ଗଳ୍ପ

ଏ ପ୍ରତିକ୍ଷାର ଅନ୍ତ କେବେ?

Paramita Mishra's odia story E Pratikshyara Anta Kebe ?

ସେ ଅଧିକାର ଦେଖେଇ ମୋ ଜେଜିମା କୁ କହେ ଏ ଖୁଡି ଏ ବର୍ଷ ଭଲ ଲୁଗା ଖଣ୍ଡେ କରି ଦେବୁ ଯେ, ତୋ ଜୋଇଁ ଆଇବ କଇଚି

ଏ ପ୍ରତିକ୍ଷାର ଅନ୍ତ କେବେ?

ମୋ ଜେଜେ ବାପାଙ୍କ ର ଗାଁ ରେ ଭଲ ନାଁ ଥାଏ । ଆଖପାଖ ଲୋକେ ନାଆଁ କହିଲେ ଚିହ୍ନନ୍ତି । ମୋ ପିଲାଦିନ ଗାଁ ରେ ବିତିଛି । ସହରର ଛଳନାରୁ ଦୁରେ ଗାଁ ର ବାସ୍ତବ ଦୁନିଆ ରେ ସରଳ ଲୋକ ମାନଙ୍କ ଭିତରେ ବଢିଛି । ପିଲାବେଳୁ ମୁଁ ତାକୁ ଦେଖି ଆସିଛି । ଯୌଥ ପରିବାର ଯେତେବେଳେ ସବୁ ଭଲମନ୍ଦ, ପୁଜାପର୍ବ, ବିଭାବ୍ରତ ରେ ତାର ଉପସ୍ଥିତି ଅନିବାର୍ଯ୍ୟ । କୁଅ ରୁ ପାଣି କଢା ଠୁ ନେଇ ପରିବାକଟା ତଥା ସାହିରେ ନୁଆଁ ବୋହୁର ଭାର ବଣ୍ଟି ସବୁଥିରେ ନିପୁଣ ସେ । କୋଉ କାମ ବଳି ଯାଏନି ତମ୍ପା ନାନି କୁ ।

ତମ୍ପା କେଉଁ ଜୀବର ନାମ ନୁହେଁ ଏଠି ତାହା ଏକ ସୁସ୍ୱାଦୁ ଓଡିଆ ମିଷ୍ଟାନ୍ନ ର ନାମ । ଆମ ଗାଁ ଏକ ଚାଷ ବହୁଳ ଗାଁ ତେଣୁ ଏଠି ଲୋକ ମାନେ ସାରା ଦିନ ଚାଷ ଜମି ରେ ଖଟନ୍ତି । ସେମାନଙ୍କ ନିତି ଦିନିଆ ଆହାର ହେଲା ମାଣ୍ଡିଆ ଜାଉ । ମାଣ୍ଡିଆ କୁ ଘୋରି ପଖାଳରେ ତୋରାଣି ଦେଇ ତା ସାଥିରେ କଞ୍ଚା ପିଆଜ କି ପୋଡ଼ା ଶୁଖୁଆ ଆଃ, ସାରା ଦିନ ଆଉ ଭୋକ ନାଇଁ । ଏଇ ମାଣ୍ଡିଆରେ ଆଉ ଏକ ମିଠା ବ୍ୟଞ୍ଜନ ବନେ । ମାଣ୍ଡିଆ ଚୁନା କୁ ଫୁଟିଲା କ୍ଷୀର ରେ ଚିନି, ଅଲେଇଚ ଆଉ ଶୁଖିଲା ଫଳ ଦେଇ ସେଥିରେ ଘଣ୍ଟା ଯାଏ । ଥାଳି ରେ ଗୁଆ ଘିଅ ଲଗେଇ ତାକୁ ସେଥିରେ ସମତଳ କରି ରଖାଯାଏ । ସମ୍ପୂର୍ଣ୍ଣ ଥଣ୍ଡା ହେଲା ପରେ ତାକୁ ଗଡି ଗଡି କରି ଖିଆଯାଏ । ସତରେ ଭାରି ସୁଆଦିଆ ଏ ବ୍ୟଞ୍ଜନ ଟି । କହିବା ବାହୁଲ୍ୟ ପାଠକ କେହି କେହି ଏହି ତମ୍ପା ନାମ ସହ ପରିଚିତ ନଥିବେ ତେଣୁ । ଯଦିଓ ତମ୍ପା ରୁପରେ ଅତ୍ୟନ୍ତ କୁରୁପ କିନ୍ତୁ ସେ ଗୁଣର ଖଣି । ବଡ ଆଶ୍ଚର୍ଯ୍ୟ ର କଥା ଯେ ମୋ କାହାଣୀ ର ନାୟିକା ତମ୍ପା ନାନି ଦେଖିବାକୁ ଖୁବ୍ ସୁନ୍ଦର ଗୁଣରେ ବି ଭଲ କିନ୍ତୁ ତା ନାଁ ଟି ଯେ କାହିଁକି କେଜାଣି ତମ୍ପା !

ତା ସହ ମୋର ସମ୍ପର୍କ ଯେ କଣ ମୁଁ ବିଶେଷ ଜାଣେନା । ମୋ ଜେଜେଙ୍କୁ କକା ଡାକେ, ମୋ ବୋଉ, ଖୁଡୀ କୁ ସେ ଭାଉଜ ଡାକେ ଆଉ ଘରେ ସବୁ ତାକୁ ନାନୀ ଡାକନ୍ତି ତ ମୁଁ ବି ତାକୁ ନାନି ଡାକେ। ବୋଉ ତା’ର ପରିଚୟ ଥରେ କହିଥିଲେ କିନ୍ତୁ ସେସବୁ କଥାମୋ ମୁଣ୍ଡ ଉପର ଦେଇ ଚାଲିଗଲା । ତେଣୁ ମୁଁ ବି ଆଉ ତା ପରିଚୟ ଜାଣିବାକୁ ଚାହିଁଲିନି । ସେ ଥିଲା ଆମ ତମ୍ପା ନାନି । କପାଳରେ ମେଞ୍ଚାଏ ସିନ୍ଦୁର ଯେ ଛୁଟି ଧୋଇଲେ ବି ତାର ସେ ସିନ୍ଦୁର ଯାଏନି । ଗୋଡରେ ଅଳତା ରଙ୍ଗ କେବେ ଫିକା ପଡ଼େନି ତାର, ଗଭା ରେ ନିତି କି ନାଇଁ କି ଫୁଲ ଟେ ମାରି ହିଁ ଥିବ ଆଉ ଦେହ ତ ତାର ଏମିତିରେ ବି ହଳଦୀ ରଙ୍ଗ ର । ଆମ ଘରଠୁ ଅଳ୍ପ ଦୁରରେ ତାର ଘର । ନିତି କାଖରେ ଗୋଟେ ଲୁଗାକୁ ଜାକି ଆର ହାତରେ ମେଞ୍ଚେ ଗୁଡାଖୁ ଧରି ଆମରି ଘର ଦେଇ ବନ୍ଧକୁ ଗାଧେଇବାକୁ ଯାଏ । ମତେ ଦେଖିଲେ ପଚାରିବ “ଝିଅ ବଇଚୁ, ଅଇଥା ମୁଁ ଆଉଚି ତୋ ମୁଣ୍ଡ ଆମ୍ପିଦେବି”।

ସାବିତ୍ରୀ କି ଦଶହରା ପୁଜା ଆମ ଘରେ ହୁଏ । ସମସ୍ତଙ୍କ ଆଗରେ ଆସି ସବୁ ଗଲା ପରେ ସେ ଯାଏ । ବଡ ସୁନ୍ଦର ଦିଶୁଥାଏ ସେ ସେଦିନ ସତେ । ସାହି ମାଇକିନା ମାନେ ତାକୁ ଦେଖି ଟୁପୁରୁଟାପର ହୁଅନ୍ତି “ଉହହ୍ ତୁଛାକୁ ଏତେ, ମୁଦି ନାହିଁ ଗୋଡ କଚାଡୁ କେତେ। ଗେରସ୍ତ ମଲାଣି କି ଗଲାଣି ମାଇପ ର ରଂଗ ସରୁନି। ଦେଖୁନ ବୁଢିଟେ ହେଲାଣି ଆହୁରି କେତେ ସଜେଇ ହେବାକୁ ମନ ।” ତମ୍ପା ନାନି ସତେକି ଶୁଣି କି ବି ନଶୁଣିଲା ପରି ଅଭିନୟ କରେ । ହଁ ଏଇ ଦାନ୍ତ ନେଫେଡେଇ ହସିହସି କଥାକହି ସବୁଥିରେ ଧୁରନ୍ଧର ନାନୀ ର ଜୀବନ କିନ୍ତୁ ଭାରି ଦୁଃଖଦାୟକ । ପିଲାଟେ ହେଇଥିଲା ବିଭା ହୋଇ ଗେରସ୍ତ ସାଙ୍ଗେ ଏ ଗାଁ କୁ ଆସିଥିଲା । ସାନ ପୁଅ ଜନ୍ମ କରିବାକୁ ମାଆ ଘରେ ଅଛି ଶୁଣିଲା ତା ସ୍ୱାମୀ କୁଆଡେ ଚାଲିଜାଇଛି । ଶାଶୁ ତ ତଣ୍ଟିଆ ଦେଇ ଘରୁ କାଢୁଥିଲା ହେଲେ ହାତରେ ସୁନ୍ଦର ଗୁଲୁଗୁଲିଆ ନାତି ଟୋକାକୁ ଦେଖି ତା ମନ ତରଳିଗଲା । ଅଛି ଯେ ଅଛି ସେ ଏବେ ଆସି ବୁଢି ଟେ ହେଲାଣି । ଜୋଡିଏ ପୁଅ ଜନମ କରିଥିଲା । ସାନ ପୁଅ ତି ମାଇପ କୁ ଧରି ଆଉ କୋଉଠି ଜାଇ ରହୁଛି ଆଉ ବଡ ପୁଅ ଟା ଭଲ କୁ ନାଇ କି ଭାଲ କୁ ନାଇ। ତା ନାଁ ଟା ବି ଭୁଲା । ଗୋଟେ ହାତ ପୁଣି କେମ୍ପା । ହେଲେ ଧକ୍କା ମାରିଲେ ବି ମାଆ କୁ ଛାଡିକି ଯାଏନି । ନାନି କେତେ ଥର ତାକୁ ଘଉଡାଏ “ତୁ ଯା ତୋ ଜୀବନ ତୁ ଜିଁ” ରାଗିକି ଚାଲିଯାଏ । ଭିକଭୁକ ମାଗି କେତେ ଜିନିଷ ଏକାଠି କରି ପୁଣି ଫେରିଆସେ ଭୁଲା ତା ମାଆ ପାଖକୁ । ପଚାରିଲେ କହେ ମୋ ନନା କୁ ଖୋଜି ଜାଇଥିଲି । ଏ ଜିନିଷ ସବୁ ମୋ ନନା ଦେଇଚି ମୋ ବୋଉ ପାଇଁ। “ନାନି କାନିରେ ଭୁଲାର ମୁହଁ ଦେହକୁ ପୋଛିପକାଏ ଆଉ ପାଛୋଟି ଘରକୁ ନିଏ ତାକୁ। ଆଖିର ଲୁହ କୁ ଠଙ୍ଗୀ ରେ ପୋଛି ପକାଏ ନାନୀ।

ପ୍ରତିବର୍ଷ ଆମ ଘରୁ ଚାରି ଛଅ ଖଣ୍ଡ ଲୁଗା ତା ପାଇଁ ହେଉଥିଲା । ସେମିତି ଗାଁ ର ଆଉ କେତେ ଘରେ ବି ତାର ଆଦର ଥିଲା । ନହେଲେ ବି ସେ ଅଧିକାର ଦେଖେଇ ମୋ ଜେଜିମା କୁ କହେ ଏ ଖୁଡି ଏ ବର୍ଷ ଭଲ ଲୁଗା ଖଣ୍ଡେ କରି ଦେବୁ ଯେ, ତୋ ଜୋଇଁ ଆଇବ କଇଚି ” । ଧିରେ ଧିରେ ସମୟ ବଦଳୁ ଥିଲା । ମୁଁ ବି ପାଠ ଶାଠ ପାଇଁ ବାହାରକୁ ଚାଲିଆସିଲି । ମଝିରେ ମଝିରେ ଗାଁ କୁ ଗଲେ ବି ବେଶି ସମୟ ନଥାଏ । କିଛି ବର୍ଷ ଉତାରୁ ଥରେ ଗାଁ କୁ ଜିବାର ସୁଯୋଗ ମିଲିଲା । ଏକ ଭୋଜିର ମଉକା ଥିଲା । ଘରେ କଥାହେଉଥିବା ମୋ କାନରେ ପଡିଲା ” ତମ୍ପା ନାନି ଥିଲେ ତାକୁ ଏତକ କାମ ବଳକା ଖାଲି ସୁନ୍ଦର ଲୁଗା ଖଣ୍ଡେ ଦେଇଦେଲେ ଉଛୁଳି ଉଛୁଳି ସବୁ କାମ କରିଦେଇଥାନ୍ତି ।” ମୋ ଆଖି ଆଗରେ ନାନିର ରୁପ ଟେ ଆଙ୍କି ହୋଇଯାଉଥିଲା । ମାନେ ପଡି ଯାଉଥିଲା ତାର ମୋ ପ୍ରତି ସ୍ନେହ । ମୋ ମୁଣ୍ଡ ରେ ତେଲ ଲଗେଇ ଦେବା ମୁଣ୍ଡ କୁଣ୍ଡାଇ ଦେବା ଆଉ ପିଲା ବେଳ ର ସେ ସବୁ ସ୍ମୃତି । ଅକସ୍ମାତ ମୁଁ ଦୌଡି ଗଲି ନାନି ର ଘର ଆଡକୁ । କିନ୍ତୁ ସେଠିଯେ ମାଟି ଉଇର ଏକ ଧ୍ୱଂସ ସ୍ତୁପ ଥିଲା ଜାହା । ମୁଁ ଭାବିଲି ନିଶ୍ଚୟ ଅନ୍ୟ କୋଇଠି ଘରତୋଳି ଚାଲିଗଲା । ନହେଲେ ମୋ ଜେଜେମା ଠୂ କେତେ ସାନ ସେ ଆଉ ମରି ନା ଜିବ । ମନଟା ଭଲ ଲାଗୁ ନଥିଲା । ଘରକୁ ଆସି ଜେଜେମା କୁ ପଚାରିଲି ତ ଜେଜେମା କହିଲେ ” କହନା ତା କଥା

ତାର କଣ ହେଲା କିଏ ଜାଣିଛି। କେତେ ଦିନ ଯାଏଁ ଖାଲି ସଜଧଜ ହୋଇ ଆସି ଓଳଗି ହୁଏ. କହେ ଖୁଡୀ ଗୋ ତାଁକେ ଆସିବେ କଇଛନ୍ତି । ମୁଁ ଜାଉଛି ରାନ୍ଧବାଢ କରିବି । ଦିନେ ତ କୁଅ ଭିତରେ ଡେଇଥିଲା । କହିଲେ କୁଅ ରେ ଭୁଲା ନନା ଅଛି । ଡାକୁଛି ମତେ । ବନ୍ଧ ମୂଳେ କେତେ ଲୋକ ଥିଲେ ବୋଲି ତାକୁ କାଢିଲେ । ସେଠୁ କେତେ ଦିନ ପରେ ତିନି ସଂଧ୍ୟା ବେଳ ଟାରେ ଧାଈ ଆସିଲା । ମୁଁ ଜାଉଛି ଭୁଲାର ନନା ଖବର ପଠେଇଛି ଆସିବାକୁ । ଆଜି ରାତିରେ ଦି ଘଡିକି ମୁଁ ଜିବି । ଓଳିଗି ହେଉଛି ଆଉ ଭାଉଜ ଆଉ ପିଲା ମାନଙ୍କୁ ଭଉତୁ କିରି କଇବ । ଝିଅ ଟାକୁ ଟିକେ ଦେଖିଥାତି । ଏଡେ ଜୋରରେ ତାକୁ ଶ୍ଵାସ ଉଠୁଥିଲା। ନିଶ୍ୱାସ ନେଇପାରୁନଥିଲା । ଓଳିଗି ହୋଇ ଚାଲିଗଲା. ତା ବାସୀ ଦିନ ଘରେ ମରିକି ପଡିଚି ଲୋ ଝିଅ । କୋ କାଳେ ତା ଗେରସ୍ତ ଶାଢ଼ି ଟେ ଆଣିଥିଲା ତାକୁ ଗୁଡେଇ ହୋଉଛି, ପାଦ ହାତ ସବୁ ଅଳତା, ମୁହଁ ସାରା ସିନ୍ଦୁର ବୋଲିକି ବଡ ବିକଟାଳ ଦିଶୁଥିଲା । ଜେଜେମା ର କଥା ଶୁଣି ସ୍ତବ୍ଧ ହୋଇ ବସି ଜାଇଥିଲି । ତଥାପି ଜେଜେମା କହୁଥିଲା । ଯେଉଁ ମାନେ ତଳ ଦିନେ ତମ୍ପା ନାନି କୁ ଟାହିଟାପରା କରୁଥିଲେ ସେଠି ଠିଆ ହୋଇ କହୁଥିଲେ “କେଡେ ଭଲ ମାଇକିନା ଟା ଥିଲା ଲୋ, କେଡେ ଦୁଃଖ ଜନମ ତାର ମରି ଗଲାନି ଯେ ତରି ଗଲା”।

କାନ୍ଦି ବାକୁ ଭାରି ଇଚ୍ଛା ହେଉଥାଏ । ମୁଁ ଧିରସ୍ଥିର ବସି କେବଳ ତାର ରୂପ ଟିକୁ ମନରେ ଭାବୁଥାଏ । ଜେଜେମା କହୁଥିଲା ତମ୍ପା ନାନି କୁ ଅହ୍ୟ ସୁଲକ୍ଷଣୀ କରି ଶ୍ମଶାନକୁ ନେଲେ। ତା ପୁଅ ଭୁଲା ଠେଙ୍ଗା ଧରି ସମସ୍ତଙ୍କୁ ମାରି ଗୋଡାଉ ଥିଲା ତା ମାଆ ଶୋଇଛି । ତାକୁ ପୋଡିଦେଲେ ବୋଲି ରାଗିକି ଦରପୋଡା ନାନି କୁ ଟାଣି ଆଣିଥିଲା ସେ । ନାନିର ସ୍ୱାମୀର କିଛି ଖୋଜଖବର ନାହିଁ ସେଥିପାଇଁ ନାନି ସଂସ୍କାର ପୁର୍ବରୁ କଦଳୀ ଗଛଟିଏ ତା ସ୍ୱାମୀ ବୋଲି ପୋଡିଦେଲେ । ଭୁଲାର ସେବେଠୁ ଆଉ କିଛି ଅତା ପତା ନାହିଁ ।

ବହୁତ ସମୟ ପର୍ଯ୍ୟନ୍ତ ସେ ବିଷୟରେ ଭାବୁ ଭାବୁ ମୋ ମନ ଶେଷରେ ମତେ ଗୋଟିଏ କଥା କହିଲା

ପ୍ରତୀକ୍ଷା ର ଅନ୍ତ ହେଲା…

Click to comment

Leave a Reply

Your email address will not be published. Required fields are marked *

ଲୋକପ୍ରିୟ ଲେଖା

To Top