ଗଳ୍ପ

ଧୂଳିଆ ବାବା

Byaasakabi Fakir Mohan Senapati's odia story Dhuliaa Baba

କିଆଁ, ହିନ୍ଦୁ ଫକୀରଟା ଖଜଣା ନ ଦେଇ କେଉଁ ଏତେଗୁଡ଼ାଏ ଜମି ମାହାଳିଆ ଖାଏଙ୍ଗା । ବୋଲାଓ ଉସ୍କୋ, ହମ୍ ଦେଖେଙ୍ଗା ।

ଧୂଳିଆ ବାବା

ଦେ ଗାଁର ହନୁମାନ୍ ଜୀ ପ୍ରତ୍ୟକ୍ଷ ଦେବତା । ସେ ତ କିଛି ଆଜିକାଲିକା କଳିଯୁଗର ଦେବତା ନୁହନ୍ତି, ସତ୍ୟଯୁଗରୁ ବିରାଜୁଛନ୍ତି । ମହନ୍ତ ମହାରାଜଙ୍କ ନାମ ହନୁମାନ୍ ଦାସ । ତାଙ୍କର ବି ସେହିପରି ମହିମା । ବଡ଼ ବଚନସିଦ୍ଧ ପୁରୁଷ ଥିଲେ । ଯାହାକୁ ଯାହା ଆଜ୍ଞା କରୁଥିଲେ, ତୁରନ୍ତ ଫଳି ଯାଉଥିଲା । ତାଙ୍କ ମହିମା କଥା ପୃଥିବୀଯାକ ଜାରି । ନାଗପୁର ମରହଟ୍ଟା ଫୌଜଦାର ସବୁ କଥା ଶୁଣିପାରି ତାଙ୍କୁ ଦର୍ଶନ କରିବାକୁ ଅଇଲା । ସକାଳଓଳିଆ ମହନ୍ତ ମହାରାଜ ଗୋଟାଏ କାନ୍ଥଡ଼ା ଉପରେ ବସି ଗେଞ୍ଜଇ ଟିପୁଥିଲେ । ଦୂରକୁ ଅନାଇ ଦେଲେ ଯେ ଗୋଟାଏ ଖୁବ୍ ବଡ଼ ଦନ୍ତା ହାତୀ ଉପରେ ଅମାରି କସା, ତା’ଉପରେ ପାଟଛତା ଉଡୁଛି, ଫୌଜଦାର ତା’ ଉପରେ ବସି ଆସୁଛି । ମହନ୍ତ ମହାରାଜ ଖାଲି ଏତିକି କହିଲେ, “ହୁଁ- ଚେଲ୍ ବାବା, କାନ୍ଥଡ଼ା ଚେଲ୍ ।” ଆଉ କ’ଣ କାନ୍ଥଡ଼ା ରହିପାରେ, ଚାଲିଲା । ତେଣୁ ଆସୁଛି ହାତୀ, ଏଣୁ ଯାଉଛି କାନ୍ଥଡ଼ା, ଅଧବାଟରେ ଭେଟାଭେଟି । ଫୌଜଦାର ଯିମିତି ଅନାଇ ଦେଇଛି, ଆଉ କ’ଣ ହାତୀରେ ବସିପାରେ । ଖପ୍ କରି ହାତୀରୁ ଡେଇଁ ପଡ଼ି ଲମ୍ ତମ୍ ଗୋଡ଼ ତଳେ ପଡ଼ଗଲା । ମହନ୍ତ ମହାରାଜ କଲ୍ୟାଣ କଲେ, “ଜୀତେ ରହୋ- ଜୀତେ ରହୋ- ବଚ୍ଚା, ଉଠ-ଉଠ ।” ଫୌଜଦାର ଯିମିତି ଉଠିଛି, ସାଙ୍ଗେ ସାଙ୍ଗେ ତମ୍ୱା ପାଟିଆରେ ବାରବାଟୀ ଜମି ଅକରା ସନନ୍ଦ କରିଦେଲା । ଏହି ମହନ୍ତ ଗାଦିରେ ବସିଥିଲେ- ବାରଶ ବାର ମାସ ବାର ଦିନ । ସେ ତ ଥିଲେ ଇଚ୍ଛାମୟ ପୁରୁଷ, ଆଉ ପୃଥିବୀରେ ରହିବାକୁ ମନ ବଳିଲା ନାହିଁ । ଅଯୋଧ୍ୟାକୁ ଖବର ଗଲା । ହନୁମାନ ଗାଦିରୁ ଜଣେ ଚେଲା ଆସିଲେ । ଏହାଙ୍କ ହାତରେ ଗାଦି ଦେଇ ସ୍ୱର୍ଗକୁ ଚାଲିଗଲେ । ଏ ଚେଲାଙ୍କ ନାମ ମର୍କଟ ଦାସ ମହନ୍ତ ମହାରାଜ । ଗାଦିର ମହିମା- ଏ ମହନ୍ତ ବି ସେହିପରି ।

ଏହାଙ୍କ ସମୟରେ ପଡ଼ିଲା ଫିରଙ୍ଗୀ ଅମଳ ଜାରି । କଟକ ସାହେବ କହିଲା, “କିଆଁ, ହିନ୍ଦୁ ଫକୀରଟା ଖଜଣା ନ ଦେଇ କେଉଁ ଏତେଗୁଡ଼ାଏ ଜମି ମାହାଳିଆ ଖାଏଙ୍ଗା । ବୋଲାଓ ଉସ୍କୋ, ହମ୍ ଦେଖେଙ୍ଗା ।” ପାରୁଆନା ପାଇ ମହନ୍ତ ଘୋଡ଼ାରେ ଚଢ଼ି ବାହାରିଲେ । ଆଗରେ ବାନା ବୈରଖ ଉଡୁଛି, ହରିବୋଲ ପଡୁଛି, କୀର୍ତ୍ତନ ଲାଗିଛି, ଯାଇ ବିଜେ ହୋଇଗଲେ ମହାନଦୀ କୂଳରେ । ଭୋଦୁଅ ମାସିଆ ଦିନ, ମହାନଦୀ ଏ କୂଳ ସେ କୂଳ ଖାଉଛି, ବର୍ଷା ତୋଫାନ ବୋଲେ ମୁହିଁ- ନାଉରୀ କହିଲା, ନାଆ ଫିଟାଇବ ନାହିଁ । ପାରି ହେଉଛନ୍ତି କିମିତି । ମହନ୍ତ ମହାରାଜ ଆଜ୍ଞା କଲେ ପରବା ନାହିଁ । କାଖରେ ଯେ ବାଘ ଛାଲ ଥିଲା, ପାଣିରେ ପାରି ଦେଲେ- ଆପେ ବିଜେ ହୋଇଗଲେ, ଅଧିକାରୀ ଟହଲିଆ ସୁଆର ଚଳିବା ଭଳି ଲୋକଙ୍କୁ ପାଖରେ ବସାଇ ନେଲେ । ଜଣେ ଛତିଆ ମହନ୍ତଙ୍କ ମୁଣ୍ଡ ଉପରେ ପାଟ ଛତା ଟେକିଥାଏ । ଦୁଇଜଣ ବାହିଆ ଛାଲ ବାହି ଯାଉଥାନ୍ତି । ଏଣେ ମହାନଦୀ ଆର କୂଳରେ ସାହେବ ରାଉଟି ପକାଇ ବସିଥିଲା । ଦୂରବୀନ୍‌ରେ ଚାହିଁ ଦେଲା, ପାଖ ଲୋକଙ୍କୁ ପଚାରିଲା, “ଏ କ୍ୟା ?” ଲୋକେ କହିଲେ, “ହିନ୍ଦୁ ଫକୀର ବିଜେ ହୋଇ ଆସୁଛନ୍ତି ।” ସାହେବ ଆଉ କ’ଣ ଚୌକିରେ ବସିବ, ନଈ କୂଳକୁ ଧାଇଁ ଅଇଲା । ମୁଣ୍ଡରୁ ଟୋପି ତଳେ ରଖି ତିନି ସଲାମ କଲା । କହିଲା- “ହାଲୋ ଫକୀର, ତୁମାରା ଜମିନ୍ ବାହାଲ ।” ଏ ମହନ୍ତ ଦେଢ଼ ହଜାର ବର୍ଷ ଗାଦିରେ ବସିଥିଲେ । ତାଙ୍କ ଉତ୍ତାରେ ଗାଦିରେ ବସିଲେ, ଜମ୍ବୁବାନ୍ ମହନ୍ତ ମହାରାଜ । ମନ୍ଦିର ପଛପଟରେ ଯେଉଁ ଦି’ଫାଙ୍କୁଡ଼ିଆ ବୁଦା ସାହାଡ଼ା ଗଛ ଦେଖୁଛ, ଏଇଟା କ’ଣ ଜାଣ ? ମହନ୍ତ ଦିନେ ସାହାଡ଼ା ଦାନ୍ତ କାଠିରେ ଦାନ୍ତ ଘଷୁଥିଲେ, କାଠିଖଣ୍ଡ ଦାନ୍ତରେ ଚିରି ଜିଭ ଠେଲିପକାଇ ଦୁଇଖଣ୍ଡ କାଠି ଯୋଡ଼ି ମାଟିରେ ପୋତି ଦେଲେ । ତା’ପରେ ଯିମିତି ଟୋପାଏ ପାଣି ପକାଇଛନ୍ତି, ସିମିତି ଗଜେଇ ଗଲା । ଏଇଟା ସେଇ ଗଛ । ବର୍ତ୍ତମାନ ମହନ୍ତଙ୍କ ନାମ ବାନ୍ଦର ଦାସ ମହନ୍ତ ମହାରାଜ । ଏପରି ପୁରୁଷ କାହିଁ ଦେଖା ନାହିଁ, ନ ଥିବ । ପଞ୍ଚହତା ମର୍ଦ, ଗାଲ ଓଠ ଛାତିରେ ଲାଗିଯାଇଛି, ବେକ ଦିଶେ ନାହିଁ । ବାହୁ ଆଉ ଲୋକଙ୍କ ଜଙ୍ଘ ପରି ମୋଟା, ପେଟଟି ଗୋଟିଏ ଦଶ ନୌତିଆ ଘୁମା । ଅଜଣା ଲୋକେ ଦେଖି କହିବେ, ମହନ୍ତ ଲଙ୍ଗଳା । ନାହିଁ, ନାହିଁ ଚା’ଖଣ୍ଡେ ଚୌଡ଼ା ଦେଢ଼ ହାତ ଲମ୍ୱ ଖଣ୍ଡେ କନା କୌପୀନ ମାରିଥାଆନ୍ତି । ଜଙ୍ଘକୁ ଜଙ୍ଘକୁ ଲାଗିଯାଇଛି, ପେଟଟି ଝୁଲି ପଡ଼ିଛି, କୌପୀନ ଦିଶେ ନାହିଁ । ଏ ମହନ୍ତଙ୍କର ବି ମହିମା ଅପାର । ମନ୍ଦିରରେ ଏତେ ଖଟ ପଲଙ୍କ, କାହିଁରେ ଶୋଇବେ ନାହିଁ, ସବୁବେଳେ ଧୂଳିରେ ଗଡୁଥାନ୍ତି । ଦେହଯାକ ଧୂଳି-ଧୂସର । ସ୍ନାନ କେବେ କରନ୍ତି ନାହିଁ, ପାଣି ଛୁଅନ୍ତି ନାହିଁ । ଏଥିପାଇଁ ଲୋକମାନେ ମହନ୍ତ ମହାରାଜାଙ୍କୁ ଧୂଳିଆ ବାବା ବୋଲି ଡାକନ୍ତି । ମନ୍ଦିରରେ ଏତେ ଧନ ଦୌଲତ, ଏତେ ପିଠା ଖଜା କିଛି ଛୁଇଁବେ ନାହିଁ । ଦଶ ସେର ନିରୁତା ଦୁଧ ଆଉଟି ଆଉଟି ପାଞ୍ଚ ସେର ରହିବ । ଅଳତା ଫଡ଼ା ପରି ଉପରେ ସର ପଡ଼ିବ । ଦି’ପହର ଧୂପରେ ଠାକୁରଙ୍କ କତିରେ ଭୋଗ ଲାଗେ । ମହନ୍ତ ମହାରାଜ ତେତିକି ସେବା କରନ୍ତି । ଆଉ ତୋଳାଏ ଆପୁ, ପାଏ ଗେଞ୍ଜଇ ଖଞ୍ଜା । ଦିନରାତି ଗେଞ୍ଜଇ ଚିଲମ ହାତରୁ ଛୁଟଣ ନ ଥାଏ । ଆଖି ଯୋଡ଼ିକ ସାନ ସାନ ସିନ୍ଦୂର ବିନ୍ଦୁ ପରି ଲାଲ୍ । ସବୁବେଳେ ମିଞ୍ଜି ମିଞ୍ଜି କରି ଚାହାଁନ୍ତି । ତାଙ୍କ ଗେଞ୍ଜଇ ଚିଲମଟା ହାତେ ଲମ୍ୱ । ଦଶ ପନ୍ଦର ଜଣ ଭକତ-ଚେଲା ସବୁବେଳେ ବେଢ଼ି ବସିଥାନ୍ତି । ଗେଞ୍ଜଇଟିପା କାମ ପାଞ୍ଚ ଛ’ଜଣଙ୍କ ହାତରେ ଲାଗିଥାଏ । ମନ୍ଦିରରୁ ପ୍ରସାଦ ସେବା କରି ସବୁବେଳେ ଏମାନେ ପାଖରେ ହାଜର ।

ଆଗ ଆଗ ମହନ୍ତ ମହାରାଜମାନଙ୍କ ମହିମା କଥା ଦେଶ ଲୋକଙ୍କୁ ଜଣା । ପୁଣି ସେସବୁ କଥା ଭୁଜପତ୍ରରେ ଦେବନାଗର ଅକ୍ଷରରେ ରକ୍ତଚନ୍ଦନରେ ଲେଖା ହୋଇ ଦେଉଙ୍କ ସିଂହାସନ ତଳେ ଅଛି । ଏ ଧୂଳିଆ ବାବା ସେସବୁ ପଢ଼ି ଆସି ବିଶ୍ୱାସୀ ଭକ୍ତମାନଙ୍କ ପାଖରେ ଗୋପନରେ କହନ୍ତି । କେହି କେହି ଅବିଶ୍ୱାସୀ ଭକ୍ତ ଲୋକଙ୍କ ପାଖରେ ପ୍ରକାଶ କରି ପକାଏ ।

ଧୂଳିଆ ବାବା ସବୁଦିନେ ଚେଲାମାନଙ୍କ ଆଗରେ କହନ୍ତି, ମିହି ପୁରୀରେ ଯେ ଜଗନ୍ନାଥ ଦେଉଳ ଦେଖୁଛ, ତିଆରି ହେଲା ବାଦ ପ୍ରତିଷ୍ଠାକୁ ଅଯୋଧ୍ୟାରୁ ହଜାରେ ଆଠ ମୂରତି ସାଧୁ ମହନ୍ତ ଭୋଜୀ ଖାଇବାକୁ ଆସିଥିଲେ । ଏ ବି ସେମାନଙ୍କ ମଧ୍ୟରେ ଆସିଥିଲେ । ଚେଲାମାନଙ୍କ ଭକ୍ତି ଏଡ଼ି ନ ପାରି ରହି ଯାଇଛନ୍ତି । – ଆଉ ଏ ମିଛୁଆ ଦେଶଟା ଭଲ ଲାଗୁ ନାହିଁ, ଅଯୋଧ୍ୟା ହନୁମାନ ଗାଦିକୁ ଫେରିଯିବେ । ପ୍ରାସାଦସେବାକାରୀ ଚେଲାମାନେ ଗୋଡ଼ ତଳେ ପଡ଼ି ଗଡ଼ନ୍ତି । ସେମାନଙ୍କ ଉପରେ କୃପା କରି ଧୂଳିଆ ବାବା ରହି ଯାଇଛନ୍ତି । ଏପରି ଘଟଣା ଶହକୁ ଶହ ଥର ହୋଇ ଗଲାଣି ।

ମହନ୍ତଙ୍କର ଧନ ଦୌଲତ ଅମାପ । ଗାଈ, ମଇଁଷି ପଲକୁ ପଲ ଧାନ ଟଙ୍କାର ସୀମା ନାହିଁ । ଆୟ ଢେର । ଆୟ ମଧ୍ୟରୁ ଗୋଟିଏ ବିଶେଷ ଆୟ ଏହି, ଦେଶ ମଧ୍ୟରେ ମାଲ ମକଦ୍ଦମା ଉପସ୍ଥିତ ହେଲେ ମୁଦେଇ ମୁଦାଲା ଦୁଇ ପକ୍ଷ ପ୍ରଭୁଙ୍କ ପାଖରେ ମନାସି ଯା’ନ୍ତି, ମାମଲା ଡିଗ୍ରୀ ହେଲେ କିଏ କେତେ ଟଙ୍କା ଦେବେ, ପାଞ୍ଜିଆ ଲେଖି ରଖେ । ଯାହାର ମାମଲା ଡିଗ୍ରୀ ହୁଏ ଜଣେ ସାଧୁଙ୍କୁ ପଠାଇ ତା’ଠାରୁ ଟଙ୍କା ଅସୁଲ କରାଯାଏ ।

ରାମ ସାଉ ଶାମ ସାଉ ଦୁଇ ଭାଇ । ଭାଇଭାଗ ବଣ୍ଟୁଆରା ପାଇଁ କଟକ ଅଦାଲତରେ ମକଦ୍ଦମା ଦାଏର ହେଲା । ରାମ ସାଉ ପ୍ରଭୁଙ୍କଠାରେ ମନାସି ଗଲା, ମାମଲା ଡିଗ୍ରୀ ହେଲେ କେତେ ଟଙ୍କା ଦେବ, ପାଞ୍ଜିଆ ପାଖରେ ଲେଖି ଦେଇଗଲା । ଶାମ ସାଉ ଆସେ ନାହିଁ । ବୁଝ ବୁଝ ଶାମା କିଆଁ ଅଇଲା ନାହିଁ । ଜଣେ ଚେଲା ବୁଝି ଆସି ଜଣାଇଲା, “ପ୍ରଭୁ ! କ’ଣ କହିବି, କହିବାକୁ ଡର ମାଡୁଛି । ଆଜ୍ଞା, ଶାମାର ଏଡେ଼ ବହପ, ପାଞ୍ଚ ଜଣଙ୍କ ଆଗରେ ସାଫଫିଟେଇ କହିଲା, କଳିକାଳରେ ମହନ୍ତଙ୍କ କରାମତି କାହିଁ ଯେ ମୁଁ ମନାସିବାକୁ ଯିବି ।” ମହନ୍ତ ତେତେବେଳେ ଗେଞ୍ଜଇ ଭିଡୁଥିଲେ, ରାଗରେ ଖୁବ୍ ବଳରେ ଚିଲମଟା ଭିଡ଼ି ନେଲେ, ଦପ୍ କରି ଜଳି ଉଠିଲା । ମହନ୍ତ ଅଳ୍ପ ଅଳ୍ପ ଭକ୍ କରି ପାଟିରୁ ଧୂଆଁ ଛାଡୁଥାନ୍ତି, କଥାଟା ଚିପି ଚିପି କହିଲେ, “ଦେଖ ଚେଲାମାନେ, ଆମେ ହୁକୁମ କରିବୁ, ଏହି ଚିଲମ୍ ନିଆଁ କଥା କହିବ ।” ଚେଲାମାନଙ୍କର ତ ଆନନ୍ଦର ସୀମା ନାହିଁ । ସେମାନଙ୍କର ଦୃଢ଼ ବିଶ୍ୱାସ, ମହନ୍ତଙ୍କ ଆଜ୍ଞା ମେଣ୍ଟଣ ହେବାର ନୁହେଁ । ସେହି ଦିନ ମଧ୍ୟରେ ଦେଶଯାକ ହାଟ ହୋଇଗଲା, ଧୂଳିଆ ବାବାଙ୍କୁ ପ୍ରଭୁଙ୍କର ସ୍ୱପ୍ନ ହୋଇଛି, ସେ ସିଦ୍ଧ ପୁରୁଷ ହୋଇଗଲେଣି, ତାଙ୍କ ଗେଞ୍ଜଇ ଚିଲମ କଥା କହିବ । ଥୋକେ ଚେଲା ପ୍ରକାଶ କଲେ, ନାହିଁ ନାହିଁ ଚିଲମ ନୁହେଁ, ଚିଲମ ନିଆଁ କଥା କହୁଛନ୍ତି । ଦଶଜଣଙ୍କୁ ଆଜ୍ଞା ହେଲା, ସେ ନିଜେ ଶୁଣି ଆସିଲା, ଆଉ ଯାଏ କାହିଁ । ତହିଁ ଆର ଦିନ ସକାଶୁ ସଞ୍ଜଯାଏ ଶହକୁ ଶହ ଲୋକ ଧାଇଁଛନ୍ତି । କାହାକୁ ବେମାରୀ ଛାଡୁ ନାହିଁ, କାହାର ବଳଦ ହଜିଛି ମିଳୁନାହିଁ, କାହାର ମାମଲା ଦାଏର ଅଛି, ଡିଗ୍ରୀ ହେଉ । ଢେର ଢେର ତିରିଲା ପାଦ ପୂଜା ପଠାଇଛନ୍ତି, ସେମାନଙ୍କର ପୁଅ ହେଉ ନାହିଁ, ଚିଲମ ପ୍ରଭୁ ବର ଦେଉନ୍ତୁ । ଲୋକେ ପାଦପୂଜା ଟଙ୍କା ଅଧୁଲି ସୁକି ମହନ୍ତଙ୍କ ପାଦତଳେ ଦେଇ ଅଧ୍ୟା ପଡ଼ିଛନ୍ତି ।

ମହନ୍ତ ମହାରାଜ ଆଜ୍ଞା କଲେ, ଉଠ ଉଠ ବାବାମାନେ । ଆମେ କିଛି କହିବୁ ନାହିଁ, ଏହି ଯେ ଆମ ଗେଞ୍ଜଇ ଚିଲମରେ ଅଗ୍ନି ଦେଖୁଛ, ସେଥିରେ ଧୂନି ଥାପନା ହେବ, ସେହି ଧୂନିରେ ଅଗ୍ନି ଦେବତା ବିଜେ କରିବେ, ସମସ୍ତଙ୍କ ଗୁହାରି ଶୁଣି ବର ଦେବେ । ଆସନ୍ତା ଅଗିରାପୁନେଇଁ ଦିନ ଅଗ୍ନି ଦେବତା ସ୍ୱର୍ଗରୁ ବିଜେ ହୋଇ ପୃଥିବୀରେ ଭ୍ରମଣ କରିବେ । ଆମ୍ଭଙ୍କୁ ସ୍ୱପ୍ନରେ ଆଜ୍ଞା କରିଛନ୍ତି, ଆମେ ଧୂନି ଥାପି ତାଙ୍କୁ ବିଜେ କରାଇ ରଖିବୁ, ଯାହାର ଯାହା ଗୁହାରି ଥିବ ପୂଜା ଦେଇ ଜଣାଇଲେ ତତ୍‌କ୍ଷଣାତ୍ ବର ମିଳିଯିବ । ପୂଜାର ବିଧାନ ସମସ୍ତଙ୍କୁ ଶୁଣାଇ ଦେଲେ, ଧୂନିରେ ଶଏ ଆଠ ଆହୁତି ଦିଆଯିବ, ସେଥି ସକାଶେ ଖଣ୍ଡିଏ ନବ ବସ୍ତ୍ର, ପାଞ୍ଚପା’ ଘିଅ, ପଞ୍ଚୁ ବର୍ଣ୍ଣି ଭୋଗ, ପଞ୍ଚୁ ବର୍ଣ୍ଣି ପୁଷ୍ପ । ଗାଦି ପୂଜା ଦକ୍ଷିଣା ଯାହାର ଯାହା ଶକ୍ୟ, କିନ୍ତୁ ପାଞ୍ଚ ସୁକାରୁ ଊଣା ନୁହେଁ ।

ଅଗିରାପୂର୍ଣ୍ଣିମା ଅଧରାତିଠାରୁ ଧୂନି ପୂଜା ଆରମ୍ଭ ହେଲା । ମହନ୍ତ ମହାରାଜ ଆହୁତି ଦେବାରୁ ଅଗ୍ନି ଦେବତା ବିଜେ ହୋଇଗଲେ । ଧୂ’-ଧୂ’- ହୋଇ ଜଳୁଛନ୍ତି । ଯାହାର ଯାହା ପ୍ରାର୍ଥନା, ହାତ ଯୋଡ଼ି ଜଣାଇଲେ ଧୂନି ଭିତରୁ ଅଗ୍ନି ଦେବତା ଗମ୍ଭୀର ସ୍ୱରରେ ହୁଁ-ନା- ହେବ ଏହିପରି ଆଜ୍ଞା କରୁଛନ୍ତି । ପ୍ରତ୍ୟକ୍ଷରେ ଅବିଶ୍ୱାସ କଣ । ଲୋକମାନେ ଶୁଣି ତାଟକା, ଭକ୍ତିରେ ଭୂଇଁରେ ପଡ଼ି ଗଡ଼ି ଯାଉଛନ୍ତି । ହରିଧ୍ୱନିରେ ମଠ ଉଛୁଳି ପଡୁଛି ।

ଶାମ ସାଉ କଥା ଶୁଣିଲା, ଘର ମଧ୍ୟରେ ଡକା ପାରି ମୁଣ୍ଡ ବାଡେ଼ଇ ହେଉଛି । ଲୋକମାନେ ଧୂନି ପୂଜା କରି ବର ଘେନି ଯାଉଛନ୍ତି । ରାମା ଭାଇ ବି ପୂଜା ଦେଇ ବର ପାଇବ, ମୋହର ସର୍ବନାଶ ହେବ । ଇଜମାଲି ଧନ ଊଣା ନୁହେଁ, ଲକ୍ଷକରୁ ବଳି ପଡ଼ିବ, ସବୁ ରାମା ଭାଇ ଘେନି ଯିବ । ମହନ୍ତ ମହାରାଜ ଖପା ହୋଇ ଆଜ୍ଞା କରିଛନ୍ତି, ଆଚ୍ଛା, ସେ ତେଲି ଟୋକାକୁ ଦେଖିବୁ । ଏ କଥା ଶୁଣିଲାବେଳୁ ଶାମାର ଫାକାଶି ଉଡ଼ିଲାଣି । କ’ଣ କରିବୁ, ଭାଳୁ ଭାଳୁ ଗୋଟାଏ ବୁଦ୍ଧି ଦିଶିଗଲା । ମହନ୍ତ ମହାରାଜଙ୍କ ଗେଞ୍ଜଇ ପ୍ରସାଦ ସେବକମାନଙ୍କୁ ଯାଇ ଧରିଲା । କାହାକୁ ଦଶ, କାହାକୁ ପାଞ୍ଚ ଦେଇ ସମସ୍ତଙ୍କ ଗୋଡ଼ ତଳେ ପଡ଼ିଲା, ସମସ୍ତେ ଅଭୟ ଦେଇ ମହନ୍ତଙ୍କ ଗୋଡ଼ ତଳେ ପଡ଼ିବାକୁ ଉପଦେଶ ଦେଲେ ।

ବେଳ ଛ’ଘଡ଼ି, ସେବକମାନେ ବେଢ଼ି ବସିଛନ୍ତି । ମହନ୍ତ ଧୂଳିଟାରେ ବସି ଗେଞ୍ଜଇ ଭିଡୁଛନ୍ତି, ଜାଗାଟା ଧୂଆଁମୟ । ଶାମ ଛାତି ଦାଉଁ ଦାଉଁ ପଡୁଛି । ଡରି ଡରି ଯାଇ ମୁଠାଏ ଟଙ୍କା ପାଦପୂଜା ପାଇଁ ଝଣ କରି ମହନ୍ତଙ୍କ ପାଦ ତଳକୁ ଫୋପାଡ଼ି ଦେଇ ଲମ୍ୱ ଲମ୍ୱ ଗୋଡ଼ତଳେ ପଡ଼ିଗଲା । ପ୍ରଭୁ ! ମୁ ପିଲା, ମୁଁ ମହାପାପୀ, ମୋ ଅପରାଧ କ୍ଷମା କରନ୍ତୁ । ମହନ୍ତ ଆଖି ବୁଜି ବସି ଗେଞ୍ଜଇ ଭିଡୁଛନ୍ତି, କିଛି ଆଜ୍ଞା ହେଲା ନାହିଁ । ସମସ୍ତ ସେବକ ଏକାବେଳକେ ମହନ୍ତ ମହାରାଜାଙ୍କ ଗୋଡ଼ ତଳେ ପଡ଼ି ପ୍ରାର୍ଥନା କଲେ- ହେ ମହାପ୍ରଭୁ ! ଆମ୍ଭେମାନେ ମହାପାପିଷ୍ଠ, ଅପରାଧୀ, ପ୍ରଭୁ କ୍ଷମା ନ କଲେ ଆଉ କିଏ ଜଗତରେ ଅଛି । ଦୟାମୟ ପ୍ରଭୁ ଏକାବେଳକେ ଆଜ୍ଞା କଲେ, ଯା’ଓ ବେଟା, ପୂଜା ଲେଆଓ । ଶାମ ସାଉର ଆନନ୍ଦର ସୀମା ନାହିଁ, ପୂଜା ଆୟୋଜନ ସେହିପରି । ଘିଅ ପାଞ୍ଚପା’ ଜାଗାରେ ପାଞ୍ଚ ସେର, ଆଉ ଆଉ ସରଞ୍ଜାମ ତା’ ମାଫିକେ । ସମସ୍ତେ ଖଣ୍ଡେ ଖଣ୍ଡେ ସୂତା ଶାଢ଼ୀ ଆହୁତି ଦିଅନ୍ତି । ଶାମ ସାଉ କୁମ୍ଭକର୍ଣ୍ଣୀ କିନାରି ସଚ୍ଚା ଜରିମୁହୁଣ୍ଡା ଖଣ୍ଡେ ବରମପୁରୀ ପାଟ ଶାଢ଼ୀ ଆହୁତି ଦେବା ଲାଗି ଆଣିଛି । ଶାମ ସାଉର ଭାରି ବଡ଼ ପୂଜା ହେବ । ଗାଁରେ ସେ ଦୁଇ ଭାଇ ବଡ଼ ଟାଣୁଆ ମହାଜନ । ଅଗ୍ନିଦେବ ତାକୁ କି ବର ଦେବେ ଶୁଣିବା ପାଇଁ ଆଖପାଖ ପାଞ୍ଚ ଖଣ୍ଡ ଗାଁରୁ ମଣିଷ ଧାଇଁଛନ୍ତି । ଊଣା ଅଧିକ ପାଞ୍ଚ ଶହ ଲୋକ ଜମା ହୋଇ ଗଲେଣି । ବେଢ଼ା ଭିତରେ ଜାଗା ନାହିଁ ।

ମନ୍ଦିର ବେଢ଼ା ପାଚେରି ଲଗା ଧାଡ଼ିଏ ଘର ଅଛି । ଗୋଟାଏ ଘରେ ମେଳା ମଉଛବରେ ପିଠା ଖଜା ତିଆରି ହୁଏ, ତା’ ପାଖଟା ସରଘର । ସେହି ପିଠା ତିଆରି ଘରେ ଧୂନି ଥାପନା ହୋଇଛନ୍ତି । ରାତି ଅନ୍ଦାଜ ଛ’ଘଡ଼ି ସମୟରେ ମହନ୍ତ ମହାରାଜ ମନ୍ଦିର ପାଖ ଗମ୍ଭୀରିରୁ ବାହାରିଲେ । ଆଜି ପ୍ରଭୁଙ୍କ ମନରେ ଭାରି ଆନନ୍ଦ । ଅନେକ ଟଙ୍କା ରୋଜଗାର ମାମଲା । ତୋଳାଏ ଆପୁ ଉପରେ ସଞ୍ଜବେଳେ ଆହୁରି ତୋଳାଏ ପକାଇଛନ୍ତି । ଗେଞ୍ଜଇ ବି ବେଶି କରି ଭିଡ଼ିଛନ୍ତି । ଚାଲିବା ବେଳେ ଗୋଡ଼ ଟଳି ଯାଉଛି, ଚାରି ଜଣ ଚେଲା ଧରାଧରି କରି ନେଉଛନ୍ତି । ମହନ୍ତ ବାବାଙ୍କୁ ଦର୍ଶନ କରି ସମସ୍ତ ଦେଖଣାହାରୀ ହରିବୋଲ ପକାଇ ଗୋଡ଼ ତଳେ ପଡ଼ିଗଲେ । ପୂଜା ଆରମ୍ଭ ହେଲା, ପାଞ୍ଚ ସେର ଘିଅ ଆହୁତି, ଖୁବ୍ ମୋଟା ମୋଟା ଢେର ଗୁଡ଼ିଏ କାଠ ଧୂନିରେ ଲଦି ଦେଲେ । ଆହୁତି ପାଇ ଚାରି ହାତ ଉଚ୍ଚ ଶିଖା ଟେକି ନିଆଁ ଧୂ-ଧୂ ଜଳୁଛି । ଘର ଭିତରେ ମହନ୍ତ ଏକାକୀ । ପ୍ରଭୁଙ୍କର ସେହିପରି ମହିମା, ନୋହିଲେ ନିଆଁ ତେଜରେ ଆଉ କିଏ ସେ ଘରେ ପଶିପାରିବ । ଶାମ ସାଉ ବେକରେ ପଟକା ପକାଇ ହାତ ଯୋଡ଼ି ଦୁଆରବନ୍ଧ ବାହାରେ ଛିଡ଼ା ହୋଇ ଧୂନି ମହାପ୍ରଭୁଙ୍କୁ ଅନାଇ ପ୍ରାର୍ଥନା କଲେ, ଧୂନି ଜୀ ! ଶାମା ବେଟାକୁ ବର ଦିଅ- ବର ଦିଅ- ବର ଦିଅ, ତା’ ମାମଲା ଫତେ ହେଉ । ଧୂନି କିଛି ଜବାବ୍ ଦେଲେ ନାହିଁ । ମହନ୍ତ ଆପଣାର କରାମତି ଲୋକଙ୍କୁ ଦେଖାଇବା ପାଇଁ ଛିଡ଼ା ହୋଇଗଲେ, ହାତରେ ଯେଉଁ ଦଶ ସେରିଆ ଲୁହା ଚିମୁଟା ଥିଲା, ଖୁବ୍ ବଳରେ ପାହାରେ ବାଡେ଼ଇଲେ । ଭୁଷ କରି ଭାରି ଗୋଟାଏ ଶବ୍ଦ ହେଲା । ଶାମ ସାଉ ଚମକିପଡ଼ି ଅନାଇଲା, ଘର ଭିତରେ ଛାତିଏ ଗହୀର ଗୋଟାଏ ଗାତ । ଗାତ ଅଧାଅଧି ପୁରି ନିଆଁ ଜଳୁଛି, ତା’ ମଧ୍ୟରେ ଦୁଇଜଣ ଲୋକ ଭାରି ଗୋଟାଏ ଧରାପରା ଲାଗିଛନ୍ତି । ଶାମ ପ୍ରଥମରେ କିଛି ବୁଝିପାରିଲା ନାହିଁ । ମୁହୂର୍ତ୍ତକ ବାଦ ଭକ୍ତିବଳରେ ବୁଝିଗଲା, ଧୂନି ଦେବତା ଦେହ ଧରି ବିରାଜମାନ ହୋଇ ଗଲେଣି, ମହନ୍ତଙ୍କ ସଙ୍ଗରେ କୋଳାକୋଳି କରୁଛନ୍ତି । ତାହାର ଭାଗ୍ୟ ଫିଟିଲା, ବର ମିଳିଯିବ । ମୁହୂର୍ତ୍ତକ ମଧ୍ୟରେ ଏତେ କଥା ବୁଝି ନେଲା । ଖୁବ୍ ପାଟି କରି ହରିବୋଲ ପକାଇ କହିଲା, “ଧୂନି ଦେବତା ରୂପ ଧରି ବିଜେ ହେଲେଣି ।” ଯେତେ ଲୋକ ଥିଲେ, ଆନନ୍ଦରେ ହରିବୋଲ ପକାଉଛନ୍ତି । ମନ୍ଦିରରୁ ଘଣ୍ଟ, କାହାଳୀ, ଝାଞ୍ଜ ବାଜୁଛି, ସମୁଦ୍ର ଗର୍ଜନ ପରି ଶବ୍ଦ ଉଠୁଛି । ଅଗ୍ନି ଦେବତାଙ୍କୁ ଦର୍ଶନ କରିବାକୁ ଲୋକେ ଧାଇଁଲେ । ଗୋଟିଏ ବୋଲି ଦୁଆର, ଘର ଭିତରଟା ଧୂଆଁରେ ପୂରିଛି । ଦୁଆର ପାଖରେ ଧରାପରା ହୋଇ କେତେ ଲୋକ ମଡ଼ା ଦଳାରେ ଆଣ୍ଠୁ ଛିଡ଼ି ଘାଉଲା ହୋଇଗଲେଣି ।

ପହରେ ବିତି ଗଲାଣି, ଲୋକେ ନାଚି କୁଦି ହରିବୋଲ ଦେଇ ହାଲିଆ ହୋଇ ପଡ଼ିଲେଣି । ଏ କ’ଣ ? ମଡ଼ା ପୋଡ଼ାର ଉତ୍କଟ ଗନ୍ଧ, ଲୋକେ ନାକରେ ଲୁଗା ଯାକୁଛନ୍ତି । କେତେ ଜଣ ଜଣାଶୁଣା ଲୋକ ଦୁଆର ପାଖକୁ ଯାଇ ଭଲ କରି ଅନାଇଲେ- ଆରେ ମହନ୍ତ ମହାରାଜ ପୋଡ଼ି ମଲେଣିରେ । ବାଜେ ଲୋକ ବୁଝିଲେ, ଅଗ୍ନି ଦେବତା ବିଜେ ହୋଇ ମହନ୍ତ ବାବାଙ୍କୁ ଖାଇ ଗଲେଣି- କାଳେ ଧାଇଁ ଆସି ଆଉ ସମସ୍ତଙ୍କୁ ଖାଇଯିବେ । ପଳା-ପଳା-ପଳା । ପଡ଼ି ଉଠି ଗୋଟାକ ଉପରେ ଗୋଟାଏ ପଡ଼ି ଧାଇଁଛନ୍ତି । ଶେଷକୁ ମନ୍ଦିରର ପୂଜାହାରୀ ଟହଲିଆ ଚାକରମାନେ ବି ଛାଡ଼ି ପଳାଇଲେଣି । ଦଣ୍ଡକ ମଧ୍ୟରେ ଏଡେ଼ ମନ୍ଦିରଟା ନିଶୂନ୍ । ଖାଲି ଧୂନି ଘରୁ ପଡ୍ ପଡ୍ ଶବ୍ଦ ଶୁଭୁଛି, ଦୁର୍ଗନ୍ଧ ବାହାରୁଛି ।

ଦେଗାଁ ପାଖକୁ ଗୋପାଳପୁର ସରକାରୀ ଥାନା ପୁରା ଅଢେ଼ଇ କୋଶ ବାଟ । ସକାଳୁ ସକାଳୁ ସେଠାରେ ଖବର ପହଞ୍ଚିଗଲା । ଦାରୋଗା ସାହେବ ପାଞ୍ଚ ଛ’ଜଣ ବରକନ୍ଦାଜ, ଆଠ ଦଶ ଜଣ ଚୌକିଦାର ଧରି ଧାଇଁଲେ । (ଢେର ଦିନ ତଳ କଥା, ତେତେବେଳେ କନେଷ୍ଟବଳ ନ ଥିଲେ ।) ଦାରୋଗା ପହଞ୍ଚି ଦେଖିଲେ, ମନ୍ଦିର ତ ମନ୍ଦିର, ଗାଁ ଗୋଟାକରେ ଜଣେ ମଣିଷ ବି ନାହିଁ, ସମସ୍ତଙ୍କ ଘରେ ତାଟି କବାଟ ବନ୍ଦ । ଚଉକିଆମାନେ ବହୁତ ଡକାହକା କରିବାରେ ଭିତରୁ ମାଇକିନିଆମାନେ ଜବାବ୍ ଦେଲେ, ପୁରୁଷ କେହି ଘରେ ନାହିଁ । କେହି ଯାଇଛି ଗୋରୁ ଖୋଜି, କେହି ଯାଇଛି କୁଣିଆ ଘର, କେହି ଜାତିଆଣ ଭୋଜି ଖାଇ, ଢେର ଲୋକ ଯାଇଛନ୍ତି କଟକ ମାମଲାରେ । ବହୁତ ଖୋଜ ତଲାସରେ ମନ୍ଦିର ପୂଜାହାରୀ ଆଉ କେତେଜଣ ଚାକର ବାହାରିଲେ । ଦାରୋଗା ସରଜମିନ ତଦାରଖ କରି ବୁଝିଲେ ଯେ, ସର ଘର ଭିତରୁ ଧୂନି ମଝିଯାଏ ମନୁଷ୍ୟ ଗୋଟାଏ ଗଳି ଯିବା ଭଳି ବିଳ ଖୋଳା ଯାଇଛି । ଧୂନି ତଳେ ଅଢେ଼ଇ ଅଢେ଼ଇ ହାତ ଲମ୍ୱା ଚଉଡ଼ା, ଅଢେ଼ଇ ହାତ ଗହୀର ଗୋଟାଏ ଗହିଡ଼ା ଖୋଳା ହୋଇଛି, ତା’ ଉପରେ ଚା’ ଖଣ୍ଡେ ମୋଟା ମାତ୍ର ମାଟି ଅଛି । ସେହି ମାଟି ଉପରେ ଧୂନି ଜଳେ । ସେ ଘର ଭିତରୁ ବିଳ ବାଟରେ ମଣିଷ ଗଳି ଆସି ଧୂନି ତଳେ ବସିଥାଏ, ମହନ୍ତ କିଛି ପଚାରିଲେ ଲୋକଟା ଭିତରୁ ଜବାବ୍ ଦିଅ । ଘଟଣା ରାତ୍ରିରେ ଗୋଟାଏ ଗେଞ୍ଜାଡ଼ି ଚେଲା ଧୂନି ତଳେ ବସିଥିଲା, ତା’ ନାମ ହୁଣ୍ଡା ଦାସ । ସେଦିନ ମହନ୍ତଙ୍କର ଭାରି ନିଶାନରେ ଜ୍ଞାନ ଲୋପ ହୋଇଥିଲା । ଲାସ ଭାରି ମଣିଷ, ଭାରି ଚିମୁଟାଟାରେ ଖୁବ୍ ବଳରେ ପାହାରେ ମାରିବାରୁ ଉପର ମାଟି ଆଉ ନିଆଁ ସବୁ ଖାତରେ ପଡ଼ିଗଲା । ଦୁଇଟା ଲୋକ ଧରା ପରା ହୋଇ ପୋଡ଼ିମଲେ । ବାହାରେ ବଡ଼ ଗୋଳମାଳ ହେଉଥିବାରୁ ସେମାନଙ୍କ ଆକୁଳ ଚିତ୍କାର କେହି ଶୁଣିପାରିଲେ ନାହିଁ । ଦାରୋଗା ସାହେବ ରିପୋର୍ଟ ଲେଖି ମାଇନା ସକାଶେ ଅଧପୋଡ଼ା ଲାସ ଯୋଡ଼ାକ ସଦରକୁ ପଠାଇ ଦେଲେ ।

ଲୋକପ୍ରିୟ ଲେଖା

To Top