ଗଳ୍ପ

ଦୁଇଟି ରାତିର ଶେଷ ପ୍ରହର

Godabarisha Mohapatra's odia story Duiti Raatira Shesha Prahara

ମୁଣ୍ଡରେ ତା’ର ତେଲହାତ ବାଜିଛି କି ନାହିଁ ଅନ୍ଧକାରରେ ବାରି ହେଲା ନାହିଁ ସତ, ମାତ୍ର ବୁଢ଼ୀମା’ ଗଳ୍ପରେ ଥିବା ଭୂତୁରିମୁଣ୍ଡୀର ମୁଣ୍ଡପରି ତାହା ଏକ ପ୍ରକାଣ୍ଡ ଆକାରର ଦେଖାଗଲା

ଦୁଇଟି ରାତିର ଶେଷ ପ୍ରହର

-: ପୂର୍ବରୁ :-

(୩)

ତା’ ପରେ. . . !

ତା’ପରେ ଆଉ ଏକ ରାତିରେ. . . । ବିଶ୍ୱଜଗତର ଅଣୁ ପରମାଣୁ ଧରି ବେଳେ ବେଳେ ଯେଉଁ ଅନ୍ଧକାର ଘୋଟିଯାଏ, ସେ ସକଳ ଅନ୍ଧକାର ବୋଧହୁଏ ଗମେଇ ଗାଁକୁ ଜଡ଼ କରି ଦେଇଛି । ଛୋଟ ନଈଟି ପାଗଳିନୀ ପରି କୁଳସୀମା ଭୁଲି ଚାଲିଛି, ଛୋଟ ପାହାଡ଼ ଖଣ୍ଡକ ସାଇଁ ସାଇଁ ଗର୍ଜୁଛି ।

ଏହିପରି ଏକ ଭୀଷଣ ରାତିରେ ସହଦେବ ତା’ର ଗମେଇ ଗାଁର ଭଙ୍ଗା କୁଡ଼ିଆ ଖଣ୍ଡିକରେ ବସି ଭାବୁଛି । ଏକାକୀ ସେ, ମାତ୍ର ଭାବନା ତା’ର ବହୁତ । ତା’ର ଘରେ ଆଲୁଅ ତ ନାହିଁ, ହୃଦୟ ଭିତରେ ମଧ୍ୟ ଆଲୁଅ ନାହିଁ । ଆଲୁଅ ବୋଲି ସେ ଯାହା ଆପଣା ହୃଦୟର କେଉଁ ନିଭୃତତମ କୋଣରେ ଅନୁଭବ କରୁଛି, ତାହା ତା’ ଜୀବନର ଚାରିବର୍ଷ ତଳର ଗୋଟିଏ ସ୍ମୃତିର ଛାୟା ମାତ୍ର । ସେହି ସ୍ମୃତିର ଛାୟାଟି- ଠିକ୍ ଚମ୍ପେଇର ବେଶ ଓ ଚମ୍ପେଇର ହାସ । ସେ କ’ଣ କରିବ ? କାହାକୁ ଡାକିବ ? ଅନ୍ଧାର ଭିତରେ ଉଠି ପଡ଼ି ତାକୁ ଯାକି ପକାଇବ ବୋଲି ହାତ ବଢ଼ାଇଲା- । ଦେଖିଲା, ଖାଲି ଅନ୍ଧକାର ଛଡ଼ା କିଛି ନାହିଁ । ସେ ଛାୟା ଚାରିବର୍ଷ ତଳର ସ୍ମୃତିଛାୟା ମାତ୍ର ।

ଚାରିବର୍ଷ ତଳେ ସେ ଯେତେବେଳେ ଗାଁ ଛାଡ଼ି ବିଦେଶ ଗଲା, ଚମ୍ପେଇ ଓଦାକନା ପେଟରେ ଦେଲା ପରି ରହି ତା’ ବାଟ ଚାହିଁଲା । କ୍ରମେ ତିନିଦିନରେ ଓଳିଏ ଚୂଲୀ ଲାଗିଲା । ତହିଁରେ ପୁଣି ଆଜି ମୁଠିଶାଗ ତ କାଣି ବଣସାରୁ ପତର ।

ହତଭାଗିନୀର ଏହି ଦଶା-ବିପର୍ଯ୍ୟୟ ଯେତେବେଳେ ଶେଷସୀମାରେ, ସହଦେବ କୂଅ ପୋଖରୀ-ମନ୍ଦିର-ଚଉଁରାପୂର୍ଣ୍ଣ ପଲ୍ଲୀଟିର ମଧୁରମାୟାରେ ଟାଣି ହୋଇ ଆସି ଘରେ ପହଞ୍ଚିଲା । ସନ୍ଧ୍ୟାରେ ଆସି ଦେଖିଲା, ତା’ କୁଟୀର ଖଣ୍ଡିକ ଜୀବନ-ସନ୍ଧ୍ୟାରେ । ଘାସରେ ପଥ ବାରି ହେଉ ନାହିଁ । ଆସନ୍ନ ଅନ୍ଧକାର ଜୀବନର ଦୁଃଖଦୁର୍ଦ୍ଦଶା ସଙ୍ଗେ ମାଡ଼ି ଆସୁଛି ।

ମନ୍ଦିରର ଅଚଳ ପାଷାଣ ପ୍ରତିମା ଉପରେ ପତାକା ଫର ଫର ଉଡ଼ିଲା ପରି ମୂକ ଜଡ଼ ସହଦେବ ଉପରେ ଭଙ୍ଗାଘର ଖଣ୍ଡକରେ ଝଡ଼ତୋଫାନ ବହିଗଲା । ସେ ସେଥିକି ତିଳେ ହେଲେ ଖାତିରି କଲା ନାହିଁ । ତାକୁ କିଛି ଜଣା ପଡ଼ିଲା ନାହିଁ ମଧ୍ୟ ।

ଗାଁ ଲୋକେ କହିଲେ- “ଜଣେ ଗଲା ଜାତିରୁ ଆଉ ଜଣେ ଆସିଛି ଜାତି ହେବ ।”

(୪)

ସେଦିନ ରାତିର ଭୀଷଣତା କ୍ରମେ ବଢ଼ିଲା । ବଜ୍ର ମାଇଲା, ବିଜୁଳି ମାଇଲା- ସେଥିପ୍ରତି ସହଦେବର ଶ୍ରବଣପଥ ମୁକ୍ତ ନଥିଲା, ମାତ୍ର ଦୁଆରେ ଯେତେବେଳେ କିଏ ହାତମାରି ଡାକିଲା- “କିଏ ଅଛ ?” ସେ ଚମକି କାନେଇଲା ।

ସହଦେବ ଭାବାବିଷ୍ଟଭାବରେ ଉଠି ଠିଆ ହେଲା । ଟିକିଏ ଖଣ୍ଡି କାଶ, ତା’ପରେ ପୁଣି ସେହି ଏକ ସ୍ୱର- “କିଏ ଅଛ କି ?”

ସହଦେବ ତାଟିଟା ଫିଟେଇ ଦେଇ କେବଳ ମୂକଭାବରେ ଠିଆ ହୋଇ ଦେଖିଲା, ଆଗରେ ଏକ ମୂର୍ତ୍ତି । ମୁଣ୍ଡରେ ତା’ର ତେଲହାତ ବାଜିଛି କି ନାହିଁ ଅନ୍ଧକାରରେ ବାରି ହେଲା ନାହିଁ ସତ, ମାତ୍ର ବୁଢ଼ୀମା’ ଗଳ୍ପରେ ଥିବା ଭୂତୁରିମୁଣ୍ଡୀର ମୁଣ୍ଡପରି ତାହା ଏକ ପ୍ରକାଣ୍ଡ ଆକାରର ଦେଖାଗଲା । ସେ ଘରକୁ ପଛେଇ ଯାଇ ଦୀପରେ ଆଲୁଅ ଜାଳି ଦେଲା । ସେ ମୂର୍ତ୍ତି ଘର ଭିତରେ ମିଞ୍ଜି ମିଞ୍ଜି ଜଳୁଥିବା ଦୀପାଲୋକରେ ଯାଇ ଠିଆ ହେଲା । ତା’ର ଆଖି ଦୁଇଟା ତାଳୁରେ କେଉଁଠି ଖୋସି ହୋଇ ମୁହଁରେ ହାଡ଼ ଦେଖାଯାଉଥିଲା । ସହଦେବ ବିସ୍ମୟ ଆବେଗରେ ପାଟି କରି କହିଲା- “ଚମ୍ପେଇ ! !”

ଭୂତ ନା ପ୍ରେତ ନା ପିଶାଚ ! ତା’ର ଅଧର କେତେଥର ମେଲା ହେଲା । କେତେଥର ପଡ଼ିଲା, ମାତ୍ର ସହଜରେ ସ୍ୱର ବାହାରିଲା ନାହିଁ । ଶେଷରେ ବଡ଼ କଷ୍ଟରେ ସେ କଣ୍ଠରୁ ବାହାରିଲା-

“ଆହା ! ଏଡ଼ିକି ନିଷ୍ଠୁର ! ! କେତେଦିନ କେତେ ରାତି ଚାହିଁ ଚାହିଁ. . . ଶେଷକୁ. . . ! !”

(୫)

ଶେଷକୁ କ’ଣ ହେଲା, ସହଦେବ ଆଗରୁ ଶୁଣିଥିଲା । ସେ ଶେଷରେ ବଡ଼ ଧୈର୍ଯ୍ୟର ସହିତ ଉତ୍ତର ଦେଲା- “ମଣିଷ ହୋଇ ସେ ଥିଲା, ସେ ଭୂତ ହୋଇ ଆସିଲା ଆଜି ! ! ଆଉ କାହିଁକି. . . ?”

ଏତିକି କହି ସେ ମୁଣ୍ଡରେ ହାତ ଦେଇ ବସିପଡ଼ିଲା । ତାକୁ ବୁଦ୍ଧି ଦିଶିଲା ନାହିଁ, ତାକୁ ସ୍ୱପ୍ନ ଦିଶିଲା । ପରିଷ୍କାର ଦିବାଲୋକରେ ଦେଖିଲା ପରି ସେ ଦେଖିଲା, ଘର ଛାଡ଼ି, ଗାଁ ଛାଡ଼ି ବନ୍ଧୁ ସଖାସୋଦର ଛାଡ଼ି ସେ ଗଲା ରେଙ୍ଗୁନ । କି ନିର୍ଯ୍ୟାତନା ସେ ନ ଭୋଗିଲା । ମରଣର ଝଡ଼ତୋଫାନ ଭିତରେ ବଞ୍ଚିବା ପାଇଁ ତା’ର ଅଭିଯାନ ଆରମ୍ଭ ହେଲା । ଦିନକ ତା’ର ଯୁଗେ ହେଲା । ଚାରିବର୍ଷରେ ତା’ର କେତେ ସହସ୍ର ଯୁଗ ଭୋଗ ହେଲା । ରେଙ୍ଗୁନ ଗଳିରେ ପେଟକୁ ପୁରା ନ ଖାଇ, ମନବୋଧ କରି ଲୁଗା ନ ପିନ୍ଧି, ଚମ୍ପେଇର ସ୍ୱପ୍ନ ଦେଖି ଦେଖି ସେ ଜୀବନଯଜ୍ଞରେ ବର ଲାଭ କଲା । ଆହା-ହା ! କି ମଧୁର ହାସ ତା’ର ! ଯୌବନର ପ୍ରଥମ ପରିଚୟରେ, ବାସର ରାତିର ପ୍ରଥମ ପଲକରେ, ତରୁଣ ତନୁର ପ୍ରଥମ ସ୍ପର୍ଶରେ, ମୁକୁଳିତ କୁନ୍ତଳର ପ୍ରଥମ କରି ସଞ୍ଚାଳନରେ କି ତଡ଼ିତ ବା ସେ ହୃଦୟରେ ଅନୁଭବ କରି ନଥିଲା । ତା’ପରେ ଜୀବନର ଜଞ୍ଜାନ । – କି ମଧୁମୟ ତାହା । ଜଙ୍ଗଲରୁ କାଠ ବୋହି ଆଣିଲେ, ନଈରୁ ମାଛ ଧରି ଆଣିଲେ, ଗଛରୁ ଫୁଲ ତୋଳି ଆଣିଲେ, ଜଣେ ଜଣକୁ ହସାଇଲା, ଜଣେ ଜଣକୁ ନଚାଇଲା- ନାଚି ନାଚି ହସି ହସି କୁଡ଼ିଆ ଖଣ୍ଡିକରେ ଜୀବନର ସୁଅ ବୁହାଇ ଦେଲେ । ଜାହାଜ ଯେତେବେଳେ ଛାଡ଼ିଲା, ସମୁଦ୍ରରେ ତରଙ୍ଗ ଯେତେବେଳେ ନାଚିଲା, ଗଗନରେ ତାରକା ଯେତେବେଳେ ଫୁଟିଲା, ସେ ଚମ୍ପେଇର ଚାଲି, ଚମ୍ପେଇର ହସ କେବଳ ଦେଖିଲା । ତା’ପରେ ଘର ଯେତିକି ପାଖେଇଲା, ଚମ୍ପେଇ ତା’ର ସେତିକି ନିକଟତର ହେଲା । – ଚମ୍ପେଇ ତା’ର ଗଳା ଧରି ଓହଳିଲା, ଦୁଇଟା ବହୁଦିନର ତାପିତ ଅଧର ତାହାରି ଆଡ଼କୁ ଧୀରେ ଧୀରେ ଆସିଲା ।

ସେ ଅଧରକୁ ଅଧରରେ ମିଶାଇ ଦେବାକୁ ଚେଷ୍ଟା କଲା । ଦେଖିଲା, ହାତ ତା’ର ଶୂନ୍ୟରେ ଦରାଣ୍ଡୁଛି । ଚମକି ଡାକିଲା କେବଳ- “ଚମ୍ପେଇ !”

କେହି ଶୁଣିଲେ ନାହିଁ । ଚମ୍ପେଇର ବାହୁକୁ ଧରିବାକୁ ଚେଷ୍ଟା କଲା, ଚମ୍ପେଇର ଗଳାକୁ ଟାଣି ଧରିବାକୁ ଇଚ୍ଛା କଲା, ତା’ର ଦୀର୍ଘଶ୍ୱାସ ୟା’ ବୁକୁତଳେ ଶୁଣିବାକୁ କାମନା କଲା- ସବୁ ବୃଥା । ଘର ଭିତରୁ ସେ ଅନ୍ଧାର ରାଜ୍ୟକୁ ବାହାରି ପଡ଼ିଲା । ତଳ ଉପର ଦଶଦିଗ ଅନ୍ଧାର, ଉପରେ ତାରା ଚନ୍ଦ୍ର ନାହାନ୍ତି, ତଳେ ତା’ ଛଡ଼ା ଆଉ କେହି ମଣିଷ ନାହାନ୍ତି । ଅଳ୍ପ ଦୂରରେ କେବଳ ସେହି ଛୋଟ ନଈଟା ଭଉଁରୀ ଖେଳରେ ମାତି କାହାକୁ ଅଶ୍ରୁଧାରାରେ ଭସାଇ ଦେଲା ପରି ବହି ଯାଉଛି ।

ସ୍ୱର ଶୁଭିଲା- କୁଳୁ-କୁଳୁ-କୁଳୁ !

ଚମ୍ପେଇ କ’ଣ ଡାକିଲା ।

କେତେ ପାହୁଣ୍ଡ ଆଗକୁ ଯାଇ ସହଦେବ ଥିର ହୋଇ ଠିଆ ହେଲା । ପୁଣି କିଏ କହିଲା- ଖଳ୍-ଖଳ୍-ଖଳ୍-ଖଳ୍ !

ଗଛ ଗହଳିରେ ଜୁଳୁଜୁଳିଆ ପୋକ ସହସ୍ର ଆଖିରେ କାହାକୁ ଚାହୁଁଥିଲେ । ସହଦେବ ଦଉଡ଼ିଗଲା ତାହାରି ପାଖକୁ. . . । କାଦୁଆ ପଚ୍ ପଚ୍ ଶୁଭିଲା । ତା’ ପରେ ଏକାମାତ୍ର ଶବ୍ଦ- ନଦୀ ହୁଙ୍କାରି ଉଠିଲା. . . ବହମାନ ଜଳଧାରା ଆହୁରି ବିଚଳିତ ହୋଇଗଲା । ସେହି ଗଛ ମୂଳେ ପାଣିକି ଚାହିଁ ସହଦେବ ବସି ପଡ଼ି ଡାକିଲା- “ଚମ୍ପେଇ !”

ପାହାଡ଼ ସେ ପାଖରୁ କିଏ ଉତ୍ତର ଦେଲା “ଚମ୍ପେଇ” ।

ଚମ୍ପେଇ ତ ଶୁଣିଲା ନାହିଁ, ସହଦେବ ଆଉ କାହା ଡାକ ଶୁଣିଲା ନାହିଁ । ମେଘ ଡାକିଲା, ନଦୀ ଡାକିଲା, ପକ୍ଷୀ ଡାକିଲା, ଶେଷରେ ସକାଳେ ଯେତେବେଳେ ମଣିଷ ଡାକିଲେ ସହଦେବ । ସେ କହିଲା- “ଚମ୍ପେଇ !”

ଏ ଆଉ ଏକ ରାତିର ଶେଷ ପହରର ଇତିହାସ !

ଲୋକପ୍ରିୟ ଲେଖା

To Top