ଗଳ୍ପ

ଏଇ ତ ଜୀବନ

ମନେ ମନେ ଭାବିଲି… ଓଡ଼ିଶା ଭଳି ରାଇଜ, ଯେଉଁଠି ସ୍ୱାମୀ ହୁଏ ଘରର ମୁରବୀ, ସ୍ୱାମୀ ପାଏ ପୂଜା, ସେଠି ପୁଣି ଶଙ୍ଖା ସିନ୍ଦୁର ପିନ୍ଧି ସ୍ୱାମୀ ର ନାଁ ରେ ଭିକାରୁଣୀଟି ହାଟ ବସେଇଛି !

ଏଇ ତ ଜୀବନ

ସେ ଦିନ ନିଛାଟିଆ ଖରାରେ ସାଲେପୁର ଯିବାକୁ ବସ୍‌ଷ୍ଟାଣ୍ଡ୍‌ରେ ଅପେକ୍ଷା କରିଥିବା ବେଳେ ପୂର୍ବ ପରିଚିତ ବୁଢ଼ି ଭିକାରୁଣୀଟିଏ ଆସି ଆଗରେ ଠିଆ ହୋଇଗଲା । ବିସ୍ପାରିତ ଆଖିରେ ମୁଁ ତାକୁ ଚାହିଁ ରହିଲି । ସିଲ୍‌ଭର ବାଟିଟି ହଲେଇ କହିଲା “ବାବୁ ମୋ ସ୍ୱାମୀଙ୍କର ଗୋଡ଼ ଭାଙ୍ଗି ଯାଇଛି, ଅପରେସନ୍ ହେବ କିଛି ସାହାଯ୍ୟ କର” କିଛି କ୍ଷଣ ପାଇ ସ୍ତମ୍ଭିତ ହୋଇଗଲି ମୁଁ । ଚାରିଦିନ ଆଗରୁ ଏହି ଭିକାରୁଣୀଟି ବସ୍ ପାଇଁ ଅପେକ୍ଷା କଲାବେଳେ କିଛି ସାହାଯ୍ୟ ତାଙ୍କୁ ମାଗିଥିଲା ତାର ଉଦ୍ଦେଶ୍ୟ ଥିଲା ସ୍ୱାମୀର ପେଟ ଅପରେସନ୍ କୁ ନେଇ । ଆଜି ପୁଣି ତା’ର ସ୍ୱାମୀର ଗୋଡ଼ ଭାଙ୍ଗି ଯାଇଛି । କାହିଁକି କେଜାଣି କଥାଟା ଏକ୍‌ଦମ୍ ମିଛ ବୋଲି ମନେହେଲା । ତାକୁ ନ ଦେଖିଲା ଭଙ୍ଗିରେ ମୁଁ ଯାଇ ବସ୍ ପାଇଁ ବରଗଛ ତଳେ ଠିଆ ହୋଇଗଲି । ମନେ ମନେ ଭାବିଲି… ଓଡ଼ିଶା ଭଳି ରାଇଜ, ଯେଉଁଠି ସ୍ୱାମୀ ହୁଏ ଘରର ମୁରବୀ, ସ୍ୱାମୀ ପାଏ ପୂଜା, ସେଠି ପୁଣି ଶଙ୍ଖା ସିନ୍ଦୁର ପିନ୍ଧି ସ୍ୱାମୀ ର ନାଁ ରେ ଭିକାରୁଣୀଟି ହାଟ ବସେଇଛି ! ମନ କଥା ମନରେ ମାରି ଭିକାରୁଣୀଟିକୁ ଚାହିଁ ରହିଲି ମୁଁ । କୋଟରାଗତ ଆଖି ଦୁଇଟି ନିଷ୍ପ୍ରଭ ଦିଶୁଥିଲା ତା’ର ଚିରା ସାତ ସିଆଁ ଶାଢୀ ଟିକୁ ଟାଣି ମୁଣ୍ଡରେ ଓଢ଼ଣାଟିଏ ଟାଣି କ୍ଳାନ୍ତ ଅବଶ ଦେହଟିକୁ ଧରି ମୁଁ ଠିଆ ହୋଇଥିବା ଗଛ ତଳେ ଆସି ଆଉଜି ବସିଲା ସେ । ବାହାରେ ତ୍ରିପଣ୍ଡ ଖରା, ସରକାରୀ ବସ୍ ଚଳାଚଳ ବନ୍ଦ, ପ୍ରାଇଭେଟ୍ ବସ୍ କିମ୍ୱା ଟ୍ରେକର ଟିରେ ଜାଗା ମିଳି ଗଲେ ରକ୍ଷା ମିଳି ଯାଆନ୍ତା ।

ଭିକାରୁଣୀଟି ଅଭିମାନ କଲା ପରି ମୋତେ ମୁହଁ ବୁଲେଇ ବସିଥାଏ । ଦଶଟଙ୍କା ଟିଏ ପକେଟରୁ କାଢି ମୁଁ ତା ଆଡ଼କୁ ବଢ଼େଇ ଦେଲି । ମୁହଁକୁ ତଳକୁ କରି ମୋ ହାତରୁ ସେ ନେଇଗଲା । ଦିନଟା ଯାକର ଉପାର୍ଜନ ସତେ ଯେପରି ସେ କରି ପକେଇଲା । ସେ ବଳ ସଞ୍ଚାର କରି ଉଠି ପଡ଼ି ଧିରେ ଧିରେ ପାଖବସ୍ତି ଆଡେ ସେ ମୁହାଁଇଲା, ଦୁରରୁ ମୁଁ ଲକ୍ଷ୍ୟ କରି ଦେଖିଲି । ଦୁଇଟି କୁଡ଼ିଆ ଛାଡି ତୃତୀୟ କୁଡ଼ିଆରେ ଭିକାରୁଣୀଟି ପଶୁ ପଶୁ ଦିଓଟି ପିଲା ଦଉଡି ଆସି ବୁଢୀକୁ କୁଣ୍ଢେଇ ପକେଇଲେ । ସାମାନ୍ୟ ଦଶଟି ଟଙ୍କାରେ ତା’ର ଓରିମାନା ମେଣ୍ଟିଗଲା । ତାଳ ବରଡାରେ ଛାଇ କୁଡିଆଟି ଭିତରୁ ଦୁଇଟି ଲଙ୍ଗଳା ଛୁଆ ଦଉଡି ଆସି ପାଖ ଦୋକାନରୁ ବୋଧହୁଏ ଚୂଡ଼ା – ଚିନି କିଣି କରି ନେଇଗଲେ । ଏସବୁ ଦୃଶ୍ୟ ଦେଖି କାହିଁକି କେଜାଣି ଭିକାରୁଣୀଟିକୁ କରିଥିବା ବ୍ୟବହାରରେ ହୃଦୟ ମୋର ଫାଟି ଉଠିଲା । ଆଖିରେ ଆଖିଏ ଲୁହ ଜକେଇ ଆସିଲା ।

ବସ୍ ବା କୌଣସି ଯାନ ନପାଇ ଆଗ ଛକକୁ ଯିବାପାଇଁ ରିକ୍ସାଟିଏ ଡାକିଲି । ରିକ୍ସା ବାଲାଟାକୁ ଅନିଶା କରିଥିଲି ଭିକାରୁଣୀଟିର ବସ୍ତିରୁ ଆସୁଥିଲା ବୋଲି । ରିକ୍ସାରେ ବସୁ ବସୁ ଅତ୍ୟନ୍ତ ଜିଜ୍ଞାସା ସହିତ ପଚାରିଲି “କିରେ, ଏଇ ଆଗ ବସ୍ତିରେ ରୁହ”? ନମ୍ର ସହକାରେ ରିକ୍ସା ବାଲାଟି କହିଲା, ହଁ ବାବୁ, ହେଲେ ଆଜିତ ଷ୍ଟ୍ରାଇକ୍, ଆପଣ ଯିବେ କେମିତି ? ଗାଡି ଘୋଡା ତ କାଲି ଯାଏ ବନ୍ଦ । ମୃଦୁ ହସି ମୁଁ କହିଲି “ହଁ ରେ ଏକ ଟ୍ରେକର୍ ଗାଡିକି-ପ୍ରାଇଭେଟ୍ କ୍ୟାଣ୍ଟର୍ ମିଳିଯିବ ନି କି ?” ଭିକାରୁଣୀଟିର ବ୍ୟକ୍ତିତ୍ୱ ମୋ ମନରେ ଗାଢ ଛାପ ଆଙ୍କି ଦେଇଥିଲା । ସ୍ଥିର ରହି ମୁଁ ନିଜର ଜିଜ୍ଞାସା କୁ ରୋକି ନ ପାରି ପଚାରି ପକେଇଲି । “ଆରେ, ସେ ବୁଢୀ ଭିକାରୁଣୀର ଘର ତୋ ବସ୍ତିରେ ନା ?” ମୁଣ୍ଡ ହଲାଇ ସମ୍ମତି ଜଣାଇଲା ରିକ୍ସାବାଲାଟା ମୁଁ କହିଲି “ସତରେ କ’ଣ ତା ସ୍ୱାମୀ ଦେହ ଖରାପ, ତା’ର ଅପରେସନ୍ ହେବ ?” ନାଇଁ ଆଜ୍ଞା ହସିକରି ରିକ୍ସାବାଲାଟା ଉତ୍ତର ଦେଲା ।

ଅତି ଆଗ୍ରହର ସହିତ ମୁଁ ପଚାରି ଉଠିଲି – ତା ହେଲେ ସେ କାହିଁକି ଭିକ ମାଗୁନି ? ମୋର ଭିକାରୁଣୀଟି ବିଷୟରେ ଜାଣିବାର ଉତ୍କଣ୍ଠାକୁ ନେଇ ରିକ୍ସାବାଲା ବିଶଦ ବିବରଣୀ ଦେବାକୁ ଲାଗିଲା । ଜାଣିଲେ ବାବୁ’ ବୁଢୀଟା ଭଲ ଲୋକ । କିନ୍ତୁ କ’ଣ କରିବ ? ତା’ ବୁଢା କୋଢିଆଟା ଏ ମନ୍ଦିର ସେମନ୍ଦିର ବୁଲି ବୁଢା ପେଟ ପାଉଣା କରେ । ବୁଢାଟା ବି ଅଫିିମିଆଟା । ବୁଢା ବୁଢୀଙ୍କର ଗୋଟିଏ ଝିଅ ଛଡା କେହି ନାହିଁ । ବୁଢୀର ଝିଅ ଗୋଟେ ବାବୁ ଘରେ ଚାକରାଣୀ ଥିଲା । ସାତ ବରଷ ପରେ ଦୁଇଟି ଛୁଆ ସାଥିରେ ଧରି ଏଇଠାକୁ ଆସିଲା । ବାବୁଆଣୀ ଧମକ ଦେଲେ ତୋ’ ଝିଅ କଲିକତାରେ ଥିଲା । ବାହା ହୋଇଥିଲା, ତା’ ଲୋକ ତାକୁ ଛାଡିଦେଲା । ବୁଢୀ ସବୁକିଛି ଜାଣି ଥିଲେବି ବାବୁ-ବାବୁଆଣୀଙ୍କୁ କିଛି କହି ପାରିନଥିଲା । ଝିଅ ତା’ର ବାର ବାର ଅଝଟ କଲା, ଥାନା ବାବୁକୁ ଯାଇ ଏ ବିଷୟରେ ଫେରାଦ ଦେବା ପାଇଁ ଯେ, ମତେ ବାବୁ-ବାବୁଆଣୀ କଲିକତାରେ ବିକି ଦେଇଥିଲେ । ବୁଢୀ ଜମା ହେୟଜ୍ଞାନ କଲା ନାହିଁ । ବେଳେ ବେଳେ ଅ’ଧ ରାତିରେ ବୁଢୀ ତା’ ଝିଅ ମାରପିଟ୍ ହୁଅନ୍ତି । ଝିଅ ଅଳି କରେ ବାବୁ-ବାବୁଆଣୀଙ୍କର ମୁଖା ଖୋଲିବା ପାଇଁ । ବୁଢୀ କିନ୍ତୁ ସାହାସ କରେ ନାହିାଁ ରିକ୍ସାବାଲା କଥାରେ ଉତ୍ତ୍ୟକ୍ତ ହୋଇ ପାଟିରୁ ମୋର ବାହାରିଗଲା, ଆଉ ତୁମ ସାହିବାଲା କ’ଣ କରୁଥିଲେ ? ଝିଅ ହୋଇ ଦେଖିଲ ? ମୁହଁଟିକୁ ବଙ୍କେଇ ରିକ୍ସାବାଲାଟି ତରାଟି ଚାହିଁଁ କହିଲା ହଁ ବାବୁ ଆମ ମୁଖିଆ ଓ ଆମେ ସମସ୍ତେ ବୁଢୀକୁ କହିଲୁ ଚାଲ ଏକା ସାଥିରେ ଥାନାରେ ଏତଲା ଦେବା, କିନ୍ତୁ ବୁଢୀ ମନା କଲା କହିଲା, ଆଉ ଭାଗ୍ୟରେ ଯାହା ଅଛି ଆଦରିବା । ଆମେ ତାଙ୍କ ଗୋଡ ଧୂଳିକୁ ସରି ନୁହଁ । ତାଙ୍କ ସଙ୍ଗେ କାହିଁକି ଲାଗିବା ?

କାହିଁକି କେଜାଣି ମୋ ମନକୁ ଆସିଲା । ସମ୍ଭାଳି ନ ପାରି ମୁଁ ପଚାରିଲି । ଆଚ୍ଛା ସେ ବୁଢୀ ଯଦି ଏତେ ଭଲ ତା ସ୍ୱାମୀ ନାଁରେ ମିଛ କାହିଁକି କହି ହାତ ପତଉଛି କିରେ ? ଚଢ଼ା ଗଳାରେ ରିକ୍ସାବାଲାଟି କହିଲା “ଆଜ୍ଞା ବୁଢ଼ି ସିନା ତା’ ପରିବାରର ପେଟ ପୋଷିବା ପାଇଁ ମିଛ କହୁଛି କିନ୍ତୁ ଅଫିମିଆ ବୁଢାକୁ ସେ ଭାରି ଭଲ ପାଏ । ଯାହା ଯେଉଁଠୁ ଖାଇବା ଜିନିଷ ବୁଢ଼ୀ ପାଏ, ନିଶ୍ଚେ ସାଇତି ରଖେ । ସନ୍ଧ୍ୟା ହେଲେ ବୁଢୀ, ବୁଢାର ଘଣ୍ଟା ଘଣ୍ଟା ସେବା କରେ । କେତେ ବେଳେ ତେଲ ମାଲିସ କରେ ତ କେତେ ବେଳେ ଦେହ ମୁଣ୍ଡ ତା’ର ମୋଡ଼ି ଘସି ଦିଏ । ଜାଣିଲ ବାବୁ ବୁଢୀର ବୁଢ଼ା, କ୍ଷଣେ ବୁଢାକୁ ଛାଡ଼ିଲେ, ବୁଢ଼ୀ ଚଳି ପାରିବ ନାହିଁ । ମନେମନେ ମୁଁ ହସି ପକାଇଲି, ଯେହେତୁ ବୁଢ଼ୀ ଓଡ଼ିଆଣୀ ନାରୀ, ଜନନୀ ମଧ୍ୟ । ସେ ନିଜ ସଂସ୍କୃତିକୁ ଭୁଲିନାହିଁ । ଦିନଯାକ ମିଛ ପ୍ରହସନ କରି ବୁଢ଼ା ନାଁ ରେ ପରିବାର ପାଇଁ ଗୁଜୁରାଣ ମେଣ୍ଟଉ ଥିଲେ ମଧ୍ୟ ରାତିରେ ନିଜ ଘରେ ନିଜ ସ୍ୱାମୀ, ଯାହା ହେଉନା କାହିଁ ତାର ସେବା କରିବାକୁ ସେ ପଛେଇ ନଥାଏ ।

ମୋ ଆଖି ଆଗରେ ଭାସିଗଲା ଭିକାରୁଣୀଟିର ବିଶାଦ ଗ୍ରସ୍ତ ମୁଖ । ହୃଦୟ ଭିତରେ ଥରି ଉଠିଲା କେତୋଟି ଶବ୍ଦ – ସେ ନମସ୍ୟ, ସେ ପୂଣ୍ୟବତୀ, ସେ ଜନନୀ । ନିଜେ ସତେ ଯେପରି ବିରାଟ ଭୁଲ୍ ମୁଁ କରିଛି, ଏପରି ଅସମାହିତ ପ୍ରଶ୍ନ ମୋ ମନକୁ ଆନ୍ଦୋଳିତ କରି ପକେଇଲା । ଦୁଇ ହାତକୁ ଯୋଡ଼ି ଚକାନୟନକୁ ସୁମରି ପକେଇଲି ମୁଁ । ରିକ୍ସାବାଲାଟିକୁ ଟଙ୍କା ବଢ଼େଇ ଆଗକୁ ପାଦ ବଢ଼େଇଲି ।

ଲୋକପ୍ରିୟ ଲେଖା

To Top