ଗଳ୍ପ

ଡ୍ରଇଂ ମାଷ୍ଟ୍ରେ

Dr Nilamani Lenka's odia story Drawing Maashtre

ହଠାତ ଜଣେ ସ୍ନାନରତା ଧାଙ୍ଗଡୀର ନଜର ପଡ଼ିଗଲା ଅନନ୍ତ ନାଏକ ଓରଫ ଡ୍ରଇଂ ମାଷ୍ଟ୍ରେ ଉପରେ । ଭୟରେ ଲାଜେଇ ଯାଇ ଅନ୍ୟ ଧାଙ୍ଗଡୀମାନଙ୍କୁ ହାତ ଠାରି ବଡ ପାଟିରେ ଡାକିଲା ‘ଇଏ ଟୁକାଟା କିଏ ରେ …’।

ଡ୍ରଇଂ ମାଷ୍ଟ୍ରେ

ପ୍ରତି ରବିବାର ଡ୍ରଇଂ ମାଷ୍ଟ୍ରେଙ୍କୁ ସମୟ ନିଅଣ୍ଟ ହୁଏ । ସକାଳ ଛଅଟାରୁ ରାତି ଦଶଟା ପର୍ଯ୍ୟନ୍ତ ଖୁବ ବ୍ୟସ୍ତତା ଭିତରେ ଖାଇବାକୁ ସମୟ ବାହାର କରିବା କଷ୍ଟକର ହୋଇଯାଏ ତାଙ୍କ ପାଇଁ । ସମୟ ବଞ୍ଚାଇବାକୁ ଯାଇ କାନ୍ଧରେ ଥିବା କପଡା ଝୁଲା ବ୍ୟାଗରେ ପାଞ୍ଚଟଙ୍କିଆ ଟାଇଗର କ୍ରିମ ବିସ୍କୁଟ ନିହାତି ଦୁଇତିନିଟା ଏବଂ ପାଣି ବୋତଲଟିଏ ପଡିଥାଏ ।

ଅଜବ ତାଙ୍କର ନିଶା ।

କ୍ଷୀଣ ଶରୀର ସାଙ୍ଗକୁ ମୁହଁରେ ମହୁଫେଣା ପରି ଦାଢ଼ି ଯୋଗୁ ତାଙ୍କୁ ଚିହ୍ନିବାରେ ଅସୁବିଧା ନ ଥାଏ । ବେଳେବେଳେ ତାଙ୍କ ଯା’ଆସ ବେଳେ ଅବାଧ୍ୟ ହେଉଥିବା ପିଲାମାନଙ୍କୁ ସେମାନଙ୍କର ସା’ନ୍ତ ମା’ କିମ୍ବା ଆଈବୁଢ଼ୀମାନେ ଦେଖାଇ କୁହନ୍ତି, ‘ହେଇ, ଚୁପ ହେଇ ଯା, ଅନ୍ତ ପାଗଳା ଯାଉଛି । ଝୁଲାରେ ପୁରେଇ ନେଇଯିବ ଯେ ।’

ଏହି ଆକ୍ଷେପମୂଳକ ବକ୍ତବ୍ୟରେ ପାଗଳା ଵନିଯାଇଥିବା ଡ୍ରଇଂ ମାଷ୍ଟ୍ରେ ରାଗନ୍ତି ନାହିଁ । ଆଦୌ ମନ ଦୁଃଖ ବି କାରାନ୍ତ ନାହିଁ । ସେ ଜାଣିଥିଲେ ତାଙ୍କର ଏ ଦାଢ଼ିଯୁକ୍ତ ମୁହଁଟା ପତ୍ନୀଙ୍କ ପାଇଁ କର୍କଶ ହୋଇପାରେ କିମ୍ବା ଅନ୍ୟ କାହାକୁ ଭ୍ରୁକୁଞ୍ଚନର ଖୋରାକ ଯୋଗାଇଥାଏ ହେଲେ ଅବାଧ୍ୟ ପିଲାମାନଙ୍କୁ ତ ଶାସନ କରିବାରେ ସହାୟକ ହୋଇଛି ।

ଡ୍ରଇଂ ମାଷ୍ଟ୍ରେ ଓରଫ୍‌ ଅନନ୍ତ ନାଏକ । ଆଦିବାସୀ ବ୍ୟକ୍ତି ଜଣଙ୍କର ମୂଳ ଆମ ଅପଭ୍ରଂଶ ହୋଇ ଅନ୍ତ ନାଏକ ଏବଂ ଅନ୍ତା ପାଗଳା ହୋଇ ପରିଶେଷରେ ଡ୍ରଇଂ ମାଷ୍ଟ୍ରେରେ ରୂପାନ୍ତରିତ ହୋଇ ଯାଇଛି । ଏଥିପାଇଁ ତାଙ୍କ ବିରାଗ ଭାବି କିମ୍ବା ପ୍ରତିହିଂସାର ଛାପ ଦେଖିବାକୁ ମିଳେ ନାହିଁ ।

ପ୍ରତି ରବିବାର ଆସିଲେ ନିତ୍ୟକର୍ମ ସାରି ସାଇକେଲରେ ବାହାରି ଯାଆନ୍ତି ଡ୍ରଇଂ ମାଷ୍ଟ୍ରେ । ଘଣ୍ଟେ ଦୁଇଘଣ୍ଟାର ଡ୍ରଇଂ ଶିକ୍ଷା ଦାନ ପରେ ପୁଣି ଚାଲନ୍ତି ଅନ୍ୟ କାହା ଘରକୁ – ସାଧାରନବର୍ଗର ଲୋକଙ୍କ ଘରେ ଡ୍ରଇଂ ଶିକ୍ଷାଦାନ କରିବାର ନଜିର ନାହିଁ । ଏହାର ଅର୍ଥ ନୁହଁ ଯେ ଆର୍ଥିକ ଅନଗ୍ରସର ଲୋକଙ୍କ ପ୍ରତି ତାଙ୍କର ଧାରଣା ଖରାପ ଅଛି । ନିଜର ଆର୍ଥିକ ଅବସ୍ଥାକୁ ସୁଧାରିବାକୁ ଯାଇ ସେ କେତେକ ଉଚ୍ଚପଦସ୍ଥ ଅଫିସର ଏବଂ କଂଟ୍ରାକ୍ଟରମାନଙ୍କ ପିଲାମାନଙ୍କୁ ଡ୍ରଇଂ ଶିକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି । ସକାଳର ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନର ଅସୁବିଧା ସେଦିନ ନଥାଏ । ଅଭିଵାବକଙ୍କ ପ୍ରତିଯୋଗିତା ଯୋଗୁ ଉତ୍ତମ ଖାଦ୍ୟ ମିଳିବାରେ ତାଙ୍କୁ କୌଣସି ଅସୁବିଧା ନ ଥାଏ ।

ଖୁବ ସୁନ୍ଦର ଚିତ୍ର ଆଙ୍କନ୍ତି ମାଷ୍ଟ୍ରେ । ତାଙ୍କ ଚିତ୍ରର ଆଦର ମଧ୍ୟ ଅନେକ ବେଶୀ । ବିଭିନ୍ନ ସଭା ସମିତିରେ ଅନୁଷ୍ଠିତ ହେଉଥବା ସମ୍ବର୍ଦ୍ଧନା ସଭାରେ ଉତ୍ତରୀୟ ସହିତ ମାନପତ୍ର ଏବଂ ଉପଢୌକନ ପ୍ରଦାନ ବେଳେ ଖୋଜାପଡ଼େ ଡ୍ରଇଂ ମାଷ୍ଟ୍ରେଙ୍କ ଚିତ୍ର । ବିଭିନ୍ନ ସମୟରେ ପ୍ରସ୍ତୁତ କରୁଥିବା କାନଭାସ ଚିତ୍ର ଗୁଡିକୁ ବିକ୍ରି କରି ଡ୍ରଇଂ ମାଷ୍ଟ୍ରେ ଦି’ପଇସା ରୋଜଗାର କରୁଥିବାବେଳେ ଏଗୁଡିକର ପ୍ରାପକ ମଧ୍ୟ ବେଶୀ ଆନନ୍ଦିତ ହୋଇଥାନ୍ତି ଏଗୁଡ଼ିକୁ ଗ୍ରହଣ କରି । ଏମିତିକି ଆଖପାଖ ଅଞ୍ଚଳର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବୈଠକ ଖାନାରେ ଡ୍ରଇଂ ମାଷ୍ଟ୍ରେଙ୍କ ଚିତ୍ର ସମ୍ଭାର କାନ୍ଥରେ ଝୁଲି ବୈଠକ ଘରର ଶୋଭା ବର୍ଦ୍ଧନ କରିଥାଏ ।

ଚୁପ୍‌ଚାପ୍‌ ଘରେ ବସି ସେ ଚିତ୍ର ଆଙ୍କନ୍ତି ନାହିଁ । ବିଭିନ୍ନ ପରିକଳ୍ପନା ପ୍ରସ୍ତୁତ କରିବା ନିମିତ୍ତ ତାଙ୍କୁ ଅନେକ କଷ୍ଟ କରିବାକୁ ପଡେ । ସହରର ପୁତିଗନ୍ଧମୟ ନାଳ ନର୍ଦ୍ଦମା ଉପରେ ଥିବା କଂକ୍ରିଟ ପୋଲ ଉପରେ ବସି ସହରର ମସିହା ମୁହଁକୁ ଚିତ୍ରରେ ଧରି ରଖନ୍ତି । ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତ ଡ଼ାକରାରେ ଉଦ୍‌ବୁଦ୍ଧ ହୋଇଥିବା ସହରୀ ସଭ୍ୟତା କିପରି କଳୁଷିତ ହୋଇଯାଉଛି ସେ ଚିତ୍ର ଆଙ୍କିବାରେ ଖୁବ ଆଗ୍ରହ ପ୍ରକାଶ କରନ୍ତି । କେତେଥର ଚୁପ୍‌ଚାପ୍‌ ସେ ସିମେଣ୍ଟ ପୋଲ ଉପରେ ବସି ଚିତ୍ରର ପରିକଳ୍ପନା କରୁଥିବାବେଳେ ସୁଉଚ୍ଚ କୋଠାର ଉପର ମହଲାରୁ ପଡୁଥିବା ପରିବା ଚୋପା କିମ୍ବା ଅଳିହା ବୁଜୁଳା ଲକ୍ଷ୍ୟଭ୍ରଷ୍ଟ ହୋଇ ତାଙ୍କ ମୁଣ୍ଡରେ ପଡ଼ିଛି ।

ତଥାପି ସେ ରାଗନ୍ତି ନାହିଁ । କେବଳ କହନ୍ତି, ଇସ … କି ଲୋକ ଏମାନେ ! ସାଧାରଣ ସଚେତନତା ଏମାନଙ୍କର ନାହିଁ । ଏତେ ଉଗ୍ର ଏମାନେ ! ପୋକ ମାଛି ଭଳି ତଳିଆ ଲୋକଙ୍କୁ ବିବେଚନା କରୁଛନ୍ତି ।

ତା’ ପରେ କିଛି ମୁହୂର୍ତ୍ତକ ଅନ୍ୟମନସ୍କ ହୋଇ ଯାଇଥାନ୍ତି ମାଷ୍ଟ୍ରେ । ସେହି ରଙ୍ଗଡ଼ବା ବକ୍ସ ସହିତ ତୂଳୀର ଚୁମା ଭିତରେ ମଗ୍ନ ହୋଇଯାଆନ୍ତି ସେ । ସନ୍ଧ୍ୟା ଘନେଇ ଆସିଲେ ଦୃଷ୍ଟି ଶକ୍ତିର ଚାଳିଶା ଦୋଷ ଯୋଗୁଁ ଅଧିକ ସମୟ ସେ ସେଠାରେ ରହିପାରନ୍ତି ନାହିଁ ।

ଡ୍ରଇଂ ଶିକ୍ଷାଦାନ କେବଳ ରବିବାର ହିଁ ଥାଏ । ଅନ୍ୟ ଦିନଗୁଡ଼ିକରେ କୌଣସି ଅଭିଭାବକ ସେମାନଙ୍କର ପିଲାମାନଙ୍କୁ ସମୟ ଦେଇପାରନ୍ତି ନାହିଁ ଡ୍ରଇଂ ଶିକ୍ଷା ନିମିତ୍ତ । ଏବେ ଆମ ଶିକ୍ଷାଦାନରେ କେତେକ ବ୍ୟତିକ୍ରମ ପରିଲକ୍ଷିତ କରିଛନ୍ତି ଡ୍ରଇଂ ମାଷ୍ଟ୍ରେ । ସରକାରଙ୍କୁ କେତେଥର ଚିଠି ଲେଖିଛନ୍ତି ଯେ ଡ୍ରଇଂ ଶିକ୍ଷା ନିମିତ୍ତ ଚାରୁ ଓ କଳା ବିଦ୍ୟାଳୟ ବ୍ୟତୀତ ପ୍ରାଥମିକ ବିଦ୍ୟାଳୟରେ ସ୍ଥିରୀକୃତ ଚିତ୍ରାଙ୍କନ ସବୁ ମହାବିଦ୍ୟାଳୟ ମାନଙ୍କରେ ବାଧ୍ୟତାମୂଳକ ପାଠ୍ୟକ୍ରମ ଖସଡାରେ ରହୁ , କିନ୍ତୁ ସେ କଥା କେହି ଶୁଣି ନାହାନ୍ତି ଏ ଯାବତ ।

ଚିତ୍ର ଆଙ୍କୁଥିବା ଏହି ମାଷ୍ଟ୍ରେ ଅନେକ ବାର ଏଥିପାଇଁ ମର୍ମାହତ ହେଲାପରେ ହାରିଯାଇ ନାହାନ୍ତି । ବେଳେବେଳେ ଇଚ୍ଛାହୁଏ ପୃଥିବୀର ଚିତ୍ର ସମୂହକୁ ସେ ତାଙ୍କ ରଙ୍ଗ ତୁଳିରେ ଧରି ରଖିବେ । ପାହାଡ଼ , ନଦ-ନଦୀ, ଝରଣା ସବୁରି ଭିତରେ ଆତ୍ମସତ୍ତା ଖୋଜିବାର ସୁରା ଖୁବ ପିଇଛନ୍ତି ସେ ।

ବେଳେବେଳେ ଅପଦସ୍ତ ହେବାକୁ ପଡିଛି, ଚିତ୍ର ଅଙ୍କିବା ନିଶା ଯୋଗୁ ଘରେ ପୁଅ-ଝିଅ ଏବଂ ପତ୍ନୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଆଣିବାକୁ ଯାଇ ସେ ଅଟକି ଯାଇଛନ୍ତି ରାସ୍ତା ମଝିରେ । କେଉଁଠି ଦୁର୍ଘଟଣାର ଚିତ୍ର ତ କେଉଁଠି ଗୋଷ୍ଠୀ ସଂଘର୍ଷର ସ୍କେଚ ଧରୁ ଧରୁ ଭୁଲିଯାଇଛନ୍ତି ସାଂସାରିକ ତେଲ ଲୁଣର ନିତିଦିନିଆ କଥାକୁ ।

ଏହି ଅଜବ ତୀବ୍ର ନିଶା ଯୋଗୁ କେତେଥର ନିନ୍ଦିତ ହେବା ସହିତ ଜରିମାନା ଦେବାକୁ ପଡିଛି । ଅନେକ ଏହି କାରଣ ଖୋଜିବାକୁ ହେଲେ ପଢ଼ିବାକୁ ପଡ଼ିଥାଏ ତାଙ୍କ ଆତ୍ମଜୀବନୀ ‘ଅନନ୍ତ ନାଏକରୁ ଡ୍ରଇଂ ମାଷ୍ଟ୍ରେ’ ପୁସ୍ତକ କୁ ।

ଆଦିବାସୀ ପଡ଼ା ସିରେଇଖୋଲରେ ଜନ୍ମିଥିବା ଡ୍ରଇଂ ମାଷ୍ଟ୍ରେ ଅନେକ ଦିନ ତଳୁ ଗାଁ ଛାଡ଼ିଛନ୍ତି । ଆଉ ଯିବାକୁ କେବେ ମନ ବଳାଇ ନାହାନ୍ତି ଏଯାଏ । ଅପମାନର ପ୍ରତିଶୋଧ ନେବାକୁ ଆଦୌ ଇଚ୍ଛା କରିନାହାନ୍ତି । ପରିବାର ସଦସ୍ୟମାନେ ବି ଗାଁ କୁ ଫେରିବାକୁ ଚାପ ପକାନ୍ତି ନାହିଁ କିମ୍ବା ସେମାନେ ଆଉ ଯିବାକୁ ମନ ବଳାନ୍ତି ନାହିଁ । କେବଳ ତାଙ୍କରି ଏହି ଚିତ୍ର ଆଙ୍କିବାର ନିଶା ତାଙ୍କୁ ନିନ୍ଦିତ କରିଥିଲା ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ।

ସିରେଇଖୋଲ ଗାଁ ମୁଣ୍ଡରେ ପାହାଡ଼ । କୁଳୁକୁଳୁ ନାଦ କରି କେଉଁ ଅଜଣା ସ୍ଥାନରୁ ଲମ୍ବିଆସିଛି ପାହାଡି ଝରଣା । ଗାଁ ମୁଣ୍ଡର ଜଙ୍ଗଲୀ ପରିବେଷ୍ଟନୀରେ ସୃଷ୍ଟି ହୋଇଛି କୃତ୍ରିମ ଏକ ଛୋଟ ହ୍ରଦ ।

ଚିତ୍ର ଆଙ୍କିବାର ନିଶାରେ ଖୁବ ମସଗୁଲ ହୋଇ ଯାଇଥିଲେ ସେଦିନର ଅନନ୍ତ ନାୟକ । ହାତରେ ରଙ୍ଗ ତୁଳୀ ଏବଂ କ୍ୟାନଭାସ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ସଦା ମୁଖରିତ ହୋଇଥିବା ଏହି ପରିବେଶର ସୁନ୍ଦର ଚିତ୍ରଟିଏ ଆଙ୍କି ସହରରେ ବିକ୍ରୀ କରିବା କିମ୍ବା ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ପାଇବା ଆଶାରେ ଘନୀଭୂତ ହୋଇ ଯାଇଥିବା ମାନସିକତା ଯୋଗୁଁ ସେ ବାହାରିଯାଇଥିଲେ ଝରଣା ଆଡ଼େ ।

ନୀରବ-ନିଶ୍ଚଳ ଭାବରେ ବସିଥାନ୍ତି ଝରଣାର ଶେଷ ମୁଣ୍ଡରେ ଥିବା ଜଳାଶୟ ନିକଟସ୍ଥ ଝଙ୍କାଳିଆ ଗଛ ଉପରେ । ଆଙ୍କି ଚାଲିଥାନ୍ତି ସେ ଅନେକ ଚିତ୍ର ।

ପାହାଡ଼ରୁ ନିମ୍ନକୁ ଲମ୍ଫ ପ୍ରଦାନ କରୁଥିବା ଅମାନିଆ ଝରଣାର ଚିତ୍ର ।

ନିର୍ମଳ ଜଳାଶୟ ଅପାର ପାର୍ଶ୍ଵର ଚିତ୍ର ।

ଜଙ୍ଗଲୀ ଜନ୍ତୁଙ୍କର ପାଣି ପିଇବାର ଚିତ୍ର ।

ସକାଳର କାକମାନଙ୍କର ଦ୍ରୁତ ସ୍ନାନର ଚିତ୍ର ।

ସର୍ବୋପରି ଅର୍ଦ୍ଧନଗ୍ନା ଆଦିବାସୀ ଧାଙ୍ଗଡୀ ମାନଙ୍କ ଚିତ୍ର ।

ହଠାତ ଜଣେ ସ୍ନାନରତା ଧାଙ୍ଗଡୀର ନଜର ପଡ଼ିଗଲା ଅନନ୍ତ ନାଏକ ଓରଫ ଡ୍ରଇଂ ମାଷ୍ଟ୍ରେ ଉପରେ । ଭୟରେ ଲାଜେଇ ଯାଇ ଅନ୍ୟ ଧାଙ୍ଗଡୀମାନଙ୍କୁ ହାତ ଠାରି ବଡ ପାଟିରେ ଡାକିଲା ‘ଇଏ ଟୁକାଟା କିଏ ରେ …’।

“ଗଛ ଉପରୁ ଉତ୍ତର ଆସିଲା – ମୁଇଁ ଚିତ୍ରଟେ ଆଙ୍କୁଚିରେ, ତୁଇ କିଆଁ ଚିଲାଉଚୁ ।”

ଖବରଟା ଚାରିଆଡ଼େ ପ୍ରସରିଗଲା । ସନ୍ଧ୍ୟାରେ ଆଦିବାସୀମାନଙ୍କର ମେଳି ବସିଲା । ଅନନ୍ତ ନାଏକଙ୍କୁ ଦଣ୍ଡ ଶୁଣାଇ ଦିଆଗଲା କାଲି ସକାଳ ସୁଦ୍ଧା ସିରେଇଖୋଲ ଗାଁ ଛାଡିବା ପାଇଁ ।

ସେହିଦିନ ଠାରୁ ଅନନ୍ତ ନାଏକ ସହରକୁ ଆସିଲା ପରେ ଚିତ୍ର ଆଙ୍କିବାର ନିଶା ଆହୁରି ତୀବ୍ର ହୋଇ ଯାଇଛି । ଗାଁ ଲୋକଙ୍କ ଅପମାନ ଆଜି ତାଙ୍କୁ ଡ୍ରଇଂ ମାଷ୍ଟ୍ରେ ଭାବରେ ପରିଚିତ କରିଛି ।

ଅଦ୍ଭୁତ ନିଶାରେ ମସଗୁଲ ଥିବା ଡ୍ରଇଂ ମାଷ୍ଟ୍ରେ ବିଦେଶିନୀ ମାନଙ୍କ ଠାରୁ ବେଶ ପ୍ରଶଂସା ପାଇଁ ଅର୍ଥ ରୋଜଗାର କରୁଥିବାବେଳେ ଆଞ୍ଚଳିକ ବ୍ୟକ୍ତିବିଶେଷଙ୍କ ଠାରୁ କାହିଁକି ସାମୟିକ କୁତ୍ସାରଟନା ଶୁଣନ୍ତି ଏହାକୁ ସେ ବୁଝିପାରନ୍ତି ନାହିଁ ।

ବେଳେବେଳେ ଅର୍ଥ ଉପାର୍ଜନ ଏବଂ ଚିତ୍ର ଆଙ୍କିବାର ନିଶାରେ ସେ ଚାଲିଯାଆନ୍ତି ପୁରୀ ସମୁଦ୍ର ବେଳାଭୂମି ଠାରୁ ଆରମ୍ଭ କରି ଅର୍କକ୍ଷେତ୍ର କୋଣାର୍କ ଆଡକୁ । ଓଡ଼ିଶାର କଳା ଓ ସଂସ୍କୃତି ପ୍ରତି ଆକୃଷ୍ଠ ହୋଇ ଆସୁଥିବା ବିଦେଶିନୀମାନଙ୍କ ଚିତ୍ରଟିଏ ଆଙ୍କିଦେବା ପାଇଁ ସାଙ୍ଗରେ ଆସିଥିବା ଗାଇଡଙ୍କୁ ଅନୁରୋଧ କରନ୍ତି ।

ଆଗ୍ରହୀ ବିଦେଶିନୀ ବିଭିନ୍ନ ଭଙ୍ଗିରେ କୋଣାର୍କର ନଗ୍ନ ନୃତ୍ୟରତ ପ୍ରସ୍ତର ମୂର୍ତ୍ତି ପାଖରେ ଛିଡା କରାଇ ମାତ୍ର କେଇ ମିନିଟରେ ସୁନ୍ଦର ଚିତ୍ର ଆଙ୍କି ଧରାଇ ଦିଅନ୍ତି ସେମାନଙ୍କୁ ।

କୋଣାର୍କର ପ୍ରସ୍ତର ମୂର୍ତ୍ତି ସହିତ ନିଜର ବିଭିନ୍ନ ଅଙ୍ଗଭଙ୍ଗୀର ଚିତ୍ର ଦେଖି ଆତ୍ମହରା ହୋଇପଡୁଥିବା ବିଦେଶିନୀ ମନମୁତାବକ ବେଶ ଅର୍ଥ ଦାନ କରିଦିଅନ୍ତି ।

ମାତ୍ର କେତେ ମିନିଟ ଭିତରେ ଏଭଳି ସୁନ୍ଦର ଚିତ୍ର କିଭଳି ଆଙ୍କି ଦେଇ ପାରୁଛନ୍ତି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଏଥିପାଇଁ ସରକାରଙ୍କ ପ୍ରୋତ୍ସାହନ ମଧ୍ୟ ନାହିଁ । ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଠାରୁ ସଂଗ୍ରହ କରିଥିବା କାର୍ଯ୍ୟଦକ୍ଷତା ପ୍ରମାଣପତ୍ର ବି କୌଣସି କାର୍ଯ୍ୟରେ ଏ ପର୍ଯ୍ୟନ୍ତ ଲାଗିନାହିଁ ।

ତଥାପି ମନବଳ ଭାଙ୍ଗିନାହିଁ ଡ୍ରଇଂ ମାଷ୍ଟ୍ରେଙ୍କର । ଦିନେ ବୈଦ୍ୟୁତିକ ଗଣମାଧ୍ୟମର ଶିରୋନାମା ଚିତ୍ରରେ ହଠାତ ଦୃଶ୍ୟମାନ ହେଲା ଡ୍ରଇଂ ମାଷ୍ଟ୍ରେ ପିଚୁ ରାସ୍ତାରେ ଆଣ୍ଠେଇବା ଦୃଶ୍ୟ – ବିଶ୍ୱାସ କରିପାରିଲେ ନାହିଁ ଅଧିକାଂଶ ଦର୍ଶକ । କାରଣ ଡ୍ରଇଂ ମାଷ୍ଟ୍ରେ କାନ ଧରି ଆଣ୍ଠେଇଥିବା ସ୍ଥଳେ ଦୁଇଜଣ କଲେଜ ପଢୁଆ ଯୁବତୀ ବାଡ଼ି ଖଣ୍ଡେ ଲେଖାଏଁ ଧରି ବିଭିନ୍ନ ଗାଳି ଗୁଲଜ ସହ ନିସ୍ତୁକ ବାଡୋଉଥିଲେ । ଅଳ୍ପ ଦୂରରେ ଏହି ଦୃଶ୍ୟକୁ ଉପଭୋଗ କରୁଥିବା କିଛି ଦର୍ଶକ ବାଡ଼େଇବାରୁ ନିବୃତ୍ତ କରିବାକୁ ସାହସ ବି କରି ନ ଥିଲେ ।

ଅନେକ ଆଶା ଏବଂ ଆଶଙ୍କାରେ ପରିସ୍ଥିତିର ଖିଅ ଖୋଜୁ ଖୋଜୁ ଜଣାପଡିଲା ଯେ ଡ୍ରଇଂ ମାଷ୍ଟ୍ରେ ଏତେ ଖରାପ କାମ କିଛି କରି ନାହାନ୍ତି । କେବଳ ଖିଆଲି ମନଭାଵ ତାଙ୍କୁ ଏ ଦୁର୍ଦ୍ଦଶାକୁ ଟାଣି ଆଣିଛି ।

ପୁଲିସ ଏହି ଦୁଇଜଣ ଯୁବତୀଙ୍କ କବଳରୁ ମୁକ୍ତକରି ହାତ ଧରି ଥାନାକୁ ନେଲାବେଳେ ଡ୍ରଇଂ ମାଷ୍ଟ୍ରେ ଗୋଟିଏ କଥା ବଡ଼ ପାଟିରେ କହୁଥିଲେ ।

– ମୋର କଣ ଦୋଷ ଅଛି ? ମୋତେ କାହିଁକି ଏମାନେ ବାଡୋଉଛନ୍ତି ?

କଇଁ କଇଁ କାନ୍ଦ ଯୋଗୁ ଆଖିରୁ ଖସି ପଡୁଥିବା ଅବାରିତ ଲୁହଧାର ନାକତଳର ନିଶ ଦେଇ ଓଠ ସ୍ପର୍ଶ କରୁଥିଲା ।

ପ୍ରକୃତରେ ଏହି ଖିଆଲି ଡ୍ରଇଂ ମାଷ୍ଟ୍ରେଙ୍କର ସେମିତି କିଛି ଗୁରୁତର ଅପରାଧ ନଥିଲା । ବିଭିନ୍ନ ସ୍ଥାନରେ ବୁଲି ଚିତ୍ର ଆଙ୍କି ସେ ଗୁଡିକୁ ବିକ୍ରି କରିବା ନିଶା ଦୁର୍ଦ୍ଦଶାର କାରଣ ପାଲଟି ଯାଇଥିଲା ।

ପୋଲିସର ଖୋଳତାଡ଼ରୁ ଜଣାପଡିଲା ଦେ ବେପରୁଆ ଭାବରେ ବସି ଗପୁଥିବା କଲେଜ ପଢୁଆ ପିଲାଙ୍କ ଚିତ୍ର ଆଙ୍କିବା ନିମିତ୍ତ ଡ୍ରଇଂ ମାଷ୍ଟ୍ରେ ଉଦ୍ୟମ କରୁଥିଲେ । ଅବଶ୍ୟ ପାଖରୁ ନୁହେଁ, ବରଂ ଅଳ୍ପ ବ୍ୟବଧାନରେ ଥିବା ଗଛମୂଳେ ବସି ।

ଡ୍ରଇଂ ମାଷ୍ଟ୍ରେ ସଫେଇ ଦେଇ କହିଲେ – ଶୁଣ ଭଉଣୀ ! ମୁଁ ଜଣେ ଚିତ୍ରକର । ଚିତ୍ର ଆଙ୍କି ବିକ୍ରି କରିବା ମୋର ପେଷା । ମୁଁ ମନ୍ଦ ଉଦ୍ଦେଶ୍ୟରେ ଆପଣଙ୍କର ଚିତ୍ର ଆଙ୍କିନାହିଁ । ଏଇ ଦେଖନ୍ତୁ ଦୁଇଟି ଚିତ୍ର ଆପଣଙ୍କୁ ଦେଖାଉଛି ।

ପାଖରେ ରଖିଥିବା ରଙ୍ଗଡ଼ବା ଓ ତୁଳୀର ବ୍ୟାଗ ଭିତରୁ କବରକାଗଜରେ ଗୁଡା ଯାଇଥିବା କେତୋଟି ଚିତ୍ରପଟ୍ଟ ସେମାନଙ୍କୁ ଦେଖାଇଥିଲେ ।

ଖୁବ ସୁନ୍ଦର ଚିତ୍ର । କୋଣାର୍କର ନଗ୍ନ ନାତି ସହିତ ଧବଳବର୍ଣ୍ଣା ବିଦେଶିନୀ ଏବଂ ଅନ୍ୟଟି ଥିଲା ଓଡ଼ିଶୀ ନୃତ୍ୟରତା ଅନ୍ୟ ଜଣେ ବିଦେଶିନୀଙ୍କର । ଯେଉଁମାନେ କି ଓଡ଼ିଶାର ସଂସ୍କୃତି ପରମ୍ପରା ପ୍ରତି ଆକୃଷ୍ଠ ହୋଇ ସାତ ଦରିଆ ପାର ହୋଇ ଆସିଥିବା ଆମର ଅତିଥି ।

– ସେମାନେ ବଇନା ଦେଇଛନ୍ତି ଦୁଇ ତିନି ଦିନ ପରେ ତାଙ୍କ ଗାଇଡ଼ ଠାରୁ ଏ ଚିତ୍ର ଦୁଇଟି ନେବେ ।

ଜଣେ ଯୁବତୀ ପଚାରିଲା – ସେ କେଉଁ ସ୍ଥାନରୁ ତୁମଠାରୁ ନେବେ ?

– ହୋଟେଲ ଗୋଲଡେନ ନେଚରରୁ ।

ଏତେ ମାଡ଼ ଖାଇ କାଁ ଧରି ଆଣ୍ଠେଇଥିବା ଡ୍ରଇଂ ମାଷ୍ଟ୍ରେ ତଥାପି ଥିଲେ ଅବିଚଳିତ । ଲଜ୍ଜ୍ୟା ଅନୁଭବ କରିବା ପରି ସେ ଜଣାଯାଉନଥିଲେ ।

ଆଶ୍ଚର୍ଯ୍ୟର ସୀମା ସରହଦ ସେପଟେ ଯେ ଏତେ ବଡ଼ ଧୈର୍ଯ୍ୟର ସେତୁ ଅକ୍ଷୁର୍ଣ୍ଣ ରହିପାରେ ବିଶ୍ୱାସ କରିହେଉ ନ ଥିଲା ।

ଯୁବତୀ ଦୁଇଜଣ ଅନୁତାପର ତାତିରେ ଶ୍ବାସରୁଦ୍ଧ ହୋଇଯାଇଥିଲେ । ଦୁଃଖ ଏବଂ ଲଜ୍ଜ୍ୟାରେ ପଚାରିଲେ ।

– ଆପଣ ତା’ହେଲେ କ’ଣ ଡ୍ରଇଂ ମାଷ୍ଟର ନା ଚିତ୍ର ଶିଳ୍ପୀ ?

– ଯାହା ଭାବିପାରିବେ ।

ଅବଶ୍ୟ ଚିତ୍ରଶିଳ୍ପୀ ଏବଂ ଡ୍ରଇଂ ମାଷ୍ଟ୍ରେଙ୍କ ମଧ୍ୟରେ ପ୍ରଭେଦ କ’ଣ ଥାଇପାରେ ଏହା ସେମାନେ ଜାଣି ନ ଥିଲେ ବୋଧ ହୁଏ ।

ହାତ ଯୋଡି ଯୁବତୀ ଦ୍ୱୟ କହିଲେ – ଆକଚୁଆଲି ଉଇ ଆର ସରି ।

ସେମାନେ ଚାଲିଗଲେ । ପୁଲିସବାଲା ବି ଡ୍ରଇଂ ମାଷ୍ଟ୍ରେଙ୍କୁ ମୁଚାଲିକାରେ ଛାଡିଦେଲେ । ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ଦୃଷ୍ୟକରାମ ଅତିରଞ୍ଜିତ କରି ଦେଇଥିଲା ସମଗ୍ର ଘଟଣାବଳୀକୁ । ବନ୍ଧୁ ଏବଂ ଚିହ୍ନା ସମ୍ପର୍କୀୟଙ୍କ ଠାରୁ ଘରକୁ ଆସୁଥିଲା ଅନେକ ଫୋନ । ବିଭିନ୍ନ ପ୍ରଶ୍ନରେ ରାଗି ରହିଥିବା ପତ୍ନୀ ସନ୍ଧ୍ୟାରେ ଡ୍ରଇଂ ମାଷ୍ଟ୍ରେଙ୍କୁ ପଚାରିଲେ ।

– ଏଥର ମନବୋଧ ହେଲା ତ ? ଚିତ୍ର କଲା ପାଇଁ ଗାଁ ଠୁ ସହର ସବୁଆଡେ ଅପବାଦ ଶୁଣିବାକୁ ପଡୁଛି ତମେ ଭୋଗୁଛ ଆଉ ଆମକୁ ଭଗୋଉଛ । ଭବିଷ୍ୟତ ଚିନ୍ତା କିଛି ନାହିଁ । ପିଲାମାନଙ୍କ ପାଠପଢ଼ା ଚୁଳିକି ଗଲାଣି । ଆଜିକାଲି ଅର୍ଥ ପାଖରେ ନ ଥିଲେ କିଏ କାହାକୁ ପଚାରେ । ତମେ ଏ ବୃତ୍ତି ଛାଡି ଅନ୍ୟ ବେପାର କର । ରୋଜଗାର ପାଇଁ ଅନେକ ରାସ୍ତା ଅଛି । ୟାକୁ ଆବୁରି ଲାଭ କ’ଣ ?

ଲାଭ ଅଛି ଆରତୀ ! ଅନେକ ଲାଭ …

ରଙ୍ଗ ଏବଂ ତୂଳୀର ଚୁମ୍ବନ ଦୃଶ୍ୟରେ ମୁଁ ପ୍ରକୃତିକୁ ଏ ଯାଏ କରିଆସିଛି ଅଧିରା । ପିଲାବେଳୁ ସିରେଇଖୋଲ ଶିଖେଇଥିବା ରଙ୍ଗ ତୁଳୀ ଖେଳାକୁ ମୁଁ କଣ ଆଦୌ ଛାଡି ପାରିବି ?

– କାହିଁକି ନୁହଁ, ପଚାରିଲେ ଆରତୀ ।

– କହିଲି ତ ପାରିବି ନାହିଁ ।

– ସରକାର ତ ଏଯାଏ ତମକୁ ଭତ୍ତା କିମ୍ବା ସ୍ୱୀକୃତି ଦେଲେ ନାହିଁ , ପ୍ରତି ମୁହୂର୍ତ୍ତକୁ ତିଳ ତିଳ ଜାଳି ଏମିତି କେତେ ଦିନ ଆଉ ଚିତ୍ର ପଛରେ ଦୌଡିବ ?

ଠୋ ଠୋ ହସିଲେ ଅନନ୍ତ ନାୟକ ।

– ସ୍ୱୀକୃତି ତ ମୁଁ ପାଇସାରିଛି । ଥରେ ନୁହଁ ବାରମ୍ବାର ।

ଦେହରୁ ସାର୍ଟ ଉତ୍ତାରି ନିଝଲିଆ ପିଠିକୁ ପତ୍ନୀଙ୍କ ଆଡକୁ ବୁଲାଇ ଦେଇ କହିଲେ

– ଏଇ ଦେଖିପାରୁଛ ନା ଆରତୀ ? ସ୍ୱିକୃତିର କେତୋଟି ମୋହର ଗଣି ପାରୁଛ ?

ଭୋ-ଭୋ କାନ୍ଦି ଡ୍ରଇଂ ମାଷ୍ଟ୍ରେଙ୍କ ପିଠିକୁ ନରମ ପାପୁଲିରେ ଆଉଁସି ଦେଖିଲେ ଭୁଲ ବୁଝାମଣା ହେତୁ ନିର୍ଦ୍ଦୟ ଭାବରେ ପିଟିଥିବା ଉଗ୍ର ଯୁବତୀଙ୍କ ମାଡ଼ର ସଦ୍ୟ ଚିହ୍ନ ।

ତଥାପି ଡ୍ରଇଂ ମାଷ୍ଟ୍ରେଙ୍କ ମୁହଁରେ ରଙ୍ଗ – ତୂଳୀର ଆସକ୍ତିଜନିତ ସ୍ମିତହସ ପ୍ରକଟିତ ହେଉଥିଲା ।

ଲୋକପ୍ରିୟ ଲେଖା

To Top