ଗଳ୍ପ

ଦେବତାର ବିଧାତା

Godabarisha Mohapatra's odia story Debataara Bidhaataa

ମୁଁ ସେତେବେଳେ କ’ଣ କରୁଥିଲି, ଜାଣିପାରୁ ନ ଥିଲି । ମୋତେ ମୁଁ ହତ୍ୟା କରୁଥିଲି, ମୋର ସମାଧି ମୁଁ ଖୋଳୁଥିଲି ।

ଦେବତାର ବିଧାତା

-: ପୂର୍ବରୁ :-

ମୁଁ କ’ଣ କହିବା ପୂର୍ବରୁ ବୃଦ୍ଧ କହିଲା- “ବୋଧହୁଏ ଆଘାତ ପାଇଲ । କିନ୍ତୁ ତୁମେ ଜାଣ ନାହିଁ, ଏ ପ୍ରାଣ ମୋର କେତେ ଆଘାତ ସହିଛି । ଏହି ଆଘାତରେ ହିଁ ଏ ଦୃଷ୍ଟିର ଶକ୍ତି କମିଯାଇଛି । ଏହି ଆଘାତ କିଏ ଦେଇଛି ଜାଣ ? ଏହି ଯେ ଦେବତା ଦେଖିବାକୁ ତୁମେ ଆସିଛ ସେହି ଦେବତା ।”

କିପରି ?

ତାହା ଏକ ବିରାଟ ଇତିହାସ । ଆଜିର ଏହି ମରୁଭୂମି ଉପରେ ମୋର ପିଲାଦିନେ ନନ୍ଦନର ଛାୟା ପଡ଼ିଥିଲା । ସେତେବେଳେ ଗାଁର ମକଦମ ଏହି ମନ୍ଦିର ତୋଳିବାକୁ କଳ୍ପନା କଲେ । ଏହି ଯେ କୁଟୀର ଖଣ୍ଡିକରେ ମୁଁ ବସିଛି, ଏହା ମୋର ପିତୃପିତାମହ ଅର୍ଜିତ ଭୂମି । ଏହି ଭୂମି ଉପରେ ମନ୍ଦିର ତୋଳା ହେଲା. . . ।

ଏତିକି କହି ବୃଦ୍ଧ ଟିକିଏ ନିରବ ରହିଲା । ତା’ପରେ କ’ଣ ଚିନ୍ତା କରି କହିଲା- “ମୋ ବଂଶ କାରିଗର ବଂଶ । ଭାଗ୍ୟଦୋଷରୁ ଗରିବ ହେଲୁ । ଏହି କୁଡ଼ିଆ ଜମି ଛାଡ଼ି ବାକି ସବୁ ମକଦମଙ୍କ ପାଖରେ ବନ୍ଧକ ପଡ଼ିଲା । ତାହା ଆଉ ହାତକୁ ଆସିଲା ନାହିଁ । ମକଦମ କହିଲେ, ତାହାରି ଉପରେ ମନ୍ଦିର ତୋଳିବାକୁ ହେବ । ନିଜ ଘରେ ଦେବତା ମନ୍ଦିର ଗଢ଼ାଯିବ, ଏ ସୌଭାଗ୍ୟ କାହାର ହୁଏ । କିନ୍ତୁ ଆମ ପ୍ରାଣ ଏହି ଭୂମି ଖଣ୍ଡକ ଉପରେ, ଆମ ଛାତି ଉପରେ ଯେତେବେଳେ ଏହି ମନ୍ଦିର ତୋଳାଯିବା ପ୍ରସ୍ତାବ ହେଲା, ଲୁହ ଢାଳି କେବଳ ତାରି ପ୍ରତିବାଦ କଲୁ । ଭାବିଲୁ ଦେବତା ମନ୍ଦିରରେ ନାହାନ୍ତି, ତେଣୁ ଗୁହାରୀ ଶୁଣା ଯାଉନାହିଁ. . . ।”

ବୃଦ୍ଧ ପୁଣି ନିରବ ରହି ଅତୀତକୁ ଆଖି ଫେରାଇଲା । ଫେରିଆସି ଇତିହାସ ଆରମ୍ଭ କଲା- ଜାତିରେ ମହାରଣା ମୁଁ । ମୋ ନାଁ ପ୍ରତାପ । ମଜୁରି ପାଇ ଆମରି ଜମିରେ ଆମେ ମନ୍ଦିର ତୋଳିବାକୁ ବାଧ୍ୟ ହେଲୁ । ଉଃ, କି ଯାତନା । ମୋର ପାଞ୍ଚ ପୁଅ ତିନି ଝିଅ ଏହି ମନ୍ଦିର ତଳେ ପ୍ରାଣ ହରାଇଛନ୍ତି । ଟିକିଏ ଆଲୋକ ପାଇଁ, ଟିକିଏ ପବନ ପାଇଁ ସେମାନେ କାନ୍ଦି କାନ୍ଦି ମରିଛନ୍ତି । ଇଟା ଆସିଲା, ଚୂନ ଆସିଲା, ଆମରି ଘରକୁ ଆବୃତ କରି ଏ ମନ୍ଦିର ମୁଣ୍ଡ ଟେକିଲା । ମନେପଡୁଛି, ଦିନଯାକ କାମ କରି ଆସି ରାତିରେ ଏହି କୁଡ଼ିଆରେ ପଡ଼ି ଡାକେ, ପ୍ରଭୁ ହେ’, ଦରିଦ୍ରର ଅପହୃତ ନିବାସ ଭୂମିରେ ରହିବାକୁ କି ସୁଖ ପାଅ ! କହ ଦେଖି, ପ୍ରଭୁ କାହାନ୍ତି ? ମୁଁ ନିଜେ ଦେଉଳରେ ନିଜ ହାତରେ ଖଣ୍ଡିଏ ପଥର ବସାଇ ମୋ ବୁକୁରେ ଖଣ୍ଡିଏ ପଥର ପକାଏ । ମୁଁ ସେତେବେଳେ କ’ଣ କରୁଥିଲି, ଜାଣିପାରୁ ନ ଥିଲି । ମୋତେ ମୁଁ ହତ୍ୟା କରୁଥିଲି, ମୋର ସମାଧି ମୁଁ ଖୋଳୁଥିଲି ।

ପୁଣି ବୃଦ୍ଧ କହିଲା, ମନ୍ଦିର ତୋଳା ସରିଲା, ମୋ ବଂଶର ସମାଧି-କାର୍ଯ୍ୟ ଶେଷ ହେଲା । ସେତେବେଳେ ଏହି ସଂକୀର୍ଣ୍ଣ କୁଟୀର ଭିତରେ ମୁଁ ଥାଏ ଏକାକୀ । ତା’ପରେ ଦେବତା ଗଠନ ଚାଲିଲା । ଉଃ, ଚାହିଁ ଚାହିଁ ପାଞ୍ଚବର୍ଷ ଗଲା, ଦେବତାଙ୍କ ଗଳାରେ ମାଳୀ ଦେଇ ଦେହରେ ଲୁଗା ତାଙ୍କୁ ପିନ୍ଧାଇ ଅଭୟବରଦ ବେଶରେ ଯେତେବେଳେ ନେତ୍ର ଖଞ୍ଜିଲି, ସେକଥା ମନେଅଛି । ମୋରି ଘରେ ଦେବତାଙ୍କ ଆସନ ହେଲା । ମନ୍ଦିର ପ୍ରତିଷ୍ଠା ହେଲା । ତା’ପରେ ଆସିଲେ ଭକ୍ତ । ବିପୁଳ କୋଳାହଳରେ ଏ ଉପକୂଳ ପୁରି ଉଠିଲା । ଫୁଲ, ଚନ୍ଦନ, ଧୂପ ଗନ୍ଧରେ ଜଗତ ସୁବାସିତ ହେଲା । ଡାକ ଶୁଭିଲା- “ପ୍ରଭୁ ହେ’, ଅନାଥର ନାଥ, ଅଗତିର ଗତି, କରୁଣାସାଗର ହରି !”

–x–

ଏ ସକଳ ପ୍ରାର୍ଥନା ମୋ ପ୍ରାଣରେ ପ୍ରତିଧ୍ୱନିତ ହେଲା । ସେତେବେଳକୁ ମୁଁ ଅନ୍ଧ ! ଭାବିଲି ସାହାସାଥୀହୀନ ଅନ୍ଧକୁ ତାହାରି ହାତଗଢ଼ ଦେବତା କି ରକ୍ଷା କରିବେ ନାହିଁ । ଡାକିଲି- ଡାକିଲି- ଡାକିଲି- ଅନ୍ଧ ମୁଁ, କେତେ ଡାକିଲି । ମୋ ଦେବତା କେଉଁ ଅଗତିର ଗତି ହୋଇଥିବେ କେଜାଣି, ମାତ୍ର ମୋର ଗତି, ମୁକ୍ତି କିଛି ହେଲା ନାହିଁ । ପ୍ରାଣରେ ଅଭିମାନ ଆସିଲା, ରାଗ ଆସିଲା, ପ୍ରତିହିଂସା ଆସିଲା । ଦିନେ ଅନ୍ଧାର ରାତିରେ ଦାରୁଣ ଅଭିଶାପରେ ହୃଦୟପୂର୍ଣ୍ଣ କରି ମନ୍ଦିର ଭିତରେ ପଶି ଦେବତାକୁ ଟାଣି ଆଣିଲି । ଆଜି ସେ ମୋ କୁଟୀରରେ ବନ୍ଦୀ ।

–x–

ତା’ପରେ ଭକ୍ତ ଆସିଲେ । ଦେବତା ଅନ୍ତର୍ଦ୍ଧାନ ହୋଇଛନ୍ତି ବୋଲି ସ୍ଥିର କଲେ । ସେତେବେଳେ ମୁଁ ବିକଟ ଭାବରେ ହସି ଉଠିଲି । ସେ ହାସ୍ୟର ଝଙ୍କାର ଏବେ ମଧ୍ୟ ମୋ ପ୍ରାଣରେ ଅଛି । ମୋ ଦେବତାକୁ କିଏ ଦେଖିବାକୁ ଆସିଲାବେଳେ ମୁଁ ସେହିପରି ହସି ଉଠେ । ଏବେ ସେ ମକଦମ ନାହାନ୍ତି । ଗାଁ ଏବେ ଉଠି ଏଇ ଖଣ୍ଡ ଦୂରରେ- ଚିଲିକା ତା’ର ସର୍ବଗ୍ରାସୀ ବନ୍ୟାରେ ଏ ସ୍ଥାନକୁ ବର୍ଷ ବର୍ଷ ଧ୍ୱଂସ କରିବାରେ ଲାଗିଛି । ମନ୍ଦିର ଆଜି ପାଷାଣ-ସ୍ତୂପ, ଦେବତା ଆଜି ବନ୍ଦୀ, ଏ ଅନ୍ଧ ଆଜି ଆଉ ଏକ ଯାତ୍ରା ପାଇଁ ପ୍ରସ୍ତୁତ । ଏତିକି କହି ବୃଦ୍ଧ ନିରବ ହେଲା ।

–x–

ଥରେ ସେ ଜୀର୍ଣ୍ଣ ମନ୍ଦିର, ଥରେ ସେହି ଜରାଜୀର୍ଣ୍ଣ ବୃଦ୍ଧକୁ ଚାହିଁ ମସ୍ତକ ଅବନତ କଲି । ସେଦିନ ବିଦାୟ ନେଇ ଆସିଲା ପରେ କେତେଥର ସେଠାକୁ ଯାଇଛି, ମାତ୍ର ସେ ପାଷାଣ ମନ୍ଦିର ଭିତରକୁ ନୁହେଁ । ସେହି କୁଟୀ-ମନ୍ଦିର ପାଖରେ ଦେବତାଙ୍କ ଦେବତା ସେହି ବୃଦ୍ଧକୁ ଦର୍ଶନ କରି ଆସିଛି, ତା’ ପ୍ରାଣ- କାବ୍ୟକୁ ପଢ଼ି ଆସିଛି ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top