ଏକପାଦ ହଳଦୀବସନ୍ତ

Laxmidhara Nayak's odia story Ekapaada Haladeebasanta

ସମ୍ପର୍କର ଯନ୍ତ୍ରଣା ଏତେ ବେଶୀ ବଢ଼ିଗଲା ଯେ. . . ମୁଁ ହଳଦୀ ରଙ୍ଗର କିଛି ବି ଦେଖିଲେ, ମୋ ହଳଦୀବସନ୍ତ ଯୋଡ଼ିକ, ଆଖି ଆଗରେ ଉଡ଼ିବୁଲିଲେ ।

ଏକପାଦ ହଳଦୀବସନ୍ତ

ସେ ଦୁହିଁଙ୍କ କାନରେ ମୋ ସ୍ନେହବତୁରା ଡାକ ବାଜିଲା କ୍ଷଣି, ଉଡ଼ିଆସନ୍ତି କୃଷ୍ଣଚୂଡ଼ା ଗଛର ଶିଖ ଡାଳରୁ । ଆଜି ଯେତେ ଡାକିଲେ ବି. . . ଆସୁନାହାନ୍ତି କାହିଁକି ?

କେଡ଼େ ସୁନ୍ଦର ଦିଶେ – ତାଙ୍କର ହଳଦୀ ଗୁରୁଗୁରୁ ରୂପ. . . କୃଷ୍ଣଚୂଡ଼ା ଫୁଲର ନାଲି ରଙ୍ଗ ଭିତରୁ । କେତେ ଭଲ ଲାଗେ. . . ଯେତେବେଳେ ସେ ଦୁହେଁ ମୋ ଡାକ ଶୁଣି, ଫୁର୍‌ଫାର୍ ଉଡ଼ିଆସି ବସିଯାଆନ୍ତି ମୋ କାନ୍ଧରେ । ଆଦୌ ଅନାନ୍ତି ନାହିଁ- ଘାସର ଗାଲିଚାରେ ମୁଁ ବୁଣିଥିବା ଗହମଗୁଣ୍ଡ. . . କି, ଅରୁଆ ଚାଉଳ ଖୁଦ କଣିକୁ. . . ଯେଯାଏ ନ କହିଛି- “ଖାଅ ଖାଅ”ବୋଲି ।

ମୁଁ ପିନ୍ଧିଥିବା ଫ୍ରକ୍‌ର ବେକତଳ କୁଞ୍ଚରେ, ସେ ଦୁହେଁ ଥଣ୍ଟ ଘଷନ୍ତି. . . ମୁଁ ହାତ ଲମ୍ୱାଇ ଦେଲେ, ମୋ ଦୁଇ ପାପୁଲିରେ ବସିଯାଇ, ପର ଫଡ଼ଫଡ଼ କରନ୍ତି. . . ପୁଣି, ମୁଣ୍ଡ ଉପରକୁ ଉଡ଼ିଯାଇ, ଜାକିଜୁକି ହେଇ ବସି ରହନ୍ତି ସେଇଠି. . . ମୂର୍ତ୍ତି ଦୁଇଟି ପରି । ଟିକେ ବି ହଲଚଲ୍ ନଥିବ. . . ।

ସେମାନେ ବସିଥିବେ. . . ମୁଣ୍ଡରେ, କାନ୍ଧରେ, କି. . . ହାତରେ ।

ବୋଉ ଡିଜିଟାଲ୍ କ୍ୟାମେରାରେ ଭି.ଡ଼ି.ଓ. ରେକର୍ଡିଙ୍ଗ କରୁଥିବ. . . । ମୋତେ ମଜା, ବୋଉକୁ ମଜା, ସେମାନଙ୍କୁ ଆନନ୍ଦ ।

ମୋର ସାନ ସାନ ପାପୁଲିରେ ସେମାନଙ୍କୁ ଧରି, ଛାତିକୁ ଆଉଜାଇ ଆଣେ । ଫ୍ରକ୍ ଟେକି ଦେଇ, ତାଙ୍କର କଅଁଳ ପରଶ, ମୋ ଛାତିରେ ନିଏ । ସେମାନେ ଫ୍ରକ୍ ତଳେ କୁତୁକୁତୁ ହୁଅନ୍ତି । ମତେ ଭଲ ଲାଗେ । ନିରବରେ କେତେ କ’ଣ ଭାବ ବାଣ୍ଟେ ତାଙ୍କ ସହିତ । ଏହାପରେ କହେ- “ଯା’. . . ଯା’. . . ଦାନା ଖାଇବ ଯା’ ।”ଉଡ଼ାଇଦିଏ ଘାସର ଗାଲିଚାକୁ ।

ଦାନା ଖାଇବାରେ ମନ ପୁରିଗଲେ, ସେମାନେ ଉଡ଼ିଆସନ୍ତି ମୋ କାନ୍ଧ ଉପରକୁ । ମୋ ଫ୍ରକ୍‌ରେ ଥଣ୍ଟ ଘଷନ୍ତି । ଯେଯାଏ କହିନି- “ଉଡ଼ିଯା’. . . ଉଡ଼ିଯା’. . .”ସେମାନେ କୃଷ୍ଣଚୂଡ଼ା ଗଛ ଆଡ଼େ ଚାହାଁନ୍ତି ବି ନାହିଁ । ଉଡ଼ିଗଲା ପରେ, ମୁଁ ଚାହିଁ ରହେ ତାଙ୍କ ଆକାଶକୁ । ଠିକ୍‌ରେ ପହଞ୍ଚିଲେ ତ. . . ବସାରେ । ମୁଁ ବାଏ ବାଏ କଲା ପରି ହାତ ହଲାଇ ଫେରିଆସେ ତ. . . ଦେଖେ- ପ୍ରତିଦିନ ପରି ବୋଉ ଠିଆ ହୋଇଛି ବାରଣ୍ଡାରେ । ମୋତେ ଚାହିଁଛି. . . ।

ବୋଉ ମୁହଁ ସାରା ସରାଗର ନାଲି ଆଭା. . . ।

ଓଠରେ ଟିପେ ଟିପେ ହସ ପୂରି ରହିଛି ।

ତା’ ଝିଅର ଖୁସିରେ, ତା’ର ଆନନ୍ଦ ।

ମୋ ଛଡ଼ା ଆଉ କିଏ ଅଛି ଯେ ତାହାର, ନିଜର ହେଇ ।

. . . ଆଜି ହଳଦୀବସନ୍ତ ଯୋଡ଼ିକ ଆସିଲେ ନାହିଁ. . . କି, ଦିଶିଲେ ନାହିଁ କୃଷ୍ଣଚୂଡ଼ା ଗଛର ଶିଖରେ ।

ସେମାନେ ନିରାପଦରେ ରହିବେ ବୋଲି, ବଡ଼ ଆପଲ୍ ପେଟିଟିଏ ବାନ୍ଧିଦେଇଥିଲି କାମିନୀ ଗଛ ଡାଳରେ । ସେଥିରେ କରତଗୁଣ୍ଡ ବିଛାଇ ଦେଇଥିଲି, ତାଙ୍କୁ ଆରାମ୍ ଲାଗିବ ବୋଲି । ଗୋଟିଏ କୋଣରେ ପାଣି ଗିନାଟିଏ ମଧ୍ୟ ରଖିଥିଲି । ପେଟିର ପରସ୍ପର ବିପରୀତ କାନ୍ଥକୁ କଣାକରି, ସେଥିରେ ଲମ୍ୱ ଭାବରେ ପ୍ଲାଷ୍ଟିକ୍‌ର ସରୁ ପାଇପ୍‌ଟିଏ ଭର୍ତ୍ତି କରି ଦେଇଥିଲି- ମନ ହେଲେ, ସେମାନେ ସେଥିରେ ବସି, ଖୁସି ହେବେ ।

କ’ଣ ହେଲା ସେ ସ୍ୱାମୀସ୍ତ୍ରୀଙ୍କର ??

ମୋର ସବୁ ସ୍ନେହକୁ ପଛ କରି, ଆଉ କେଉଁଠିକୁ ଉଡ଼ିଗଲେ କି ?

. . . ମନ ଦୁଃଖରେ ବାରଣ୍ଡାକୁ ଉଠିଲି ତ. . . ବୋଉ ମୋତେ ତା’ ପେଟ ଆଡ଼କୁ ଆଉଜାଇ ନେଲା । ଝାଉଁଳା ମୁହଁକୁ ପଣତରେ ପୋଛି ଦେଉ ଦେଉ କହିଲା- “ଖାଇବୁ ଚାଲ୍ ! ସ୍କୁଲ୍ ଗାଡ଼ି ଆସିଯିବ । ତୁ ପ୍ରସ୍ତୁତ ହେଇ ରହିଥିବା ଦରକାର୍, ନା !”

ମୋ ଚିନ୍ତାରେ ହଳଦୀବସନ୍ତ ଯୋଡ଼ିକ ଛାଇ ହେଇ ରହିଥାନ୍ତି । ପଚାରିଲି- “ଆଜି କୁଆଡ଼େ ଗଲେ କି ସେ ଦୁହେଁ ?”

ବୋଉ ଗୋଟେ ଅନୁମାନର କଥା କହିଲା-

“. . . ତାଙ୍କର ଅଣ୍ଡାରୁ ଛୁଆ ହୋଇଥିବ ।”

ମୁଁ ଯେମିତି ତୋତେ କୋଳରେ ଜାକି ଶୁଆଇ ପକାଏ, କାନିଢ଼ାଙ୍କି ଉଷୁମ୍ ଦିଏ

. . . କେହି ଡାକିଲେ ବି ତୋତେ ଛାଡ଼ି ଉଠିପଳାଏ ନାହିଁ – କାଳେ ମୋ ଝିଅର ନିଦ ଭାଙ୍ଗିଯିବ, ଏଇ ଆଶଙ୍କାରେ, ସେମିତି ହେଇଥିବ. . . ମା’ ହଳଦୀ ବସନ୍ତର ମନ । ସେ ତା’ ପରତଳେ ଛୁଆଙ୍କୁ ଢାଙ୍କି ରଖି, ସେକୁଥିବ ସେମାନଙ୍କୁ । ଶୁଆଇ ପକାଉଥିବ ଆରାମ୍‌ରେ । ବାପା-ହଳଦୀବସନ୍ତ ଉଡ଼ିଯାଇଥିବ – ଆମ ବଗିଚା ଭିତର ପୋଖରୀ ଧାରକୁ । ସେଇଠୁ, କଅଁଳିଆ ସୁନୁସୁନିଆ ଶାଗପତ୍ର ସନ୍ଧିରୁ, ଟିକି ଟିକି ଧଳାବୁଢ଼ିଆଣୀ ପୋକ ସଂଗ୍ରହ କରୁଥିବ । ସେସବୁଙ୍କୁ ତାଙ୍କର ସାନସାନ ଛୁଆ ଖାଇବେ । ତାଙ୍କୁ ନରମ୍ ନରମ୍ ଲାଗିବ । ଏବେ ତୋ ଗହମଗୁଣ୍ଡ ଖାଇବାର ବୟସ ତାଙ୍କର ହେଇନାହିଁ, ନା ।

ଏହିପାଇଁ. . . ତୋ ଡାକ ତାଙ୍କ କାନରେ ବାଜୁଥିଲେ ବି. . . ସେମାନେ ଛୁଆଙ୍କ ପାଇଁ ଲାଗିଥିବାରୁ, ଆସିପାରୁ ନାହାନ୍ତି । ନିଜ ପେଟ ଚିନ୍ତା ଛାଡ଼ି, ବାପାମା’ ପ୍ରଥମେ ପିଲାଙ୍କ କଥା ବୁଝନ୍ତି ତ !

ପଚାରିଲି- “ସେମାନଙ୍କ ବସା ତ. . . କୃଷ୍ଣଚୂଡ଼ା ଗଛରେ । ତୁ କେମିତି ଜାଣିଲୁ- ତାଙ୍କର ଛୁଆ ହେଇଥିବ ?”

ଅଳ୍ପ ହସି ବୋଉ କହିଲା- “ବୋଉମାନେ ସବୁ ଜାଣନ୍ତି ଦୀପ୍ତି । ବଡ଼ ହେଲେ, ତୁ ବି ଜାଣିବୁ । ଏଇଟା ହଳଦୀବସନ୍ତଙ୍କର ଅଣ୍ଡା ଦେବା ଓ ଛୁଆ କରିବାର ସମୟ ।”

ବୋଉମାନେ ସବୁ ଜାଣନ୍ତି ଜାଣି, ଗୋଟାଏ ଅଦ୍ଭୁତ ପ୍ରଶ୍ନ ଚେଇଁଉଠିଲା ମୋ ମନରେ । ପଚାରିଲି- “କହ ତ ବୋଉ ! ତା’ ଛୁଆମାନଙ୍କୁ ପର ତଳେ ସେକି, କେତେ ଖୁସି ହେଉଥିବ – ମା’ ହଳଦୀ ବସନ୍ତ ?”

କହିଲା- “ସେ ମୋତେ କୋଳରେ ଧରିଲେ, ତାକୁ ଯେତିକି ଖୁସି ଲାଗେ. . . ସେତିକି ଖୁସି ହେଉଥିବ- ମା’ ହଳଦୀବସନ୍ତ ।”

ପଚାରିଲି- “ସେ ଖୁସି କେମିତିକା ?”

କହିଲା- “ତା’ କୋଳରେ ଥାଇ, ମୋତେ ଯେମିତିକା ଖୁସି ଲାଗେ, ସେ ଖୁସି ସେମିତିକା ।”

ମୋତେ ବୋଉର ଏପରି ଉତ୍ତର ପ୍ରହେଳିକା ପରି ଲାଗିଲା । ମୋ ଅବୁଝା ମନକୁ ଯେପରି କିଏ ଝଟକାଏ ଦେଲା । ଖୁସି କେମିତି ଲାଗେ ବୋଲି, ମୁଁ ବାରମ୍ୱାର ପଚାରିଲି ଓ ବୋଉର କୌଣସି ଉତ୍ତର ମୋ ମନକୁ ପାଉନଥିବାରୁ. . . କାନ୍ଦିଲି ଯେ କାନ୍ଦିଲି ।

ସେ ବୟସ ତ. . . କାନ୍ଦିବା ହିଁ ଜିଦି ପୂରଣ ପାଇଁ ଶେଷ ଅସ୍ତ୍ର ଥିଲା ।

ବୋଉ ମୋତେ ଭିତରକୁ ନେଲା । ଖାଇବା ଟ୍ରେ’ଟା ଟେବୁଲ୍ ଉପରେ ଥୋଇ ଦେଇ, ମୋତେ ତା’ ପେଟ ଆଡ଼କୁ ଜାକି ଧରିଲା । ମୁଁ ବି ତାକୁ କୁଣ୍ଢାଇ ପକାଇଲି । ବୋଉ ଚେୟାର୍‌ରେ ବସିପଡ଼ି, ମୋତେ ଛାତିରେ ଜାବୁଡ଼ି ଧରିଲା । ମୁଁ ବି ତାକୁ ମୋ ସାନ ସାନ ବାହୁରେ, ଆଗଠୁ ଆହୁରି ଭିଡ଼ିଧରିଲି । ତା’ ଛାତିରେ ମୁହଁ ଗୁଞ୍ଜିଲି. . . ।

ବୋଉ ତା’ ଧଳା ଶାଢ଼ି ପଣତରେ, ମୋ ଆଖି ଛାପି. . . ଲୁହ ଶୁଖାଇ ଚୁମା ଦେଲା । ମୁଁ ବି ଚୁମିଲି ।

ମୋ ସାରା ଦେହ. . . କେମିତି ଗୋଟେ ଅଲଗା ରକମରେ ସୁଲୁସୁଲୁ ହେଲା ।

ଦେଖିଲି- ମୋ ବୋଉର ମୁହଁ ନାଲି ପଡ଼ିଆସିଲାଣି ।

ତା’ ଦେହ ବି ସୁଲୁସୁଲୁ ହେଉଥିବ, କି କ’ଣ ??

ସେ ଆହୁରି ଆନନ୍ଦରେ ମୋତେ ଛାତିରେ ଜାକି, ଏକାକାର ହେଇଗଲା ଯେମିତି । ମୁଁ ବି ଭାବୁଥିଲି- ସେ ମୁଁ ଅଭିନ୍ନ । ଅଲଗା. . . ଅଥଚ ଗୋଟାଏ ସମ୍ପୂର୍ଣ୍ଣ ଅଙ୍ଗ । ଗୋଟାଏ ପ୍ରାଣ ।

. . . ଓ ଏବେ ବୁଝିଗଲି- ବୋଉ ତା’ ଛୁଆକୁ ଛାତିରେ ଜାକିଧରି, କେତେ ଯେ ଖୁସି ହୁଏ. . . । ତା’ ଛୁଆ ବି କେମିତି ଆତ୍ମହରା ହୁଏ । ସେହି ଖୁସି ପାଇଁ. . . ଦୁହିଁଙ୍କ ଆଖିରୁ, ଓଠରୁ, ମୁହଁରୁ, ସାରା ଦେହରୁ ପୁଣି ମନ ଓ ହୃଦୟରୁ ଆନନ୍ଦ ହିଁ ଝରୁଥାଏ ।

ମା’ ହଳଦୀବସନ୍ତ ପର ତଳେ, ତା’ ଛୁଆମାନେ ଏମିତିକା ଆନନ୍ଦ ଓ ଖୁସି ପାଉଥିବେ । ଆତ୍ମହରା ହେଉଥିବେ । ମୁଁ ବୁଝିଗଲି ।

ତା’ ଆରଦିନ. . . ତା’ ଆରଦିନ ଓ ଅନେକ ତା’ ଆରଦିନ-

ମୋ ଡାକ ସବୁ ବୃଥା ହେଇ ଫେରିଆସିଲେ, ମୋରି କାନକୁ । ଦୁହିଁଙ୍କ ଭିତରୁ, କେହି ଜଣେ ମଧ୍ୟ ଆସିଲାନାହିଁ ।

. . . ଟିକେ ଦେଖା ଦେଇ, ରହିଯାଆନ୍ତେ କି ତାଙ୍କ ବସାରେ ।

ଏମିତି ଭାବି ଭାବି, କଷ୍ଟ ପାଉଥିଲି । ସେମାନଙ୍କୁ ଭୁଲିବାକୁ ଚେଷ୍ଟା କରୁଥିଲି ଯେତିକି. . . ତାଙ୍କର ମୋ ସମ୍ପର୍କର ସ୍ମୃତି ମୋତେ ବ୍ୟସ୍ତ କହୁଥିଲା- ତା’ଠୁ ଅଧିକ । ସମ୍ପର୍କର ଯନ୍ତ୍ରଣା ଏତେ ବେଶୀ ବଢ଼ିଗଲା ଯେ. . . ମୁଁ ହଳଦୀ ରଙ୍ଗର କିଛି ବି ଦେଖିଲେ, ମୋ ହଳଦୀବସନ୍ତ ଯୋଡ଼ିକ, ଆଖି ଆଗରେ ଉଡ଼ିବୁଲିଲେ । ଓଦା ଓଦା ଆଖିରୁ ଲୁହ ନୁହେଁ, ଯେମିତି କି ଛାତିକଟା ରକ୍ତ ହିଁ ଝରିଲା । ଘଣ୍ଟାଏ ଦି’ଘଣ୍ଟା ପଢ଼ାରେ ମନ ଲାଗିଲା ନାହିଁ । ବେଳେବେଳେ, ବୋଉକୁ ଠିଆ ଠିଆ କୁଣ୍ଢାଇଧରି, କାନ୍ଦିଲି. . . ।

ବୋଉ ବୁଝାଉଥିଲା- “ସଂସାରରେ କେହି ଚିରଦିନ ସାଥୀ ହେଇ ରହିପାରନ୍ତି ନାହିଁ ମା’ । ଆଗରୁ କି ପଛରେ. . . କେହି ବି କାହାଠାରୁ, କିଛିଦିନକୁ, କି. . . ସବୁଦିନ ପାଇଁ ଘୁଞ୍ଚିଯାଆନ୍ତି । ଯିଏ ଯାଆନ୍ତି. . . ସେମାନେ ପଛ ହେଇ ରହନ୍ତି । ପଛକୁ ଭାବି ଭାବି, ସବୁ କାମରୁ ମନ ଘୁଞ୍ଚାଇ, କାନ୍ଦି ଚାଲିଲେ. . . ବର୍ତ୍ତମାନଟା ଖରାପ ହେଇଯାଏ । ଏହିପାଇଁ ତ. . . ହଳଦୀବସନ୍ତ ଦୁହିଁଙ୍କ ପାଇଁ ତୋ ମନର ଅବସ୍ଥା ଦିନକୁ ଦିନ ଖରାପ ହେଇ ହେଇ ଯାଉଛି । ମୁଁ ନା. . . ତୋ ଓଠରୁ ସବୁବେଳେ ହସ ଦେଖିବାକୁ ଚାହେଁ ଦୀପ୍ତି ।”

ଏମିତି କହୁ କହୁ, ବୋଉର ସ୍ୱର ଭାରି ଭାରି ଲାଗିଲା ।

ଛାତିରୁ ମୁହଁ କାଢ଼ି, ତା’ ଆଡ଼କୁ ଚାହିଁଲି ।

ବୋଉ ଆଖିରେ ଲୁହ କାହିଁକି ?

ଏଇ ପ୍ରଶ୍ନ. . . ଏଇ ବିସ୍ମୟ ମୋ ମନରେ ।

ସେ ସିନା ମୋତେ ଏତେ ବୁଝେଇ କହୁଛି, କିନ୍ତୁ ସେ ବି କ’ଣ ହଳଦୀବସନ୍ତଙ୍କୁ ମୋରି ପରି ଝୁରି ହେଉଛି । ନା, ଏହାର ଅନ୍ୟ କିଛି କାରଣ ଅଛି ! !

ପଚାରିଲି- “ବୋଉ, ତୁ କାନ୍ଦୁଛୁ ! କାହିଁକି ?”

ବୋଉ ମୋତେ ଖାଇବାକୁ କହି, କିଚେନ୍ ଭିତରକୁ ପଶିଗଲା । ବୋଧହୁଏ, ସେଇଠି ଥାଇ, ଲୁହ ପୋଛିଲା । କ୍ଷୀର ଗ୍ଲାସ୍ ଧରି ଫେରୁଥିଲା ତ. . . ଦେଖିଲି – ତା’ ଓଠରୁ ହସ ଉଚ୍ଛୁଳି ପଡୁଛି. . . ଆଖିରେ ଲୁହର ଚିହ୍ନବର୍ଣ୍ଣ ନାହିଁ । ମୁହଁରେ ଖୁସି ଆନନ୍ଦର ଲହରୀ ଖେଳୁଛି ।

ସେତେବେଳେ ବୋଉ ହୃଦୟର ଗଭୀରତାକୁ ଜାଣିବାର ଶକ୍ତି କୋଉଠି ଥିଲା ଯେ. . . ଜାଣିପାରିଥାନ୍ତି – ବୋଉ କାନ୍ଦୁଥିଲା ତା’ ନିଜ ଦୁଃଖରେ । ବାପାଙ୍କ ସ୍ମୃତିରେ । ଧୋବ ଫରଫର ଶାଢ଼ି ଭିତରେ ଏକାକିନୀ ରାଜହଂସୀଟିଏ ସାଜି, ତା’ ଝିଅକୁ ସେ ସବୁବେଳେ ଖୁସିରେ ରଖିବାକୁ ଚାହୁଁଥିଲା ସିନା. . . ଭିତରେ ଭିତରେ, ଦୁଃଖର ନିଆଁ ତାକୁ ଜାଳୁଥିଲା ଅହରହ. . . । ବୋଉ ବିଚାରୀ, ମୋ ଆଖି ଆଗରେ ଖୁସିରେ ଥିବାର ଅଭିନୟ କରୁଥିଲା କେବଳ ।

ବୋଉ ବାପାଙ୍କୁ ଭୁଲିପାରୁ ନଥିଲା. . . ମୁଁ ହଳଦୀବସନ୍ତଙ୍କୁ । ହଳଦୀ ରଙ୍ଗର ଯାହା ବି ଦେଖୁଥିଲି- ଲାଗୁଥିଲା, ସେଥିରେ ଅଛନ୍ତି ମୋ ପ୍ରାଣଠୁ ପ୍ରିୟ. . . ହଳଦୀବସନ୍ତ ଯୋଡ଼ିକ ।

ଧୀରେ ଧୀରେ ଏମିତି ହେଲା- ମୁଁ ହଳଦୀ ରଙ୍ଗକୁ ଡରିଲି ।

ସାଙ୍ଗସାଥୀଙ୍କୁ କହିଦେଲି- “ମୋ ଆଗରେ, ସେମାନେ ହଳଦୀ ରଙ୍ଗର ନାଁ ପର୍ଯ୍ୟନ୍ତ ଧରିବେ ନାହିଁ । ମୋତେ କେହି ହଳଦୀ ରଙ୍ଗର ଜିନିଷ ଦେବେ ନାହିଁ ।”ଏପରି କି. . . ବୋଉକୁ କହିଲି- “ତରକାରୀ ତାଟିଆରେ, ମୋତେ ହଳଦୀବସନ୍ତ ଦିଶୁଛନ୍ତି । ସେ ତରକାରୀରେ ହଳଦୀ ନ ପକାଉ ।”ମୁଁ ମିଠା ଦୋକାନକୁ ଗଲି ନାହିଁ । ସେଠି କାଚଢଙ୍କା ଆଲ୍‌ମିରା ଥାକରେ ହଳଦୀ ରଙ୍ଗର ଲଡୁଥାଳି ଦେଖି, ମୋ ଆଖି ଆଗରେ ଯେମିତି ହଳଦୀବସନ୍ତଙ୍କ ନିରୀହ, କୋମଳ, ଛଳଛଳ ଆନନ୍ଦ ଝରା ସୁନ୍ଦର ରୂପ ନାଚିନାଚି, ମୋତେ ଅଥୟ କଲେ ।

ମୋ’ଠି ସେପରି ବିଚଳିତ ହେବାର କାରଣ ପରେ ବୁଝିଲି- ଏମ୍.ଏ. ଶ୍ରେଣୀରେ ପଢ଼ିଲାବେଳେ, ବାଣୀବିହାରରେ. . . ଯେତେବେଳେ ମୋତେ ଉଦ୍ଧବଙ୍କ ଜ୍ଞାନମିଶ୍ରା ଭକ୍ତି ଓ ଗୋପୀମାନଙ୍କ ପ୍ରେମମିଶା ଭକ୍ତିର ତୁଳନାତ୍ମକ ସନ୍ଦର୍ଭଟିଏ ଲେଖି, ପ୍ରେମକୁ ଶ୍ରେଷ୍ଠତର ପ୍ରମାଣିତ କରିବାକୁ ପଡ଼ିଥିଲା ।

. . . ଶ୍ରୀରାଧା ହଳଦୀ ରଙ୍ଗକୁ ଡରିନଥିଲେ. . . ଶ୍ରୀକୃଷ୍ଣ ପୀତବସନ ପିନ୍ଧନ୍ତି ବୋଲି କିମ୍ୱା ନୀଳ ରଙ୍ଗକୁ ଘୃଣା କରୁ ନ ଥିଲେ- ଶ୍ରୀକୃଷ୍ଣଙ୍କର ନବ ଦୁର୍ବାଦଳ ନୀଳକାନ୍ତି ବୋଲି । ଭାସମାନ ନବଘନମାଳା ଦେଖି, ନୃତ୍ୟରତ, ପୁଚ୍ଛବହୁଳ ମୟୂରମାନଙ୍କ ଆଡ଼େ ଚାହିଁ, ଶ୍ରୀରାଧା ସୁନ୍ଦରୀ ମୂର୍ଚ୍ଛିତ ହେଇଯାଉଥିଲେ. . . ଶ୍ରୀକୃଷ୍ଣଙ୍କ ମୁକୁଟରେ ଶୋଭା ପାଉଥିବା ମୟୂର ଚନ୍ଦ୍ରିକାର କଳ୍ପନା କରି ।

କିଛି ମଧ୍ୟ ଆଶା ନ ରଖି, ବେଶୀ ଭଲ ପାଉଥିବା ତ୍ୟାଗର ହୃଦୟ ପାଖରେ, ବିରହ ଏମିତି ଚମତ୍କାର ଦେଖାଏ । ସେତେ ବୟସରେ ଯାଇ ବୁଝିଥିଲି- ହଳଦୀବସନ୍ତଙ୍କ ପ୍ରତି ମୋର ଶ୍ରୀରାଧାଙ୍କ ପରି ତ୍ୟାଗ ନ ଥିଲା. . . ଥିଲା କେବଳ ନିଜକୁ ଖୁସି କରିବାର ଆସକ୍ତି । ସେହିପାଇଁ ମୁଁ ଅହରହ ଯନ୍ତ୍ରଣା ପାଉଥିଲି. . . ।

ଦୁଇମାସ ପରେ. . . ଦିନେ ଆମ ବଗିଚାକୁ ପଶିଥାଏ ଫୁଲ ତୋଳିବାକୁ । ଉପର ବେଳା । ସୂର୍ଯ୍ୟ ରଙ୍ଗ ମଳିନ ପଡ଼ିଆସିଥାଏ. . . ଅଳ୍ପ ଅଳ୍ପ ଶୀତ ଲାଗୁଥାଏ । କାଲି ମାଘମାସ ଶ୍ରୀପଞ୍ଚମୀ । ସରସ୍ୱତୀ ପୂଜା । ବଗିଚାରେ ଏତେ ଫୁଲ ଥାଇ କ’ଣ ହେବ. . . ଯଦି ପୂଜାରେ ନ ଲାଗେ !

ହଳଦିଆ ଗେଣ୍ଡୁଫୁଲ ତୋଳୁ ତୋଳୁ. . . ହଳଦୀବସନ୍ତ ମନେପଡ଼ିଗଲେ । କାହିଁକି ଯେ ଚଢେ଼ଇ ଦୁଇଟି ମମତା ଲଗାଇ, ହଜିଗଲେ କେଉଁଠି ? ପୁରୁଣା ସ୍ମୃତି. . . ପୁଣି ଜୀଅନ୍ତା ହେଇ ଉଠିଲା । ଆତ୍ମାଯାଏ ଥରାଇ ଦେଉଥାଏ ତାଙ୍କର ଖେଳ କେଉତୁକ ଓ ମତେ ଭଲ ପାଇବାର ଅନେକ ମଧୁର ସ୍ମୃତି ।

ତା’ପରେ

ଲୋକପ୍ରିୟ ଲେଖା

To Top