ଗଳ୍ପ

ଦେଶ

Prakash Behera's Odia Story Desha

ସ୍ୱାଧୀନତାର ଏତେ ବର୍ଷ ପରେ ଦେଶ ଅବସ୍ଥା ଯଥା ପୂର୍ବଂ, ତଥା ପରଂ । ଦାରିଦ୍ର୍ୟ, ଅଶିକ୍ଷା, ପ୍ରବଞ୍ଚନା- କୋଉଥିରେ କମ୍ ଅଛି । ଦୁର୍ନୀତି ତ ଏଠି ନୀତି ପାଲଟି ଯାଇଛି । ଆଗ ନିଜକୁ ସଳଖ, ତହୁଁ ଆନ କଥା ।

ଦେଶ

ବିଧାନସଭାରେ ଦୁଇ ତିନିଟା ନାଗ ସାପ ବାହାରିବାକୁ ଗୃହ ପୁରା ହୁଲସ୍ତୁଲ ହୋଇ ପଡ଼ିଲା । ୟା’କୁ ନେଇ ଶାସକ ଦଳ ଓ ବିରୋଧୀ ଦଳ ଭିତରେ କଥା କଟାକଟି ଓ ଠେଲାପେଲା ବହେ ହେଇଗଲା । ଶାସକ ଦଳର ମୁଖପାତ୍ର ଥିବା ବିଧାୟକ ଗଣମାଧ୍ୟମରେ ମନ୍ତବ୍ୟ ଦେଲେ- “ଆମକୁ ବଦନାମ କରିବା ପାଇଁ ବିରୋଧୀଙ୍କର ଏଇଚା ଗୋଟେ ନୂଆ ଚାଲ୍ । ଆମେ ବିଧାୟକମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେଇପାରିବୁ, ସର୍ବସମ୍ମତ ଏହାକୁ ପ୍ରମାଣ କରିବା ପାଇଁ ସେମାନଙ୍କର ଏହା ରୀତିମତ ଷଡ଼ଯନ୍ତ୍ର ।”

ବିରୋଧୀ ମୁଖ୍ୟ କୋଉ ଛାଡ଼ିବା ବାଲା । ଏକଥା ଶୁଣି ସେ ଚିହିଁକି ଉଠିଲେ । ମାଓବାଦୀ ମାନଙ୍କ ଦ୍ୱାରା ବିଧାୟକ ଓ ବିଦେଶୀ ପର୍ଯ୍ୟଟକ ଅପହରଣ ପ୍ରସଙ୍ଗକୁ ଏଡେ଼ଇବାକୁ ଯାଇ ଶାସକଦଳ ବାଲା ଜାଣିଶୁଣି ସାପ ପୂରେଇଛନ୍ତି ବୋଲି ସେ ବି କିଛି ଗଣମାଧ୍ୟମରେ ଫୁତ୍କାର ଛାଡ଼ିଲେ ।

ସେ ଯାହା ବି ହେଉ ଖାସ୍ ଏଇ ଘଟଣା ପାଇଁ ସେଦିନ ଗୃହ ମାତ୍ର ଦଶ ମିନିଟ୍ ଚାଲି ମୁଲତବି ରହିଲା ।

ବିରୋଧୀ ମୁଖ୍ୟଙ୍କ ଏଇ ଅଗ୍ନିବର୍ଷୀ କଟୁକ୍ତି ଶାସକଦଳ ମୁଖପାତ୍ରଙ୍କ ଦେହରେ ଗଲାନାହିଁ । ତା’ ପରଦିନ ବିଧାନସଭା ଚାଲିବା ମାତ୍ରେ ସେ ନିଜର ପ୍ରତିକ୍ରିୟା ରଖିଲେ, ଅପହରଣ ପ୍ରସଙ୍ଗ ଖୁବ୍ ସମ୍ୱେଦନଶୀଳ । ସରକାର ମଧ୍ୟସ୍ଥିଙ୍କ ଦ୍ୱାରା ମାଓଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଗୃହରେ ଏ ନେଇ ବିବୃତି ରଖିଥାନ୍ତେ । ହେଲେ ବିରୋଧୀଙ୍କ ସାପ ପୁରାଇବା ଘଟଣା ଅତୀବ ନିନ୍ଦନୀୟ । ଦୁର୍ଭାଗ୍ୟଜନକ ବି । ସାପ କ’ଣ ଖାଲି ଶାସକ ଦଳ ବିଧାୟକଙ୍କୁ କାମୁଡ଼ିଥାନ୍ତେ ? ବିରୋଧୀଦଳ ବିଧାୟକଙ୍କୁ ଛାଡ଼ି ଦେଇଥାନ୍ତେ ? ଖବର ପାଇଁ ସ୍ନେକ୍ ହେଲ୍ପ ଲାଇନ୍‌ର ଲୋକ ଆସି ସାପ ଗୁଡ଼ାକୁ ଧରି ନେଲେ ବୋଲି ସିନା । ଗତ କାଲି ଗୃହ ନ ଚାଲିବା ପାଇଁ ବିରୋଧୀ ହିଁ ଦାୟୀ !

ଏକଥା ଶୁଣୁଶୁଣୁ ବିରୋଧୀ ମୁଖ୍ୟଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଗଲା । ସେ ନିଜ ଆସନ ଛାଡ଼ି ବାଚସ୍ପତିଙ୍କ ସାମ୍ନାକୁ ଚାଲି ଆସିଲେ ଓ ସଦସ୍ୟଙ୍କ ଆଡ଼କୁ ଅନାଇ ଆଙ୍ଗୁଠି ଉଠାଇ ବଡ଼ ପାଟିରେ କହିଲେ, “ତୁମେ ବିଧାନସଭାକୁ ସାପ ନିରୋଧକ କରିପାରିନ ବୋଲି ଆମକୁ ଯାହା ମିଛରେ ନିନ୍ଦୁଛ । ତା’ ଛଡ଼ା ସଂସଦରେ ଯଦି ଆତଙ୍କବାଦୀ ପଶିଗଲେ, ବିଧାନସଭାକୁ ଆମେ ସାପ ପୂରେଇବା କ’ଣ ନାକରା ହେଇଗଲା ।”

ଏମିତି କଥା କଟାକଟି, ଠେଲାପେଲା, ଭଙ୍ଗାରୁଜା, ଯୁକ୍ତିତର୍କ ଓ ଆକ୍ଷେପ ପ୍ରତିଆକ୍ଷେପ ପରେ ସେଦିନ ବି ମାତ୍ର ଏକୋଇଶି ମିନିଟ୍ ଚାଲି ଗୃହ ପୁଣି ମୁଲତବି ରହିଲା ।

ଏକଥା ଖବର କାଗଜରେ ବାହାରୁଥିଲା । ବୁଦ୍ଧିଜୀବୀ ପଢୁଥିଲେ । ଦୂରଦର୍ଶନରେ ସିଧା ପ୍ରସାରଣ ହେଉଥିଲା । ରାଜ୍ୟବାସୀ ଦେଖୁଥିଲେ ।

ଆରେ ବିଧାନସଭା ହେଉ କି ସଂସଦ, ଗୋଟିଏ ଦିନ ଚାଲିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ଅଥଚ ଏମାନଙ୍କୁ ଦେଖ, ଯାହା ତ ଛୁଟି ପାଉଛ ପାଉଛ, ପୁଣି ଗୃହ ମୁଲତବି ରଖି ମନମାଫି ଛୁଟି ନେଇଯାଉଛ । ଛି. . . ଛି. . . – ପ୍ରାତଃ ଭ୍ରମଣରେ ବାହାରିଥିବା ମହାପାତ୍ର ବାବୁ ନିଜ ପଡେ଼ାଶୀ ମିଶ୍ରବାବୁଙ୍କୁ ଏକଥା କ୍ଷୋଭରେ କହୁଥିଲେ ।

ମିଶ୍ର ବାବୁ ତାଙ୍କ ପଡେ଼ାଶୀଙ୍କ ଅନ୍ତଃବେଦନା ସ୍ପଷ୍ଟ ବୁଝି ପାରିବା ଭଳି କହିଲେ, “ଏ ଦେଶର ଏମିତି ହତାଶ ଅବସ୍ଥା ଦେଖିଲେ ମୁଣ୍ଡ ନଇଁ ଯାଉଛି । ବେଳେ ବେଳେ ଲାଗେ ସ୍ୱାଧୀନତା ପୂର୍ବର ଫିରିଙ୍ଗି ଶାସନ ବରଂ ଭଲ ଥିଲା, ହେଲେ ଆମ କଥା କିଏ ଶୁଣୁଛି. . .” ମିଶ୍ରବାବୁଙ୍କ କଣ୍ଠରେ ଯଥା ସମ୍ଭବ କ୍ଷୋଭ ଓ ଦେଶ ପାଇଁ ସମବେଦନା ସ୍ୱତଃ ଜଣାପଡୁଥିଲା ।

ମିଶ୍ରବାବୁ ଓ ମହାପାତ୍ର ବାବୁଙ୍କ ଭଳି ଆଉ କେତେ ଜଣ ବର୍ଷୀୟାନ୍ ବ୍ୟକ୍ତି ସ୍ଥାନୀୟ ଏକ ବରିଷ୍ଠ ନାଗରିକ କ୍ଲବ୍‌ର ଆଜୀବନ ସଦସ୍ୟ ଥିଲେ । ନିଜ ନିଜର ଦିନଚର୍ଯ୍ୟା ପରେ ସନ୍ଧ୍ୟାରେ ସେମାନେ ଏକାଠି ହେଉଥିଲେ, ପରସ୍ପର ଦୁଃଖ ସୁଖ ହେଉଥିଲେ ଓ ଦେଶର ଦୁଃଖ-ସୁଖ କଥା ନିଜ ଭିତରେ ଆଲୋଚନା କରୁଥିଲେ ।

ସେଦିନ କ୍ଲବ୍ ପରିସର ମଧ୍ୟରେ ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ ପରେ ପରେ ଅତ୍ୟନ୍ତ ବିମର୍ଷ ଭାବ ନେଇ ଗୋଟେ କୋଣରେ ନିରବରେ ବସିଥିବା ମୁରାରି ବାବୁଙ୍କୁ ଏମିତି ଅବସ୍ଥାରେ ଦେଖିପାରିଲେ ନାହିଁ ତାଙ୍କ ସହଯୋଗୀ ବନ୍ଧୁ ରାମପ୍ରକାଶ । ସେ ପଚାରିଲେ, “କ’ଣ ହେଲା ମୁରାରି ବାବୁ, ଏତେ ଗୁମ୍‌ସୁମ୍ ଜଣାପଡୁଛନ୍ତି କାହିଁକି ?” ମୁରାରି ବାବୁ ସ୍ମିତ ହସିଲେ, କିନ୍ତୁ କିଛି କହିଲେ ନାହିଁ । ଏ ଦୁଇଜଣଙ୍କୁ ଲକ୍ଷ୍ୟ କରି ଟିକେ କଥା ହେବା ପାଇଁ ତାଙ୍କ ପାଖକୁ ଉଠି ଆସିଲେ ପଞ୍ଚାନନ ବାବୁ । ପଞ୍ଚାନନ ବାବୁ ମୁରାରି ବାବୁଙ୍କର ନିରବାତିଶଯ୍ୟ ଅବସ୍ଥାକୁ ସହଜରେ ଗ୍ରହଣ କରି ନପାରି କହିଲେ, “ଆପଣଙ୍କ ଭଳି ଖୋଲାମେଲା ଲୋକ ଏମିତି ଚୁପ୍ ହୋଇ ବସିବା ଆମ ଦେହରେ ଯାଉନାହିଁ । ପୁଣି କ୍ଲବ୍‌ର ଆଜି ଭଳି ଗୋଟେ ପବିତ୍ର ଦିନରେ । ହେଇଛି କ’ଣ ? ଏନି ପ୍ରବ୍ଲେମ୍ ?”

ସେଇ କୋଣରେ ଯଥାବତ୍ ବସିଥିବା ମୁରାରିବାବୁ ତାଙ୍କୁ ନେଇ ଏ ଦୁଇ ଜଣଙ୍କ ପ୍ରତିକ୍ରିୟା ଶୁଣିଥିଲେ । ଖଣ୍ଡେ ଦୀର୍ଘଶ୍ୱାସ ପକେଇ କହିଲେ, “ଏ ଲୋକଟା ବଞ୍ଚିଥିଲେ ଆଉ ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ ଭାରତର ଆଜି ଏ ହତଶ୍ରୀ ଅବସ୍ଥା ଅନ୍ତତଃ ଏମିତି ନଥାନ୍ତା ।” ତାଙ୍କ କଥା ଯେ ସୁଭାଷ ବୋଷଙ୍କୁ ଉପଲକ୍ଷ୍ୟ କରି କୁହାଯାଇଥିଲା- ଏକଥା ଆଉ କାହାକୁ ଅମାଲୁମ ପଡ଼ିଲା ନାହିଁ ।

ଖଣ୍ଡେ ଦୂରରେ ଥାଇ ତାଙ୍କ କଥା ଠିକ୍ ଶୁଣି ପାରିଥିଲେ ମହାପାତ୍ର ବାବୁ । ଖାଇ ସାରି ମିଠା ପ୍ୟାକେଟ୍‌ର ଖୋଳକୁ ଡଷ୍ଟବିନ୍‌ରେ ପକାଇ ପାଣି ଦୁଇ ଢୋକେ ପିଇ ମୁରାରିବାବୁଙ୍କୁ ଲକ୍ଷ୍ୟ କରି କହିଲେ, “ହେଲେ ଗାନ୍ଧିଜୀ ତ କିଛି ଅସୁବିଧା କରି ନାହାନ୍ତି । ସତ୍ୟ ଓ ଅହିଂସା ବଳରେ ସେ ଯେଉଁ ନିରସ୍ତ୍ର ସ୍ୱାଧୀନତା ଦେଇଥିଲେ, ତାହା ଯୁଗଯୁଗକୁ ଭାରତକୁ ବିଶ୍ୱ ଦରବାରରେ ଗର୍ବିତ କରାଉଥିବ ।”

ହଁ, ତାହା ତ ଠିକ୍ କଥା । ସେଇ ଗର୍ବ ଓ ଗାମ୍ଭୀର୍ଯ୍ୟ ଆମ ଦେଶ ପାଖରେ ଏବେ ବି ଅତୁଟ ଅଛି ଯାହା ବିଶ୍ୱର ଅନ୍ୟ କୋଉ ଦେଶ ପାଖରେ ନାହିଁ- ବନ୍ଧୁ ରାମ ପ୍ରକାଶ ମହାପାତ୍ର ବାବୁଙ୍କୁ ସପକ୍ଷ କରି ଏକଥା କହିଲେ ।

ମୁରାରି ବାବୁ ଆଉ ଗୋଟିଏ ଦୀର୍ଘଶ୍ୱାସ ନେଲେ ଓ କହିଲେ, “ମୁଁ ଆପଣମାନଙ୍କ କଥା ଆଦୌ ଅସ୍ୱୀକାର କରୁନାହିଁ । ହେଲେ ଦେଶ ପାଇଁ ସ୍ୱାଧୀନତା ଆସିବା ବହୁତ ବିଳମ୍ୱ ହେଇଗଲା । ସେତେବେଳକୁ ପୂର୍ବର କ୍ଷମତାସୀନ ଶକ୍ତି ଓ ଶେଷରେ ବ୍ରିଟିଶ୍ ସବୁ ଧନ ଐଶ୍ୱର୍ଯ୍ୟ ବୋହି ନେଇ ଭାରତକୁ ଖୋଳପା କରି ଚାଲିଗଲେ । ଦେଶ ହାତରେ ଧରେଇ ଦେଲେ ଦାରିଦ୍ର୍ୟ ଓ ଯୁଗପତ୍ ପାକିସ୍ତାନ ସହ ସୀମା ବିବାଦ ।”

ସେତେବେଳକୁ ସେଠି ପହଞ୍ଚି ଯାଇଥିଲେ ଜଗଦାନନ୍ଦ ବାବୁ । ମୁରାରି ବାବୁଙ୍କ କଥା ମନକୁ ପାଇଲା ଭଳି ତଡ଼ିତ୍ କହି ପକାଇଲେ, “ସତକଥା ତ ! ଦେଖୁନା ଏଇ ଦୁଇ ଦେଶର ଅବସ୍ଥା । କଲ୍ୟାଣକାରୀ କାର୍ଯ୍ୟକ୍ରମ ପଛେ ପଛକୁ ଥାଉ, ପ୍ରତିରକ୍ଷା ପାଇଁ ବରାଦ ହବ ବହୁଳ ବଜେଟ୍ । ସ୍ୱାଧୀନ ହୋଇ ଅଲଗା ଅଲଗା ଭୂଖଣ୍ଡରେ ରହିବା ପରେ ବି ଉଭୟ ଉଭୟଙ୍କୁ ଖାଲି ଜଗିବାରେ ଖର୍ଚ୍ଚ କରୁଛନ୍ତି ଆଖିବୁଜା ଟଙ୍କା । ଏଥିରେ କାହାର କି ଲାଭ ହେଉଛି ?”

“ପାକିସ୍ତାନ କଥା ନ କହିବା ଭଲ, ସେ ଦେଶର ଅର୍ଦ୍ଧାଧିକ ଲୋକେ ମୁଠାଏ ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ, ସେ କଥାକୁ ଆଡ଼ ନଜର କରି ଭାରତରୁ କାଶ୍ମୀରକୁ କବ୍‌ଜା କରିବା ପାଇଁ ପାଣି ଭଳି ଟଙ୍କା ବୁହାଇ ଚାଲିଛି । ଗୋଟାଏ ରିପୋର୍ଟ କୁଆଡେ଼ ବାହାରି ଥିଲା, ପାକିସ୍ତାନ ଯଦି ତା’ର ପ୍ରତିରକ୍ଷା ଖର୍ଚ୍ଚକୁ କମ୍ କରି ଅନ୍ୟ ବିକାଶ କାମରେ ଲଗାନ୍ତା, ସେ ଦେଶରେ ଆଉ ଗରିବୀ ରହନ୍ତା ନାହିଁ ।” କଥା ଛଳରେ ଜଗଦାନନ୍ଦ ବାବୁଙ୍କୁ ସମର୍ଥନ କରି କହିଲେ ପଞ୍ଚାନନ ବାବୁ ।

ନିଜ କଥାକୁ ନାହିଁ ନଜର, ପର କଥାକୁ ବଜର ବଜର, କଥା କଥାକେ ଢଗକୁ ଉପକ୍ରମ କରି କଥା ଆରମ୍ଭ କରୁଥିବା ମହାନ୍ତି ବାବୁ କହିଲେ, “ଆମ ଦେଶ କୋଉ ଭଲ ଅବସ୍ଥାରେ ଅଛି ? ସ୍ୱାଧୀନତାର ଏତେ ବର୍ଷ ପରେ ଦେଶ ଅବସ୍ଥା ଯଥା ପୂର୍ବଂ, ତଥା ପରଂ । ଦାରିଦ୍ର୍ୟ, ଅଶିକ୍ଷା, ପ୍ରବଞ୍ଚନା- କୋଉଥିରେ କମ୍ ଅଛି । ଦୁର୍ନୀତି ତ ଏଠି ନୀତି ପାଲଟି ଯାଇଛି । ଆଗ ନିଜକୁ ସଳଖ, ତହୁଁ ଆନ କଥା ।”

ମହାନ୍ତି ବାବୁ ଏକଥା କାହାକୁ ଲକ୍ଷ୍ୟ କରି କହୁନଥିଲେ, କିନ୍ତୁ ସମସ୍ତଙ୍କ ପାଖରେ କଥାଟିର ଆଭିମୁଖ୍ୟ ପହଞ୍ଚି ସାରିଥିଲା ।

“ଦାରିଦ୍ର୍ୟ, ଅଶିକ୍ଷା ଦୂରୀକରଣ ପାଇଁ ଯୋଜନା ପରେ ଯୋଜନା ତ ଚାଲିଛି, ହେଲେ କୋଉ ଯୋଜନାରେ ଦୁର୍ନୀତି ହଟିବ- ଏକଥା କେହି ଭାବିଛନ୍ତି କି ?” ପ୍ରଶ୍ନଟି ଅତି ସମ୍ୱେଦନଶୀଳ ଥିଲା ମିଶ୍ରବାବୁଙ୍କ ମୁହଁରୁ ।

ପ୍ରଶ୍ନଟିର ଉତ୍ତର ପାଇଁ ପରସ୍ପର ପରସ୍ପରକୁ ଅନାଅନି ହେଲେ । ମାତ୍ର ଜୟନ୍ତୀ ପାଳନ ପରେ ବେଳ ଉଛୁର ହୋଇଯାଇଥିବାରୁ ହୁଏତ ଏ ଆଲୋଚନାକୁ ତା’ ପରଦିନ କରାଯାଉ ବୋଲି ସବୁଠୁ ବରିଷ୍ଠ ମନେ ହେଉଥିବା ମହାପାତ୍ର ବାବୁ କହିଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top