ଗଳ୍ପ

ଦୁତୀୟା ଚାନ୍ଦ

Kalindicharana Panigrahi's odia story Duteeyaa Chaanda

ମୋ ପୁଅ ବୋହୂ କ’ଣ କଲେ ନ କଲେ କେଉଁ ନିଅଁସୀର କି ଯାଏ ଆସେ । କେଉଁ ରାଣ୍ଡ ଆଣ୍ଠୁକୁଡ଼ୀଏ ମତେ କାଇଁକି କହିବେ ।

ଦୁତୀୟା ଚାନ୍ଦ

ମୁଣ୍ଡ ଉପରକୁ ଟେକିଲାବେଳେ ଧାନ ବେତାଟା ଚହଲିଯାଇ ତଳେ ବହୁତ ଧାନ କୁଢେ଼ଇ ହୋଇପଡେ଼ । ଧମକ ଦେଇ ଦୁତୀୟା କହେ, “ଧେତ୍ ! କେଡେ଼ ବୋଝଟା ଯେ ଟେକି ପାରୁନୁ । ତିନି ଓଳି ଉପାସିଆଙ୍କ ମିତି ଧକେଇ ପଡୁଚୁ ।”

ଦୁତୀୟା ଯେ ନିଜେ ଖୁବ୍ ବଳୁଆ, ତାହା ନୁହେଁ । ପୁଣି ଚାନ୍ଦମୁଣ୍ଡକୁ ଧାନ ବୋଝଟା ଉଠାଇଲାବେଳେ ଥରେ ଥରେ ତା’ ମୁହଁ ଉପରେ ଦୁତୀୟାର ନଜର ପଡ଼ିଯାଇ ମନଟା ତା’ର ଧାନ ବୋଝ ଉପରେ ରହିପାରେ ନାହିଁ । ଚାନ୍ଦ ସେ କଥାକୁ ଠଉରେଇ ପାରେ କି ନାହିଁ କେଜାଣି, କିନ୍ତୁ ଦୁତୀୟା ଯେ ତା’ ପାଖରେ ଖୁବ୍ ଜୋର୍‌ଦାରିଆ ନୁହେଁ, ସେ କଥା ଚାନ୍ଦ ଭଲ କରି ଜାଣେ । ଖାଲି ଯାହା କହିବାକୁ ସାହସ ଖଟେନି ସିନା । ଲୋକେ କହିବେ କ’ଣ ନା, ବାହାହବାର ବରଷ ଗୋଟାଏ ଯାଉନି-

ପିଲାଦିନେ ଆପଣା ବଡ଼ଭାଇ ସଦାକୁ ଚାନ୍ଦ ଦେଖିଚି । ତା’ ବୋଝରୁ ଅଧେ ଭଲା ଦୁତୀୟା ତଳୁ ଉଠାଇପାରିବ । ତାଙ୍କ ଗାଁ ବାଜିଆ ସାଙ୍ଗରେ ଚାନ୍ଦ ନିଜେ କେତେଥର ମାଟି ବୋହି ତାକୁ ହଟାଇ ଦେଇଛି । ତେବେ ବାଜିଆ ବୋଧହୁଏ ଦୁତୀୟାକୁ ବଳରେ ପାରିବ ନାହିଁ । ପୁଣି ଦୁତୀୟାର ବୁଦ୍ଧି ସରସ । ଯେତେହେଲେ ତ ମରଦ ପୁଅ । ଦୁତୀୟାର କଥା ଶୁଣି ଚାନ୍ଦର କଳା ମୁହଁଟାର କାନମୂଳଯାକେ ଢାଉଆ ରଙ୍ଗ ଘେରିଗଲା । ଗୋରା ହୋଇଥିଲେ ଲାଲ୍ ଦିଶିଥାନ୍ତା ।

ଧାନ ବେତାଟା ତଳେ ରଖିଦେଇ ଦୁତୀୟା ବୁଣି ଯାଇଥିବା ଧାନତକ ଗୋଟାଇଲାଗେ । ଚାନ୍ଦର ପେଟଭିତରୁ ବାହାରି ପଡୁଥିବା ହସଗୁଡ଼ାକ ବିଚାରୀର ଓଠ ଯୋଡ଼ିକୁ କିମିତି ବଙ୍କା କରିପକାଏ । ପାଖ ବରଗଛରେ ଗୋଟାଏ ହଳଦୀବସନ୍ତ ଗୀତ ଗାଏ । ଗଛ ମୂଳରେ ସାଆନ୍ତ ବସି ଧାନ ଜଗୁଥାନ୍ତି । ଚାନ୍ଦ ସିଆଡ଼କୁ ପଛ କରି ଓଠ ଯୋଡ଼ିକୁ ସିଧା କରେ, ମୁଣ୍ଡ ମୁଚୁଳାକୁ ସଜାଡେ଼ ।

ସାଆନ୍ତେ ତେଣେ ବେଜାର ହେବେ । ନଇଁପଡ଼ି ଧାନ ବେତାର ଗୋଟାଏ ପଟ ଧରେ ଦୁତୀୟା, ଆରପଟେ ଧରେ ଚାନ୍ଦ । ଏଥର କେହି କାହା ମୁହୁଁକୁ ନ ଚାହିଁ ବେତାଟାକୁ ତଳୁ ଉଠାନ୍ତି । ଏକା ଝଙ୍କାରେ ତାହା ତଳୁ ଉଠି ଥୁଆ ହୁଏ ଚାନ୍ଦର ମୁଣ୍ଡ ଉପରେ । ବୋଝର ଓଜନରେ ଦେହଟାଯାକ ତା’ର ଦୁଲୁକି ଉଠେ, କିନ୍ତୁ ଆଉ ଗୋଟିଏ ହେଲେ ଧାନ ତଳେ ପଡ଼ିବାକୁ ନାହିଁ । ବୋଝ ନଦି ଦେଲେ ପାଦ ଦୁଇଟା ମଧ୍ୟ ଗୋଟାଏ ଛନ୍ଦରେ ଆହୁରି ବେଗି ବେଗି ଚାଲେ ।

ମହଣକିଆ ଧାନ ବୋଝଟା ମୁଣ୍ଡରେ ଥୋଇ ଚାନ୍ଦ ଝୁଲି ଝୁଲି ଘାସଓଗଳା ସରୁ ବାଟରେ ଚାଲିଯାଏ ସାଆନ୍ତଙ୍କ ଘରକୁ । ସେଠାରେ ଧାନତକ କୁଢ଼ାଇସାରି ଫେରି ଆସିବ, ଆଉ ବୋଝେ ନେବା ପାଇଁ । ପଛପଟେ ତା’ର ହଳଦୀବସନ୍ତ ଡାକେ । ସେ ଡାକ ଚାନ୍ଦର କାନରେ ବାଜେ ନାହିଁ । କେଜାଣି ଅବା ମନରେ ତାହାର ବାଜୁଥିବ ।

ଦୁତୀୟା ପୁଣି ଧାନ ଉଡ଼ାରେ ମନଦିଏ । ଦକ୍ଷିଣା ପବନରେ କୁଲା ବୁଲାଇଲା ବେଳେ ଯେମିତି ଗୋଟାଏ ତାନଲୟ ଠିକ୍ ରହିଥିବା ସଙ୍ଗୀତ ବାଜିଉଠେ । ଅଗାଡ଼ିସବୁ ଦୂରକୁ ଦୂରକୁ ଉଡ଼ିଯାଇ ଧାନତକ ସିଧା ତଳରେ ଗଦା ହୋଇଯାଏ । ମଣିଷର ସବୁ ବାହାପିଆପଣ କାଳସ୍ରୋତରେ ଉଡ଼ିଯାଇ ଶେଷକୁ ରହେ ଖାଲି ସେମିତି ଖାଣ୍ଟି ମଣିଷ ।

ହଁ, ପାଠ ପଢ଼ିବାକୁ କିଏ ମନା କରୁଛି ? ପଢ଼ିଲେ ତ କେତେ ହାଲ ହକିୟତ୍ ମଣିଷ ଜାଣିପାରେ । ତେବେ ଧଡ଼ି ମହାଜନ ତ ଏକାବେଳେ ଗଣ୍ଡମୂରୁଖ । ଦାସ ଅବଧାନଙ୍କ ପାଖେ ଦି’ମାସ କାଳ ମୁଣ୍ଡାଏ ଖଡ଼ି ଘଷି ଘଷି ଏବେ ଖାଲି ନାଁ ଦସ୍ତଖତ କରି ଶିଖିଚି । ତା’ର ଅବା ବୈଠକୀ କାମ- ଗୋଦାମ ଭିତରେ ଛାଇ ତଳେ ବସିଚି- ଭାତ ହାଣ୍ଡିକି ଚାଉଳ ଯିବାକୁ ଚିନ୍ତା ନାହିଁ । ଧାନ ଡିଲର ହୋଇ ହଜାର ହଜାର କଞ୍ଚା କଉଡ଼ି କାରବାର, ସେ ଦସ୍ତଖତ ନ ଶିଖିଲେ ତା’ କାମ ଚଳିବ କିମିତି ? ଆମ ମୂଲିଆଙ୍କର ଦସ୍ତଖତ ହେଲେ କେତେ, ନୋହିଲେ କେତେ । ଖାଲି ମୂରୁଖ ଦୋଷରୁ ପାର ପାଇବା କଥା ସିନା । ହେଲେ ଫୁରୁସତ୍ କାହିଁ ଆମକୁ ।

ଦୁତୀୟା ଦସ୍ତଖତ କରି ଜାଣିନି କି ଚାନ୍ଦ ବିଚାରୀର ପାକପ୍ରଣାଳୀ ଭିତରେ ପୋଇଶୁଖୁଆ ଓ ସୁଆଁଜାଉ ଛଡ଼ା ବେଶି କିଛି ଜ୍ଞାନ ନାହିଁ । ତେବେ ତା’ ହାତରେ ତୁଣ ସନ୍ତୁଳା ସୁଆଦିଆ ହୁଏ ବୋଲି ଚାନ୍ଦର ଶାଶୂମୁହଁରୁ ସାର୍ଟିଫିକେଟ୍ ମିଳେ ।

ଆଲୋ ବୋହୂଟା ସିନା ମୋର କାଣ୍ଡେଇ, ହାତରେ ତା’ର ଶ୍ରୀମନ୍ତ ଅଛି । ଶାଗ ପୁଳାଏ ସେ ଖରଡ଼ି ଦେଲେ ସେଥିରୁ ଗୋଟାଏ ଖୁସ୍‌ବୁ ବାହାରିବ । ହାତଚାଟି ତମେ ଭାତ ଖାଇଦବ ।

ପତର ଗୋଟାଇଲା ବେଳେ ସୁଲୀମା’ ବୁଢ଼ୀ ଜବାବ୍ ଦିଏ, “ଆଲୋ ହଁ, ତା’ ଯୋଗରୁ ତ ଘର ତୋର ଘର ପିରିକା ହେଲାଣି । ନଇଲେ କି ତମେ ପୁରୁଣା ଚାଉଳ ଭାତ ଖାଆନ୍ତ ।”

“କିଲୋ କାଇଁକି, ମୋ ଘରେ କ’ଣ ପୁରୁଣା ଚାଉଳ ରହୁ ନଥିଲା କି ? ଦୁତୀୟା ବାପା ତ ପୁରୁଣା ନ ହେଲେ ଦିନେ ନୂଆ ଚାଉଁଳ ଛୁଉଁ ନଥିଲା ।” ଶାଶୂ ଗରମ ହୋଇ କହିଉଠେ ।

ସୁଲୀମା’ ବୁଢ଼ୀ ଛାଡ଼ିବା ପାତ୍ର ନୁହେଁ । ସେ ପୁଣି ଛିଗୁଲେଇ କହେ, “କହ ନା, କହ ନା, ଶୁଣିଲା ଲୋକେ ହସିବେ । ଦୁତୀୟା ବାପ ତ କେତେକାଳୁ ମଲାଣି । ଏବେ ତୋ କରକୁ ଚାନ୍ଦ ନ ଆସେ କି, ତୁ ପୁରୁଣା ଚାଉଳ ନ ଦେଖୁ ।”

କାହିଁକି ବା, ମୋ ପୁଅ ତ ପଛେ ।

ଆଲୋ ରଖିଥା’ ତୋ ପୁଅ । ସବୁ ଜଣା ଅଛି, ଚାନ୍ଦ ନ ଥିଲେ ପୁଣି ଦୁତୀୟା ଯାହା ତତେ ପୁରୁଣା ଚାଉଳ ଖୁଆନ୍ତା ।

ଶାଶୂବୁଢ଼ୀ ଗର୍ଜିଉଠି କହେ, “ମୁଁ ପୁରୁଣା ଖାଇଲି କି ନୂଆ ଖାଇଲି, କାହା ବୋପା କକାର କ’ଣ ଗଲା । ମୋ ପୁଅ ବୋହୂ କ’ଣ କଲେ ନ କଲେ କେଉଁ ନିଅଁସୀର କି ଯାଏ ଆସେ । କେଉଁ ରାଣ୍ଡ ଆଣ୍ଠୁକୁଡ଼ୀଏ ମତେ କାଇଁକି କହିବେ ।”

ତାହାପରେ ଆରମ୍ଭ ହୋଇଯାଏ, ରୀତିମତ ବଚନିକାର ଫୌଜଦାରି । କାରଣ ଅନ୍ୟପ୍ରକାର ଫୌଜଦାରି ପାଇଁ ଦୁହିଁଙ୍କ ଭିତରୁ ଜଣେ ହେଲେ କାହାରି ବଳ ନ ଥିଲା । ଗାଳି ଦିଆଦେଇ ହୋଇ ଦି’ବୁଢ଼ୀଯାକ ଯେଝା ଘରକୁ ଜାଳ ଘେନି ଫେରନ୍ତି । ପରଦିନ ପୁଣି ଦିହେଁ ସାଙ୍ଗ ହୋଇଯା’ନ୍ତି ଓ କଜିଆ କରି ଲେଉଟନ୍ତି ।

ଘରକୁ ଆସି ଶାଶୂବୁଢ଼ୀ ସୁଲୀମା’ ସାଙ୍ଗରେ ନିଜ ବୋହୂକୁ ବି ବହେ ଶୋଧି ଦିଏ- “ହଇଲୋ ଛତରଖାଇ ଘର ଝୁଅ । ତୁ ଟା ମୋ କି ଘରକରଣା କରିଦେଲୁ କି, ମତେ ଦାଣ୍ଡଲୋକ ଉଘେଇବେ । ସେ ଖଳବୀଟା ମୋ ପୁଅକୁ କାଇଁକି କାଢ଼ିବ କାଟିବ, ତା’ ମୁହଁରେ ନିଆଁ ଆଖିରେ ଧୂଆଁ । ତୁଇ ନିଅଁସୀଝୁଅ ମତେ ଏତେ କଥା ଶୁଣେଇଲୁ । ନଇଲେ କି ସେ ଅରଖିତିଆଣୀଟା. . . ।”

ଚାନ୍ଦ ଶାଶୂର ସବୁ ଗାଳି ଶୁଣି ରଗରଗ ହୋଇ ଘର କାମରେ ଲାଗେ । ଶାଶୂକୁ ପାଟି ଫିଟାଏ ନାହିଁ । ଦୋଷ ଶାଶୂର କି ବୋହୂର, ସେ କଥା ବିଚାର କରିବାକୁ କେହି ନଥାଏ । ଦୁତୀୟା ଶୁଣିଲେ କହେ, “ଯା ଭାରି ବା ବା ବୁଢ଼ୀ ତ ହେଲାଣି, ତା’ କଥା ସେ କହୁଥାଉ, ଆମ ଦିହରୁ କ’ଣ ସେଥିରେ ଖଣ୍ଡେ ଛିଣ୍ଡି ପଡୁଚି । ତା’ କଥାରେ ଚାନ୍ଦର ମନ ଟିକିଏ ଥଣ୍ଡା ପଡ଼ିଯାଏ ।”

ରନ୍ଧାକାମ କରିସାରି ଚାନ୍ଦ ଶାଶୂକୁ ସ୍ୱାମୀକୁ ଖାଇବାକୁ ଦିଏ । ସତକୁ ସତ, ସେ ଦୁତୀୟା ଘରକୁ ଆସିଲାଦିନ ବର୍ଷ ଯୋଡ଼ାକରେ ତା’ ଘରୁ ଆଜି ଖାଲି ପୁରୁଣା ଧାନ କାହିଁକି, ମୁଗ, କୋଳଥ ଖୋଜିଲେ ଗଣ୍ଡାଏ ମିଳିବ । ରାତି ଅଧରେ କୁଣିଆ ପହଞ୍ଚିଗଲେ କେଉଁ ଚିଜ ପାଇଁ ଦୋକାନକୁ ଯିବାକୁ ପଡ଼ିବ ନାହିଁ । ଶାଶୂବୁଢ଼ୀ ସେ କଥା ଜାଣିପାରେ । ହେଲେ ବୋହୂକୁ ତ ପୁଣି ଯାବତା କରିବାକୁ ହେବ । ତାହା ନ କଲେ ଶାଶୂ ବୋହୂ ମାନ୍ୟ ରହିବ କିମିତି ।

ବୋହୂକୁ କ’ଣ ସେ ପରୁଆ କରିଛି କି ? ତା’ ପୁଅଠୁ ଆଉ କିଏ ବେଶି କାମ କରିପାରେ ? ହଳପାଳଠୁଁ ଶଗଡ଼ବୁହାଯାକେ କଉଁ କାମ ତାକୁ ନ ଆସେ ଭଲା । ବୋହୂ ସିନା ଘରକୁ, ପୁଅ ତ ଦାଣ୍ଡକୁ । କଉଁ ସାଆନ୍ତ ତାକୁ କାମ କରିବାକୁ ଖୁସାମତ କରୁ ନାହିଁ କି । ଧାନ ମପା, ମରେଇ ତୋଳା, ଘରଛାଣି କଉଁ କାମ ତାକୁ ଭଲା ଅଜଣା ।

ଗଉଣି ଧରି ଧାନ ମାପିଲାବେଳେ ଦୁତୀୟା ଜଗନ୍ନାଥ, ଜଗନ୍ନାଥ, ଦୁଇଦୁଇ, ତିନିତିନି କହି ଗଦା ଧାନ ଫିଙ୍ଗିଦେଲେ ତାହା ଦଶହାତ ଦୂରରେ ପଡେ଼ । ତାହାପରି ବାଗରେ କେଇ ମରେଇ କରିପାରେ ନାହିଁ କି ଓଳିଆ ବାନ୍ଧି ଜାଣେ ନାହିଁ । ଯେଡେ଼ ଅସାଧ୍ୟ ବାଟ ହେଉପଛେ ଦୁତୀୟା ଶଗଡ଼ରେ ଥିଲେ ସାଆନ୍ତଙ୍କର କିଛି ଭାବନା ନ ଥାଏ । ଦୂରବାଟ ଯିବାକୁ ଥିଲେ ରାତି ଅଧରୁ ଶଗଡ଼ ଯୋଚିବାକୁ ହୁଏ । ଦୁତୀୟା ଗୀତବୋଲି ଶଗଡ଼ ଅଡେ଼ଇ ନିଏ । କେଉଁଠି ଗହୀର ବିଲ, କେଉଁ ନଈ ଭିତରକୁ ଗଡ଼ାଣି, ସବୁ ଜାଗାରେ ସେ ହୁସିଆର । ବଳଦ ତାକୁ ଯେମିତି ମାନନ୍ତି, ଆଉ କାହାରିକି ସେମିତି ନୁହେଁ । ଦୁତୀୟା-ମା’ ତାହା ପାଇଁ ଗର୍ବ କରିବ ନାହିଁ ତ ଆଉ କାହାପାଇଁ !

ବେଳ ରତ ରତ ହୋଇଆସୁଛି । ସାଆନ୍ତ ଶଗଡ଼ ଭିତରେ ବସିଛନ୍ତି । ଦୁତୀୟା କଥା ଗପି ଗପି ବଳଦ ଅଡ଼ାଇ ନେଉଛି ।

ଆମ ଘର ମାଇପେ କ’ଣ ଆପଣଙ୍କ ଘର ପରି କି ଆଜ୍ଞା ? ତିନି କଥା ଆପଣ କହିଲେ ବି ସାଆନ୍ତାଣୀ ସବୁ ଶୁଣି ତୁନି ରହିବେ । ନଇଲେ ଅବା ଦି’ଚାରି ପଦ କହିଦେବେ । ଆଉ କ’ଣ ଘର ଛାଡ଼ି ପଳେଇବେ ? ଆମ କୂଳରେ ପରା ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି । କେତେ ତାକୁ ବୁଝାଇ ସୁଝାଇ କହିଲି, କାହିଁରେ ହେଲା ନାହିଁ । ଏବେ ତିନିମାସ ହେଲା ଯାଇ ବାପ ଘରେ ବସିଲାଣି ଯେ, ଦଉଡ଼ି ଦଉଡ଼ି ମୁଁ ନୟାନ୍ତ ହେଲିଣି । ଆଖର ନ ଆସିଲା ।

ସାଆନ୍ତ ପଚାରିଲେ, “କାହିଁକି ବାପଘରକୁ ଯାଇଛି ? ତୋ ମାଆଟା ତ ଭାରି କଟକଟୀ ବୁଢ଼ୀ, ସେଇ ତ ତାକୁ କଅଣ ଗାଳିମନ୍ଦ କରିଥିବ ।”

ହଁ ଆଜ୍ଞା ! ସେହି ତ ରୋଜ ବକେ, ହେଲେ ଶାଶୂମାନେ କ’ଣ ବକୁ ନାହାନ୍ତି କି ? ମୋ କଥାକୁ ମାନି ଆଗ ଆଗ ସେ ଶାଶୂକୁ କିଛି ଜବାବ୍ ଦେଉନଥିଲା । ତେବେ ମଣିଷ ଶରୀର ତ । କେତେ ସହିବ ? ଶେଷରେ ବୋହୂ ଶାଶୂଙ୍କର କଜିଆ ଲାଗେ । ସେତେବେଳେ ମୁଁ ଅଲଗା ହୋଇଥାଏ । ମୋର କ’ଣ ଅଛି, କାହାକୁ କାହିଁକି ମୁଁ କିଛି କହିବି ।

ଏଣେ କହିଲେ ଗୋହତ୍ୟା, ତେଣେ କହିଲେ ବ୍ରହ୍ମହତ୍ୟା । ଏ ତରଫ୍‌ରେ ମାଆ ତ ସେ ତରଫ୍‌ରେ ମାଇପେ । କାହିଁକି କଜିଆ ଲାଗିଛି, ବୁଝିଲାବେଳକୁ କଥା ବୋଲି କିଛି ନ ଥିବ ।

କିଛିହେଲେ କଥା ନ ଥାଇ ଯେ ଦୁନିଆଁରେ ଅଧିକାଂଶ କନ୍ଦଳ ଲାଗେ, ତାହା ବୁଝିବାକୁ ଦୁତୀୟା ଅବଶ୍ୟ ଅକ୍ଷମ । ସେ ବଟୁଆରୁ ଗୁଆଖଣ୍ଡେ ଓ ଚୂନପତ୍ର ଟିକିଏ ପାଟିକୁ ପକାଇ ଦେଇ ପୁଣି କହିଚାଲେ ।

ବୁଝିଲେ ଆଜ୍ଞା, ଯେତେ ଯାହାହେଲେ ସେ ଜମାରୁ ଘରଛାଡ଼ି ଯାଇ ନଥାନ୍ତା । ଶେଷକୁ ମୁଁ ଚଣ୍ଡାଳ ତ ଗୋଟାଏ ବେଆଡ଼ା କାମ କରି ପକେଇଲି । କହିବି ଆଉ କାହାକୁ ?

ସାଆନ୍ତ ଗାଡ଼ି ଭିତରୁ ଉତ୍ସୁକ ହୋଇ ପଚାରିଲେ, “ତୁ କ’ଣ କଲୁ ? କିଛି କୁହାବୋଲା କଲୁ କି ?”

ହଁ ଆଜ୍ଞା, ନଇଲେ ସେ କି ଘରୁ ଗୋଡ଼ କାଢ଼ିଥାନ୍ତା । ତା’ର ଗୋଟାଏ ଖୋଇ କ’ଣ କି ସାନ୍ତ । ସବୁକଥା ଶୁଣିଯିବ । ତା’ ବାପା ମା’ଙ୍କୁ କିଏ ପଦେ ହୁଡ଼ି କରି କହିଦେଲେ ତମ୍ପସାପ ପରି ଗର୍ଜି ଉଠିବ । ସେଦିନ ମୁଁ ଘରେ ନ ଥାଏ । କିଏ ସବୁ ବାବୁ ଆସିଥାନ୍ତି, ମଧୁବନ ତୋଟାରେ ସଭା ବସିଥାଏ । ଯାହାଙ୍କର ଜମିବାଡ଼ି ନାହିଁ, ତାଙ୍କୁ ଚାଷଜମି ମିଳିବ । ଯେ ହଳ କରିବେ ତାଙ୍କର ଏକା ଜମି ହେବ । ଏମିତିସବୁ କେତେ ଗପ ପଡ଼ିଲା । ଶୁଣିବା କଥା ତ ଆଜ୍ଞା, ସତେ କ’ଣ କିଏ କାହାକୁ ଜମି ଦେଉଛି, ନା କିଏ କାହାଠାରୁ ନେଇଯାଉଛି ।

ସାଆନ୍ତ ପଚାରିଲେ, “ତୁ ଭଲା କିଛି ସେ କଥାରୁ ବୁଝିଲୁ ?”

ବୁଝିବି କ’ଣ ଆଜ୍ଞା ? ସଭା ସାଙ୍ଗରେ ମୋର ଯାଏ ଆସେ କେତେ ? ସେଇ ଖାଲି ମୋତେ ତଡ଼ି ତଡ଼ି ପଠାଇଲା । ସଭାକୁ ଯାଅ, ଜମି ଆଣ । ଆମର ହାତଚାଷ କରି ଚଳିବା । ସବୁଦିନେ କ’ଣ ମୂଲ ଲାଗୁଥିବ ? ତାରି କଥାରେ ଗଲି ସିନା । ଜମି ଦଉଛି କିଏ କାହାକୁ । ଖାଲି ଗପ । ତେବେ କ’ଣ କି, ଏମିତି କେତେ ଗପ ତ ସତ ହୋଇଯାଉଛି । ଆମରି ଦିହକରେ ତ କେତେ ନୂଆ ନୂଆ କଥା ଦେଖାଗଲାଣି । ଆଉରି କେତେ ଦେଖାଯିବ । ତାକୁ କ’ଣ କିଏ ରୋକିପାରିବ ।

ଦୁତୀୟାଠାରୁ ଜମି ବଣ୍ଟନ କଥା ଶୁଣିବାକୁ ସାଆନ୍ତ ଆଦୌ ପ୍ରସ୍ତୁତ ନ ଥିଲେ । ଏଇସବୁ କଥା ବାହାରିବା ଦିନୁଁ ସବୁ କାମ ଯେ ଖଇଚା’ ଧରୁଚି, ମୂଲିଆମାନେ ଆଉ ଆଗ ଭଳି ମାଲିକଙ୍କୁ ମାନୁ ନାହାନ୍ତି କି ମନ ଦେଇ କାମ କରୁ ନାହାନ୍ତି, ଏହା ତ ସେ ନିଜେ ଅଙ୍ଗରେ ଲିଭାଉଛନ୍ତି । ଦୁତୀୟା ଯେବେ ହାତଚାଷ କରିବ, ତେବେ ତାଙ୍କ ଶଗଡ଼ ବୋହିବ କିଏ ?

ମନେ ମନେ ସେ ବିରକ୍ତ ହୋଇ ପଚାରିଲେ, “ହଁ, ସେଥିରୁ କ’ଣ ହେଲା ?”

ହବ ଆଉ କ’ଣ ଆଜ୍ଞା ? ମୋ ନାଁ ଗାଁ ବାପ ନାଁ ସବୁ ଟିପି ରଖିଲେ । ମତେ କହିଲେ, “ତୁ ଦି’ମାଣ ଜମି ପାଇବୁ । ହଳ ବଳଦ ସଜିଲ କର ।” ମୁଁ କିଏ ହଳ ବଳଦ କେଉଁଠି ? ପୁଣି ଜମି ସାଙ୍ଗରେ ବି ଦେଖା ନାହିଁ ।

ସାଆନ୍ତ ମନେ ମନେ ରାଗିଯାଇ ବିଚାରିଲେ, ତୁ କ’ଣ କମ୍ ବଦମାସ୍ କି ? ଯେତେ ତମକୁ ଦେଲେ ମନ ତମର ସନ୍ତୋଷ ନୁହେଁ । ଭିତରେ ଭିତରେ ଆମରି ଚେର କାଟିବାକୁ ବାହାରିବ ନା । ଆଚ୍ଛା, ହଉ । କେଉଁ ପାଣି କୁଆଡେ଼ ଯାଉଛି ଦେଖାଯିବ । ମନେ ମନେ ସରକାରକୁ ମଧ୍ୟ ବହେ ଗାଳି ଫଜିୟତ୍ କଲେ । ଭଲ ସ୍ୱାଧୀନ ସରକାର ଆସିଲା । ଏଇ କ’ଣ ସ୍ୱାଧୀନତା ? ଛୋଟ ଲୋକଙ୍କ ମୁହଁ ବଢ଼ାଇ ଚାରିଆଡେ଼ ଖାଲି ଅକାରଣ ବିପ୍ଳବ ଭିଆଇବା । ପ୍ରକାଶ୍ୟରେ ସେ ଦୁତୀୟାକୁ କହିଲେ, “ଆରେ, ସେଥିରୁ କ’ଣ ପାଇବୁ । ତୋ ଘର କଥା କ’ଣ ହେଲା କହ ।”

ସେଇ କଥା କହୁଛି ପରା ଆଜ୍ଞା । ସଭାରୁ ଘରକୁ ଫେରି ଦେଖେଁ ତ ଶାଶୂ ବୋହୂଙ୍କର ଲାଗିଛି ତାଣ୍ଡବ । ବୁଢ଼ୀ ତ ହେଲୁଣି ତୋର ଏତେ କଥାରେ ଭଲା ଯାଏ ଆସେ କ’ଣ ? ଯେତେହେଲେ ତ ତୋରି ବୋହୂ ସେ- ଆଉ କାହାରି ନୁହଁ । ସେ କୋଉଦିନ ସଫାଲୁଗା ଖଣ୍ଡେ ପିନ୍ଧିଲା ତ ତାକୁ ବାରଅନା କରି କହିଲା । ସେଦିନ ବୁଢ଼ୀ କେମିତି ଦେଖି ପକାଇଲା, ବୋହୂ ଖଣ୍ଡେ କାଞ୍ଚଲା ପିନ୍ଧିଛି । ମୁଁ ସେ ଖଣ୍ଡ ତାକୁ ଦେବୀଯାତରୁ କିଣି ଆଣି ଦେଇଥିଲି । ହେଲେ ଦିନେ ସେ କେଉଁଦିନ ପିନ୍ଧି ନାହିଁ ।

ସକାଳୁ ସଞ୍ଜଯାକେ ତ କାମରେ ଲାଗିଥିବ, କାଞ୍ଚଲା ପିନ୍ଧିବାକୁ ତାକୁ ବା ବେଳ କାହିଁ ? ପୁଣି ଆମ ଘରେ ଭୁଆସୁଣୀ ମାଇପେ ତ ଲୁଗା କାନିକୁ ଦି’ପରସ୍ତ ଦିହରେ ଗୁଡ଼ାଇ ହୋଇ ବାହାରନ୍ତି । ତାଙ୍କର କାଞ୍ଚଲା କ’ଣ ଦରକାର ? ତେବେ ବାହାପୁନିଅଁ ଯାନିଯାତ୍ରାକୁ ଘରବୋଲି ଖଣ୍ଡେ ଜିନିଷ କିଣି ଆଣିଥିଲି । ତାହାରି ଉପରେ ବୁଢ଼ୀର କେମିତି ସେ ଦିନ ନଜର ପଡ଼ିଗଲା । ସେତିକିରେ ତ ଘରକୁ ସେ ପକେଇଲା ଉଠେଇଲା । ତୁ ପୁଣି କାଞ୍ଚଲା ପିନ୍ଧିବୁ, ବାବୁଆଣୀ ହେବୁ । ସେଥିରୁ ତା’ର ବାପା ମା’ ସମସ୍ତେ ଖାଇଲେ ଶୋଧା । ସେ କି ସମ୍ଭାଳେ ? ମୁଁ ଘରେ ପଶିଲାବେଳକୁ ଲାଗିଛି ଲଢେ଼ଇ । ଖାଲି କ’ଣ ସେତିକି ! ବୁଢ଼ୀ ଏକ ଖୁନ୍ ମକଦ୍ଦମା କରି ବସିଛି ।

ଆପେ ଆପଣା ମୁଣ୍ଡପିଟି ମରିଯାଇଥିବା ପୁଅ ବୋହୂଙ୍କୁ ବାହୁନି ଡକା ପାରିଛି । ସେଇମାନେ ନ ଥିବାରୁ ଆଜି ସେ ମୋ ଭାରିଯା’ଠାରୁ ଏତେ ଅନିଭୋଗ ପାଉଛି । ମୋର ଆଉ ଚାରା କ’ଣ ଆଜ୍ଞା ! ମୋର ଦୋଷ ହେଲା ଯେ ମାଆକୁ ଆଗ କିଛି ନ କହି ନିଜ ଭାରିଯା’କୁ ଯାବତା କଲି । ନିଜ ଭାରିଯା’କୁ କହିବିନି ତ ଆଉ କାହାକୁ କହିବି ।

ରାଗ ମୁହଁରେ ସେ ଆଉ ମୋ କଥା ଶୁଣିଲାନି । ଖାଲି ତାରି କଥା ସେ କହି ଲାଗିଥାଏ, ଦିନ ରାତି ଘର କାମ, ମୂଲ କାମ କରିସାରି ତା’ ଉପରେ ବୁଢ଼ୀକୁ କ’ଣ ଦୋଡ଼ା ମୁଠାଏ କି ବାଇଗଣ ପୋଡ଼ାଟାଏ ନ ଦେଲା । କେଉଁଦିନ ବୁଢ଼ୀର କଉଁ କଥାରେ ଅଭାବ ଅଛି ଭଲା । ହଁ ସେ କଥା କ’ଣ କିଏ ନ ଜାଣେ । ତା’ ବୋଲି ମୁଁ ତତେ ପାଟି ବନ୍ଦ କରିବାକୁ କହୁଚି । ସେ କଥା କାହିଁକି ତୁ ମାନିଲୁ ନାହିଁ ?

କ’ଣ କରିବି, ମୋର ତ ରାଗ ଚହଟିଗଲା ସାନ୍ତ । ପାଖରେ ଖଣ୍ଡେ ପାଞ୍ଚଣ ପଡ଼ିଥିଲା, ସେ ଖଣ୍ଡ ଉଠାଇ ତା’ ଉପରକୁ ଫିଙ୍ଗିଦେଲି । ମରଦମାନେ ମାଇପଙ୍କୁ କେତେ ମାଡ଼ ଝିଙ୍କାସ ଦେଉ ନାହାନ୍ତି । ହେଲେ ମୁଁ ତା’ ଉପରକୁ କେବେ ହାତ ଉଠାଇ ନାହିଁ । ସେତିକିରେ ସେ ଚୁପ୍ ହୋଇଗଲା ।

ଦିନ ଦି’ଟା ଯାଇଛି କି ନାହିଁ, ତା’ ମାଆ ଆସି ମୋ ଦୁଆରେ ହାଜର । ଦୁଆର ମୁହଁରେ ଗୋଡ଼ ଦଉଁ ଦଉଁ କହିଲା, “ମୋ ଝୁଅକୁ ଆଜି ମୁଁ ସାଥିରେ ନେବି । କାଇଁକି, ମୋ ଝୁଅ ଏତେ ମାଡ଼ ଗଞ୍ଜଣା ସହିବ ? କିଏ କ’ଣ ତାକୁ ସେରେ ପାଏ ଦେଇ ପୋଷୁଚି କି ? ସେ ତ ଓଲଟି ତିନି ପାଇଟି କରି ତମ ଘରେ ଓଳିଆ ବାନ୍ଧି ଥୋଇଲାଣି । ତମକୁ ସେ ହାଡ଼ଭାଙ୍ଗି ଚଳେଇବ, ତା’ ଉପରେ ପୁଣି ଝିଙ୍ଗାସ ଶୁଣିବ, ମାଡ଼ ଖାଇବ । କାଇଁକି ନ ହେଲା ପଛେ ସେ ଘରକରଣା ।”

“ତେବେ ତ ଦି’ସମୁଦୁଣୀଙ୍କ ଭିତରେ ପୁଣି କଜିଆ ଲାଗି ଯାଇଥିବ ?” ସାଆନ୍ତ ପଚାରିଲେ ।

ନାହିଁ ଆଜ୍ଞା, ତାକୁ ଦେଖି ମୋ ମାଆ କ’ଣ ଆଉ ଘରେ ରହିଲା କି ? ମୋତେ ଦେଖିଲେ ଖିଆପିଆ ଆଦର କାହିଁରେ ଊଣା ନାହିଁ । ଝୁଅକୁ ପଠାଇବା କଥା କହିଲେ, ଏକାବେଳକେ ନାରାଜ । ମୋ ମାଆକୁ ଖାଲି ଯାବଚ୍ଛ ଶୋଧୁଛି ।

ଆଚ୍ଛା, “ତୋ ଭାରିଯା’ର ଭଲା ଇଚ୍ଛା କ’ଣ ? ସେ କ’ଣ କହେ ?”

ତା’ର କ’ଣ ଇଚ୍ଛା ନାହିଁ କି ? ତେବେ ସେ କହେ ଯେ ମୁଁ ଯଦି ମୋ ମାଆକୁ ମାନିବି, ସେ କିମିତି ତା’ ମାଆକୁ ନ ମାନି ଆସିବ ।

ତା’ହେଲେ ତୁ କ’ଣ କରିବୁ ଭାବୁଚୁ ?

ଆଉ ଭାବିବି କ’ଣ ଆଜ୍ଞା ! ଛାଡ଼ପତ୍ର ଦେଲେ ତାକୁ ସିନା ବର ମିଳିବେ, ମତେ ତ ସହଜରେ କନିଆଁ ମିଳିବେ ନାହିଁ । ତା’ର ବାହାରିଯିବା କଥା ଯେ ଶୁଣିବ, ସେ ତ ମୋ ଘରକୁ ଆସିବା ପାଇଁ ଛଙ୍କିହବ ।

ଆଚ୍ଛା ମୁଁ ତତେ ଗୋଟିଏ ଉପାୟ ବତେଇ ଦେବି । କରିପାରିବୁ ?

କ’ଣ କରିବି ସାନ୍ତ ? ଦୁତୀୟା ଆଗ୍ରହରେ ଗାଡ଼ି ଭିତରକୁ ଚାହିଁଲା ।

ସତ୍ୟାଗ୍ରହ ! ସାନ୍ତ ଉତ୍ତର କଲେ, ଶଶୁର ଦୁଆରେ ଯାଇ ଅଧ୍ୟା ପଡ଼ ବସି ରହ । କହ ତୋ ଭାରିଯା’କୁ ନ ଛାଡ଼ିଲା ଯାକେ ତାଙ୍କ ଦୁଆରୁ ତୁ ଆଉ କାହିଁ ଗୋଡ଼ କାଢ଼ିବୁ ନାହିଁ ।

ସେ କଥାକୁ କ’ଣ ସେ ଅମଙ୍ଗ ଅଛନ୍ତି କି ? ତା’ କଲେ ତ ମୋ ଝୁଅ ଦିହେଁଯାକ ଭାରି ଖୁସି ହେବେ । ବୁଢ଼ୀ ପରା କହେ, “ସବୁଦିନ ମୁଁ ତାଙ୍କରି ଘରେ ରହିବା ପାଇଁ । ତା’ ହେଲେ ଏଣେ ମୋ ଘର ଚଳିବ କିମିତି ? ମାଆଟା ଯିବ କୁଆଡେ଼ ?”

ସାଆନ୍ତ ତୁନି ହେଲେ । ଦୁତୀୟାର ବିଚ୍ଛେଦ ଦୁଃଖ ବଢ଼ିଲା ସିନା କମିଲା ନାହିଁ । କାମରେ ଦିନଯାକ ଖଟି ଟିକିଏ ଫୁରସତ୍ ମିଳିଲେ, କି ରାତିରେ ଘରକୁ ଫେରିଲେ ଚାନ୍ଦ କଥା ତା’ର ମନେପଡେ଼ । ହଁ, କେତେଦିନ ଚାନ୍ଦ ବାପଘରେ ରହିବ । ମଝିରେ ମଝିରେ ସେ ଯାଇ ଚାନ୍ଦକୁ ଦେଖି ଆସେ । ଚାନ୍ଦ ଆଉ କାହା ପାଖକୁ ଯିବ ନାହିଁ ବୋଲି ଦୁତୀୟାର ବିଶ୍ୱାସ ହୁଏ । ଶାଶୂବୁଢ଼ୀ ବେଖାତିର୍ କରି କେତେ କଥା ତାକୁ ଶୁଣାଇଦିଏ । ଦୁତୀୟା ଶାଶୂ କଥାରେ ପାଟି ଫିଟାଏ ନାହିଁ । ମନେ ମନେ ବିଚାରେ, “ହଉ, କେତେଦିନ ଏମିତି ରହିବ ରହୁ ।”

ଦୁତୀୟା ଯେତେବେଳେ ଦି’ମାଣ ଜମି ହାତଚାଷ କରିବ, ହଳ ହଡ଼ା ବାନ୍ଧିବ, ଆଉ ସାଆନ୍ତଙ୍କ ଲୋକପରି ପଣ କରିବ ନାହିଁ, ଚାନ୍ଦ ସେତେବେଳେ ବଳେ ଆସି ତା’ ଦୁଆରେ ଛିଡ଼ା ହେବ, ଯିବ କୁଆଡେ଼ ।

ଲୋକପ୍ରିୟ ଲେଖା

To Top