ଗଳ୍ପ

ଡ୍ରାମା

Pradeep Nayak's odia story Draamaa

ପାଲ ଫାଙ୍କରେ ମୁହଁଟି ଲେଖା ଆଖିରେ ଆଖିରେ ଇଙ୍ଗିତ କରୁଛନ୍ତି -ଯା -ମାଡିଯା । ତୁ’ ପରା ଆମର ନେତା ହରି ଅପ୍ -ଶିବୁନ ହରି ଅପ୍ । ବ୍ରାଭୋ ଶିବୁନ ବ୍ରାଭୋ !

ଡ୍ରାମା

ସେଇ ଇପ୍ସିତ ଦିନଟି ଆସିଛି । ବାକି ମୁହୂତ୍ତ ଆସିବାକୁ ସମୟ ଲାଗିବ । ଦିନଟି ଆଉ କିଛି ନୁହଁମ । ଜଗନ୍ନାଥ ପୁର ଗାଁ ରେ ଡ୍ରାମା । ଗାଁ ଯୁବକ ସଂଘ ପିଲାଏ ମାସାଧିକ କାଳ ଯେଉଁ ପୂର୍ବ ପ୍ରସ୍ତୁତି ରେ ଥିଲେ ଆଜି ତା’ ରୂପ ନବ । ରାତି ପାହିବାଠୁ ଗାଁଟା ଉତ୍ସବ ମୁଖର । ଗାଈଆଳ ଟୋକାଙ୍କ ପାଖରୁ ଗାଧୁଆତୁଠର ଝିଅବୋହୂ ଆଲୋଚନାରେ ଶତମୁଖ । ଗାଁ ପ୍ରାଇମେରୀ ସ୍କୁଲରେ ଉପସ୍ଥାନ କମ୍ ବାହାର କାମଦାମକୁ ବାତିଲ୍ କରି ବୟସ୍କ,ଯୁବକ ମାନେ ମଧ୍ୟ ଗାଁ ରେ ଉପସ୍ଥିତ ।

ପ୍ରତୀକ୍ଷାର କାଉଣ୍ଟ ଡାଉନ୍ ଆରମ୍ଭ ହୋଇଛି, ଯେତେବେଳେ ଗାଁ ମୁଣ୍ଡ ତୋଟାସାହି ପଡିଆ ପାଖରେ ଚିତ୍ରାଳୟ ବାଲାଙ୍କ ଗାଡି ଲାଗିଲା ଡ୍ରାମା ଖବର ମାଇକିରେ ପ୍ରଚାର ହେବାଠୁ ଆହୁରି ଦ୍ରୁତଗତି ରେ ମୁହଁରୁ ମୁହଁରୁ ପ୍ରସାରିତ ହେଲା -ଚିତ୍ରାଳୟ ଗାଡି ଆସିଛି ।

ଗାଡି ତୋଟାସାହି ମଞ୍ଚ ପାଖରେ ଲାଗିବା ପରେ ଦି’ ଚାରି ଜଣ ଲମ୍ବାଚୂଳ ‘ସିନ୍ଦୁରକଲି ଟାଣିଥିବା ଲୋକ ଖପ୍ ଖାପ୍ ଡେଇଁ ପଡିଲେ ଗାଡିର ତଳକୁ । ମଞ୍ଚ ଆଖପାଖକୁ ଥରେ ଆଖି ବୁଲେଇ ଆଣିଲା ବେଳକୁ ତାଙ୍କୁ ଘେରି ପଞ୍ଝାଏ ଲୋକ ଏକାଠି ହୋଇଗଲେ । ତୀର ମାରିଲା ପରି ଗାଁ- ଭିତରୁ ଦଉଡି ଆସିଲେ ଦଳେ ଛୁଆ । ସେମାନଙ୍କ ଭିତରେ ପ୍ରତିଯୋଗିତା ଲାଗିଚି ଯେ -କିଏ ଆଗ ଚିତ୍ରାଳୟ ଗାଡିକୁ ଛୁଇଁବ । ସବୁଠୁ ଆଗ ଯେଉଁ ଆଠ ଦଶ ବର୍ଷର ପିଲାଟା ଆସି ଗାଡିକୁ ଛୁଇଁଲା ଏବଂ ଅଲମ୍ପିକ୍ ର ପଦକ ବିଜେତା ପରି ଛାତି ଫୁଲେଇ ଠିଆ ହେଲା ତା ନାଁ ଶିବୁନ୍ ।

ଶିବୁନ ଶରୀରରେ ଦୁର୍ବଳ । ବାପା – ମାଆଙ୍କ ଯତ୍ନର ଅବହେଳାରେ ହେଉ କି ପିଲାଟିର ଚଗଲାମୀ କାରଣରୁ ନଖଠୁ ମୁଣ୍ଡ ଯାଏ ଅବିନ୍ୟସ୍ତ । ଘନକେଶ,ଧୂଳି ଧୂସରିତ ଚେହେରା,ଆଖି ଯୋଡ଼ାକରେ ଚମକ । ସେଥିରେ ଅଳସ ଭାଙ୍ଗୁଥିବା ସ୍ୱପ୍ନମାନେ ବିଭୋର ।

ଦିନଟା ସାରା ଶିବୁନ୍‌ର ମା ତାକୁ ଡାକି ଡାକି ନୟାନ୍ତ । କି ଯେ ନିଆଁଲଗା ନାଚ କରୁଛନ୍ତି ଗାଁରେ, ପିଲାଟା ଖାଇବା ନାଆଁ ଧରୁନି ! ଦଣ୍ଡେ ଥ’ ହଉନି । ଇସ୍କୁଲ ଗଲାନି ସାରାଟା ଖରାବେଳ ତୋଟାଆଡେ ବୁଲୁଚି ।

କେବଳ ଶିବୁନ୍ କାହିଙ୍କି ! କିଛି ଉତ୍ସାହୀ ଯୁବକ,ଛୋଟଛୁଆ ମଧ୍ୟ ମଞ୍ଚ ସାଜସଜା କାମରେ ସହାୟତା କରିବା ପାଇଁ ଲାଗିପଡିଛନ୍ତି । ଚିତ୍ରାଳୟର ଲୋକଟା ପିଲାମାନଙ୍କ ମୁଖିଆ ବୋଲାଉଥିବା ଶିବୁନ୍‌କୁ ଲଗେଇଦେଇଚି ଚେୟାର,ଲାଇଟ ବୋହିବା କାମରେ । ସେତୁବନ୍ଧ ବାନ୍ଧିବା ପରି ଶିବୁନ୍‌ର ସେନାଏ ପିମ୍ପୁଡି ଧାର ବାନ୍ଧି ଚାଲିଛନ୍ତି । ଗ୍ରୀନ୍ ରୁମ୍‌କୁ ଆବଶ୍ୟକ ଜିନିଷ ଉଠିସାରିଚି । ଚାରିଟା ଖୁଣ୍ଟ କାହା କାହା ଘରୁ ଆସି ମଞ୍ଚ ପରିସୀମାରେ ପୋଟାସରିଛି ।

ଗ୍ରୀନ୍‌ରୁମ୍ ପାଖରେ ଗୋଛାଏ ପିଲାଙ୍କ ସାଙ୍ଗରେ ଶିବୁନ୍ ଲପ୍‌ଟି ପଡିଚି ମାଟି ଉପରେ । ପାଲ ଘେରା ଘର ଭିତରବ ଯାବତୀୟ ବେଶପୋଷାକ, ଯାତ୍ରା ସରଞ୍ଜାମ, ଗୋଟେ ମୋଟା ନିଶ ବାଲା ଦୁଆର ଜଗିବସିଚି । ଭିତରକୁ ଯିବା ମନା । ଥରେ ଦି’ ଥର ଭିତରକୁ ଯିବାକୁ ଚେଷ୍ଟା କରି ପିଲାଏ ମନମାରି ଫେରିଆସିଛନ୍ତି । ସୁତରାଂ ଶିବୁନ୍ ନେତୃତ୍ୱରେ ପିଲାମାନେ ଗ୍ରୀନ୍‌ରୁମ୍ ର ପଛପଟକୁ ଯାଇ ପାଲସନ୍ଧିରେ ମୁହଁଟି ଲେଖା ଗଳେଇ ଦେଇଛନ୍ତି ।

ଗ୍ରୀନ୍‌ରୁମ୍ ଭିତରେ ବିକ୍ଷିପ୍ତ ଭାବରେ କେଉଁଠି ମୁକୁଟ ମାଳି ତରବାରି,ତ କେଉଁଠି ଆଖି ଝଲସେଇ ଦେଉଥିବା ଶାଢ଼ୀ, ପୋଷାକପତ୍ର । ଏତେ ଗୁଡ଼ାଏ ଜିନିଷ ଦେଖି ପିଲାମାନଙ୍କ ଆଖି ଖୋସି ହୋଇଯାଉଚି ।

ଶିବୁନ୍‌ର ଗୋଟେ ସାଙ୍ଗ ପାଲ ସନ୍ଧିରେ ପେଟେଇ ପଡି ଚାପା କଣ୍ଠରେ କହୁଛି -ଏ ଦେଖ ଦେଖ ସେଇ ଯୋଉ ମୁକୁଟ ଥୁଆ ହୋଇଛି ଆଜି ସେଇଟାକୁ ଦିନାଦୀ ପିନ୍ଧିକି ରାଜା ହେବ । ଆଉ ଜଣେ ଅନ୍ୟ ଆଡେ ଥୁଆ ହୋଇଥିବା ଚକ୍‌ଚକିଆ ଖଣ୍ଡାକୁ ଦେଖେଇ କହୁଛି -ଇସ୍‌ କି ଧାର ବେ । ଥରେ ବି ଭୁଷି ଦେଲେନା ଅନ୍ତବିଜୁଳା ବାହାରିଯବ । ତା’ ଖୋଳ ଗୁଡା ବି ବଢିଆ ଦିଶୁଚି।

ଶିବୁନ୍ ନିଜ ପାଟିରେ ବିଶି ଆଙ୍ଗୁଠି ଦେଇ ଅନ୍ୟ ମାନଙ୍କୁ ଇସାରା କରୁଚି ଚୁପ୍ ଚୁପ କଥା ହେବାକୁ । ତା’ ଆଖି ଗୋଟେ କୁଟିକମ୍‌କରା ଚେୟାର ଉପରେ ଲାଖିରହିଛି । ସିଂହାସନ ଭଳି ପ୍ରତୀୟମାନ ହେଉଥିବା ସେଇ ଚେୟାରକୁ ଦେଖୁ ଦେଖୁ ସମସ୍ତଙ୍କ ଆଖି ଖୋସି ହେଇଯାଉଛି । ଥରେ ତା ‘ ଉପରେ ଯାଇ ବସିଯିବାକୁ ସମସ୍ତଙ୍କ ମନରେ ଉଦଗ୍ର କାମନା ଲହଡି ଭାଙ୍ଗୁଚି । ହେଲେ ତା’ କେମିତି ସମ୍ଭବ ! ଏଇଯେ ନିଶୁଆ ଲୋକଟା ବାଟରେ ବସି ବିଡି ଫୁଙ୍କୁଛି । ଯଦି ତା’ ଆଖି ପଡ଼ିଯିବତ !

ସାଙ୍ଗ ମାନେ ଶିବୁନୁକୁ ଆଖିରେ ଆଖିରେ ଟିହାଉଛନ୍ତି – ଯା ଯା ଆଗ ତୁ ଯାଇ ସେ ସିଂହାସନରେ ବସ । ଆମେ ସେ ଲୋକଟାକୁ ଚାହିଁବୁ । ଯଦି ସିଏ ଇଆଡ଼କୁ ଆସିଲା ଆମେ ବେଙ୍ଗ ପରି ରଡି କରିବୁ । ତୁ ସାଙ୍ଗେ ସାଙ୍ଗେ ଚମ୍ପଟ ମରିବୁ । ଆରେ ଯା -ଯା ‘ମ ।

ଶିବୁନ୍ ସାଙ୍ଗମାନଙ୍କ କଥାରେ ଉତ୍ସାହିତ ହୋଇସାରିଛି । ମନରେ ବି ଗୋଟେ ଅଦମନୀୟ ଇଚ୍ଛା । ଥରେ ସେ ସିଂହାସନରେ ବସିବ । ତା’ ଅଥୟ ଚିତ୍ତର ଅଭ୍ୟନ୍ତରରୁ କେହି ତାକୁ ଟିହାଇ ଟିହାଇ କହୁଚି – ତୁ ଥରେ ସେ ନିଶୁଆ ଲୋକର ଆଖିକୁ ଆଡେଇ ସିଂହାସନ ଉପରେ ବସିଯା । ସତକୁ ସତ ରାଜା ହୋଇଯିବୁ ସେଠି ବସିପଡି ଲିବୁନ୍,ଧୁନ୍ଦା ଖୁକୁଙ୍କ ଆଡକୁ ଥରେ ଚାହିଁଦବୁତ ତୋ ପାଖରେ ସମସ୍ତେ ବିକଳ ପ୍ରଜା ପରି ଦିସିବେ । ଆଃ .. ସିଂହାସନ !

ଶିବୁନ୍ ଗୁରୁଣ୍ଡି ଗୁରୁଣ୍ଡି ଗଦା ଗଦା ପାଷାକ ପତ୍ର ଆଡେଇ ଗୋଟେ ସରୀସୃପ ପରି ଆଗେଇ ଚାଲିଚି ନିଃଶବ୍ଦରେ । ଆଗରେ ଇପ୍ସିତ ସେଇ ସିଂହାସନ । ଧେତ ଏତିକି ବେଳେ ବାରମ୍ବାର ଫିଟି ଯାଉଚି ବୋତାମ ନ ଥିବା ତା ପ୍ୟାଣ୍ଟର ଗଣ୍ଠିଟା । ଆଉ କେତେ ହାତ ଆଗେଇଲେ ତା’ ସ୍ୱପ୍ନର ସିଂହାସନ । ପ୍ରଚାର ମାଇକ୍‌ର ଶବ୍ଦ ଶୁଭିଲାଣି । ହୁଏତ ସେଇ ଶବ୍ଦ ଉହାଡ଼ରେ ତାକୁ ଅଧିକ ସତର୍କ ହେବାକୁ ପଡିନପାର ।

ଶିବୁନ୍ ଗୁରୁଣ୍ଡୁଚି । ତା’ ଲକ୍ଷ୍ୟସ୍ଥଳ ଯେତିକି ପାଖେଇଆସୁଛି ଗୋଟେ ଅବଦମିତ ଉଲ୍ଲାସ ତା’ ଛାତିର ପିଞ୍ଜରାକୁ ଉଠ୍ ପଡ଼ କରୁଚି । ପାଲ ଫାଙ୍କରେ ମୁହଁଟି ଲେଖା ଆଖିରେ ଆଖିରେ ଇଙ୍ଗିତ କରୁଛନ୍ତି -ଯା -ମାଡିଯା । ତୁ’ ପରା ଆମର ନେତା ହରି ଅପ୍ -ଶିବୁନ ହରି ଅପ୍ । ବ୍ରାଭୋ ଶିବୁନ ବ୍ରାଭୋ !

ପିଲାବେଳେ ବୋଉ ପାଖରେ ଅଲି କରି ସତକୁ ସତ ଚାନ୍ଦକୁ ହାତରେ ପାଇଥିଲେ, କି ବାପାଙ୍କ ପାଖରେ ଜିଦ୍ କରି କ୍ରିକେଟ୍ ବ୍ୟାଟ୍ ପାଇଥିଲେ ସେ ଏମିତି ଖୁସି ହୁଅନ୍ତା କି ! ଏମିତିକି ସ୍କୁଲର ଅଙ୍କସାର୍‌ଙ୍କର ଯଦି ବଦଳି ହୋଇଯାଇଥାନ୍ତା ସେ ଏମିତି ଆନନ୍ଦିତ ହୁଅନ୍ତା କି ? ଆଃ ……….. ଉଃ ………..

ଶିବୁନ ଭେଲଭେଟ ଗାଡି ଆଉ କାଠର କୁଟିକମ୍‌ ସେଇ ଅଭଳଷିତ ସିଂହାସନ ଉପରେ । କେତେବେଳେ ସେ ମୁଲାୟମ ଗଦି ଉପରେ ହାତ ବୁଲେଇ ଆଣୁଚି ତ କେତେବେଳେ ସିଂହମୁଖାକୃତି କୁଟିକମ୍‌କୁ ପରଖୁଚି ଗୋଡ ଦି’ ଟାକୁ ଝୁଲେଇ ହାତ ଦି’ ଟାକୁ ରାଜକୀୟ ଠାଣିରେ ରଖି ସାଙ୍ଗମାନଙ୍କ ଲୋଭିଲା ଆଖିର ବିକଳ ଭାବକୁ ଦେଖି ଉତ୍ଫୁଲିତ ହୋଇଉଠୁଛି ଆନନ୍ଦିତଶଯ୍ୟ ଆବେଗ ତା’ ଛାତିର ପରିସୀମାକୁ ସ୍ପିତ କରୁଚି। ସିଏ ରୋମାଂଚିତ,ଗଦ୍ ଗଦ୍ । ଆଖି ନଚେଇ ସାଙ୍ଗ ମାନଙ୍କୁ ଏମିତି ଇସାରା କରୁଚି ଯେମିତି ସିଏ କ୍ୱିୟୁରସିଟରେ ବସି ଦୁଃସାହସିକ ଅଭିଯାନରେ ଏବେ ମଙ୍ଗଳ ଗ୍ରହରେ ପହଞ୍ଚିଚି । ସାଙ୍ଗ ମାନେ ପୃଥିବୀର ମାଟି ଉପରେ କାହିଁ କେତେ ଦୂରେ ତଳେ ।

ଟର୍ର -ଟର୍ର -ଟର୍ର ।

କିଏ ………. କିଏ ସେଠି ? ଗର୍ଜି ଉଠି ନିଶୁଆ ଲୋକଟା ଗ୍ରୀନ୍ ରୁମ ଭିତରକୁ ପଶିଆସୁଚି ତ ବିଜୁଳି ବେଗରେ ଶିବୁନ୍‌ ଚେୟାର ଉପରୁ କୁଦି ପଡିଲା ତଳକୁ । ପାଲଫାଙ୍କରେ ଦିଶୁଥିବା ମୁହଁଟିମାନ ଦିନ ଆକାଶର ତାରା ପରି ଲୁଚି ଗଲେ । ଲୋକଟାର ହାତ ପିଲାମାନଙ୍କ ଯାଏ ପହଞ୍ଚିବା ପୂର୍ବରୁ ସମସ୍ତେ ହସଳୋର ଛଟାଇ ଆସି ମଂଚ ପାଖରେ ।

କେତେ ଜଣ ମଂଚରେ ଲାଇଟ ଲଗେଇବା କାମରେ ବ୍ୟସ୍ତ । ପରୀକ୍ଷା ସରୂପ ଲାଇଟ ଗୁଡା ବେଳେ ବେଳେ ରଙ୍ଗିନ୍ ଆଲୋକ ପ୍ରଦାନ କରି ଜାଳିଉଠି ପୁଣି ଲିଭିଯାଉଚି ।

ହଠାତ୍ ମାଇକିବାଲା ବୋଧହୁଏ ଆରମ୍ଭ କରିଦେଲା ରେକର୍ଡଗୀତ ।ପଞ୍ଝାଏ ପିଲା ଏକାବେଳକେ ଫାଟି ପଡିଲେ ଉନ୍ମାଦନାରେ । ଶିବୁନ୍ ଓଠକୁ ଦାନ୍ତରେ ଚାପି ଧରି,ମୁଣ୍ଡ ଉପରେ, ଅଣ୍ଟା ଉପରେ ହାତକୁ ରଖି ନାଚୁଚି ପିଲାଙ୍କ ମଝିରେ । ଅନ୍ୟ ମାନେ ତାକୁ ଘେରି ନାଚୁଛନ୍ତି । ସାଙ୍ଗ ଜଣେ ଚମକି ପଡି କହିଲା – ଆରେ ହେ ଆସି ସଞ୍ଜ ହେଲାଣି । ଚାଲ ଚାଲ ଆଗ ମଶିଣା ଆଣି ଜାଗା ମାଡି ନ ବସିଲେ ନା ………… ! ଏ କଥା ଶୁଣୁ ଶୁଣୁ ବନ୍ଦ୍‌ ହୋଇଗଲା ନାଚ । ସମସ୍ତଙ୍କ ଚେତା ପଶିଲା – ସତେତ ମଂଚ ପାଖରେ ଜାଗା ନ ଆବୁରିଲେ କଥା ସରିବ ।

ଶିବୁନ ଅନୁଚର ମାନଙ୍କୁ ସାଙ୍ଗରେ ଧରି ଫେରୁଚି ଘରକୁ ଦାମ୍ଭିକତା ସହ କହି ଚାଲିଚି ଆରେ ତମେ ସିନା ଦେଖିଥିଲେ ଜାଣିଥାନ୍ତ ସେ ଘର ଭିତରେ କେତେ କଣ ପାଷାକ ପତ୍ର,ମୁକୁଟ,ଟୋପି,ଚଷମା ଥୁଆ ହୋଇଚି ।ଜାଣିଚନା ଗୋଟେ ଡ଼କାୟତର ପୋଷାକ ବି ଅଛି ଇସ୍ କି ବଢିଆ ଦେଖାଯାଉଛି ! ସେ ଚଷମାଟା ନେଇ ଆସିଥିଲେ ବଢିଆ ହେଇଥାନ୍ତା । ତମେ ସବୁ ଟର୍ ଟର୍ କଲ …….

ସଂଜ ଦି ଘଡି ବେଳେକୁ ଗାଁ ଦାଣ୍ଡରେ ଆତଯାତ ବଢିଯାଇଚି । ସମସ୍ତେ ଚଳଚଞ୍ଚଳ । ଘରେ ମାଇପି ଲୋକେ ଶୀଘ୍ର ରୋଷେଇ ସାରିଦେଇ ପ୍ରସ୍ତୁତ ହେଉଛନ୍ତି ନାଚ ଦେଖିଯିବେ । ଝିଅମାନେ ମେଳା ମେଳା ହୋଇ ୟା ଘର ତା ଘର ହେଉଛନ୍ତି । କାହାର ଡ୍ରେସ କେମିତି ମାନୁଚି,କାହାର କାନଫୁଲ, ନାକଫୁଲ ଭଲ ଦିଶୁଚି ଚର୍ଚ୍ଚା ଚାଲିଚି । ଅତର ବାସ୍ନାରେ ମହକୁଚି ଦାଣ୍ଡ ।

ସଦ୍ୟ ନିଶ ଦାଢ଼ି କାଟି ଚିକ୍କଣ ଦିଶୁଥିବା ବନମାଳୀ କାନ୍ଧରେ ଦି ‘ ତିନିଟା ଶାଢ଼ୀ, ବ୍ଲାଉଜ ପକେଇ ଚାଲିଚି । ତାକୁ ଦେଖି ଶିବୁନ୍ ସାଙ୍ଗମାନେ ହିଃ -ହିଃ ହୋଇ ହସିଉଠିଲେ । ଝିଅମାନଙ୍କ ପଲଟଣ ଥରେ ମାଇଚିଆ ବନମାଳୀର ନଖ ପାଲିସ୍‌, କଜ୍ଜଳକରା ଆଖି,ମୁହଁକୁ ଚାହିଁ ପାଟିରେ ହାତ ଦେଇ ହସି ହସି ଚାଲିଗଲେ । ବନମାଳୀ ଡ୍ରାମାରେ ହିରୋଇନ୍ ପାର୍ଟ କରିବ । ବାସ୍ତବରେ ନିଶ ଦାଢୀ କାଟିଦେଲେ ତା’ ମୁହଁଟି ଝିଅପିଲାଙ୍କ ମୁହଁପରି କୋମଳ ଆଉ ସୁନ୍ଦର ଦିଶେ ।

ମେଞ୍ଚଡ଼ ଟୋକାଙ୍କ ହସକୁ ଦେଖି ବନମାଳୀ ପଚାରିଲା -ହଇରେ ଶିବୁନ ତୋ’ ଦାନ୍ତଗୁଡା କାଇଁକି ପାଦରେ ପଡୁଚି ବା ?

ଶିବୁନ୍ ମୁରୁକିହସା ମାରି କହିଲା – ମୁଁ କ’ଣ ଏକା ହସୁଚି କି ? ତୁ ମୋ ଅପା ଶାଢ଼ୀ କାହିଁକି କାନ୍ଧରେ ପକେଇଚୁ ? ପିନ୍ଧିବୁ କି ?

ବନମାଳୀ ଆଖି ମିଟିକା ମାରି କହିଲା – ଶଳା ବକଟେ ଛୁଆ ହବନା, ଛଞ୍ଚାଣ ଆଖି ପାଇଚି ? ଏଇଟା ତୋ ଅପା ଶାଢ଼ୀ ?

:ହଁ ହଁ । ମୁଁ କ’ଣ ମିଛ କହୁଛି ? ଶିବୁନ କହିଲା ।

: ନାଇଁମ । ମୋ ଅଷ୍ଟମୀ ବନ୍ଧୁ କ’ଣ ମିଛ କହେ ।

: ଅଷ୍ଟମୀ ବନ୍ଧୁ ମାନେ ଶଳା । ବୁଝିଲୁ ତୋ ଅପାତ ମୋର । ଆଉ ତା’ ଶାଢ଼ୀ କା’ର ହବ ଏ ? ଯାଉଚି – ନା ସେ …..।

ପିଲାଙ୍କ ଦଳଟା ଏବେ ଯେଝା ଯେଝା ଘରକୁ ଡିଆଁ ମାରିଲେ । ଖାଇବା ଥାଳିଲେ ହାତ ବାଜିଚି କି ନାହିଁ ଶିବୁନ୍ ଚଟାପଟ୍ ମୁହଁ ପୋଛି ଦେଇ ମସିଣା ଖଣ୍ଡେ ଧରି ବାହାରିଚିତ ବୋଉ କହିଲା -ଆରେ ଦି’ ଗୁଣ୍ଡା ଖଇଲୁନି । ସବୁ ସେଇମିତି ଥୋଇ ଦେଇ ବାହାରି ପଡ଼ିଲୁ ! ଡ୍ରାମା କ’ଣ ସରିଯାଉଚିକି ?

: ସରିଯାଉନି ମ ।ଆଗେ ଯାଇ ମସିଣା ନ ପକେଇଲେ ଟିନୁ, ସାଲୁଆ, କାଦୁଆ ପରା ଜାଗା ମାଡି ବସିବେ । ପଛରେ ଗଲାବେଳକୁ ଆଉ ନ ଥିବ । ତୁ ପଛରେ ଆ ମୁଁ ଯାଉଚି ।

ମଞ୍ଚ ଚାରିପାଖେ ମାଳମାଳ ପାଲ, ମସିଣା । ଶିବୁନ ମଧ୍ୟ ମସିଣା ପକେଇ କହୁଚି ଏ ଜାଗା ମୋର । ମୋ ବୋଉ ଅପା ଆସିବେ । ଅନ୍ୟ ମାନଙ୍କୁ କହୁଚି -ଦେଖ ଦେଖ ମୋ ମସିଣା ଯଉଠି ପଡିଛି ନା, ସମସ୍ତଙ୍କ ଆଗୁଆ ଦେଖିହେବ । ତମର ସବୁ କଣରେ । ଅଧେ ଦେଖାଯିବ ଅଧେ ଦିଶିବନି । ତା’ ଆବୁରି ଥିବା ଜାଗାରେ ସିଏ ଏକଛତ୍ରବାଦୀ ସମ୍ରାଟ । ସେ ଇଲାକାରେ କାହାରି ଆସ୍ପର୍ଦ୍ଧା ଚାଲିବ ନାହିଁ । ସୁତରାଂ ମସିଣା ଉପରେ କତେବେଳେ ଶିବୁନ୍‌ ନାଚୁଚି, କୁଦୁଚି ତ କେତେ ବେଳେ ଗଡିଯାଉଚି ।

ଡ୍ରାମା ର ଆରମ୍ଭ ପର୍ବ । ମାଇକି ବାରମ୍ବାର ପ୍ରଚାର କରୁଚି – ମା’ ଭଦ୍ରକାଳୀ ଡ୍ରାମାଟିକ୍‌ କ୍ଳବ୍‌ ଅଷ୍ଟମ ଅବଦାନରେ ଆପଣାକୁ ଭେଟି ଦେବାକୁ ଯାଉଚି ଅଶ୍ରୁଳ ସାମାଜିକ ନାଟକ ‘ଭଙ୍ଗା ଆଇନ ‘ । ଆଉ ଅଳ୍ପ ସମୟ ପରେ ଆମ କ୍ଳବର ବଛା ବଛା କଳାକାର ମାନଙ୍କୁ ନେଇ ଏକ ନାଟକ ମଞ୍ଚସ୍ଥ ହେବ । ତା’ ପୂର୍ବରୁ ଆପଣ ମାନେ ଦେଖିବାକୁ ମହାନ ପୌରାଣିକ ଗୀତିନାଟ୍ୟ ‘ ବାଣା ପରାଜୟ ‘ ଏଇ ଘୋଷଣାରେ ଫାଙ୍କେ ଫାଙ୍କେ ସମବେତ ଯନ୍ତ୍ର ସଂଗୀତ ଆରମ୍ଭ ହୋଇଯାଇଚି । ଯନ୍ତ୍ର ସଂଗୀତର ତାଳେ ତାଳେ ରଙ୍ଗୀନ ଆଲୋକମାଳା ନାଚି ଉଠୁଛନ୍ତି ।

ଧୀରେ ଧୀରେ ଦର୍ଶକ ମାନଙ୍କ ଗହଳି ବଢ଼ିବାରେ ଲାଗିଚି । ସେଇ ଗହଳି ଭିତରେ ପେଁ -ପାଁ କରି ବାଜୁଚି ଉଠା ଦୋକାନୀଙ୍କ ପେଁକାଳୀ । ଉଡୁଛି ରଙ୍ଗବେରଂଗ ର ବେଲୁନ୍ । ଚଣା ଭଜା, ମଟର ଭଜା, ଭଙ୍ଗାପାନ ଦୋକାନୀଙ୍କ ଛୋଟ ଛୋଟ ପସରା ।

ମସିଣାର ପରିସୀମାକୁ ଜାଗ୍ରତ ପ୍ରହରୀ ଭଳି ଜଗି ରହିଚି ଶିବୁନ୍ । ଚାରିକାତ ଲମ୍ବେଇ ଶୋଇଯାଇ ଘୋଷଣା କରୁଚି ଏ ଜାଗାରେ କେହି ବସିପାରିବେ ନାହିଁ ।

ନାଟକ ଆରମ୍ଭ ହୋଇ କ୍ରମଶଃ ଶେଷ ପଯ୍ୟାୟକୁ ଛୁଆଁବାକୁ ଯାଉଛି । ସମ୍ଭାବ୍ୟ ପରିସ୍ଥିତିକୁ ଅନୁମାନ କରି କେତକ ଦର୍ଶକ ଠିଆ ହୋଇପଡିଲେଣି । ଗହଳି ଭାଙ୍ଗିବା ବେଳକୁ ଫାଟି ଯାଉଛି ଭୋର ଆକାଶରେ ସିନ୍ଦୂରା । ରଂଗଛଡା ମୁହଁ ଅବିନ୍ୟସ୍ତ ବେଶପୋଷାକରେ କ୍ଲାନ୍ତ ଦିଶୁଛନ୍ତି ଶେଷ ଦୃଶ୍ୟର ଅଭିନେତା । ତଥାପି ମଞ୍ଚମାୟାରେ ବାନ୍ଧିହୋଇ ଲାଖି ରହିଛନ୍ତି ଦର୍ଶକ । ଉତ୍କଣ୍ଠାର ଅନ୍ତ ହେବାକୁ ଆଉ ଅଳପ ବାକି ।

ନାଟକ ପରିସମାପ୍ତି ଘୋଷଣା ହେଲାବେଳକୁ ସକାଳ । ଫେରିଯାଉଛନ୍ତି ଶେଷୋକ୍ତ ଦର୍ଶକ ମଣ୍ଡଳୀ । ଆଲୋକମାଳା ନିଜର ରଙ୍ଗୀନ୍ ପକ୍ଷକୁ ପ୍ରତ୍ୟାହାର କରିନେଉଛି ଦିନ ଆଲୁଅ ସାମ୍ନାରେ ପରାଜିତ ସୈନିକ ପରି । ଉଠାଦୋକାନୀ ଜିନିଷପତ୍ର ବନ୍ଧାବନ୍ଧି କରି ଘରମୁହାଁ । କେତେକ ଯୁବକ ରଂଗଛଡା ମୁହଁରେ ଆସି ବିଦା କରୁଛନ୍ତି ଚିତ୍ରାଳୟ ଲୋକଙ୍କୁ । ଗାଡ଼ିରେ ଲଦା ଯାଉଚି ଜିନିଷ ।

ଶିବୁନ୍ ….. ଆରେ ଶିବୁନ୍ ! ଉଠ,ତୁ ଏଇଠି …! ! ଅପା ଶିବୁନକୁ ଖୋଜି ଖୋଜି ପହଞ୍ଚି ସାରିଚି ତା’ ମସିଣା ପାଖରେ ନାଲୁ, ଧୂଳିଆ ବି ଶୋଇଛନ୍ତି । ନିଦ ମଳ ମଳ ଆଖିରେ ଶିବୁନ୍ ଉଠିପଡ଼ିଲା ତ ଗଡ଼ -ଗଡ଼ ହୋଇ ତା ପ୍ୟାଣ୍ଟ ପକେଟରୁ ଭଜା ମଟର ଗୁଡା ପଡିଗଲା, ମସିଣା ଉପରେ । ଓଠ ଧାରାରେ ବହିଯାଉଥିବା ଲାଳକୁ ହାତରେ ପୋଛି ଆଣି ଶିବୁନ ଥରେ ଅପାର ମୁହଁ ତ ଆଉ ଥରେ ଭାଙ୍ଗି ସାରିଥିବା ମଂଚ ଆଡକୁ ଆଶ୍ଚଯ୍ୟରେ ଚାହୁଁଚି । କିଛି ବୁଝିବା ପୂର୍ବରୁ ତା’ର କେବଳ ଏତିକି ମନେ ପଡୁଚି – ଆଉ ଅଳ୍ପ ସମୟ ପରେ ଦେଖିବାକୁ ପାଇବେ ସମ୍ପୂର୍ଣ୍ଣ ପୌରାଣିକ ଗୀତିନାଟ୍ୟ ‘ବାଣା ପରାଜୟ ‘।।

ଲୋକପ୍ରିୟ ଲେଖା

To Top