ଗଳ୍ପ

ଏବଂ ଅବଶିଷ୍ଟ

Mahasweta Sahoo's odia story Ebn Abashishta

ଦାଦା ମୁଁ କିଛି କରିପାରିବିନି । ଏ ଗୋଟେ ଭୟଙ୍କର ଅପୂଜାଦେବୀ କି କ’ଣ ? ତାକୁ ସାଧ୍ୟ କରିବାର କ୍ଷମତା ମୋ ପାଖରେ ନାହିଁ । ତମେ ଅନ୍ୟ କାହାକୁ ଡାକ, ବଡ଼ ଗୁଣିଆ ଦେଖ, ମୋତେ ଟିକେ ଛାଡ଼ିଦିଅ ଘରେ ।

ଏବଂ ଅବଶିଷ୍ଟ

ସେଦିନ ସକାଳ ଥିଲା ସମସ୍ତଙ୍କୁ ଆଚମ୍ୱିତ କଲାପରି । ସମସ୍ତେ ହାୟ ହାୟ କରୁଥିଲେ କମଳା ଘର ଧଡ଼ା ଆଗରେ । ତାଙ୍କ ଘର ଆଗରେ ଆଉ ସୋରିଷ ପକାଇବାକୁ ଜାଗାନଥିଲା- ପାରାଧାଡ଼ି ପରି ଲୋକଙ୍କ ସୁଅ ଲମ୍ବୁଥିଲା କ୍ରମଶଃ ! କମଳା ବୋଉ ଭେଁ ଭେଁ କରି କାନ୍ଦି ପକାଉଥାଏ, ମଇଳା ଲୁଗାକାନି ଜାକି ଦେଇ ଆଖ ଉପରେ । ପୁଣି ପରକ୍ଷଣକୁ ସମ୍ପୁଥାଏ ଅଦୃଷ୍ଟ ଈଶ୍ୱରଙ୍କ ଉଦ୍ଦେଶ୍ୟରେ । ଆଉ ମାନସିକ ପୁଳା ପୁଳା କରିପକାଉଥାଏ ବିଭିନ୍ନ ଦେବୀଦେବତାଙ୍କ ପାଖରେ ।

ତା’ର ଅଦେଖା ଈଶ୍ୱରମାନେ କିନ୍ତୁ ନିରବ ଓ ପଥର ହୋଇଯାଇଥିଲେ ସେଦିନର ସକାଳ ପାଇଁ । କିଛି ପରିବର୍ତ୍ତନ ଲକ୍ଷ୍ୟ କରାଗଲା ନାହିଁ । କମଳା ବାପା ଦୌଡ଼ିକି ଯାଇଥିଲେ ବାଇଆ ଗୁଣିଆକୁ ଡାକିବାକୁ । କମଳାର ସାନ ଭଉଣୀ ରୁନୁ ବିମଳା ଦୁହେଁ ଦୁହିଁଙ୍କୁ କୁଣ୍ଡାଇ ଧରି କାନ୍ଦି ଉଠୁଥିଲେ ରାହାଧରି । ଆଚମ୍ୱିତ ହୋଇ ଦୁହିଁଙ୍କର କୋହ କ୍ରମଶଃ ବଢ଼ି ବଢ଼ି ଗୋଟେ କୁନ୍ଥେଇ ହେବା ପ୍ରକ୍ରିୟା ପାଖରେ ପହଞ୍ଚି ଯାଇଥିଲା ।

କମଳା ସକାଳୁ ସକାଳୁ ଆଜି ତା’ ବାପାକୁ ନିର୍ଘାତ ମାଡ଼ ମାରିଥିଲା । ତା’ ବାପାକୁ ଅସଭ୍ୟ ଗାଳିରେ ପୋତି ପକାଇଥିଲା । ତାଙ୍କ ଚାରିପାଖରେ ସାତଘେରା ପବନ ପରି ଘୂରି ଦୁମ୍ ଦୁମ୍ ଭୁସ୍ ଭୁସ୍ କରି ଅତର୍କିତ ଆକ୍ରମଣ କରିଥିଲା ବିନା କାରଣରେ । ତା’ ବାପା ହତଚକିତ ହୋଇ ନିଜକୁ ରକ୍ଷା କରିବାକୁ ଯାଇ କମଳାକୁ ଠାଏଁ ଠାଏଁ ଦି’ଚଟକଣି ମଧ୍ୟ ପକାଇଥିଲେ ।

କମଳା କାନ୍ଦିଲା ନାହିଁ, ବରଂ ଠୋ ଠୋ ହସି ଗଡ଼ିଗଲା ଆଉ ତାଙ୍କ ବାଡ଼ି କଦଳୀ ଗଛମୂଳେ ବସି ପଡ଼ି ଜୋର୍ ଜୋର୍‌ରେ ଜିଭ କାଢ଼ି ନାଳ ଗଡ଼ାଇଥିଲା । ଚିତ୍କାର କରି ମାଗିଥିଲା- “ମତେ ରକ୍ତ ଦିଅ” ବୋଲି ।

ତା’ ବୋଉ ହତଭମ୍ୱ ଓ କ୍ରୋଧରେ ଖଣ୍ଡିଆ ଖଡ଼ିକା ଝାଡୁ ଧରି ଦୁଇ ଚାରି ପାହାର ପକାଇଥିଲା କମଳାର ପତଳା ହାଡୁଆ ପିଠିରେ । କମଳା ଗଲା ରାତିଠୁ କିଛି ଖାଇନଥିଲା- ଦୟା ଲାଗିଥିଲା ତାକୁ ।

କମଳା କିନ୍ତୁ ପ୍ରତି ଉତ୍ତରରେ ତା’ ମା’କୁ ମାରି ନଥିଲା ଜମା । ବରଂ ସକେଇ ହୋଇ ମୁହଁକୁ ନିଜ ଆଣ୍ଠୁ ଭିତରେ ଗୁଞ୍ଜି କହିଥିଲା- “ମୋତେ ହଳଦି ପାଣିରେ ଧୋଇ ଦେ ।” ଏ ବାକ୍ୟରେ ଯେମିତି ଦୁନିଆଯାକର ବିକଳ ମାଗଣ ହଁ ଥିଲା । ତା’ ବୋଉ ଭୟ ଓ ଆର୍ଦ୍ର କୋହରେ ଦୋହଲି ଗଲା । ସେ ବିକଳ ହୋଇ ଡାକ ପକାଉଥିଲା- ପାଖ ସାଇପଡ଼ୋଶୀମାନଙ୍କୁ, ଧାଇଁ ଆସ ଗୋ. . . ଧାଇଁ ଆସ. . . ଦେଖ ତ କମଳାର କ’ଣ ହୋଇଛି. . . ମୋ ଧନ ଲୋ. . . କହି ଛାତିଫଟାଇ କାନ୍ଦି ଉଠିଥିଲା ।

କେଇକ୍ଷଣ ଭିତରେ କମଳାଘରେ ଲୋକ ଭର୍ତ୍ତି ହୋଇଗଲେ । ଦାଣ୍ଡରୁ ବାଡ଼ିଯାଏ, କମଳା ଚାରିପାଖ ଯାଏ । ଏତେ ଗହଳି ଦେଖି କମଳା ସିଙ୍କୁଡ଼ି ଗଲା, ଭୂଇଁରେ ଲୋଟିପଡ଼ି ମିଶିଗଲା ମାଟି ସାଙ୍ଗରେ । କାହାକୁ ମୁହଁ ଉଠାଇ ଜମା ଅନାଇଲା ନାହିଁ ।

ଖବର ପାଇ ବଟଦାଦି ହାଜର । କମଳା ତାଙ୍କୁ ଭାରି ମାନେ । ଖୁବ୍ ସମ୍ମାନ କରେ । କମଳା ପାଇଁ ସେ ଅନେକ କରିଛନ୍ତି । ତାଙ୍କରି କୋଳେ ଜାଣି ବଡ଼ ହୋଇଛି କମଳା । ଭଲ ଜିନିଷ ଟିକେ ହେଲେ ତାଙ୍କ ଘରୁ କମଳା ପାଇଁ ଲୁଚାଇ ଆଣନ୍ତି ବଡ଼କୁଟୁମ୍ୱୀ ଘରୁ, ଯେଉଁଠି ତାଙ୍କର ଆଠଟା ନାତିନାତୁଣୀ । କମଳା ପାଇଁ ପେନ୍‌ସନ୍ ପାଇଲାଦିନ ଆଣନ୍ତି ଛେନାପୋଡ଼ । ରଜରେ କିଣନ୍ତି ଫ୍ରକ୍, ଚୁଡ଼ି । ତାଙ୍କ ବୋହୂମାନେ ଛିଗୁଲାନ୍ତି, “ହଁ କୁନି କନିଆଁ ତ ! ! ସେଇ ଆଗ ଭାଗ ନେବ ନା ।”

– କମଳା. . . ଲୋ କମଳା. . . କ’ଣ ହୋଇଚି ତୋର ? ବଟଦାଦି ତା’ ମୁଣ୍ଡକୁ ଆଉଁସି ଦେଲେ । ଆଶା କମଳା କାଳେ କ’ଣ କହିବ ! ! ମାତ୍ର କମଳାର ପ୍ରତିକ୍ରିୟା ସମସ୍ତଙ୍କୁ ଆଚମ୍ୱିତ କରିଦେଲା । ସେ ବଟଦାଦିଙ୍କ ହାତଟାକୁ ଟାଣି ଆଣି ଜୋର୍‌ରେ ଛାଟି ଦେଲା । ବୁଢ଼ା ସମ୍ଭାଳି ନ ପାରି କଚାଡ଼ି ହୋଇ ପଡ଼ିଗଲେ ଆବୁଡ଼ା ଖାବୁଡ଼ା ଇଟା ନଳା ପାଖରେ । “ବୋଉ ଲୋ. . . ବାପା ଲୋ. . . ସତ୍ୟାନାଶୀ ସବାଖାଇ ମାରି ପକାଇଲା ଲୋ. . .” କହି କାନ୍ଦି ଉଠିଲେ ହାତକୁ ଜାକି ଧରି । ତାଙ୍କ ହାତ ମକଚି ଯାଇଥିଲା ।

କିଛି ଲୋକ ତାଙ୍କୁ ଉଠାଇ ତାଙ୍କ ଘରକୁ ନେଇଥିଲେ । ତାଙ୍କ ପୁଅମାନେ କମଳା ଘରକୁ ଆସି ତା’ ବୋଉକୁ ଗାଳି ଦେଇଥିଲେ, କମଳାକୁ ମାରିବା ପାଇଁ ଆଗେଇ ଯାଇଥିଲେ । ମାତ୍ର ସକାଳ ଘଟନା ସବୁ ତାଙ୍କ ହାତ ଅଟକାଇ ଦେଇଥିଲା ଗୋଟେ ଆଶଙ୍କିତ ଭୟରେ । କମଳାବୋଉ ବିକଳ ହୋଇ ତାଙ୍କ ଗୋଡ଼ ତଳେ ପଡ଼ିଯାଇଥିଲା । ବିକଳ ହୋଇ କହି ଉଠିଥିଲା, “ସେ କ’ଣ ହୋସ୍‌ରେ ? ସକାଳ ଠୁ ପ୍ରେତ ଗ୍ରାସିଛି କି କ’ଣ ତା’ ବାପାକୁ ମାରିଛି । ଯାହାକୁ ପାରୁଚି ମାରୁଛି. . . ମୋର କପାଳ ତ ପୋଡ଼ା. . . ! !” ଆଉ ଥରେ ମୁହଁରେ ଲୁଗାକାନି ଜାକି କମଳା ପାଖକୁ ଜାକି ହୋଇଗଲା ତା’ ବୋଉ ।

କମଳା କେବେ ଦିନେ କାହାକୁ ମୁହଁ ଉଠାଇ ପଦେ ଟାଣକଥା କହିନଥିଲା । ଏକଥା ସାରା ଗାଁ ଜାଣେ କମଳା ଶାନ୍ତଶିଷ୍ଟ ସୁଧାର ଝିଅଟେ । ରାସ୍ତାରେ ଗଲାବେଳେ କେବେ କେବେ ସିଧା ମୁହଁ କରି ବାଟ ଚାଲିନଥିଲା- ସବୁବେଳେ ମୁଣ୍ଡ ତଳକୁ, ସତେକି କିଏ ଭାଙ୍ଗି ଦେଇଥିଲା ତା’ ବେକଟିକୁ ।

ସ୍କୁଲ୍ ଗଲାବେଳେ, ଟ୍ୟୁସନ୍ ଗଲାବେଳେ, ଦୋକାନ ଗଲାବେଳେ ଅଥବା ପୂଜାଯାତ୍ରାରେ କେବେ ମଧ୍ୟ ଗଲାବେଳଏ ବେକଟି ତଳକୁ ପୋତି ହୋଇଥାଏ । ଲୋକ କୁହନ୍ତି ତା’ର ଉଦାହରଣ ଦେଇ କମଳା ପରି ହୁଅ । କମଳା ତା’ର ଗାଁ ପିଲାଙ୍କ ପାଇଁ ଉଦାହରଣ ହୋଇଥିଲା । ପାଠ ଠାରୁ ଶାଠ ଯାଏ ସବୁ କଥାରେ କମଳାର ସମତୁଲ କେହି ନ ଥିଲେ ।

ଦି’ବର୍ଷ ତଳେ ତାଙ୍କର ଘରର ଆର୍ଥିକ ଅବସ୍ଥା ସେତେ ସ୍ୱଚ୍ଛଳ ନ ଥିଲା । ମାଟ୍ରିକ୍ ପାସ୍ କଲାବେଳକୁ ବାପା ତା’ର ମନାକଲା ଆଉ ପାଠ ପଢ଼ାଇବାକୁ । ଯେତେ ପାଠ ପଢ଼ିବ, ସେତିକି ଉଚ୍ଚଘର ଖୋଜିବାକୁ ପଡ଼ିବ । ନେଇ ଦେଇ ପାରିଲେ ହେବ ନାହିଁ. . . । କମଳା ମନ ମାରିଦେଲା, ରାତିଦିନ କାନ୍ଦିଥିଲା ଦୋକଡ଼ିରେ ବସି । ଭରସି କିଛି ମଧ୍ୟ କହିଲା ନାହିଁ ତା’ ବାପାଙ୍କ ନିଷ୍ପତ୍ତି ଉପରେ । ସେ ବାଆସ୍ତରୀ ଶତକଡ଼ା ନମ୍ୱର ରଖି ଫାଷ୍ଟ ଡିଭିଜନ୍‌ରେ ପାସ୍ କରିଥିଲା । ତାଙ୍କର ବିଦ୍ୟାଳୟର କୃତ୍ତି ଛାତ୍ରୀ ଭାବେ ଶ୍ରେଷ୍ଠ ପୁରସ୍କାର ପାଇଥିବା କପ୍‌ଟିକୁ ସେ ଟ୍ରଙ୍କରେ ଲୁଚାଇ ଦେଲା ।

କମଳା କାନ୍ଦିଥିଲା ଗାଁ ଠାକୁରାଣୀ ମନ୍ଦିର ପାଖରେ । ସେଦିନ ଦଇତାରୀସାର୍‌ଙ୍କ ନଜର ପଡ଼ିଥିଲା ତା’ ଉପରେ । ସେ ସାଇକେଲ୍‌ରୁ ଓହ୍ଲାଇ ପଡ଼ି ପଚାରିଥିଲେ, “ଆରେ କମଳା ତୁ କୋଉଠି ଫର୍ମ ସବୁ ପକାଇଲୁ । ଆଡ଼ମିସନ୍ କୋଉଥିରେ କରିବୁ ତୁ ?? ସାଇନ୍ସରେ କରିବୁ- ତୁ ଭଲ ଷ୍ଟୁଡ଼େଣ୍ଟ, ତୋର ମ୍ୟାଥ୍ ସାଇନ୍ସ ଖୁବ୍ ଭଲ. . . ।”

ସାର୍‌ଙ୍କ କଥା ଶୁଣି କମଳା ଆହୁରି ଫୁଲି ଫୁଲି କାନ୍ଦିଥିଲା ଦୁଇପାପୁଲିରେ ମୁହଁ ଢାଙ୍କି । ଅନେକ ସମୟ ପରେ କମଳାର କାନ୍ଦ ବନ୍ଦ ହୋଇଥିଲା । ଦଇତାରୀ ସାର୍ କମଳାକୁ ଖୁବ୍ ଶ୍ରଦ୍ଧା କରନ୍ତି- ମେଧାବୀ ଛାତ୍ରୀର ଏମିତି ଅବସ୍ଥା ଦେଖି ବିବ୍ରତ ହୋଇ ପଡ଼ିଥିଲେ ସେ । କମଳାଠାରୁ ସାରା ବୃତ୍ତାନ୍ତ ଶୁଣି କହିଲେ- “ଏଇଟା ଗୋଟେ କଥା, ପଇସା ଅଭାବ ପାଇଁ କ’ଣ ତୋ ପାଠପଢ଼ା ବନ୍ଦ ହେବ । ତୁ ଯା’, କାନ୍ଦନା, କିଛି ଗୋଟେ ବ୍ୟବସ୍ଥା କରିବା । ତୁ ନିଶ୍ଚୟ ପଢ଼ିବୁ, ସେ ଦାୟିତ୍ୱ ତୋ ବାପାଙ୍କର ନୁହେଁ ମୋର ।”

ମନେ ମନେ କମଳା ଭାବିଥିଲା- ଏମିତି କହିଦେବାକୁ କେତେ ସମୟ ! ଆଉ କିଛି ଠିକ୍ ହେବ ନାହିଁ ତାଙ୍କ ଅଭାବୀ ସଂସାର ଭିତରେ । ତା’ ତଳେ ଆଉରି ଦି’ଜଣ ଅଛନ୍ତି । ତାକୁ ଆଉ ବାପା ପଢ଼ାଇବେ ନାହିଁ । ସେ ଫେରିଥିଲା ଘରକୁ । ତା’ର ଦି’ଦିନ ପରେ ଦଇତାରୀସାର୍ କେଇଟା କଲେଜ୍‌ର ଫର୍ମ ଧରି ହାଜର ହୋଇଥିଲେ ତାଙ୍କ ଘରେ । ସେ ନିଜେ ଆଡ଼ମିସନ୍ ଖର୍ଚ୍ଚ ବହନ କରିଥିଲେ । ସାର୍‌ମାନଙ୍କ ସହଯୋଗ କ୍ରମେ କମଳା ପାଇଁ ସାଇକେଲଟେ କିଣାଇ ଦେଇଥିଲେ । କିଛି ବହିପତ୍ରର ବ୍ୟବସ୍ଥା ମଧ୍ୟ କରାଇ ଦେଲେ । କମଳା ସେଦିନ ସାର୍‌ଙ୍କ ହାତକୁ ମୁଠାଇ ଧରିଥିଲା- ଗୋଟେ ଅଲୌକିକ ହାତକୁ ଛୁଇଁବା ପରି । ସାର୍ ତା’ର ଲୁହ ଛଳଛଳ ଆଖିକୁ ପୋଛି ଦେଇଥିଲେ । ତାକୁ ଆଶୀର୍ବାଦ କରିଥିଲେ- “ତୁ ମୋ ଉଦ୍ୟମର ନା ରଖିବୁ, ଏଇ ଆଶା ତୋଠାରୁ ! !”

କୃତକୃତ୍ୟ କମଳାସାର୍‌ଙ୍କ ପାଦଧୂଳି ନେଇଥିଲା । ସାର୍‌ଙ୍କ ପାଇଁ ନାଲି ଚା’ ବଦଳରେ ଅମୁଲ ଚା’ କରିଥିଲା । ତା’ର କୁମ୍ପି ଭାଙ୍ଗି ସାର୍‌ଙ୍କ ପାଇଁ ମିକ୍ସଚର କିଣି ଆଣିଥିଲା । କମଳା କଲେଜ ଯାଇଥିଲା ।

– x x x x x –

ଗୁଣିଆ ପହଞ୍ଚିଥିଲା ତା’ର ମୁଣି ପେଟରା ଧରି । କମଳା ତାକୁ ଦେଖି ପକାଇ ଘୁଞ୍ଚିଯାଇଥିଲା ତାଙ୍କ ସିଜୁବୁଦା କଣ୍ଟା ବଣ ବାଡ଼ ଆଡ଼କୁ । କାଦୁଅ ନସର ପସର ହୋଇ ଯାଇଥିଲା ତା’ ଦେହ । ଗୁଣିଆ ତାକୁ ଘୋଷାରି ଆଣିଲା- ଝାଡ଼ିଲା, କସି କସି ବେତରେ ଦି’ଚାରି ପାହାର ପକେଇଲା । ରଡ଼ି କରି ଅତି କର୍କଶ କଣ୍ଠରେ ପଚାରିଲା, “ତୁ କିଏ ? କୋଉଠୁ ଆସିଛୁ ?”

କମଳା ଅଟ୍ଟହାସ୍ୟ କଲା ପରି ହସିଲା ଠୋ ଠୋ କରି- “ତୁ ଛାର କିଙ୍କର, ମୋର ଉପଚାର କରିବୁ । ତୁ ପଳା ଏଠୁ, ଯେତେ ଶୀଘ୍ର ପାରୁଚୁ ପଳା । ନଇଲେ ମୁଁ ତୋର ସବୁ ବିଦ୍ୟା ଚଳୁ କରିଦେବି ।” କମଳା ହା’ ହା’ ହୋଇ କହୁଥାଏ ପାଦହାତ ଛାଟି ।

ବାଇଆଗୁଣିଆ ଘଣ୍ଟାଏ ଯାଏ ସବୁପ୍ରକାର ପ୍ରଚେଷ୍ଟା କଲା । ସେ ଉଦ୍‌ବେଗ ଓ କ୍ରୋଧ ସହ ସବୁ ଜ୍ଞାତ ମନ୍ତ୍ର ତନ୍ତ୍ର ପ୍ରୟୋଗ କଲା କମଳା ଉପରେ । କମଳାଠାରେ କିଛି ପ୍ରୟୋଗ ବିଦ୍ୟା କାଟୁକଲା ନାହିଁ ତା’ର । ବାଇଆ ଖୁବ୍ ଜୋର୍ କରି ଆଉ ଦି’ପାହାର କସିଲା କମଳା ଜଙ୍ଘରେ । ଏଥର କମଳା ଅଣାୟତ୍ତ ।

କମଳା ଘୋଷାରି ଆଣିଲା ବାଇଆ ଗୁଣିଆ ହାତରୁ ବେତ ଖଣ୍ଡକ ଝିଙ୍କି ନେଲା ପରି । ଆଖି ପିଛୁଡ଼ାକେ ସେଇ ବେତରେ ବାଇଆକୁ ବାଡ଼େଇ ଚାଲିଲା ଦଶ କି ବାର ପାହାର । ବାଇଆ ବେହୋସ୍ । କମଳା ଖପ୍ ଖପ୍ କରି ମାଙ୍କଡ଼ ଡେଇଁବା ପରି ଡେଇଁ ଡେଇଁ ପାର୍ ତାଙ୍କ ବାଡ଼ । କାଦୁଅ ପଚପଚ ବାଡ଼ କଡ଼ର ବିଲ ଡେଇଁ କମଳା ଉଭାନ୍ ହୋଇଗଲା କ୍ଷଣକ ଭିତରେ ।

ତା’ଘର ଲୋକ କାହାକୁ ସମ୍ଭାଳିବେ ଭାବିପାରିଲେ ନାହିଁ । କାନ୍ଦବୋବାଳି ଭିତରେ କେଇଜଣ ବାଇଆ ଉପରେ ଦି’ବାଲ୍‌ତି ପାଣି ଢାଳି ପକାଇଥିଲେ । ସାତ ଆଠଜଣ କମଳାକୁ ଖୋଜିବାକୁ ଗଲେ ।

ବାଇଆ ଥରୁଥିଲା ଗୋଟାପଣେ । ଚାରି ଗ୍ଲାସ୍ ପାଣି ପିଇଥିଲା ଢକ ଢକ କରି, ଅନେଇଥିଲା ଦଣ୍ଡେ କମଳା ଘର ଚାଳକୁ, ଆଉ ଦଣ୍ଡେ ତା’ର ଯିବା ରାସ୍ତାକୁ । ଅତି ଅସହାୟ ଭାବରେ କହିଥିଲା କମଳା ବାପାକୁ ହାତଯୋଡ଼ି, “ଦାଦା ମୁଁ କିଛି କରିପାରିବିନି । ଏ ଗୋଟେ ଭୟଙ୍କର ଅପୂଜାଦେବୀ କି କ’ଣ ? ତାକୁ ସାଧ୍ୟ କରିବାର କ୍ଷମତା ମୋ ପାଖରେ ନାହିଁ । ତମେ ଅନ୍ୟ କାହାକୁ ଡାକ, ବଡ଼ ଗୁଣିଆ ଦେଖ, ମୋତେ ଟିକେ ଛାଡ଼ିଦିଅ ଘରେ ।”

ବରଡ଼ାପତ୍ର ପରି ଥରୁଥିବା ବାଇଆକୁ ସାଇକେଲ୍‌ରେ ବସାଇ କମଳାବାପା ଛାଡ଼ିଥିଲେ ତା’ ଘରେ । କମଳାକୁ ଢେର୍ ଖୋଜା ପରେ ପ୍ରାୟ ସଞ୍ଜବେଳକୁ ତାକୁ ଠାକୁରାଣୀ ପଡ଼ିଆ ବଉଳଗଛ ଡାଳରେ ବସିଥିବାର ଦେଖାଗଲା । ତାକୁ ସାତ ଆଠଜଣ ଲୋକ ମଧ୍ୟ ସାଧ୍ୟ କରି ତଳକୁ ଆଣିବା କଷ୍ଟ ହୋଇଥିଲା । ତାକୁ ରଶି ବାନ୍ଧି ଅଣା ହୋଇଥିଲା ଘରକୁ ।

କମଳା ପୁଣି ଗୋଟେ ଉଦାହରଣ ପାଲଟିଗଲା- ଯାହାର ସାଧ୍ୟକ୍ଷମତା ଆଜି ଆଖ ପାଖ ଗୁଣିଆମାନଙ୍କ ପାଖରେ ନ ଥିଲା । ଦି’ଟା ଦିନ ଭିତରେ ପ୍ରାୟ କୋଡ଼ିଏରୁ ଉର୍ଦ୍ଧ୍ଵ ଗୁଣିଆ ଆଖପାଖ କୋଡ଼ିଏ ଗାଁରୁ ଆସିଥିଲେ । ସମସ୍ତେ ଫେଲ୍ । କମଳା ତିନିଦିନ ହୋଇଯିବ ଦାନା ମୁଠେ ନେଇନଥିଲା ପାଟିକୁ । କମଳା ଘରେ କେହି ମଧ୍ୟ ଖାଇନଥିଲେ । ଦି’ଦିନ ହେବ ତାଙ୍କ ଘରେ ଚୁଲି ଲାଗିନଥିଲା । କମଳାର ଦେହକୁ ତା’ ବୋଉ ପୋଛି ଆଣିଲା କନାଟେ ଧରି । ବଦଳାଇ ଦେଇଥିଲା ତା ଡ୍ରେସ୍ ଖଣ୍ଡକ ।

କମଳା ନା ଖାଉଥିଲା, ନା ଶୋଉଥିଲା ଠିକ୍ କରି । ସେ କାହା କଥା ଶୁଣୁ ନଥିଲା, କି କଥା କହୁ ମଧ୍ୟ ନ ଥିଲା । ତା’ ଆଖି ଉପରକୁ ଥିଲା, ଚାଳରେ ଖୋଷି ହେଲାପରି । ଦାନ୍ତ କଡ଼ମଡ଼ କରୁଥିଲା । ନିଜ ଗାଲ ଓ ମୁହଁକୁ ରାମ୍ପୁଡ଼ି ପକାଉଥିଲା । କେତେବେଳେ କେତେବେଳେ ମୂର୍ଚ୍ଛା ଯାଉଥିଲା । ଶୋଇପଡ଼ିଲା ବୋଲି ସମସ୍ତେ ଭାବୁଥିଲେ ।

ମୁଣ୍ଡରେ ହାତ ଦେଇ ଦେଇଥିଲେ ସଭିଏଁ, କମଳା ପରି ଝିଅ- ଯେ ମାଛି କୁ ମ ବୋଲି କହେନା ତା’ର ଏ ଦଶା । ଧର୍ମ ସହିବନି ଠାକୁରେ । କଳିକାଳ ଠାକୁର ପଥର ଗୋ. . . କହି କମଳା ବୋଉ ସମ୍ପିବା ଆରମ୍ଭ କରିଦେଇଥିଲା ଠାକୁରମାନଙ୍କୁ । ସେ ଅର୍ଦ୍ଧ ପାଗଳି ଅବସ୍ଥାରେ ଥିଲା ।

କମଳା ତା’ର ସାନ ଦି ଭଉଣୀଭାଇଙ୍କୁ ଅଧରାତିରେ ମାରିଥିଲା ଗୋଇଠା ବିଧା । ସେମାନେ ତା’ ଦେଈକୁ କୁଣ୍ଢାଇ ଧରି କାନ୍ଦି ଉଠିଥିଲେ, “ଦେଈ ଲୋ’ ତୋର କ’ଣ ହୋଇଚି. . .” କହି । କମଳା ଜମା ନ ଚିହ୍ନିଲା ପରି ହେଲା । ମୁହଁ ବୁଲାଇ ଗାରୁ ଗାରୁ ହୋଇ ଦାନ୍ତ କଡ଼ମଡ଼ କଲା । ଅଧରାତିରେ ତା’ର ସାନ ଭାଇଭଉଣୀ ଦିହେଁ ଯାଇ ଆଶ୍ରା ନେଲେ ପାଖ ପଡ଼ୋଶୀ ଦାଦିଙ୍କ ଘରେ ।

ତା’ପରେ

ଲୋକପ୍ରିୟ ଲେଖା

To Top