ଗଳ୍ପ

ଦୋ’ ଛକି

Biraja Routray's odia story Do Chhaki

ବାପ ଘର ଦରଜା ତ କେଉଁଦିନଠୁ ବନ୍ଦ ହୋଇସାରିଛି ତା’ ପାଇଁ । ଏବେ ବାକି ରହିଛି ଯାହା ଏ ଘରର ଦରଜା । ଯାହା ଆଡ଼କୁ ଆଙ୍ଗୁଠି ଦେଖାଇ ସାରିଛନ୍ତି ଆଶୁତୋଷ । ଦୁଆର ସେପଟେ ଅନିଶ୍ଚିତ ବାଟ ।

ଦୋ' ଛକି

ଆଶୁତୋଷ ଅଫିସ୍‌କୁ ଚାଲିଗଲେଣି କେତେବେଳୁ । ଦାଣ୍ଡ କବାଟ ସେମିତି ଦରମୁକୁଳା ହୋଇ ପଡ଼ିଥାଏ । ଅନ୍ୟଦିନ ହୋଇଥିଲେ ସ୍ୱାଭାବିକ୍ ଭାବରେ ପ୍ରିୟମ୍ୱଦା ଦୁଆର ମୁହଁ ଯାଏଁ ଆସିଥାନ୍ତି । ସେଇଠୁ ହେଲ୍‌ମେଟ୍ ଖଣ୍ଡିକ ବଢ଼ାଇ ଦେଇଥାନ୍ତି ସ୍ୱାମୀଙ୍କ ହାତକୁ । ହାତ ହଲାଇ ବିଦାୟ ଜଣାଇ ପୁଣି ଲେଉଟିଥାନ୍ତି ଘର ଭିତରକୁ । ସେଦିନ କାହିଁ ସବୁ ବ୍ୟତିକ୍ରମ ଲାଗୁଥିଲା । ଢେର୍ ସମୟକାଳ ଶୋଇବା ଘର ଖଟ ଉପରେ ଚୁପ୍ଚାପ୍ ବସି ରହିଥିଲା ପ୍ରିୟମ୍ୱଦା । ଚିନ୍ତାମଗ୍ନ କପାଳ । ଲାଗୁଥିଲା ଯେପରି କୌଣସି ଗଭୀର ସମସ୍ୟାର ଭଉଁରି ଭିତରେ ଆଉଟୁ ପାଉଟୁ ହୋଇ ଚାଲିଛି । ନିଶ୍ଚଳ ହୋଇ ବସିରହିଥିଲେ ସୁଦ୍ଧା ଆଦୌ ସ୍ଥିର ହୋଇପାରୁନଥିଲା ମନରେ । ସମ୍ପୂର୍ଣ୍ଣ ବିଚଳିତ ହୋଇପଡ଼ିଥିବା ତା’ର ମୁଖମଣ୍ଡଳ ସୂଚାଉଥିଲା ଏକ ଦୋ’ ଦୋ’ ପାଞ୍ଚ ସ୍ଥିତିକୁ ।

ବ୍ୟାକୁଳିତ ନୟନରେ ଚାହିଁ ରହିଥିଲା ଟିକି ଝିଅ ତନିମା ଆଡ଼କୁ । ଝିଅ ଶୋଇଥିଲା ଖଟ ଉପରେ । ଏଇ କିଛି ସମୟ ହେଲା ତାକୁ ଫିଜିଓଥେରାପି କରାଇ ନେଇକି ଆଶିଛି । ଏକ୍ସରସାଇଜ୍‌ର୍ ଥକ୍କାରେ ଘରେ ଆସି ଶୋଇପଡ଼ିଛି । ଏଇଟା ତାର ସବୁଦିନର ରୁଟିନ୍ । ସକାଳୁ ଘଣ୍ଟାଏ ଫିଜିଓଥେରାପି ଏକ୍ସରସାଇଜ୍ କରିବାକୁ ଯିବ । ସେଠୁ ଫେରିଲେ ସନ୍ଧ୍ୟାବେଳେ ନିଜେ ସେହି ଏକ୍ସରସାଇଜ୍‌କୁ ଘରେ କରାଇଥାଏ । ସବୁ ଯାବତୀୟ କାମ ମଧ୍ୟରେ ଝିଅର ଏହି କାର୍ଯ୍ୟକୁ ପ୍ରାଥମିକତା ଦବାକୁ ପଡ଼ିଥାଏ । ନ ହେଲେ ଅନ୍ୟଥା ନାହିଁ । ଡାକ୍ତରଙ୍କ ନିର୍ଦ୍ଦେଶ, ନିୟମିତ ଏକ୍ସରସାଇଜ୍ ଦ୍ୱାରା କିଛି ଲାଭ ହୋଇପାରିବ । ଏହାଛଡ଼ା ଅନ୍ୟ କୌଣସି ପନ୍ଥା ନାହିଁ । ସେଥିପାଇଁ ଘରର ରୋଷେଇବାସ କାମଠାରୁ ଆରମ୍ଭ କରି ଆଶୁତୋଷଙ୍କ ଭଲ ମନ୍ଦ ବୁଝିବା କାମଟା ଅନେକ ସମୟରେ ଅବହେଳା କରିପକାଏ । ସକାଳୁ ସଞ୍ଜ ଏଇ ଝିଅଟା ପିଛା ସମୟ ଦେବାକୁ ହୋଇଥାଏ ।

ତନିମା ଜନ୍ମଟି ବେଳୁ ମସ୍ତିଷ୍କ ପକ୍ଷଘାତ ରୋଗରେ ପୀଡ଼ିତ । ଏକଥା ଜାଣିସାରିଲା ପରେ ଉଭୟ ଆଶୁତୋଷ ଓ ପ୍ରିୟମ୍ୱଦାଙ୍କ ପାଦତଳୁ ସ୍ୱପ୍ନର ପୃଥିବୀ ଧସିପଡ଼ିଛିଲା । ପ୍ରଥମ ସନ୍ତାନ ତାହା ପୁଣି ଭାଗ୍ୟର ବିଡ଼ମ୍ୱନାରୁ ଏପରି ଅସ୍ୱାଭାବିକତା ନେଇ ଜନ୍ମଲାଭ କରିବା ସେକଥା ସେମାନଙ୍କ କଳ୍ପନାରେ ସୁଦ୍ଧା ନ ଥିଲା । ଅକାତକାତ ପାଣିରେ ଭାସିଯାଇଥିଲା ସଞ୍ଚିତ କୋମଳ ଆଶା । ମାତୃତ୍ୱର ସବୁତକ ତରଳ ଅଭିପ୍ସା । ତନିମା ଗର୍ଭରେ ଥିଲାବେଳେ କେତେ ସ୍ୱପ୍ନ ନ ଦେଖିଥିଲେ ଦୁହେଁ ଯାକ । ସେମାନଙ୍କ ନବ ବୈବାହିକ ଜୀବନକୁ ପୂର୍ଣ୍ଣ କରିବାକୁ ଆସିବାର ଥିଲା ମହାର୍ଘ ଅତିଥି । ଉଭୟ ମସ୍‌ଗୁଲ୍ ଥିଲେ ସେହି ଆସନ୍ନ ଖୁସିରେ । ବିଭୋର ଥିଲେ ସେମାନଙ୍କ ଭବିଷ୍ୟତର ସମ୍ଭାବ୍ୟ ସୃଷ୍ଟିକୁ ନେଇ । ଏମିତିକି ସେହି ଆକାଂକ୍ଷିତ ପିତୃତ୍ୱର ଖୁସିରେ ପାଦତଳେ ଲାଗୁନଥିଲା ଆଶୁତୋଷଙ୍କର । ଅଧିକରୁ ଅଧିକ ଆବେଗପ୍ରବଣ ହୋଇପଡୁଥିଲେ ସିଏ । କହୁଥିଲେ, “ଯିଏ ଆସିବ ଆମ ପ୍ରେମର ପ୍ରତୀକ ହୋଇ, ଏ ସଂସାରରେ ସିଏ ହେବ ଆମର ସବୁଠାରୁ ପ୍ରିୟତମ, ସବୁଠାରୁ ଅନ୍ତରଙ୍ଗ । ପୁତ୍ର ହେଉ କି କନ୍ୟା, ହେବ ଈଶ୍ୱରଙ୍କ ଆମ ପ୍ରତି ଦୁର୍ଲଭ ବରଦାନ ।”

ସେଇ ଆଶୁତୋଷ ଏପରି ବଦଳି ଯିବେ ବୋଲି ସେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲା । ତନିମା ପେଟରେ ଥିଲାବେଳେ କେତେ ଯତ୍ନଶୀଳ ନଥିଲେ ସେ । ସବୁବେଳେ ଟିକିନିଖି କଥା ବୁଝିବାକୁ ଆଗଭର ହୋଇପଡୁଥିଲେ । ଜଣେ ଦାୟିତ୍ୱବାନ୍ ପତି ରୂପରେ ପତ୍ନୀର ସବୁତକ କଥା ବୁଝିବାକୁ ନା କେବେ ହେଳା କରୁଥିଲେ ନା କାର୍ପଣ୍ୟ । କେତେ ଖୁସି ହୋଇ ନ ଥିଲେ ସେହିଦିନ ଯେଉଁଦିନ ତନିମା ଜନ୍ମ ହୋଇଥିଲା । ପିତା ହେବାର ଗୌରବରେ ଆତ୍ମହରା ହୋଇଯାଇଥିଲେ ଗୋଟାପଣ । ସତେ ଯେପରି ପୃଥିବୀର ସେ ହିଁ ଏକମାତ୍ର ବ୍ୟକ୍ତି ଛୁଇଁଯାଇଛନ୍ତି ପ୍ରାପ୍ତିର ଚରମ ସୀମାକୁ । ଲହର ଲହର ଖୁସିର ଢେଉରେ ଅତିକ୍ରମ କରିଯାଇଛନ୍ତି ସଂସାରର ପାରାବର ।

ଯେତେବେଳେ ଜଣାପଡ଼ିଲା ଜନ୍ମିତ ଝିଅଟି ମସ୍ତିଷ୍କ ପକ୍ଷାଘାତରେ ଆକ୍ରାନ୍ତ ବୋଲି, ପାଣି ଫୋଟକା ପରି କୁଆଡେ଼ ମିଳାଇ ଯାଇଥିଲା ତାଙ୍କର ସବୁତକ ସ୍ଫୂର୍ତ୍ତି ଓ ଆନନ୍ଦ । ଧିରେ ଧିରେ ଖୁବ୍ ପରିବର୍ତ୍ତିତ ହୋଇ ଯାଇଥିଲେ ଆଶୁତୋଷ । କଥାବାର୍ତ୍ତା, ବ୍ୟବହାର ସବୁଥିରେ ଅଲଗା ପଣ । ଝିଅ ପ୍ରତି ପୂର୍ବର ଭଲ ପାଇବା ମନୋବୃତ୍ତି କୁଆଡେ଼ ଅପସରି ଯାଇଥିଲା । ତା’ ବଦଳରେ ହୋଇଯାଇଥିଲେ ପୂରାପୁରି ନିରୁତ୍ସାହିତ । ପୂରାପୂରି ବୀତସ୍ପୃହ ।

ଝିଅ ଯେତିକି ଯେତିକି ବଡ଼ ହେଉଥିଲା ତାଙ୍କ ଭିତରର ଅନାଗ୍ରହ ସେତିକି ସେତିକି ବଢ଼ି ଚାଲିଥିଲା । ତନିମାକୁ ଚାରିବର୍ଷ ଚାଲିଲାଣି । ଏହା ଭିତରେ ଅନେକ ଦ୍ୱନ୍ଦ ଓ ଅଶାନ୍ତି ମଧ୍ୟରେ ବିତିଚାଲିଛି ସେମାନଙ୍କ ପାରିବାରିକ ଜୀବନ । ସ୍ୱାମୀ ସ୍ତ୍ରୀର ସମ୍ପର୍କ । ଫାଟ ପଡ଼ିଯାଇଛି ସେହି ଅନ୍ତରଙ୍ଗ ସମ୍ପର୍କର ପାଚେରୀ ଉପରେ । କଥା କଥାକେ ଚିଡ୍ ଚିଡ୍ ହେଉଛନ୍ତି ଆଶୁତୋଷ । ସବୁ ରାଗ ଝିଅକୁ ନେଇ । ଯାହାର କୌଣସି ମଧ୍ୟ ପରିବର୍ତ୍ତନ ହେଉ ନଥିଲା । କେବଳ ଶରୀରରେ ବୃଦ୍ଧି ଘଟି ଚାଲିଥିଲା । ଅନ୍ୟଥା ମାନସିକ ବିକାଶରେ ସାମାନ୍ୟ ସୁଦ୍ଧା ଉନ୍ନତି ଘଟୁନଥିଲା । ପଙ୍ଗୁ ପରି ଆଶ୍ରୟ ନେଉଥିଲା ମା’ କୋଳରେ । ଯାହା କରିବ ତା’ର ମା’ । ଖୁଆଇଦେବ, ଶୁଆଇଦେବ ଆଉ ବାକି ଦିନ ରାତି ତା’ ପିଛାରେ ଲାଗି ପଡ଼ିଥବ । ପୋଷାକ ପିନ୍ଧା, ବଦଳା, ପରିଷ୍କାର ପରିଚ୍ଛନ୍ନ କରି ଶୁଖା, ଗାଧେଇଦବା ଠାରୁ ଆରମ୍ଭ କରି ଟିକିନିଖି ଯତ୍ନ ସବୁକଥା ବୁଝିବାକୁ ପଡୁଥିଲା । ଘର କାମରୁ ଟିକେ ଫୁର୍ସତ୍ ମିଳିଲେ ଝିଅର ଏକ୍ସରସାଇଜ୍ । ପଛକୁ ପଛ କାମ । ଏସବୁ ଜଞ୍ଜାଳ ଭିତରେ ସମୟ ନିଅଣ୍ଟିଆ ହୋଇଯାଉଥିଲା କେତେବେଳେ ଜଣାପଡୁନଥିଲା । ସବୁ କାମ ତାକୁ ହିଁ କରିବାକୁ ପଡୁଥିଲା ।

ବେଳେବେଳେ ଝିଅର ଏ ଭାଗ୍ୟ ପାଇଁ ଧିକ୍କାର ଦିଏ । ତା’ ପୋଡ଼ା କପାଳକୁ ନିନ୍ଦେ । କହେ, “ହତଭାଗିନୀଟା ! କାହିଁକି ଏପରି ଜନ୍ମ ନେଉଥିଲୁ କେଜାଣି । ନିଜେ ଏପରି ହେଲୁ ତ ହେଲୁ ମତେ ବି ସାଙ୍ଗରେ ହନ୍ତସନ୍ତ କଲୁ ।” ବିଚଳିତ କୋହରେ ଫାଟି ପଡୁଥାଏ ତାର ଅସହାୟ ମାତୃତ୍ୱ । କରିବ ତ କ’ଣ କରିବ । ସନ୍ତାପିତ ମନକୁ କେଉଁ ଭାଷାରେ ପ୍ରବୋଧନା ଦେବ । କୂଳ କିନାରା ହୀନ ଯାତ୍ରୀଟିଏ ପରି ଭାସିଯାଉଥିଲା ନଦୀର ଉଚ୍ଛନ୍ନ ସ୍ରୋତରେ । ସେହି ଏକାକୀ ଯାତ୍ରୀର କୋଳେ ପକ୍ଷାଘାତ ଶିଶୁ । ସାମ୍ନାରେ ସୀମାହୀନ ଦିଗନ୍ତ । ଅନ୍ଧକାରଚ୍ଛନ୍ନ ଭବିଷ୍ୟତ । ଭାସିଯିବ ତ କୁଆଡେ଼ ଯିବ ? କେଉଁଠି ଲାଗିବ ସେମାନଙ୍କ ଦିଗନ୍ତ ? ଅନ୍ଧକାରଚ୍ଛନ୍ନ ଭବିଷ୍ୟତ ! ଭାସିଯିବ ତ କୁଆଡେ଼ ଯିବ ? କେଉଁଠି ଲାଗିବ ସେମାନଙ୍କ ଜୀବନତରୀ ? ପ୍ରତି ନିୟତ ଏପରି ଅସମାହିତ ପ୍ରଶ୍ନରେ ପୋତି ହୋଇପଡୁଥିଲା ପ୍ରିୟମ୍ୱଦା । ଛୋଟ ଝିଅକୁ ନେଇ ଏହି ଅନିଶ୍ଚିତ ଯାତ୍ରାର ନା ଥିଲା କୌଣସି ଆଶ୍ୱସନାମୟ ସକାଳ । ଥିଲା କେବଳ ଦିଗନ୍ତବ୍ୟାପୀ ଅନ୍ଧକାର ।

ଯେଉଁଦିନ ତନିମା ଜନ୍ମ ହୋଇଥିଲା, ଲାଗୁଥିଲା ସବୁତକ ଖୁସି ଆସି ତାଙ୍କ ପଣତ କାନିରେ ଓଜାଡ଼ି ହୋଇପଡ଼ିଛି । ସଗର୍ବରେ ଫୁଲି ଉଠିଥିଲା ମାତୃତ୍ୱ । ପ୍ରଥମ ସନ୍ତାନ ଯେତେବେଳେ ଆନନ୍ଦର ସୀମା ନଥିଲା । ସେହି ମୁହୂର୍ତ୍ତର ପ୍ରାପ୍ତି ନିମନ୍ତେ କେତେ ପ୍ରତୀକ୍ଷା ନଥିଲା ସତରେ । ଗୋଟା ଗୋଟା କରି ଦିନ ଗଣୁଥିଲେ ସେହି ସୁଲଗ୍ନର ଆଗମନ ପାଇଁ । ଅନ୍ତରରେ ଅବର୍ଣ୍ଣନୀୟ ଉଚ୍ଚାଟ । ମନରେ ଅସୁମାରୀ ପୁଲକ । ଆଗାମୀ ଅତିଥି ପାଇଁ ଛାତିରେ ସଜ ହୋଇ ରହିଥିଲା ଅପତ୍ୟ ସ୍ନେହ ଓ ମମତା ।

ବିଧାତାର ଖେଳ ଥିଲା ବିଚିତ୍ର । ସମୟକ୍ରମେ ଏକ ନିଷ୍ଠୁର ଉପହାସ ପାଲଟି ଯଆଇଥିଲା ସେମାନଙ୍କ ଖୁସି । ଜଣାପଡ଼ିଲା, ତନିମା ଭୟଙ୍କର ସ୍ନାୟବିକ ରୋଗରେ ପୀଡ଼ିତ । ଚଳତ୍‌ଶକ୍ତିହୀନ ଗୋଟିଏ ଜୀବନ୍ତ ମାଂସପିଣ୍ଡୁଳା କହିଲେ ଅତ୍ୟୁକ୍ତି ହେବ ନାହିଁ । ସାଧାରଣ ଛୁଆଙ୍କ ପରି ତା’ର ଶାରୀରିକ ଅଭିବୃଦ୍ଧି ହେବ ସତ ଅନ୍ୟ କୌଣସି ଦୃଷ୍ଟାନ୍ତଯୋଗ୍ୟ ପରିବର୍ତ୍ତନ ହେବ ନାହିଁ । ବଦଳିବ ନାହିଁ ତା’ର ମୁହଁର ଭାଷା । ବାକି ସମସ୍ତଙ୍କ ପରି ପାଦରେ ପାଦ ଥାପି ଚାଲିପାରିବ ନାହିଁ । ମା’ ବୋଲି ସମ୍ୱୋଧନ କରିପାରିବ ନାହିଁ । ଯାହାକୁ ଶୁଣିବା ପାଇଁ ଆତୁର ଥିଲା ପ୍ରିୟମ୍ୱଦାଙ୍କ ହୃଦୟ । ସେହି ମଧୁର ଡାକଟି ଏକ ଅପହଞ୍ଚ ଭାଷାହୀନ ଶୂନ୍ୟତା ମଧ୍ୟରେ ନିଖୋଜ ହୋଇଯିବ । ଖାଲି କଷ୍ଟ ହେଲେ କି ଭୋକ ଲାଗିଲେ ଚିତ୍କାର କରି କାନ୍ଦିବା ଛଡ଼ା ଆଉ କୌଣସି ଭାବାବେଗର ସଙ୍କେତ ନ ଥିଲା ତା ଠାରେ । ବଞ୍ଚିଥିଲା ତ ଏକ ଅଭିଶପ୍ତ ଶରୀରର ବିଡ଼ମ୍ୱନାକୁ ଧରି ।

କ୍ରମଶଃ ବଦଳି ଚାଲିଥିଲା ଆଶୁତୋଙ୍କ ସ୍ୱଭାବ । ଝିଅ ପ୍ରତି ଦାୟିତ୍ୱ ସମ୍ପନ୍ନ ପିତାର ଭୂମିକା ନିର୍ବାହ କରିବା ବଦଳରେ ଅଧିକରୁ ଅଧିକ ଅସହନଶୀଳ ହୋଇପଡୁଥିଲେ । ଯେପରି ଆଦୌ ଗ୍ରହଣ କରିପାରୁନଥିଲେ ଏହି ନିଷ୍ଠୁର ସତ୍ୟକୁ । ବିଧାତାର ଇଚ୍ଛାକୁ । ଏତେ ଉଦାସୀନ ହୋଇପଡ଼ିଥିଲେ ଯେ ପାଖ ସୁଦ୍ଧା ମାଡୁ ନଥିଲେ ଝିଅର । ତାଙ୍କ ମାନସିକତାରେ ଦେଖା ଦେଇଥିଲା ଅଦ୍ଭୁତପୂର୍ବ ପରିବର୍ତ୍ତନ । କେବଳ ନିଜର ଏହି ଅକ୍ଷମ ଝିଅ ପ୍ରତି ନୁହେଁ ତା’ ସହିତ ପତ୍ନୀଙ୍କ ପ୍ରତି ପୂର୍ବ ମନୋଭାବ ମଧ୍ୟ ବଦଳି ଯାଉଥିଲା ଧିରେ ଧିରେ । ତାଙ୍କର ଏପରି ବ୍ୟବହାରିକ ପରିବର୍ତ୍ତନକୁ ଆଦୌ ଗ୍ରହଣ କରିପାରୁନଥିଲା ସେ । ହଠାତ୍ ଯେପରି ତା’ ଜୀବନର ପୂର୍ଣ୍ଣମା ଆକାଶରେ ଅମାବାସ୍ୟର କଳାବାଦଲ ଘୋଟିଯାଇଥିଲା । ସବୁ ହୋଇଯାଇଥିଲା ଓଲଟପାଲଟ । ସମ୍ପର୍କର ପରିଧିରେ ପ୍ରବେଶ କରିଥିଲା ଅସନ୍ତୋଷର ନିଆଁ ।

ପରସ୍ପର ପ୍ରତି ଭଲ ପାଇବାର ବନ୍ଧନରେ ଆବଦ୍ଧ ହୋଇ ସେମାନଙ୍କ ସମ୍ପର୍କକୁ ଦେଇଥିଲେ ବିବାହର ପରିଭାଷା । ଆଶୁତୋଷ କଲେଜ ବେଳର ସହପାଠୀ । ସେହି ସମୟରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ତାଙ୍କ ସହିତ । ଦୁହେଁ ପରସ୍ପରକୁ ବୁଝିଥିଲେ । ନିବିଡ଼ ଭାବରେ ଭଲ ପାଉଥିଲେ । ସେହି ବନ୍ଧନ ଆଗରେ ପରିବାରର ବାରଣ ମଧ୍ୟ ନ୍ୟୁନ ହୋଇଯାଇଥିଲା ସବୁ ବାଧାବିଘ୍ନକୁ କାଟି ଶେଷରେ ସେ ଆଶୁତୋଷକୁ ବରଣ କରିନେଇଥିଲା ନିଜ ଜୀବନ ସାଥୀ ରୂପେ । ଏଥିପାଇଁ ଯଥେଷ୍ଟ ମୂଲ୍ୟ ଦେବାକୁ ସୁଦ୍ଧା ପଛାଇ ଯାଇନଥିଲା । ବାପ ଘର ସହିତ କୌଣସି ସମ୍ପର୍କ ନଥିଲା ସେହି ଦିନ ଠାରୁ ।

ସେହି ଆଶୁତୋଷ ଏବେ ବିବର୍ତ୍ତିତ ଏକ ମଣିଷ । ତନିମା ପାଲଟିଯାଇଥିଲା ତାଙ୍କ ସ୍ୱାଭାବିକ୍ ଜୀବନଧାରାରେ ଯେପରି ଏକ କଣ୍ଟା । ଅଲୋଡ଼ା ଅତୀତ । ଯାହାର ମୁହୂର୍ତ୍ତକର ଉପସ୍ଥିତିକୁ ସୁଦ୍ଧା ସହ୍ୟ କରିବାକୁ ଧୈର୍ଯ୍ୟ ତାଙ୍କ ପାଖରେ ନଥିଲା । ଏପରି ପ୍ରତିକ୍ରିୟାଶୀଳ ହୋଇଯାଇଥିଲେ ଯେ ଝିଅଟିର କେଁ କେଁ କାନ୍ଦ ଶୁଣିବା ମାତ୍ରକେ ଆରଘରକୁ ଉଠି ଚାଲିଯାଉଥିଲେ । ରାତିରେ ଅନ୍ୟ ରୁମ୍‌ରେ ଯାଇ ଶୋଉଥିଲେ । ନିଜ ରକ୍ତର ସନ୍ତାନ ପ୍ରତି କିପରି ଏତେ ଘୃଣା ଆସୁଥିଲା ଭାବି ଆଶ୍ଚର୍ଯ୍ୟ ହୋଇପଡୁଥିଲା ପ୍ରିୟମ୍ୱଦା ।

ସେଦିନ ସକାଳୁ ସକାଳୁ ତନିମାକୁ ନେଇ ବହେ ଉଚ୍ଚବାଚ ହୋଇଯାଇଥିଲା ଦୁହିଁଙ୍କ ମଧ୍ୟରେ । ଝିଅକୁ ଫିଜିଓଥେରାପି କରାଇ ଏଇମାତ୍ର ଫେରିଥିଲା । ଉତ୍‌କ୍ଷିପ୍ତ ହୋଇ ଅପେକ୍ଷା କରିଥିଲେ ଆଶୁତୋଷ । ପହଞ୍ଚିଲା ମାତ୍ରକେ ଶୁଣାଇ ଦେଇଥିଲେ ତାଙ୍କର ଚରମ ଚେତାବନୀ, ପାରୁଛ ତ ତାକୁ ନେଇ ଅନାଥଶ୍ରମରେ ଛାଡ଼ିବାର ବନ୍ଦୋବସ୍ତ କର । ନହେଲେ କୋଉ ଚିଲ୍ଡ୍ରେନ୍ସ ହୋମ୍‌ରେ ନେଇ ରଖ । ଏପରି ଅବସ୍ଥାରେ ତାକୁ ଏଠି ଆଉ ରଖିବା ସମ୍ଭବ ନୁହେଁ ।

ସେତେବେଳଠୁ ଭୟଙ୍କର ଭାବରେ ମୁଣ୍ଡ ପେଷି ହୋଇଯାଉଥିଲା ପ୍ରିୟମ୍ୱଦାର । ଦୁଇ ପାଦରେ ଛିଡ଼ା ହେବା ସୁଦ୍ଧା କଷ୍ଟକର ଥିଲା ତା’ ପକ୍ଷରେ । ଖଟର ବାଡ଼କୁ ଧରି ଲଥ୍ କରି ବସିପଡ଼ିଲା । ମୁଣ୍ଡ ଆଦୌ କାମ କରୁନଥାଏ । ଗୋଟିଏ ପଟରେ ଝିଅ । ଆର ପଟରେ ସ୍ୱାମୀ । ଲାଗୁଥାଏ ମଝିରେ ଫାଶୀ ଦଉଡ଼ିରେ ଲଟକିଯାଇଛି ତା’ର ଶ୍ୱାସ । ନିଥର ପାଲଟି ଯାଉଛି ତା’ର ହାତ ଆଉ ପାଦ । ଯେପରି ଗୋଟିଏ ପ୍ରବଳ ଘୂର୍ଣ୍ଣିଝଡ଼ ଆସି ଆମୂଳଚୂଳ ଦୋହଲାଇ ଚାଲିଛି ସମଗ୍ର ସତ୍ତାକୁ । ସେହି ଝଡ଼ର ପ୍ରକୋପରେ ଅଣାୟତ୍ତ ତା’ର ଟଳମଳ ଅସ୍ତିତ୍ୱ । ଭିତରୁ ବିବଶ ହୋଇ କିଏ ଯେପରି ଆର୍ତ୍ତଚିତ୍କାର କରିଚାଲିଛି । କରିବ ତ କ’ଣ କରିବ ? ଏବେ ବାଛିବ ତ କେଉଁ ବାଟକୁ ବାଛିବ ?

ନିଜର ତିକ୍ତ ଅସନ୍ତୋଷକୁ ରଖି ଆଶୁତୋଷ ଚାଲିଯାଇଥିଲେ ଅଫିସ୍ । ଶୁଣାଇଯାଇଥିଲେ ତାଙ୍କର ନିଷ୍ଠୁର ନିଷ୍ପତ୍ତି । ଯୋଉଟା କି ଅଗ୍ନି ପରୀକ୍ଷା ସଦୃଶ ଥିଲା ପ୍ରିୟମ୍ୱଦା ପାଇଁ । ଖୁବ୍ ଅସହାୟ ଭାବରେ ନେଇ ଛିଡ଼ା କରାଇଥିଲା ଏକ ବାଟବଣା ଦୋ’ ଛକିରେ । ଝିଅକୁ ଏପରି ଅବସ୍ଥାରେ ନେଇ କୁଆଡେ଼ ପାଦ ଥାପିବ । ବାପ ଘର ଦରଜା ତ କେଉଁଦିନଠୁ ବନ୍ଦ ହୋଇସାରିଛି ତା’ ପାଇଁ । ଏବେ ବାକି ରହିଛି ଯାହା ଏ ଘରର ଦରଜା । ଯାହା ଆଡ଼କୁ ଆଙ୍ଗୁଠି ଦେଖାଇ ସାରିଛନ୍ତି ଆଶୁତୋଷ । ଦୁଆର ସେପଟେ ଅନିଶ୍ଚିତ ବାଟ ।

ବ୍ୟାକୁଳ ହୋଇ ତନିମା ଆଡ଼କୁ ଚାହିଁ ରହିଥିଲା ପ୍ରିୟମ୍ୱଦା । ଆଜି ଫିଜିଓଥେରାପିରେ ନୂଆ ଘଟଣାଟି ଦେଖିଥିଲା । ତନିମା ତା’ର ଦୁଇ ହାତର ଭରାରେ ଗୋଡ଼ରେ କିଛି ସମୟ ଛିଡ଼ା ହେବାକୁ ସମର୍ଥ ହୋଇଥିଲା । ଅତ୍ୟନ୍ତ ଉତ୍ସାହର ସହିତ ଫିଜିଓଥେରାପିଷ୍ଟ କହୁଥିଲେ, “ଏମିତି ଅଭ୍ୟାସ କଲେ ସେ ଦିନେ ପୁରା ଛିଡ଼ା ହୋଇପାରିବ ।” ନିଘଞ୍ଚ ଅନ୍ଧାର ମଧ୍ୟରେ ଧାରେ କ୍ଷୀଣ ଆଲୁଅର ରେଖା ପରି ଲାଗୁଥିଲା ଆଜିର ସକାଳ । କାଲି ପାଇଁ ଆଶ୍ୱାସନାର ଚିତ୍ରଟିଏ ଆଙ୍କି ହୋଇଯାଉଥିଲା ମନ ଭିତରେ ।

ନିଘୋଡ଼ ନିଦରେ ଶୋଇପଡ଼ିଥିଲା ଝିଅ । ଉଠିଲେ କେଁ କେଁ କାନ୍ଦିବା ଆରମ୍ଭ କରିଦେବ । ଯାଇ ତା’ ପାଇଁ କିଛି ଖାଇବା ପ୍ରସ୍ତୁତ କରିବାକୁ ପଡ଼ିବ । ସେ ସିଧା ଉଠିଗଲା ରୋଷେଇ ଘରକୁ । କାନର ପରଦାରେ ଦୋହରାଇ ଦୋହରାଇ ଶୁଭୁଥାଏ ଆଶୁତୋଷଙ୍କ ଚେତାବନୀ । ସେ ସ୍ଥିର କଲା ଯେତେ ଯାହା ଝଡ଼ଝଞ୍ଜା ଆସୁ ଲଢ଼ିବ । ପିତୃତ୍ୱର ନ ହେଲା ନାହିଁ ସେ ଏକାକୀ ତାକୁ ମାତୃତ୍ୱର ହକ୍ ଦେବ । ତାକୁ ହିଁ ନେଇ ବଞ୍ଚିବ ସବୁ ଅସହାୟତାର ପ୍ରତିକୂଳ ସ୍ରୋତରେ ।

ଲୋକପ୍ରିୟ ଲେଖା

To Top