ଗଳ୍ପ

ଏ ଜନ୍ମର ତୀର୍ଥକ୍ଷେତ୍ର

Godabarisha Mohapatra's odia story E Janmara Teerthakshetra

ରଣ-ପିପାସୀ ବାବାଜି ଦଳ ଯୁଦ୍ଧ ଅଭାବରେ, ଦେଶ ଜୟ ଅଭାବରେ, ସ୍ୱାଧୀନତା ପ୍ରତି ଗଜପତିଙ୍କ ବିଶ୍ୱାସଘାତକତା ଫଳରେ କି ବେଶରେ କେଉଁ ଦୁର୍ଗ ତଳେ ଶେଷ-ଜୀବନ ଶେଷ କଲେ, ତାହା ଇତିହାସର ଅନ୍ଧକାରମୟ ଗହ୍ୱରରେ

ଏ ଜନ୍ମର ତୀର୍ଥକ୍ଷେତ୍ର

-: ପୂର୍ବରୁ :-

ଦିନେ ଭକ୍ତଦଳ ଭିତରେ ବିଦ୍ରୋହ ଦେଖାଗଲା । ଜଣେ ତରୁଣ ଭକ୍ତ ଉତ୍ତେଜନାରେ ଖୋଳ ବଜାଉ ବଜାଉ ତା’ର ରଣ-ପିପାସୀ ବାହୁର ଜୋର୍ ଏତେ ତୀବ୍ର ହେଲା ଯେ, ଖୋଳଟା ଫାଟିଗଲା । ଏଣେ ଦେଖାଗଲା, ଅଇଁଠା ତା’ର କରତାଳ ହଳକ ହାତରେ ଧରି କେବଳ ଗାଉଛି-

ବଂଶୀ ବାଜିଲା ଦିନେ ବୁଦା ବଣରେ- ବୁଦା ବଣରେ । ଦଳର ବୃଦ୍ଧନେତା ଚମକି ଉଠିଲେ । ଦଳ ଭିତରେ ପାପ ପଶିଲା । ଏଥିରେ ବିଚାର ହେଲା । ଦୋଷୀ କହିଲେ, “ବାହୁର ଜୋର୍ ତୀବ୍ର ହେଲା, ତେଣୁ ମୋର ଦୋଷ ନୁହେଁ ।” ପ୍ରାୟଶ୍ଚିତ୍ତ ହେଲା- ଦୁଇ ଦିନରେ ଦିନେ ସେ ପଙ୍ଗତ ଖାଇବେ । ତାହାହେଲେ ବୈଷ୍ଣବ ସୁଲଭ ଶୋଭାରେ ଦଳ ପୂରି ଉଠିବ । ଅଇଁଠାର ବିଚାରବେଳେ ଉତ୍ତର ମିଳିଲା- “ମୋର ଦୟାନଦୀ, ମୋର ବିଲବାଡ଼ି. . . ।”

ନେତା କାନରେ ହାତ ଦେଇ ମାଳିକି ଖୁବ୍ ଜୋର୍‌ରେ ଗଡ଼ାଇ ଗଡ଼ାଇ କହିଲେ- “ହରେକୃଷ୍ଣ, ହରେକୃଷ୍ଣ । ଏ ମାୟା ସଂସାର ଭିତରେ ପୁଣି ତୁମେ ଅଛ ?”

ଅଇଁଠା କହିଲା- “ମୁଁ ଅଛି ଏଠି, ଆଉ ମୋ ଦେବତା ଅଛନ୍ତି ଦୟାନଦୀ କୂଳରେ-ବିଲ ପଡ଼ିଆରେ ।”

ଆଉ କାହାର ସ୍ୱର ଶୁଭିଲା- ମୋ ଦେବତା ମୋର ତରବାରିରେ ।

ଏହି ଶେଷ ପଦକ ପ୍ରାୟ ସମସ୍ତଙ୍କ ପ୍ରାଣରେ ପ୍ରତିଧ୍ୱନିତ ହେଲା । ଚାହୁଁ ଚାହୁଁ ଏକା ସ୍ୱର ସବୁଆଡୁ ଶୁଭିଲା- ତରବାରି, ତରବାରି !

ବୃଦ୍ଧ ବାବାଜି କହିଲେ- “ହିଂସା ! ହିଂସା !”

କିଏ କହିଲା- “ଦେବତା ମୋର କୃଷ୍ଣା ଦୁର୍ଗରେ ।”

କିଏ କହିଲା- “ମୋ ଦେବତା ରଣକ୍ଷେତ୍ରରେ ।”

ବୃଦ୍ଧ ପଚାରିଲେ- “ତୁମେ ଯେ ଏବେ ବାବାଜି ।”

ସମସ୍ତେ ଉତ୍ତର ଦେଲେ- “ନିଶ୍ଚୟ ! ଅନ୍ୟ ବ୍ୟବସାୟ ନାହିଁ ବୋଲି. . . ।”

———————————————

କିଛିଦିନ ପରେ ଦେଖାଗଲା- ପାପୀ ପୁତ୍ର ଅଇଁଠା ଦୟାନଦୀ କୂଳରେ ବିଲ-ପ୍ରାନ୍ତର ଭିତରେ ଗୀତ ଗାଇ କହୁଛି- “ମୁଁ ଜାଣେ ନାହିଁ ପୁରୀ, ମୁଁ ଜାଣେ ନାହିଁ ହରି । ମୋର ଏଇ ଜନ୍ମର ତୀର୍ଥଭୂମି ଏଇ ବିଲବାରି ।”

ବାକି ରଣ-ପିପାସୀ ବାବାଜି ଦଳ ଯୁଦ୍ଧ ଅଭାବରେ, ଦେଶ ଜୟ ଅଭାବରେ, ସ୍ୱାଧୀନତା ପ୍ରତି ଗଜପତିଙ୍କ ବିଶ୍ୱାସଘାତକତା ଫଳରେ କି ବେଶରେ କେଉଁ ଦୁର୍ଗ ତଳେ ଶେଷ-ଜୀବନ ଶେଷ କଲେ, ତାହା ଇତିହାସର ଅନ୍ଧକାରମୟ ଗହ୍ୱରରେ । ନୂତନ ଉତ୍କଳର ସୃଷ୍ଟିବେଳେ ସେମାନେ ପୁଣି ଜୀବନ ପାଇ କବିକଣ୍ଠରେ ଅତୃପ୍ତ ଆତ୍ମକଥା ଗାଇ ପାରନ୍ତି ।

ଲୋକପ୍ରିୟ ଲେଖା

To Top