ଗଳ୍ପ

ଦୁଇଟି ରାତିର ଶେଷ ପ୍ରହର

Godabarisha Mohapatra's odia story Duiti Raatira Shesha Prahara

ସେହି ପରିବର୍ତ୍ତନ ଫଳେ ପାହାଡ଼ ତାଙ୍କ ଆଉ ଧୈର୍ଯ୍ୟ ଶିକ୍ଷା ଦେଇ ପାରିଲା ନାହିଁ, ନଈ ତାଙ୍କୁ ହସାଇ ନଚାଇ ପାରିଲା ନାହିଁ । ସେମାନେ ହା’-ହତାଶ ଭାବରେ ଏଣେ ତେଣେ ବୁଲିଲେ ।

ଦୁଇଟି ରାତିର ଶେଷ ପ୍ରହର

କେତେଟା ଆମ୍ୱ, ବର, କଇଁଆ ଗଛ ତଳେ ଦଶ ତିରିଶିଟା ଚାଳଘର । ତା’ ଭିତରେ ପୁଣି ସିନ୍ଦୂରବୋଳା ସାହାଡ଼ାଗଛ, ଛବିଲେଖା ଭାଗବତ ପିଣ୍ଡି, ପଥର ବସା ଚଉଁରା, ଦରଭଙ୍ଗା କୂଅ ଚାନ୍ଦିନୀ, ଦରପୋତା ପୋଖରୀ ତୁଠ ।

ଏଥିରେ ପୁଣି ଏତିକି ମାୟା, ଏମିତି ମମତା । ତାହାରି ଭିତରେ କେଉଁ କୁଟୀର କୋଣରେ କାହାର ପ୍ରଣୟିନୀ- କିଏ କାହାର ପଲ୍ଲୀପୁରକୁ ଦିବ୍ୟପୁରରେ ପରିଣତ କରୁଛି, କିଏ ପୁଣି ଭଙ୍ଗା କାନ୍ଥ କଣା ଚାଳ ଘରେ ନୂଆ କରି ସଂସାର ଗଢ଼ିବାକୁ ଚେଷ୍ଟା କରୁଛି । ଏ ଆଶା, ଏ କଳ୍ପନା କେତେ କାହାର ପୂରଣ ହେଉଛି, ତାହା ତ ଅଲଗା କଥା ।

ପଲ୍ଲୀବୋଲି କହୁଥିବା କୂଅ-ପୋଖରୀ-ମନ୍ଦିର ଚଉଁରା ପୂର୍ଣ୍ଣ କୁଟୀରମୟ ଭୂଇଁ ଖଣ୍ଡକୁ କିଏ ହେୟ, ନିର୍ଜୀବ ବୋଲି ମନେ କରିପାରନ୍ତି, ମାତ୍ର ସହଦେବ ପାରିଲା ନାହିଁ । ତା’ ଭିତରେ ତା’ର ସ୍ୱପ୍ନର ପ୍ରତିମା । ସେ ଜଣାଇ ଦେଲା, ଏ ସବୁଥିରେ ଜୀବନ ଅଛି, ଯୁଗ ଯୁଗାନ୍ତରର ପିତୃପୁରୁଷଙ୍କର ବହୁ ବିଚିତ୍ର ସ୍ମୃତି ଅଛି । ୟା’କୁ ଭୁଲିଲେ ଜୀବନଟା ନିରସ ହୋଇପଡ଼େ ।

ଗାଁଟି ନିତାନ୍ତ ଛୋଟ, ତାକୁ ପଲ୍ଲୀ କୁହାଯାଇପାରିବ ନାହିଁ, କି ଗାଁ କୁହାଯାଇପାରିବ ନାହିଁ । କେତେ ଯୁଗରୁ କେଜାଣି, ବାଟୋଇ ସେ ବାଟେ ଯିବା ଆସିବା କଲାବେଳେ ସେହି କେତୋଟି ଘରର ସମଷ୍ଟିକୁ ଗମେଇ ବୋଲି ଡାକନ୍ତି । ଆଉ, ଆଖପାଖ ଲୋକଙ୍କ ପାଖରେ ତାହା ବାଉରୀସାହି ବୋଲି ପରିଚିତ ।

ଏହି ଗମେଇର ଏକ ପାଖରେ ଏକ ଛୋଟିଆ ନଈ ଓ ଅନ୍ୟ ଏକ ପାଖରେ ଗୋଟିଏ ଛୋଟିଆ ପାହାଡ଼ । ଓଡ଼ିଶାରେ ମଲାଗୁଣୀଠାରୁ ଆରମ୍ଭ କରି ମହାନଦୀ ପର୍ଯ୍ୟନ୍ତ କେତେ ସାନ ବଡ଼ ନଦୀ ଅଛି, ମାତ୍ର ସେହି ଗମେଇ ପ୍ରାନ୍ତ ପ୍ରବାହିନୀ ଛୋଟ ନଈଟିକି ଗମେଇବାସୀ ଜଗତର ଏକମାତ୍ର ନଈ ବୋଲି ମନେ କରି ଆସିଛନ୍ତି । ତାଙ୍କ ଗାଁ ପାଖର ସେହି ଛୋଟ ପାହାଡ଼ଟିର ମହିମା ତାଙ୍କ ପକ୍ଷରେ ଅତୁଳନୀୟ । ମହେନ୍ଦ୍ର, ମେଘାସନ, ମାଲ୍ୟଗିରି କାହିଁ କେଉଁଠି ଦୂରରେ ଅଛି ପରା । ତାହା ଗମେଇବାସୀଙ୍କ ଆଖି କି କବିର କଳ୍ପନା ବା ସ୍ୱପ୍ନ ଛାୟା ହୋଇପାରେ, ମାତ୍ର ସେହି ଛୋଟ ପାହାଡ଼ଟି ତାଙ୍କ ଆଗରେ ଅତି ରମଣୀୟ ମେରୁ ପର୍ବତ । ପାହାଡ଼ରେ ଫୁଲ ଫୁଟିଲେ ଗାଁରେ ନବଜୀବନ ସଞ୍ଚାର ହୁଏ । ନଈର ତରଙ୍ଗ ପରି ସେମାନଙ୍କ ପ୍ରାଣରେ ସ୍ନେହପ୍ରୀତି ଢଳ ଢଳ । ପାହାଡ଼ର ଅଚଳ ପଥର ଖଣ୍ଡ ପରି ସେମାନଙ୍କ ସାହସ ଅତି କଠୋର । ମୋଟାମୋଟି କହିବାକୁ ଗଲେ, ସେହି ପାହାଡ଼ ଆଉ ନଈ ଭିତରେ ରହି ମାନବ ଜାତିର ସେହି ଏକ ବିଚ୍ଛିନ୍ନ ଅଂଶ ସତେ ଅବା ନଈପରି, ପାହାଡ଼ପରି ଜୀବନ୍ତ, ସତେଜ, ଅଚଳ ରହି ସଂସାର ପଥରେ ଯାତ୍ରା ଆରମ୍ଭ କରିଛନ୍ତି ।

(୨)

କେତେବର୍ଷ ପରେ କେହି କହିପାରିବେ ନାହିଁ, କାଳର ପରିବର୍ତ୍ତନ ଘଟିଲା । ସେହି ପରିବର୍ତ୍ତନ ଫଳେ ପାହାଡ଼ ତାଙ୍କ ଆଉ ଧୈର୍ଯ୍ୟ ଶିକ୍ଷା ଦେଇ ପାରିଲା ନାହିଁ, ନଈ ତାଙ୍କୁ ହସାଇ ନଚାଇ ପାରିଲା ନାହିଁ । ସେମାନେ ହା’-ହତାଶ ଭାବରେ ଏଣେ ତେଣେ ବୁଲିଲେ ।

ଛବିଶ ସାଲ ଦୁର୍ଭିକ୍ଷର ଦାରୁଣ ଧକ୍କାରେ କେତେ ଗୌରବମୟ ଉଆସ ତ ଭାଙ୍ଗି ପଡ଼ିଲା, ଗମେଇ ଗାଁର ବାଉଁଶ ବେଢ଼ାପୋତା ତାଟିଲଗା ଦଦରା କୁଟୀର କଥା କିଏ ପଚାରେ ? ତଥାପି ପେଟ ଚା’ଖଣ୍ଡକ ପାଇଁ ସେମାନେ ପାହାଡ଼କୁ ତାଡ଼ି ଦେବାକୁ ଉଦ୍ୟମ କଲେ । ଟାଙ୍ଗରା ମୁଣ୍ଡରେ ପଥର ବୋହି କେତେ କୁବେର ଭଣ୍ଡାରର ଭିତ୍ତି ପକାଇ ଦେଲେ, ବଡ଼ ବଡ଼ ଦ୍ର୍ରମକୁ ଖଣ୍ଡ ଖଣ୍ଡ କରି ଗାଁ ଗାଁ ଭରତି କରିଦେଲେ, ତଥାପି ପେଟ ପୁରିଲା ନାହିଁ । ଅନ୍ନହୀନ, ସାହାହୀନ, ବସ୍ତ୍ରହୀନ, ଦୀନହୀନଭାବରେ ଗ୍ରାମବାସୀ କିଏ କୁଆଡ଼େ ଚାଲିଗଲେ ?

ସହଦେବ ଜାତିରେ ବାଉରି । ବୟସରେ ବାଇଶି ବର୍ଷର ଭେଣ୍ଡା । ଆକାରରେ ସେହି ପାହାଡ଼ ତଳିଆ, ନଈକୂଳିଆ ଭେଣ୍ଡା ଗଜାଗଛ ପରି । ତେଣୁ ଦୁର୍ଭିକ୍ଷର ଧକ୍କା ତାକୁ ହଲଚଲ କରିବା ପାଇଁ ବହୁତ ଦିନ ଲାଗିଲା । ସେ ଦେଖିଲା ତା’ର ସେହି ଛୋଟ ଗାଁଟିର କେତୋଟି ନିତି ପରିଚିତଙ୍କ ଶେଷ ଚିତା ଗାଁ ମୁଣ୍ଡ ବରଗଛ ମୂଳରେ ଡହଡହ ହୋଇ ଜଳି ଉଠିଲା । କାହା କଣ୍ଠର କେତେ କରୁଣ ସ୍ୱର ସେହି ପାହାଡ଼ର ଦାରୁଣ ପଥରଗୁଡ଼ାକୁ ତରଳାଇବାକୁ ଚେଷ୍ଟା କଲା । ସେସବୁ ଶୁଣିଲା, ସବୁ ଦେଖିଲା, ମାତ୍ର କାହାକୁ କୌଣସିଥିରୁ ବିରତ କରାଇ ପାରିଲା ନାହିଁ ।

ଶେଷକୁ ତା’ର ଆସିଲା ପାଳି । ଯେତେବେଳେ ତା’ର ଛାତିର ହାଡ଼ ଗଣିହେଲା, ଆଣ୍ଠୁଗଣ୍ଠିର ଠୁଙ୍ଗି ଦିଶିଲା, ଆଖି କୋରଡ଼ କୋରଡ଼ ହେଲା, ସେପରି ଅବସ୍ଥାରେ ଦିନେ ସେ କୁଡ଼ିଆ ଭିତରେ ନିତାନ୍ତ ହତାଶ ଭାବରେ ବସିପଡ଼ି ତା’ ଜୀବନର ଏକମାତ୍ର ସାଥୀ ଚମ୍ପେଇକି ଚାହିଁ କହିଲା- “ଆଉ କ’ଣ କରିବି ?”

ସହଦେବ ପାରିବାର ସାହସ ଟିକ ହରାଇଲା । ଦିନରାତି ସେହି ଏକାକଥା ଭାବିଲା- ଆଉ କ’ଣ ପାରିବି ? ଚମ୍ପେଇକି ପାଖରେ ରଖି ଭାବିଲା, ଚମ୍ପେଇକି ଦୂରରେ ରଖି ଭାବିଲା, ଚମ୍ପେଇକି କୋଳରେ ଧରି ଭାବିଲା- ନ ଭାବି ସେ ରହି ପାରିଲା ନାହିଁ । ଠିକ୍ କଲା, ଯିବ ଦୂରକୁ ରୋଜଗାର କରି ।

ଚାରିଟି ଆଖିରୁ ଲୁହ ବୋହିଲା । ଦୁଇଟି ବୁକୁତଳେ କି ଆଘାତ ପ୍ରତିଘାତ ଲୀଳା ଚାଲିଥିଲା, ସେହି ଦୁଇ ବୁକୁ ପରସ୍ପର ବୁଝିଲେ । ଦୁଇଟି ନାସିକାରୁ ନିଃଶ୍ୱାସ ଏକାବେଳକେ ଘନ ଘନ ବହିଲା । ଚାରିଟି କରତଳ, ଚାରିଟି ଚରଣ ଏକାବେଳକେ ଥରିଲା । ଏହା ପରେ ଦିନେ ଏକ ରାତିରେ ସହଦେବ ବାହାରି ପଡ଼ିଲା ରୋଜଗାର କରିବାକୁ ।

ଏହି ହେଉଛି ଦୁଇଟି ଜୀବନର ଏକ ରାତିର ଶେଷ ପ୍ରହରର ଇତିହାସ ।

ତା’ପରେ

ଲୋକପ୍ରିୟ ଲେଖା

To Top