ଗଳ୍ପ

ଏ ମଣିଷକୁ ପଥର କଲା କିଏ ?

Godabarisha Mohapatra's Odia Story E Manishaku Pathara Kalaa Kie?

ସୃଷ୍ଟିର ଏହି ଭଙ୍ଗା ଗଢା ଲୀଳା ଭିତରେ ସ୍ଵର୍ଗର ଦେବତା ବା ନରକର ପିଶାଚ ତୃପ୍ତି ଲାଭ କରିଥିବେ, କହି ହେଉ ନାହିଁ ।

ଏ ମଣିଷକୁ ପଥର କଲା କିଏ ?

ଧ୍ୟାନମଗ୍ନ ରୂଷି ପରି କେତେ ଯୁଗରୁ ଯେ ପାହାଡ଼ଟା ଠିଆ ହୋଇଛି, ତା’ର ଇତିହାସ କେହି ଜାଣନ୍ତି ନାହିଁ । କେବେ ପ୍ରଥମେ ପାହାଡ ଉପରେ ପଥର ଜମାଟ ବାନ୍ଧିଲା, କେବେ ପ୍ରଥମେ ତାର ତରୁଲତା ଦେହର ଶ୍ୟାମଳ ପତ୍ର ଦେଖା ଦେଲା, ଫୁଲ ଫୁଟି ହସିଲା, ସେ କଥା ମଧ୍ୟ କେହି କହିପାରିବେ ନାହିଁ । ସେ ଭିତରେ ବଣ ଜନ୍ତୁ ବସା ବାନ୍ଧି ରହିଲେ, ପକ୍ଷୀ ଗୀତ ଗାଇଲେ, ବର୍ଷା ତା’ର କପାଳ ଧୋଇଦେଲା, ସୂର୍ଯ୍ୟ ଚନ୍ଦ୍ର ତାରା କେତେବେଳେ କେତେ ବେଶ ତାକୁ ପିନ୍ଧାଇ ଦେଲେ – ସେ କଥା ପାହାଡ଼ କେବଳ ଜାଣେ ।

ଏଇ ହେଉଛି ମଧୂପୁର ଗଡ଼ ପର୍ବତର ଅତି ଗୋପନୀୟ କଥା । ଏ କଥା କେହି ଯାଣି ନାହାନ୍ତି କି କେହି ଜାଣିପାରିବେ ନାହିଁ ମଧ୍ୟ ।

ଏହା ପରେ ଯାହା ଘଟିଲା ତାହାହିଁ କୁହାଯାଉଛି ।

ପାହାଡ଼ ତଳି ଜଙ୍ଗଲ – ଦିଗଦିଗନ୍ତ ଧରି ତାର ସୀମା କେତେ ଦୂର ଯେ ବ୍ୟାପି ରହିଛି, ତାର ଠିକଣା ନାହିଁ । ସୃଷ୍ଟି ଆଦ୍ୟରୁ କେବେ ସେଠାରେ ମାନବର ପାଦ ପଡ଼ିଥିଲା କେଜାଣି, ମାତ୍ର ହଠାତ ଦିନେ ଟମକ ବଜାଇ କେତେ ଜଣ ଲୋକ ଆସି ପାହାଡ଼ ତଳଟାକୁ ମାପିଦେଇ ଗଲେ । ବଣଜନ୍ତୁ ଚମକି ଉଠିଲେ । ଗଛ ପତ୍ର ପବନରେ ଢଳି ଢଳି କି ଅବ୍ୟକ୍ତ ଭାଷାରେ କୁହା କୁହି ହେଲେ – “ଏ ରାଜ୍ୟରେ ପୁଣି କଣ ?”

କିଛି ଦିନ ଗଲା । ଦେଖୁ ଦେଖୁ ମୁକ ଜଡ଼ ତରୁ ଗୁଡ଼ାକ କାଠୁରିଆର ପ୍ରଚଣ୍ଡ କୁଠାରାଘାତରେ ବନଭୁଇଁକୁ ଭୟତ୍ରସ୍ତ କରି ଦେଇ ଗୋଟିକ ପରେ ଗୋଟିଏ ଢଳି ପଡ଼ିଲେ । ଅଳ୍ପ କେତେ ଦିନ ଭିତରେ ପାହାଡ଼ ତଳର ଭୀଷଣ ଦୁର୍ଭେଦ୍ୟ ଜଙ୍ଗଲ ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ପରିଣତ ହେଲା । ଉଦ୍‌ଗତଯୌବନା ବାଳବିଧବାର ଶାନ୍ତିସ୍ନିଗ୍ଧ ବେଶଟି ପରି ଶ୍ୟାମଳ କୋମଳ ଲତା ପଲ୍ଲବରେ ତାହା ବିଚିତ୍ର ଶ୍ରୀ ଧାରଣ କଲା । ବନ ରାଜ୍ୟରେ ହାହାକାର ପଡିଗଲା –

ମାନବର ଅତ୍ୟାଚାର !
ମାନବର ଅତ୍ୟାଚାର !!

ଦେଖୁ ଦେଖୁ ମାନବର ଅତ୍ୟାଚାର ଭୀଷଣରୁ ଭୀଷଣତର ହେଲା । ସେ ରାଜ୍ୟରେ କାହାର ଡାଳ ହଣା ହେଲା, କାହାର ମୂଳ ତଡା ଗଲା, କାହାର ବା ସୁଣ୍ଡି କାଟି ତାକୁ ଶ୍ରୀହୀନ ଥୁଣ୍ଟ ଆକାରରେ ଛାଡ଼ି ଦିଆଗଲା । ଖାଲି ସେତିକି ନୁହେଁ, ଜଙ୍ଗଲବାସୀ ଜୀବଗଣକୁ ଗୁଳି, ଶର, ଖଣ୍ଡା ବଳରେ ଲୋପ କରିବାର ଚେଷ୍ଟା ହେଲା ।

ପାହାଡ଼ ସବୁ ଦେଖିଲା, ସବୁ ସହିଲା ; ମାତ୍ର ମୂକ ସେ କରିବ କ’ଣ ?

ଏହା ପରେ ପର୍ବତର ବୁକୁଭିତରକୁ ଲୁହାର ଶାବଳ ଭର୍ତ୍ତିକରି ତାକୁ ଖଣ୍ଡ ଖଣ୍ଡ କରିବାର ଉଦ୍ୟମ ହେଲା । ଗୋଟା ଗୋଟା ପଥର, ଶଗଡ଼ ଶଗଡ଼ ରଙ୍ଗମାଟି, କେତେ ଗୋଡି, କେତେ ମାଟି ଧୂଳି ଦିନକୁ ଦିନ ପାହାଡ଼ ତଳି ଅଞ୍ଚଳକୁ ବୁହାହୋଇ ଆସିଲା । ସବୁ ଆଡ଼େ ରାଷ୍ଟ୍ର ହେଲା – ନଅର ତୋଳା ହେବ, ନଅର ତୋଳା ହେବ !

ଏଥିରେ ବନବାସୀ ଜୀବଜନ୍ତୁ, ତରୁଲତାଙ୍କ ଦୁଃଖର ସୀମା ନାହିଁ ; ପୁଣି ଅତ୍ୟାଚାରରେ ତ ମାନବ ଜାତିର ସୀମା ନାହିଁ । ସୃଷ୍ଟିର ଏହି ଭଙ୍ଗା ଗଢା ଲୀଳା ଭିତରେ ସ୍ଵର୍ଗର ଦେବତା ବା ନରକର ପିଶାଚ ତୃପ୍ତି ଲାଭ କରିଥିବେ, କହି ହେଉ ନାହିଁ ।

ଏହି ପରି ଚାଲିଲା …….

କେତେ ଦିନ ଚାଲିଲା ଠିକ୍‌ ନାହିଁ ।

ରାଜାନଅର ତୋଳା ହେଲା । ପର୍ବତର ବୁକୁ ଫଟାଇ ପଥର କଟା ହେଲା, ସୁନ୍ଦର ଉଆସ – ସେ ଭିତରେ ଦୀପମାଳା, ସେ ଭିତରେ ଅପୁର୍ବ ସାଜସଜ୍ଜା, ସେ ଭିତରେ ବିଲାସପ୍ରିୟ କୀର୍ତ୍ତିଲିପସୁ ମାନବଗଣ ! ଆଉ କ’ଣ ? ସେ ଭିତରେ ରାଜା ରହିଲେ, ସେ ଭିତରେ ରାଣୀ ରହିଲେ । କେତେ ଆନନ୍ଦ ଉତ୍ସବ, କେତେ ବାଇଦ ବାଜଣା,….. ମର୍ତ୍ତ୍ୟର ମରୁଭୂମିରେ ସ୍ଵର୍ଗର ଅମରାବତୀର ଛାୟା ପଡ଼ିଲା ।

ଏହାର ନାଁ ହେଲା ମଧୂପୁରଗଡ଼, ଆଉ ଏହି ପର୍ବତ ଖଣ୍ଡକର ନାଁ ହେଲା “ଗଡ଼ପର୍ବତ !”

ଜଙ୍ଗଲ କାଟି, ପାହାଡ଼ ଭାଙ୍ଗୀ ଗଡ଼ ସିନା ତିଆରି ହେଲା, ସେ ଭିତରେ ମାନବର ଲୀଳାଖେଳା ସିନା ଚାଲିଲା; ମାତ୍ର ଗଡ଼ କାମ ଶେଷ ହେଲା ନାହିଁ । ପୁଣି ଘର, ପୁଣି ପାଚିରି, ପୁଣି ଦେବ ମନ୍ଦିର…… ପ୍ରସ୍ତାବ ପରେ ପ୍ରସ୍ତାବ, କଲ୍ପନା ପରେ କଲ୍ପନା – ଏସବୁ ରାଜ କଲ୍ପନାକୁ କିଏ କଲ୍ପନା କରିବ ?

ଗଡ଼ରେ ପ୍ରଜା ରହିଲେ, ଉଆସ ଭିତରେ ରାଜା ରହିଲେ, ମାତ୍ର ସେହି ଦରଭଙ୍ଗା ପାହାଡ଼ଟା ଭିତରେ କିଏ ରହିଲା; ସେ କଥା କେହି ହେଲେ ଦିନେ ବିଚାରିଲା ନାହିଁ ।

ଜଙ୍ଗଲ ଥିଲା-ଗଡ଼ ହେଲା, ପାହାଡ଼ ଥିଲା ତାର ବୁକୁ କଟା ହେଲା, ରାଜା ଆସିଲେ-ରାଜା ଗଲେ; ତଥାପି ଗଡ଼ରେ ଘର ତୋଳାର ବିରାମ ହେଲା ନାହିଁ । ବୁଢାରାଜା ମଲେ, ଯୁବରାଜ ରାଜ ସିଂହାସନରେ ବସିଲେ, ପୁରୁଣା ଦେବାନ ଯାଇ ନୂଆ ଦେବାନ ହେଲେ, ଏ ବର୍ଷ ଯାଇ ଆର ବର୍ଷ, ତା ଆର ବର୍ଷ ଏହିପରି କେତେ ବର୍ଷ କଟିଗଲା ; ମାତ୍ର ଗଡ଼ ପର୍ବତର ବୁକୁ ଯେପରି ଭାବରେ ଫଟା ଯାଉଥିଲା ସେହିପରି ଫଟାଗଲା । ସେହିପରି ସକାଳୁ ସନ୍ଧ୍ୟଯାଏ ହାତୁଡିର ଠକ୍‌ ଠକ୍‌ ଶବ୍ଦ, ପଥର ଗଡାର ଘଡ ଘଡ ଶବ୍ଦ ବରାବର ଶୁଣାଗଲା ; ମାତ୍ର ରାଜା ଦିନେ ହେଲେ ପଚାରିଲେ ନାହିଁ – କିଏ ସେ ପଥର କାଟୁଛି, କିଏ ବା ସେ ପଥର ଗଡାଇ ଗଡ଼ବାସୀଙ୍କୁ ଚମକାଇ ଦେଉଛି !

ଭୀମ ଦାସ ଜନ୍ମରେ ମନୁଷ୍ୟ, ଜାତିରେ ଚଷା, ବ୍ୟବସାୟରେ ପଥରକଟା । ବୟଶ ତାର ଅଶିକି ପାଖାପାଖି । ତାର ଘର ଜଙ୍ଗଲ, ଖାଦ୍ୟ ତାର ଜଙ୍ଗଲର ଫଳ ମୂଳ ।

ଭୀମ ଦାସର ଇତିହାସ ସଙ୍ଗେ ମଧୂପୁର ଗଡ଼ର ଇତିହାସର ଏତେ ସମ୍ପର୍କ ଯେ ଗଛରୁ ଡାଳ ପତ୍ର ବକଳା କାଢ଼ି ତାକୁ ଗଛ ବୋଲି କୁହାଯାଇ ପାରେ ; ମାତ୍ର ଭୀମ ଦାସକୁ ବାଦ ଦେଲେ ମଧୂପୁର ଗଡ଼ର ଇତିହାସ କହି ହେବ ନାହିଁ ।

ଯେଉଁଦିନ ଜଙ୍ଗଲ ଭିତରେ ବନ୍ୟଜନ୍ତୁଙ୍କୁ ଭୟତ୍ରସ୍ତ କରି ସର୍ବପ୍ରଥମେ ରାଜ ଟମକ ବାଜିଲା, ସେହି ଦିନ ଭୀମ ଦାସ ଟମକ କାଠି କାଟି ଟମକଦିଆ ହାଡି ହାତକୁ ବଢ଼ାଇ ଦେଲା । ତା’ପରେ ଗଛ କଟା ହେଲା । ଭୀମ ଦାସର ପ୍ରଥମ ଚୋଟ ଗଛ ଦେହରେ ବାଜିଥିଲା, ପ୍ରଥମ ପଥର ଖଣ୍ଡ ସେ ତାଡିଥିଲା । ମଧୂପୁର ଗଡ଼ ପର୍ବତର ଅନ୍ଧାରିଆ ଗହ୍ଵର ଭିତରେ ପ୍ରଥମ ମାନବର ସ୍ଵର ସେହି ଭୀମ ଦାସ କେବଳ ଶୁଣାଇଥିଲା । ସେ ସେହିଠାରେ ପ୍ରଥମେ ହସିଥିଲା, ସେହିଠାରେ ପ୍ରଥମେ ଗୀତ ବୋଲିଥିଲା । ତାକୁ ସେଠାରେ ମାନବ କୁହାଯାଇ ପାରେ, ପଥର କୁହାଯାଇ ପାରେ, ତରୁଲତା କୁହାଯାଇ ପାରେ – ଏପରି କି ପର୍ବତ ଭିତରେ ସେ ଏକ ପର୍ବତ ବୋଲି ମଧ୍ୟ କୁହା ଯାଇପାରେ !!

ରାଜପୂରୀ, ଦେବମନ୍ଦିର, ନଅର, ଉଆସ, ବିହାର, ଉଦ୍ୟାନ, କୌଣସିଠାରେ ଏପରି ଖଣ୍ଡିଏ ହେଲେ ପଥର ନାହିଁ, ଯେଉଁଥିରେ କି ଭୀମ ଦାସର ହାତ ବାଜୀ ନାହିଁ । ପ୍ରତି ପଥର ଖଣ୍ଡ ସେ ନିଜର ହତିଆର ସାହାଯ୍ୟରେ ତାଡିଛି । ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ଦୀର୍ଘ ଷାଠିଏ ବର୍ଷ କାଳ ଖରା ସହି, ଶୀତ ଭୋଗୀ,ବର୍ଷା ଖାଇ ସେ ପର୍ବତକୁ ରମଣୀୟ ଉଆସରେ ପରିଣତ କରିଛି – ଅକର୍ମା ଶିଳାକୁ ଅଭିନବ ବେଶରେ ସଜାଇ ପାରିଛି । ଆଉ ସେ ନ କରିଛି କ’ଣ ?

ଏହି ଦୀର୍ଘ ଷାଠିଏ ବର୍ଷ ଭିତରେ କେତେ ଲୋକ ମଧୂପୁର ଗଡ଼ରରେ ଜନ୍ମ ହେଲେ, କେତେ ପୁଣି ଜନ୍ମ ଜରା ବ୍ୟାଧିର ସୀମା ପାର ହୋଇଗଲେ, କେତେ ବା ବିଳାସ ବିହାର ଲୋକଲୋଚନକୁ ଚମକାଇ ଦେଇ କୁଆଡ଼େ ଉଭେଇ ଗଲେ, କେତେ ପୁଣି ଦ୍ଵାରେ ଦ୍ଵାରେ ଭିକ ମାଗି ଅନ୍ଧାର ରାତିରେ ବାଟ ନ ପାଇ ହାହାକାରରେ ଅନାହାରରେ ଅବିଚାରରେ ଏ ବିଶ୍ଵ-ଜଗତର ସକଳ ସମ୍ବନ୍ଧ ତୁଟାଇ ଦେଇ ଗଲେ ……. କିନ୍ତୁ ଭୀମ ଦାସ ଏକା ପରି ବସିଛି । ସେ ସକାଳୁ ଉଠି ପିଠିକୁ ଖରାକୁ ଦେଖାଇ ଦେଇ ପଥର ତାଡୁଛି …. ତାଡୁ ତାଡୁ ତାଡୁ ବେଳ ବୁଡି ଯାଉଛି । ପନ୍ଦର ବର୍ଷ ବୟସର ତାର ଘନକୃଷ୍ଣ କେଶଗୁଚ୍ଛ, ଚିକ୍‌କଣ ଶରୀର କାନ୍ତି,ଆରକ୍ତ ଅଧର ତଳ, ବିମଳ ଲୋଚନ ଜ୍ୟୋତି, କୋମଳ ବଚନ, ନିରଳସ ଚାଲି, ନିରାଭରଣ ବେଶ ସବୁ କୁଆଡେ ଓଲଟ ପାଲଟ ହୋଇ ଯାଇଛି । ଭୂମିକମ୍ପରେ ପର୍ବତ ସମୁଦ୍ର ହୋଇ ସମୁଦ୍ର ପର୍ବତ ପାଲଟିଗଲା ପରି ଭୀମ ଦାସର ଜୀବନଟା ଏକ ଅଦ୍ଭୁତ ଭାବରେ ବଦଳି ଯାଇଛି । ସେ ଚାହୁଁଛି, କିନ୍ତୁ କିଛି ଦେଖୁନାହିଁ – ସେ କାମ କରୁଛି ; କିନ୍ତୁ କିଛି ହେଲେ ଜାଣି ପାରୁନାହିଁ – ସେ ରାତିରେ ନିଦରେ ଶୋଉଛି, ମାତ୍ର ଯୌବନର ସ୍ଵପ୍ନ ଦେଖୁ ନାହିଁ – ସେ ଦିନରେ ବାଟ ଚାଲୁଛି; ମାତ୍ର କାହାକୁ ପଥ ପଚାରୁ ନାହିଁ ।

ଏ ହେଲା ଭୀମ ଦାସର କଥା । ତେଣେ ରାଜ ଉଆସରେ ଘୋର ପରିବର୍ତ୍ତନ । ରାଜା ଆସି ରାଜା ଗଲେ । – ବୁଢ଼ା ରାଜା ପରେ ଯୁବରାଜ ରାଜଗାଦିରେ ବସିଲେ । ସେଠାରେ ମଧ୍ୟ ପରିବର୍ତ୍ତନ ସୀମା ସ୍ଥିର ରହିଲା ନାହିଁ । ଏତେ ଘନ ଘନ ପରିବର୍ତ୍ତନ ଭିତରେ ଦିନେ ହେଲେ କିଏ ସେହି ପଥରକୋରଡ ବାସୀ ଭୀମ ଦାସ କଥା ମନେ ପକାଇ ନ ଥିଲେ । ଦିନେ ପଥର କଟାର ଠକ୍‌ ଠକ୍‌ ଶବ୍ଦରେ ଉଆସ ଭିତରେ ଚମକି ପଶିଲା, ରାଜାଙ୍କ ପହୁଡ଼ରେ ବ୍ୟାଘାତ ଲାଗିଲା, ସଙ୍ଗେ ସଙ୍ଗେ ଆଦେଶ ହେଲା -“ଏ ଠକ୍‌ ଠକ୍‌ ଶବ୍ଦ ବନ୍ଦ କରାଅ – ବନ୍ଦ କରାଅ ।”

ନାଲିପଗଡି ବନ୍ଧା ହୁଦା ପିନ୍ଧା ପାଇକ ଯାଇ ବନବାସୀ ଭୀମ ଦାସ ପିଠିରେ ଚାବୁକ ଦେଇ କହିଦେଇ ଆସିଲେ -“ପହୁଡ ବେଳ, ପହୁଡ଼ ବେଳେ – କାମ ବନ୍ଦ୍‌ କର, ବନ୍ଦ୍‌ କର ! ”

ଦିନେ ନୁହେଁ, ଦୁଇ ଦିନ ନୁହେଁ, ମାସେ ଦି ମାସ ମଧ୍ୟ ନୁହେଁ, କେତେବର୍ଷ ଏହି ପରି ଚାଲିଲା । ଏହିପରି ନଅର ଭିତରେ ପହୁଡ଼ ହୁଏ । ଏହିପରି ପର୍ବତ ଭିତରେ ଶବ୍ଦ ହୁଏ, ପୁଣି ଏହିପରି ମନା ମଧ୍ୟ ହୁଏ – ତଥାପି ପଥର କଟା ବନ୍ଦ୍‌ ହୁଏ ନାହିଁ ।

ଠିକ୍‌ ପଚାଶବର୍ଷ ପରେ ଦିନକର ଘଟଣା । ରାଜା ବାହାରିଲେ ପାରିଧିକି । ବାପା ଯେଉଁ ଜଙ୍ଗଲରେ ପ୍ରଥମେ ପଶିବାକୁ ସାହସ ନ କରି ଟମକ ଦିଆଇ ଗଛପତ୍ର କଟାଇଥିଲେ, ନାତି ସେହି ଭିତରେ ନିର୍ଭୟରେ ଏକାକୀ ବିଚରଣ କଲେ । ପର୍ବତ ଦେଖିଥିଲା ଦିନେ ସେ ଦୃଶ୍ୟ – ଦେଖିଲା ପୁଣି ଦିନେ ଏ ଦୃଶ୍ୟ ! ସେ ହସିଲା କି କାନ୍ଦିଲା, ଜାଣି ହେଲା ନାହିଁ । କେବଳ ପବନର ସାଇଁ ସାଇଁ ଶବ୍ଦରେ ତା ବୁକୁ ଭିତରର କି ଗୋପନ କଥା ସେ ସଂସାରରେ ଶୁଣାଇ ଦେଲା । ସେତେବେଳକୁ ଭୀମ ଦାସ କିଛି ବାକି ରଖି ନାହିଁ ; ଏକା ହାତକେ ପର୍ବତର ଦେହଟାଯାକ ଗାତ କରି ପକାଇଛି !

ଗାତ ପରେ ଗାତ, ଗୁହା ପରେ ଗୁହା, କୁଞ୍ଜ ପରେ କୁଞ୍ଜ ପାର ହୋଇ ହୋଇ ରାଜା କ’ଣ ଖୋଜିବାରେ ଲାଗିଲେ । କ୍ଷୁଦ୍ର ପକ୍ଷୀଟିଏ ସୁଦ୍ଧା ଆଖିରେ ପଡିଲା ନାହିଁ । କେବଳ ଦୂରରେ ଶୁଭିଲା – ଠକ୍‌ ଠକ୍‌ ଠକ୍‌ ।

ରାଜା ସେହି ଶବ୍ଦ ଲକ୍ଷ୍ୟରେ ଯାଇ ଠାଏ ଦେଖିଲେ – ଗୋଟିଏ ପଥର ଗଦା ପାଖେ ଏକ ଅଶୀବର୍ଷର ଅସ୍ଥି ଚର୍ମର ଏକ ଗଦା ସତେ ଅବା ଥୁଆ ହୋଇଛି … ଭୀମ ଦାସ ଭୀମକର୍ମା ବୃକୋଦର ପରି ପଥର ବୁକୁ ଫଟାଇବାରେ ଲାଗିଛି ।

ରାଜା ତା’ର ପଛରେ ଠିଆ ହେଲେ, ସେ ବୁଲି ଚାହିଁଲା ନାହିଁ । କଡ ବୁଲି ପାଦ ଶବ୍ଦ କଲେ, ଟିକିଏ ହେଲେ ସେ ହଲଚଲ ହେଲା ନାହିଁ । ଆଗରେ ଆସି ଠିଆ ହେଲେ, ମୁଣ୍ଡ ସୁଦ୍ଧା ସେ ଟେକିଲା ନାହିଁ ।

ଶେଷରେ ରାଜା ପଚାରିଲା-

“ଶୁଣୁଛ ?”

ଭୀମ ଦାସ ମୁହାଁ ଟେକିଲା ।

“କଣ କରୁଛ ?”

“ପଥର କାଟୁଛି ।”

“ଏ ବୟସରେ ?”

“ବୟସ କଣ ?”

“କେତେ ବର୍ଷ ହେଲା ?”

“ମୁଁ ଜାଣେ ନାହିଁ ।”

ପାଖ ଲୋକେ ପହଞ୍ଚିଗଲେ । ରାଜା ଆଦେଶ ଦେଲେ – “ଏ ଲୋକକୁ ଉଆସକୁ ନେଇ ଚାଲ ।”

ଉଆସ ଭିତରେ ଭୀମ ଦାସ ପାଇଁ ସ୍ଵତନ୍ତ୍ର ଘର ଠିକ ହେଲା । ନୂଆ ଲୁଗା ଅଣା ଗଲା; ନୂଆ ଖଟ ତା ପାଇଁ ତିଆରି ହେଲା । ତା’ପାଇଁ ଚାକର ବାକର ରହିଲେ । ତାକୁ ରାଜସମ୍ମାନ ଦେଖାଗଲା ଏବଂ କହି ଦିଆଗଲା -“ଏ ମଧୂପୁର ଗଡ଼ ତୁମରୀ ହାତରେ ତିଆରି । ତୁମେ ଏବେ ବିଶ୍ରାମ ନିଅ ।”

ଭୀମ ଦାସ କିଛି ବୁଝିପାରିଲା ନାହିଁ ; ଖାଲି ପଦେ ମାତ୍ର କହିଲା – “ପଥର କାହିଁ ? ”

ସେହି ପଳିତକେଶ ଗଳିତଦନ୍ତ ବୃଦ୍ଧର ମୁହଁକୁ ଚାହିଁ ରାଜା କହିଲେ -“ପଥର ! ପଥର କ’ଣ କରିବ ? ଏଇ ଯେ ତୁମର ପଥର ଘର । ଆଉ ପଥର ଲୋଡା ନାହିଁ ।”

ଭୀମ ଦାସ କଣ ବୁଝିଲା କେଜାଣି, ଭୋ କିଣି କାନ୍ଦି ଉଠିଲା । ତା’ ପରେ ସେହି ଘରର ପଥର ଚଟାଣକୁ କୁଣ୍ଢାଇ ଧଇଲା ପରି ପଡ଼ିଯାଇ କହିଲା -“ପଥର! ପଥର!! ମୋଁ ପଥର !!!”

ସକାଳୁ ଦେଖାଗଲା ଭୀମ ଦାସ ସେ ଘରେ ନାହିଁ । ରାଜା ଅବାକ ହୋଇ ପୁଣି ସେହି ପର୍ବତ ଗୁହା ଆଡକୁ ଚାଲିଲେ । ଏ ଗହ୍ଵର, ସେ କୁଞ୍ଜ, ଏ ତରୁତଲ, ସେ କନ୍ଦରା, କେତେ କୁଆଡ଼େ ଖୋଜି ଖୋଜି ଯାଇ ଦେଖିଲେ ଭୀମ ଦାସ ଠାଏ ବସି ତାର ପଥର କଟା ହତିଆର ସବୁ ସଜାଡ଼ିବାରେ ଲାଗିଛି । ରାଜାଙ୍କୁ ଆଗରେ ଦେଖି ସେ ଚମକିଲା ନାହିଁ କି ସମ୍ମାନ ଦେଖାଇବା ପାଇଁ ଉଠି ଠିଆ ହେଲା ନାହିଁ ।

କେତେ ସମୟ ନୀରବରେ ଠିଆହେବା ପରେ ରାଜା ମନକୁ ମନ ଅତର୍କିତରେ ପ୍ରଶ୍ନ କଲେ –

“ଏ ମଣିଷ କୁ ଏପରି ପଥର କଲା କିଏ ? ”

ପର୍ବତର ପାଦତଳୁ ଶିଖର ଦେଶ ପର୍ଯ୍ୟନ୍ତ ସେହି ଏକା ତାନ ପ୍ରତିଧ୍ଵନିତ ହୋଇ ଉଠିଲା – “କିଏ-କିଏ-କିଏ ?”

ରାଜା ବିହ୍ଵଳରେ ସେହି ପ୍ରତିଧ୍ଵନିକୁ ପ୍ରତିଧ୍ଵନି ବୋଲି ମନେ ନ କରି ସେହି ‘କିଏ’ର ଉତ୍ତର ଦେଲେ -“କିଏ ? ମୁଁ ରାଜା ।”

ଏତେ ସମୟ ପରେ ଭୀମ ଦାସ ରାଜାକୁ କୁଣ୍ଢାଇ ପକାଇ, ତା’ର ସେହି ଶୁଖିଲା ଆଖି, ହାଡୁଆ ମୁହଁକୁ ଦେଖାଇ କହିଲା -“ରାଜା! ମୋ ରାଜା! ଯେ ମୋତେ ପଥର କାଟିବାକୁ ଆଦେଶ ଦେଇଥିଲେ, ସେହି ମୋର ରାଜା !”

ଜୀବନଟାକୁ ପଥର କରିବା ଭିତରେ ସେ ରାଜାଙ୍କୁ କେବେହେଲେ ଦେଖି ନ ଥିଲା ପରି ନିବିଡ଼ଭାବରେ ଜାକି ଧରି ପୁଣି ଠାରେ ; ଚିତ୍କାର କଲା-“ରାଜା, ରାଜା, ରାଜା ।”

ପର୍ବତରେ ପ୍ରତିଧ୍ଵନିର ଶେଷ ଶବ୍ଦ ଶୁଭିଲା -“ହାଃ -ହାଃ-ହା-ଆ-”

ସେ ବୋଧ ହୁଏ ରାଜାଙ୍କ ପ୍ରଶ୍ନର ଉତ୍ତର । ପର୍ବତ ଉପହାସ କଲା ।

ଲୋକପ୍ରିୟ ଲେଖା

To Top