ଗଳ୍ପ

ଦେବକନ୍ୟା

Dr Ajeet Kumar Tripathy's Odia Story DEBAKANYAA

ମଣିଷର ପ୍ରକୃତି ହେଲା ସେ କେବଳ ନିଜ ଉନ୍ନତିରେ ସନ୍ତୁଷ୍ଟ ହୁଏ ନାହିଁଷ ଅନ୍ୟର ପତନ ଚାହେଁ ଓ ସେହି ପତନକୁ ହିଁ ନିଜର ଉନ୍ନତିର ସିଡ଼ି ବୋଲି ଭାବେ । କୋମଳ ସାମ୍ୱାଦିକତା କ୍ଷେତ୍ରରେ ମଧ୍ୟ ଏହି ସତ୍ୟଟି ଏକବାରେ ପ୍ରଯୁଜ୍ୟ ।

ଦେବକନ୍ୟା

-: ପୁର୍ବରୁ :-

କିନ୍ତୁ ମୋତେ ବୋଧ ହେଲା ଯେପରି ମାନବ ସଭ୍ୟତାର ଆରମ୍ଭରୁ ଯେତେ ଆଦର୍ଶ ବୈଦ୍ୟ ହୋଇଛନ୍ତି, ତା’ ଭିତରୁ ଜଣେ ଆଦର୍ଶତମ ବୈଦ୍ୟ ମୋତେ କେବଳ ପରୀକ୍ଷା କରୁନାହିଁ, ଜାଣିବାକୁ ଚାହୁଁଛି ମୁଁ କିଏ ? ମୋ ସାଙ୍ଗରେ ତା”ର କି ସମ୍ପର୍କ କେବେଠୁ ଅଛି ଏବଂ ଏହାର ଅନ୍ତ କେଉଁଠି ?

ମୁଁ କ’ଣ ସ୍ୱର୍ଗର ଅଭିଶପ୍ତା ଅପସରୀ ଜନ୍ମ ନେଇଛି ଏହି ମର୍ତ୍ତ୍ୟରେ ? ଆଉ ଆଜି ମୋର ଅସୁସ୍ଥତାକୁ ଦେଖିବାକୁ ସ୍ୱର୍ଗର ଦିବ୍ୟ ସୁନ୍ଦର ବୈଦ୍ୟ ଅଶ୍ୱିନୀ କୁମାରଙ୍କ ମଧ୍ୟରକୁ ଜଣେ ଓହ୍ଲାଇ ଆସିଛି । ମୋ ହାତ ଧରି କହୁଛି, “ଚିନ୍ତା ନାହିଁ, ତୁମେ ଭଲ ହୋଇଯିବ । ସ୍ୱର୍ଗରେ ସିନା ମୁଁ ବୈଦ୍ୟ ଅଛି, କିନ୍ତୁ ସେଠାରେ ତ କେହି ଜ୍ୱରରେ ପଡ଼ନ୍ତି ନାହିଁ । ତୁମ ସାଙ୍ଗେ ଦେଖା ହୋଇଥାନ୍ତା କିପରି ? ତୁମ ଦେହ ଖରାପ ଖବର ପାଇ ମୁଁ ଚାଲି ଆସିଲି ।”

ମୋତେ ଆହୁରି ଲାଗିଲା ଯେ ନଅ ବର୍ଷର ବାଳୁତ କହ୍ନେଇକୁ ନନ୍ଦରାଜା ରାଧାଙ୍କୁ ହାତରେ ଅର୍ପଣ କରି କହୁଛନ୍ତି, ମେଘ ମାଡ଼ି ଆସୁଛି, ରାଧେ, ବାଟରେ ଜଙ୍ଗଲ ରାସ୍ତା, ବୃନ୍ଦାବନରୁ କୃଷ୍ଣଙ୍କୁ ନେଇଯାଅ ଘରକୁ । ଛୋଟ ପିଲା ସେ । ଅନ୍ଧାରକୁ ଡରୁଛି ।

ମୁଁ ସେହି ରାଧା, ଯିଏ କି କଳ୍ପନାର ଏକ ଅପ୍ରାକୃତ ଜଗତରେ କୃଷ୍ଣଙ୍କ ସଙ୍ଗେ ରାସଲୀଳା ପାଇଁ ଯିବାବେଳେ ଦେହ ଖରାପ ହୋଇ ଖଟରେ ପଡ଼ିଛି । ଦ୍ୱାପରର କୃଷ୍ଣ କଳା ରାଧା ଗୋରୀ, ଆଉ ଏ କଳିଯୁଗରେ ରାଧା କାଳୀ, ଅସୁନ୍ଦରୀ ଆଉ କୃଷ୍ଣ ଗୋରା ଆଉ ସୁନ୍ଦର । ସେହି ଶ୍ରୀକୃଷ୍ଣ ମୋତେ ବୋଧ ଦେଇ କହୁଛନ୍ତି- “ରାଧେ, ତୁମେ ଭଲ ହୋଇଯିବ । ମୁଁ ପରା ତୁମ ସାଙ୍ଗରେ ଅଛି । ଭୟ କାହାକୁ ?”

ମୁଁ ଯେପରି କହୁଛି, କାହ୍ନା ତୁମେ ଥିଲେ ମୋର ଆଉ ଭୟ କାହାକୁ ନାହିଁ । ମୋତେ ଲାଗିଲା ମୁଁ ଯେପରି ସତରେ ଦ୍ୱାପରଯୁଗକୁ ଚାଲିଯାଉଛି । ମୋ ଜୀବନର ଧନ କୃଷ୍ଣଙ୍କୁ ପାଖରେ ପାଇ ମୋ ଜନ୍ମ ସାର୍ଥକ ହୋଇଯାଇଛି । ଏହି ଦିବ୍ୟ ପ୍ରେମବନ୍ୟାର ତରଙ୍ଗ ମୋତେ ଯେପରି ଭସାଇ ନେଉଛି ଦୂରକୁ ବହୁ ଦୂରକୁ । ମୋ କାହ୍ନା ମୋ ହାତକୁ ଧରି ସେହି ତରଙ୍ଗ ଉପରେ ଭସାଇ ନେଇ ଯାଉଛି ମୋ ସାଙ୍ଗରେ ପହଁରି ପହଁରି ।

ସବ୍‌କଲେକ୍ଟର୍‌ଙ୍କ ସେହି ପାଞ୍ଚ ମିନିଟର କଥା, ସ୍ପର୍ଶ, ଯତ୍ନ ଏ ସବୁ କିଛି ମୁହୂର୍ତ୍ତ ପାଇଁ ମୋତେ ଏକ ଅତିନ୍ଦ୍ରିୟ ରାଜ୍ୟକୁ ନେଇଗଲା । ସେଇ କେତୋଟି ମୁହୂର୍ତ୍ତ ମୁଁ ଅନୁଭବ କଲି ନିର୍ମଳ ନିଷ୍କାମ ପ୍ରେମ କ’ଣ ! ସେଥିରେ ନଥିଲା ଲାଳସା, ବାସନା, ବା କାମନା । ମୋ ପାଇଁ ଏହା ଥିଲା ଏକ ସମ୍ପୂର୍ଣ୍ଣ ସମର୍ପଣର ଭାବନା କିନ୍ତୁ କେବଳ ଅନ୍ତଃକରଣରେ, ଶାରୀରକ ଭାବେ ଆଦୌ ନୁହେଁ । ସେଇ ସ୍ୱର୍ଗୀୟ, ପ୍ରାଣ, ଜ୍ଞାନ, ମନ, ବୁଦ୍ଧି ଅହଂକାର ଏ ସମସ୍ତ ଯାଇ କେବଳ ମୋ ଆତ୍ମା ରହିଯାଇଛି ଏକ ଆନନ୍ଦମୟ କୋଷରେ ଆବୃତ୍ତ ହୋଇ ଏବଂ ସେହି ଆନନ୍ଦ ଥିଲା ପ୍ରେମର ଆନନ୍ଦ ।

ମୁଁ ଆଉ ଏ ଦୁନିଆଁରେ ନ ଥିଲି କିଛିକ୍ଷଣ ପାଇଁ । ଚେତା ଆସିଲା ବେଳକୁ ଦେଖିଲି ଯେ ସାତଦିନ ପାଇଁ ଟାଇଫଏଡ୍ର ଔଷଧ, ଟନିକ୍ ଆଉ ଲିଭର୍ ପାଇଁ ଔଷଧ ଟୁଲ୍ ଉପରେ ରଖି ସବ୍‌କଲେକ୍ଟର୍‌ ସାହେବ ଚାଲି ଯାଇଛନ୍ତି ।

ମୁଁ ନିଜକୁ ଲଜ୍ଜିତ ମନେ କଲି । ଘଣ୍ଟା ଦେଖି ଜାଣିଲି ମୁଁ ପ୍ରାୟ ତିନି ଚାରି ମିନିଟ୍ ଅଚେତ ଅବସ୍ଥାରେ ଥିଲି । ଏ କ’ଣ ହେଲା ? ମୋର ଚେତା କାହିଁକି ଚାଲିଗଲା ମୁଁ ଜାଣିପାରିଲି ନାହିଁ । ମୁଁ ତ ଏତେ ଦୁର୍ବଳ ବା ରକ୍ତହୀନ ହୋଇନଥିଲି ଯେ ଅଳ୍ପ ଉତ୍ତେଜନାରେ ଚେତନା ଶୂନ୍ୟ ହୋଇଯିବି । ଏ କ’ଣ ପ୍ରେମର ଲକ୍ଷଣ ? ଏ କ’ଣ ଉନ୍ମାଦ ? ସେ ତ ସତେଇଶି ବୟସର ଯୁବକ ମାତ୍ର । ମୁଁ କ’ଣ ସଂଯମ ହରାଇ ଦେଲି କି ? ନା ମୋଟେ ନୁହେଁ । ଜଣେ ସାଧୁ ପରେ ମୋତେ କହିଥିଲେ “ଏ ହେଉଛି ନିର୍ବିକଳ୍ପ ସମାଧିର ଅବସ୍ଥା ।” ମୋତେ ଏବେ ବି ବିଶ୍ୱାସ ହେଉ ନାହିଁ ।

ପ୍ରଥମଥର ପାଇଁ ମୁଁ ତ ବେମାର ପଡ଼ିନଥିଲି । ପ୍ରଥମ ଥର ପାଇଁ କୌଣସି ବନ୍ଧୁ ତ ମୋତେ ଏକୁଟିଆ ଘରେ ଦେଖିବାକୁ ଆସିନଥିଲେ । ପ୍ରଥମ ଥର ପାଇଁ କୌଣସି ପୁରୁଷ ଡାକ୍ତର ମୋ ଦେହ ଛୁଇଁ ନଥିଲେ । କିନ୍ତୁ ଏ ମୋର କ’ଣ ହେଲା  ମୁଁ ମନେ ମନେ କିନ୍ତୁ ଗର୍ବିତ ଅନୁଭବ କରୁଥିଲି ମୋ ମନ ଉପରୁ ସମସ୍ତ ନିୟନ୍ତ୍ରଣ ହରାଇ ସାରିଥିଲେ ମଧ୍ୟ ଶରୀରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରଖି ପାରିଥିଲି ଏବଂ ଏପରି କୌଣସି ଭୁଲ୍ ନିଜ ଆଡୁ ହେବାକୁ ଦେଇ ନଥିଲି ଯାହା ମୋତେ ପରେ ଲଜ୍ଜିତ କରିଥାନ୍ତା ।

ସବ୍‌କଲେକ୍ଟର୍‌ ମଧ୍ୟ ଅଶେଷ ଧନ୍ୟବାଦ୍‌ର ପାତ୍ର । କୌଣସି ପ୍ରକାର ବ୍ୟସ୍ତତା ବା ଚଞ୍ଚଳତା ନ ଦେଖାଇ ତାଙ୍କ ନିଜ ଘରକୁ ସେ ଚାଲି ଯାଇଥିଲେ । ସେ ହୁଏତ ଜାଣିଥିଲେ ମୋର ସାମୟିକ ଚେତନାହୀନତା ଶାରୀରିକ ଅସୁସ୍ଥତା ପାଇଁ ନଥିଲା ଯାହାର କି ଦରକାର ଥିଲା କୌଣସି ବିଶେଷ ଚିକିତ୍ସା । ମୁଁ ଶୋଇ ପଡ଼ିଥିବି ଭାବି ସେ ଔଷଧ ଦେଇ ଚାଲିଗଲେ ।

ସବ୍‌କଲେକ୍ଟର୍‌ଙ୍କର ମୋ ଘରକୁ ଆସିବା କଥା ମଣ୍ଡନ କଲା ସ୍ଥାନୀୟ ସମ୍ୱାଦପତ୍ରମାନଙ୍କ ପୃଷ୍ଠାରେ । ଏହା ପରେ ବଦଳି ହେଲା ସବ୍‌କଲେକ୍ଟର୍‌ଙ୍କର । ରାତିରେ ସବ୍‌କଲେକ୍ଟର୍‌ ମୋ ଘରକୁ କେବଳ ମୋତେ ଦେଖିବାକୁ ଆସିଥିଲେ । ସେଇ ଯଥେଷ୍ଟ ଥିଲା ଆମ ରାଜ୍ୟରେ ତାଙ୍କର ବଦ୍ନାମ ହେବା ପାଇଁ । ମଣିଷର ପ୍ରକୃତି ହେଲା ସେ କେବଳ ନିଜ ଉନ୍ନତିରେ ସନ୍ତୁଷ୍ଟ ହୁଏ ନାହିଁଷ ଅନ୍ୟର ପତନ ଚାହେଁ ଓ ସେହି ପତନକୁ ହିଁ ନିଜର ଉନ୍ନତିର ସିଡ଼ି ବୋଲି ଭାବେ । କୋମଳ ସାମ୍ୱାଦିକତା କ୍ଷେତ୍ରରେ ମଧ୍ୟ ଏହି ସତ୍ୟଟି ଏକବାରେ ପ୍ରଯୁଜ୍ୟ ।

ମୋ ଚରିତ୍ର ସଂହାର ତ ବହୁତ ଆଗରୁ ହୋଇ ସାରିଥିଲା । ସବ୍‌କଲେକ୍ଟର୍‌ ହୁଏତ ସେ ବିଷୟରେ କିଛି ଶୁଣିଥିବେ ଆଗରୁ । କିନ୍ତୁ ସେଦିନ ହୁଏତ ମାନବିକତାର ଏକ ଅପୂର୍ବ ଦୃଷ୍ଟାନ୍ତ ଦେଖାଇ ସେ ମୋ ଘରକୁ ଆସିଥିଲେ ମୋ ଦେହ କଥା ବୁଝିବା ପାଇଁ । ପୂର୍ବ ଦଶଦିନଯାକ କେହି ଜଣେ ହେଲେ ଚରିତ୍ରବାନ୍ ପୁରୁଷ ବା ନାରୀ ସହକର୍ମୀ ଆସିନଥିଲେ ମୋତେ ଦେଖିବା ପାଇଁ । ମୋ ଟାଇଫଏଡ୍ ବେମାରୀ ଭଲ ହେବା ପୂର୍ବରୁ ସବ୍‌କଲେକ୍ଟର୍‌ଙ୍କର ବଦଳି ହୋଇଗଲା । ମୁଁ ତାଙ୍କୁ କୃତଜ୍ଞତା ଜଣାଇ ପାରିଲିନାହିଁ । ମୋର ଦୁଃଖିତ ବା ଅନୁତପ୍ତ ହେବାର କିଛି ନ ଥିଲା । ରାଧା ଓ ମୀରା ଯୁଗେ ଯୁଗେ ବଦ୍ନାମ୍ ହୋଇଛନ୍ତି । ଏଥର କୃଷ୍ଣ ବଦ୍ନାମ ହୋଇଗଲେ । ମୋର ଏଇଟା ଭାଗ୍ୟ ନା ଦୁର୍ଭାଗ୍ୟ ମୁଁ ଆଜିଯାଏଁ ଜାଣିପାରି ନାହିଁ ।

ଭଗବାନ୍ ମୋତେ କାଳୀ, ଅସୁନ୍ଦରୀ କଲେ ସିନା, ମୋତେ ଆସକ୍ତି ଓ ବାସନାରହିତ ବ୍ରହ୍ମଚାରିଣୀ କରିନଥିଲେ । ମୋତେ ବର ମିଳି ନଥାନ୍ତେ ବୋଲି କ’ଣ ଲମ୍ପଟ ପୁରୁଷ ମିଳିନଥାନ୍ତେ ? ମୁଁ ସେଭଳି ପୁରୁଷମାନଙ୍କୁ କେବେ ପ୍ରେମିକି ଆଖ୍ୟା ଦେଇ ପାରିନଥାନ୍ତି । କାରଣ ମୁଁ ଜାଣିଥିଲି କାହାର କ’ଣ ଉଦ୍ଦେଶ୍ୟ । ପ୍ରେମର ବଦ୍ନାମ କାହିଁକି କରିବି ଏମାନଙ୍କୁ ପ୍ରେମିକ କହି ? ସେଥିପାଇଁ ହୁଏତ ଭଗବାନ୍ ସେଦିନ ମୋ ହୃଦୟରେ ଦୁଇ ମିନିଟ୍ ପାଇଁ ହେଲେ ମଧ୍ୟ ନିର୍ମଳ ଅପୂର୍ବ ପ୍ରେମର ଏପରି ଏକ ଦିବ୍ୟ ଭାବ ଜାଗରିତ କରାଇ ଦେଲେ ।

ମୋର ଯେଉଁ ଧାରଣା ଥିଲା ଯେ ସଂସାରଟାଯାକର ପୁରୁଷ କଣ୍ଟାପଡ଼ା ବି.ଡ଼ି.ଓ.ଙ୍କଠାରୁ ସାମାନ୍ୟ ଭଲ ବା ସାମାନ୍ୟ ଖରାପ ସେଇଟା ଦୂର ହୋଇଗଲା । ନାରୀ ହୃଦୟରେ ନିର୍ମଳ ନିଷ୍କାମ ପ୍ରେମର ଅବତରଣର କିପରି ଅନୁଭୂତି ହୁଏ ସେ ଧାରଣା ମୋର ଆସିଗଲା । ମୋର ଧାରଣା, ବିବାହିତା ନାରୀମାନଙ୍କ ମଧ୍ୟରୁ ଶତକଡ଼ା ଅନେଶ୍ୱତ ଭାଗଙ୍କ ପାଇଁ ଜୀବନସାରା ଏ ଦିବ୍ୟ ପ୍ରେମଭାବ କେବେହେଲେ ଆସି ନଥିବ ।

ସୋନପୁରରେ କାହା ଆଗରେ ମୋର କୌଣସି କୈଫିୟତ୍ ହେବା ଦରକାର ପଡ଼ିଲା ନାହିଁ । କଣ୍ଟାପଡ଼ା ବି.ଡ଼ି.ଓ.ଙ୍କ ଦୟାରୁ ମୋ ଲୁଗାରେ କାଳି ଛାଟିବାକୁ ଆଉ ଜାଗା ନଥିଲା । ସେଦିନର ସବ୍‌କଲେକ୍ଟର୍‌ ଏବେ କମିଶନର୍ ହେଲେଣି । ତାଙ୍କର ଦକ୍ଷତା, ମାନବିକତା, ସାଧୁତା ଓ ଚରିତ୍ରଗତ ନିର୍ମଳତା ପାଇଁ ସେ ରାଜ୍ୟରେ ନାଁ କରିଛନ୍ତି । କେତେବେଳେ କେମିତି ତାଙ୍କ କଥା ପଡ଼ିଲେ ସମସ୍ତେ କହନ୍ତି, ହଁ କ’ଣ ଗୋଟାଏ ଶୁଣାଯାଏ ତାଙ୍କ ନାଁରେ ସୋନପୁରରେ ସବ୍‌କଲେକ୍ଟର୍‌ ଥିଲାବେଳଏ । ହେଲେ ସେ ତ ନିରୁତା ସୁନା । ସେ ଆଜି ବିବାହିତ ଓ ଦୁଇଟି ସନ୍ତାନର ବାପା । ଲୋକେ ତାଙ୍କ ନାଁ ପଡ଼ିଲେ ହାତଟେକି ନମସ୍କାର କରନ୍ତି ।

ମୁଁ ଭଗବାନଙ୍କ ରାଣ ପକାଇ ତୋତେ କହୁଛି ଏହା ହିଁ ମୋର ସମ୍ପୂର୍ଣ୍ଣ ଇତିହାସ । ମୁଁ ଏକ ପୂର୍ଣ୍ଣ ଜୀବନ ବଞ୍ଚିଛି । ମୋର କୌଣସି ଅବଶୋଷ ନାହିଁ । ମୋତେ ବ୍ଲଡ୍ କ୍ୟାନ୍ସର୍ । ସାତଥର କେମୋ ନେଲିଣି । ଏବେ ଶେଷ ଅବସ୍ଥା । କିଏ ଜାଣେ କେତେ ମୁହୂର୍ତ୍ତ ମୁଁ ଆଉ ବଞ୍ଚିବି ? ମୋର ନିଜର ବୋଲି କେହି ନାହିଁ । ତୁ ହିଁ ମୋ ଶେଷ ଅନୁରୋଧ ରଖିବୁ ବୋଲି ମୋର ବିଶ୍ୱାସ ଆସିଲା । ତେଣୁ ତୋତେ ଚିଠି ଲେଖି ଡାକିଲି ।

ଶୁଣ୍ ବିଜୟ, ମୁଁ ତ ଚାଲିଯାଉଛି । ତୁ ଆହୁରି ଅନେକ ବର୍ଷ ବଞ୍ଚିବୁ । ବିଶ୍ୱାସ ଓ ବିଚାରରୁ ଯଦି ଗୋଟିଏ ବାଛିବାକୁ ପଡ଼େ ତେବେ ବିଶ୍ୱାସକୁ ବାଛିବୁ । ବିଚାର ଅନେକ ସମୟରେ ତୋତେ ପ୍ରେମଠାରୁ ଦୂରେଇ ନେବ ଦ୍ୱେଷ ଆଡ଼କୁ । ଲୋକେ ନିଜେ ଯାହା ଧର୍ମ ବୋଲି ଭାବନ୍ତି, ସେଇ ସାବୁନ୍‌ରେ ଅନ୍ୟ ଲୋକେ ପିନ୍ଧିଥିବା ମଇଳା ଲୁଗା ସଫା କରିବାକୁ ଚେଷ୍ଟା କରନ୍ତି । ଭାବନ୍ତି, ସେଥିରେ ଅନ୍ୟର ସଙ୍ଗେ ସଙ୍ଗେ ନିଜର ଅଧର୍ମ ଧୋଇ ହୋଇ ଚାଲିଯାଏ । ଚିତ୍ତର ଶୁଦ୍ଧତା କିନ୍ତୁ ମିଳେ, ଲୁଗା ଓ ସାବୁନ୍ ଦୁଇଟାଯାକ ତ୍ୟାଗ କଲେ । ପ୍ରେମ ବିନା ତଥାକଥିତ ଧର୍ମର ସାବୁନ୍‌ରେ କୌଣସି ଲୁଗାର ମଇଳା ସଫା ହୁଏ ନାହିଁ, ପାଣି ସରିଯାଏ । ମନେ ରଖିବୁ ଜୀବନଟା ରଙ୍ଗଭୂମି, ତାକୁ ମଣିଷ ଅବିଶ୍ୱାସ ଓ ଦ୍ୱେଷରେ ରଣଭୂମିରେ ପରିଣତ କରିଦେଉଛି । ଏ ରଣରେ ସମସ୍ତଙ୍କର ପରାଜୟ, କାହାର ବିଜୟ ନାହିଁ ।

ମୋତେ ଭୁଲ୍ ବୁଝିବୁ ନାହିଁ । ରଖିବୁ ମୋର ଏକ ଶେଷ ଅନୁରୋଧ । ମୋର ସଞ୍ଚିତ ଅର୍ଥ ଆମ ଗାଁ ବାଳିକା ହାଇସ୍କୁଲ୍ ମ୍ୟାନେଜ୍‌ମେଣ୍ଟ୍‌ କମିଟିକୁ ଦେଇ ଦେବୁ । ସେମାନେ ସୁଧ ପଇସାରୁ ଚାରୋଟି ଗରିବ ଝିଅଙ୍କୁ ବୃତ୍ତି ଦେଇ ପଢ଼ାଇବେ । ମୋ ତକିଆ ତଳେ ଏଥିପାଇଁ ତୋତେ ଅଥରାଇଜ୍ କରି କାଗଜ କରି ଦେଇଯାଇଛି । ଚେକ୍ କାଟି ଦେଇଛି । କିଏ ପଚାରିଲେ କହିବୁନି ତୁ ମୋତେ ଚିହ୍ନିନାହୁଁ ବୋଲି । ମୁଁ ତୋ ପ୍ରେମିକା ନ ଥିଲି ବା ସାଙ୍ଗ ନଥିଲି, କିନ୍ତୁ ତୁ ମୋ ଦୁର୍ନାମ ପାଇଁ ସାମୟିକ ଭାବେ କିଛିଟା ବିବ୍ରତ ନିଶ୍ଚୟ ଥିଲୁ ବୋଲି ମୋ ଉପରେ ରାଗିଥିଲୁ ଯେଉଁଥି ପାଇଁ ତୁ ମୋତେ ସେଦିନ ଚିହ୍ନିବାକୁ ମନା କରିଥିଲୁ । ସେଇ ବିବ୍ରତତା ହିଁ ଏକ ଅନ୍ତରଙ୍ଗତା ଓ ମାନବିକତା ଯାହାକୁ ମୁଁ ବହୁତ ସମ୍ମାନ କରେ । ଲୋକ ଯାହାକୁ କିଛିଟା ନିଜର ଭାବେ, ତା’ ଉପରେ ରାଗେ ଆଉ ଅଭିମାନ କରେ । ପର ଉପରେ ନୁହେଁ ।

ମୋ ପାଇଁ ଠାକୁରଙ୍କୁ ଥରେ ଡାକିବୁ, ପଚାରିବୁ ସରୋଜିନୀ ସତରେ ଏଭଳି ପ୍ରେମ ପାଇଁ କ’ଣ ଦୋଷୀ ? ତୋ ଭିତରକୁ ପଚାରିବୁ ଉତ୍ତର ଯାହା ମିଳିଲା ଶୁଣିବାକୁ ମୁଁ ନଥିବି । ଉପରକୁ ଗଲେ ଭଗବାନଙ୍କୁ ପଚାରିବି, “ହେ ଈଶ୍ୱର, ଯଦି କାଳୀ, ମୋଟି ଓ ଅସୁନ୍ଦରୀ ଝିଅଟିଏ ତୁମର ସୁନ୍ଦର ସୃଷ୍ଟିର ହିଁ ଗୋଟିଏ ଜୀବ, ତେବେ ତାକୁ ତୁମ ସୃଷ୍ଟିର ଅନ୍ୟମାନେ ଏପରି ନୀଚ୍ଚ ଆଖିରେ ଦେଖନ୍ତି କାହିଁକି ? ମଣିଷର ପୁରୁଷାର୍ଥ ତା’ର ଆୟତ୍ତାଧୀନ, କିନ୍ତୁ ଜନ୍ମ ବା ରୂପ ତା’ର ଆୟତ୍ତରେ ନୁହେଁ । ପାପ ପୁଣ୍ୟ ତ ସବୁ ମାନସିକ ପ୍ରକ୍ରିୟାର ପରିଣାମ । ଧର, ଯଦିବା ଜଣେ ଝିଅ ନିଜେ ନିଜକୁ କଳା, ଦାନ୍ତୁରୀ ଆଉ ଅସୁନ୍ଦରୀ କରି ତିଆରି କରିଥାଏ, ତେବେ କ’ଣ ସେଥିପାଇଁ ପୁରୁଷର ବଜାରରେ ସେ ମାଗଣାରେ ମିଳୁଥିବା ଗୋଟିଏ ଖେଳଣା ?”

ବିବାହ, ତତ୍ ପୂର୍ବ ଓ ପରେ ଶାରୀରିକ ମିଳନର ଇଚ୍ଛା ଓ ସମ୍ଭାବନା କ’ଣ ପ୍ରେମର ସଂଜ୍ଞାର ଆଦି ଓ ଅନ୍ତ । ବିବାହ କରି ହେଉ ବା ବିନା ବିବାହରେ ହେଉ, ଗୋଟିଏ ନାରୀ ଓ ପୁରୁଷର ଶରୀର ମିଳନ ପୂର୍ବର ମାନସିକ ଅବସ୍ଥା, ପ୍ରସ୍ତୁତି ଓ ମିଳନର ପରବର୍ତ୍ତୀ କାର୍ଯ୍ୟକଳାପକୁ ଏ ସମାଜ ପ୍ରେମର ଆଖ୍ୟା ଦିଏ । ସବୁବେଳେ ଏ ଶାରୀରିକ ମିଳନ ସମ୍ଭବ ହୁଏ ନାହିଁ ଏବଂ ହେଲେ ମଧ୍ୟ ଏହା କେତେହେଲେ ଚିରନ୍ତନ ନୁହେଁ । ସେତେବେଳେ ଗାଳ୍ପିକ ଓ ଔପନ୍ୟାସିକମାନେ ଏହାକୁ ଅମର ପ୍ରେମର ଆଖ୍ୟା ଦିଅନ୍ତି । ପ୍ରେମ କିନ୍ତୁ ନୁହେଁ କି ଏହାଠାରୁ ବହୁତ ଉପରେ ଏବଂ ବହୁ ଭାବେ ପୃଥକ ଏକ ଦିବ୍ୟ ଅନୁଭୂତି ଯାହାର ଇନ୍ଦ୍ରିୟ ସୁଖ ସହିତ କୌଣସି ସମ୍ପର୍କ ନାହିଁ । ଇନ୍ଦ୍ରିୟ ସହିତ ଜଡ଼ିତ ପ୍ରେମ କ’ଣ ନିଷ୍କାମ ଦିବ୍ୟ ପ୍ରେମ ହୋଇପାରିବ ?

ସରୋଜିନୀର ଏ ପ୍ରଶ୍ନର ଉତ୍ତର ମୋ ପାଖରେ ନଥିବା ନିତାନ୍ତ ସ୍ୱାଭାବିକ୍ । ମୋତେ ଲାଗୁଥିଲା ପରମେଶ୍ୱରଙ୍କ ପାଖରେ କ’ଣ ଏହାର ସଠିକ୍ ଉତ୍ତର ଅଛି ? କେଜାଣି, ସରୋଜିନୀ ହୁଏତ ତାଙ୍କ ପାଖକୁ ଗଲେ ଜାଣିପାରିବ ।

ସରୋଜିନୀର ପାଟି ଏଥର ପଡ଼ିଯିବାକୁ ବସିଲା । ଗଙ୍ଗା ପାଣି ବୋତଲ ଆଡ଼କୁ ମୋତେ ହାତ ଠାରି ସେ ଦେଖାଇଲା । ପାଖରେ ରଖା ଯାଇଥିବା ଗଙ୍ଗାପାଣି ମୁଁ ତା’ ମୁହଁରେ ଚାମୁଚେ ଦେଲି । ତା’ର ହାତ ଦୁଇଟି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉପରକୁ ଉଠିଯାଇଥିଲା । ତା’ ପାଟିରୁ ସ୍ପଷ୍ଟ ଭାବରେ କ୍ଷୀଣ ସ୍ୱରରେ ଏହି ମନ୍ତ୍ରଟି ଶୁଭୁଥିଲା ।

ହରେକୃଷ୍ଣ ହରେକୃଷ୍ଣ କୃଷ୍ଣକୃଷ୍ଣ ହରେହରେ,
ହରେରାମ ହରେରାମ ରାମରାମ ହରେହରେ ।

ଏହି ମହାମଟି ମୋ କାନରେ ବାଜିବା ପରେ ବନ୍ଦ ହୋଇଗଲା ସରୋଜିନୀ ହୃଦସ୍ପନ୍ଦନ । ମୋ’ଠାରୁ କିମ୍ୱା ଈଶ୍ୱର, କାହାଠାରୁ ତା’ ପ୍ରଶ୍ନ ଉତ୍ତର ଶୁଣିବା ପାଇଁ ସେ ଆଉ କରିନଥିଲା ଅପେକ୍ଷା । ଏ ମହାଯାତ୍ରାର ଶଯ୍ୟା ପାଖରେ ମୋ ଛଡ଼ା ତା’ର ନ ଥିଲେ କେହି ଆତ୍ମୀୟ ବନ୍ଧୁବାନ୍ଧବ । କେହି ଆଶଙ୍କା କରିନଥିଲେ ଏତେ ଶୀଘ୍ର ସେ ଚାଲିଯିବ ।

ମୋତେ ଯେପରି ଜଣାଗଲା ଯେ ସର୍ବଭୂତରେ ପ୍ରେମ ରୂପରେ ସଂସ୍ଥିତା ହ୍ଲାଦିନୀ ଶକ୍ତିଦେବୀ ରାଧା ମୂର୍ତ୍ତିମନ୍ତ ସରୋଜିନୀ ରୂପରେ ଅବତରଣ କରି ଆସିଥିଲେ ଧରାକୁ, ଆଉ ଚାଲିଗଲେ ସେହି କୃଷ୍ଣ ଲୋକକୁ ଯେଉଁଠିକୁ ଥରେ ଗଲେ ଆଉ କେହି ଫେରେ ନାହିଁ । ମଣିଷ ମାତ୍ରେ ତ ଭଗବାନଙ୍କ ପାଖରୁ ସଂସାରକୁ ଆସିଥାଏ । ପୁଣି ଭଗବାନଙ୍କ ପାଖକୁ ଫେରିଯାଏ । କିନ୍ତୁ ସରୋଜିନୀର ଏହି ଫେରିଯିବା ମୋତେ ଲାଗିଲା କିଛି ସ୍ୱତନ୍ତ୍ର । ଯେମିତି ମୋତେ ସେ ଅପେକ୍ଷା କରିଥିଲା ଏତେଦିନ ଏହି କେତେ ପଦ କହିବା ପାଇଁ ।

ନିଜ କଥା ସାରିଦେଲା ପରେ ସେ ଆଉ ଅପେକ୍ଷା କଲା ନାହିଁ ମୁହୂର୍ତ୍ତେ ମାତ୍ର, ଏ ଅହଂ, କପଟ ଓ ମାୟାର ସଂସାରରେ ରହିବାକୁ, ଯିଏ ତାକୁ ଦେଇଛି ଜୀବନଯାକ ଅନେକ ଦୁଃଖ, ଲଜ୍ଜା, ଅପମାନ ସେସବୁ କିନ୍ତୁ ସେ ଆଜି ନେଇଯାଉନାହିଁ ମନରେ । ସେ ମନରେ ନେଇଯାଉଛି ଦିବ୍ୟ ପ୍ରେମର ଗୋଟିଏ ମୁହୂର୍ତ୍ତ, ପାଥେୟ ଭାବେ । ହୁଏତ ପରଜନ୍ମ ପର୍ଯ୍ୟନ୍ତ ତା’ର ମାର୍ଗରେ ଈଶ୍ୱର ହିଁ ପ୍ରେମର ମୂର୍ତ୍ତିମନ୍ତ ପ୍ରତୀକ ଓ ପ୍ରେମ ହିଁ ଈଶ୍ୱରଙ୍କୁ ଲାଭ କରିବା ଉପାୟ, ସରୋଜିନୀ ଏହି ଦିବ୍ୟଜ୍ଞାନ ଲାଭ କରି ଆଜି ଯାଉଛି ।

ମୋତେ ଶିକ୍ଷା ଦେଇ ଯାଉଛି ତାକୁ ଘୃଣା କରିବାଟା ମୋର କେତେ ବଡ଼ ଭୁଲ୍ ହୋଇଥିଲା । କାହାର ଅନ୍ତରାତ୍ମାକୁ ଆଘାତ ଦେବା ଭଳି ଜଘନ୍ୟତମ ପାପ ଆଉ କିଛି ନାହିଁ । ସେ ହୁଏତ ମୋତେ କ୍ଷମା କରିଦେଇଛି କିନ୍ତୁ ଭଗବାନ କ’ଣ ମୋତେ କ୍ଷମା କରିଥିବେ ? ମୋର ମନେ ହେଲା ମୁଁ ଯେପରି ସରୋଜିନୀର ମୃତ ଶରୀର ନିକଟରେ ନୁହେଁ ବରଂ ମାନିନୀ ଠାକୁରାଣୀ ଶ୍ରୀରାଧାଙ୍କ ପାଦତଳେ ନତମସ୍ତକ ହେଉଛି, କ୍ଷମା ମାଗୁଛି ଥରେ ନୁହେଁ, ଅନେକଥର, ବାରମ୍ୱାର ।

ଲୋକପ୍ରିୟ ଲେଖା

To Top