନିଜ କଥା । ଏହା ଆଦୌ ସତ୍ୟ ନୁହେଁ ଯେ ପୁରୁଷ ଲୋକମାନେ ଖାଲି ସୁନ୍ଦରୀ ଝିଅଙ୍କ ପଛରେ ପଡ଼ନ୍ତି । ଅନେକ ପୁରୁଷଙ୍କର ଧାରଣା ଯେ କାଳୀ ଅସୁନ୍ଦରୀ ଝିଅମାନେ ସବୁ ଯୁଗରେ ସୁବିଧାରେ ମଉଜ କରିବା ପାଇଁ ମିଳିବେ, କାରଣ ତାଙ୍କୁ କେହି ବାହା ହେବାକୁ ବା ପ୍ରେମ କରିବାକୁ ରାଜି ହେବେ ନାହିଁ । ଏପରି ନିଃସଙ୍ଗତା ହେତୁ ସେମାନଙ୍କର ଅତୃପ୍ତ କାମ ବାସନା ଖୁବ୍ ବେଶି ଏବଂ ସେମାନେ ଅଳ୍ପ ଟିକିଏ ଇସାରା ପାଇଲେ ଉପରେ ପଡ଼ିବେ । ସେମାନଙ୍କ ପାଇଁ ତୁମକୁ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଥରେ ପଟିଗଲେ ସେମାନେ ସବୁଦିନ ତୁମ ପଛରେ ଗୋଡ଼ାଇବେ । ସେମାନେ ଖର୍ଚ୍ଚ କରିବେ ତୁମ ପାଇଁ । ତୁମେ ତାଙ୍କୁ ପଇସାରେ କରିବ ମଉଜ ।

ତୁମେ ବିବାହିତ ପୁରୁଷ ହୋଇଥିଲେ ଆହୁରି ଭଲ । କାରଣ ସେମାନେ ଆଶା କରିବେ ନାହିଁ ତୁମଠାରୁ ବିବାହ ବନ୍ଧନ । ତୁମଠାରୁ ସେମାନେ କେବଳ ଚାହିଁବେ ଶାରୀରିକ କ୍ଷୁଧାର ତୃପ୍ତି । ପ୍ରତିବଦଳରେ କୌଣସି ପ୍ରତିଶ୍ରୁତି, ପ୍ରତିବଦ୍ଧତା ମାଗିବେ ନାହିଁ । ତୁମ ପୁରୁଷ ପ୍ରଧାନ ସମାଜରେ ଏ ସ୍ଥିତି ଆଜି ବି ଏଇଆ । ପାଠଶାଠ ପଢ଼ି କେତେକ ମହିଳା ପରିସ୍ଥିତିର ସାମନା କରିପାରୁଛନ୍ତି । ଆଉ କେତେକ ପରିସ୍ଥିତିର ଶିକାର ହୋଇ ଯାଉଛନ୍ତି ।

ମୋ ଭଳି ଝିଅମାନେ ଯେତେବେଳେ ଚାକିରୀରେ ପଶିଥିଲେ ତା’ ପୂର୍ବରୁ ମଧ୍ୟ ପରିସ୍ଥିତି ଏଇଆ ହିଁ ଥିଲା । ଆଜି କିଛି ଅଲଗା ନାହିଁ । ହୁଏତ ସାଧାରଣ ଭାବେ ସମସ୍ତ ଝିଅମାନେ ହୋଇଯାଇଛନ୍ତି କିଛି ଅଧିକା ଚାଲାକ୍ । କେତେକ ଦୁଇମୁଣ୍ଡରୁ ଆଇସ୍କ୍ରିମ୍ ଖାଉଛନ୍ତି । ଆଉ କେତେ ଏବେ ମଧ୍ୟ ଯେଉଁ ମୂର୍ଖକୁ ସେଇ ମୂର୍ଖ ।

କଣ୍ଟାପଡ଼ା ବି.ଡ଼ି.ଓ.ଙ୍କ ଅଫିସ୍‌ରେ ମୁଁ କାମ କଲାବେଳକୁ ସେ ତିନିପିଲାଙ୍କ ବାପା । କଥା ତାଙ୍କର ଅତ୍ୟନ୍ତ କୋମଳ । ଭାଷା ଖୁବ୍ ମଧୁର । ଆଖିଟା କିନ୍ତୁ ନିହାତି ଅଭଦ୍ର । ପ୍ରଥମ ସାକ୍ଷାତରୁ ମୁଁ ଜାଣିପାରିଥିଲି ସେ ମୋ’ଠାରୁ କ’ଣ ଆଶା କରୁଥିଲେ । ମୁଁ ଦେଇନଥିଲି ଧରା ଛୁଆଁ । ମୁଁ ସେଭଳି ଝିଅ ନଥିଲି । ଅସୁନ୍ଦରୀ ଥିଲି, ଶସ୍ତା ନଥିଲି । ମୋର ରଙ୍ଗ ଥିଲା କଳା କିନ୍ତୁ ମନ ନୁହେଁ । ମୋ ଚମଡ଼ା ନଥିଲା ତୋଫା କିନ୍ତୁ ଚରିତ୍ର ସ୍ୱଚ୍ଛ ଓ ପରିଷ୍କାର ।

ମୁଁ ଜାଣିଥିଲି ଏଭଳି ଲୋକଙ୍କୁ ହଠାତ୍ ଭରସା କରିବା ଅନୁଚିତ୍ । ଚିକ୍କଣ କଥା କହି ନାରୀଙ୍କୁ ଫସାଇବାର ଗୁଣ ଥାଏ ଅନେକ ଲୋକଙ୍କର । ତାଙ୍କ ସାହସ ଦିନକୁ ଦିନ ବଢୁଥିଲା ଏବଂ ତତ୍ସଙ୍ଗେ ସଙ୍ଗେ ବଢୁଥିଲା ମୋର ମାନସିକ ଦୃଢ଼ତା । ନିତାନ୍ତ ନିର୍ଲଜ ଭାବେ ସେ ମୋ ଆଗରେ ଧରା ପକାନ୍ତି ନିଜକୁ । ଅପମାନିଆ କଥା କହିଲେ ବି ତାଙ୍କୁ ଲୋକଲଜ୍ଜା ବାଧେ ନାହିଁ ।

କିଛିଦିନ ପରେ ଦେଖିଲି ଯେ ଏ ଅଭଦ୍ର ଅଲାଜୁକ ଲୋକଙ୍କୁ ଏମିତି ପାରିହେବ ନାହିଁ । କର୍ମକ୍ଷେତ୍ରରେ ଯୌନ ନିର୍ଯାତନା ଦେଇ କିଭଳି ଏକାକୀ ସ୍ତ୍ରୀଲୋକମାନଙ୍କୁ ନିଜ ଆଡ଼କୁ ବାଧ୍ୟ କରି ଟାଣି ଅଣାଯାଏ ଏ କଳାଟି ମଧ୍ୟ ତାଙ୍କୁ ବେଶ୍ ଜଣାଥିଲା । ମୁଁ କିନ୍ତୁ ନଥିଲି ହାରିଯିବାର ପାତ୍ରୀ । ତେଣୁ ମୁଁ ଆରମ୍ଭ କଲି ତାଙ୍କ ଘରକୁ ଯିବା ଆସିବା ଏବଂ ତାଙ୍କ ସ୍ତ୍ରୀଙ୍କ ସଙ୍ଗେ କଲି ଭାବଦୋସ୍ତି । ବହୁତ ଭଲ ପାଇଲି ତାଙ୍କ ପିଲା ତିନୋଟିଙ୍କୁ । ଭଦ୍ର ବ୍ୟକ୍ତି ହୋଇଗଲେ ନିହାତି ଅପ୍ରତିଭ ।

ମୁଁ ଯେ ତାଙ୍କ ପରିବାର ସାଙ୍ଗେ ଦୋସ୍ତି କରିପାରିବି ତାଙ୍କର ଅସତ୍ ଉଦ୍ଦେଶ୍ୟର ସମସ୍ତ ସୂଚନା ପାଇଲା ପରେ ମଧ୍ୟ, ଏ କଥା ସେ ଭାବି ନଥିଲେ । ମୋର ଯେଉଁ ରୂପ, ରଙ୍ଗ ଓ ଗଠନ ସେଥିରେ ତାଙ୍କ ସୁନ୍ଦରୀ ଧର୍ମପତ୍ନୀ କେବେ ସ୍ୱପ୍ନରେ ଭାବି ନଥିଲେ ଯେ ତାଙ୍କ ପତିଦେବ ମୋତେ ଖରାପ ଦୃଷ୍ଟିରେ ଦେଖୁଛନ୍ତି, ଏବଂ ସୁବିଧା ମିଳିଲେ ମୋର ସାମାନ୍ୟ ଇଙ୍ଗିତରେ ବା ଅସାବଧାନତାରେ ଝାମ୍ପି ପଡ଼ିବେ ମୋ ଉପରେ । ନିଜ ପତିଙ୍କ ଆଇଁଷିଆ ସ୍ୱଭାବ ବିଷୟରେ ତାଙ୍କର କିଛି ଧାରଣା ନିଶ୍ଚୟ ଥିବ ଆଗରୁ । କିନ୍ତୁ ସେ ମୋତେ ତାହା ଜାଣିବାକୁ ଦେଇନାହାନ୍ତି । ମୁଁ ବି.ଡ଼ି.ଓ.ଙ୍କ ବିଷୟରେ ଯାହା ଭାବୁଥିଲି ତାହା କିଛି ପ୍ରକାଶ କରିନଥିଲି ତାଙ୍କ ସ୍ତ୍ରୀଙ୍କ ଆଗରେ ।

ବେଦ ଉପନିଷଦ ପଢ଼ିବାରେ ନାରୀର ଅଧିକାର ନାହିଁ ତା’ ନୁହେଁ । ବିବାହିତା ନାରୀର ଏହା ଆବଶ୍ୟକ ନୁହେଁ, କାରଣ ପରିବାରର ସମସ୍ତଙ୍କ ପାଇଁ ସେ ଯେଉଁ ସେବା କରେ ତାହା ଯଜ୍ଞ । କଣ୍ଟାପଡ଼ା ବି.ଡ଼ି.ଓ.ଙ୍କ ପତ୍ନୀ ଏହି ଯଜ୍ଞରେ ସଦା ନିଯୁକ୍ତ ଥିଲେ । ବି.ଡ଼ି.ଓ.ଙ୍କୁ କାମୁକ ରାକ୍ଷସ ରାବଣଙ୍କ ସଙ୍ଗେ ତୁଳନା କଲେ ତାଙ୍କ ପତ୍ନୀ ମନ୍ଦୋଦରୀଙ୍କ ଭଳି ପ୍ରାତଃ ସ୍ମରଣୀୟା ଦେବୀଙ୍କ ସଙ୍ଗେ ତୁଳନୀୟା ।

ଗୋଟିଏ ଫାମିଲି ଫ୍ରେଣ୍ଡ୍ ଭାବରେ ତାଙ୍କ ଘରେ କଟୁଥିଲା ଆମର ସମୟ । ସବୁ ଯେମିତି ସାଧାରଣ । ମୋ ସାଙ୍ଗରେ କିଛି ବଦ୍ମାସୀ କଲେ ତାଙ୍କ ପତ୍ନୀଙ୍କୁ ମୁଁ ସବୁ କହିଦେବି ଏଭଳି ଧାରଣା ମୁଁ ସୃଷ୍ଟି କରିବାକୁ ଚାହିଁଥିଲି ବି.ଡ଼ି.ଓ.ଙ୍କ ମନରେ । ତେଣୁ ମୋ ସଙ୍ଗେ ଶସ୍ତା ଥଟ୍ଟା ତାମସାର ବ୍ୟବହାର କରିବାକୁ ସେ ସଙ୍କୋଚ ବୋଧ କରୁଥିଲେ ।

ବି.ଡ଼ି.ଓ.ଙ୍କ ସଙ୍ଗେ ଟୁର୍‌ରେ ଯିବାର ପ୍ରଲୋଭନ ସେ ଯେତେବେଳେ ମୋତେ ଦେଖାଉଥିଲେ ମୁଁ ତାଙ୍କ ପତ୍ନୀଙ୍କୁ ମଧ୍ୟ ପିଲାଙ୍ଗ ସଙ୍ଗେ ସେହି ସ୍ଥାନକୁ ଯିବା ପାଇଁ ଜିଦ୍ କରିବାକୁ କହୁଥିଲି । ପରେ ଶେଷ ମୁହୂର୍ତ୍ତରେ ବି.ଡ଼ି.ଓ. ମହୋଦୟ ମୋର ଯିବାକୁ ଡ୍ରପ୍ କରି ଦେଉଥିଲେ । ବେଳେବେଳେ ଆପଣା ପିଲାଙ୍କୁ ନେଇ ଯାଉଥିଲେ । ଅନ୍ୟବେଳେ ଏକୁଟିଆ ଯାଉଥିଲେ ବା ଗସ୍ତ କାର୍ଯ୍ୟକ୍ରମ ବାତିଲ୍ କରୁଥିଲେ ।

କାଳକ୍ରମେ ଯେତେବେଳେ ବି.ଡ଼ି.ଓ. ମୋର ଏହି କୌଶଳଗୁଡ଼ିକ ଜାଣିଗଲେ, ବୁଝିଗଲେ ଯେ ତାଙ୍କର କୌଣସି ତଥାକଥିତ ବ୍ୟକ୍ତିତ୍ୱର ଚମକ ବା ଭୟ ପ୍ରଦର୍ଶନ ମୋ ଉପରେ କାମ କରିବ ନାହିଁ, ସେ ମୋତେ ବଦନାମ କରି ଚେଷ୍ଟା କଲେ ମୋତେ ଆତ୍ମସମର୍ପଣ କରାଇବାକୁ । ନାନାଦି ଜଘନ୍ୟ କଥା ଅନ୍ୟମାନଙ୍କ ଆଗେ ଗପିଲେ । କହିଲେ, “ମୁଁ ଚେଷ୍ଟା କରୁଛି ତାଙ୍କୁ ଫସାଇବାକୁ ଓ ତାଙ୍କର ସଂସାର ଉଜାଡ଼ିବାକୁ । ସେ ନିରୁତା ଗଙ୍ଗାଜଳ ଭଳି ପବିତ୍ର ଓ ମୋତେ ସାନଭଉଣୀ ଛଡ଼ା ଅନ୍ୟ ଦୃଷ୍ଟିରେ ଦେଖନ୍ତି ନାହିଁ, କିନ୍ତୁ ମୋ ଆଖିରେ ଥାଏ ଯେପରି ଶତାବ୍ଦୀର କ୍ଷୁଧା ।”

ସେ ଥିଲେ ବିବାହିତ । ତିନୋଟି ସନ୍ତାନର ବାପା ଓ ସାମାଜିକ ଭାବେ ପ୍ରତିଷ୍ଠିତ । ମୁଁ ରହୁଥିଲି ଏକା, ଯୁବତୀ, ଅବିବାହିତା ଏବଂ ଅସୁନ୍ଦରୀ । ଏଣୁ ମୁଁ ଚରିତ୍ରହୀନା ହେବା ସମାଜ ପକ୍ଷେ ଯେପରି ଥିଲା ନିତାନ୍ତ ସ୍ୱାଭାବିକ୍ ଓ ସୃଷ୍ଟିର ଏକ ନିୟମ ।

ବି.ଡ଼ି.ଓ.ଙ୍କ ମୋ ବିଷୟରେ କୁତ୍ସାରଟନା ପଡ଼ିଲା ମୋ କାନରେ । ମୁଁ ତାକୁ ଖାତିର୍ କଲିନାହିଁ । କେତେଜଣଙ୍କ ଆଗରେ ସଫାଇ ଦେବି ଓ କାହିଁକି ଦେବି ? ମୁଁ ବି.ଡ଼ି.ଓ.ଙ୍କ ପରିବାର ସଙ୍ଗେ ଯେପରି ସମ୍ପର୍କ ରଖୁଥିଲି ସେପରି ଚାଲୁ ରଖିଲି । ମଝିରେ ମଝିରେ ନିଜ ସ୍ତ୍ରୀ ପିଲାମାନଙ୍କୁ ନିଜ ଗାଁକୁ ବା ବାପଘରକୁ ପଠାଇ ଦେଇ ବି.ଡ଼ି.ଓ. ମୋତେ ଡାକିଲେ ଘରକୁ । ଭାବିଲେ ଯେ ମୁଁ ପୂର୍ବଭଳି ତାଙ୍କ ଘରକୁ ଯିବି । ମୁଁ କିନ୍ତୁ ନଥିଲି ଏତେ ମୂର୍ଖ । ମୋ ଘରକୁ ସେ ବେନାମୀ ଚିଠି ମଧ୍ୟ ପଠାଇଲେ । ଆତ୍ମ ସମର୍ପଣ ନ କଲେ ସେଥିରେ ପ୍ରଚ୍ଛନ୍ନ ଧମକ ଥିଲା ମୋତେ ବଦନାମ କରିବା ପାଇଁ । ମୋ ଘରକୁ ପଠାଇଲେ ବେନାମୀ ଚିଠି ତାଙ୍କ ସାଙ୍ଗେ ମୋତେ ଯୋଡ଼ି ।

ବି.ଡ଼ି.ଓ. ମୋ ନାମେ କରୁଥିବା ଏ ବଦ୍‌ନାମକୁ ମୋ ଭାଇଭଉଣୀମାନେ ବିଶ୍ୱାସ କରି ମୋ ସାଙ୍ଗେ ଛିନ୍ନ କରି ଦେଲେ ସମସ୍ତ ସମ୍ପର୍କ । ମୋର ନଥିଲା କୌଣସି ଚିନ୍ତା । ମୁଁ ନିଜ ସାମ୍ରାଜ୍ୟରେ ସାମ୍ରାଜ୍ଞୀ । ମୋ ଅର୍ଜନ ମୋ ପରିଧିରେ । କାହିଁକି ଏ ଅକୃତଜ୍ଞ କୃତଘ୍ନ ପରିବାରବର୍ଗକୁ ପୋଷିବି ? ତାଙ୍କ ପାଇଁ ସବୁ ପଇସା ଖର୍ଚ୍ଚ କରିଦେବି । ପରେ ନିଜ ଦେହପା’ ଖରାପ ହେଲାବେଳକୁ କେହି ବାସିରେ ପଚାରିବେ ନାହିଁ ମୋତେ ।

ଚାରିବର୍ଷ ପରେ କଣ୍ଟାପଡ଼ାରୁ ବଦଳି ହେଲା ମୋର । ଔଷଧ ରାଗରେ ତାଟିଆ କାମୁଡ଼ିଲା ଭଳି ବି.ଡ଼ି.ଓ. ମୋତେ ତଳିତଳାନ୍ତ କରିବାକୁ ଖରାପ କଲେ ମୋର ଚରିତ୍ର ପଞ୍ଜିକା ତିନିବର୍ଷ ଧରି । ମୋର ସେଥିରେ ବି ଚିନ୍ତା ନ ଥିଲା । ମୁଁ ଜାଣିଥିଲି ଚାକିରୀ କରୁଥିବା ଅସୁନ୍ଦରୀ କାଳୀ ଏକାକୀ ସ୍ତ୍ରୀଲୋକ ଯଦି ସତ୍‌ପଥରେ ଚାଲେ ଏବଂ ଖଟି ଖଟି ମରି ମଧ୍ୟ ଯାଏ, ତେବେ ବି ସିଏ ଆଉଟ୍‌ଷ୍ଟାଡିଂ ସି.ସି.ଆର୍. ପାଇବ ନାହିଁ, ତା’ର ଦକ୍ଷତା ଯାହା ହେଉ ପଛେ ।

ତୁ ଶୁଣିଥିଲୁ, ମୁଁ ତାଙ୍କ ସୁନାର ସଂସାରକୁ ଚୂନା କରିଦେଲି । କଣ୍ଟାପଡ଼ା ବି.ଡ଼ି.ଓ.ଙ୍କ ସୁନାର ସଂସାର ସେ କଣ୍ଟାପଡ଼ାରୁ ଗଲାପରେ ଚୂନା ହେଲା ନାକଟିଦେଉଳ ବ୍ଲକ୍‌ରେ । ସେଠାରେ ସେ ଜଣେ ସୁନ୍ଦରୀ ଅବିବାହିତା ଏଲ୍.ଏସ୍.ଇ.ଓ.ଙ୍କ ସହ ଘନିଷ୍ଠ ଭାବେ ସମ୍ପୃକ୍ତ ହୋଇପଡ଼ିଲେ । ସେ ସେଠାକୁ ପିଲାଙ୍କ ପଢ଼ାପଢ଼ି ଆଳରେ ଫ୍ୟାମିଲି ନେଲେନାହିଁ । ଏକୁଟିଆ କ୍ୱାଟର୍‌ରେ ରହିଲେ । ନିଜ ସ୍ତ୍ରୀପିଲାଙ୍କୁ ଅବହେଳା କରି ଅଜସ୍ର ପଇସା ସୁନ୍ଦରୀ ଏଲ୍.ଏସ୍.ଇ.ଓ.ଙ୍କ ପଛରେ ଖର୍ଚ୍ଚ କଲେ । ଶୁଣିଲି, ତାକୁ ଦେଇଥିଲେ ସୁନାହାର, ହୀରା ପଥର ବସା କାନଫୁଲ ଓ ମୁଦି ଉପହାର ।

ସେଇଠାରେ ଧରାପଡ଼ିଲେ ବି.ଡ଼ି.ଓ. ବାବୁ ଲାଞ୍ଚ ନେଲାବେଳେ । ପ୍ରଥମେ ସସ୍ପେଣ୍ଡ୍‌ ହେଲେ ଚାକିରୀରୁ, ପରେ ତଡ଼ା ଖାଇ ଭିଜିଲାନ୍ସ କେସ୍‌ରେ ଜେଲ୍ ଗଲେ । ଜେଲ୍‌ରେ ମଧ୍ୟ ଲୁଚାଚୋରାରେ ଦେଶୀମଦ ପିଇ ଚାଲିଲେ ଆଉ ଗେଞ୍ଜଇ ଟାଣିଲେ । ସେହି ସମ୍ୱଲପୁର ଜେଲ୍‌ରେ ଦୁଇବର୍ଷ ମଧ୍ୟରେ ଲିଭରସିରୋସିସ୍‌ରେ ତାଙ୍କର ହେଲା ଦେହାନ୍ତ ।

ତାଙ୍କ ଜେଲ୍ ଯିବା ପରଠାରୁ ତାଙ୍କର ପିଲାଙ୍କ ପଢ଼ା ଖର୍ଚ୍ଚ ପାଇଁ ମୁଁ ତାଙ୍କ ସ୍ତ୍ରୀଙ୍କ ପାଖକୁ ମାସକୁ ଦୁଇ ହଜାର ଟଙ୍କା ଆଠବର୍ଷ କାଳ ପଠାଇଥିଲି । ସେ ତିନିଜଣ ଆଜି ବିଭିନ୍ନ ଉଚ୍ଚ ପଦପଦବୀରେ ଅବସ୍ଥାପିତ । ମୋ ସାହାଯ୍ୟ କଥା କେବଳ ତାଙ୍କର ସ୍ତ୍ରୀ ଜାଣନ୍ତି । ପିଲାମାନେ ମୋର ଆର୍ଥିକ ସାହାଯ୍ୟ କଥା କେହି ଜାଣିନାହାନ୍ତି କିନ୍ତୁ ମୋତେ ଏବେ ବି ସେମାନେ ଖୁବ୍ ଭଲ ପାଆନ୍ତି । ସେ ବି.ଡ଼ି.ଓ.ଙ୍କର ସଂସାର ସୁନାର କେବେ ନ ଥିଲା । ମୋ ସାହାଯ୍ୟ ଓ ସହାନୁଭୂତିରେ ଏବେ ତାହା ସୁନା ହୋଇଛି ।

ଏସବୁ ମୁଁ କେବେ ପ୍ରଚାର କରିନାହିଁ । କାହିଁକି ବା କରିବି ! ମୁଁ ନିଜେ ଜାଣେ ମୁଁ କେତେ ନିର୍ମଳ । ମୋ ସାଙ୍ଗରେ ଯେଉଁମାନେ କଣ୍ଟାପଡ଼ାରେ କାମ କରୁଥିଲେ ସେମାନେ ଜାଣନ୍ତି ମୋ ଚରିତ୍ର କ’ଣ । ମୁଁ ଭଲ, ମୁଁ ନିର୍ଦ୍ଦୋଷ ଏ କଥା କାହାକୁ କ’ଣ ବାଜା ବଜାଇ କୁହାଯାଏ । ଯଦି କୁହାଯାଏ ତେବେ କେତେ ଦିନ ପର୍ଯ୍ୟନ୍ତ ? ତେଣୁ ମୋତେ ଯେଉଁମାନେ ଯେତେବେଳେ ଏ ବିଷୟରେ ପଚାରିଛନ୍ତି ସେମାନେ ଜାଣନ୍ତି ଯେ ବି.ଡ଼ି.ଓ. କେମିତି ଲୋକ ଆଉ ମୁଁ କେମିତି ଲୋକ ।

ଯେଉଁମାନେ ମୋ ବିଷୟରେ ଯାହା ବି ଶୁଣିଲେ ବିଶ୍ୱାସ କରିବାକୁ ଆଗଭର, ସେମାନେ ମୋତେ ପଚାରିବା ବା ସତ୍ୟାସତ୍ୟ ଅନୁସନ୍ଧାନ କରିବାକୁ ଚେଷ୍ଟା କରିନାହାନ୍ତି । ସେମାନଙ୍କର ଧାରଣା ଆଜି ପର୍ଯ୍ୟନ୍ତ ହୁଏତ ସେହିଭଳି ଅଛି ଯେଭଳି ସେ ବି.ଡ଼ି.ଓ. ପ୍ରଚାର କରିଥିଲେ । ମୋ ନିଜର କେବେ ବାହା ହେବାର ନଥିଲା ବା ପିଲାପିଲିଙ୍କର ବାହାଘର ନଥିଲା ଯେ ମୁଁ କ୍ୟାରେକ୍ଟର ସାର୍ଟିଫିକେଟ୍ ମାଗି ବୁଲିଥାନ୍ତି ବାର ଦୁଆର ।

ତା’ପରେ ଶୁଣ ମୋର ସୋନପୁର ପୋଷ୍ଟିଂର କଥା । ମୁଁ ସେତେବେଳକୁ ସବ୍‌ଡିଭିଜ୍‌ନାଲ୍ ସୋସିଆଲ୍ ୱେଲ୍‌ଫେୟାର୍ ଅଫିସର୍ ଭାବେ ପଦୋନ୍ନତି ପାଇ ସାରି ଥାଏ । ଆଇଁଷିଆ ପୁରୁଷ ଅଫିସର୍, ତଥାକଥିତ ଚରିତ୍ରବାନ୍ ରାଜନେତା ଏବଂ ଆତୁରିଆ ସହକର୍ମୀମାନଙ୍କଠାରୁ ନିଜକୁ କେମିତି ରକ୍ଷା କରିବାକୁ ହୁଏ ମୋର ସେତେବେଳେ ବେଶ୍ ଅଭିଜ୍ଞତା ଆସି ଯାଇଥିଲା ।

ମୁଁ ଜାଣୁଛି, ତୋତେ ବିଶ୍ୱାସ ଆସୁନାହିଁ, ମୁଁ ଯେତେ ଅସୁନ୍ଦରୀ, ମୋ ଉପରେ କିଏ କେବେ ଲୋଭ ଦୃଷ୍ଟି ପକାଇବ ?

ମୋତେ ଥରେ ଦଶଦିନ ଧରି ସୋନପୁରରେ ହେଲା ପ୍ରବଳ ଜ୍ୱର । ମ୍ୟାଲେରିଆ ଜୀବାଣୁ ରକ୍ତରୁ ମିଳିଲେ ନାହିଁ । ଦଶଦିନ ପରେ ଜଣାପଡ଼ିଲା ମୋତେ ଟାଇଫଏଡ୍ । ସୋନପୁରରେ ସେତେବେଳେ ୱିଡ଼ାଲ୍ ଟେଷ୍ଟ୍‌ର ସୁବିଧା ନଥିଲା । ଲକ୍ଷଣରୁ ଯାହା ଜାଣିବା କଥା । ବଲାଙ୍ଗୀରରୁ ବ୍ଲଡ୍ ରିପୋର୍ଟ ଆସିଲା ପରେ ଏହା ଜଣାପଡ଼ିଲା । ମୋର ଛୁଟି ଦରଖାସ୍ତରୁ ହୁଏତ ମୋର ଦେହ ଅବସ୍ଥା ଜାଣି ସୋନପୁର ଆଇ.ଏ.ଏସ୍. ସବ୍‌କଲେକ୍ଟର୍ ଦିନେ ମୋତେ ଦେଖିବାକୁ ଆସିଥିଲେ ଅଫିସ୍ କାମ ସାରି ମୋ କ୍ୱାର୍ଟରକୁ ରାତି ଆଠଟା ବେଳେ । ସବ୍‌କଲେକ୍ଟର୍ ଭାବେ ବେଶ୍ ସୁନାମ ଥିଲା ତାଙ୍କର । ସୌମ୍ୟଦର୍ଶନ, ସୁଶୀଳ ଓ ମାର୍ଜିତ ଥିଲା ବ୍ୟବହାର । ମାନବିକତାର ଏକ ଅସରନ୍ତି ଭଣ୍ଡାର ଭାବେ ସୁନାମ କରିଥିଲେ ସେ ।

ମୋ ଘରେ ସେତେବେଳକୁ ପିଅନ୍ କେହି ନଥିଲେ । ରାତି ଆଠଟା ସମୟ । ମୁଁ ଏକୁଟିଆ ଖଟରେ ପଡ଼ିଥାଏ । ହଠାତ୍ ସବ୍‌କଲେକ୍ଟର୍‌ଙ୍କୁ ଦେଖି ନିତାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ଠିଆ ହୋଇ ନମସ୍କାର କରିବି ଏ ବଳ ନଥିଲା ମୋ ଦେହରେ । ଭାରି ଖରାପ ଲାଗିଲା । କହିଲି, “ସାର୍, ଆପଣ ଏତେ କଷ୍ଟ କରି କାହିଁକି ଆସିଲେ ?” ନିତାନ୍ତ ନମ୍ର ଓ ଭଦ୍ର ଭାବରେ ସେ ମୋ ଶେଯ ପାଖରେ ଚଉକିଟିଏ ଟାଣି ବସିଲେ । କହିଲେ, “ମୁଁ ଆଇ.ଏ.ଏସ୍. ହେଲେ ବି ଜଣେ ଏମ୍.ବି.ବି.ଏସ୍. ଡାକ୍ତର । ତୁମ ନାଡ଼ୀ ଦେଖିପାରେ କି ?”

ମୋର ମନା କରିବା ନଥିଲା । ସବ୍‌କଲେକ୍ଟର୍‌ ମୋଠାରୁ ଥିଲେ ପନ୍ଦର ବର୍ଷ ସାନ । ମୋ ହାତକୁ ଧରି ସେ ଅତି ମନଯୋଗ ସହ ନାଡ଼ୀ ଦେଖିଲେ । ମୋତେ ଜୋର୍‌ରେ ନିଶ୍ୱାସ ନେବାକୁ କହି ପିଠିପଟେ ଷ୍ଟେଥୋସ୍କୋପ୍ ଦେଇ ପରୀକ୍ଷା କଲେ । ପାଟି ମେଲା କରିବାକୁ କହି ଜିଭକୁ ଦେଖିଲେ । ଆଖିପତାକୁ ଟେକି ରକ୍ତଶୂନ୍ୟତା ପରୀକ୍ଷା କଲେ । ମୋର ଶରୀର ପ୍ରତି ଯେ ତାଙ୍କର କୌଣସି ଆକର୍ଷଣ ନଥିଲା ଏ କଥା ତାଙ୍କର ପ୍ରତିଟି କାର୍ଯ୍ୟରୁ ସ୍ପଷ୍ଟ ଥିଲା । କିନ୍ତୁ ଦୟା ଓ ସହାନୁଭୂତିର ଏ ଯେଉଁ ଉଦାହରଣ ସେ ଦେଖାଉଥିଲେ ସେଥିରେ ମୋର ତାଙ୍କ ପ୍ରତି ଜାଗ୍ରତ ହେଲା ଏକ ଅପୂର୍ବ ପ୍ରେମଭାବ ।

ଏଭଳି ଭାବ ମୁଁ ପୂର୍ବରୁ କେବେହେଲେ କେଉଁ ପୁରୁଷ ପ୍ରତି ଅନୁଭବ କରିନଥିଲି । ମୋତେ ଲାଗିଲା ଯେପରି ଯୁଗ ଯୁଗ ଧରି ଏ ଦିବ୍ୟ ପୁରୁଷଟିକୁ ମୁଁ ଜାଣିଛି । ଜନ୍ମଜନ୍ମାନ୍ତରୁ ସେ ଯେପରି ମୋର ଏକାନ୍ତ ନିଜର । ଏତେ ସହୃଦୟତା, ଏତେ ମାନବିକତା, ଏତେ ଅନ୍ତରଙ୍ଗ ଜଣେ ମୋ ଭଳି ଅସୁନ୍ଦରୀ ମହିଳାକୁ ସେ ଦେଖାଇ ପାରୁଛନ୍ତି । ଏଥିରେ ତାଙ୍କ ସ୍ୱାର୍ଥ ତ କିଛି ନଥିଲା । ନଥିଲା କୌଣସି ଶାରୀରିକ କ୍ଷୁଧା ବା ଜାନ୍ତବ କାମନା ।

ତେବେ ଏ ପ୍ରେମ କ’ଣ ଅପ୍ରାକୃତ, ଅପାର୍ଥିବ ? ମୁଁ କାହିଁକି ହଠାତ୍ ସ୍ୱର୍ଗୀୟ ଆକର୍ଷଣ ଅନୁଭବ କରୁଛି ଏ ଯୁବକଟି ପ୍ରତି ? ଆମର ପ୍ରଶାସନିକ ପାହ୍ୟା ଅଲଗା । ଆମର ସାମାଜିକ ସ୍ତର ଅଲଗା । ଚିହ୍ନା ପରିଚୟ ଏ ଛଅମାସ ହେଲା ଯାହା କି ନିତାନ୍ତ ଭାବେ ସରକାରୀ ଆଦବ କାଇଦାର ସୀମା ଭିତରେ । ଆଜି ମଧ୍ୟ ସେ ଯେପରି ମୋତେ ପରୀକ୍ଷା କରୁଛନ୍ତି କେବଳ ପୁରୁଷ ଡାକ୍ତର ମହିଳା ରୋଗୀକୁ ପରୀକ୍ଷା କରିବାର ସମସ୍ତ ସଂଯମ ଓ ଶାଳୀନତାର ସୀମା ଭିତରେ ଯେପରି ଗୋଟିଏ ରୋବର୍ଟ ଡାକ୍ତର ଆଉ ଗୋଟିଏ ରୋବର୍ଟ ରୋଗୀକୁ ଦେଖୁଛି ।

ତା’ପରେ

ଲୋକପ୍ରିୟ ଲେଖା

To Top