ଗଳ୍ପ

ଧିକ୍ ତୋ ଜୀବନ

T.Durga Prasad Rao's odia Story Dhik To Jeebana

ମାତେ, କଣ ତମର ଦୁଃଖ ? ଫେଡ଼ି କୁହ । ଦୁଃଖ ତୁମର ନିଶ୍ଚୟ ଲାଘବ ହେବ ।

ଧିକ୍ ତୋ ଜୀବନ

ଦୂର ଦିଗନ୍ତରେ ଦିବାକର ଅସ୍ତାଚଳଗାମୀ ହେଉଥିଲୋ ତାଙ୍କର ରୌଦ୍ର ଉତ୍ତାପହୀନ ରକ୍ତିମ ଆଭା ସାରାନଭମଣ୍ଡଳରେ ବିଚ୍ଛୁରତି । ଶରତର ଶୁଭ୍ର ସୁକ୍ଷ୍ମ ଭସାଣୀ ବାରିଦ ବି ତାଙ୍କ ଆଭାରେ ଆରକ୍ତିମା ଶୃତିମଧୁର କାକଳୀରେ ନୀଡ଼ଫେରନ୍ତା ଦ୍ୱିଜ ନିଜର ପକ୍ଷ ବିସ୍ତାର କରି ଗାଉଛନ୍ତି ସନ୍ଧ୍ୟାର ଆଗମନୀ ବନ୍ଦନା । ତରଙ୍ଗାୟିତ ପକ୍ଷ ତାଙ୍କର ଅନନ୍ତ ଅରୁଣିମାରେ ଆଭାସିତାବାରୁଣୀ ତଟରେ ସତେ ଅବା ଫଗୁର ହୋଲି ଖେଳୁଛନ୍ତି ନଭମଣ୍ଡଳର ବାସିନ୍ଦା ।

ସନ୍ଧ୍ୟା ଆସନ୍ନ ପ୍ରାୟ । ବାତାବରଣ ଶାନ୍ତ ସ୍ନିଗ୍ଧ । ସନ୍ୟାସୀଙ୍କର ଦର୍ଶନାର୍ଥେ ଆସିଥିବା ଅନେକ ଭକ୍ତଜନ ଇତି ମଧ୍ୟରେ ସ୍ୱ ସ୍ୱ ଗୃହକୁ ପ୍ରତ୍ୟାବର୍ତ୍ତନ କଲେଣି । ରହିଯାଇଛନ୍ତି ମାତ୍ର ଅଳ୍ପ କିଛି ବ୍ୟକ୍ତିବିଶେଷ । ସନ୍ଧ୍ୟା ଆରତୀ ପରେ ହିଁ ଯେଉଁମାନଙ୍କୁ ମିଳିବ ସନ୍ୟାସୀଙ୍କର ଶୁଭାଶିଷ । ହେଲେ ବିଭୁ ମା’ର କପାଳରେ ବିନ୍ଦୁ ବିନ୍ଦୁ ଝାଳ । ଅନେକ ସମୟରୁ ସେ ଠିଆହୋଇଛି ସ୍ୱାମୀଜୀଙ୍କ ଦର୍ଶନ ଅଭିଳାଷରେ । ମସ୍ତକ ତାର ଘୁରୁଛି, ରୌଦ୍ର ଉତ୍ତାପରୁ ଅବା ତାର ଅଛିଣ୍ଡା ଭାବନାର ପ୍ରଭାବରୁ ସେନିଜେ ହୃଦୟଙ୍ଗମ କରି ପାରୁନାହିଁ । ସାଙ୍ଗରେ ଅଛି ତାର ପ୍ରତିବେଶିନୀ ମାଳତୀ । ଅତୀତର ଏକ ସୂତାଖିଅକୁ ଧରି ଟାଣି ଚାଲିଛିବିଭୁ ମା’ । ସେ ସ୍ମୃତି ତାର ମନ ମଧ୍ୟରେ ସଦା ସର୍ବଦା ଉଜ୍ଜୀବିତ ରହି ତାକୁ ଅନେକ କଷ୍ଟ ଦେଇଛି । ଆଜି ସେ ତାର ଗୋଟିଏ ସ୍ଥାୟୀ ସମାଧାନର ଆଶା ପୋଷଣ କରି ଆସିଛି ।

ବିଭୁ ତାର ଏକମାତ୍ର ପୁତ୍ରା ଭାରି ଦୁଷ୍ଟ, ଚଗଲା ତୁଛାଟାରେ ଅନ୍ୟକୁ କଷ୍ଟ ଦେବାରେ ସେ ଭାରି ଆନନ୍ଦିତହୁଏ । ବିଭୁ ଯେଉଁଦିନ ଜନ୍ମ ନେଲା ସେଦିନ ଥିଲା ପୂର୍ଣ୍ଣମୀ ତିଥି । ସମସ୍ତେ କହିଲେ ଚନ୍ଦ୍ରଉଦିଆ ପରି ମୁହଁଟିଏ ହୋଇଛି ପିଲାର । ତୋ ଘରକୁ ଉଜ୍ଜଳ କରି ଆସିଛି ଲୋ ଘର ତୋର ଅଷ୍ଟ ଐଶ୍ୟର୍ଯ୍ୟରେ ପୁରି ଉଠିବ ଦେଖିବୁ ରହ । ଏକୋଇଶାରେ ଶହେ ଆଠବ୍ରାହ୍ମଣଙ୍କୁ ଭୁରି ଭୋଜନ ଖୁଆଇଲା ବିଭୁ ମା’ । ବିଭୁର ବାପା ପରମାର ବି ଗୋଡ଼ ତଳେ ଲାଗୁ ନ ଥିଲା । ବିବାହର ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ଜନ୍ମ ନେଇଥିଲା ବିଭୁ । ଦୁହେଁ ଖୁବ୍ ଗେଲ ବସରରେ ବଢ଼ାଇଲେ ବିଭୁକୁ । କିନ୍ତୁ ବିଭୁର ଯେତିକି ଯେତିକିବୟସ ବଢ଼ିଲା ସେ ସେତିକି ଚଗଲା ହେବାରେ ଲାଗିଲା । ପାଠ ପଢ଼ାରେ ତାର ମୋଟେ ମନ ଲାଗୁ ନ ଥିଲା । ଓଲଟା ଗୁରୁଙ୍କୁ ମିଛ ସତ କହି ଚାଟଶାଳୀ ପଢ଼ା ଅଧାରୁ ଛାଡ଼ି ଚାଲି ଆସୁଥିଲା । କାହାର ପୋଷା ଶାରୀକୁ ପଞ୍ଜୁରୀ ଖୋଲି ମୁକ୍ତ କରିଦେବା, ବାଛୁରୀର ବନ୍ଧନ ଖୋଲିଦେବା, ଶିବାଳୟରେ ଶିବଲିଙ୍ଗରେ ଢ଼ାଳୁଥିବା କ୍ଷୀରକୁ ପୂଜାରୀଠାରୁ ଛଡ଼ାଇ ନେଇ ନିଜେ ପିଇଦେବା ଇତ୍ୟାଦି ଅନେକ ପ୍ରକାର ଚଗଲାମିରେ ଦିନକୁ ଦିନ ଅତିଷ୍ଠ ହୋଇ ଉଠୁଥିଲା ବିଭୁର ବାପା ପରମା । ଯେଉଁଦିନ ଗୋଟିଏ ଅନ୍ଧରବାଡ଼ି ଲୁଚାଇଦେଇ ବିଭୁ ଆନନ୍ଦିତ ହେଉଥିବାର ଦୃଶ୍ୟ ତାର ଆଖିରେ ପଡ଼ିଲା ସେଦିନ ପରମା ଯେପରି ନିଜର ଧୈର୍ଯ୍ୟର ବନ୍ଧକୁବାନ୍ଧି ରଖିପାରିଲା ନାହିଁ । ବିଭୁ ଅନ୍ଧ ସହ ଲୁଚକାଳି ଖେଳୁଥାଏ ଆଉ ତାକୁ କହୁଥାଏ- ଏ ଭୌତିକ ଚକ୍ଷୁର ଆବଶ୍ୟକତା କଣ ? ଆମେ ସମସ୍ତେ ତ ଅନ୍ଧା ତମେ ଚକ୍ଷୁ ନ ଥାଇ ଅନ୍ଧ ଆଉ ଏ ସଂସାର ଚକ୍ଷୁ ଥାଇ ଅନ୍ଧା ଚକ୍ଷୁ ଥିଲେ କଣ ଅବା ଦେଖିଥାନ୍ତ ? ଏବାଡ଼ିର କୌଣସି ଆବଶ୍ୟକତା ନାହିଁ । ତୁମ ଜ୍ଞାନଚକ୍ଷୁରେ ଦେଖ, ଅନ୍ତଃଚକ୍ଷୁରେ ଦେଖ । ତାପରେ ଅନ୍ଧ ହାତରୁ ବାଡ଼ିଟି ଛଡ଼ାଇନେଇ ଖିଲ୍ ଖିଲ୍ ହେଇ ହସି ଉଠିଲା ବିଭୁ । ଅନ୍ଧ ବାଡ଼ିଟି ନ ପାଇ ଇତଃସ୍ତତଃ ହେଲା । କୌଣସିମତେ ବିଭୁ ଅନ୍ଧବ୍ୟକ୍ତିଟିକୁବାଡ଼ିଟି ଫେରାଉ ନ ଥାଏ । ପରମା ଅନ୍ଧବ୍ୟକ୍ତିଟିର ଅସହାୟ ବୋଧକୁ ଦେଖି ନିଜର ହିତାହିତ ଜ୍ଞାନ ହରାଇ ବସିଲା । ସେପ୍ରଥମେ ନିଜ ମୁଣ୍ଡରେ ହାତ ଦେଇ ଏଭଳି କୁଳାଙ୍ଗାର ପୁତ୍ରଟିଏ ପାଇଥିବାରୁ ନିଜର ଭାଗ୍ୟକୁ ନିନ୍ଦିଲା । ତାପରେ ଜୋର୍ କରି ବ୍ରହ୍ମ ଚାପୁଡ଼ାଏ ବିଭୁର ଗାଲରେ କଷି ଦେଉ ଦେଉ ସ୍ୱଗତୋକ୍ତି କଲା – ଧିକ୍ ତୋ ଜୀବନ ।

ବାସ୍ ସେଇ ଥିଲା ବିଭୁ ସହ ବିଭୁ ମା’ର ଶେଷ ସାକ୍ଷାତା ବିଭୁର ସବୁ ଅଳି ଅର୍ଦ୍ଦଳୀ, ପିଲାଳିଆମିକୁ ବିଭୁ ମା’ ତାର ପଣତ କାନିର ଅଭୟ ଆଶ୍ରାରେ ଲୁଚାଇ ରଖିଥିଲା, ବିଭୁର ବାପା ନିକଟରେ ବିଭୁର ଅଧିକାଂଶ ଦୁଷ୍ଟାମୀର ଖବର ପହଞ୍ଚିପାରୁନଥିଲା । ହେଲେ ସେଦିନ ହେଲା କଅଣ ? ବିହି କି ବ୍ୟୁହ ରଚନା ନ କଲା ସତେ ତା ପୁଅକୁ ତାଠାରୁ ଛଡ଼ାଇ ନେବା ପାଇଁ । କେତେ ପୂଜା ଓଷା କରି ପାଇଥିଲା ସେ ପୁତ୍ର ରତ୍ନଟିଏ । ଯଦି ଛଡ଼ାଇ ନେବାର ହିଁ ଥିଲା, ତାହେଲେ ଏତେ କାଳ ତାକୁ ପୁତ୍ରମୋହରେ ଆବଦ୍ଧ କଲା କାହିଁକି ? ଗୋଟିଏ ମା’ର ବାତ୍ସଲ୍ୟ ମମତା ସତେ କେତେ ଅସହାୟ ହୋଇ ପଡ଼ିଲା ସେଦିନ । ମା’କୁଛାଡ଼ି କ୍ଷଣଟିଏ ରହି ନ ପାରିବା ବିଭୁ ହତାଦରର ଅଭିମାନରେ କୁହୁଳି ତାରି ଆଖି ଆଗରେ ଗାଁ ମୁଣ୍ଡ ପର୍ଯ୍ୟନ୍ତ ଯାଇ ଶେଷରେ ଅନ୍ତର୍ଦ୍ଧାନ ହୋଇଗଲା । ସେଇ ଯେ ଗଲା ଆଉ ଥରଟିଏ ବି ଗାଁକୁ ଫେରିନି କି ମା’ କଥା ତାର ମନେ ପଡ଼ିନି ।

ପ୍ରତିଦିନ ସକାଳ ସଞ୍ଜରେ ଦାଣ୍ଡପିଣ୍ଡାଟିରେ ଗାଁ ମୁଣ୍ଡକୁ ଅନାଇ ବସିଥାଏ ବିଭୁ ମା’ ବିଭୁ ତାର ଆସିବ, ନିଶ୍ଚୟ ଆସିବ । ଦୁଷ୍ଟାମୀରେ ମା’କୁ ଟିକିଏ କନ୍ଦାଇବା ପାଇଁ ଯାଇଛି । ବଳେ ଫେରିଆସିବ । କେତେଦିନ ତାର ମା’କୁ ଛାଡ଼ି ଅଲଗା ରହିପାରିବ ସେ । ହେଲେ ପ୍ରତିଦିନ ତାକୁ ନିରାଶ ହେବାକୁ ପଡ଼େ । ସଞ୍ଜ ନଇଁ ଅନ୍ଧାର ହେଲେ ବିଭୁ ମା’ର ଅନ୍ତରରୁଗୋଟିଏ ଦୀର୍ଘଶ୍ୱାସ ବାହାରି ଆସୁ ଆସୁ ଚାପି ହୋଇଯାଏ ମୁହଁ ପାଖରେ । ଏ ହାଇ କାହାକୁ ନ ଲାଗୁ । କପାଳ ତାର ମନ୍ଦ ଏଥିପାଇଁ କିଏ କାହିଁକି ଦାୟୀ ହେବ । ବିଭୁ ଗଲା ପରଠାରୁ ପରମା ସହିତ ବିଭୁ ମା’ର କଥାବାର୍ତ୍ତା ନାହିଁ । ସେଇ ଚିନ୍ତାରେ ପରମା ଅକାଳରେ ଆରପାରିକୁ ଚାଲିଗଲା । ସମ୍ପୂର୍ଣ୍ଣ ଏକୁଟିଆ ହୋଇଗଲା ବିଭୁ ମା’ । ବେଳେ ବେଳେ ନିଶାର୍ଦ୍ଧରେ ପାଗଳିନୀପରି ପ୍ରଳାପ କରେ । ତାକୁ ଲାଗେ ତାର ବିଭୁ ଫେରି ଆସିଛି । ଓଠରେ ଦୁଷ୍ଟାମୀର ହସ ନେଇ ତାର କାନୀ ପଣତ ଟାଣି ତାକୁ ଅସ୍ତବ୍ୟସ୍ତ କରୁଛି । ନିଦ ପତଳା ହେଇ ଆସିଲେ ଧଡ଼ପଡ଼ ହୋଇ ଉଠିପଡ଼େ ସେ । ଘରର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏଁ ତନ୍ନ ତନ୍ନକରି ଖୋଜି ପକାଏ । ହେଲେ କାହିଁ ? ତା ଛଡ଼ା ଦ୍ୱିତୀୟ କେହି ତାର ଦୃଷ୍ଟିଗୋଚର ହୁଅନ୍ତି ନାହିଁ ।

ଇତିମଧ୍ୟରେ ପନ୍ଦର ବର୍ଷ ବିତିଯାଇଛି । ପୁତ୍ର ପ୍ରେମରେ ଝୁରି ହୋଇ ଭଗ୍ନ ହୃଦୟରେ ବ୍ୟଥିତ ବିଭୁ ମା’କୁ ଖୁବ୍ ଶୀଘ୍ର ବାର୍ଦ୍ଧକ୍ୟ ମାଡ଼ି ଆସିଛି । ଆଜିକାଲି ତାକୁ ଆଉ ଠିକ୍ ଭାବରେ ଆଖିକୁ ଦେଖା ଯାଉନାହିଁ । ଦୂରସ୍ଥିତ ଏବଂ ସ୍ୱଳ୍ପଅନ୍ଧକାରରେ ଅବସ୍ଥିତ କୌଣସି ବ୍ୟକ୍ତି ଅବା ଦ୍ରବ୍ୟକୁ ସେ ଠିକ୍ ଭାବରେଚିହ୍ନି ପାରୁ ନାହିଁ । ମୁଖରେ ଅସରନ୍ତି କ୍ଳେଶର ସଙ୍କେତହୋଇ ଗୌର ତ୍ୱକ୍ ତାର ଭାଙ୍ଗ ଭାଙ୍ଗ ହୋଇ ଝୁଲି ପଡ଼ିଛି । କୋଟରାଗତ ଚକ୍ଷୁ ତାର ଅନେକ ଦିନରୁ ଅବିରତ ପ୍ରବାହ ଧାରାରୁ ମୁକ୍ତହୋଇ ଶୁଷ୍କ ହୋଇଯାଇଛି । ସେ ଚକ୍ଷୁରେ ଏବେ ଅନନ୍ତ ଅନ୍ତରୀକ୍ଷର ଶୂନ୍ୟତା । ଏବେ କେବଳ ଏକ ନିରବ ପ୍ରତୀକ୍ଷା । ସେ ପ୍ରତୀକ୍ଷା ପୁତ୍ରଜନିତ ଅବା ମୃତ୍ୟୁର ବୁଝିବା ଦୁର୍ବୋଧ୍ୟ ।

ହଠାତ୍ ନିଜ ଗାଁକୁ ମିଶାଇ ଆଖପାଖ ସବୁ ଗାଁରେ ଚହଳ ପଡ଼ିଲା ତା ଗାଁକୁ କେହି ଜଣେ ସିଦ୍ଧପୁରୁଷସନ୍ୟାସୀ ଆସୁଛନ୍ତି । ସବୁ ଗାଁର କାନ୍ଥ ବାଡ଼, ଦେବାଳୟ, ବିଦ୍ୟାଳୟ, ସରକାରୀ ବେସରକାରୀ ସଂସ୍ଥା ଆଦିର ପରିସରରେ ସନ୍ୟାସୀଙ୍କର ଛବି ସହ କିଛି ଲେଖାର କାଗଜ ସଂଲଗ୍ନ ହେଲା । ହଜାର ହଜାର ଛୋଟ ଛୋଟ ଚାଖଣ୍ଡ ମାପର କାଗଜ ବିତରଣକରାଗଲା । ବହୁ ଆଡ଼ମ୍ୱରରେ ସନ୍ୟାସୀଙ୍କୁ ସ୍ୱାଗତ କରାଯାଇ ଗାଁ ମୁଣ୍ଡ ଶିବାଳୟରେ ଏକ ଅସ୍ଥାୟୀ ଆଶ୍ରମ ପ୍ରତିଷ୍ଠା କରି ତାଙ୍କ ସୁବିଧା ଅସୁବିଧାର ଯତ୍ନ ନିଆଗଲା । କୋଳାହଳରେ ପୁରି ଉଠିଲା ଆଶ୍ରମ । ବିଭୁ ମା’ ହାତରେ ଯେତେବେଳେ କେହି ଜଣେ ସେଇ କାଗଜ ଖଣ୍ଡକ ଧରାଇ ଦେଇଛି, ତାକୁ ତ ପଢ଼ି ଆସେନା, କାଗଜ ଖଣ୍ଡକୁ ଦୁଇ ଆଖି ପାଖରେ ନେଇ ସେ ସନ୍ୟାସୀଙ୍କର ଛବିଟିକୁ ନିରେଖି ଚାହିଁଲା । ତାକୁ କାହିଁକି ସନ୍ୟାସୀଙ୍କର ମୁହଁ ଚିହ୍ନା ଚିହ୍ନା ମନେ ହେଲା । ଚକ୍ଷୁଦ୍ୱୟ ପରିଚିତ ମନେ ହେଲା । ତା’ହୃଦୟର ମମତ୍ୱ ଯେମିତି ପୁଣି ଥରେ ଜାଗୁରିତ ହୋଇ ଉଠିଲା । କିଏ ଏ ସନ୍ୟାସୀ ? କଣ ତାଙ୍କର ପରିଚୟ ? ଠିକ୍ ତାର ବିଭୁପରି ଦିଶୁଛନ୍ତି । ଶେଷରେ ସେ ପ୍ରତିବେଶୀନୀ ମାଳତୀକୁ ଡ଼ାକି ଠିକ୍ କଲା ଅନ୍ତତଃ ଥରେ ସେ ସନ୍ୟାସୀଙ୍କୁ ସ୍ୱଚକ୍ଷୁରେ ଦେଖିଆସିବ ।

ଆଶ୍ରମରେ ଆରତୀର ସମୟ ଅତିବାହିତ ହୋଇଛି । ପୁଣି ଥରେ ସ୍ୱାମୀଜୀଙ୍କ ଦର୍ଶନ ପାଇଁ ପଥ ଉନ୍ମୁକ୍ତ ହୋଇଛି । ଶିଷ୍ୟମାନେ ପ୍ରବେଶ ପଥ ନିକଟରେ ରହି ଭକ୍ତଙ୍କ ଆଗମନ ଓ ପ୍ରସ୍ଥାନରେ ଯେମିତି ସମସ୍ୟା ନ ଉପୁଜେ ସେଥିପ୍ରତି ଧ୍ୟାନ ଦେଉଛନ୍ତି । ଜେଣ ପରେ ଜଣେ ଭକ୍ତ ସ୍ୱାମୀଜୀଙ୍କ ଦର୍ଶନ ଓ ଆଶିଷ ପାଇ କୃତାର୍ଥ ହେଉଛନ୍ତି । ବିଭୁ ମା’ର ଦର୍ଶନ ହେତୁ ଅପେକ୍ଷାର ସମୟ ମଧ୍ୟ ଧିରେ ଧିରେ କମି ଆସୁଛି । ତା ପଛରେ କିନ୍ତୁ ଏବେ ବି ଭକ୍ତମାନଙ୍କର ଲମ୍ୱା ଧାଡ଼ି । ବିଭୁ ମା’ ଠିଆହୋଇଛି ଆଗରେ, ପଛରେ ଅଛି ମାଳତୀ ତାକୁ ଠିକ୍ ଠିକ୍ ବାଟ କଢ଼ାଇ ନେବା ପାଇଁ ।

ଶେଷରେ ସ୍ୱାମୀଜୀ ବସିଥିବା କକ୍ଷରେ ପ୍ରବେଶ ପାଇଁ ସୁଯୋଗ ପାଇଲା ବିଭୁ ମା’ । ପଛରେ ତାକୁ ଲାଗି ମାଳତୀ । କକ୍ଷ ମଧ୍ୟରେ ଅଖଣ୍ଡ ନିରବତା । ବାହାରର କୋଳାହଳ କକ୍ଷର ଆଭ୍ୟନ୍ତରୀଣ ପରିବେଶକୁ ସ୍ପର୍ଶ କରିପାରୁନାହିଁ । କକ୍ଷର ମଧ୍ୟଭାଗରେ କେତୋଟି ପ୍ରଦୀପ ତେଜିୟାନ୍ ହୋଇ ଜଳି ଉଠି ସାରା କକ୍ଷକୁ ଆଲୋକିତ କରୁଥିଲେ ଯାହା । ସେ ଆଲୁଅରେ ବି ସନ୍ୟାସୀଙ୍କର ତେଜୋଦୀପ୍ତ ମୁଖମଣ୍ଡଳ ଅଚିରେ ବିଭୁ ମା’କୁ ସଫା ସଫା ଦୃଷ୍ଟି ଗୋଚର ହେଉଥିଲା ତାର ବସିବାସ୍ଥାନରୁ । ସତେ ଯେମିତି ପ୍ରଦୀପ ନୁହେଁ ସନ୍ୟାସୀଙ୍କ ମୁଖମଣ୍ଡଳର ଆଭା ହିଁ କକ୍ଷଟିକୁ ଆଲୋକିତ କରି ତୋଳିଛି । ବିଭୁ ମା’ନିଜକୁ ଆଉ ସମ୍ଭାଳି ପାରୁ ନ ଥିଲା । ସେ ବସିବା ସ୍ଥାନରୁ ଉଠି ଠିଆ ହେଲା । ସ୍ୱାମୀଜୀଙ୍କ ଆଡ଼େ ଅଗ୍ରସର ହେବା ପାଇଁ ଉଦ୍ୟତହୁଅନ୍ତେ ଜଣେ ଶିଷ୍ୟ ତାକୁ ଅଟକାଇ ଦେଲେ । ଶିଷ୍ୟର ବାରଣକୁ ନ ମାନି ବିଭୁ ମା’ ପୁଣି ଥରେ ଉଦ୍ୟତ ହେଲା । ଏଥର କିନ୍ତୁ ସ୍ୱାମୀଜୀ ଶିଷ୍ୟକୁ ଇଙ୍ଗିତ କଲେ ବିଭୁ ମା’କୁ ବାଧା ନ ଦେବା ପାଇଁ । ଯେତିକି ଯେତିକି ସେ ସ୍ୱାମୀଜୀଙ୍କର ନିକଟତର ହେଉଥାଏ ତାର ମମତ୍ୱ ସେତିକି ସେତିକି ସମୁଦ୍ର ଜୁଆର ସଦୃଶ ଫୁଲି ଉଠୁଥାଏ । ସ୍ୱାମୀଜୀଙ୍କ ଚକ୍ଷୁରେ ଅଦ୍ଭୁତ ସମ୍ମୋହନା ସେ ସ୍ୱାମୀଜୀଙ୍କ ସମ୍ପୂର୍ଣ୍ଣ ନିକଟତର ହୋଇ ତାଙ୍କ ପାଦ ପାଖରେ ବସିଲା । ଖୁବ୍ ନିରେଖି ଚାହିଁଲା । ସ୍ୱାମୀଜୀଙ୍କ ମୁଖର ଭାବଭଙ୍ଗୀରେ କିନ୍ତୁ କୌଣସି ପରିବର୍ତ୍ତନ ନାହିଁ । ପ୍ରତିକ୍ରିୟା ହୀନ ତାଙ୍କ ମୁଖ ଓ ଶରୀରର ଅବୟବା ସ୍ଥିର ଅଥଚ ଗମ୍ଭୀର କଣ୍ଠରେ ସ୍ୱାମୀଜୀଙ୍କ ମୁଖରୁ ନିସୃତ ହେଲା

-ମାତେ, କଣ ତମର ଦୁଃଖ ? ଫେଡ଼ି କୁହ । ଦୁଃଖ ତୁମର ନିଶ୍ଚୟ ଲାଘବ ହେବ ।

ସନ୍ୟାସୀଙ୍କର ମାତ୍ର ପଦେ କଥା ବିଭୁ ମା’କୁ ଏବେ ସମ୍ଭାଳେ କିଏ । ଭୋ ଭୋ ହୋଇ କାନ୍ଦି ଉଠିଲା ସେ । ମୋ ଧନରେ… ମୋ ସୁନାରେ… ମୋ ବିଭୁରେ… ଏତେ ଦିନ ମୋତେ ଛାଡ଼ି ତୁ କେମିତି ଏକା ଏକାରହିପାରିଲୁ… କହି ଉଠି ପଡ଼ି ସନ୍ୟାସୀଙ୍କ ବେକ ମୁହଁ ଗାଲ ସବୁ ଆଉଁସି ପକାଇଲା ।

ହତବାକ୍ ମାଳତୀ । ହତବାକ୍ ଉପସ୍ଥିତ ଶିଷ୍ୟମାନେ । ଇଏ କି ଆଚମ୍ୱିତ କଥା । ସନ୍ୟାସୀଙ୍କୁ କେହି ଗୁରୁ, କେହି କେହି ଭଗବାନ ଭାବି ତାଙ୍କର ପାଦ ସ୍ପର୍ଶ କରନ୍ତି, ସାଷ୍ଟାଙ୍ଗ ପ୍ରଣିପାତ ହୁଅନ୍ତି, ଏମିତି ଗାଲ ମୁହଁ ଆଉଁସି ଦେବା କଥା ତଅଭୂତପୂର୍ବ ଘଟଣା । ବିଭୁ ମା’ର ଏହି ଅତର୍କିତ ଆଚରଣରେ ଶିଷ୍ୟମାନେ କିଛି ବୁଝିପାରୁ ନ ଥିଲେ ବି ତାକୁ ସନ୍ୟାସୀଙ୍କ ଠାରୁ ଅଲଗା କରିବା ଉଦ୍ଦେଶ୍ୟରେ ଆଗେଇ ଆସିଲେ । ହେଲେ ସେ ସନ୍ୟାସୀଙ୍କ ଠାରୁ କ୍ଷଣକ ପାଇଁ ବି ଯେମିତି ଅଲଗା ହେବାକୁ ଚାହୁଁନ ଥିଲା । ଶିଷ୍ୟମାନେ ତାକୁ ଟାଣି ଟିକିଏ ଦୂରରେ ବସାଇ ଦେଲେ । ତାକୁ ସୁସ୍ୱାଦୁ ପାନୀୟ ଜଳ ପିଇବାକୁ ଦେଲୋ ଟିକିଏ ସାଷ୍ଟାମ ହେଇ ବିଭୁ ମା’ ପୁଣି ଥରେ ତାର କଥାକୁ ଦୋହରାଇଲା ଏବଂ କହିଲା – ଚାଲ୍‌ରେ ମୋ ଧନ, ଏତେ ଦିନ ତୋ ବିନା ମୁଁ କେମିତି ବାୟାଣୀ ଭଳି କାଟିଛି, ସେ କଥା ମୋତେ ଜଣା ଏବେ ତୁ ଆସିଯାଇଛୁ । ଭଗବାନ ମୋ ଗୁହାରୀ ଶୁଣିଛନ୍ତି । ତୋତେ ସେ ମୋ ପାଖକୁ ପଠାଇ ଦେଇଛନ୍ତିା ତୋ ବିନା ମୋର ଏ ସଂସାରରେ ଆଉ କେହି ନାହିଁ ରେ… ମୋର ଶେଷ ସମୟ କେମିତିକଟିବ ? ତୁ ଚାଲ୍ ମୋ ସାଙ୍ଗରେ..।

ପୁଣି ଶୁଭିଲା ସେହି ଗୁରୁ ଗମ୍ଭୀର କଣ୍ଠସ୍ୱର ।

– ମାତେ, ଯାହାର କେହି ନାହାନ୍ତି, ତାର ପରମପିତା ପରମେଶ୍ୱର ଅଛନ୍ତି । ସଦା ସେ ତୁମର ପାଖେ ପାଖେରହି ତୁମର ହାନିଲାଭ ବୁଝୁଛନ୍ତି । ଏ ମିଥ୍ୟା ସମ୍ପର୍କର ମାୟାରେ ଅଥୟା ହୁଅନା ମାତେ । ତୁମ ଉତ୍ତର ବୟସରେ ସବୁ ମୋହବନ୍ଧନ ତ୍ୟାଗ କରି ପ୍ରଭୁଙ୍କର ଶରଣାପନ୍ନ ହୁଅ । ସେ ପରମାତ୍ମାଙ୍କ ବିନା ତୁମର ଉଦ୍ଧାର ଅସମ୍ଭବ ।

ବିଭୁ ମା’ ଟିକିଏ ରାଗି ଯାଇ କହିଲା – ଦୂର… ମୁଁ ତୋର ପ୍ରବଚନ ଶୁଣିବାକୁ ଏଠାକୁ ଆସିନି । ଦଶମାସଦଶଦିନ ତୋତେ ଗର୍ଭରେ ଧରିଥିଲି କଣ ଏଇ ଦିନ ଦେଖିବାକୁ । ତୋ ମାଆ ପ୍ରତି କଅଣ ତୋର କିଛି ବି କର୍ତ୍ତବ୍ୟ ନାହିଁ ? ତାପରେପୁଣି କାକୁତି ମିନତି ହୋଇ କହିଲା – ଚାଲ୍‌ରେ ମୋ ଧନ, ମୋ ଅନ୍ଧର ଲଉଡ଼ି । ଏତେ ଦିନ ପରେ ତୋତେ ପାଖରେ ପାଇ ମୋଅନ୍ତରାତ୍ମାରେ ଯେଉଁ ଆଶା ଟିକକ ଜଳି ଉଠିଛି, ତାକୁ ତୁ ଲିଭାଇଦେନା । ତୁ ଚାଲିଲୁ ମୋ ସାଙ୍ଗରେ । ସେ ପୁଣି ଥରେ ସ୍ୱାମୀଜୀଙ୍କ ନିକଟକୁ ଯିବାକୁ ଉଦ୍ୟତ ହେଲା । ଶିଷ୍ୟମାନେ ନିଜ ନିଜ ମଧ୍ୟରେ ପରାମର୍ଶ କଲେ, ଏ ନିଶ୍ଚୟ ପାଗଳୀନୀ, ପୁତ୍ର ପ୍ରେମରେ ପାଗଳ । ନଚେତ୍ ସ୍ୱାମୀଜୀଙ୍କ ଭଳି ଜଣେ ସିଦ୍ଧପୁରୁଷଙ୍କୁ ନିଜ ପୁତ୍ର ବୋଲି କହିନଥାନ୍ତା । ସେମାନେ ତାକୁ ଧରି ପକାଇଲେ ଏବଂ ଟାଣି ଟାଣି ବାହାରକୁ ନେଇ ଆସିଲେ । ଖୁବ୍ ଛାଟି ପିଟି ହେଉଥିଲା ବିଭୁ ମା’ । ସେ ଯେମିତି ପଣ କରି ଆସିଥିଲା ପୁତ୍ରକୁ ନନେଇ ଘରକୁ ଫେରିବ ନାହିଁ । ହେଲେ ଏମିତି ରିକ୍ତ ହସ୍ତରେ ଯେ ତାକୁ ଫେରିବାକୁ ହେବ ସେ ବୋଧହୁଏ ସ୍ୱପ୍ନରେ ସୁଦ୍ଧା ଭାବିନ ଥିଲା । ତା ହୃଦୟ ଯେମିତି କେଉଁ ଏକ ପାଷାଣ ପିଣ୍ଡରେ ବାଜି ଚୂର୍ଣ୍ଣ ଚୂର୍ଣ୍ଣ ହୋଇଯାଉଛି । ଦୀର୍ଘ ଦିନରୁ ଯେଉଁ ଆଶାଟିକକ ତାମନରେ ଦିକ୍ ଦିକ୍ ହୋଇ ଜଳୁଥିଲା ସେ ଦୀପଶିଖା ଯେମିତି ହଠାତ୍ ନିର୍ବାପିତ ହୋଇଛି । ତାର ମନେ ହେଉଛି ସେ ଯେତିକି ଯେତିକି ସନ୍ୟାସୀଙ୍କ ଠାରୁ ଦୂରେଇ ଯାଉଛି ତା ଶରୀରରୁ ପ୍ରାଣପକ୍ଷୀ ସେତିକି ସେତିକି ଅଲଗା ହୋଇଯାଉଛି । ଲହୁୁଲୁହରେ ସମ୍ପୂର୍ଣ୍ଣ ରୂପେ ଆର୍ଦ୍ର ବିଭୁ ମା’ ମମତ୍ୱରେ ନୁହେଁ ଅଭିମାନରେ ଥରେ ଫେରି ଚାହିଁଲା ସନ୍ୟାସୀଙ୍କ ମୁହଁକୁ । ଗୋଟିଏ ମା’ର ହୃଦୟ ଯେ ବୁଝିପାରୁ ନାହିଁ ସେ ଏ ସଂସାରର କେଉଁ ଦୁଃଖ ଦୁର୍ଦ୍ଦଶା ଲାଘବ କରିବାରେ ପ୍ରଭୁଙ୍କର ସହାୟକ ହେବା କ୍ଷୀଣ ସ୍ୱରରେ ତାପାଟିରୁ ବାହାରି ଆସିଲା – ଧିକ୍ ତୋ ଜୀବନ । ଶିଷ୍ୟମାନେ ତାକୁ ଆଶ୍ରମ ବାରଣ୍ଡାରେ ଛାଡ଼ିଲା ବେଳକୁ ବିଭୁ ମା’ର ମୁମୁର୍ଷୁ ଅବସ୍ଥା ।

ସନ୍ୟାସୀ ନିଜକୁ ଆଉ ଆୟତ୍ତରେ ରଖିପାରିଲେ ନାହିଁ । ନିଜର କକ୍ଷ ତ୍ୟାଗ କରି ବାହାରି ଆସିଲେ ବାରଣ୍ଡାକୁ । ସଧୀରେ ସେ ଉଠାଇ ନେଲେ ବିଭୁ ମା’ ନିଜ କୋଳକୁ । ତାଙ୍କ ମୁଖ ମଣ୍ଡଳର ଆଭା ଧୀରେ ଧୀରେ ପ୍ରଶମିତ ହେଉଥିଲା । ଚକ୍ଷୁତାଙ୍କର ଲୋତକରେ ଭରା । ସେ ଚକ୍ଷୁରେ ଆଉ ସମ୍ମୋହନ ନାହିଁ । ଗୋଟିଏ ଦେବତ୍ୱ ମାନବତ୍ୱରେ ରୂପାନ୍ତରିତ ହେଉଥିଲାଧୀରେ ଧୀରେ । ଠିକ୍ ଯେମିତି ପରମାତ୍ମା ତାଙ୍କର ଲୀଳା ଖେଳା ପାଇଁ ଓହ୍ଲାଇ ଆସନ୍ତି ଧରାପୃଷ୍ଠକୁ ମାନବ ରୂପରେ । ବିଭୁ ମା’ ଥରେ ଆଖି ଖୋଲି ଚାହିଁଲା ସନ୍ୟାସୀଙ୍କୁ ତାପରେ ପରମ ଆନନ୍ଦରେ ଆଖି ବୁଜି ଦେଲା ସବୁଦିନ ପାଇଁ ।

ଲୋକପ୍ରିୟ ଲେଖା

To Top