ଗଳ୍ପ

ଏକପାଦ ହଳଦୀବସନ୍ତ

Laxmidhara Nayak's odia story Ekapaada Haladeebasanta

ଏକପାଦ ହଳଦୀବସନ୍ତ ଉଡ଼ିଯାଉଛି ତାଙ୍କ ପାଖକୁ. . . ତାଙ୍କ ମଝିରେ ଟିକେ ବସିଯାଉଛି. . . ସେମାନଙ୍କ ଥଣ୍ଟରେ ଥଣ୍ଟ ଘଷୁଛି ଓ ପୁଣି ଉଡ଼ିଆସୁଛି ମୋ ବୋଉ କାନ୍ଧକୁ. . . ।

ଏକପାଦ ହଳଦୀବସନ୍ତ

-: ପୂର୍ବରୁ :-

କାମିନୀଗଛ ପାଖ ଦେଇ ଯାଉଛି ତ. . . ହଠାତ୍, ମୁଁ ଟାଙ୍ଗିଥିବା ଆପଲ ପେଟୀ ଭିତରୁ ଫୁରକିନା ଉଡ଼ି ଆସିଲା ଗୋଟେ ହଳଦୀବସନ୍ତ । ମୋ କାନ୍ଧ ଉପରେ ବସିଗଲା. . . ।

ଖୁସି ମୁଁ ଆତ୍ମହରା ହେଇଗଲି ଯେମିତି । ପେଟି ଆଡ଼େ ଚାହିଁଲି- ତା’ ଛୋଟ ଦୁଆରଟି ମୁହଁରେ ବସିଛନ୍ତି. . . ଆଉ ଯୋଡ଼ିଏ ସାନ ସାନ ହଳଦୀବସନ୍ତ । ଚିଁ ଚିଁ ହେଉଛନ୍ତି । କିଛି କହୁଛନ୍ତି ତାଙ୍କ ଚଢ଼େଇ ଭାଷାରେ । ମୁଁ ବୁଝିପାରୁ ନାହିଁ ।

. . . ତାଙ୍କର ମା’ କି ବାପା ମୋ କାନ୍ଧରେ ବସିଛି ବୋଲି, ସେମାନେ ଖୁସି ହେଉଛନ୍ତି. . . ନା, ସେମାନେ ବି ବସିବେ ବୋଲି ଚାହୁଁଛନ୍ତି. . . ଅବା ପଚାରୁଛନ୍ତି କି – ଏ ଝିଅଟା କ’ଣ ତୋର ଏଡ଼େ ପ୍ରିୟ ଯେ. . . ତୁ ଆମକୁ ଛାଡ଼ି, ତା’ କାନ୍ଧକୁ ଉଡ଼ିଗଲୁ ?

ମୁଁ କୋମଳ ସ୍ପର୍ଶରେ ମୋ କାନ୍ଧର ହଳଦୀବସନ୍ତକୁ ଧରିଲି. . . ।

ତାକୁ ଚାହିଁଲା କ୍ଷଣି, ମୋ ଆଖି ଯୋଡ଼ିକ ବଡ଼ ବଡ଼ ହେଇଗଲେ ।

ଗୋଡ଼ ଗୋଟିଏ ନାହିଁ ! !

ଏକପାଦ ହଳଦୀବସନ୍ତ ! ! !

କେତେ ଯେ ମଳିନ ପଡ଼ିଯାଇଛି- ତା’ ହଳଦୀ ଗୁରୁଗୁରୁ ରୂପ !

ମୁଁ କାନ୍ଦି ପକାଇଲି । ତା’ର ଏ କି ଦଶା ଘଟିଲା ! କିଏ କଲା ?

ଏତେ ଦୁଃଖ ଯେ. . . ଯେମିତି ଛାତି ଫାଟିଯିବ ।

ଏକପାଦ ହଳଦୀବସନ୍ତ ମୋ ହାତରେ ଥାଇ ପର ଫଡ଼ଫଡ଼ କଲା । ମୋ ମୁହଁକୁ ଚାହିଁଲା । ଯେମିତି କି ମନା କରି କହୁଛି- କାନ୍ଦନା ଦୀପ୍ତି ଦିଦି !

ମୋତେ ମୁଁ ସମ୍ଭାଳି ପାରିଲିନି. . .

ଉଚ୍ଚ ସ୍ୱରରେ କାନ୍ଦିଲି ତ. . . ଘର ଭିତରୁ ବୋଉ ଆସିଗଲା । ହଳଦୀବସନ୍ତ ବୋଉ କାନ୍ଧକୁ ଉଡ଼ିଗଲା । ତା’ କାନରେ ଥଣ୍ଟଗୁଞ୍ଜି, ପର ହଲାଇଲା କିଛି ସମୟ ।

. . . କହିଲା କି- ଦିଦି ମୋ କଥା ମାନୁନି ! ତମେ ତାକୁ ବୁଝାଅ. . . ମା’ !

ବୋଉ ଏ ଯାଏ ଦେଖି ନଥାଏ – ହଳଦୀ ବସନ୍ତର ଏକପାଦ !

କହୁଥାଏ- ଏତେ ଦିନଯାଏ ୟା ସହିତ ଦେଖା ହେଇନଥିଲା । ଖାଇବାକୁ କିଛି ନ ଦେଇ, କାନ୍ଦୁଚୁ ଦୀପ୍ତି ?

ସେ ଚାହିଁଲା ଆପଲ୍ ପେଟୀକୁ । ଛୁଆ ଦୁଇଟା ଆମ ଆଡ଼େ ଚାହିଁଛନ୍ତି । ସେମାନେ ବି ତାଙ୍କର ଟିକିଟିକି ଡେଣା ଝାଡୁଛନ୍ତି । ଏକପାଦ ହଳଦୀବସନ୍ତ ଉଡ଼ିଯାଉଛି ତାଙ୍କ ପାଖକୁ. . . ତାଙ୍କ ମଝିରେ ଟିକେ ବସିଯାଉଛି. . . ସେମାନଙ୍କ ଥଣ୍ଟରେ ଥଣ୍ଟ ଘଷୁଛି ଓ ପୁଣି ଉଡ଼ିଆସୁଛି ମୋ ବୋଉ କାନ୍ଧକୁ. . . ।

ମୋ ବୋଉ ଆଖି ବି ଛଳଛଳ ହେଲାକି କ’ଣ. . . କିଛି ଗୋଟାଏ ପଡ଼ିଗଲା ପରି. . . ପଣତରେ ଆଖିକୋଣ ପୋଛି ପକାଇଲା ।

କହିଲା- “ଅଣ୍ଡା ଉଷୁମାଉଥିବ ମା’ ହଳଦୀବସନ୍ତ । ଭୁଆ ବିରାଡ଼ିଟା ଗଛ ଚଢ଼ିଥିବ । ବାପ-ହଳଦୀବସନ୍ତ ତାଙ୍କୁ ରକ୍ଷା କରିବାକୁ ଥଣ୍ଟରେ. . . ଗୋଡ଼ରେ ଆକ୍ରମଣ କରିଥିବ ଭୁଆକୁ । ଶେଷରେ ଭୁଆର ଆକ୍ରମଣରେ ଟଳିପଡ଼ିଛିବ ବିଚରା ! ତାକୁ ଖାଇ ଦେଇଥିବ ଭୁଆ ! ମା’ ହଳଦୀବସନ୍ତ ବି ଗୋଡ଼ଟାଏ ହରାଇଥିବ- ସବଳ ସାଙ୍ଗରେ ଦୁର୍ବଳର ସେହି ଯୁଦ୍ଧରେ !

ସବୁ ବିପଦର ସାମ୍ନା କରି କରି, ଶେଷରେ ମା’ ଫୁଟାଇଥିବା ଅଣ୍ଡା । ସେଥିରୁ ସେଇ ଯୋଡ଼ିଏ ଛୁଆ ବାହାରିଥିବେ । ସେମାନେ ଟିକେ ବଡ଼ ହେଲାରୁ, ମା’ ତାଙ୍କୁ ଉଡ଼ାଇ ଆଣିଥିବ ତୋର ଆପଲ୍‌ପେଟିକୁ । ଅପେକ୍ଷା କରୁଥିବ- କେଉଁଦିନ ତୁ ଆସିବୁ. . . ତାଙ୍କର ସୁରକ୍ଷା କରିବୁ ।”

କହିଲି- “ୟା’ଙ୍କୁ ଆମ ଘରକୁ ନେଇଯିବା ବୋଉ । ପଞ୍ଜୁରୀରେ ରଖିବା ନିରାପଦରେ ରହିବେ ।”

ବୋଉ କହିଲା- “ନେବା ତ, କିନ୍ତୁ ବନ୍ଦୀ ହେଇ ରହିବାକୁ ଚଢ଼େଇଙ୍କୁ ଭଲ ଲାଗେନି । ଉଡ଼ି ବୁଲିବାର, ସ୍ୱାଧୀନତା ନ ପାଇଲେ, ଦୁଃଖ ପାଇବେ ! କହ ତ  . . . ଆଉ କ’ଣ କଲେ ଭଲ ହୁଅନ୍ତା ?”

ଏତେବେଳକୁ ମୁଁ ବୁଝିଗଲିଣି- ବୋଉ ମୋ ବୁଦ୍ଧିର ପରୀକ୍ଷା ନେଉଛି । ମୋତେ ପଢ଼ାଇଲାବେଳେ, ଏମିତି ଅନେକ ପ୍ରଶ୍ନ କରେ. . . ।

କହିଲି- “ମୁହଁ ଖୋଲା ରଖି ପଞ୍ଜୁରିଟିକୁ ଉଚ୍ଚ ଅଗଣାର ଲୁଗାଶୁଖା ତାରରେ ଝୁଲାଇଦେବା । ଇଚ୍ଛା ହେଲେ ହଳଦୀବସନ୍ତ ଉଡ଼ିଯାଉଥିବ. . . ପୁଣି ଫେରିଆସୁଥିବ ତା’ ଛୁଆଙ୍କ ପାଖକୁ । ଛୁଆଙ୍କୁ ଖଣ୍ଡିଉଡ଼ା ଶିଖାଇବ । ପର ତାଙ୍କର ଟାଣ ହେଲେ. . . ସେମାନେ ବି ଉଡ଼ିଯାଇ, କେଉଁ ଗଛରେ ବସା ଗଢ଼ିବେ । ଇଚ୍ଛା ହେଲେ. . . ଚକ୍କର୍ କାଟୁଥିବେ ଆକାଶ ସାରା, ମନଇଚ୍ଛା, ଯେତେ ଇଚ୍ଛା !”

– ଆଉ ତାଙ୍କ ବୁଢ଼ୀ ମା’ଟି ??

କ’ଣ ହେବ ସନ୍ତାନ ବିନା. . . ତା’ର ବାକି ଜୀବନ ? ଛୁଆହରା ମା’ କ’ଣ ଶାନ୍ତି ପାଏ । ସେ ପରା ତା’ ଛୁଆଙ୍କ କୋଳରେ ମରିବାକୁ ଆଶା ରଖେ । ଛୁଆ ଉଡ଼ିଗଲେ, କ’ଣ ହେବ ମା’ର ଦଶା ? ତୋ ଏକପାଦ ହଳଦୀବସନ୍ତ. . . ଏକାକିନୀ ବଞ୍ଚି ପାରିବନାହିଁ ଲୋ ! ମନମାରି, କାନ୍ଦିବ ସବୁବେଳେ ।

ମୁଁ ବୋଉ ଆଡ଼କୁ ଚାହିଁଲି ତ. . . ଚମକି ପଡ଼ିଲି ।

ସେ କହୁଛି ତ. . . ତା’ ଆଖି ଛଳଛଳ ହେଉଛି କାହିଁକି ?

ସେ କ’ଣ ନିଜକୁ ବି ଏକପାଦ ହଳଦୀବସନ୍ତ ବୋଲି ଭାବୁଛି ?

ମୁଁ କ’ଣ. . . ତା’ ପରି ହଳଦୀବସନ୍ତର ଟିକି ଛୁଆଟି !

ହଳଦୀବସନ୍ତ ଛୁଆଙ୍କର ବାପା ନାହିଁ । ଭୁଆ ପାଟିରେ ଶେଷ ହେଇଥିବ । ମୋର ବି ବାପା ନାହାନ୍ତି । ସୀମାନ୍ତରେ ଶତ୍ରୁ ସାଙ୍ଗରେ ଯୁଦ୍ଧ କରୁକରୁ, ଟଳିପଡ଼ିଛନ୍ତି ତୋପ ମୁହଁରେ ।

ଆମ ମା’ ଝିଅ ଓ ହଳଦୀବସନ୍ତ, ତା’ ଛୁଆଙ୍କ ଭିତରେ କିଛି ତ ପାର୍ଥକ୍ୟ ନାହିଁ । ମୋ ସାନ ବୁଦ୍ଧିରେ ଭାବିଲି- ଏକପାଦ ହଳଦୀବସନ୍ତକୁ ତା’ ଛୁଆ ଏକାକରି, ଉଡ଼ିଯିବା ଉଚିତ୍ ନୁହେଁ ଓ ମୁଁ ବି ମୋ ବୋଉକୁ ଏକା ନ କରିବା ଉଚିତ୍ ।

ସେଇ ସାନ ବୟସରେ ମୁଁ ଜାଣିଥିଲି- ଝିଅମାନେ ବାହା ହେଇ, ବାପା ବୋଉଙ୍କୁ ଛାଡ଼ି, ଶାଶୁଘର ଚାଲିଯାଆନ୍ତି । ବାପଘରେ. . . ବାପାବୋଉଙ୍କ ପାଖରେ, ଭାଇ ଭାଉଜ କିମ୍ୱା ଅନ୍ୟ କେହି ଥାଆନ୍ତି । ମୁଁ ବଡ଼ ହେଇ ବାହା ହେଇଗଲେ, ବୋଉ ରହିବ କାହା ଭରସାରେ ? ମୋର ତ ଭାଇ ନାହିଁ । ବାପା ବି !

ମୋର ଏମିତି ଭାବନା ଭିତରେ. . . ହଠାତ୍ ବୋଉ ହୁସ୍. . . ହୁସ୍ କହି, କାମିନୀ ଗଛ ଆଡ଼େ ହାତ ହଲାଇଲା । ମୁଁ ଦେଖେ ତ. . . ଆମ ଘରର ପୋଷା ବିଲେଇ କାଳିଆ ମୂର୍ଦ୍ଧନ୍ୟ ଣ’ ପରି. . . ବସିଯାଇଛି କାମିନୀ ଗଛ ପାଖ ଘାସ ଉପରେ । ଲାଞ୍ଜକୁ ହଲାଉଛି । ଉପରକୁ ମୁହଁ ଟେକିଛି । ଆପଲ୍ ପେଟୀର ଦୁଆରେ ବସିଥିବା କୁନି କୁନି ହଳଦୀବସନ୍ତ ଛୁଆଙ୍କୁ ଚାହିଁ ରହିଛି । ତା’ କାଳିଆ ମୁହଁ ଭିତରୁ ଆଖି ଯୋଡ଼ାକ ଜଳିଲା ପରି ଉଜ୍ଜ୍ୱଳ ଦିଶୁଛନ୍ତି । କାଳିଆ ମଝିରେ ମଝିରେ ଜିଭକୁ ବୁଲେଇ ଆଣୁଛି. . . ଓଠ ଉପରେ ।

ଏତେବେଳକୁ ବୋଉ କାନ୍ଧରୁ ଉଡ଼ିଯାଇ, ଏକପାଦ ହଳଦୀବସନ୍ତ କାଳିଆ ମୁଣ୍ଡ ଉପରେ ଚକ୍କର କାଟିଲାଣି ।

ଉଡୁ ଉଡୁ ସେହି ବିଲେଇ ଆଖିକୁ ଖୁମ୍ପି ପକାଉଛି. . .

ଯେମିତିକି ଚିତ୍କାର କରି କହୁଛି – ଏଇ କାଳିଆ ଭୁଆ ବିଲେଇ କୃଷ୍ଣଚୂଡ଼ା ଗଛକୁ ଚଢ଼ି, ତା’ ସ୍ୱାମୀକୁ ଖାଇଛି. . . ତାକୁ ଏକପାଦ କରିଛି । ନିଶ୍ଚୟ ଆଉ ଟିକକୁ ତା’ ଛୁଆମାନଙ୍କ ଉପରକୁ ଝାମ୍ପି ପଡ଼ିବ. . . ।

ମୋତେ ଏମିତି ଲାଗିଲା- ସେହି ଆତଙ୍କିତା ମାଟି ଯେମିତି ମୋତେ କାନ୍ଦି କାନ୍ଦି ପ୍ରାର୍ଥନା କରୁଛି- ମୋ ଛୁଆଙ୍କୁ ରକ୍ଷାକର ଦୀପ୍ତି ଦିଦି. . . !

ମୁଁ ରାଗରେ ଲାଲ୍ ପଡ଼ିଗଲି. . .

ବାରଣ୍ଡା ତଳେ ପଡ଼ଥିବା ଇଟା ଖଣ୍ଡକୁ, ମୋର ଶେଷଶକ୍ତି ଖଟାଇ ଫିଙ୍ଗି ଦେଲି କାଳିଆର ମୁଣ୍ଡକୁ ନିଶାଣକରି. . . ।

ହଗି ପକେଇଲା । ଶେଷ୍ ବି ହେଇଗଲା ।

ମ୍ୟାଉଁଟିଏ ବି କରିବାର ସୁଯୋଗ ନ ଥିଲା ତା’ ପାଇଁ ।

ବୋଉ କିନ୍ତୁ ଚିତ୍କାର କଲା-

ମାରିଦେଲୁ କାଳିଆ ଭୁଆକୁ ? ମଞ୍ଜାରି ଦୋଷ ଲାଗିଗଲା ଲୋ’ ମା’ ! ଏବେ ମୁଁ କ’ଣ କରିବି ??

“ମଞ୍ଜାରି”ର ଅର୍ଥ “ଅଣ୍ଡିରା” ବିଲେଇ ବୋଲି ଜାଣିଥିଲି ସିନା. . . ମଞ୍ଜାରି-ଦୋଷ କ’ଣ, ଜାଣି ନଥିଲି । ଦୁର୍ବଳକୁ ସବଳ ମୁହଁରୁ ବଞ୍ଚାଇବାଟା ଠିକ୍ ବୋଲି ମୁଁ ଭାବିସାରି ଥାଏ, କିନ୍ତୁ ବୋଉର କରୁଣ ଚିତ୍କାର ମୋ ଦୃଢ଼ ମନକୁ ଦୋହଲାଇ ଦେଇଥାଏ, ସେଇ ବେଳେ । ମୁଁ ଭଲପାଉଥିବା ହଳଦୀବସନ୍ତର ଛୁଆ ଦି’ଟାଙ୍କୁ ବଞ୍ଚାଇବାକୁ ଯାଇ, ବୋଉ ଭଲ ପାଉଥିବା ପୋଷାବିରାଡ଼ିକୁ ମାରିଦେବା ଟା. . . ମୋତେ ଠିକ୍ ଲାଗୁ ନଥାଏ ।

. . . କାଳିଆକୁ ଘଉଡ଼ାଇ ପାରିଥାନ୍ତି ।

ହଳଦୀବସନ୍ତ ତିନୋଟିକୁ ପଞ୍ଜୁରି ଭିତରେ ରଖି ପାରିଥାନ୍ତି ।

ମୋ ଦ୍ୱାରା କେମିତି ଏମିତି ହେଇଗଲା ଯେ ।

ଡରି ଡରି ବୋଉକୁ ପଚାରିଲି- “ମଞ୍ଜାରି ଦୋଷ କ’ଣ ?”

କହିଲା- “ପ୍ରାୟଶ୍ଚିତ ନ ହେଲେ, ତୋର ପୁଅ ଝିଅ ହେବେ ନାହିଁ ।” ମୁଁ କହିଲି- “ଏଇ କଥା ! ତୁ ନିଜକୁ ହଳଦୀବସନ୍ତ ପରି ଭାବୁଛୁ ନା ! ହଳଦୀବସନ୍ତର ଛୁଆ ଉଡ଼ିଗଲେ, ସେ ଦୁଃଖ ପାଇବ. . . ମୁଁ ବି ବାହା ହେଇଗଲେ, ତୁ ଦୁଃଖ ପାଇବୁ । ସେମିତି ହେବନାହିଁ । ଆମ ଘରେ. . . ଆମେ ମା’ ଝିଅ ସବୁ ଦିନେ ରହିବା । ବାହା ହେବିନି. . . କି, ଘର ଛାଡ଼ିବିନି । ମଞ୍ଜାରି ଦୋଷ ତା’ ବାଟରେ ପଡ଼ିଥିବ । ତୁ ବ୍ୟସ୍ତ କାହିଁକି ହେଉଛୁ ?”

ବୋଉ କିନ୍ତୁ ମାନିଲା ନାହିଁ. . . ।

ଡକାଇଲା ପୁରୋହିତଙ୍କୁ. . . ।

ପୁେରାହିତେ ଡକାଇଲେ, ଗ୍ରହାଚାର୍ଯ୍ୟଙ୍କୁ. . . ।

ଗ୍ରହାଚାର୍ଯ୍ୟ ଅଣାଇଲେ, ପ୍ରାୟଶ୍ଚିତ କରାଉଥିବା ତୁଠିଆ ବ୍ରାହ୍ମଣଙ୍କୁ ।

ଗୋଟାଏ ରୀତମତ୍ ଷଡ଼ଯନ୍ତ୍ର ଚାଲିଥିଲା ସେଦିନ. . . !

ଆଦୌ କୁସଂସ୍କାରରେ ବୁଡ଼ି ନ ଥିବା ମୋ ଶିକ୍ଷିତା ବୋଉକୁ. . . ତା’ର ଏକମାତ୍ର ଅଲିଅଳୀ ଝିଅ ଚିରକାଳ ବନ୍ଧ୍ୟା ରହିଯିବ ବୋଲି ବୁଝାଇ ଦେଇ, ତାକୁ ମାନସିକ ସ୍ତରରେ ଦୁର୍ବଳ କରିଦିଆଗଲା । ଦଶା ପଡ଼ିଥିବାରୁ, ଦଶ ଇଞ୍ଜ ଲମ୍ୱର ଖାଣ୍ଟି ରୂପା ପାତିଆରେ ବିଲେଇ ଆକୃତିଟିଏ କରାଇ, ସେଥିରେ ବିଲେଇ ଆଖି ପରି ଚକ୍ ଚକ୍ କରୁଥିବା ଦୁଇଟି ସୁନାର ଆଖି ଗଢ଼ାଇ. . . ବୋଉର ଅନେକ ଟଙ୍କା ଶୋଷଣ କରାଗଲା ! ଏହା ସହିତ ଯେତେ ଯାହା ଖର୍ଚ୍ଚର ତାଲିକା ଲମ୍ୱିଲା, ବୋଉ ତା’ର ନାତିନାତୁଣୀ ଦେଖିବା ଭରସାରେ, ସବୁ ଖର୍ଚ୍ଚ ତୁଲାଇଲା ।

ମୋତେ ଲାଣ୍ଡୀ କରାଇ, ଗୋବର ମଳାରେ ହାତ ଯୋଡ଼ାଇ ଠିଆ କରାଗଲା । ବିଲେଇ ଗୁହକୁ ଶୁଙ୍ଘାଇ ଦିଆଗଲା ।

ମୋ ଦ୍ୱାରା ଏମିତିକା କୁସଂସ୍କାରରେ ବୁଡ଼ିଥିବା ଦଶ ଘରୁ ଭିକ୍ଷା ସଂଗ୍ରହ କରାଗଲା । ରୂପାସୁନାର ବିରାଡ଼ି ସହିତ, ଦାନ ନାମରେ ସବୁଗଲା- ପୁରୋହିତ ମହାପ୍ରଭୁଙ୍କ ବଡ଼ ଗୋଟାଏ ଗଣ୍ଡିରାକୁ ! ମୁଁ ଆଦୌ ବୁଝିପାରି ନ ଥିବା କିଛି ସଂସ୍କୃତ ଭାଷାର ମନ୍ତ୍ର, ଶ୍ଳୋକ, ବନ୍ଦନାକୁ ମୋର ଅନଭ୍ୟସ୍ତ ଅଶୁଦ୍ଧ ତୁଣ୍ଡରୁ ଭୁଲ୍‌ଭାଲ୍ କରି ଉଚ୍ଚାରଣ କରାଇ ଦିଆଗଲା ଓ ଶେଷରେ- ବ୍ରାହ୍ମଣ ଭୋଜନ ପରେ, ସେମାନଙ୍କ ପତ୍ରଛଡ଼ା ଅଇଁଠାକୁ ଖୁଆଗଲା । ସବୁ ଶେଷରେ ମୋତେ ଲମ୍ୱ ହେଇ, ବ୍ରାହ୍ମଣ ପଣ୍ଡିତଙ୍କ ଗୋଡ଼ ସାମ୍ନାରେ ଶୋଇବାକୁ କୁହାଗଲା । ମୁଁ ସେମିତି କଲି ବି !

କିଏ କହିବ- ଭାରତୀୟଙ୍କର ଏ ପ୍ରାୟଶ୍ଚିତ ବ୍ୟବସ୍ଥାଟା ଜୀବ ପ୍ରତି ଦୟା ପାଇଁ ଥିଲା କିମ୍ୱା ଯଜମାନ ମାନଙ୍କୁ ଚିପୁଡ଼ି ଶୋଷିବା ପାଇଁ ପୁରୋହିତମାନଙ୍କର ଫନ୍ଦି ଫିକର !

ମୁଁ ଖୁସି ମନରେ ସବୁକିଛି କରିଗଲି । କାରଣ, ପରୋହିତଙ୍କ ସବୁ ପ୍ରସ୍ତାବରେ ମୋ ବୋଉର ସମ୍ମତି ଥିଲା । ବୋଉର ଖୁସିରେ, ମୋର ଖୁସି ! ସେ ଯାହା ଚାହୁଁଛି- ନ କରନ୍ତି କେମିତି ?

ଆମେ ପ୍ରାୟଶ୍ଚିତ ଘଟଣାରେ ଏମିତି ବୁଡ଼ି ରହିଲୁ ଯେ. . . ଏକପାଦ ହଳଦୀବସନ୍ତ ଓ ତା’ ଛୁଆ ଦୁହିଁଙ୍କ ସମ୍ୱନ୍ଧରେ ଚିନ୍ତା କରିବାକୁ ସମୟ ନଥିଲା । ମୁଁ ବି ତିନିଦିନ ପର୍ଯ୍ୟନ୍ତ ଅଛୁଆଁ ହେଇ, ମେଲାଘରର ଗୋଟାଏ କୋଣରେ. . . କୁଟା ଶେଯ ଉପରେ ବସୁଥିଲି. . . ଶୋଉଥିଲି । ମୋ’ଠୁ କିଛି ବ୍ୟବଧାନରେ. . . ବୋଉ ବି ତଳେ ପଡ଼ି ଶୋଉଥିଲା । ଜାଣି ନ ଥିଲି ମୋ ଦୁଃଖରେ ବୋଉ ଦୁଃଖିନୀ ବୋଲି, ମଞ୍ଜାରି ନମାରି ମଧ୍ୟ, ସେ ବିଛଣା ନ ପାରି ଶୋଉଥିଲା କିମ୍ୱା ପୁରୋହିତ ତାକୁ କହିଥିଲେ- ପୂରା ଦୋଷ ଛାଡ଼ିଯିବାକୁ, ନିର୍ବୋଧ ବାଳିକାଟି ପାଇଁ, ବୋଉ ହିସାବରେ ସେ ମଧ୍ୟ କିଛି ଆଚରଣ ପାଳିବା ଉଚିତ୍ ! !

ପ୍ରାୟଶ୍ଚିତ କର୍ମ ଶେଷଦିନ ରାତିରେ. . .

ବୋଉ ମୋତେ କୋଳରେ ଜାକି ଶୁଆଇ ପକାଇବାକୁ ଚେଷ୍ଟା କରୁଥିଲା । ମୁଁ କିନ୍ତୁ ଶୋଇପାରୁ ନଥିଲି । ଛଟ୍ ପଟ୍ ହେଉଥାଏ ମନ । ଲଣ୍ଡା ମୁଣ୍ଡ ଦେଇ ଶୀତ ପଶିଆସୁଥାଏ ସାରା ଦେହକୁ ତ. . . ମୁଁ ଥରୁଥାଏ । ବୋଉ ମୋତେ ଢାଙ୍କି ପକାଉଥାଏ. . . ମୁଁ ଅଣନିଃଶ୍ୱାସୀ ହେଇ, ମୁଣ୍ଡ ଉପରୁ ପତଳା ରେଜେଇଟିକୁ କାଢ଼ି ଦେଉଥାଏ । ଆଗଠୁ ବେଶୀ ବେଶୀ ଛଟ୍ ଛଟ୍ ହେଉଥାଏ ମୋ ଛାତି । ମୋତେ ଆମ କଳା ବିରାଡ଼ି ଦିଶୁଥାଏ ।

ମୁଁ ବାରମ୍ୱାର ଚିହିଙ୍କି ପଡୁଥାଏ ତ. . . ବୋଉ ମୋତେ ଆହୁରି ଛାତିକୁ ଜାକିଧରୁଥାଏ । ମୁଁ ବି କୁଣ୍ଢାଇ ଧରୁଥାଏ ତାକୁ ।

ବୋଉ ପଚାରିଲା- ଡରୁଚୁ ଦୀପ୍ତି ?

– ହଁ !

. . . କାହିଁକି ଲୋ ମା’ ?

– ମୋତେ ଆମ କଳା ବିରାଡ଼ିର ମୁହଁ ଦିଶୁଛି । ତା’ ଆଖି ଗୁଡ଼ାକ ଆମ କାନ୍ଥ ଘଣ୍ଟାର ରେଡ଼ିଅମ୍ ପରି ଜଳୁଛନ୍ତି । ସେ ଆଁ କରିଛି । ଆଁ ଭିତରୁ ଦିଶୁଛ- ଏକପାଦ ହଳଦୀବସନ୍ତର ଥଣ୍ଟ ।

ବୋଉ ହାତ ବଢ଼ାଇ, ବେଡ୍ ଲାଇଟ୍ ଜାଳିଲା । କାନ୍ଥ ସୁଇଚ୍ ଅନ୍ କରି, ସାରା ଘରକୁ ଉଜ୍ଜ୍ୱଳ ଆଲୋକରେ ଭରିଦେଲା. . . ।

ପଚାରିଲା – ଏବେ କହ. . . କେଉଁଠି ଅଛି ଆମ କଳା ବିରାଡ଼ି ? କେଉଁଠି ସେ ଆଁ କରିଛି ? ହଳଦୀବସନ୍ତର ଥଣ୍ଟ କେଉଁଠି ? କହୁନୁ ! . . . ଏତେ ଡରକୁଳି !

ଏତେବେଳକୁ ମୁଁ ସାହାସୀ ହେଇଗଲିଣି । ମୋତେ ଲାଗିଲା- କଳା ବିରାଡ଼ି ସିନା ମୋ ଇଟାମାଡ଼ରେ ମଲା, ତା’ ସାଙ୍ଗ ବିଲେଇ ଯଦି କେହିଥାଏ. . . ପ୍ରତିଶୋଧ ନେବା ପାଇଁ, ଖାଇଯାଏ ତ ମୋ ହଳଦୀବସନ୍ତ ସବୁଙ୍କୁ ??

ଏମିତି ଆଶଙ୍କାରେ ବୋଉକୁ କହିଲି-

ଚାଲ୍ ବୋଉ ! ଆଣ ପଞ୍ଜୁରି ! କାମିନୀ ଗଛ ପାଖକୁ ଯାଇ, ହଳଦୀବସନ୍ତ ସବୁଙ୍କୁ ନେଇ ଆସିବା ଆପଲ୍ ପେଟୀରୁ । ଉଠ୍ ତ. . .

ବୋଉ କହିଲା- ରାତି ବହୁତ ହେଲାଣି । ଏ ବେଳରେ, ମା’ ଝିଅ ଦୁହେଁ ବାହାରକୁ ଯିବା ଠିକ୍ ନୁହେଁ । ରାତି ପାହିଆସୁ । ଭୋରୁ ଭୋରୁ ଯାଇ, ତାଙ୍କୁ ନେଇ ଆସିବା. . . । ଶୋଇପଡ୍. . . !

ମୁଁ ସାରାରାତି ଶୋଇପାରିଲି ନାହିଁ ।

ମୋ ପାଇଁ, ବୋଉ ବି ଅନିଦ୍ରା ହେଲା ।

ଭୋରୁ ଭୋରୁ ମା’ ଝିଅ ପଞ୍ଜୁରି ଧରି ପହଞ୍ଚିଗଲୁ- କାମିନୀଗଛ ପାଖରେ । କିନ୍ତୁ. . . କାହିଁ ଏକପାଦ ହଳଦୀବସନ୍ତ ?? କାହାନ୍ତି ତା’ର କୁନିକୁନି ଛୁଆ ??

ଫୁଲର ପାଖୁଡ଼ା ପରି, ଟିକିଟିକି ହଳଦିଆ ପର. . . କାମିନୀ ଗଛ ତଳେ, ଏଣେ ତେଣେ ବିଛାଡ଼ି ହେଇ ପଡ଼ିଛି ।

ମୋ ଛାତି ଥରିଉଠିଲା । ମନ ବିକଳ ହେଇଗଲା । ଆଖି ଆଗକୁ ଯେମିତି ଘୋଟି ଆସିଲା । ଆଶଙ୍କାର ଅନ୍ଧାର । ତଣ୍ଟି ଅଠା ଅଠା ହେଇଗଲା ।

ବିକଳରେ ପଚାରିଲି- ବୋଉ ! ଆଉ କୋଉ ବିରାଡ଼ି, ଖାଇ ଦେଲା କି . . . ହଳଦୀବସନ୍ତ ସବୁଙ୍କୁ ! !

ବୋଉ ଚାହିଁଥିଲା କାମିନୀଗଛର ଉଚ୍ଚ ଶାଖାଟି ଆଡ଼େ. . . ତା’ ଆଖିରୁ ଝରି ପଡୁଥାଏ ବଡ଼ ବଡ଼ ଟୋପା ଲୁହ ।

ବୋଉ ଆଖିରେ ଲୁହ କାହିଁକି ?

. . . କାମିନୀ ଡାଳକୁ ଆଉଜି, ବସିଥାଏ ଏକପାଦ ମା’ ହଳଦୀବସନ୍ତ. . . । ସ୍ଥିର ହେଇ ତଳକୁ ଚାହିଁଥାଏ । ଦେଖୁଥାଏ କି. . . ବିକ୍ଷିପ୍ତ ହେଇପଡ଼ିଥିବା ଟିକି ଟିକି ହଳଦିଆ ପର ସବୁଙ୍କୁ । । ଚିତ୍ର ପ୍ରତିମା ପରି ଟିରେ ବି ହଲ୍‌ଚଲ୍ ନାହିଁ ତା’ ଦେହରେ ! ! କେବେଠୁ ସେ ବସିଛି ସେମିତି ! ! !

ଆଖି ଆଗରେ. . . ସ୍ୱାମୀ, ଆଉ ଦୁଇ ଦୁଇଟା ଛୁଆଙ୍କୁ ହରାଇ, ନିଜେ ବି ଏକପାଦ ହେଇ, ଶୋକରେ ଶୋକରେ ମରିଯାଇ ନାହିଁ ତ. .. ସେହି ମା’ ବିଚାରୀ ! ! ! ଖେଣ୍ଟା ହେଇ ଲାଖି ରହିଛି କି- କାମିନୀ ଡାଳରେ ???

ବଗିଚା ଭିତରୁ ପିମ୍ପୁଡ଼ି ଧାରଟିଏ ଲାଗି ରହିଛି – ଗଛ ମୂଳରୁ ଅଗ ଆଡ଼କୁ ହଳଦୀବସନ୍ତ ପର୍ଯ୍ୟନ୍ତ । ଏତେ ଭୋରୁ କାମିନୀଗଛର କଢ଼ମାନେ ବି ଫୁଟିନଥାନ୍ତି । ମହକ ଝାରୁନଥାନ୍ତି । ସେମାନେ ସେମିତି ଶୋକରେ ବୁଡ଼ିଥାନ୍ତି ।

ବୋଉ ଆଖିର ଟୋପାଟୋପା ଲୁହ ଏବେ ଧାରଧାର ହେଲା ।

ତା’ ହାତରୁ ପଞ୍ଜୁରୀ ଖସିପଡ଼ିଲା… ।

ମୁଁ କାନ୍ଦୁଥାଏ. . . ବୋଉ କାନ୍ଦୁଥାଏ. . . ।

କେହି କାହାକୁ କିଛି ବି କହିପାରୁ ନ ଥାଉ.. . ।

ମୋ ହାତ ପାଉନଥାଏ – ବୋଉର ଲୁହ ପୋଛିବାକୁ… ।

ବୋଉ ହାତ ପାଉନଥାଏ – ହଳଦୀବସନ୍ତକୁ ଛୁଇଁବାକୁ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top