ଗଳ୍ପ

ଏ ଜନ୍ମର ତୀର୍ଥକ୍ଷେତ୍ର

Godabarisha Mohapatra's odia story E Janmara Teerthakshetra

ଶୁଚିମନ୍ତ ଯମ ଦେବତା ମାନବର ଏହି ଅଇଁଠା ନାମଧାରୀ ବକଟେ ହେବ ଶିଶୁକୁ ଛୁଇଁବ ନାହିଁ, ଏହି ଥିଲା ନାମକରଣର ଭିତିରି ରହସ୍ୟ ।

ଏ ଜନ୍ମର ତୀର୍ଥକ୍ଷେତ୍ର

(୧)

ଦିନେ ଅନେକ ଦିନ ତଳେ ଓଡ଼ିଶାର ଦକ୍ଷିଣ ସୀମାରେ ରକ୍ତାକ୍ତ ରଣକ୍ଷେତ୍ରରେ ରଣ ଦୁନ୍ଦୁଭି ବାଜି ଉଠିଲାବେଳେ ଅନ୍ୟ ସୀମାରେ “ଭଜ ହରେକୃଷ୍ଣ ହରେ ରାମ” କୀର୍ତ୍ତନ ତାଳ, ଖୋଳ କରତାଳର ଘନ ରୋଳ ଭିତରେ ଶୁଣାଗଲା ।

ଦୁର୍ଦ୍ଦାନ୍ତ ରଣଯାତ୍ରୀ ଦଳ ପଛକୁ ଫେରି ଚାହିଁଲେ । ଉତ୍ତୋଳିତ ତରବାରୀ ଅବନତ ହୋଇ ପଡ଼ିଲା । ଜାତିର ଦୁର୍ଭାଗ୍ୟକୁ କି ସୁଭାଗ୍ୟକୁ କ’ଣ ବିଚାରି ଦେଶର ଭାଗ୍ୟବିଧାତା ଓଡ଼ିଶାର ଗଜପତି ଦେଶର ସ୍ୱାଧୀନତା ଦେବୀଙ୍କ ପ୍ରତି ଅବଜ୍ଞା ଦେଖାଇ ଅସ୍ତ୍ର ତ୍ୟାଗ କଲେ । ସେନାପତିଙ୍କ ସାଞ୍ଜୁ ସ୍ଥାନରେ ଗୈରିକ କୌପୀନ ଦେଖାଗଲା । ବନ୍ଧୁକ, ବର୍ଛାଧାରୀ ପଦାତିକଙ୍କ ହାତରେ କୋଥଳି ଭିତରେ ବିଶୁଦ୍ଧ ତୁଳସୀମାଳା ଶୋଭା ପାଇଲା । ରକ୍ତର ଟିକା ପରିବର୍ତ୍ତରେ ରଣକ୍ଳାନ୍ତ ଯୁବକ କପାଳରେ ହରିତିଳକ ବିରାଜିଲା । ଗୋଦାବରୀ କୂଳ ରାଜପ୍ରତିନିଧି ଗଙ୍ଗା କୂଳରେ ଯାଇ ବିଭୁପାଦ ଆଖ୍ୟାରେ ଶ୍ରୀମତୀ ରାଧାଙ୍କ ଅଭିସାରରେ ଯୋଗ ଦେଇ ବିରହରେ ଲୁହ ଢାଳିଲେ ।

ସେହି ସୁଦୂର ଇତିହାସର ଏ ଏକ ବଞ୍ଚିତ ପରିଚ୍ଛେଦର ପୃଷ୍ଠାଏ ମାତ୍ର ।

ଦୟାନଦୀ କୂଳର କୌଣସି ଏକ ଅଖ୍ୟାତ ପଲ୍ଲୀର ଅବଜ୍ଞାତ କୁଟୀର ଭିତରେ ତା’ର ଜନ୍ମ-ଜନ୍ମ ବେଳେ ବାପ ମା’ ତା’ ନାଁ ଦେଇଥିଲେ ଅଇଁଠା । ଏପରି ନାମକରଣର ଗୁରୁତର କାରଣ ଅଛି । ତାହା ଆଗରୁ ବାପ ମାଆଙ୍କର ସେହି କୁଟୀର ଭିତରେ ଲାଗ ଲାଗ ଚାରୋଟି ଶିଶୁ ପୃଥିବୀ ସ୍ପର୍ଶ କରିବାର ମାସକ ମଧ୍ୟରେ ଅନ୍ୟ ଲୋକକୁ ଚାଲି ଯାଇଥିଲେ । ତେଣୁ ଏହି ପଞ୍ଚମ ଶିଶୁଟିର ନାଁ ଅଇଁଠା ଦେଲେ । ଶୁଚିମନ୍ତ ଯମ ଦେବତା ମାନବର ଏହି ଅଇଁଠା ନାମଧାରୀ ବକଟେ ହେବ ଶିଶୁକୁ ଛୁଇଁବ ନାହିଁ, ଏହି ଥିଲା ନାମକରଣର ଭିତିରି ରହସ୍ୟ ।

ତାହା ହିଁ କାର୍ଯ୍ୟରେ ଦେଖାଗଲା । ଅଇଁଠା ଶୈଶବ, ବାଲ୍ୟ, କୈଶୋର ଓ ଯୌବନ ପାର ହୋଇ ଜୀବନର ଆଉ ଏକ ସୀମାରେ ପହଞ୍ଚିଲା । ଯେତେବେଳେ ଓଡ଼ିଶାର ବୀରଗଜପତି ରଣକ୍ଷେତ୍ରରେ ଅସ୍ତ୍ର ତ୍ୟାଗ କରି ଯୁଗଯୁଗାନ୍ତ ଲାଗି ଓଡ଼ିଆ ସୈନ୍ୟଙ୍କର କ୍ଳୀବହ ବ୍ୟବସ୍ଥା କରି ପୁରୀ ବଡ଼ ଦାଣ୍ଡରେ ଦେହି ମେ ପଦପଲ୍ଲବମୁଦାର ବୋଲି ପ୍ରାର୍ଥନା କଲେ ସେତିକିବେଳକୁ ଦୟାନଦୀ କୂଳର ଏହି ଅଇଁଠାର ବୟସ ପ୍ରାୟ ଚାଳିଶ ।

ଗଳ୍ପ ଏହିଠାରୁ ଆରମ୍ଭ ।

(୨)

ଅଇଁଠା ପିଲାଦିନେ ବଡ଼ ଦୁର୍ଦ୍ଦାନ୍ତ ଥିଲା । ବାପ ତା’ର ଗୋହତ୍ୟା ପାପରେ ତିନିଥର ବେକରେ ପାଳ ଦଉଡ଼ି ବାନ୍ଧି ପ୍ରକାଶ୍ୟରେ ଦ୍ୱାରେ ଦ୍ୱାରେ ଭିକ ମାଗି ପାପର ପ୍ରାୟଶ୍ଚିତ୍ତ କରିଥିଲା ବୋଲି ସେ ଶୁଣେ । ସେହି ଗୋହତ୍ୟା ପାପ ପାଇଁ ବାପ ତା’ର କେତେଦୂର ଦାୟୀ, ନିଜେ ସେ ବୁଝିପାରିଲା ନାହିଁ । ସେ ଶୁଣିଲା, ବାପ କେବେ କୁଆଡ଼େ ଛାତିଏ ଉଚ୍ଚ ତିନିହଳ ବଦଳ କିଣିଥିଲା । ଥରେ ବେକରେ ପଘା ଥାଇ ଦୁଇଟା ବଳଦ ରାତି ଭିତରେ ମରି ଶୋଇଥିବାର ଦେଖାଗଲା । ଘରେ ନିଆଁ ଲାଗିବା ଦ୍ୱାରା ଥରେ କେବେ ଗୋଟାଏ ବାଛୁରୀ ପୋଡ଼ି ମରି ଯାଇଥିଲା । ଏସବୁ ଘଟଣାରେ ତା’ର ବାପ ହିଁ ପଞ୍ଚମୁଖରେ ପାପୀ ସାବ୍ୟସ୍ତ ହେଲା । ତେଣୁ ସେ ନିର୍ବିବାଗରେ ପାପର ପ୍ରାୟଶ୍ଚିତ୍ତ ପରେ ବାକି ଗାଈ, ବଳଦ ସବୁ ବିକି, ଗୁହାଳ ଭାଙ୍ଗି ବୁଢ଼ୀକି କହିଲା- “ମୁଁ ଯେବେ ଆଗ ସଂସାରରୁ ଯାଏ, ତାହାହେଲେ ଅଇଁଠାର ବୁଦ୍ଧି ହେଲେ କହିବୁ ଆଉ ସେ କେବେହେଲେ ଗୁହାଳ କରିବ ନାହିଁ । ମୁଁ ଯାହା ପାପ ଅର୍ଜିଯାଇଛି, ତାହା କାଳ କାଳକୁ ରହିଲା । ପାରିଲେ ସେ କେବଳ ପ୍ରାୟଶ୍ଚିତ୍ତ କରିବ ।”

ଅଇଁଠା କିନ୍ତୁ ଯୌବନରେ ଏ ଗଳ୍ପର ମୂଲ୍ୟ କିଛି ବୁଝିଲା ନାହିଁ । ଦି’ହଳ ବଳଦ କିଣି ସେ ପୁଣି ଚାଷ ବାସ ଆରମ୍ଭ କରିଦେଲା । ଲୋକେ ୟା’ ଦେଖି କହିଲେ- “ଏ ହେଉଚି ଗୋରୁମରା ପୁଅର ଗୋରୁମରା ଲକ୍ଷଣ ।” ଗାଁର ବଡ଼ ବଡ଼ମାନେ କହିଲେ- “ପାପୀର ପୁଅ ପାପ ବାଟ ଦେଖିବ ନାହିଁ ତ ଆଉ କ’ଣ ଦେଖିବ ?”

ଅଇଁଠା ନିତାନ୍ତ ଗୋଖା । ସେ ପାପପୁଣ୍ୟର ମୂଲ୍ୟ କିଛି ଜାଣେ ନାହିଁ । ଲୋକେ ଦିନକେ ମାଣେ ଜମି ଚାଷ କରି ଆସିଲେ, ସେ ପାଞ୍ଚପା ଚଷି ଦେଇ ଆସେ । ଲୋକେ ଦିନକେ ପହରେ ବିଶ୍ରାମ ନେଲେ, ସେ ଦି’ଘଡ଼ି ବିଶ୍ରାମ ନେଇ ବାକୀ ସମୟ ଖରା ବର୍ଷାରେ ଲାଗି ପଡ଼ିଥାଏ । ତା’ର ଏ ପାରିବାପଣିଆ ଓ ସାହସ ଦେଖି ଲୋକେ କ୍ରମେ ଆଶ୍ଚର୍ଯ୍ୟ ହେଲେ, ମାତ୍ର କହିଲେ- “ମୂର୍ଖଟା, ପାପୀଟା !”

ଏହି ପାପୀ- ସନ୍ତାନ ଅଇଁଠା ଦୀର୍ଘ ପଚିଶି ବର୍ଷକାଳ ଖରା କାକର ଖାଇ, ବର୍ଷା ଶୀତରେ ପଡ଼ି ଦୟାନଦୀ କୂଳର କେତେକ ସ୍ଥାନରେ ସୁନା ଫଳେଇବାକୁ ଲାଗିଲା । ତଥାପି ତା’ର ଗାଁରୁ ପାପୀର ପୁଅ ଅପବାଦ ଗଲାନାହିଁ । ନଈବଢ଼ିରେ ଲୋକେ ବୁଡ଼ି ମରୁଥିବାଳେ ଦଶ ପାଞ୍ଚ ଘଟଣାରେ ସେ ଦଶ ପାଞ୍ଚ ଲୋକଙ୍କ ଜୀବନ ରକ୍ଷା କରିଥିଲେ ମଧ୍ୟ ତା’ର ଗୋରୁମରା ପୁଅ ଅପବାଦ ଲୁଚିଲା ନାହିଁ । ଜ୍ୟେଷ୍ଠମାସ ଖରାରେ ଭିକମଗା ଯୋଗୀମାନଙ୍କୁ ପିଣ୍ଡାକୁ ଡାକିଆଣି ଗୀତ ଶୁଣି ତୋରାଣି ମୁନ୍ଦିଏ ଦେଲେ ମଧ୍ୟ ମୂର୍ଖ ଅପବାଦ ତା’ର ଛପିଲା ନାହିଁ । ଗାଁର କଳହ ବିବାଦବେଳେ ଦୁଇଦଳ ଠେଙ୍ଗା ଧରାଧରି ହୋଇ କୁରୁକ୍ଷେତ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲାବେଳେ ସେ ନିଜ ତାଳୁ ଦେଖାଇ ଦୁଇ ଦଳକୁ ଦୁଇ ଦିଗକୁ ହଟାଇ ଶାନ୍ତି ଆଣିଥିଲେ ମଧ୍ୟ ତା’ର ବୋକା ଦୁର୍ନାମ ଘୁଞ୍ଚିଲା ନାହିଁ । ସମାଜ ଭିତରେ ବାପର ପାପ, ବାପର କର୍ମ ପୁଅ ଉପରେ ଏହିପରି ନିର୍ମମ ଭାବରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଆକ୍ରମଣ କଲା ।

-: ତା’ପରେ :-

ଲୋକପ୍ରିୟ ଲେଖା

To Top