ଗଳ୍ପ

ଦୁଇଟି ଦିନ

Godabarisha Mohapatra's Odia Story duiti dina

ଦେହରେ ତା’ର ଖଣ୍ଡେ ଲୁଗା । ସେଥିରୁ କାନିଏ ପିନ୍ଧି ଆର କାନିରେ ପିଠିର ଦଶପଣ ଆବୃତ କରିଥିଲା । ସତର ବର୍ଷର ସୁପରିଚିତ ଗାଁଟିକୁ ଛାଡ଼ି ସେ ଯେଉଁ ପ୍ରେତରୂପୀ ମାନବ ଛାୟାଟି ଧୀରେ ଧୀରେ ଦୂର ଲକ୍ଷ୍ୟରେ ଚାଲିଗଲା, ସେଇ ହେଉଚି ଭାଇଗା ।

ଦୁଇଟି ଦିନ

ଭାଇଗା ଦିନେ ଘରୁ ବାହାରିଗଲା, ପୁଣି ଦିନେ ଫେରି ଆସିଲା । ଏ ମଧ୍ୟରେ ଗୋଟିଏ କ୍ଷୁଦ୍ର ଜୀବନର ଦୁଃଖମୟ କାହାଣୀ ଲୁଚି ରହିଚି ।

କନକନିଆ ଶୀତ ରାତିର ଶେଷ ପ୍ରହରରେ ତରୁପତ୍ର ଗହଳରୁ ଯେତେବେଳେ କାକର ଝରୁଥିଲା, ସେହିପରି ଅସମୟରେ ପ୍ରତାପପୁର ଗାଁର ପୂର୍ବପଟରେ ଦି’ଚାରିଟା କୁକୁର ଏକାବେଳକେ ଭୁକି ଉଠିଲେ । ସେ ଶବ୍ଦ ଶୁଣି କୁଡ଼ିଆ ଭିତରେ କାହିଁ ହୁଏ ତ ମାଆ କୋଳରେ ପିଲା ଚମକି ଥିବ, ରୋଗୀ ଶେଯରେ ପଡ଼ି ନିତାନ୍ତ ବିରକ୍ତ ହୋଇଥିବ, ସରବରାକାରଙ୍କ ମୁଖନିଦ୍ରା ଭାଜିଯିବା ଫଳରେ ସୁକୋମଳ ରେଜେଇ ଉପରେ କଡ଼ ଲେଉଟାଇ ସେ କୁକୁର ବଂଶକୁ ଅଭିଶାପ ଦେଇଥିବ କିନ୍ତୁ କୁକୁର ଯାହାକୁ ଦେଖି ଭୁକିଲେ ସେ କିଛି ବିଚଳିତ ହେଲା ନାହିଁ । ଗଛ ଗହଳ ତଳେ, ଛାଇଛାଇଆ ଅନ୍ଧାର ଭିତରେ ପ୍ରେତ ପରି ସେ ଚାଲିଗଲା । ତା’କାନ ପାଖେ ଥଣ୍ଡା ଉତ୍ତରା ପବନ ସାଇଁ ସାଇଁ ବହି ଯାଉଥିଲା । ଅବାଟ ବାଟରେ ପାଦ ତଳେ ଗୋଡ଼ି ଗଳି ଯାଉଥିଲା । କାହା ପ୍ରତି ତା’ର ଲକ୍ଷ୍ୟ ନ ଥିଲା । ଦେହରେ ତା’ର ଖଣ୍ଡେ ଲୁଗା । ସେଥିରୁ କାନିଏ ପିନ୍ଧି ଆର କାନିରେ ପିଠିର ଦଶପଣ ଆବୃତ କରିଥିଲା । ସତର ବର୍ଷର ସୁପରିଚିତ ଗାଁଟିକୁ ଛାଡ଼ି ସେ ଯେଉଁ ପ୍ରେତରୂପୀ ମାନବ ଛାୟାଟି ଧୀରେ ଧୀରେ ଦୂର ଲକ୍ଷ୍ୟରେ ଚାଲିଗଲା, ସେଇ ହେଉଚି ଭାଇଗା ।

ଭାଇଗା ଗଲା ବିଦେଶକୁ ଟଙ୍କା ଅରଜି ନୁହେଁ, ପେଟ ପୋଷି । ଯିବା ଆଗରୁ ସେ କେତେ ଦିନ କେତେ ରାତି କେତେ ଥର ଘରୁ ଗୋଡ଼ କାଢ଼ିଥିଲା, ପୁଣି କେତେ ଥର ଫେରି ଆସିଥିଲା । ପୁରୁଣା ଘର ଖଣ୍ଡକର ମାୟା, ପରିଚିତ ରାସ୍ତାଘାଟର ମମତା, ଗାଁର ଆକର୍ଷଣ ସବୁ ଏଡ଼ି ସେ ଯାଇ ପାରିଥାନ୍ତା, ମାତ୍ର ତାହା ଭିତରେ ଯେ ତା’ର ମା’ ଥିଲା, ତାକୁ ସେ ସହଜରେ ଛାଡ଼ି ପାରୁ ନଥିଲା । ଯିବ ଯିବ ବୋଲି କେତେ ଥର ବସି ବସି ଭାବିଥିଲା, କେତେଥର ଉଠି ମୂକ ହୋଇ ଠିଆ ହୋଇଥିଲା, ନିରାଶ ପ୍ରାଣରେ କେତେ ଥର ମାଆ ପାଖେ ବସି କାନ୍ଦିଥିଲା । କେତେବେଳେ ବା କି ମଧୁର ସ୍ୱପ୍ନ ଦେଖି ହସି ହସି ମାଆକୁ କହିଥିଲା- “ମାଆ, ରାମିଆ ଅଇଲା ରେଙ୍ଗୁନରୁ ଯେ, ବିଶେ ସୁନା ଆଣିଛି ବୋଲି ଲୋକେ କହୁଛନ୍ତି । ମୁଁ ଗଲେ ପାଏ ଆଣି ପାରିବି ନାହିଁ । ମୋ ଠୁଁ କ’ଣ ସେ ବଡ଼ ପାରିବାର !” ମାଆ ତା’ କଥା ଶୁଣି ଆଖିରୁ ଲୁହ ଗଡ଼େଇ କହେ, “ବଡ଼ ହେଲେ ଯିବୁରେ ବାବୁ, ବିଶେ କିଆଁ, ପାଞ୍ଚ ବିଶା ଆଣିବୁ ।” କେବେ କେବେ ଭାଇଗା ଶୋଇବା ଶେଯରେ ବାଉଳି ହୋଇ କହେ- “ମାଆ, ଲଗା ଚୂଲୀ । ଆଜି ଆଣିଚି ସାତ ପଇସା । ଯାଉଚି ଚାଉଳ କିଣି ଆଣିବି ।” ସାତ ପଇସା ଯେ ବେଳେ ବେଳେ ଅରଜେ ସେ ଯେ ରେଙ୍ଗୁନ ଗଲେ ବିଶା ବିଶା ସୁନା ଆଣିବା କଳ୍ପନା କରିପାରୁଚି, ଏଇ ହେଉଚି ଭାଇଗା ପକ୍ଷରେ ବଡ଼ କଥା । ସେ ସୁନା ଆଣିବ, ସୁନା ବିକିବ, ମାଆକୁ ପୋଷିବ, ଏ ମଧୁର କଳ୍ପନା କରୁ କରୁ ବେଳେ ବେଳେ ତା’ ଭିତରେ ଯବନିକା ପଡ଼ିଯାଏ । ଆଖି ବୁଜି ଭାବୁଥାଏ । ଆଖି ଫିଟାଇ ଦେଖେ ଘରଟା ଅନ୍ଧାର । ଦୁଇ ଓଳି ହେଲା ଚୂଲୀ ଲାଗି ନାଇଁ । ଆଉ କେବେ କେବେ ସେ ଚାହିଁକରି ଚମକି ପଡ଼େ । ତା’ପରେ ମାଆକୁ କହେ, “ମାଆ ଟଙ୍କାଏ ଖଜଣା ତ ବାକି ଥିଲା, ନାହାକ କ’ଣ ସେଥିପାଇଁ ଘରଡ଼ିହ ଖଣ୍ଡକ ନେଇଯିବ ?” ମାଆ ପୁଅକୁ ଯାକି ପକାଇ କ’ଣ ଭାବି ଛେପ ଢୋକିଦିଏ ।

ଏହିପରି ଅନେକ ଦିନ ଅନେକ କଥା ପରେ ସେଦିନ ରାତିରେ ଭାଇଗା ଗଲା ବିଦେଶକୁ । ସେ ଯିବ, ପଇସା ଅର୍ଜିବ, ଆସି ଘର ଖଣ୍ଡକ ମୁକୁଳେଇ ମାଆକୁ ପୋଷିବ । ଗଲାବେଳେ ତାଟି ଫିଟେଇ ମାଆ ପୁଅକୁ ଯେତେବେଳେ ବିଦାୟ ଦେଲା, ପଣତକାନିରେ ଲୁହ ପୋଛି ପୋଛି କହିଲା- “ଗଣ୍ଠିରେ, ଧନରେ, ଯେଉଁଠି ଥା’ ତୋରାଣି ମନ୍ଦାକରେ ଭାତ ମୁଠେ ଖାଉଚୁ ବୋଲି ଜାଣିଲେ ମାଆ ତୋର ବଞ୍ଚିବ ବୋଲି ଭାବିବୁ ।”

ଏ ଗଲା ଗୋଟିଏ ଦିନ ।

ଆଉ ଗୋଟିଏ ଦିନ । ପ୍ରତାପପୁର ସିନା ଗାଁ ନାଁ, କିନ୍ତୁ ଗାଁର ସମସ୍ତେ ପ୍ରତାପୀ ନୁହଁନ୍ତି । ଗାଁର ସରବରାକାର ବା ନାହାକ ଛଡ଼ା ସମସ୍ତେ ପ୍ରାୟ ଗରିବ । ରାଜ୍ୟରେ ଦିନେ ଶବ୍ଦ ହେଲା- ଭାଇଗା ମା’ ଆଉ ବଞ୍ଚିବ ନାଇଁ । ସେଥିଲାଗି ନାହାକେ ତାକୁ ବାଡ଼ିପାଖ ପିଣ୍ଡାରୁ ଉଠେଇ ଗୁହାଳଘର ପିଣ୍ଡାକୁ ନେଇ ଯାଇଛନ୍ତି ।

ଭାଇଗା ମା’ । ଯେ ଶୁଣିଲା ସେ ଆହା କଲା । ପ୍ରତାପପୁର ଗାଁରେ ସାତପୁଅର ମାଆ ଯେବେ କିଏ ଥିଲା, ତେବେ ସେ ହେଉଚି ଭାଇଗା ମା’ । ଗାଁରେ ବୁଢ଼ୀ ଯେବେ କିଏ, ତେବେ ସେ ହେଉଚି ଭାଇଗା ମା’ । ପୁଣି ଏବେ ଗାଁରେ ଅନାଥିନୀ ଯେବେ କିଏ, ତେବେ ସେ ମଧ୍ୟ ସେଇ ଭାଇଗା ମା’ । ଗୋଟି ଗୋଟି ହୋଇ ଭେଣ୍ଡା ବୟସରେ ଛଅ ପୁଅ ମଲେ । କୁମୁଟି, ମାରୁଆଡ଼ି, ମହାଜନ ଘରବାଡ଼ି ନିଲାମ କରିନେଲେ । ଥିଲା କେବଳ ଡିହଖଣ୍ଡକ । ଖଜଣା ବାକିରେ ନାହାକେ ଦୁଆରେ ତା’ର କଣ୍ଟା ଛାଟି ଦେଇଛନ୍ତି ।

ବୁଢ଼ୀ ନାହାକ ଘର ଗୁହାଳ ପିଣ୍ଡାରେ ପଡ଼ି ଦିନେ କହୁଥିଲା- “ନ ଆସୁ ପଛକେ, ତୋରାଣି ସାଥିରେ ଭାତ ଗୁଣ୍ଡାଏ ହେଲେ ଖାଉଥାଉ ।” ନାହାକେ ପିଣ୍ଡା ସେପଟେ ଥାଇ ଶୁଣୁଥିଲେ, କ’ଣ ଭାଇଗା ମା’, ଭାଇଗା ଆସିବ ଆଜିକାଲି, ଚିଠି ଦେଇଥିଲା । ବୁଢ଼ୀ ଚମକି ପଡ଼ି କହିଲା- “ଧନ ମୋର, ସଙ୍ଖାଳି ମୋର, ଖାଇବାକୁ ପାଉଚି । ନାଇଁ, ନାଇଁ, ନ ଆସୁ, ନ ଆସୁ । ସେ ମୁଠିଏ ଖାଇବାକୁ ପାଉଚି ତ ଥାଉ । କାଇଁକି ଆସୁଚି ?”

ବୁଢ଼ୀ ମୁହଁମାଡ଼ି ଶୋଇ ପଡ଼ିଲା । ଏ ଉଦ୍‌ବେଗରେ ତା’ର ଭଙ୍ଗା ବୁକୁ ତଳୁ ଶୂଳ ଉଠିଲା ପରି ହେଲା ।

ରାତି ପହରକୁ ପ୍ରତାପପୁର ଗାଁର ପୂର୍ବପଟେ ପଲେ କୁକୁର ଭୁକି ଉଠିଲେ । ଗାଁର ପିଲାମାନେ ଦାଣ୍ଡରେ ଖେଳୁଥିଲେ । କହିଲେ- “ବାର୍ହା ଗଡ଼ିଲା ।” ନାହାକେ ବିଚାରିଲେ, ଖମାରରେ ଲୋକ ଖୁଆଇବି । ଚୋର ଆସିଲେଣି, ମାତ୍ର ତେଣେ ଶେଯରେ ଥାଇ ଭାଇଗା ମା’ କ୍ଷୀଣ କଣ୍ଠରେ କହିଲା- “ଏମିତି ତ କୁକୁର ସେ ରାତିରେ ଭୁକିଥିଲେ. . . ।”

ଦେଖୁ ଦେଖୁ ମୁହୂର୍ତ୍ତକ ମଧ୍ୟରେ ଗାଁରେ ଚହଳ ପଡ଼ିଗଲା- କିଏ ଜଣେ ଆସି ଭାଇଗା ମା’ର କଣ୍ଟାବୁଜା ଦୁଆରୁ କଣ୍ଟା ଆଡ଼ଉଚି । ହାତକେ ଲଣ୍ଠନ ଓ ହାତକେ ଠେଙ୍ଗା ଧରି ନାହାକେ ଦଳବଳ ସହିତ ଧାଇଁ ଆସିଲେ । ସାଙ୍ଗେ ସାଙ୍ଗେ ପାଞ୍ଚଟା ପୋଷା କୁକୁର ତାଙ୍କୁ ଗୋଡ଼ାଇ ଚାଲିଲେ । ଭୟ ଓ କୌତୂହଳରେ ଗାଁରେ ଚହଳ ପଡ଼ିଗଲା । ଏପରି ସମୟରେ ଭାଇଗାର ଭଙ୍ଗା ଘର ଆଗରେ ଆଲୁଅକୁ ମୁହଁ ଉପରକୁ ନେଇ ନାହକେ କହିଲେ- “କିରେ ଭାଇଗା, ଏ କ’ଣ ?” ଆ-ଆ-ଆ, ମା’ ଅଛି ଆମ ଘରେ । ତୁ ତ ଗଲୁ, ତାକୁ ପାଳନ୍ତା କିଏ ?”

ପିନ୍ଧିବା ଲୁଗା ଧଳା, ଲଗାଇଥିବା ଅଙ୍ଗୀ କଳା, ହାତରେ ଟଚଲାଇଟ୍, ଅଣ୍ଟାରେ ବଟୁଆ, କାନ୍ଧରେ ଗୋଟିଏ କାଠର ବାକ୍ସ ଓ ଖଣ୍ଡେ ଶୀତଳ ପଟି-ସବୁ ଏକାବେଳକେ ଶରୀରରେ ବହି ଭାଇଗା ଚିତ୍ରପିତୁଳା ପରି ନାହାକଙ୍କ ପଛେ ପଛେ ଚାଲିଲା- ଠିକ୍ ରେଙ୍ଗୁନ୍ ଫେରନ୍ତା ଓଡ଼ିଆ ।

ସେ ପାଖେ ଦି’ହଳ ଗାଈ, ପାଞ୍ଚ ହଳ ବଳଦ, ଗୋଟାଏ କୋଣରେ ହଳ, ଲଙ୍ଗଳ, ଯୁଆଳି, ଆଉ ଏକ କୋଣରେ ରଙ୍ଗମାଟି ଓ ପାଳବଡ଼ିଆ । ପାଖକେ ଭାଇଗା ମା’ କନା ମୁଚୁଳାଟାଏ ମୁଣ୍ଡରେ ଦେଇ ଖଣ୍ଡିଆ ସନ୍ତରା ପଟିଟାରେ ଆଁ କରି ଚାହିଁ ପଡ଼ିଛି ।

ଭାଇଗା ସବୁ ଜିନିଷ ତଳେ ଦୁମ୍ କିନା ପକାଇ ଦେଇ ମାଆର ଶେଯ ଉପରକୁ ଆଣ୍ଠୁମାଡ଼ି ଲଇଁ ପଡ଼ି ବ୍ୟଗ୍ର ବିକଳ କଣ୍ଠରେ ଡାକିଲା- “ମାଆ, ମାଆ, ମୁଁ ଆସିଛି, ସୁନା ଆଣିଛି ।” ସେ କ’ଣ କହିଲା ସେ ଜାଣେ ନାହିଁ । ମାଆ ତା’ର କ୍ଷୀଣ କଣ୍ଠରେ ଏତିକି ମାତ୍ର ଉତ୍ତର ଦେଲା- “ମୁଠେ ଖାଇବାକୁ ପାଉଥିଲୁ ?'”

ମା’ ଆଉ ପୁଅର ଉତ୍ତର ଶୁଣିଲା ନାହିଁ । କେବଳ ତା’ର ନିର୍ଜୀବ ହାତଟାକୁ ପୁଅ ମୁଣ୍ଡ ଉପରକୁ ଉଠାଇବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ ।

ଘଡ଼ିଏ କାଳ ସମସ୍ତେ ନିରବ ରହିଲେ । ଶେଷକୁ ନାହାକେ କହିଲେ-“ହଉ, . . . କାଠପତ୍ର ସଜ କର । ଏ ଗୋଟିଏ ଦିନ ।”

ଲୋକପ୍ରିୟ ଲେଖା

To Top