ଗଳ୍ପ

ଦୋଷୀର ଆତ୍ମକଥା

Bijaykumar Panda's odia story Doshira Aatmakathaa

ନଈପହଁରିବା କଥା ଶୁଣିଲେ ବାପାଙ୍କଠୁ ଗାଳି ଶୁଣିବାକୁ ମିଳେ । ସେଥିପାଇଁ ସକାଳୁ ସକାଳୁ ରଜ ପିଠା ଖାଇ, ସାଙ୍ଗ ମାନଙ୍କୁ ନେଇ ବାହାରିଲା ନଈକୂଳକୁ ଦୋଳିରେ ଝୁଲିବା ବାହାନା କରି ।

ଦୋଷୀର ଆତ୍ମକଥା

ରେଭେନ୍ସା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ଶେଷ ବର୍ଷ ପରୀକ୍ଷା ଦେଇ ସାରି ଦୀର୍ଘ ଛ’ମାସ ପରେ ଘରକୁ ଆସିଛି ମୁନା । ମେଧାବୀ ଛାତ୍ର ହିସାବରେ ବହୁତ କୃତି ମୁନାର । ମା’ର ଗେହ୍ଲା ପୁଅ କିନ୍ତୁ ବାପାଙ୍କଠୁଁ ସବୁବେଳେ ଗାଳି ଶୁଣେ ମୁନା । ଆଜି ତାର ପସନ୍ଦ ମୁତାବକ ଶାଗ, ବଡି ଭଜା , ସୋରିଷ ଦିଆ ମାଛ ତରକାରୀ ସାଙ୍ଗକୁ ପଖାଳ ଭାତ ବାଢି ଦେଇଛନ୍ତି ମା ପାର୍ବତୀ । ବହୁତ ଦିନ ପରେ ମା ହାତ ରନ୍ଧା ସୁସ୍ଵାଦୁ ଖାଦ୍ୟ ମିଳିଛି, ଅତି ଖୁସିରେ ଖାଇସାରି ହାତ ଧୋଇଲା ମୁନା । ଦୁଇ ବର୍ଷ ହେଲା ଗାଁ ଛାଡି ସହର ହଷ୍ଟେଲରେ ରହି ପାଠ ପଢୁଛି । ଆଗ ଭଳି ଆଉ ସାଙ୍ଗ ମାନଙ୍କ ସହ ମିଶି ଜମା ଦୃଷ୍ଟାମି କରୁନି । ଗାଁ ଦାଣ୍ଡ ଉଠାନ୍ତି ପକାନ୍ତି ମୁନା ଆଉ ତାର ସାଙ୍ଗ ମାନେ ମିଶି, କିନ୍ତୁ ଏବେ !! ଆମ୍ବତୋଟା, ପୋଖରିବାଡି, ନଇକୁଳ ଆଉ ଗାଁ ହାଟ କଉଠିକୁ ଯାଏନି ସେ । ସତେ ନିଜ ବିବେକ ତାକୁ ବାରମ୍ବାର ପ୍ରଶ୍ନ କରୁଛି ତାର କିଛି ଭୁଲ ପାଇଁ । କାହାର ବିକଳ ସ୍ଵର ତାକୁଆକୁଳ ଚିତ୍ତରେ ବାରମ୍ବାର ଡାକୁଛି । ସେ ନିଜକୁ କ୍ଷମା କରିପାରୁନି, “ମୁଁ ଦୋଷୀ” .. ହଁ .. ମୁଁ ହିଁ ଦୋଷୀ’’ ବୋଲି ତାର ବିବେକ ତାକୁ ବାଧା ଦେଉଥାଏ । ଆଜିକାଲି କେବଳ କୁଆଡେ ଯିବା ଆସିବା ବେଳେ ହିଁ ମୁନାକୁ ଯାହା ଦେଖନ୍ତିଗାଁ ଲୋକେ । ମୁନାର ଏ ପରିବର୍ତ୍ତନ ଦେଖି ସମସ୍ତେ ଟୁପୁରୁ ଟାପୁରୁ ହୁଅନ୍ତି, ନିରାକାର ସାରଙ୍କ ପୁଅଟା ପୁରା ବଦଳି ଗଲା, ପିଲାଟା ଯେମିତି ଆଉ ମାଛି କି ମର ବୋଲି କହୁନି ।

କିଏ କିଏ କୁହନ୍ତି ,“ଅଧିକ ପାଠର ଭାର ଯୋଗୁଁ ସେ ବଦମାସୀ କରିବାକୁ ସମୟ ପାଉନି ନହେଲେ ସେ ଏମିତି ଚୁପ ରହିବା ପିଲାକି ! ” ତା ଭଳି ଉଦ୍ଧତ ପିଲା ଯେ ଏମିତି ଶାନ୍ତଶିଷ୍ଟ ହୋଇଯିବ ସେ ସେ କଥା ଲୋକ ହଜମ କରିପାରୁନଥିଲେ ।

କିଏ କିଏ କୁହନ୍ତି “ସହରରେ ରହି ପାଠ ପଢିଲାଣି, ଆଉ କଣ ଗାଁରେ ତାର ମନ ଲାଗିବ !” କିନ୍ତୁ ମୁନାର ମନରେ ଗୋଟିଏ କଥା ଘାରି ହେଉଥାଏ ବିଗତ ଦୁଇ ବର୍ଷ ହେଲାଣି, ନିଦ ହଯିଯାଇଛି ତାର । ତାକୁ ଦୁନିଆଟା ଖାଁ ଖାଁ ଲାଗୁଥାଏ । ସବୁଥାଇ ବି ଯେମିତି ବହୁତ କିଛି ହରାଇଲା ଭଳି ଲାଗେ ତାକୁ । ଯେମିତି ସେ କାହାକୁ ମନେ ମନେ ଖୋଜି ହେଉଥାଏ । ବାପାଙ୍କୁ ଭାରି ଡର ମୁନାର, ଭଲ ପାଠ ପଢେ ବୋଲି ବାପା ତାର କିଛି ଦୃଷ୍ଟାମିକୁ ଅଣଦେଖା କରନ୍ତି ସତ କିନ୍ତୁ ସବୁବେଳେ ତାଗିଦ କରନ୍ତି, ମାଡ ବି ମାରିଛନ୍ତି ଅନେକ ଥର । ମେଧାବୀ ଛାତ୍ର ହେଲେ ବି ବାପାଙ୍କର ଗେହ୍ଲା ପୁଅ ହେବାର ସୌଭାଗ୍ୟ ପାଇନି ମୁନା ତାର ନିଜ ଉଦ୍ଧତାମୀ ପାଇଁ ।

ଗାଁ ସ୍କୁଲରେ ଶିକ୍ଷକତା କରନ୍ତି ନିରାକାର ବାବୁ । ବହୁତ ସଚ୍ଚୋଟ ଓ ନିଷ୍ଠାପର ଲୋକ ସେ, ଗାଁ ରେ ବହୁତ ଖାତିର ତାଙ୍କର । ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ ଏମିତି କି ସ୍କୁଲର ଅନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ନିରାକାର ବାବୁଙ୍କ ଶିକ୍ଷକତା, ଛାତ୍ର ମାନଙ୍କ ପ୍ରତି ସ୍ନେହ ପ୍ରେମ, ଦାୟିତ୍ଵ, ସମୟାନୁବର୍ତୀତା, ନିଷ୍ଠାପରତା ଆଦି ଗୁଣର ଭୁଇୟସୀ ପ୍ରଶଂସା କରନ୍ତି କିନ୍ତୁ ନିରାକାର ବାବୁଙ୍କର ଦୁଃଶ୍ଚିନ୍ତା ଥିଲା ତାଙ୍କର ବଡ ପୁଅ ମୁନାର ଉଦ୍ଧତାମି ଓ ସାନ ପୁଅର ସ୍ମୃତି । ନିରାକାର ବାବୁଙ୍କ ସ୍ତ୍ରୀ ପାର୍ବତୀ, ବଡ ପୁଅ ମୁନା ଓ ସାନ ପୁଅ କୁନାକୁ ନେଇ ଛୋଟିଆ ପରିବାର । ନଦୀପାଖେ ତାଙ୍କର ଘର, ବାଡି ପଟେ ଚାରିଟି ନଡିଆ ଘଛ ଆଉ ବାଡିରେ କିଛି ପନିପରିବା ଗଛ ବି ଲଗେଇ ଥାନ୍ତି । ବସିବା ଲୋକ ନୁହେଁ ସେ , ସେଥିପାଇଁ ବରକୋଳି ଗଛ, ପିଜୁଳି ଗଛ, କଦଳୀ ଗଛ ,ଅମୃତ ଭଣ୍ଡା ଆଦି କେତେ ପ୍ରକାର ଗଛ ଲାଗିଥାଏ ବାଡିରେ । ପାର୍ବତୀ ଜଗନ୍ନାଥଙ୍କ ବଡ ଭକ୍ତ, ସକାଳୁ ସକାଳୁ ପୂଜା ପାଇଁ ଫୁଲର ନିହାତି ଆବଶ୍ୟକ । ସକାଳୁ ଉଠି ଗାଧୋଇ ପାଧୋଇ ଜଗାକୁ ଫୁଲ, ଚନ୍ଦନ, ଧୂପ, ଦ୍ଵିପ ଦେଇ ନୈବେଦ୍ୟ ଦେଲା ପରେ ହିଁ ବାକି ଯାହା କିଛି କାମ, ସେଥିପାଇଁ ସବୁଦିନ ନିରାକାର ବାବୁଙ୍କୁ ଚାହା ଟିକେ ପିଇବା ପାଇଁ ବହୁତ ପ୍ରତୀକ୍ଷା କରିବାକୁ ପଡେ । ନିରାକାର ବାବୁଙ୍କୁ ଫୁଲ ଗଛରେ ଭାରି ଶ୍ରଦ୍ଧା, ଗେଣ୍ଡୁ , ମନ୍ଦାର , କେତକୀ ଆଦି ନାନା ରକମର ଫୁଲ ଗଛ ତାଙ୍କ ବାଡିରେ । ଗେଟ ସାମ୍ନାରେ ନାଲି ରଙ୍ଗର କାଗଜି ଫୁଲ ଯେମିତି ଘରକୁ ଆସୁଥିବା ଅଥିତିଙ୍କୁ ସ୍ଵାଗତ କରୁଥାଏ । ସ୍କୁଲରୁ ଫେରିଲା ପରେ ନିରାକାର ବାବୁ ଦାଣ୍ଡ, ବାଡିରେ ଯେତେ ଫୁଲ ଗଛ ଅଛି ସବୁଥିରେ ପାଣି ଦିଅନ୍ତି ଆଉ ନିଜେ ମାଳୀ ଭଳି ସବୁ ଗଛ ଗୁଡିକର ଭଲକରି ଯତ୍ନ ନିଅନ୍ତି ।

ବଡ ପୁଅ ମୁନା ମେଧାବୀ ଛାତ୍ର, ସପ୍ତମ ଶ୍ରେଣୀରେ ଏନ. ଆର. ଟି. ଏସ ପରୀକ୍ଷା ରେ ଉତ୍ତିର୍ଣ୍ଣ ହୋଇ ସ୍କଲାର୍ଶିପ ବି ପାଇଛି । ବ୍ଲକ ସ୍ତରୀୟ, ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ତାର ବିଜ୍ଞାନ ଭିତିକ ପ୍ରୋଜେକ୍ଟକୁ ପ୍ରଥମ ସ୍ଥାନ ମିଳିଛି କେତେ ଥର । ବହୁତ ଭଲ କ୍ରିକେଟ ଖେଳେ ସେ, ବହୁତ ମ୍ୟାଚ ଜିତି ଟ୍ରଫି ସହ ମାନପତ୍ର ପାଇଛି । ପାଠରେ ମୁନା ଯେମିତି ସବୁଥିରେ ପ୍ରଥମ , ବାଳୁଙ୍ଗାମିରେ ବି ସେମିତି ସବୁଥିରେ ଆଗୁଆ । ଗାଁ ନଇରେ ପହଁରିବାରେ ତାର ବହୁତ ଖୁସି । ପିଲା ଦିନେ ଏମିତି ସବୁ ଥର ବର୍ଷା ଋତୁର ନଈବଢି ସମୟରେ ପ୍ରତିଯୋଗୀତା ହୁଏ, ନଈବଢି ପାଣିରେ ଏକୂଳ ରୁ ସେକୂଳ କୁ କିଏ କେତେ କମ ସମୟ ମଧ୍ୟରେ ପାର ହେଇ ପାରିବ.. ଆଊମୁନା ସେଥିରେ ସବୁବେଳେ ପ୍ରଥମ । ଗାଁ ଦାଣ୍ଡରେ ଗିଲି ଦଣ୍ଡା ଖେଳରେ କଳିଗୋଳ, ମାରପିଟରେ ବି ତାର ନାଁ ସବୁବେଳେ ଥାଏ । ସାଙ୍ଗ ମାନଙ୍କ ସହ ମିଶି କାହା ବାଡିରୁ ପିଜୁଳି ଚୋରୀ କରି ଖାଇବା, ଆମ୍ବ ତୋଟାରେ ଏ ଗଛରୁ ସେ ଗଛ ଡେଇଁବା, କ୍ରିକେଟ ଖେଳରେ ମାରପିଟ କରିବା ଆଦିରେ ସବୁବେଳେ ମୁନାର ନାଁ ଥାଏ । ଏଥି ପାଇଁ କେତେଥର ନିରାକାର ବାବୁଙ୍କ ମୁଣ୍ଡ ତଳକୁ ହୋଇଛି । ମୁନାକୁ ଯେମିତି ବାପାଙ୍କର ମାନ ସମ୍ମାନର କିଛି ଫରକ ପଡେନି । ତା’ର ଏଇ ଦାୟିତ୍ଵହିନତା ପାଇଁ ପରିବାରକୁ କେତେ କଷ୍ଟ ସେ ନଦେଇଛି !

କାଲି ପୁଣି ଦୁଇ ବର୍ଷ ବିତିଗଲାଣି, ସେଦିନ ପ୍ରଥମ ରଜ ଥାଏ । କାଉଁଳିଆ ପାଗ, ସୁଲୁସୁଲିଆ ପବନ ବହୁଥାଏ, ଆକାଶରେ ବାଦଲ ମାଳ ମାଳ । ରଜପର୍ବ ପାଇଁ ନାନା ରକମର ପିଠା ପଣା ହୋଇଥାଏ ଘରେ । ମୁନାର ମାଟ୍ରିକ୍‌ ପରୀକ୍ଷା ଫଳ ବାହାରିଥାଏ ପୂର୍ବଦିନ, ପ୍ରଥମ ଶ୍ରେଣୀରେ ପଞ୍ଚା ଅଶି ପ୍ରତିଶତ ନମ୍ବର ରଖିପାସ ହେଇଥାଏ ମୁନା । ସେଥିପାଇଁ ନିରାକାର ବାବୁ ସ୍କୁଲ ପିଲା ମାନଙ୍କୁ ମିଠା ବାଣ୍ଟିଲେ । ପ୍ରଥମ ରଜ, ବହୁତ ଆନନ୍ଦ ଓଲ୍ଲାସର ଦିନ । ନୂଆ ଲୁଗା ପିନ୍ଧି, ରଜ ପାନ ଖାଇ, ନଈକୂଳେ ଲାଗି ଥିବା ଦୋଳିରେ କୁନି କୁନି ପିଲା ଓ ଝିଅ ବୋହୁ ମାନଙ୍କ ଦୋଳି ଖେଳ ଲାଗିଥାଏ । ଗାଁ ମୁଣ୍ଡ ବରଗଛ ମୂଳେ ବୟସ୍କ ଲୋକମାନଙ୍କର ତାସ ଖେଳ ଚାଲିଥାଏ । ଦିନ ଯାଇ ସନ୍ଧ୍ୟା ହେଲା, ସାନଭାଇ ଓ ସାଙ୍ଗ ମାନଙ୍କ ଗହଣରେ ଦିନଟା କେମିତି କଟିଗଲା ଯେ ଜଣା ପଡିଲାନିମୁନାକୁ । ସନ୍ଧ୍ୟାଠୁଁ ଆରମ୍ଭ ହେଲା ବର୍ଷା, ସକାଳ ଭିତରେ ଗାଁ ନଇରେ ବନ୍ୟା ପାଣି ଆସିଯାଇଥାଏ । ଉଛୁଳା ନଇର ପାଣି ଏକୂଳ ସେକୂଳ ଖାଉଥାଏ । ସକାଳୁ ନଈକୂଳ ଆଡେ ବୁଲି ଆସିଲାପରେ ମୁନାର ଖୁସି କହିଲେ ନସରେ, ଆଜି ନଈପହଁରା ହେବ । ରଜ ପାଗକୁ ପରୀକ୍ଷା ଫଳର ଖୁସି, ତାର ଡେଣାରେ ଯେମିତି ପର ଲାଗିଲା ପରି ଲାଗୁଥାଏ .. ସତେ ଯେମିତି ସେ ଆକାଶରେ ଉଡିଲା ପରି ଅନୁଭବ କରୁଥାଏ । ନଈପହଁରିବା କଥା ଶୁଣିଲେ ବାପାଙ୍କଠୁ ଗାଳି ଶୁଣିବାକୁ ମିଳେ । ସେଥିପାଇଁ ସକାଳୁ ସକାଳୁ ରଜ ପିଠା ଖାଇ, ସାଙ୍ଗ ମାନଙ୍କୁ ନେଇ ବାହାରିଲା ନଈକୂଳକୁ ଦୋଳିରେ ଝୁଲିବା ବାହାନା କରି ।

ସାନ ଭାଇ କୁନା ଜିଦ ଧରିଲା “ଭାଇ ମୋତେ ବି ନେଇଚାଲ ଦୋଳିରେ ଝୁଲେଇ ଦେବୁ” ।

“ମା’ ମୁ କୁନାକୁ ନେଇ ଦୋଳି ଖେଳି ଆସୁଛି” ବୋଲି କହି ମୁନା ଯାଇ ପହଞ୍ଚିଲା ନଈକୂଳରେ ।

ସାନଭାଇ ସାଥେ ଦଶ ମିନିଟ ଦୋଳି ଖେଳେଇ ଦେଇ ମୁନା କହିଲା

“ତୁ ଏଇଠି ଖେଳୁଥା, କୁଆଡେ ଯିବୁନି , ମୁଁ ପାଞ୍ଚ ମିନିଟରେ ଯାଇ ଆସୁଛି ନଇକୂଳ ଆଡୁ”।

ଏତିକି କହି ସାଙ୍ଗ ମାନଙ୍କ ସହ ମିଶି ନଇକୁଳ ଆଡକୁ ଛୁ ମନ୍ତର ହେଇଗଲା ମୁନା । କୁନାକୁ ଏକୁଟିଆ କିଛି ଭଲ ଲାଗିଲାନି । ବଡଭାଇ କୁ ଖୋଜି ସେ ବି ହାଜର ହେଇଗଲା ନଇକୁଳରେ । ସେତେବେଳେ ମୁନା ଆଉ ତାର ସାଙ୍ଗ ମାନେ ନଈପହଁରାରେ ବ୍ୟସ୍ତ ଥାନ୍ତି ।

କୁନା ବଡ ଭାଇକୁ ଡାକି ଡାକି, ଯାଇ ନଈକୂଳରେ ବସି ପାଣି ପାଖରେ ବସି ପଡିଲା। ହାତ ବଢେଇ ଅଞ୍ଜୁଳାରେ ଅଞ୍ଜୁଳାଏ ପାଣି ଆଣୁଥାଏ ଆଉ ମୁଣ୍ଡ ଉପରେ ଛିଞ୍ଚି ହେଉଥାଏ, ଗୋଡ ବଢେଇ ପାଣିରେ ଚବ ଚବ ହେଉଥାଏ । ବଢି ପାଣିର ସୁଅ ଏକୂଳ ସେକୂଳ ଖାଉଥାଏ, ଏମିତି ପାଣି ସହ ଖେଳୁ ଖେଳୁ ଗୋଡ ଖସିଗଲା କୁନାର ଆଉ ବଉଲୋ କହି ଜୋର ପାଟି କରି ପଡିଗଲା ନଈଭିତରେ । ଅଥଳ ପାଣିରେ ଉବୁଟୁବୁ ହେଉଥାଏ କୁନା, କଣ ଗୋଟେ ପାଣିରେ ପଡିଗଲା ବୋଲି ମୁନା ଆଉ ତାର ସାଙ୍ଗ ମାନେ ଫେରି ଚାହିନବାରୁ ଦେଖିଲେ କୁନାକୁ ବଢିପାଣିର ସୁଅ ଭସେଇ ନେଇଯାଉଛି। ପ୍ରାଣବିକଳରେ ଡାକ ଛାଡିଲେ ସମସ୍ତେ, ଗାଁ ଲୋକ ଯିଏ ଯୁଆଡେ ଥିଲେ ସବୁ ନଇକୂଳେ ହାଜର ହେଲେ । କାହା ହାତରେ ଦଉଡି ତ କାହା ହାତରେ କାତ ବାଡି, ନାଉରି ବି ନା ନେଇ ହାଜର ହେଲା କିନ୍ତୁ ବଢି ପାଣିର ସୁଅ ଏତେ ପ୍ରଖର ଥିଲା ଯେ ପାଞ୍ଚ ମିନିଟ୍‌ରେ କୁନା କୁ ଭସେଇ ନେଲା ଆଖି ନପାଇବା ଦୂରତାକୁ । ଦୀର୍ଘ ଏକ ଘଣ୍ଟାର ପରିଶ୍ରମ ପରେ କୁନାର ମୃତଦେହ ମିଳିଲା କିଛି ଦୂରରେ । ନିରାକାର ବାବୁ, ତାଙ୍କ ସ୍ତ୍ରୀ ପାର୍ବତୀ କାନ୍ଦି କାନ୍ଦି ଧରାଶାୟୀ ହୋଇଯାଉଥିଲେ । ସାନଭାଇର ମୃତ୍ୟୁକୁ ବିଶ୍ୱାସ କରି ପାରୁନଥାଏ ମୁନା, ତାର ଦାୟିତ୍ଵହିନତା ଯୋଗୁଁ ତାରି ଆଖି ଆଗରେ ନିଜର ଭାଇକୁ ହରେଇଲା ମୁନା । ଶବଦାହ କରି ସମସ୍ତେ ଘରକୁ ଫେରିଲେ । ନିର୍ଦ୍ଧାରିତ ତାରିଖ ଓ ସମୟରେ ଶୁଦ୍ଧିକ୍ରିୟା ସମ୍ପନ୍ନ ହେଲା ।

ନିରାକାର ବାବୁ ଯେମିତି ପୂରାପୂରି ଭାଙ୍ଗି ପଡିଥିଲେ, ସବୁବେଳେ ଅନ୍ୟମନସସ୍କ ରୁହନ୍ତି । ମୁନାର କଲେଜ ଏଡମିଶନ୍‌ କଥା କିଛି ଚିନ୍ତା କରୁନଥିଲେ ନିରାକାର ବାବୁ କିନ୍ତୁ ମୁନାକୁ ଆଉ ଗାଁ ରେ ରହିବାକୁ ଇଚ୍ଛା ନଥାଏ । ସାନଭାଇର ସେ ନିରୀହ ଚେହରାଟି ସବୁବେଳେ ତା ଆଖିଆଗରେ ନାଚି ଯାଉଥାଏ । ତାର ମୃତ ଦେହକୁ ଧରିଥିବାର ସ୍ମୃତିକୁ ସେ ଭୁଲେଇ ପାରୁନଥାଏ । ଅନୁତାପରେ ତା ହୃଦୟ ସବୁଦିନ କାନ୍ଦି ଉଠେ, ରାତି ରାତି ନିଦ ହୁଏନା । ହୁଏତ ତାର ବାପା, ମା’ଙ୍କ ଠାରୁ ତାକୁ ବେଶୀ କଷ୍ଟ ହେଉଥାଏ । ଆଉ ନଇକୂଳକୁ କେବେବି ଯିବନି ବୋଲି ଶପଥ ନିଏ ।

ଇତି ମଧ୍ୟରେ ରେଭେନ୍ସା କଲେଜରେ ନାମଲେଖାଇବା ପାଇଁ ଫର୍ମ ପକେଇଦେଇଥାଏ ମୁନା । କିଛି ଦିନ ଭିତରେ ରେଭେନ୍ସା କଲେଜରୁ ଆଡ୍‌ମିଶନ୍‌ ପାଇଁ ଚିଠି ଆସେ ମୁନାକୁ , ଛାତ୍ରାବାସରେ ରହି ପଢିବା ପାଇଁ ମାକୁ ବହୁତ ଅନୁରୋଧ କରେ । ସାନପୁଅ ଗଲା ପରେ ଗୋଟିଏ ବୋଲି ପିଲା ମୁନାକୁ ଛାତ୍ରାବାସରେ ରଖି ପାଠ ପଢାଇବାକୁ ଜମା ଇଚ୍ଛା ନଥାଏ ନିରାକାର ବାବୁଙ୍କର କିମ୍ବା ତାଙ୍କ ସ୍ତ୍ରୀ ପାର୍ବତୀଙ୍କର କିନ୍ତୁ ମୁନାର ଭବିଷ୍ୟତ ପାଇଁ ସେମାନେ ବାଧ୍ୟ ହୁଅନ୍ତି ତାର ଜିଦ ଆଗରେ । ଶେଷରେ ନିରାକାରବାବୁ ମୁନାକୁ ନେଇ ଛାଡି ଆସିଲେ ରେଭେନ୍ସା କଲେଜ ଛାତ୍ରାବାସରେ ।

ନିଜର ଦାୟିତ୍ଵହିନତା ଯୋଗୁଁ ସାନଭାଇ କୁନା ଆଉ ଏ ଦୁନିଆରେ ନାହିଁ, ଏକଥା ମୁନା କୁ ସବୁବଳେ କଷ୍ଟଦେଉଥାଏ । କୁନାର ମୃତ୍ୟୁ ଘଟଣା ସେ ବହୁତ ଥର ସ୍ଵପ୍ନରେ ଦେଖିଛି, ତାକୁ ଯେମିତି କୁନା ବିକଳ ହେଇ କହୁଛି ଭାଇ ମୋତେ ବଞ୍ଚେଇ ଦେ .. ବଞ୍ଚେଇ ଦେ ଭାଇ । ଆଗ ଭଳି ଖେଳକୁଦରେ ତାର ଆଉ ସ୍ପୁର୍ହା ନଥାଏ । ପାଠ ପଢାରେ ତାର ଆଗ ଭଳି ଧ୍ୟାନ ରୁହେନି । ପ୍ରଥମ ବର୍ଷ ପରୀକ୍ଷାରେ ତାର ଖରାପ ନମ୍ବର ରହେ ଆଉ ସେଥିପାଇଁ ନିରାକାର ବାବୁଙ୍କୁ କଲେଜ ପ୍ରିନ୍ସିପ୍ଯାଲ ଚିଠି ଲେଖନ୍ତି ମୁନା ବିଷୟରେ ସବୁ କଥା ବୁଝିବା ପାଇଁ ।

ଏତେ ମେଧାବୀ ଛାତ୍ର ହେଇ ମୁନା କାହିଁକି ପରୀକ୍ଷାରେ ଖରାପ କରୁଛି ସେକଥା ପ୍ରିନ୍ସପାଲ୍‌ଙ୍କୁ ଅଡୁଆ ଲାଗୁଥାଏ । ଇତିମଧ୍ୟରେ ତାର କିଛି ସାଙ୍ଗ ମାନଙ୍କୁ ପଚାରି ବୁଝିଲେ ପ୍ରିନ୍ସପାଲ୍‌, ହେଲେ ହଷ୍ଟେଲରେ କାହାକୁ କିଛି ଏବିଷୟରେ ଜଣେଇ ନଥାଏ ମୁନା । କେବଳ ଏକଥା ତାର ଜଣେ ଝିଅ ସାଙ୍ଗ ପ୍ରିୟାକୁ ଜଣା ଥାଏ । କ୍ଲାସରେ ବହୁତ ଚୁପ ଚାପ ରହୁଥିବାରୁ ପ୍ରିୟା ସବୁବେଳେ ମୁନାକୁ ତାର କାରଣ ପଚାରୁଥାଏ କିନ୍ତୁ କିଛି ଉତ୍ତର ପାଏନି । ଏମିତି ଥରେ ପ୍ରିୟା ତା’ର ସାନଭାଇ କଥା ହେଉ ହେଉ ମୁନାକୁ ତାର ପରିବାର ବିଷୟରେ ପଚାରିଦେଲା, ତାର ସାନଭାଇ ଏଦୁନିଆରେ ଆଉ ନାହିଁ ବୋଲି କହି ମୁନା ମନଦୁଃଖରେ ଉଠି ଚାଲିଯାଏ । ସେବେଠୁ ପ୍ରିୟା ବହୁତ ଚେଷ୍ଟା କରି ମୁନାଠୁଁ ଦିନେ ଜାଣିବାକୁ ପାଇଥାଏ ତାର ସନଭାଇର ମୃତ୍ୟୁର କାରଣ ।

ପ୍ରିନ୍ସପାଲ୍‌ଙ୍କଠୁଁ ଚିଠିପାଇ ନିରାକାର ବାବୁ ଯାଇ ପହଞ୍ଚିଲେ କଲେଜରେ ସପ୍ତାହପରେ । ସଂଯୋଗକୁ, ସେଦିନ ପ୍ରିୟା ପ୍ରିନ୍ସପାଲଙ୍କ ସହ କୌଣସି ବିଷୟରେ କଥା ହେଉଥାଏ । ନିରାକାର ବାବୁ ଅନୁମତି ମାଗି ପ୍ରିନ୍ସପାଲ୍‌ଙ୍କ ରୁମ ଭିତରକୁ ପଶିଆସନ୍ତି, ପ୍ରିୟା ଓ ମୁନା ଗୋଟିଏ ଶ୍ରେଣୀରେ ପଢୁଥିବାରୁ ପ୍ରିନ୍ସପାଲ ପ୍ରିୟାକୁ ମୁନା ବିଷୟରେ ପଚାରି ବୁଝନ୍ତି । ନିରାକାରବାବୁ ଓ ପ୍ରିୟା ଠାରୁ ସବୁ ଶୁଣିଲା ପରେ ପ୍ରିନ୍ସପାଲ୍‌ଙ୍କୁ ଅସଲି କାରଣ ବୁଝାପଡିଲା । ନିରାକାର ବାବୁଙ୍କୁ ଏକଥାର ଟିକେ ବି ସୁରାଗ ନଥିଲା ଯେ ମୁନା ଏତେ ବଦଳି ଯିବ ବୋଲି ଆଉ ସାନଭାଇର ମୃତ୍ୟୁକୁ ନେଇ ମୁନା ଏତେ ଗଭୀର ଆଘାତ ପାଇଥିବ ବୋଲି । ମୁନା ନିଜକୁ ଦୋଷୀ ମନେ କରୁଛି, ମନରେ ମନରେ ନିଜ ଧିକାର କରୁଛି ବୋଲି ହୃଦୟଙ୍ଗମ କଲା ପରେ ନିରାକାର ବାବୁ ଏଥର ନିଶ୍ଚିତ ହେଇଯାଇଥିଲେଯେ ମୁନା ଜୀବନରେ ପ୍ରଥମ ଥର ପାଇଁ ସତରେ ନିଜ ଭୁଲ ପାଇଁ ଅନୁତାପ କରୁଛି ଆଉ ମନେ ମନେ ବହୁତ ଆଶ୍ଵସ୍ଥ ହେଲେ । ଘରକୁ ଫେରି ପାର୍ବତୀ ପାଖରେ ସବୁ ବଖାଣିଲେ, ମା’ର ଦରଦୀ ହୃଦୟରୁ ପୁଅ ପାଇଁ ସଂବେଦନା ଆଉ ଧାର ଧାର ଅଶ୍ରୁ ଗଡ଼ିଯାଉଥିଲା ନୟନରୁ । ପୁଅକୁ ଖୁସିରେ ରଖ ହେ ପ୍ରଭୁ କହି ଜଗନ୍ନାଥଙ୍କୁ ଡାକୁଥିଲେ ।

ଆଜି ମୁନା ଏକ ସୁଧାର ପିଲାଟିଏ, ଯିଏ ନିଜର ଭବିଷ୍ୟତ ପାଇଁ ଯତ୍ନବାନ ବୋଲି ନିରାକାର ବୁଝି ଯାଇଛନ୍ତି ଆଉ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳକୁ ଅପେକ୍ଷାରତ ଅଛନ୍ତି..।

ଲୋକପ୍ରିୟ ଲେଖା

To Top