ଗଳ୍ପ

ଧୃତରାଷ୍ଟ୍ର

Binay Mohapatra's odia story Dhrutaraashtra

ଆମେ ସବୁ ଗୋଟିଏ ଗୋଟିଏ ଧ୍ରୁତରାଷ୍ଟ୍ର, ଆମେ ପୁତ୍ର ପ୍ରେମରେ ଏପରି ଅନ୍ଧ ହୋଇ ଯାଇଛେ ଯେ ପୁରୁଷ ମାନଙ୍କର ଦୋଶକୁ ଆମେ ଧ୍ୟାନ ଦେଉନେ ବରଂ ସବୁ ଦୋଶ ଝିଅର କହି କାନି ଝାଡିଦେଉଛେ ।

ଧୃତରାଷ୍ଟ୍ର

ଖବର କାଗଜ ଉପରେ ଆଖି ବୁଲଉ ବୁଲଉ ପ୍ରଥମେ ହେଡଲାଇନରେ ଅଟକିଗଲେ ଅଭିମନ୍ୟୁବାବୁ, ଧେତ୍ କଣ ହେଉଛି ଏ ଦେଶରେ ? ପୁଣି ଗୋଟାଏ ଗଣ ଧର୍ଷଣ ! ପ୍ରତିଦିନ କେଉଁଠି ନା କୋଉଁଠି ଏମିତି କାଣ୍ଡ ଘଟୁଛି । ଦେଶ କୁଆଡକୁ ଗଲାଣି, ଦିନକୁ ଦିନ ଆମ ଯୁବସମାଜର ନୈତିକ ଅଧୋପତନ ଘଟୁଛି । କଣ କରୁଛି ଏ ଦେଶର ସରକାର ?

କଥାଟା ରବିବାବୁଙ୍କ ମନକୁ ପାଇଲାନି, ଚାହା କପ୍‌ରେ ସୁଡୁକି ଲଗେଇ କହିଲେ, ସବୁ କଥାରେ ସରକାରକୁ ମଝିରେ ପୁରାଇବା ଆମର ଗୋଟେ ଅଭ୍ୟାସ । ନାରୀ ସମାନତା ପାଇଁ କେତେ ଆଲୋଚନା, ସମାଲୋଚନା, ଆନ୍ଦୋଳନ ପରେ ପୁରୁଷ ପ୍ରଧାନ ସମାଜରେ ବଡ କଷ୍ଟରେ ନାରୀଙ୍କ ପାଇଁ ସମାନ ଅଧିକାରର କାନୁନଟିଏ ତିଆରି ହେଲା । ସେପୁଣି ଅଧା ଅଧୁରା । ହେଲେ ସେ କଣ ଯଥେଷ୍ଟ ? ଆଜିବି ପ୍ରତିଦିନ ଏ ଦେଶରେ ଗଣଦୁଷ୍କର୍ମ ହେଉଛି, ଆମରି ଭିତରୁ କିଏ ଜଣେ ପୁରୁଷ ଦୁଷ୍କର୍ମ କରୁଛି ଏବଂ ଆମରି ମାଆ ଭଉଣୀ ଆଉ କାହାର ଝିଅଟିଏ ଏହି ଦୁଷ୍କର୍ମର ଶୀକାର ହେଉଛି । ଏତିକି କହି ରବିବାବୁ ଟିକେ ଦମ୍ ନେଲେ । ତାଙ୍କ କଥା ସରି ନଥିଲା, ମୁକୁନ୍ଦାକୁ ଡାକ ପକାଇଲେ, ଆରେ ମୁକୁନ୍ଦା ଆଉ ଚପେ ଚାହା ଦେ, କହିଦେଇ ପୁଣି ଆରମ୍ଭ କଲେ, ଆମ ସମାଜରେ ଆମେ ନାରୀକୁ ଦେବୀ କହୁ, ଲକ୍ଷ୍ମୀ, ସରସ୍ୱତୀ, ଦେବୀ ଦୂର୍ଗା ରୂପରେ ପୂଜାକରୁ । କିନ୍ତୁ ସତରେ କଣ ଆମେ ନାରୀକୁ ସେ ସମ୍ମାନ ଦେଉ ? ବୋହୁଟିଏ ଗର୍ଭବତୀ ହେଲେ ପ୍ରଥମେ ଗର୍ଭର ଲିଙ୍ଗ ପରିକ୍ଷଣ କରିବାକୁ ବ୍ୟସ୍ତ ହୋଇଯାଉ ଆମେ । ଆଜିକାଲି ତ କାନୁନ ହିସାବରେ ଏଇଟା ବେଆଇନ୍, ତଥାପି ପୁରା ଚେଷ୍ଟା ରଖୁ, କେଉଁଠି କେମିତି ଲୁଚେଇ ପରୀକ୍ଷାଟା କରିହେବ । ଯଦି କେବେ ଝିଅ ବୋଲି ଜଣା ପଡେ, ତେବେ ଗର୍ଭପାତ ତ ସୁନିଶ୍ଚିତ । ଏଇତ ଆମର ମନୋବୃତ୍ତି ଝିଅ ମାନଙ୍କ ପ୍ରତି । ଏସବୁ ପରେ ବି ଯଦି ଝିଅଟିଏ ଜନ୍ମ ହୋଇଗଲା, ତେବେ ସରିଲା କଥା । କେହିବି ଖୁସି ନୁହେଁ, ଯେପରି ପରିବାର ଉପରେ ପାହାଡ ଖସି ପଡିଲା । ୟା ଭିତରେ ମୁକୁନ୍ଦା ଚାହା କପ୍ ଟିଏ ଆଣି ରବିବାବୁଙ୍କ ସାମ୍ନାରେ ରଖିଦେଇ କହିଲା, ଆଜ୍ଞା ଚାହା । ରବିବାବୁ ମୁକୁନ୍ଦା ମୁହଁକୁ ଚାହିଁ କହିଲେ, କଣ କିରେ ମୁକୁନ୍ଦା, ମୁଁ ଯାହା କହିଲି ତାହା ସତ ନା ମିଛ ?

ମୁକୁନ୍ଦା ମୁଣ୍ଡ କୁଣ୍ଡଉ କୁଣ୍ଡଉ ଫିକ୍ କିନା ଟିକେ ହସିଦେଇ ତାର ପାନଖିଆ ବତିଶ ନାଲିଆ ଦାନ୍ତକୁ ଦେଖେଇ କହିଲା ଆଜ୍ଞା, ଆମେ ମଳିମୁଣ୍ଡିଆ ଲୋକ ଦିନ ସାରା ଏଇ ଚୁଲା ପାଖରେ ବସି ଚାହା କେଟିଲ ନହେଲେ ତେଲ କଡେଇ ସାଙ୍ଗେ ଦିନ ଯାଉଛି । ଆମେ କଣ ଜାଣୁ ଦେଶ ଦୁନିଆ କଥା ! ହେଲେ ଆପଣ ଯାହା କହୁଛନ୍ତି ଶହେଅଣା ସତ । ଆମେ ବାହାରେ ଯେମିତି କହୁ, ଦେଖେଇ ହେଉ, ଘରେ କିନ୍ତୁ ସେମିତି କରି ପାରୁନା । ବାହାରେ ତ ପୁରା ମଡର୍ଣ୍ଣ, କିନ୍ତୁ ଘରେ ପହଞ୍ଚି ଗଲେ କୁଆଡେ ଉଭେଇଯାଏ ଆମର ଏଇ ଆଧୁନିକ ରୂପ । ପୁଣି ସେଇ ସମାଜର ଡର । ଝିଅର ବାପ ସବୁଦିନ ବିଚରାଟିଏ ହୋଇ ରହିଯାଏ । ପୁଅଟିଏ ଭୂଲ କଲେ କେହି ଦେଖନ୍ତିନି, କହିବେ ପୁଅ ତ ପିତଳ ଘଡା, ଧୋଇ ମାଜିଦେଲେ ପୁଣି ଚକମକ୍ ଚମକି ଉଠିବ । କିନ୍ତୁ ଝିଅଟିଏ ତ ମାଟି ମାଠିଆ, କଣ ଟିକେ ବାଜିଗଲେ ଦିଖଣ୍ଡ । ଗଲା ସାରା ଜୀବନ ! କଳଙ୍କଟିପାଏ ନେଇ କେମିତି ବଞ୍ଚି ରହିବ ? କିଏ ତାକୁ ବୋହୁ କରିବ ? ଝିଅଟିଏ ଯଦି ବଡ ପାଟିରେ କଣ କହିଦେଲା କି ଜୋରରେ ଯଦି ଦି କଦମ ଚାଲିଗଲା ତାକୁ ଅଣ୍ଡିରାଚଣ୍ଡି କହିବାକୁ ମୁହୁର୍ତ୍ତେ ବି ଲାଗେନି କାହାକୁ ।

ଅଭିମନ୍ୟୁବାବୁ ମୁକୁନ୍ଦ ମୁହଁର କଥା ଛଡାଇନେଇ କହିଲେ, ସତକଥା କହୁଛି ମୁକୁନ୍ଦା, ଆମେ ବାହାରେ ତ କହିହେଉ ପୁଅ ଝିଅ ସବୁ ସମାନ । କିନ୍ତୁ ଘରେ ? କଥା କଥାକେ ଝିଅକୁ ପୁଅ ସହିତ ତୁଳନା କରିଦେଉ । କାମ ଯେପରି ବଣ୍ଟା ହୋଇଛି, ଏଇଟା ପୁଅଙ୍କ କାମ ଆଉ ଏଇଟା ଝିଅଙ୍କ କାମ । ଝିଅ ମାନଙ୍କୁ ସବୁ କାମରେ କହିଦେଉ ତୁ କଣ ପୁଅ ହେଇଚୁ ? ସେ ଯଦି କିଛି ପୁଅବାଲା କାମ କରିଦିଏ, କହୁ ଅଣ୍ଡିରାଚଣ୍ଡି, ଲାଜ ସରମଟିକେ ନାହିଁ । କେବେ ବି ଝିଅର ମନରେ ଆତ୍ମ ବିଶ୍ୱାସ ବଢାଇବାକୁ ଚେଷ୍ଟା କରୁନା, ତାକୁ ସ୍ୱଭୀମାନି ହେବାକୁ ଦେଉନା । ତା ମନରେ ‘ସେ ଶକ୍ତିଶାଳୀ ଏବଂ ସେ ସବୁକିଛି କରି ପାରିବ’ ବୋଲି ତାକୁ ପ୍ରେରିତ କରୁନା ! ବରଂ ତୁ ଝିଅଟେ, ଏସବୁ ତୋ ଦେଇ ହେବନି ବୋଲି କହି ତାକୁ ନିରୁତ୍ସାହିତ କରୁ, ଏବଂ ଆଶାକରୁ ସେ ସମାଜରେ ମୁଣ୍ଡଟେକି ନିର୍ଭୀକ ଭାବେ ସୁରକ୍ଷିତ ରହି ପାରିବ । କିନ୍ତୁ କିପରି??

ହଁ, ସତ କହିଲେ ଆଜ୍ଞା, କହି ରବିବାକୁ ତାଙ୍କର ଅଧାକଥାକୁ ପୁରା କରିବାକୁ ଆରମ୍ଭ କଲେ । ଝିଅଟିଏ ତ ତା ଜୀବନର ପ୍ରଥମ ଦିନରୁ ନିଜ ଘରେ ଝିଅଟିଏ ବୋଲି ଅପମାନିତ ହୁଏ । ତାର ଅସ୍ମିତାର ହନନ ତାର ମାଆ, ବାପା, ଭାଇ ତଥା ପରିବାରର ଅନ୍ୟ ସଦସ୍ୟ ମାନେ ଜାଣିଶୁଣି ବା ଅଜାଣତରେ କରି ଥାଆନ୍ତି । ସେ ଘରର ସଦସ୍ୟାଟିଏ ହୋଇ ମଧ୍ୟ ପରର ସମ୍ପତ୍ତିର ଆଖ୍ୟା ପାଇଥାଏ । ତାକୁ ସମାଜର ଯୋଗ୍ୟ ହେବା ପାଇଁ ଶିଖା ଯାଏନି ବରଂ ପରଘର ପାଇଁ ଯୋଗ୍ୟ ହେଲାପରି ଟ୍ରେନିଂ ଦେବା ଆରମ୍ଭ କରି ଦିଆଯାଏ । କେମିତି ବସିବ ଉଠିବ, କେମିତି ଚାଲିବ, କେମିତି କହିବ, କେମିତି ହସିବ ଏସବୁ ଶିଖାଯାଏ । ଚୁପ୍ ରହି ସବୁ କିପରି ପଥର ପରି ସହିବାକୁ ହୁଏ ତାହା ଶିଖାଯାଏ । ଅନ୍ୟାୟ ବିରୁଦ୍ଧରେ କେମିତି ଲଢିବାକୁ ହୁଏ ତାହା କେହି କେବେ ଶିଖାଏନି ତାକୁ । ତାକୁ କୁହାଯାଏ ଝିଅ ଜନମ ପରଘରକୁ ! ସଂସାର କରିଲେ ପଥର ପଡିଲେ ସହି ! ତାକୁ ଅବଳା, ଦୁର୍ବଳାର ମୁଖା ପିନ୍ଧାଇ ଦିଆଯାଏ । କଥା କଥାରେ, ପ୍ରତି ପଦକ୍ଷେପରେ ତାକୁ ମନେ ପକାଇ ଦିଆଯାଏ, ତୁ ଝିଅ, ତୁ ଦୁର୍ବଳ, କେହିବି ତୋତେ ଅପମାନିତ କରିପାରେ ! ତୁ ଦୁର୍ବଳ, ତୁ କିଛି କରି ପାରିବୁନି ଇତ୍ୟାଦି ଇତ୍ୟାଦି । ଆମେ ଏପରି କରି ତାକୁ ଅସହାୟତାର ଭାବନା ଭିତରେ ବନ୍ଦ କରିଦେଉ । ସେ ତାର ଜୀବନର ପ୍ରତି ପଦକ୍ଷେପରେ ପରିବାରର ପ୍ରତିବନ୍ଧର ସାମନା କରିଥାଏ । ଝିଅଟିଏକୁ ସାହାସୀ ହେବା କେବେ ବି ଶିଖାଯାଏନା ।

ଗୋଟିଏ ଝିଅ ଭିତରେ ଭଗବାନ କଣ ସେ ସବୁ ଦେଇନି, ଯାହା ସବୁ ପୁଅଙ୍କୁ ଦେଇଛି ! କଣ ଏମିତି କାମ ଅଛି କୁହନ୍ତୁତ ଆଜି, ଯାହା କେବଳ ପୁଅ କରି ପାରିବେ, ଆଉ ଝିଅ କରି ପାରିବେନି ? ଘାସ କାଟିବାଠୁ ଆରମ୍ଭ କରି ଘୋଡା ଚଢିବା ଯାଏଁ ସବୁ କାମରେ ତ ଝିଅମାନେ ଆଜି ପାରଙ୍ଗମ । ଝିଅ ମାନେ ତ ବଦଳୁଛନ୍ତି । କିନ୍ତୁ ଆମେ କେବେ ବଦଳିବା ? ଆମେ ଆଜିବି ସେଇଁ ମନଧାତା ଅମଳର ପୁରୁଷଙ୍କ ପରି ଝିଅଙ୍କର ପିନ୍ଧା ଲୁଗାରେ ଅଟକି ରହିଛେ । କିଏ ଟାଇଟ୍ ଜିନ୍ସ ପିନ୍ଧିଛି, କିଏ ଶାଢି ନପିନ୍ଧି ମିନି ସ୍କଟ ପିନ୍ଧିଛି । କାହାର ଜଙ୍ଘ ଦିଶୁଛି କାହାର ପେଟ ଦିଶୁଛି ! ଆମର ଆଖି ଖାଲି ସେତିକି ଦେଖୁଛି । କିନ୍ତୁ ସେଇଝିଅ ଯେ ସେନାରେ ଫାଇଟର ପ୍ଲେନ୍ ଉଡଉଛି କି କଲେକ୍ଟର ହୋଇ ଜିଲ୍ଲା ଚଳଉଛି ଆମ ଆଖିକୁ ଆସୁନି । ଧୀକ୍ ଏଇ ମରଦ ପଣିଆକୁ, ଯିଏ ସଂସ୍କୃତି ଆଉ ପରମ୍ପରାର ଦ୍ୱାହି ଦେଇ ନାରୀକୁ ଗୋଟିଏ ଖୁଣ୍ଟିରେ ଛେଳି କି ଗାଈଟିଏ ପରି ବାନ୍ଧି ରଖିବାକୁ ଚାହୁଁଛି !

ଅଭିମନ୍ୟୁ ବାବୁ ଆଉ ସ୍ଥିର ରହି ପାରିଲେନି, ତାଙ୍କ ଭିତରେ ଯେପରେ ତାଙ୍କର ରକ୍ତ ଗରମ ହୋଇ ଆସୁଥିଲା । ସେ ଭାବଉଦବେଳିତ ହୋଇ କହି ପକେଇଲେ ବୁଝିଲେ ଅଜ୍ଞା, ଆମେ ସବୁ ଗୋଟିଏ ଗୋଟିଏ ଧ୍ରୁତରାଷ୍ଟ୍ର, ଆମେ ପୁତ୍ର ପ୍ରେମରେ ଏପରି ଅନ୍ଧ ହୋଇ ଯାଇଛେ ଯେ ପୁରୁଷ ମାନଙ୍କର ଦୋଶକୁ ଆମେ ଧ୍ୟାନ ଦେଉନେ ବରଂ ସବୁ ଦୋଶ ଝିଅର କହି କାନି ଝାଡିଦେଉଛେ । ସବୁ ଘଟଣା ପଛରେ ଝିଅର ଦୋଶ, କାରଣ ସେ ଉତ୍ତେଜକ ପୋଷାକ ପିନ୍ଧିଥିଲା, ସେ ସଂଧ୍ୟାପରେ ଏକୁଟିଆ କାହିଁକି ଯାଉଥିଲା ଇତ୍ୟାଦି ଇତ୍ୟାଦି । ତାଛଡା, ହିନ୍ଦୁ ନାରୀ କିପରି ହେବା ଉଚିତ୍, ସେ କଣ ପିନ୍ଧିବ ଏସବୁ ତ ଶାସ୍ତ୍ର ଦେଖି ବଡ ଜୋରରେ କହି ପକଉ, କିନ୍ତୁ ପୁରୁଷ କଥା କଣ କେବେ ମନେ ପଡେନା ? ନା ସେ ସବୁ କିଛି ଆମ ଶାସ୍ତରେ ନାହିଁ ? ଆବା ଆମ ପୂର୍ବପୁରୁଷ ମାନେ ସେ ସବୁ ଲେଖିବାକୁ ଭୂଲି ଗଲେ ? କେତେ ଜଣ ପୁରୁଷ ଆଜି ନିଜ ଛାତିରେ ହାତ ରଖି କହି ପାରିବେ ସେ ରାମଙ୍କ ପରି ସୁପୁରୁଷ ? ଲକ୍ଷ୍ମଣଙ୍କ ପରି ସଂଜମୀ ? ନିଜେତ ରାବଣ କିନ୍ତୁ ସୀତାଙ୍କୁ ଖୋଜୁଛନ୍ତି ।

ମାଆ ମାନେ ବି କିଛି କମ୍ ନୁହଁନ୍ତି ଆଜ୍ଞା, ସେ ମାଆ ହେଉ କି ଶାଶୁ, ଜାଣି ଜାଣି ପୁତ୍ରପ୍ରେମର ପଟି ଆଖିରେ ବନ୍ଧି ନେଇ ଗାନ୍ଧିରୀ ପରି ହୋଇ ଯାଇଛନ୍ତି । କୁରୁସଭାରେ ଦ୍ରୌପଦୀର ବସ୍ତ୍ର ହରଣ ହେବା ବିରୁଦ୍ଧରେ ବିଦ୍ରୋହ କରି ପାରୁନାହାନ୍ତି । ଝିଅର କଷ୍ଟ ତ ଦେଖୁଛନ୍ତି, ବୁଝୁଛନ୍ତି ହେଲେ ଅନ୍ଧ ହେବାର ଅଭିନୟ କରୁଛନ୍ତି, ସମାଜର ଦ୍ୱାହି ଦେଇ ନିରବ ରହୁଛନ୍ତି । ଆମେ କେହି ବୁଝିବାକୁ ଚାହୁଁନେ ଆମର ଏ ପୁତ୍ର ପ୍ରେମ ଦିନେ କୁରୁବଂଶ ପରି ଏ ସମାଜକୁ ଧ୍ୱଂସ କରିଦେବ ।

ପ୍ରଥମେ ଆମେ ଆମ ନିଜ ଘରେ ଝିଅକୁ ଅପମାନିତ ହେବାକୁ ଦେଉ । ତାକୁ ଅବଳା ଦୂର୍ବଳା କରିଦେଉ । ପରେ ସେଇ ଝିଅ ରାସ୍ତାରେ ଅପମାନିତ ହୁଏ ସେଥିପାଇଁ ସରକାର ଏବଂ ସମାଜ ଉପରେ ଦୋଷ ମଢିଦେଉ । ନେତାଙ୍କୁ ନେତାଗିରି କରିବାକୁ ମଉକା ଦେଉ, ବିରୋଧି ଦଳର କାଠ କଣ୍ଢେଇ ସାଜି ତାଙ୍କ ନିଚ୍ଚ ରାଜନୀତିର ଅଂଶ ବନିଯାଉ ଏବଂ ବନ୍ଦ ଷ୍ଟ୍ରାଇକ ଆଦି କରୁ । କିନ୍ତୁ କେବେବି ନିଜ ପୁଅକୁ ଏକଥା ଶିଖାଉନା, କି ଝିଅଟିଏ ବି ଏ ସମାଜର ଏକ ବଳିଷ୍ଟ ଅଙ୍ଗ । ନାରୀ, ଶକ୍ତିର ରୂପ, ନାରୀ ସୃଜନକାରିଣୀ, ନାରୀ ନଥିଲେ ସୃଷ୍ଟି ଅସମ୍ମବ । ନାରୀ ପୂଜନୀୟା, ସମ୍ମାନୀୟା, ବନ୍ଦନୀୟା । ନାରୀଟିଏ ଜନନୀ, ଭଗିନୀ, ଜାୟା । ନାରୀରେ ମାଆକୁ ଦେଖିବା ପାଇଁ ପୁଅକୁ କେବେ ପ୍ରେରିତ କରିନୁ ।

କେବେ ଚିନ୍ତା କରୁନି, ଏଥିରେ ଆମର ବି ଦୋଷ ଅଛି, ଆମେ ବି ଦୋଷୀ । ସମାଜ କହିଲେ କଣ ବୁଝୁ ଆମେ ? ସମାଜରେ ପରିବର୍ତ୍ତନ କଥା କହୁ, ଆମେ ଏକଥା କହିଲା ବେଳେ କାହା କଥା ଭାବୁ, କେଉଁ ସମାଜ କଥା କହୁ ? ମୁଁ, ଆପଣ, ସେମାନେ, ଆମେ ସବୁ ମିଶିଲେ ଗୋଟିଏ ସମାଜ ହୁଏ ! ନିଜକୁ ପଚାରନ୍ତୁ, “ମୁଁ ବଦଳିବାକୁ ଚାହୁଁଛି ? ମୁଁ କିଛି ବଦଳିଛି ?? ଝିଅମାନଙ୍କ ପ୍ରତି ମୋ ଦୃଷ୍ଟିକୋଣରେ କିଛି ପରିବର୍ତ୍ତନ ଆସିଛି ???” ଯଦି ଆପଣଙ୍କ ଉତ୍ତର ‘ହଁ’ ତେବେ ଜାଣନ୍ତୁ ସମାଜ ବଦଳୁଛି ଏବଂ ଏହାକୁ ଆହୁରି ଦୃତଗତିରେ ବଦଳେଇବା ପାଇଁ ଆପଣଙ୍କ ଆଖ ପାଖର ଲୋକଙ୍କୁ ବୁଝାନ୍ତୁ ଏବଂ ଏହି ପରିବର୍ତ୍ତନରେ ସାମିଲ କରାନ୍ତୁ । କାନୁନ ତିଆରି କରି ଦେଲେ କିଛି ବଦଳେ ନାହିଁ, ନିଜେ ବଦଳିଲେ ଯାଇ ଦୁନିଆ ବଦଳେ ।

ଲୋକପ୍ରିୟ ଲେଖା

To Top