ଗଳ୍ପ

ଦେବତାର ବିଧାତା

Godabarisha Mohapatra's odia story Debataara Bidhaataa

ଜାଣ, ତୁମେ ଏ ମନ୍ଦିରର ଇତିହାସ । ମୁଁ ମାଳି ନୁହେଁ, ମୁଁ ଭକ୍ତ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମପରି ପଥିକ ମଧ୍ୟ ନୁହେଁ ।

ଦେବତାର ବିଧାତା

ପ୍ରତାପ ଜୀବନଟା ଏକ ବିରାଟ ପ୍ରାଚୀନ କାବ୍ୟ କହିଲେ ଚଳେ । ପ୍ରତ୍ନତତ୍ତ୍ୱ ଅନୁସନ୍ଧାନରେ ବା ପ୍ରାଚୀନ ପୋଥି ସଂଗ୍ରହରେ ଏ କାବ୍ୟର ପରିଚୟ ମିଳିନାହିଁ । ପ୍ରାୟ ଅଶୀବର୍ଷ ତଳେ କୌଣସି ଏକ ଦେବ-ମଣ୍ଡପରେ ଏହି କାବ୍ୟର ମଙ୍ଗଳାଚରଣ ହୋଇଥିଲା । ତହିଁର ଏକ ରହସ୍ୟମୟ ସର୍ଗ ପାଠକଙ୍କୁ ଶୁଣାଇବାର ଇଚ୍ଛା ।

–x–

ଶୁଣାଅଛି, କେଉଁ ଆଦିଯୁଗରେ ଚିଲିକା ରକ୍ତବାହୁର ସମାଧି-ଆସନ ରଚନା କରିଥିଲା । ସେହି ସମୟର ବହୁ ଯୁଗ ପରେ ଆଜି ଏକ ବିରାଟ କଳ୍ପନାର ଅନନ୍ତ ସମାଧି ଚିଲିକାର ବାଲୁକାମୟ ନିର୍ଜନ ପ୍ରାନ୍ତରରେ ହୋଇଛି । ସେଥିପାଇଁ ରଣଦୁନ୍ଦୁଭି ବାଜି ନାହିଁ କି ଶୋକ-ସଙ୍ଗୀତ ଶୁଣାଯାଇ ନାହିଁ । ନିରବରେ, ନିର୍ଜନରେ, ନିର୍ବେଦ ଭାବରେ ଏକ ମହିମାମୟ ମନ୍ଦିରର ଖଣ୍ଡ ଖଣ୍ଡ ପାଷାଣ ତଳେ ଖସି ପଡ଼ିଛି ଓ ଶତ ଶତ ଶିଳ୍ପୀ ପ୍ରାଣୀର, ତରୁଣ କବିର ମନରେ କଳ୍ପନା କାଳର ଜଟିଳ ଗହ୍ୱରରେ ଲୁଚିଯାଇଛି ।

ଯେକୌଣସି ଲୋକ ଏ ଦୃଶ୍ୟ ଦେଖିପାରିବ । ଯାଅ, ଚିଲିକା କୂଳକୁ ଯାଅ । ପୂର୍ବ ଉପକୂଳରେ ଯେଉଁଠାରେ ଚଣ୍ଡକୁଦ ବୋଲି ଏକ ସ୍ଥାନ ଅଛି । ସେହିଠାରେ ଠିଆ ହୋଇ ଚାରିଆଡ଼କୁ ଚାହଁ । ପଥଶ୍ରାନ୍ତ ପଥିକ ସେହି ବାଟ ଦେଇ ଗଲାବେଳେ ହୁଏ ତ ତା’ର ପରିଚୟ କହିବ- ଏହି ଯେ ପଥର ଗଦା ଦେଖୁଛ, ତାହା ଏକ ମନ୍ଦିରର ସ୍ମୃତି । ଦେବତା ସେଠି ଥିଲେ । ମଙ୍ଗଳବାଦ୍ୟ ସେଠି ବାଜୁଥିଲା । ଆନନ୍ଦ ଉତ୍ସବ ସେଠି ଚାଲିଥିଲା ଆଜି ସେ ସବୁ ନାହିଁ ।

–x–

ବାଟର ବାଟୋଇ ହୁଏ ତ କଳ୍ପନାର କଥା କହିପାରେ । ଜ୍ୟୋତ୍ସ୍ନା, ରାତିରେ, ଶ୍ରାବଣ ଅନ୍ଧକାରରେ କିମ୍ବା ପ୍ରଦୋଶର ଧୂସର ଛାୟାରେ ସେହି କୁହ ଉପରେ ଠିଆ ହୋଇ ଥରେ ଧୀରେ ଧୀରେ ଡାକ- “କିଏ ଅଛ ?” କେବଳ ପ୍ରତିଧ୍ୱନି ଶୁଣିବ । ଦୂରର ଗିରି-ଗହ୍ୱର ତା’ର ଉତ୍ତର ଦେବ । ଚିଲିକା କଳକଳ ହୋଇ କ’ଣ କଥା କହିବ । ଏହାଠାରୁ ଆହୁରି ଏକ ବିଚିତ୍ର କଥା ଦେଖିବ । ଜଣେ କେହି ଦେବତା ଅବନତ ମସ୍ତକରେ ସେହି ଉପକୂଳ ପ୍ରାନ୍ତରରେ ଏଣେ ତେଣେ ବୁଲି ଗୀତ ଗାଇବାର ଶୁଣିବ । ସେତେବେଳେ ଧରଣୀ, ଗଗନ ମୁଗ୍ଧ ହୋଇ ସେ ଗୀତ ଶୁଣୁଥିବ । ଆକାଶର ତାରା କେବଳ ଚାହିଁଥିବେ, ପବନ କେବଳ ବହୁଥିବ, ଆଉ ଚିଲିକାରେ ଫେନିଳ ତରଙ୍ଗ ସେ ସଙ୍ଗୀତକୁ ଅଭିବାଦନ କରୁଥିବ ।

–x–

ଦିନେ ଚଣ୍ଡକୁଦର ପଥିକ ହେଲି । ନିର୍ଜନ ମଧ୍ୟାହ୍ନ, ପ୍ରଖର ସୂର୍ଯ୍ୟ ତାପରେ ଜଗତ ଧୂସର ହୋଇ ଉଠୁଛି । ଏ ପାଖରେ ଚିଲିକା ସେ ପାଖରେ ଗିରିଶ୍ରେଣୀ, ମଝିରେ ଏକ ପ୍ରାଚୀନ ପାଷାଣ ସ୍ତୂପ । ତାହାରି ଭିତରେ ଦେବତାଙ୍କୁ ଖୋଜି ବାହାର କରିବା ମୋର ଥିଲା ଲକ୍ଷ୍ୟ । ପ୍ରଥମେ ବେଢ଼ାର ସ୍ମୃତିଚିହ୍ନ ଦେଖିଲି, କେତେ ପଲ୍ଲୀ ଗାଁରେ ମାନବଜାତିର ଶ୍ମଶାନ । ଏବେ ଦେଖିଲି, ଚିଲିକା କୂଳରେ ଏକ ଦେବତାର ଶ୍ମଶାନ । କେତେ ଦେବ ଉପଦେବଙ୍କ ଅସ୍ଥିକଙ୍କାଳ ସେଠାରେ ପଡ଼ିଛି । କାହାର ହାତ, କାହାର ମୁଣ୍ଡ, କାହାର ବା କୁଚ୍ଛା କବନ୍ଧ ଶିଳ୍ପୀ-ପ୍ରାଣର ବିରାଟ କଳ୍ପନା କଥା ପ୍ରାଣରେ ରେଖା-ପାତ କରୁଛନ୍ତି । ନାରୀ ମୂର୍ତ୍ତି କେଉଁଠାରେ ପ୍ରଣୟା ବହୁଛାୟା ତଳେ ଅର୍ଦ୍ଧମୁଦ୍ରିତ ନୟନରେ ସ୍ୱପ୍ନ ଦେଖୁଛି । ଭାବିଲି, କିଏ ପ୍ରଣୟର ସ୍ୱପ୍ନ ଦେଖୁଛି, କିଏ ଏହି ବିପର୍ଯ୍ୟୟର ସ୍ୱପ୍ନ ଦେଖୁଛି ।

–x–

ପାଖରେ ଏକ ଛୋଟ କୁଡ଼ିଆ । ସେହି ଜୀର୍ଣ୍ଣ ପାଷାଣ ସ୍ତୂପ ଭିତରେ ପଶିବାକୁ ପ୍ରଥମେ ସାହସ ହେଲା ନାହଁ ।

କୁଡ଼ିଆ ଦୁଆରେ ଯାଇ ଡାକିଲା- “କିଏ ଅଛ ?”
କେବଳ କଣ୍ଠ ସ୍ୱର ଶୁଭିଲା-
“ହଁ, ମୁଁ ଅଛି ।”

ଅପେକ୍ଷାରେ ବାହାରେ ଠିଆ ହେଲି । କିଛି ସମୟ ପରେ ତାଟି ଫିଟିଲା । ଦେଖିଲି, ସେ ଏକ ବିଚିତ୍ର ଦୃଶ୍ୟ । ନିତାନ୍ତ ଜରାଜୀର୍ଣ୍ଣ ଜଣେ ବୃଦ୍ଧ । ବୋଧହୁଏ ସେହି ଜୀର୍ଣ୍ଣ ମନ୍ଦିରଠାରୁ ସେ ଆହୁରି ପ୍ରାଚୀନ । ଦେହରେ କେବଳ ହାଡ଼ ଉପରେ ଚମ ଅଛି, ତା’ ମଝିରେ ଆଉ କିଛି ନାହିଁ । ସେ ଦୃଶ୍ୟ ଦେଖି ମୁଁ ଆଉ କିଛି କହିପାରିଲି ନାହିଁ । ଦେଖିଲି, ବୃଦ୍ଧ ମୋ ଆଡ଼କୁ ନ ଚାହିଁ ଅନ୍ୟ ଦିଗକୁ ଚାହିଁ ମୋତେ କଥା କହୁଛି । ମୋର ବିସ୍ମୟର ସୀମା ରହିଲା ନାହିଁ । କିଛି ସମୟ ପରେ ବୁଝିଲୁ, ବୃଦ୍ଧ ଅନ୍ଧ । ଦୁଃଖରେ ମୋ ଆଖି ଛଳ ଛଳ ହୋଇ ଆସିଲା ।

ସେହି ମନ୍ଦିର ଦେହରୁ ଖସି ପଡ଼ଥିବା ଏକ ପଥର ଉପରେ ବସି କହିଲି, “ବସ ତୁମେ, ବୁଢ଼ା ! ଦିଅଁ ଦର୍ଶନକୁ ଆସିଥିଲି । ଭାରି ଖରା ।”

ସେ ଠୋ’ ଠୋ’ ହସି ଉଠିଲା । ଭାବିଲି, ସେ ହସରେ ଏହି ଜୀର୍ଣ୍ଣ ମନ୍ଦିରର ବାକି ଅଂଶଟା ଖସି ପଡ଼ିବ ପରା । କି ନିର୍ମମ-ହାସ୍ୟ ସେ । ମୋର ଦେବ-ଦର୍ଶନ ଇଚ୍ଛା ପ୍ରତି କି କଠୋର ଆକ୍ରମଣ । କିଛି ବୁଝିପାରିଲି ନାହିଁ । ସେ ମନକୁ କହିଲା-

“ଦେବ-ଦର୍ଶନ ! ଆସିଛ । ଦେଖିଲ ।”

ମୁଁ କି ଅପରାଧ କରିଛି ମନେକରି ପଚାରିଲି- “ତୁମେ କ’ଣ ଏଠାର ମାଳି ?”

ପୁଣି ସେହି ନିର୍ମମ ହାସ୍ୟରୋଳ । ଆଉ ପ୍ରଶ୍ନ ପଚାରିବାକୁ ସାହସ କଲି ନାହିଁ । ବୃଦ୍ଧ ସ୍ଥିର ଭାବରେ ବସି କହିଲା, “ଜାଣ, ତୁମେ ଏ ମନ୍ଦିରର ଇତିହାସ । ମୁଁ ମାଳି ନୁହେଁ, ମୁଁ ଭକ୍ତ ନୁହେଁ, ମୁଁ ଦେବତା ନୁହେଁ, ମୁଁ ତୁମପରି ପଥିକ ମଧ୍ୟ ନୁହେଁ ।”

ତେବେ ତୁମେ କ’ଣ ?

ମୁଁ ଦେବତାର ବିଧାତା ।

ଏତିକି କହି ବୃଦ୍ଧ ଘର କଣକୁ ହାତ ବଢ଼ାଇ ଏକ ସୁନ୍ଦର କମନୀୟ ଦେବମୂର୍ତ୍ତି ଧଇଲା । କହିଲା, ଏହି ସେହି ଦେବତା । ଏହି ଦେବତା ପାଖକୁ ତୁମେ ଆସିଥିଲ । ନୁହେଁ । ତୁମ ପରି ଅନେକ ଅନ୍ଧ ଆସନ୍ତି ଓ ଏ ମନ୍ଦିରରେ ଦେବତା ଦେଖି ଫେରିଯାନ୍ତି । କିନ୍ତୁ ଦେବତା ମୋର ଘରେ । ଏହା କହି ସେ ମୂର୍ତ୍ତିକୁ ଯଥାସ୍ଥାନରେ ଥୋଇ ଦେଲା ।

ମୁଁ ଅନ୍ଧ । ଅନ୍ଧ କହୁଛି ମୋତେ ଅନ୍ଧ ! ! ମନରେ ଟିକିଏ ରାଗ ଆସିଲା । ରାମାୟଣ, ଭାଗବତ, ପୁରାଣ ପଢ଼ିଲି, ପୁରୀ, ଭୁବନେଶ୍ୱର, କୋଣାର୍କ ବୁଲିଲି, ଶେଷରେ ମୁଁ ହେଲି ଅନ୍ଧ ।

– ତା’ପରେ –

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top