ଗଳ୍ପ

ଦେବୀ ମନ୍ଦିର

Pradip Nayak's odia story Debi Mandira

ଧୀର ସ୍ୱରରେ କହିଲେ- “ଦେବୀମା”ଙ୍କ କୋଳ ପୁଅକୁ ଅଚିହ୍ନା ଲାଗୁଥିବ କାନ୍ଦୁଚି ତ କାନ୍ଦୁ ।”

ଦେବୀ ମନ୍ଦିର

କଫଲା ଫାଣ୍ଡି ଆଗ ଛକରେ ସ୍କୁଟରକୁ ବ୍ରେକ୍ କରି ଅଭ୍ୟାସବଶତଃ ଦି’ ହାତ ଯୋଡ଼ିଛନ୍ତି ବିଶ୍ୱନାଥ । ଆଖି ଖୋଲିବା ବେଳକୁ ଆଗରେ ଦେବୀ ମନ୍ଦିରର ଭଗ୍ନସ୍ତୂପ । ଭଙ୍ଗା ହେବାର ମାସେ ପୂରିଲାଣି, ମ୍ୟୁନିସିପାଲଟିବାଲା, ଦେବୀ ମା’ । ଆଦୌ ଦିଶୁନାହିଁ । ମନ୍ଦିର ବାହାରର ଦ୍ୱାରପାଳ ସିଂହ ଦୁଇଟି ମସ୍ତକବିହୀନ ହୋଇ ଲୋଟୁଛନ୍ତି ସେଇ ସ୍ତୁପ ପାଖରେ ।

ବିଶ୍ୱନାଥ ବାବୁ ଭଙ୍ଗା ହେବା ବେଳର ଦୃଶ୍ୟକୁ ମଧ୍ୟ ଅଫିସ ଯିବା ବାଟରେ ଦେଖିଛନ୍ତି । ଭଙ୍ଗା ହେବାର ଅଦାଲତ ଆଦେଶନାମା ଯେବେଠାରୁ ଝୁଲିଲା ସେବେଠାରୁ ଭକ୍ତମାନଙ୍କ ମନରେ ବିଷାଦ । ମନ୍ଦିର ରକ୍ଷଣାବେକ୍ଷଣ ବୁଝାସୁଝା କରୁଥିବା ଲୋକମାନଙ୍କ ମଧ୍ୟରେ କୋକୁଆଭୟ । କେତେ ମନ୍ତ୍ରୀ, ବିଧାୟକଙ୍କ ପାଖକୁ ଦଉଡ଼ା ଦଉଡ଼ି, ଅନଶନ ଧମକ ଏସବୁ ଆଇନର ଆଦେଶନାମା ଆଗରେ ପରାଜିତ ସୈନିକ ପରି ଆତ୍ମସମର୍ପଣ କରିଛନ୍ତି । ଶେଷକୁ ବୁଲ୍‌ଡ୍ରୋଜର ଦାନ୍ତ ହିଃ-ହିଃ ହେଇ ହସିଲା, ହିସ୍ ହିସ୍ ହୋଇ ଚିତ୍ର ପ୍ରତିମା ପରି ଦିଶୁଥିବା ସୁନ୍ଦର ମନ୍ଦିରର ଅବୟବକୁ ଖଣ୍ଡ ଖଣ୍ଡ କରି ଧରାଶାୟୀ କରିଛି । ଅବଶ୍ୟ ଘଟଣା ଘଟିବାର ପୂର୍ବ ଦିନରୁ ପରିଚାଳକମାନେ କିନ୍ତୁ ସ୍ଥାନାନ୍ତର ଯୋଗ୍ୟ ଜିନିଷଗୁଡ଼ାକୁ ଉଠେଇ ଆଣିଛନ୍ତି ମନ୍ଦିର ଭିତରୁ । ଅବଶିଷ୍ଟ ଯାହା ସ୍ଥାୟୀ ତାହା ରୂପାନ୍ତରିତ ହୋଇଗଲା ସ୍ତୂପରେ । ସୁନ୍ଦର ଉପବନକୁ ଭୀଷଣକାୟ ଜନ୍ତୁଟା ଯେମିତି ମାଡ଼ି ମକଚି ଖିନ୍‌ଭିନ୍ କରିଦେଲା । ଦେବୀଙ୍କ ମୁଣ୍ଡ ଉପରେ ଛାଇ ଦଉଥିବା ଛାତ କଚାଡ଼ି ହୋଇ ପଡ଼ିଲା ଦେବୀଙ୍କ ଉପରେ । ଦେବତ୍ୱ ପ୍ରଦାନକାରୀ ଦେବୀ ପଥର ଗଦା ତଳେ ଲୁଚିଯିବା ଆଗରୁ ଲୁହ ଛଳଛଳ ଆଖିରେ ଘେରି ଦେଖୁଥିବା ଭକ୍ତମାନଙ୍କୁ ତାଙ୍କ ଶେଷ ଦର୍ଶନ ସମୟ ଘୋଷଣା କଲେ । ସ୍ୱୀକାର କରିନେଲେ ତାଙ୍କ ଅସହାୟତା ।

ଧୀରେ ଧୀରେ ଚିନିର ଦାନା ହଟିଯିବା ପରେ ସ୍ଥାନ ଛାଡ଼ି ଚାଲିଯାଇଥିବା ପିମ୍ପୁଡ଼ିଙ୍କ ପରି ଜାଗାଟା ବି ଶୂନ୍‌ଶାନ୍ ହୋଇଗଲା ।

ଲକ୍ଷ୍ମୀର୍ମେଧା ଧରାପୁଷ୍ଟି ଗୌରୀତୁଷ୍ଟି ପ୍ରଭାଧୃତି
ଏତାଭିଃ ପାହିତର୍ନୁଭିଃ ଅଷ୍ଟାର୍ଭିମା ସରସ୍ୱତୀ
ସରସ୍ୱତ୍ୟୈ ମନୋ ନିତ୍ୟଂ ଭଦ୍ରକାଲ୍ୟୈ ନମୋ ନମଃ
ବେଦବେଦାନ୍ତ ବେଦାଙ୍ଗ ବିଦ୍ୟାସ୍ଥାନେଭ୍ୟଃ ଏବଚ ।

ଭଳି ମନ୍ତ୍ରଧ୍ୱନି ଆଉ ପାହାନ୍ତି ପହରୁ ଶୁଭିଲା ନାହିଁ । ସନ୍ଧ୍ୟାରେ ଶୁଭିଲା ନାହିଁ ମର୍ଦ୍ଦଳ ଝାଞ୍ଜର ମନ୍ଦ୍ର ନିନାଦ ।

ବିଶ୍ୱନାଥ ପ୍ରତିଦିନ ଭଗ୍ନସ୍ତୁପ ଆଡ଼େ ଚାହାନ୍ତି । ମନକୁ ବୁଝାନ୍ତି ଦିନେ ଏଇଠି ଗୋଟେ ଆସ୍ଥାନ ଥିଲା । ଆଖିକୁ ଟାଣି ନେବା ପରି ମନ୍ଦିର ଥିଲା । ଦେବୀ ବିରାଜମାନ କରୁଥିଲେ । ଏଇ ସ୍ଥାନର ମୋହ ଆଜି ଯାଏଁ ଭକ୍ତ ମନରୁ ଲିଭିଯାଇ ନାହିଁ । ଦେବୀ ମା’ କ’ଣ ଏ ସ୍ଥାନର ମୋହ ତୁଟେଇ ଦେଇଥିବେ ? ଏ ମାଟିରେ, ପବନରେ କେଉଁଠି ନା କେଉଁଠି ଥିବେ ନିଶ୍ଚେ ! ତାଙ୍କ ଜୁହାରକୁ ସ୍ୱୀକାର କରୁଥିବେ । ପ୍ରତିଦିନ ଅଫିସ୍ ଯିବା ପୂର୍ବରୁ ଅଫିସର କର୍ମ ଜଞ୍ଜାଳ, ସହକାରୀମାନଙ୍କ ମାରପେଞ୍ଚ, କର୍ତ୍ତୃପକ୍ଷଙ୍କର ରୁକ୍ଷ ବ୍ୟବହାର ଭିତରକୁ ପଶିବା ପୂର୍ବରୁ ଅନ୍ତତଃ ଏଇ ଦର୍ଶନର ଶୀତଳତାକୁ ମଥାରେ ମାଖି କାମରେ ଲାଗିଯାଆନ୍ତି । ସେଇ ଅନୁଭବର ଚନ୍ଦନ ମହମହ ମହମହ ମହକିତ କରୁଥାଏ ଦଶଟାରୁ ପାଞ୍ଚଟା ଯାଏ ତାଙ୍କ ମନକୁ, ପ୍ରାଣକୁ, କର୍ମକୁ, କ୍ରୋଧକୁ । ବୋଧହୁଏ ଆଜିଯାଏ ସେଇ ଟିକକ ସନ୍ତୋଷ ତାଙ୍କୁ କାମ କରିବାର ଉତ୍ସାହ ଦେଇଛି । ସବୁ ଘଟଣା, ଅଘଟଣକୁ ଏଡ଼େଇ ତାଙ୍କ ପାଇଁ ସୋରାଏ ଶାନ୍ତିର ବାଟ ଖୋଲି ଦେଇଛି । ଏକଥା ନା-କାହାକୁ ସେ କହିପାରୁଛନ୍ତି ନା- ଏ ଯାଏଁ ଭୁଲି ପାରିଛନ୍ତି ।

ଏଇ ଦି’-ଦିନ ପୂର୍ବରୁ ସେ ସ୍କୁଟର ବ୍ରେକ୍ କରି ନମସ୍କାର କଲାବେଳେ ଦେଖା ହେଇଛି ମନ୍ଦିର ବେଢ଼ାରେ ଫୁଲ ବିକୁଥିବା ବାଗୁଲି ସହ । ମଳିନ ଚେହେରା, ବିଷର୍ଣ୍ଣ ମୁହଁ, ବେପାର ହରେଇ ବୁଲୁଛି ଲକ୍ଷ୍ୟହୀନ ଭାବରେ । ତାରି ମୁହଁରୁ ଶୁଣିଛନ୍ତି ତା’ ପରି ଅନେକ ଫୁଲ ବ୍ୟବସାୟ କରୁଥିବା ଲୋକଙ୍କ ଅବସ୍ଥା ଏହିପରି । ଦୀପ ବିକୁଥିବା, ଭୋଗ ଦୋକାନ ଦେଇଥିବା, ଏମିତିକି ପୂଜା କରୁଥିବା ପୂଜକମାନେ ଏକ ସଂଘ କରୁଛନ୍ତି । ନେତା ନ ଶୁଣିଲେ ନାହିଁ, ହାଇକୋର୍ଟ ନ ଶୁଣିଲା ନାହିଁ, ସେମାନେ ଉପରକୋର୍ଟକୁ ଯିବେ । ଜୀବନ ଜୀବିକା ପାଇଁ କେତେ କେତେ ଲୋକଙ୍କୁ ଥଇଥାନ କରାଯାଉଛି, ଆମ କଥା କାହିଁକି ନ ଶୁଣିବ ଆଇନ ?

ବାଗୁଲା କଥାକୁ ଏବଂ ସେମାନଙ୍କ ଯୁକ୍ତିକୁ ନେଇ ଅନେକ ଭାବିଛନ୍ତି ବିଶ୍ୱନାଥ । ସତରେ ଆଇନ କିଏ ? ଆଇନ୍ କ’ଣ ? ମଣିଷ ଆଗ ଏ ମାଟିରେ ଥିଲା ନା ଆଇନ୍ ? ମଣିଷ ଆଇନ ଗଢ଼ିଲା ନା ଆଇନ୍ ମଣିଷକୁ ? ଯେଉଁଠି ମଣିଷ ସବୁ ହରେଇ ବାସ୍ତୁହରା ହୋଇ ବୁଲିବ ସେଠି ଆଇନ୍ କାହାର କ’ଣ କରିବ ? ଆଇନ୍ ତ ମଣିଷ ତିଆରି କଲା । ତା’ର କର୍ମ, ବିଶ୍ୱାସ, ଭାବନା ଭିତରେ ଥିବା ଅସମାନତାକୁ ସମତୁଲ କରିବାକୁ, ଏସବୁରେ ଥିବା ବିଭେଦ ଭିତରେ ସମନ୍ୱୟ ରକ୍ଷା କରିବାକୁ । ହେଲେ ଭାବନା ବିଶ୍ୱାସ, କର୍ମକୁ ଭାଙ୍ଗିରୁଜି ମାଟିରେ ମିଶେଇ ଦେଲେ କ’ଣ ସବୁ ସମସ୍ୟାର ସମାଧାନ ହୋଇଯିବ ।

ଅବଶ୍ୟ ସହରର ଆଇନ୍ ଶୃଙ୍ଖଳା, ସ୍ୱାଭାବିକ୍ ଜୀବନ ଯାତ୍ରା ନେଇ ଅସୁବିଧା ଉପୁଜୁଥିବା କଥା ସିଏ ଶୁଣିଛନ୍ତି, କିଛି ମାତ୍ରାରେ ଅନୁଭବ କରିଛନ୍ତି । ଏବେ ସେଇ ବାସ୍ତବତା ସହିତ ଆବହମାନ କାଳରୁ ରହିଆସିଥିବା ବିଶ୍ୱାସ ଭିତରେ ଦ୍ୱନ୍ଦ୍ୱ ଉପୁଜିଛି । ଏ ଦ୍ୱନ୍ଦ୍ୱରେ କିଏ ଜିତିବ କିଏ ହାରିବ ତାହାତ ପରର କଥା କିନ୍ତୁ ଆଇନ୍ ଏପରି କରି କ’ଣ ସବୁ ସମସ୍ୟାର ସମାଧାନ କରିଦବ । ମଣିଷକୁ ତା’ ବିଶ୍ୱାସ, ଭାବନାଠୁ ଅଲଗା କରି କେବଳ ସ୍ଥିତାବସ୍ଥାର ବାସ୍ତବତାକୁ ନେଇ ବେଞ୍ଚଇ ପାରିବ । ଜୀବନର ଯେଉଁ ମହାଭାବରେ ବଞ୍ଚିବାର ତତ୍ତ୍ୱଟି ଆଜିଯାଏ ଅକ୍ଷୂର୍ଣ୍ଣ ହୋଇ ରହିଛି ସେଠି ଏ ତଥାକଥିତ ବାସ୍ତବତାର ଭାଗ କେତେ ?

ଭାରାକ୍ରାନ୍ତ ମନ ନେଇ ଅଫିସ୍‌ରୁ ଫେରିଆସନ୍ତି ବିଶ୍ୱନାଥ । ତାଙ୍କ ବ୍ୟକ୍ତିଗତ ବିଚାରବୋଧରେ ସେ ତଉଲୁଛନ୍ତି ବାସ୍ତବତା ଆଉ ବିଶ୍ୱାସର ଭାରିପଣକୁ । ଖବରକାଗଜ, ଟିଭିରେ ପ୍ରତିଦିନ ଦେଖନ୍ତି ଧରାଶାୟୀ ହୋଇପଡୁଥିବା ମନ୍ଦିର ସମ୍ୱାଦ ।

ପ୍ରତି ସକାଳର ଖବରକାଗଜରୁ ପଢ଼ନ୍ତି କୋଉ କୋଉ ମନ୍ଦିରର ସ୍ଥିତାବସ୍ଥା ବଜାୟ ରଖିବାକୁ ଉପରକୋର୍ଟ ଆଦେଶ ଦେଇଚି । କାହିଁକି ଏପରି ଆଦେଶ ? ଭାଙ୍ଗି ଯାଇଥିବା ମନ୍ଦିରର ପୁଣି ହବ କ’ଣ ? ବହୁଦିନରୁ ପତ୍ନୀ ଲଗାଇଛନ୍ତି ପୁଅର ମାନସିକ ପୂରଣ କରିବାକୁ ହେବ ।

ବିଶ୍ୱନାଥଙ୍କୁ ଲାଗେ ଡାକ୍ତରୀ କାରଣ ଯାହା ଥାଉନା କାହିଁକି ତାଙ୍କର ବହୁ ବିଳମ୍ୱରେ ପୁଅଟିଏ ହୋଇଛି । ବାହାଘରର ଚାରିପାଞ୍ଚ ବର୍ଷ ପରେ ସେ ଯେତେବେଳେ ଅନୁଭବ କଲେ ସନ୍ତାନଟିଏ ଲୋଡ଼ା ସେତେବେଳେ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି । ଡାକ୍ତରଙ୍କ ପରୀକ୍ଷା ନିରୀକ୍ଷାକୁ ଅପେକ୍ଷା କରି କରି ହତାଶ ହେଇଛନ୍ତି ପତି-ପତ୍ନୀ । ଚିକିତ୍ସା ଚାଲୁ ରହିଥିଲେ ମଧ୍ୟ, କୌଣସି ଫଳ ନ ମିଳୁଥିଲେ ମଧ୍ୟ ପତ୍ନୀ କେଜାଣି କାହିଁକି କେବେ ଭାଙ୍ଗି ପଡ଼ିନାହାନ୍ତି ? ଦଶବର୍ଷକାଳ ଅପେକ୍ଷା କଲାପରେ ଯେଉଁଦିନ ମାତୃତ୍ୱର ଅନୁଭବ କରିଛନ୍ତି, ସେ ଡାକ୍ତରଙ୍କୁ କମ୍ ବରଂ ଅଦୃଶ୍ୟ ଶକ୍ତି ପାଖରେ ବେଶି ବେଶି କୃତଜ୍ଞ ହୋଇଛନ୍ତି । ପୁଅଜନ୍ମ ହେବାପରଠୁ ଲଗେଇଛନ୍ତି- ହେଇ ଆସନ୍ତା ବୈଶାଖ ଶୁକ୍ଳପକ୍ଷ ଦ୍ୱିତୀୟାରେ ମୋ ପୁଅ ଜନ୍ମଦିନ । ମୁଁ ମାନସିକ କରିଛି ଦେବୀ ମନ୍ଦିରରେ ତାକୁ ଗଡ଼େଇ ଦବା । ସେଠି ବାଳଭୋଗ କରି ପିଲାଙ୍କୁ ଖୁଆଇବା ପରେ ଯାଇ ପୁଅ ଆମର ହବ ।

ଆଜି ବୈଶାଖୀ ଶୁକ୍ଳ ଦ୍ୱିତୀୟା । ପରିବାର ପାଇଁ ଖୁସିର ସ୍ମରଣୀୟ ଦିନ । ସକାଳୁ ସକାଳୁ ପତ୍ନୀ ତତ୍ପର । କେତେ କେତେ ପୂଜା ଜିନିଷ ସଜଡ଼ା ସଜଡ଼ି କରୁଛନ୍ତି ।

ସ୍କୁଟରରେ ପତ୍ନୀଙ୍କୁ ବସେଇ ବିଶ୍ୱନାଥ ଅଟକିଲେ ଦେବୀ ମନ୍ଦିର ଥିବା ଜାଗାରେ । ଏଠି କାହିଁକି ଅଟକିଲ ? ଏଠି ତ ମନ୍ଦିର ନାହିଁ, ଆମେ ଟିକିଏ ଦୂର ହେଲେ ହେଉ ନିମଚଉଡ଼ି ଯିବା ।

: କାହିଁକି ? ତମେ ତ ଏଇ ଦେବୀଙ୍କ ପାଖରେ ମନାସ କରିଛ ନା ?

ଭଙ୍ଗା ପଥରର ଗଦାଆଡୁ ହତାଶ ଚାହାଁଣି ବୁଲେଇ ଆଣି ସ୍ୱାମୀଙ୍କୁ ଚାହିଁ ପତ୍ନୀ କହିଲେ- “ତା’ହେଲେ ତମେ କ’ଣ କହୁଛ. . . ?”

ଆଉ କିଛି କହିବାର ସୁଯୋଗ ନ ଦେଇ ପୁଅକୁ ପତ୍ନୀଙ୍କ ହାତରୁ ଆଣିଲେ ବିଶ୍ୱନାଥ । ପତ୍ନୀଙ୍କୁ ସେଇ ପଥର ଗଦା ଉପରେ ଫୁଲ, ଧୂପ ଲଗାଇବାକୁ କହିଲେ । ପ୍ରଚଣ୍ଡ ଝାଞ୍ଜି ଖରାରେ ପାଦ ତାତି ଯାଉଥିବା ଭଗ୍ନ ମନ୍ଦିରର ଚଟାଣ ଉପରେ ପୁଅକୁ ଗଡ଼େଇ ଦେଲେ । ପିଲାଟା ତାତି ସ୍ପର୍ଶରେ ଚିଲେଇ ଉଠୁଚି । ରା’-ଧରି ଗଡୁଛି ସେଇ ଚଟାଣ ଉପରେ । ପତ୍ନୀ- ଏ କ’ଣ କରୁଛ କହି ଦଉଡ଼ି ଯାଉଛନ୍ତି ପୁଅ ଆଡ଼କୁ । ପତ୍ନୀଙ୍କ ହାତକୁ ଧରି ଅଟକେଇ ଦେଲେ ବିଶ୍ୱନାଥ । ଧୀର ସ୍ୱରରେ କହିଲେ- “ଦେବୀମା”ଙ୍କ କୋଳ ପୁଅକୁ ଅଚିହ୍ନା ଲାଗୁଥିବ କାନ୍ଦୁଚି ତ କାନ୍ଦୁ ।”

ଦୁହେଁ ନମସ୍କାର କଲେ ଆଣ୍ଠୁମାଡ଼ି ସେଇ ପଥର ଗଦା ପାଖରେ । ଫୁଲରେ ସଜେଇ ହେଇ ପଥରଖଣ୍ଡ ଦିଶୁଛି ଦେବୀମା’ଙ୍କ ହସିଲା ମୁହଁପରି । ଧୂପର ବାସ୍ନାରେ ପବନ ଚହଲୁଛି । ପବନର ସ୍ୱର କହୁଛି “ମୁଁ ସବୁଠି ଅଛି, ସବୁଠି ।”

ଲୋକପ୍ରିୟ ଲେଖା

To Top