ଗଳ୍ପ

ଏବେ ବି ଅସ୍ପୃଶ୍ୟ

Dr Nilamani Lenka's odia story Ebe Bi Asprushya

ଚାକିରୀରୁ, ପାଠପଢ଼ାରୁ ସ୍ଥାନ ସଂରକ୍ଷଣ ଉଠିଯାଉ । ଯୁଗ ଯୁଗ ଧରି ମହାପୁରୁଷମାନେ ଜାତି ଧର୍ମ ଭେଦଭାବ ଉପରେ ଏତେ କଥା କହି ଆସିଲେ ଲାଭ କ’ଣ ହେଲା ?

ଏବେ ବି ଅସ୍ପୃଶ୍ୟ

ରଙ୍କ ଅଜା ବହୁତ ଚିଡ଼ା ।

ବୟସ ଅଶୀ ଉପରେ । ଟିକେ ଟିକେ କଥାରେ ହଠାତ୍ ରାଗିଯାଆନ୍ତି ସେ । ଘରେ ସମସ୍ତେ ତାଙ୍କ ମିଜାଜ ପରଖିଲା ପରେ କଥା ହୁଅନ୍ତି । ଆଗରୁ ସେ ଏମିତି ନଥିଲେ । ଚାକିରୀରୁ ଅବସର ନେବା ପରଠାରୁ ଚିଡ଼ା ଧରିଛନ୍ତି ସେ ।

ଅନେକ ଥର ଭାବିଛି ତାଙ୍କୁ ଏ ବିଷୟରେ ପଚାରିବି ବୋଲି । ସ୍ଥାନ, କାଳ ପାତ୍ର ନ ବୁଝି ସେ ରାଗି ଯାଇ ୟାଡୁ ସିଆଡୁ କହିପକାନ୍ତି ବୋଲି ମୁଁ ବି ଡରେ ପଚାରିବା ପାଇଁ ।

ସେଦିନ ଅନେକ ଚିନ୍ତା କରି ପଚାରିଲି- “ଆଚ୍ଛା ରଙ୍କ ଅଜା, ତମେ ଯଦି ନ ରାଗିବ ତେବେ ଯାଇ ଗୋଟେ କଥା ପଚାରିବି !” ସେ ସମ୍ମତି ଦେଲେ ।

ଅନେକ ଦିନରୁ ଛାତି ଭିତରେ ଅଟକି ରହିଥିବା କଥା ପଚାରିଲି, “ତମେ ତ ଆଗରୁ ଏମିତି ରାଗି ନଥିଲ । ଭୁବନେଶ୍ୱରରେ ଚାକିରି କରିଥିଲାବେଳେ ଆମ ଗାଁରୁ ଯାଉଥିବା ଲୋକଙ୍କୁ ତ ଭାରି ଆଦର କରୁଥିଲ । ସେମାନଙ୍କୁ ଅଟକାଇ ତାଙ୍କ ପିଛେ ଟଙ୍କା ଖର୍ଚ୍ଚ କରୁଥିଲ । ଗାଁ ଚାନ୍ଦ ବାବଦକୁ ମାଗୁଥିବା ପାଉଣା ଦେବାରେ ଡେରି ବି କରୁନଥିଲ । ପ୍ରତ୍ୟେକ ଶନିବାର ରାତିରେ ଗାଁରେ ପହଞ୍ଚି ଏ ମୁଣ୍ଡରୁ ସେମୁଣ୍ଡ ଯାଏ ଘେରା ମାରୁଥିଲ । ଏବେ ଏମିତି କ’ଣ ହେଲେ ଯେ ନାତି-ନାତୁଣୀ, ପୁଅ-ବୋହୂଙ୍କ ଉପରେ ଟିକେ ବ୍ୟତିକ୍ରମରେ ରାଗି ପଞ୍ଚମ ହୋଇଯାଉଛ ।”

ସେ କାହିଁକି କେଜାଣି ମୁରୁକି ହସି ମୋ ପିଠିକୁ ଥାପୁଡ଼ାଇ ଦେଇ କହିଲେ- “ସୁଧୀର ! ଇଏ ରାଗ ନୁହଁରେ- କାମ କରେଇବାର ନୂଆ ତରିକା ।”

ମୁଁ ପୁଣି ଅବୁଝା ହୋଇ ପଚାରିଲି- – “ତରିକା ?”

ରଙ୍କ ଅଜା ଦେଖିଲେ ମୁଁ ନଛୋଡ଼ ବନ୍ଧା । ତାଙ୍କ ବିଚାରରେ ବୋଧହୁଏ ସେଦିନ ମୁଁ ସାଜିଥିଲି ଗବଦଲଟିଏ । ଯଦିଓ ଗବଦଲ ଶବ୍ଦର ଅର୍ଥ ମୋତେ ମାଲୁମ ନଥିଲା ସତ- କିନ୍ତୁ ଗୋଟିଏ କଥା ବାରମ୍ୱାର ପଚାରିଲେ ରଙ୍କ ଅଜା ହିଁ କୁହନ୍ତି ଗବଦଲଟା କିରେ !

ସେଦିନ ମୁଁ ସତରେ ଗବଦଲ ସାଜିଥିଲି ।

ରଙ୍କ ଅଜା ଗପି ଚାଲିଲେ ।

ଚାକିରୀ କାଳ ଭିତରେ ମୁଁ ଅନେକ ଲୋକଙ୍କୁ ସାହାଯ୍ୟ କରିଛି । ପାଖ ଟେବୁଲ୍ ପାଖରେ ବସିଥିବା ଅନ୍ୟ ସହକର୍ମୀମାନେ ଉତ୍କୋଚ ଗ୍ରହଣ କରୁଥିବା ବେଳେ ମୁଁ ସେଥିରୁ ନିବୃତ୍ତ ରହେ । ବନ୍ଧୁବାନ୍ଧବ, ଗାଁ ଲୋକ ଯିଏ ଯେତେବେଳେ ଭୁବନେଶ୍ୱର ଯାଆନ୍ତି, ମୋ ପାଖରେ ଆନନ୍ଦରେ ରହି ସେମାନଙ୍କର କାମ ସାରନ୍ତି । ହେଲେ ଲାଭ କ’ଣ ହେଲା ? ଦୀର୍ଘ ବର୍ଷ ହେଲା ଚାକିରୀରୁ ଅବସର ନେବା ପରେ ବି ଫାଇନାଲ ପେନ୍‌ସନ୍ ଗଣ୍ଡିକ ପାଇ ନାହିଁ । ସେକ୍‌ସନ୍‌ରେ ଭିଜିଲାନ୍ସ ରେଡ୍ ପରେ ରେକର୍ଡପଟା ସିଜ୍‌କଲା ବିଭାଗ । ହେଲେ ମୋ ଭଳି ଅନ୍ୟ କେତେ ଜଣଙ୍କର ଦୋଷ କେଉଁଠି ରହିଲା ଯେ ମରିବାକୁ ବାହାରିଲୁଣି ଏଯାଏ ଫାଇନାଲ୍ ପେନ୍‌ସନ୍ ନାହିଁ । ମୁଁ ତ ମଣିଷ ନା, କ’ଣ କରିପାରିବି ?

ଆର୍ଥିକ ମାନଦଣ୍ଡ ଯେ ରଙ୍କ ଅଜାଙ୍କର ସବୁ ବଳ ଏବଂ ମେରୁଦଣ୍ଡକୁ ଦୋହଲାଇ ଦେଇଛି, ବୁଝିବାକୁ ବାକି ରହିଲା ନାହିଁ । ତଥାପି ରଙ୍କ ଅଜାଙ୍କ ଠାରୁ ଆହୁରି କଥା ବାହାର କରିବା ନିମିତ୍ତ ଖୋଳିତାଡ଼ି ପଚାରିଲି ।

– ତମେ ତ କହୁଛ କାମ କରିବାର ତରିକା ବୋଲି । ଘର ଲୋକଙ୍କ ଉପରେ ଚିଡ଼ା ହେବ ସିନା, ବାହାର ଲୋକ ଯିଏ ତମ ଘରେ କାମ କରୁଛି, ତା’ ଉପରେ ବି ସେମିତି ହେଉଛ ।

– ଧେତ୍ ପୁଣି ଅବୁଝା ରହିଗଲୁ । ଘର ଲୋକଙ୍କ ଉପରେ ଚିଡ଼ା ଧରିବା ସାଧାରଣ କଥା । ବୟସ ହେଇଗଲାଣି । ତେଲ ଲୁଣ ସଂସାରକୁ ଅଳ୍ପ ଅର୍ଥରେ ଚଳେଇବା ଭାରି କଷ୍ଟ ହେଲାଣି । ସାପ ବଢ଼ିଲେ ଚକ୍ର ବଢ଼େ । ଛୁଆ ବଡ଼ ହେଲେଣି, ତାଙ୍କ ଖର୍ଚ୍ଚ ବଢ଼ିଲାଣି । ପିଲାମାନେ ବେଫାଇଦା ଭଳି ଖର୍ଚ୍ଚ କରୁଛନ୍ତି । ଏସବୁ ଆଉ ଆଖିରେ ଯାଉନାହିଁ । ବାହାର ଲୋକ ହିସାବରେ କେବଳ ମାଳତୀ- “ସେ ତ ବାସନ ମାଜେ, ପାଉଣା ନିଏ ।”

– ହେଲେ ତା’ ଉପରେ କାହିଁକି ଚିଡ଼ିଥାଅ ? ଘର ଭିତରେ, ଡାଇନିଙ୍ଗରେ, ତଳେ ବସି କାହା ସହିତ କଥା ହେଲେ ତମେ ତାକୁ ଘରୁ ବାହାର କରିଦିଅ । ଏଗୁଡ଼ାକ କ’ଣ ଭଲ କଥା ?

ଧୀରେ ଧୀରେ ଅଜାଙ୍କ ପେଟ ଭିତରୁ ସବୁକଥା କାଢ଼ିବାରେ ମୁଁ ବୋଧହୁଏ ସମର୍ଥ ହେବାପରି ମନେ କଲି । ଅଜାଙ୍କର ଚିଡ଼ାପଣ ପାଇଁ ଅଲଗା କାରଣ ଥିଲା । ବିଧବା ମହିଳା ହେଉଛି ମାଳତୀ ।

ଅସବର୍ଣ୍ଣ ଜାତିରେ ଜନ୍ମିଥିବା ଏହି ମାଳତୀର ସ୍ୱାମୀ କେବେଠାରୁ ଆରପୁରକୁ ଗଲେଣି । କେବଳ ଝିଅ ଦୁଇଟିଙ୍କୁ ବାହା ଦେଲା ପରେ ସମ୍ପୂର୍ଣ୍ଣ ବେସାହାରା ହୋଇଯାଇଥିଲା ସେ । ଜାଗା ବୋଲି ଯାହା ଅଛି, ତାହା କେବଳ ନୂଆଁଣିଆ ନଡ଼ା ଛପର ପଲାର ତଳ ଅଂଶ । ଅର୍ଥାଭାବରୁ ସବୁ ବର୍ଷ ଛପର କରିହୁଏ ନାହିଁ । ପାଖ ପଡ଼ୋଶୀଙ୍କ ଘରେ ବାସନ ମଜା ଠାରୁ ଆରମ୍ଭ କରି ବାଉଁଶବାଡ଼ିରୁ ପତର ଖରକିବା, ଗୋବର ଚକଟି ଘସି ତିଆରି କରିବାରେ ଯାହା ଦି’ପଇସା ପାଏ ତାହା ବି ନିଅଣ୍ଟ ଅଭାବୀ ଘରେ ବାହା ଦେଇଥିବା ଝିଅର ପିଲାମାନେ ସବୁ ସମୟରେ ତା’ ଉପରେ ନିର୍ଭର କରିଥାନ୍ତି ।

ମାଳତୀ ଟିକେ ଆଡ଼ବାୟାଣୀ । ତା’ ମୁଣ୍ଡରେ ଥରେ ଯାହା ଢୁକିଯାଏ, ସେଥିରୁ ନିବୃତ୍ତ ରହିବା କଠିଣ ହୋଇଯାଏ । ଯେଉଁ କାମରେ ଲଗାଯାଏ ନିହତ କରି ଖଟେ । ସେଥିପାଇଁ ମାଳତୀକୁ ସମସ୍ତଙ୍କ ଭାରି ଲୋଡ଼ା ପଡ଼େ ।

ମାଳତୀ ସମ୍ପର୍କରେ ମୁଁ ସବୁ ଜାଣିଥିବାରୁ ତାକୁ ବୁଝିବାକୁ ମୋତେ ଆଦୌ କଷ୍ଟ କରିବାକୁ ପଡ଼େନାହିଁ । ହୁଏତ ରଙ୍କ ଅଜା ତାଙ୍କ ଜୀବନରେ ତିନି ଦଶନ୍ଧିରୁ ଉର୍ଦ୍ଧ୍ଵ ସମୟ ଭୁବନେଶ୍ୱରରେ କଟାଇ ଥିବାରୁ ମାଳତୀର ଚାଲିଚଳଣ ଏବଂ ଅସହାୟପଣକୁ ମୋ ଭଳି ବୁଝି ପାରିନଥିଲେ । ରଙ୍କ ଅଜାଙ୍କର ମାଳତୀ ଉପରେ ବି ଥିବା ଚିଡ଼ା ପଣ ସମ୍ପର୍କରେ ପଚାରିଲି ।

– ବେସାହାରା ମାଳତୀକୁ ଦେଖିଲେ ତମେ ଏମିତି ଚିଡୁଛ କାହିଁକି ?

– ବାରମ୍ୱାର ମୋତେ ତା’ କଥା ପଚାରି କାହିଁକି ବିରକ୍ତ କରୁଛୁ କହିଲୁ ? ଏମାନେ ଦେଶକୁ ଖାଇଗଲେ । ଆମ ଶେଣ୍ଢା ଉପରେ ବସିଲେ । ଦେଖିନୁ ତହସିଲ ଅଫିସରେ ସେମାନେ ଜାତିଗତ ପ୍ରମାଣପତ୍ର ବାହାର କଲେ ଜାତି କଥା ଲେଖା ଯାଉଛି, ଆପତ୍ତି ନାହିଁ । ବରିଷ୍ଠ ମନ୍ତ୍ରୀ ଯଦି ହରିଜନ ଶବ୍ଦ ଲଗଉଛନ୍ତି, ସେମାନଙ୍କ ଅବସ୍ଥା ଦେଖିନୁ କ’ଣ ହେଲା ? ମାଲିକମକଦ୍ଦମାକୁ କଥା ଗଲା । ଚାକିରିରେ ମୋ ପଛରେ ଯୋଗ ଦେଇ ସୋରେନ୍ ବାବୁ ସେକ୍‌ସନ ଅଫିସର ହୋଇଗଲେ । ମୁଁ ବରିଷ୍ଠ ହୋଇ ତାଙ୍କ ତଳେ ରହି ସିନିୟର୍ ଆସିଷ୍ଟାଣ୍ଟରୁ ଅବସର ନେଲି । କହିଲୁ ଦେଖି ତାଙ୍କ ଅଧୀନରେ ଚାକିରୀ ସମୟ କଟାଇବା ମୋ ପାଇଁ କେତେ କଷ୍ଟକର ଥିଲା ।

ରଙ୍କ ଅଜାଙ୍କ କଥା ଗୁଡ଼ିକ ମୋତେ ଆଦୌ ଭୁଲ୍ ଲାଗୁନଥିଲେ ମଧ୍ୟ ସରକାରଙ୍କ ପ୍ରମୋଶନ ଜନିତ ନିଷ୍ପତ୍ତିକୁ ତ ଅସ୍ୱୀକାର କରିପାରୁ ନଥିଲି । ଚାକିରି ସମୟର ପୁଞ୍ଜୀଭୂତ ବେଦନା ଯେ ପରବର୍ତ୍ତୀ ସମୟରେ ତାଙ୍କୁ ଅଧିକ କ୍ରିୟାଶୀଳ କରିଥିଲା । ସେଥିପାଇଁ ଅସବର୍ଣ୍ଣ ଲୋକଙ୍କ ପ୍ରତି ତାଙ୍କର ଧାରଣା ତୀବ୍ର ହୋଇ ଯାଇଥିବାରୁ ତାଙ୍କ ଘରକୁ ମାଳତୀର ଅନଧିକାର ପ୍ରବେଶକୁ ସେ ସହଜରେ ହଜମ କରିପାରୁ ନଥିଲେ ।

ରଙ୍କ ଅଜା କହିଲେ- “ଏ ପଡ଼ା ଲୋକ ମାଳତୀର ମୁହଁ ବଢ଼ାଇ ଦେଇଛନ୍ତି । ଯେଉଁ ସ୍ତରରେ ରହିବା କଥା ତାକୁ ସେ ଭୁଲି ଗଲାଣି । ପାଖ ଲଲାଟେନ୍ଦୁ ବାବୁଙ୍କ ଘରେ ସେ ତ ଅନେକ କାମ କରେ । ବାସନ ମାଜେ, ମନ୍ଦିର ପାଖ ନଳକୂପରୁ ପ୍ଲାଷ୍ଟିକ୍ ଜାର୍‌ରେ ପିଇବା ପାଣି ଆଣେ । ଠାକୁର ପୂଜା ପାଇଁ ଫୁଲ ତୋଳେ । ଲୁଗାପଟା ସଫାଠାରୁ ଚାଉଳ ପାଛୁରା ଯାଏ ସବୁ କାମ କରେ । ତା’ ଦେଖାଦେଖି ଆମ ଘରେ ସେ ବି ନ କରିବା କାମ କଲାଣି । ତା’ର ସାହସ ବଢ଼ିଗଲାଣି । ସେମାନେ ଅସ୍ପୃଶ୍ୟ ନା ! ଆମ ହୁସିଆରରେ ଆମେ ରହିଯିବା ଠିକ୍ ।”

ମୁଁ ପଚାରିଲି- “ରଙ୍କ ଅଜା ! ଏବେ ଆଉ ସେ ଅସ୍ପୃଶ୍ୟ କଥା ଅଛି ନା । ଯୁଗ ଯାଇ କେଉଁଠି ଉଠିଲାଣି । ଦେଶର ଶାସନ ଭାର କେଉଁମାନେ ଧରିଲେଣି, ସେଗୁଡ଼ାକ ଆଉ କାହିଁକି ଧରୁଛ ? ଅଯଥା ଘର ଠାରୁ ଆରମ୍ଭ କରି ସମାଜରେ ତମେ ନିନ୍ଦିତ ହେବ । ସେ ମନୋଭାବ ଆଉ ରଖନା ଅଜା ।”

ତାତ୍ସଲ୍ୟ ହସରେ କହିଲେ- “ହଇବେ, ତୁ ମୋତେ ଅସ୍ପୃଶ୍ୟର ସଂଜ୍ଞା ବୁଝାଇବୁ ? ମୋ ଠୁ ତୋର ଅନୁଭୂତି ନା ଅଭିଜ୍ଞତା ବେଶି କହିଲୁ ?”

ମୁଁ ଟିକେ ଡରି ଯାଇ କହିଲି- “ନା ସେ କଥା ନୁହେଁ ଯେ ଅଜା, ବର୍ତ୍ତମାନ ସମାଜରେ ଏବେ ଯାହାସବୁ ଘଟୁଛି, ସେକଥା କେବଳ ତୁମକୁ କହିଲି ।” ରଙ୍କ ଅଜା କହିଲେ, “ସେଦିନ ସ୍କୁଲ ଦିଦି ତାଙ୍କ ପିଲାମାନଙ୍କ ହାତରେ ପ୍ଲାକାର୍ଡ ଧରାଇ ରାଲି କଲାବେଳେ ସେଥିରେ ଲେଖାଥିଲା- ମଣିଷ ଭିତରେ ନାହିଁ ଭେଦ, ତେଣୁ ଆମେରେ ଶ୍ରେଷ୍ଠ ଜୀବ । ଭେଦଭାବ ଅଛି, ପୁଣି ନାହିଁ । ଚାକିରୀରୁ, ପାଠପଢ଼ାରୁ ସ୍ଥାନ ସଂରକ୍ଷଣ ଉଠିଯାଉ । ଯୁଗ ଯୁଗ ଧରି ମହାପୁରୁଷମାନେ ଜାତି ଧର୍ମ ଭେଦଭାବ ଉପରେ ଏତେ କଥା କହି ଆସିଲେ ଲାଭ କ’ଣ ହେଲା ?”

ଦୀର୍ଘ ସମୟର ବାର୍ତ୍ତାଳାପ କରିବାକୁ ମୋର ଆଉ ଧୈର୍ଯ୍ୟ ନଥିଲା । ବାହାନା କରି ଉଠିଲି- “ରଙ୍କ ଅଜା ! ମୁଁ ଆସୁଛି ।”

– ହଇରେ କଥା ସରିନାହିଁ, କୁଆଡ଼େ ଯିବୁ ? ଅସ୍ପୃଶ୍ୟ ସଂଜ୍ଞା ବୁଝିବୁ ପରା । ମୋ ହାତକୁ ଭିଡ଼ି ଧରି ପୁଣି ବସାଇଦେଲେ ସେ ।

– ବୁଝିଲୁ ସୁର ! ଏ ଦେଶରୁ ଅସ୍ପୃଶ୍ୟତା ଦୂର ହୋଇପାରିବ ନାହିଁ । ମଣିଷର ମାନସିକତା ଏ ଯାଏ ବଦଳି ନାହିଁ । ମଦ ମାଂସ ଭୋଜି କଲାବେଳେ କିମ୍ୱା ସରକାରଙ୍କ ବନ୍ୟା ବାତ୍ୟା ରିଲିଫ୍ ନେଲା ବେଳକୁ ଛୁଆଁ ଅଛୁଆଁ ଭେଦଭାବ ନାହିଁ । ସେଇ ଦାସିଆ ବାଉରୀ ପ୍ରତି ଥିବା ଦିଅଁ ଦର୍ଶନ ଆକଟ ଏବେ ପୁଣି ଆରମ୍ଭ ହେଲାଣି ।

ଅଧିକ ରାଗିଗଲେ ରଙ୍କ ଅଜା ।

ଆରେ ସୁର ! ସର୍ବ ଧର୍ମ ସମନ୍ୱୟ କ୍ଷେତ୍ର ବୋଲି କୁହାଯାଉଥିବା ପୁରୀ କଥା ଦେଖ୍ । ପ୍ରଶାସନ ପ୍ରଥମେ ରଥଚଢ଼ା, ତା’ ଉପରେ ଜଗାଙ୍କୁ କୁଣ୍ଢେଇବା ଉପରେ ରୋକ୍ ଲଗାଇ ଦେଲେ । ଏବେ ସ୍ନାନ ମଣ୍ଡପରେ ଦିଅଁଙ୍କୁ ଛୁଇଁବା ମନା କରିଦେଲେ । ଦଇତାପତି ଯେତେ ଚିଲେଇଲେ ବି ତାଙ୍କ କଥା ରହିଲା ନାହିଁ । ଖବର ବାହାରିଲା- “ଜଗାକୁ ଛୁଇଁବା ମନା ।”

ମୋ ମନରେ ଭୟଙ୍କର କ୍ରୋଧ ଆସିଲା । ରଙ୍କ ଅଜାଙ୍କ ଭାବନା ସହିତ ମୁଁ ବି ମିଶିଗଲି ।

– ସତରେ ଅଜା । ଏଠି ଅସ୍ପୃଶ୍ୟ କିଏ ? ଭକ୍ତ ନା ଭଗବାନ ? ଭକ୍ତ ଏବଂ ଭଗବାନଙ୍କ ଭିତରେ ଛୁଆଁ ଅଛୁଆଁ ଭେଦଭାବ ପ୍ରଶାସନ ସୃଷ୍ଟି କରି କ’ଣ ଲାଭ ପାଇଲା ? ଅଣହିନ୍ଦୁ ମନ୍ଦିର ଭିତରକୁ ପଶିପାରିବେ ନାହିଁ । ରଥରେ ଚଢ଼ି ଦିଅଁଙ୍କୁ ଛୁଇଁପାରିବେ ନାହିଁ । ହେଲେ ହିନ୍ଦୁଙ୍କର ଆତ୍ମା କୁହାଯାଇଥିବା କାଳିଆ ଠାକୁରଙ୍କୁ ବି ଛୁଇଁପାରିବେ ନାହିଁ !

ଅଜା କହିଲେ ଖାଲି କ’ଣ ଏତିକି, ମନ୍ଦିର ପ୍ରଶାସନ ଓ ସୁରକ୍ଷା କର୍ମଚାରୀ ଜଗାକୁ କୁଣ୍ଢେଇବେ । ଗୁଆ ପାଟୁଙ୍ଗାରେ ଭକ୍ତଙ୍କୁ କାନମୂଳିଆ ବଡ଼େଇବେ । ଇଏ କେଉଁ ନୀତିରେ ଯାଏ ?

ମୋର ଅତୀତ ଦଶବର୍ଷର କଥା ମନେ ପଡ଼ିଲା । ଆମେ ଦଳେ ଶ୍ରୀମନ୍ଦିର ଭିତରକୁ ଯାଇ କାଳିଆ ଠାକୁରଙ୍କୁ କାଠଅଡ଼ା ପାଖରୁ ରହି ଦର୍ଶନ କଲାବେଳେ ଜଣେ ସେବକ କହିଲେ, “ହଇରେ ଏ ବେହିପୋ ! ସେଠି କ’ଣ ଠିଆ ହେଇଚରେ । ସିଂହାସନ ଛୁଇଁ ପାପ ଛଡ଼ାଅରେ । ଆସ ଇଆଡ଼େ !”

ଜଗା ପାଖକୁ ଯାଇ ସିଂହାସନ ଛୁଇଁବାର ମୋହରେ ମୁଁ ପାଗଳ ହୋଇଗଲି । ମୋର ମନେଅଛି ସେବକଙ୍କ ଦାବୀ ମୁତାବକ ହାତଗୁଞ୍ଜା ଦେଇ ସିଂହାସନ ପାଖକୁ ଗଲି । ସେବକ ଜଣକ ମୋତେ ରତ୍ନ ସିଂହାସନ ପଛପଟ ଅନ୍ଧାରିଆ ଗଳି ଦେଇ ପରିକ୍ରମା କରିଦେଲେ । ମୋ ମନର ଭୟ ଏବଂ ଭକ୍ତିର ନୈସର୍ଗିକ ଚେତନା ଉଦ୍ରେକ ହୋଇଥିଲା ସେଦିନ ।

ରତ୍ନ ସିଂହାସନ ତଳୁ କିନ୍ତୁ ମୋ ହାତ ପାଇନଥିଲା ଜଗାକୁ ଟିକେ ଛୁଇଁବା ପାଇଁ । ଅବଶ୍ୟ ପାପ କି ପୁଣ୍ୟ କଲି ମୁଁ ଜାଣିପାରି ନଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ବୋଉ ମୋତେ କହିଥିଲା- “ରତ୍ନ ସିଂହାସନ ପଛପଟେ ଶାଳଗ୍ରାମ ଅଛନ୍ତି । ସେମାନଙ୍କ ଉପରେ ପାଦ ପକାଇ ଯିବା ଠିକ୍ ନୁହେଁ । ଏଗୁଡ଼ାକ ଖାଲି ପାପ ଅର୍ଜିବା କଥା ।”

ସେହିଦିନରୁ ରତ୍ନ ସିଂହାସନ ଦେଖିଲେ ମନରେ ଟିକେ ଶଙ୍କା ଆସେ ।

ସେଦିନ ମୁଁ ଜଗାକୁ ଛୁଇଁପାରି ନଥିଲି କିମ୍ୱା ଭବିଷ୍ୟତରେ ଜଗାକୁ ଛୁଇଁବାର ଅଭିଳାଷ ମିଳାଇ ଯାଇଛି ମନ୍ଦିର ପ୍ରଶାସକଙ୍କ କଟକଣା ହେତୁ ।

ମାଳତୀ ପ୍ରସଙ୍ଗରୁ ଆମେ ଆସି କାଳିଆ ଠାକୁରଙ୍କ ପାଖରେ ପହଞ୍ଚି ଯାଇଥିଲୁ ।

ରଙ୍କ ଅଜା କହିଲେ- “ସୁର ! ଏବେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଯେତେବେଳେ ଛୁଆଁ-ଅଛୁଆଁର ପ୍ରଶ୍ନ ଉଠିଲାଣି, ଭକ୍ତ ଭଗବାନଙ୍କର ଦୂରତା ସୃଷ୍ଟି କରାଗଲାଣି, ଏ ଦେଶରୁ ଅସ୍ପୃଶ୍ୟତା ଲୋପ ପାଇଯାଇଛି ଏ କଥା ମୁଁ ସ୍ୱୀକାର କରିପାରୁନାହିଁ ।”

– ନାଁ ସେ କଥା ନୁହେଁ । ଜନସଂଖ୍ୟା ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ନିମିତ୍ତ ମନ୍ଦିର ପ୍ରଶାସକ ଏକଥା କରିଛନ୍ତି । ଦଳା ଚକଟାରେ ଉଚ୍ଛୃଙ୍ଖଳ ଭକ୍ତଙ୍କର ପ୍ରାଣହାନୀ ଘଟିପାରେ । ୟା’କୁ ଆମେ ଖରାପ ଅର୍ଥରେ ଧରିବା କାହିଁକି ?

ରଙ୍କ ଅଜା ବୟସାଧିକ୍ୟ ହେତୁ ଏକଜିଦିଆ ହୋଇ ଚିଡ଼ା ହୋଇଯାଇଥିଲେ ।

ମୁଁ ତାଙ୍କୁ ବୁଝାଇଲି । ଶ୍ରୀକ୍ଷେତ୍ରର ଘଟଣାକୁ ନେଇ ତମେ ମାଳତୀ ଉପରେ ରାଗ ଶୁଝାଇଲେ କ’ଣ ହେବ ? ତମ ବୋହୂମାନେ ତ ଦିନେ ତମର ଧର୍ମପତ୍ନୀଙ୍କୁ ଶାଶୁ ଭାବି ପାଦ ଚିପିଲେ ନାହିଁ । ଭଲରେ ମନ୍ଦରେ ଆଈ ଗୋଡ଼ ହାତ ଚିପି ଦେବାକୁ ମାଳତୀକୁ ଡାକନ୍ତି । ଟହଲ ଟୁକୁରା କାମ କରିବା ପାଇଁ ସେ ହିଁ ଖୋଜା ପଡ଼େ । ତେବେ ତମେ ତା’ ଉପରେ ଏତେ ରାଗି ଚିଡ଼ି ଉଠିବା ଠିକ୍ ନୁହେଁ ।

ଗମ୍ଭୀର ଜଣା ପଡ଼ିଲେ ରଙ୍କ ଅଜା ।

– ସତରେ ସୁର ! ଜଗାର ସେଥିପାଇଁ ହାତ ଗୋଡ଼ ନାହିଁ । କାରଣ ଭକ୍ତଙ୍କୁ କୋଳାଗ୍ରତ କରିବାକୁ ସେ କୁଣ୍ଠିତ । କେବେ ଏ ଅସ୍ପୃଶ୍ୟତା ଉଠିବ ସେଠୁ । ଦେଶୀ ବା ବିଦେଶୀ ହୁଅନ୍ତୁ ଈଶ୍ୱର ସମସ୍ତଙ୍କର । ଆମରି ଭଳି ସେ ମଣିଷ । ସାତ ସମୁଦ୍ର ତେର ନଈ ପାରି ହୋଇ ଶ୍ରୀକ୍ଷେତ୍ରକୁ ଧାଇଁ ଆସୁଛନ୍ତି । ତାଙ୍କ ଦେଶରେ ରଥଯାତ୍ରା କରୁଛନ୍ତି । ତେବେ ପୁରୀରେ କାହିଁକି ଏ ପ୍ରଥା ରହିଛି ?

ଏଥର ରଙ୍କ ଅଜା ବାଟକୁ ଆସିଗଲେ ।

– ନାଁ, ଆଜିଠାରୁ ମାଳତୀ ଉପରେ ଚିଡ଼ିବି ନାହିଁ । ଚାକିରୀ କିମ୍ୱା ପାଠପଢ଼ାରେ ଥିବା ସ୍ଥାନ ସଂରକ୍ଷଣ ସମ୍ପର୍କରେ ପ୍ରତିବାଦ କରିବି ନାହିଁ । ଖୋଦ୍ ଶ୍ରୀକ୍ଷେତ୍ରରେ ଯଦି ଜଗାକୁ ଛୁଇଁବା ମନା କରାଯାଏ, ତେବେ ମଣିଷ ଭିତରେ ଏ ଗାଁରେ ଆମେ କାହିଁକି ଏ କଳଙ୍କ ବୋହିବା, କ’ଣ କହୁଛୁ ସୁର ?

ମୁଁ ଠୋ’ ଠୋ’ ହସି କହିଲି- “ରଙ୍କ ଅଜା ! ସମୟ ଦେଖିଲଣି ତ । ପଡ଼ାର ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ାକ କୁହୁଡ଼ିରେ କେମିତି ଜାଲଜାଲୁଆ ଦିଶିଲେଣି ।”

ମୋ ପିଠି ଥାପୁଡ଼େଇ ଘର ମୁହାଁ ହେଲେ ରଙ୍କ ଅଜା ।

ଲୋକପ୍ରିୟ ଲେଖା

To Top