ଗଳ୍ପ

ଦୁଃଖିଆ ଯାଇଚି ଜେଲ୍. . .

Dr Sharat Chandra Parida's odia story Duhkhia Jaaichi Jail

ପୋଲିସ୍ ଭାବିଥିଲା ଏମିତି କିଛି କୋଡ଼ ମାଡ଼ କରିଦେଲେ ଅର୍ଥ କିଛି ଝଡ଼ି ପଡ଼ିବ । ଦୁଃଖିଆ ପାଖରେ ତ ଫଟା ପାହୁଲାଟା ବି ନ ଥିଲା । ସେ ଘୁଷ୍ ଦେବାକୁ ହଜାର ହଜାର ଟଙ୍କା ଆଣିବ କେଉଁଠୁ ?

ଦୁଃଖିଆ ଯାଇଚି ଜେଲ୍. . .

ସହାନୁଭୂତିରେ ଓଦା ସରସର ହୋଇ ଶ୍ରୀମତୀ କହି ଉଠିଲେ,”ଆମ ଗାଁର ଦୁଃଖିଆ ନୁହଁ, ତିନିଦିନ ତଳେ ଜେଲ୍ ଯାଇଚି ।” ତାଙ୍କ ଗାଁର ଜମିକୁ ଚାଷ କରୁଥିବା ଦୁଃଖିଆ କାହିଁକି ଜେଲ୍ ଗଲା ? ଏକଥା ଶୁଣିବା ମାତ୍ରେ ମନଟା ଗୁଡ଼େଇ ତୁଡ଼େଇ ହେବାକୁ ଲାଗିଲା । ବିଚରା ଗରିବ ଲୋକ । ତାହାର କାହିଁକି ଏ ଦଶା ହେଲା ? ସେ ଭାରି କାମିକା । ଯେମିତି ନିଷ୍ଠାପର ସେମିତି ନିରୀହ । ଶ୍ରୀମତୀ ବୁଝାଇ କହିଲେ, ଦୁଃଖିଆର ଜମି ବୋଇଲେ ମାଣେ ପୂରେ ନାଇଁ । ପରିବାର କହିଲେ ସ୍ତ୍ରୀ ଗୁରେଇ ଓ ଦୁଇଟି ନାବାଳକ ପୁଅ । ମୂଲ ଲାଗି ଫୁଲଗୁନ୍ଥି ଦୁଃଖିଆ ଘର ଚଳାଏ । ଛୋଟ ଛୋଟ ବଳଦ ଦୁଇଟା । ଗୋଟିଏ ଦୁହାଁଳିଆ ଗାଈ । ପିଲା ଦୁଇଟିରୁ ସାନଟି ମାମୁଁ ଘରେ ରହି ପଢ଼ାପଢ଼ି କରେ । ବଡ଼ ପୁଅକୁ ଚଉଦ ବର୍ଷ ହେବ । ସେ ମଧ୍ୟ ସ୍କୁଲ୍‌ରେ ମନ ଦେଇ ପାଠ ପଢେ଼ । ଭଲ ବି ପଢେ଼ । ତା’ର ବାପାକୁ ଛୁଟି ଦିନମାନଙ୍କରେ ବିଲ ବାଡ଼ି କାମରେ ସାହାଯ୍ୟ କରେ । ସ୍କୁଲ୍‌ରୁ ଫେରିଲା ପରେ ଘର ଖୁଣ୍ଟରେ ବନ୍ଧା ହୋଇଥିବା ଗାଈ ବଳଦକୁ ଘେରାଏ ଚରାଇ ବୁଲାଇ ଆଣେ । ଛେଳି ବନ୍ଧା ହୋଇଥିଲେ ତାକୁ ଡାଳପତ୍ର ଆଣି ଦିଏ । ଭାଗଚାଷରୁ ଦୁଃଖିଆ ମଧ୍ୟ ଭଲ ଧାନ ଗଣ୍ଡାଏ ପାଏ । ତା’ର ଶଶୁର ଘର ଥିଲାବାଲା । ଝିଅ ଘରକୁ ମଝିରେ ଧାନ, ଚାଉଳ, ବିରି ମୁଗ ନଡ଼ିଆ ବାଦାମ ମଧ୍ୟ ପଠାଉଥାନ୍ତି । ସେମାନେ ଜାଣିବା ଶୁଣିବା ଲୋକ ।”ଝିଅ ନେଲେ ଘର ସରଇ ନାଇଁ, ବୋହୂ ଆଣିଲେ ଘର ପୂରଇ ନାଇଁ”ର ମର୍ମ ସେମାନେ ବୁଝିଥାନ୍ତି । ଏମିତି ସଟାବଟା କରି ଦିନ ଚଳିଯାଏ । ସ୍ୱାମୀ ଚାଷ କାମରେ ଏକୁଟିଆ ଧନ୍ଧି ହେଲା ବେଳକୁ ଗୁରେଇ ମଧ୍ୟ ଘର କାମରେ ମହୁମାଛି ପରି ବ୍ୟସ୍ତ ରହିଥାଏ ।

ପୂର୍ବ ଆକାଶରେ ସିନ୍ଦୂରା ଫାଟିଲେ ନିଜ ନିଜ କାମରେ ସେମାନେ ଲାଗି ଯା’ନ୍ତି । ଗୁରେଇ ଗୁହାଳୁ ଗାଈ ବଳଦ ଆଣି ଦାଣ୍ଡ ଖୁଣ୍ଟରେ ବାନ୍ଧେ । ଦାଣ୍ଡ ଦୁଆର ଖରକେ । ଗୁହାଳ ପୋଛେ । ଗୋରୁଙ୍କ ଆଗରେ ନଡ଼ା ପକାଏ । ଚୁଲିରୁ ପାଉଁଶ କାଢେ଼ । ଚୁଲି ଲିପେ । ଜଳଖିଆ ତିଆରି କରେ । ଚା ବନାଏ । ବଳଦଙ୍କୁ ଖୁଆଇ ପିଆଇ ହଳ ନିମନ୍ତେ ସଜିଲ୍ କରେ । ଦୁଃଖିଆ କାମ ବରାଦ କରେ- ଆଜି ଅମୁକ ବିଲକୁ ହଳ ଯିବ । ଅମୁକ ବିହନ ଧରି ପହଁଞ୍ଚିବୁ । ଗୁରେଇ ମଧ୍ୟ ବଡ଼ ପୁଅକୁ ଖୁଆଇ ପିଆଇ ସ୍କୁଲ୍‌କୁ ପଠାଏ । ଗାଈକୁ ନେଇ ନଈ ବନ୍ଧରେ ବାନ୍ଧି ଦେଇ ଆସେ । ଦୁଃଖିଆ ପାଇଁ ପାଣି, ବିଲରେ ବୁଣା ହେବା ପାଇଁ ବିହନ ନେଇ ବାହାରି ପଡ଼େ । ବିଲରେ ଚାଷୀ ମୂଲିଆ ଅନେକ ଲୋକ କାମ କରୁଥାନ୍ତି । ସେମାନଙ୍କ ଗହଳିରେ ଗୁରେଇକୁ ଟିକେ ସଙ୍କୋଚ ଲାଗେ । ହେଲେ ସ୍ୱାମୀ ତ ଏକା । ତାଙ୍କୁ ଟିକେ ପାଖରେ ରହି ସାହାଯ୍ୟ ନ କଲେ ହବ କେମିତି ? ଯିଏ ଯାହା ଭାବୁ ଯିଏ ଯାହା କହୁ ସେ ତା’ ନିଜ କାମ କରୁଚି । ଏଥିରେ ଲାଜ ଲାଜ ହେବାରେ କ’ଣ ଅଛି ? ସେ ଭାବେ ଏମିତି କ’ଣ ସବୁଦିନ ତାକୁ ଆସିବାକୁ ହେବ ?

ନା ! ସେ ସ୍ୱପ୍ନ ଦେଖିବା ଆରମ୍ଭ କରେ । ବଡ଼ ପୁଅଟା ପଢୁଚି, ପଢୁ । ଯେଉଁ ପର୍ଯ୍ୟନ୍ତ ପଢ଼ିବାକୁ ସେ ପଢେ଼ଇବ । ପାଠ ପଢ଼ା ଛାଡ଼ି ତାକୁ ବିଲକୁ ଆସିବାକୁ ଦେବନି । ନିଜେ ପଛେ ନ ଖାଇ ନ ପିଇ ଉପାସ ରହିବ, ଚିରା ଲୁଗା ପିନ୍ଧିବ ହେଲେ ପୁଅକୁ ମଣିଷ ପରି ମଣିଷ କରି ଗଢ଼ିବ । ପୁଅ ପାଠ ପଢ଼ି ହାକିମ ହେଲେ ଏ ଆମ କଷ୍ଟ ଛାଆଁ ଦୁରେଇ ଯିବ ନାଇଁ । ସାନ ପୁଅଟାର ମାମୁଁ କହୁଥିଲା “ସେ କୁଆଡ଼େ ତା’ ଶ୍ରେଣୀରେ ପାଠରେ ସବୁଠୁ ଆଗୁଆ ।” ହଉ ଠାକୁରେ, ମୋ ପୁଅ ଦି’ଟାକୁ ପରମାୟୁ ଦିଅ । ଶଙ୍ଖରେ ପୂରାଇ ଚକ୍ର ଉହାଡ଼େ ରଖ । ଚାହୁଁ ଚାହୁଁ ବର୍ଷ କେଇଟା କଟିଯିବ ନାଇଁ । ପୁଅ ଦିହେଁ ଚାକିରୀ କଲେ ଚାଳ ଛପର ଉଠାଇ ଦେଇ ଟିଣ ଘର କରିବୁ । ନାଇଁ ନାଇଁ, ଟିଣ ନଈ କୂଳିଆ ପବନରେ ଉଡ଼ିଯିବ । ଏକା ଥରକେ ଛାତଘର ତୋଳେଇବୁ । ଟିକେ ଭଲରେ ରହିଲା ପରେ ଭଲ ଗୁହାଳଟେ ତିଆରି କରିବୁ । ଏବେ ଯେଉଁ ଭଙ୍ଗା ଦଦରା ଗୁହାଳଟା ଅଛି ବାହାରକୁ ଭାରି ଖପରଚ୍ଛନିଆଁ ଦେଖାଯାଉଚି । ଯେଉଁ ଅଖା ପାଲ ବରଡ଼ା ପତ୍ର ସବୁ ବନ୍ଧା ହୋଇଛି ତାହା ଗୋରୁ ମୂତରେ ଲୁଣି ଖାଇ ଅଧାଅଧି ଛିଣ୍ଡି ଗଲାଣି । ଆମ ରହିବା ଘରଟା ଟିକେ ଠିକ୍‌ଠାକ୍ କରି ଦେଲେ ଭଲ କରି ଗୁହାଳ କରିବୁ । ଗୋମାତାକୁ ସୁଖରେ ରଖିଲେ ଆମକୁ ସେ ସୁଖରେ ରଖିବେ । କଥାରେ ଅଛି ପରା ଗୋରୁ ଖୁରାରେ ଭଗବାନ୍ ଥାନ୍ତି । ଗାଈ ବାଛୁରି ଭାରି ଶୁଭଦାୟକ । ସେମାନେ ଘରେ ଥିଲେ କିଛି ବିପଦ ଆପଦ ପାଖ ମାଡ଼ନ୍ତି ନାଇଁ । ଏମିତି ସ୍ୱପ୍ନ ଦେଖି ଦେଖି ଦୁଃଖିଆ ପାଖରେ ପହଞ୍ଚି ଯାଏ ଗୁରେଇ ।

ସ୍ୱାମୀ ପାଖରେ ଘଣ୍ଟା ଦୁଇ ଘଣ୍ଟା ରହେ । କେଉଁଠି ଘାସ ଉପୁଡ଼ି ପଡ଼ିଥିଲେ ଝାଡ଼ିଝୁଡ଼ି ହିଡ଼ ଉପରେ ପକାଇ ଦିଏ । ସ୍ୱାମୀଙ୍କୁ ପାଣି ଜଳଖିଆ ଦି’ଟା ଖୁଆଇ ଦିଏ । ପାଟିରୁ ଫେଣ ବାହାରି ଧଇଁସଇଁ ହେଉଥିବା ବଳଦ ଦି’ଟାକୁ ଆଉଁସି ଦିଏ । ଖରା ବେଶି ଟାଣି ହୋଇ ଗଲେ ଘରକୁ ଫେରେ ।

ଗୁରେଇର ସବୁ ଭଲ ଯେ ହେଲେ ଭାରି ମୁଖରା ଆଉ ଜିଦେଇ । ଖୁମାଣୀ ଶ୍ରୀମତୀ କହି ଚାଲିଥାନ୍ତି । ମୁଁ ଖାଲି କଥା କଥାକେ ହୁଁ ମାରୁ ଥାଏ । କଥାର ମୋଡ଼ ବଦଳିଲେ ଟିକେ ଆଖିରେ ଆଖି ମିଳାଉଥାଏ । ନ ହେଲେ ମୋର ଆଗ୍ରହ ନାଇଁ ବୋଲି ଯଦି ଶ୍ରୀମତୀ ଜାଣି କହିବା ଠପ୍ କରି କରି ଦିଅନ୍ତି ତେବେ ଅଡୁଆ ହୋଇ ଯିବ । ମଣିଷ ହୋଇ ଯଦି ସହଣି ଭାବ ନ ରହିଲା ସବୁ ସରିଲା । ମଣିଷର ନିଜ ଇଚ୍ଛା ଅନୁସାରେ ଘଟନା ନ ଘଟିଲେ ସେ ପ୍ରତିକ୍ରିୟା ପ୍ରକାଶ କରେ । ରାଗେ ! ମାତେ ଖଣ୍ଡ ପ୍ରଳୟ ସୃଷ୍ଟି କରେ । ଏଇଟା ବୋକାମି ବିନା କ’ଣ ହୋଇ ପାରେ ! ଘଟନାମାନେ ସେମାନଙ୍କ ଇଚ୍ଛା ଅନୁସାରେ ଘଟି ଚାଲିବେ । ଆମେ ଯେତେ ଇଚ୍ଛା କଲେ ବା ଚେଷ୍ଟା କଲେ ସେଗୁଡ଼ିକୁ, ସେମାନଙ୍କର ଶୋଭା ଯାତ୍ରାକୁ ଅଟକାଇ ପାରିବା ନାଇଁ । ଭଲ ଘଟୁ ବା ମନ୍ଦ ଘଟୁ, ପ୍ରିୟ ଘଟୁ ବା ଅପ୍ରିୟ ଘଟୁ ସେଗୁଡ଼ିକୁ ବିନା ଦ୍ୱିଧାରେ ଆପଣେଇବାକୁ ପଡ଼ିବ । କିନ୍ତୁ ଗୁରେଇ ସ୍ୱଭାବ ଟିକେ ନିଆରା । ଏମିତି କାହିଁକି ହେଲା ବୋଲି ବୋପା ରାଣେ ଢିଙ୍କି ଗିଳି କହି ପରିସ୍ଥିତିକୁ ଜାବୁଡ଼ି ଧରିଥାଏ ସେ । ସବୁ କାହିଁକିର କ’ଣ ଉତ୍ତର ମିଳେ ? ଅଭାବ ଅନଟନ ଲାଗି ରହିଚି । ଥିଲା ନ ଥିଲାକୁ ଚଳାଇ ନେବାକୁ ପଡ଼ିବ । କିନ୍ତୁ ଗୁରେଇ ମୁଣ୍ଡରେ ଏ ସବୁ କଥା ପଶେନି । ତା’ର ପାନରୁ ଚୂନ ଖସିଲେ ପ୍ରଳୟ । ପିଟଣାରେ ବଡ଼ ମାଟି ଟେଳାକୁ ପାହାର ଦେଲା ପରି ଗୁରେଇର ଟାଣ କଥାରେ ଦୁଃଖିଆର ମନଟା ଦି’ଫାଳ ହୋଇଯାଏ । ଦୁଃଖିଆର ସ୍ୱାମୀ ପଣିଆକୁ ନିନ୍ଦା କରେ । ଧିକ୍କାର ବଚନ ବୋଲେ । ମୋର ବାପଘର ଲୋକେ ଅଛନ୍ତି ବୋଲି ତୋ ପରିବାର ବଞ୍ଚିଚି- ଏ କଥାର ଇଟାକୁ କିଏ ହଜମ କରିପାରିବ । ଏ କଥା ଶୁଣି ଦୁଃଖିଆର ରାଗ ଚହଟି ଯାଏ । ଆରମ୍ଭ ହୋଇଯାଏ କଳି ଭାଗବତ । ଏମିତି ଦେଖିବାକୁ ଗଲେ କାହା ଘରେ କଳି ହୁଏ ନାଇଁ । ସହଜେ ଏ ତ କଳିଯୁଗ ।

ସ୍ୱାମୀ ସ୍ତ୍ରୀ କଳି ସକାଳର ମେଘ, ଋଷିମାନଙ୍କର ଶ୍ରାଦ୍ଧ ଓ ଛେଳିମାନଙ୍କର ଯୁଦ୍ଧ ପରି ଆରମ୍ଭରେ ଘମାଘୋଟ ଭାବରେ ଲାଗିଥାଏ କିନ୍ତୁ ପରିଣାମରେ ଶୂନ । ସମୟ ହିଁ ଦାମ୍ପତ୍ୟ କଳହର ଘା’କୁ ଶୁଖାଇ ଦେଇଥାଏ । ଘଟିଥିବା ମନୋମାଳିନ୍ୟ ଶୀତଦିନର କୁହୁଡ଼ି ପରି ଆପେ ଆପେ ଉଭେଇ ଯାଏ । ଚଳଣି ସ୍ୱାଭାବିକ ହୁଏ । କଥାକୁ ଗଣ୍ଠି କଲେ ଚଳିବ । ସବୁ ଚଳାଇ ନିଏ ଦୁଃଖିଆ ।

ଏସନ ରଜ ବେଳର କଥା । ସମସ୍ତେ ରଜରେ ଭାରି ମଉଜ କରନ୍ତି । ବୋହୂମାନେ ବାପଘରକୁ ଯିବା ପାଇଁ ଗୋଡ଼ ଟେକି ବସିଥାନ୍ତି । ଯଦି ଦାୟିତ୍ୱର ନିଗଡ଼ରୁ ମୁକ୍ତି ନ ମିଳେ, ତେବେ ବାପ ଘରୁ ନାନା ରକମର ଭାର ସହିତ ଶାଢ଼ିପଟା ସବୁ ଆସି ଝିଅ ପାଖରେ ପହଞ୍ଚିଯାଏ । ସ୍ୱାମୀ ପୁଅକୁ ଛାଡ଼ି ଗୁରେଇ ବାପଘରକୁ ଯାଇ ପାରେ ନାଇଁ । ସ୍ୱାମୀତ ସବୁବେଳେ ଚାଷବାସରେ ଲାଗିଥାନ୍ତି । ଯେଉଁ ଦିନ ଯୋଉଁ ଜମି ଚାଷ କରିବା କଥା ବିହନ ବୁଣିବା କଥା ତାହା ନ କଲେ ପାଗଯୋଗ ବିଗିଡ଼ି ଯାଏ । ସେଥିପାଇଁ ଆମ ଓଡ଼ିଆ ଲୋକେ କହନ୍ତି- ଆରେ ଚଷାଭାଇ ମୋ ବୋଲ ଶୁଣ, ବେଳ ଥାଉଁ ଥାଉଁ ବୁଣିବୁ ଧାନ । ପାଖ ବିଲରେ ବୁଣା ପଛ ହୋଇ ଗଲେ ପଛରେ ଯେତେ ଯାହା କଲେ ମଧ୍ୟ ସେଥିରେ ମିଶେ ନାଇଁ । ପୂର୍ବ ପୁରୁଷମାନେ ସବୁବେଳେ ସତର୍କ କରିଥାନ୍ତି- ଦେଖାଦେଖି ଚାଷ । ଲଗାଲଗି ବାସ । ଗୁରେଇ ସବୁଜାଣି ମଧ୍ୟ ଜିଦି ଧରିଲା- ଏ ବର୍ଷ ରଜ ଶାଢ଼ି ତୁମେ ଆଣି ଦେଲେ ପିନ୍ଧିବି । ବାପ ଘରୁ ତ ସବୁ ବର୍ଷ ଶାଢ଼ି ଆସୁଛି । ଦୁଃଖିଆ ମଧ୍ୟ ସରଳ ନିକପଟିଆ ଲୋକ । କହିଲା ଠିକ୍ ଅଛି । ଖାସିଟା ଛୋଟ ଅଛି । ଭାବିଥିଲି ଭୋଦୁଅ ମାସ ବେଳକୁ ବିକି ଥିଲେ ଦି’ପଇସା ଅଧିକ ହୋଇଥାନ୍ତା । ହଉ ଯଦି କହୁଚୁ, ପଠାଣ ଆସୁ । ଦୁର୍ଯୋଗକୁ ରଜରେ ମୂଷଳ ଧାରାରେ ବର୍ଷା ହେଲା । କେହି କୁଆଡୁ ଘରୁ ବାହାରି ପାରିଲେ ନାଇଁ । ଏ ଦୁର୍ଦ୍ଦିନରେ ପଠାଣ କେମିତି ବା ଘରୁ ବାହାରନ୍ତା ? ସେ ତ ଜଣେ ମଣିଷ । ପାଗ ଶୁଖିଲା ଥିଲେ ଗାଁ ବାଲା ଛେଳି ମାରି ଶାଗୁଆତି କରନ୍ତି । ତାହା ବି ହୋଇ ପାରିଲା ନାଇଁ । ପଠାଣକୁ ଚାହିଁ ଚାହିଁ ଆଖିରୁ ପାଣି ମଲା ଦୁଃଖିଆ ଓ ଗୁରେଇର ।

ଦୁଃଖିଆ କ’ଣ କରିବ କିଛି ଭାବି ପାରିଲା ନାଇଁ । କୋଉ ପନିପରିବା ହେଇଚି ହାଟକୁ ବିକିବାକୁ ନେବ । ନା ନିଜେ ବ୍ୟାଙ୍କ୍ ହୋଇଚି ଯେ ଟଙ୍କା ନଗଦାନଗଦି କାଢ଼ି ଦେବ । ଗୁରେଇ କିନ୍ତୁ ପିଲାଙ୍କ ପରି ଅଝଟ ହେଲା । ଏକା ଜିଦ୍ । ରଜ ସରିଗଲା । ତଥାପି ପଠାଣର ଦେଖା ନାଇଁ । ଶାଢ଼ି ଆଣି ନ ଦେଲେ ଘରେ ରାନ୍ଧିବି ନାଇଁ କି ଖାଇବି ନାଇଁ । ବିନା ଦୋଷର ରାଗ ଗରଗର ହୋଇ ସମ୍ପି ଚାଲିଥାଏ ଦୁଃଖିଆକୁ । ରଜ ତିନିଦିନ ଯାକ ଚାଷ ଧନ୍ଦା ବନ୍ଦ । ତେଣୁ ରୋଷେଇବାସ କରି ନିଜେ ଖାଇଲା ଦୁଃଖିଆ । ପୁଅକୁ ଦେଲା । କିନ୍ତୁ ଖାଇବାକୁ ସ୍ତ୍ରୀକୁ ଯେତେ ଡାକିଲେ ମଧ୍ୟ କିଛି ଲାଭ ହେଲା ନାଇଁ । ଦୁଃଖିଆର ସାନ୍ତ୍ୱନାରେ ସେ ଶାନ୍ତି ନ ପାଇ ଆହତ ନାଗୁଣୀ ପରି ଅଧିକରୁ ଅଧିକ ଫଁ ଫଁ ହେବାକୁ ଲାଗିଲା । ଖୁମାଣ କରି ବସିଲା । କାହା ଘରେ ରଜ ପୋଡ଼ପିଠା, ଖୁସିବାସିରେ ଘର ଫାଟି ପଡୁଥିବା ବେଳେ ଦୁଃଖିଆର ପରିବାରରେ ଶୀତଳ ଯୁଦ୍ଧ ଲାଗି ରହିଥାଏ । ଗୁରେଇ ସେମିତି ଶେଯରେ ଦାନ୍ତ କାମୁଡ଼ି ପଡ଼ି ରହିଥାଏ । ଅସନ୍ତୋଷରେ ଜରଜର ହେଉଥାଏ । ରଜବାସି ଦୁଃଖିଆ ବିଲକୁ ହଳ ନେଇଗଲା । ପୁଅ ବି ବାପ ସାଙ୍ଗରେ ବିଲକୁ ଗଲା । ସକାଳ ଓଳିର ଚାଷ କାମ ସାରି ବାପ ପୁଅ ମୁଣ୍ଡ ଫଟା ଖରାରେ ହଳ ଫିଟେଇ ଘରକୁ ଆସିଲେ । ଶୋଷରେ ତଣ୍ଟି ଶୁଖି ଯାଉଥାଏ । ଦେଖିଲେ ସବୁ ଜିନିଷ ସେମିତି ପୂର୍ବ ପରି ପଡ଼ି ରହିଚି । ଘରଟା ଆଉ ଘର ଭଳି ଲାଗୁ ନଥାଏ । ଅସମ୍ଭବ ନିରବତା ଅତି ଅସହ୍ୟ ଲାଗୁ ଥାଏ ।

ଜ୍ୟେଷ୍ଠିଆ ଖରା । ଭାରି ବାଧୁଥାଏ । ବଳଦମାନଙ୍କ ପାଟିରୁ ଭୋକରେ ଫେଣ ବାହାରୁ ଥାଏ । ପେଟ ମଧ୍ୟ ଭୋକରେ ଆଉଟୁ ପାଉଟୁ ହେଉଥାଏ । ବିଲର ଖାଟୁଣିରେ ଦେହଟା ଅବଶ ହୋଇ ଯାଉଥାଏ । ଗୁରେଇକୁ ଶେଯରୁ କେତେ ଖାଞ୍ଚିଲା । ଯା’ ରୋଷେଇ କର । ମୁଁ କ’ଣ ମନା କରୁଥିଲି । ଛେଳିହାଟ ତ କେଉଁଠି ପାଖରେ ନାଇଁ । ଆଉ ଦିନ କେଇଟା ସମ୍ଭାଳି ଯା’ । ପଠାଣ ଆସିଲେ ଯେତିକି ଦେବ ମୁଁ ଖାସିକି ବିକ୍ରି କରି ଦେବି । ଗୁରେଇ କୋଉ ଶୁଣିବା ଲୋକ । ହାତ ଛିଞ୍ଚାଡ଼ି ପୁଣି ଅନ୍ତରକୁ ବାଧିଲା ଭଳି ବଚନ କହିଲା । ଦୁଃଖିଆ ଦେଖିଲା ଚୁଲି ଜଳି ନାଇଁ । ଦୁଃଖିଆ ତା’ର ମୁଣ୍ଡକୁ ପିତ୍ତ ଚଢ଼ିଗଲା । ରାଗ ତ ବ୍ରହ୍ମଚଣ୍ଡାଳ । ଆଉ ସମ୍ଭାଳି ପାରିଲା ନାଇଁ । ଏକ ଶକ୍ତ ଚାପୁଡ଼ା ଗୁରେଇ ଗାଲରେ ଥୋଇଲା । ବୋପାଲୋ, ମରିଗଲି ବୋଲି ଚିର୍‌ଚିରେଇ ଉଠିଲା ଗୁରେଇ । ସାଇ ପଡ଼ିଶା କିଏ କୋଉଠି ଥିଲେ କ’ଣ ହେଲା ବୋଲି ଧାଇଁ ଆସିଲେ । ଗୁରେଇ ବହୁତ କନ୍ଦାକଟା କଲା । ଉଭୟଙ୍କୁ ବୁଝେଇଲେ । ଅଗତ୍ୟା ଦୁଃଖିଆ ଭାତ ତରକାରି ନିଜେ ରାନ୍ଧିଲା । ବାପ ପୁଅ ଖାଇଲେ । ବଳଦଗାଈଙ୍କୁ କୁଣ୍ଡାପାଣି ମୁନ୍ଦାଏ ମୁନ୍ଦାଏ ପିଆଇ ଦେଲେ । ମନ କୋଉ ଭଲ ଅଛି ଯେ ବିଶ୍ରାମ ନେବ । ଏପଟ ସେପଟ ହୋଇ ମନ ମାରି ଖରା ଲେଉଟିଲା ପରେ ପୁଣି ହଳ ଲଙ୍ଗଳ ଧରି ବିଲକୁ ବାହାରିଗଲା ଦୁଃଖିଆ । ବଡ଼ ପୁଅ ମଧ୍ୟ ଗାଈଟା କିଛି ଖାଇ ନାଇଁ ଭାବି ନଈବନ୍ଧ ଆଡ଼େ ଚରାଇବାକୁ ନେଇଗଲା ।

ନିଆଶୀ ଗୁରେଇ ମନ ଭିତରେ ସଇତାନ୍ ସବାର୍ ହେଲା । ଯୋଉ ସ୍ୱାମୀ ପୁଅ ପାଇଁ ସେ ଏତେ କଷ୍ଟ ସହିଚି, ସ୍ୱପ୍ନ ଦେଖିଚି ସେ ସବୁ ତାକୁ ଦୁଃସ୍ୱପ୍ନ ଭଳି ଲାଗିଲା । ଯୋଉ ଗେରସ୍ତ ରଜ ପରା ଦିନରେ ଶାଢ଼ି ଖଣ୍ଡେ ପାଇଁ ମୁଣ୍ଡ ନୁହଁ, ସେ ମୋର ଦାୟିତ୍ୱ କ’ଣ ବୁଝିବ ? ଯେଉଁ ପୁଅକୁ ଅନ୍ତଃଫାଡ଼ି ଜନ୍ମ ଦେଇଥିଲି ମୋର ସାହା ଭରସା ହେବ ବୋଲି ସେ ତ ବାପ ସାଙ୍ଗରେ ସାଙ୍ଗ । ଶାଢ଼ି ତ ମିଳିଲା ନାଇଁ, ଓଲଟା ବ୍ରହ୍ମ ଚାପୁଡ଼ା । ଗେରସ୍ତମାନେ ତାଙ୍କ ଭାରିଯାମାନଙ୍କୁ କେତେ କଣ ଦରବ ଆଣି ବଡ଼ ସୁହାଗରେ ଦଉଛନ୍ତି, ମୋ ହୀନିମାନିଆ କପାଳରେ କ’ଣ ଏଇଆ ଥିଲା ? ସାରା ଦୁନିଆଁ ରଜରେ ମଉଜ କଲାବେଳେ ମୁଁ କତରାରେ ତିନିଦିନ ପଡ଼ି ରହିଲି, ପାଣି ମୁନ୍ଦେ ପାଟିରେ ଦେଇନାହିଁ, ଏ ବାପ ପୁଅ ଦି’ଟା ମୋ କଥା କିଛି ବୁଝିଲେ ନାଇଁ । ଆଉ ଏ ଜୀବନ ରଖିବି ନାଇଁ । ନିଷ୍ଠୁର ବାସ୍ତବତାକୁ ସେ ହୃଦୟଙ୍ଗମ କଲା ନାଇଁ । କାଣିଚାଏ ଗ୍ରହଣ କଲା ନାଇଁ । ପୁତ୍ରମୋହ ତୁଟିଗଲା । ସଂସାର କରିବା ବୃଥା ହୋଇଗଲା । ତାକୁ ଲାଗିଲା ସତେ ଯେମିତି ତାକୁ କିଏ ହାତ ଠାରି ଡାକୁଛି । ଆଲୋ- ଏମିତି ଦୁଃଖ କାଇଁ କି ସହି ଅଖିଆ ଅପିଆ ପଡ଼ି ରହିଚୁ ଲୋ, ଚାରିଦିନ ହେଲା ଭୋକିଲା ପେଟରେ ପଡ଼ିଚୁ । ତୋ ସ୍ୱାମୀର ତୋ ପ୍ରତି ଦରଦ ଥିଲେ ତୋତେ ବୁଝାଇ ଶୁଝାଇ ଖୁଆଇ ନଥାନ୍ତା । ହାୟ ହାୟ, ଦେଖୁନୁ ତୋ ପୁଅଟା ଏଡ଼େ ଟୋକାଟା ହେଲାଣି । ମାଟା ଖାଇ ନାଇଁ, ଟିକିଏ ବୁଝାଇ ନଥାନ୍ତା । ଏ ଦୁନିଆଁରେ କିଏ କାହାର ଲୋକ । ଏ କଥା ଯେମିତି ଗୁରେଇ କାନରେ ବାରମ୍ୱାର ପଶି ଯାଉଥାଏ । ସେ ଚମକି ପଡ଼ି ଉଠି ବସିଲା । ପୁଣି ଶୁଣିଲା-“ଆ ! ପଳାଇ ଆ ! ଆମ ସାଙ୍ଗରେ ମିଶି ରହିବୁ ।” ସଙ୍ଗେ ସଙ୍ଗେ ତାକୁ ମରିବାର ବାଟ ଦେଖା ଗଲା, ବିଆଳି ଧାନରେ ପଡ଼ିବ ବୋଲି ପୋକମରା ଔଷଧ କିଣା ହୋଇ ଥୁଆ ହୋଇଥିଲା । ମନ ଟାଣ କରି ତାକୁ ନିଗାଡ଼ି ନିଗୁଡ଼ି ପିଇ ଦେଲା । ଯେତେବେଳେ ବିଷ ଜ୍ୱାଳାରେ ଜୀବନ ବିକଳରେ ବାଡ଼େଇ କଚାଡ଼ି ହୋଇଚି, ଚତ୍କାର କରିଚି, ପାଖଲୋକ ଦୌଡ଼ା ଦୌଡ଼ି ହୋଇ ଆସିଲେ । ତାକୁ ଧରାଧରି କଲେ । ଦେଖିଲେ ପାଟିରୁ ବିଷର ଉତ୍କଟ ଗନ୍ଧ ବାହାରୁଚି । ବିଷ ଡବାଟା ଗୁରେଇ ଜୀବନକୁ ପରିହାସ କରି ସେଠାରେ ପଡ଼ି ଗଡ଼ି ଯାଇଚି ।

ଏ ଦୁଃସମ୍ୱାଦଟା ପବନ ବେଗରେ ଚାରିଆଡ଼େ ଖେଳେଇ ହୋଇଗଲା- ଗୁରେଇ ବିଷ ପିଇ ଦେଇଚି । ସଂସାରଟା ମଝି ଦରିଆରେ ଭାସି ଗଲା ବୋଲି ଡରି ମରି ଶଙ୍କାରେ ବଡ଼ ଆକୁଳ ହୋଇ ହଳ ଫିଟେଇ ଘରକୁ ଧାଇଁଲା ଦୁଃଖିଆ । ବଡ଼ ପୁଅ ପହଞ୍ଚିଲା ବେଳକୁ ଗୁରେଇ ଆଉ ବାଡ଼େଇ କଚାଡ଼ି ହେଉ ନଥିଲା । ସେ ଶାନ୍ତ ପଡ଼ି ଯାଇଥିଲା । ପାଟିରୁ ଯାହା ଖାଲି ଦୁଇଧାର ଫେଣ ବାହାରୁ ଥିଲା । ସାଙ୍ଗେ ସାଙ୍ଗେ ଗାଁରୁ ଦୁଇ ଚାରି ଜଣ ଲୋକ ବାହାରି ପଡ଼ିଲେ । ଦୁଃଖିଆ ସହ ମିଶି ପାଖ ମେଡ଼ିକାଲକୁ ନେଇଗଲେ । ଡାକ୍ତରବାବୁ ବହୁତ ଦେଖାଦେଖି କରି କହିଲେ ଗୁରେଇ ଆଉ ନାଇଁ ।

ମୁଣ୍ଡରେ ହାତ ବାଡ଼େଇ ଗୁରେଇ ଶବ ପାଖରେ ବସି ଦୁଃଖିଆ କେତେ ବିକଳ ହୋଇ କାନ୍ଦିଲା । ତୁ କ’ଣ ନ କଲୁ ଲୋ ଗୁରେଇ । ମୁଣ୍ଡ ଝାଳ ତୁଣ୍ଡରେ ମାରି ସଂସାର ଗଢ଼ି ଥିଲି । ତୁ କେତେ ସ୍ୱପ୍ନ ଦେଖିଥିଲୁ, ଆମ ବସା ଭାଙ୍ଗି ଦେଲୁ ଲୋ । ପୁଅଟା ବି ଭେଁ ଭେଁ ହୋଇ କାନ୍ଦୁ ଥିଲା । ବୋଉ ବୋଉ ବୋଲି ଡାକି ମା’ ମଥାଟାକୁ ସାଉଁଳୁ ଥିଲା । ଡାକ୍ତର ପୋଷ୍ଟମର୍ଟେମ କରାଇଲେ । ଗାଲରେ ମାଡ଼ ଦାଗ ଦେଖି ପୋଲିସ୍‌କୁ ଡାକିଲେ । ଏଣେ ଗୁରେଇ ବାପ ଘର ଗାଁରୁ ଅଧାଲୋକ ଉଠି ଆସିଲେଣି । ସାନ ପୁଅ ବୋଉ ମରି ଯାଇଥିବାର ଦେଖି କେତେ ଖିନ୍‌ମିନ୍ ହୋଇ କାନ୍ଦୁଥିଲା । ଅବୋଧ ବାଳକ । ସେ କ’ଣ ବା ବୁଝିବ ଘରୋଇ କଳିର କାଳିମା । ଖାଲି ବୋଉ ପାଖରେ ବସି ବୋଉ ହାତରେ ନିଜ ହାତକୁ ଥୋଉଥାଏ । ବୋଉ ଛାତିରେ ମୁଣ୍ଡ କୋଡୁ ଥାଏ । ଗୋଟିଏ ହା’ ହା’ କାରର ଭୟଙ୍କର ଦାନବ ଗଗନ ପବନକୁ ବିଦୀର୍ଣ୍ଣ କରି ଦେଉଥାଏ । ଦୁଃଖିଆ ଶଶୁର ଘର ଲୋକେ ଝିଅର ଅକାଳ ମରଣକୁ କେମିତି ସହନ୍ତେ ? ଝିଅ ବିଷ ପିଇ ମରିଚି । ସେମାନେ ପ୍ରତିଶୋଧ ପରାୟଣ ହୋଇ ଉଠିଲେ । ଥାନାରେ ଜ୍ୱାଇଁ ବିରୋଧରେ ଏତେଲା ଦରଜ କଲେ । କାରଣ ଯାହା ହେଉନା କାଇଁକି, ଆମ ଝିଅକୁ ଯୌତୁକ ନିର୍ଯାତନା ଦିଆଯାଇଚି କହି ଦେଲେ କାମ ସରିଲା । ଦଫା ତା’ ବାଟେ କାମ କରି ଚାଲିଥିବ । ଘର ପଛେ ପୋଡୁ ମୂଷା କେଞ୍ଚେ ପାଉ ।

ଏବେ ନେଡ଼ିଗୁଡ଼ କହୁଣିକୁ ବୋହି ଗଲାଣି । ଆଉ କିଛି କରିହେବ ନାଇଁ । ଦୁଃଖିଆ ତ ସହଜେ ମୂର୍ଖ ଲୋକ । ସରଳ । ନିରୀହ । ସେ କାହୁଁ ବୁଝିବ ଆଇନ୍ କାନୁନ୍‌ର କରାମତି ।

ଫାଣ୍ଡିକୁ ଯିଏ ଗଲା ସେ ଗୋଜ ବିନା ଫେରେ ନାଇଁ । ପୋଲିସ୍ କହିଲା-“ତୁ ଯା’ ଦୁଃଖିଆ, ଗୁରେଇର ଶୁଦ୍ଧି କ୍ରିୟା ସାରି ଥାନାକୁ ଆ ।” ଇତି ମଧ୍ୟରେ ଗାଁର ଜାଣିବା ଶୁଣିବା ଲୋକ ଥାନାକୁ ଯାଇ କେତେ ପ୍ରକାରରେ ବୁଝାଇଲେ । ହେଲେ ପୋଲିସ୍ ପାଖରେ ଜ୍ଞାନୀ, ମୂର୍ଖ, ଧନୀ ଗରିବର ଅର୍ଥ କିଛି ନାଇଁ । ମୂତ୍ତିକିଆ କ୍ରିୟା ସାରି ଦୁଃଖିଆ ଯେତେବେଳେ ଥାନାକୁ ଯାଏ, ପୋଲିସ ନାଲି ଆଖି ଦେଖାଇଲା । ପକା ଟଙ୍କା । ନୋହିଲେ ଶଳାକୁ ବାଛି ବାଛି ଏମିତି ଦଫାରେ ଗୁନ୍ଥି ଦେବି ଯେ ବୋପାକୁ ମଉସା ଡାକୁଥିବୁ । ପୋଲିସ୍ ଭାବିଥିଲା ଏମିତି କିଛି କୋଡ଼ ମାଡ଼ କରିଦେଲେ ଅର୍ଥ କିଛି ଝଡ଼ି ପଡ଼ିବ । ଦୁଃଖିଆ ପାଖରେ ତ ଫଟା ପାହୁଲାଟା ବି ନ ଥିଲା । ସେ ଘୁଷ୍ ଦେବାକୁ ହଜାର ହଜାର ଟଙ୍କା ଆଣିବ କେଉଁଠୁ ? ବିଚରା ମୁହଁରେ ତୁଣ୍ଡି ବାନ୍ଧି ସବୁତକ ବିଧା ଗୋଇଠା ରୁଲ ବାଡ଼ିର ମାଡ଼ ନିରବରେ ସହିଲା । ଥାନା ବାବୁ ତାକୁ ଆଉ ଘରକୁ ଛାଡ଼ିଲେ ନାଇଁ । ତାକୁ ଶାରୀରିକ ନିର୍ଯାତନା ଓ ଯୌତୁକ ଦାବି ଦଫାରେ ବାନ୍ଧି ଜେଲ୍‌ର କଳା କୋଠରୀକୁ ପଠାଇ ଦେଲେ ।

ବଡ଼ ପୁଅ, ଗାଈ ବଳଦ, ଛେଳି ନ ଖାଇ ନ ପିଇ ଆଖିରୁ ଲୁହ ଝରାଇ ଦୁଃଖିଆ ଫେରିବା ବାଟକୁ ଚାହିଁ ରହି ଥିଲେ. . . ।

ଏସବୁ ଶୁଣି ସାରିଲା ପରେ ମୋ ପାଟିରୁ ଆପଣା ଛାଏଁ ବାହାରି ପଡ଼ିଥିଲା-“ଆହାଃ ବିଚରା ଦୁଃଖିଆ. . . !”

ଲୋକପ୍ରିୟ ଲେଖା

To Top