ଗଳ୍ପ

ଏମିତି ହୋଇବ ଝିଅ !

Dr Sharat Chandra Parida

ଓହୋଃ କି ଆନନ୍ଦ ! ଆଜି ପ୍ରବୃତ୍ତିକୁ ସେମାନେ ଜିତି ପାରିଛନ୍ତି । ସ୍ୱାମୀ ସ୍ତ୍ରୀ ଦିହେଁ କୁନିଝିଅଟିକୁ କୁଣ୍ଢାଇ ପକାଇଲେ ।

ଏମିତି ହୋଇବ ଝିଅ !

ନୂଆ ବର୍ଷ । ଦୁଇ ହଜାର ଦୁଇ । ଆନନ୍ଦ ଉଲ୍ଲାସର ଆବହାୱା । ଜାନୁୟାରୀ ପହିଲା । ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା ପଶ୍ଚିମ ଆକାଶରେ ବିଚ୍ଛାଡ଼ି ହୋଇ ପଡ଼ିଚି । ଲିଟୁ ବାବୁ ମୋତେ ନେଇ ଷ୍ଟେସନର ଏପାରିରେ ଛାଡ଼ି ଦେଇ ଆସିଲେ । ତାଙ୍କୁ ଲେଉଟାଣି ଦେଇ ପେଟୁଆ ଆଟାଚି ଓ ଲମ୍ୱାଳିଆ ପାଣି ବୋତଲ ଧରି ଏକାକୀ ଚାଲିଲି । କାହିଁକି ଏକା ଏକା ଲାଗୁ ଥାଏ । ଛାତି ଭିତରଟା ଖାଲି ଖାଲି ଜଣା ପଡୁଥାଏ । ଅଜାଣତରେ କାତର ହୋଇ ପଡୁଥାଏ । କ’ଣ ଏତେ ଦୂର ଯିବି ବୋଲି ? ନା ନୂଆ ଜାଗାକୁ ଯାଉଚି ବୋଲି ? ପୁଣି ଶଙ୍କା ଆଶଙ୍କା ଭିତରେ ଦୋଳାୟିତ ହୋଇ ଯାତ୍ରା ପଥକୁ ଚାରା କ’ଣ ଅଛି ? ନାନା ଭାବନାରେ ଛନ୍ଦି ହୋଇ ଷ୍ଟେସନ୍‌ର ଭୂଗୋଳ ପଢ଼ି ପଢ଼ି ଟିକଟ ଘରକୁ ଗଲି । ଛୋଟ ଧାଡ଼ି ଲାଗି ଥାଏ । ଠେଲା ଠେଲି ନାହିଁ । ପ୍ରାୟ ସବୁ ଚିହ୍ନା ଚିହ୍ନା ମୁହଁ । ହବନି କେମିତି ! ଦୁଇ ଦଶନ୍ଧି ଧରି ଜାଗାଟିରେ କାମ କଲେଣି । ଅନ୍ୟ ସମ୍ପର୍କ ଥାଉ ବା ନ ଥାଉ ଥାନର ତ ପୁଣି ଗୋଟାଏ ସମ୍ପର୍କ ଅଛି । ତାକୁ ଏଡ଼େଇ ହେବ କେମିତି । କ’ଣ ସାର୍ ଯାଉଛନ୍ତି ? କୁଆଡ଼େ ଭୁବନେଶ୍ୱର ? କ’ଣ ଏକାକୀ ? ଏମିତି ଧରାବନ୍ଧା ଢଙ୍ଗରେ ପଚରା ଯାଇଥିବା କେତେକ ପ୍ରଶ୍ନର ଉତ୍ତର କୌଣସି ମତେ ଦେଇ ହୀରାଖଣ୍ଡ ଏକ୍ସପ୍ରେସ୍‌ରେ ଆସିବା ବାଟକୁ ଚାହିଁ ରହିଥାଏ । ଦୂରରୁ ଦେଖିଲି ଦୁଇଜଣ ବାବୁ ବେଶ୍ ଲମ୍ୱା ସାର୍ଟଟାଇବୃତ୍ତ ହୋଇ ଟିକେ ଅଧିକ ବେଗରେ ଆଗେଇ ଆସୁଛନ୍ତି । ହାତରେ ଦୂର ଯାତ୍ରାର ଚିହ୍ନ, ମୁହଁରେ ହସ, ଦେହରେ ଫୂର୍ତ୍ତି ।

ସେମାନେ ଯେତିକି ଆଗକୁ ଆଗକୁ ଆସୁଥାନ୍ତି ସ୍ମୃତିର ପାଖୁଡ଼ା ସେତିକି ମେଲି ମେଲି ହୋଇଯାଉଥାଏ । ସେ ଦୁହିଁଙ୍କୁ ଦେଖି ଉଦାସିଆ ମନଟା ଆପେ ଆପେ ଟିକେ ହାଲୁକା ହୋଇଗଲା । ତତଲା ଭୂଇଁରେ ବର୍ଷା ହେଲା ପରି ମୋର ଅଜାଣତରେ ମୋଠାରେ ଗୋଟିଏ ଉଲ୍ଲାସର ଲହରି ଖେଳିଗଲା । ସେମାନଙ୍କ ମୁଖରେ ମଧ୍ୟ ସୂର୍ଯ୍ୟର ଆବିର୍ଭାବରେ ପଦ୍ମ ଫୁଟିଲା ପରି ହସ ଖେଳି ଯାଉଥାଏ । ଯେଉଁଠି ଦେବାର ନ ଥାଏ ନେବାର ନ ଥାଏ, ଆଶା ନଥାଏ କି ପ୍ରତ୍ୟାଶା ନ ଥାଏ ସେଠାରେ ବୋଧହୁଏ, ଆନ୍ତରିକତାଟା ଏମିତି ଆସ୍ଥାନ ଜମେଇ ଦେଇଥାଏ । ମୋତେ ଦୁହେଁ ଆନନ୍ଦରେ ଆଲିଙ୍ଗନ କଲେ । ସତେ ଯେମିତି ବହୁ ଦିନର ପୁରୁଣା ବନ୍ଧୁ ଆଜି ହଠାତ୍ ଭେଟ ହୋଇଛନ୍ତି । ହସି ହସି ମୁଁ କହି ପକାଇଲି- ଭାଇ, କଥା କ’ଣ ? ଆଜି କ’ଣ ଏମିତି ହାବଭାବ ? କ’ଣ କୁଆଡ଼େ ଇଣ୍ଟରଭିୟୁ ଅଛି ନା କ’ଣ ? ଏକ ସଙ୍ଗେ ଦୁହେଁ ଉତ୍ତର ଦେଲେ – ହଁ, ଅଫିସର ଗ୍ରେଡ୍ ପାଇଁ ଇଣ୍ଟରଭ୍ୟୁ ଅଛି । ଭୁବନେଶ୍ୱରରେ । ସଙ୍ଗେ ସଙ୍ଗେ ମୋ ପାଟିରୁ ବାହାରି ପଡ଼ିଲା- ଅଲ୍ ଦି ବେଷ୍ଟ୍ ।

ଟ୍ରେନ୍‌ର ପ୍ରତୀକ୍ଷା ଭିତରେ ରିଜରଭେସନ୍ ହୋଇଛି କି ନାଇଁ ପରସ୍ପର ଠାରୁ ବୁଝିନେଲୁ । ସେମାନଙ୍କର ଥିଲା । ମୋର ନ ଥିଲା । ମନଟା ଟିକେ ଆମ୍ୱିଳା ହୋଇଗଲା । ସେମାନେ ଆଶା ବୁଣି ଦେଇ କହିଲେ – ଚିନ୍ତା କରନ୍ତୁ ନାଇଁ । ଗୋଟିଏ କମ୍ପାର୍ଟମେଣ୍ଟରେ ଉଠି ଯିବା । ମୁଁ ଦକ୍‌ଦକ୍ ହେଉଥାଏ । ରିଜର୍ଭେସନକୁ କେଉଁ ଭରସା । ଆକାଶର ବାଦଲ, ନଈର ପାଣି, ନାରୀର ମନ ଆସ୍ଥା ରଖିବା ନ ରଖିବା ଭିତରେ ଟ୍ରେନ୍‌ର ହର୍ଣ୍ଣ ଶୁଣାଗଲା । ଦୂର ଯାତ୍ରାର ଶୁଭଶଙ୍ଖ । ଲଣ୍ଡଭଣ୍ଡ ହୋଇ ଗୋଟିଏ କମ୍ପାର୍ଟମେଣ୍ଟରେ ଚଢ଼ିଗଲୁ । ଆଗ ବସିଯାଉ । ହୋସ୍ ପଶୁ । ତା’ ପରେ ଦେଖିବା ଯାହା ହେବ । ତଥାପି ମନ ଭିତରଟା ଆକୁଳ ହେଉଥାଏ । ବର୍ଷାଦିନେ ନଈପାଣି ଭଳି । କଣ୍ଡକ୍ଟର ବାବୁ ଆସିଲେ । ତାଙ୍କୁ ଦେଖି ରକ୍ତ ପ୍ରବାହଟା ଟିକେ ବଢ଼ି ଯାଉଥାଏ । ଆମ ସମସ୍ତଙ୍କର ଗୋଟିଏ ଜାଗାରେ ବର୍ଥ ଦରକାର ବୋଲି କହିଲୁ । ସଙ୍ଗେ ସଙ୍ଗେ ମିଳିଗଲା । ଅବଶ୍ୟ ରିଜରଭେସନ୍ ପାଇଁ ଯେତିକି ଦେୟ ତାହାଠାରୁ କିଛି ଅଧିକ ସେମାନେ ନିଅନ୍ତି । ସିଗାରେଟ ଖରଚା । ଏହା ଦେଇଥିବା ଗୋଟିକିଆ ଅଭଙ୍ଗା ନୋଟ୍ ଉପରେ ନିର୍ଭର କରେ ।

ଏ ମନ ଭାବୁ ଥାଇ ଯାହା. . . ତାହା ହେଲା । ଆମ ତିନି ଜଣଙ୍କ ସାଙ୍ଗରେ ସମ ତାଳମେଳ ଥିବା ଆଉ ଦୁଇଜଣ ସହଯାତ୍ରୀ ମିଶିଗଲେ । ନାମ ଜଣା ନ ଥିଲେ ମଧ୍ୟ ବ୍ୟକ୍ତିତ୍ୱକୁ ଚିହ୍ନି ହେଉଥିଲା । ଉଚ୍ଚଶିକ୍ଷିତ ଓ ଭଦ୍ର । ଢିଙ୍କିଶାଳରୁ ଢେଙ୍କାନାଳ, ସାହିତ୍ୟରୁ କୃଷି, ଗୃହ ଠାରୁ ପାର୍ଲିଆମେଣ୍ଟ, ଏନ୍ତୁଡ଼ିଶାଳରୁ ମଶାଣି ସବୁଥିରୁ କିଛି ମିଶାମିଶି ହୋଇ ଟ୍ରେନ୍‌ର ଗତି ସାଙ୍ଗରେ କଥା ଆଗକୁ ଚାଲିଲା । ଗପର ଆସର ଜମିଲା । ହେଲେ କୁଳିଆ ଭାଇ ମୋ କାନରେ ଧୀରେ କହିଲେ- ପରିଡ଼ା ବାବୁ, ଆଜି ମୋର ମୁଡ୍ ଭଲ ନାଇଁ । ମୁଁ ପଚାରିଲି- ଭାଇ କ’ଣ ହେଲା ? ଆପଣଙ୍କର କ’ଣ ବିଗିଡ଼ି ଯାଇଚି । ସେ କହିଲେ ଆଜି ପାନ ଦୁଇ ଚାରି ଖଣ୍ଡ ଆଣି ପାରିଲି ନାଇଁ । ମୁଁ ପଚାରିଲି – କ’ଣ ଭୁଲିଗଲେ ନା କ’ଣ ? ସେ ଅଳ୍ପ ହସି କହିଲେ – ନାଇଁ, ସେ କଥା ନୁହେଁ ଯେ । ପାନ ଖାଇ ଓଠ ନାଲି କରି ଇଣ୍ଟରଭ୍ୟୁ ବୋର୍ଡରେ ବସିଲେ ମାଇନସ୍ ମାର୍କିଂ ହୋଇଯିବାର ସମ୍ଭାବନା ଅଛି ।

ଆଜ୍ଞା, ଥଟ୍ଟା ପରିହାସ ଖିଅ ଟିକେ ପାଇଗଲେ ମୁଁ କି ଆଉ ଛାଡ଼େ ! ତତ୍‌କ୍ଷଣତ୍‌ ମିଶ୍ର ବାବୁଙ୍କୁ ତାଗିଦିଆ କଣ୍ଠରେ କହିଲି- ମିଶ୍ର ବାବୁ, ଆପଣ ଯାହା କଲେ ଠିକ୍ କଲେ ନାଇଁ । ଆପଣଙ୍କ ସାଙ୍ଗରେ ଜଣେ ଭାଇ ବିରସ ମନରେ ଯାଉଚନ୍ତି ଅଥଚ ଆପଣ ତାଙ୍କ ପାଇଁ କିଛି କଲେ ତ ନାଇଁ, ଚିନ୍ତା ବି ଟିକେ କରୁ ନାହାନ୍ତି । ପାନ ଦୁଇ ଖଣ୍ଡ ଯୋଗାଡ଼ କରି ଆପଣ ଆମ କୁଳିଆ ଭାଇଙ୍କୁ ଦେଇ ପାରିଲେ ନାଇଁ । ମିଶ୍ର ବାବୁ ବ୍ୟାଙ୍କ୍ ଲୋକ । ହେଲେ ସାହିତ୍ୟପ୍ରେମୀ । ପାନ ବିଡ଼ି ନୁହେଁ ଛୋଟିଆ ନିଶାରୁ ଆରମ୍ଭ କଲେ । କହିଲେ ଦେଖନ୍ତୁ, କୁଳିଆ ଭାଇ ଦିନକୁ ଆଠ ଦଶ ଖଣ୍ଡ ପାନ ପାକୁଳି କରୁଛନ୍ତି । ସେ କେବେ କେଉଁ କଥା ହିସାବ ନିକାଶ କରନ୍ତି ନାଇଁ । ହଁ, ଚାଲିଛିତ ଚାଲୁ । କାଲି ପାଇଁ ଆଜି କାଇଁ ବ୍ୟସ୍ତ ହେବା । ପିଲାପିଲି ଅଛନ୍ତି । ହେଲେ ତାଙ୍କ ଭବିଷ୍ୟତ ପାଇଁ ଉତ୍କଣ୍ଠା ପ୍ରକାଶ କରନ୍ତି ନାଇଁ । ସେ ଭାରି ଦିଲଦାରିଆ । କିନ୍ତୁ ମିଶ୍ର ବାବୁ ଟିକେ ନିଆରା । କହିଲେ- ନା ଭାଇନାଙ୍କ ଭାବନା ଠିକ୍ ନୁହଁ । ସେ ଦିନକୁ ଅତି କମ୍‌ରେ ଦଶ ଟଙ୍କାର ପାନ ଚୋବାଉଚନ୍ତି । ମାସକୁ ହେଲା ତିନି ଶହ ଟଙ୍କା । ବର୍ଷକୁ ତିନି ହଜାର ଛଅ ଶହ ଟଙ୍କା । ଯଦି ଜଣେ ଏହି ଟଙ୍କା ରେକରିଂ ଡିପୋଜିଟ୍ କରି ଚାଲିବ ତେବେ ତିରିଶ ବର୍ଷ ଚାକିରିରେ ସେ ଛଅ ଲକ୍ଷ ଟଙ୍କା ଅତି ସହଜରେ ସଞ୍ଚୟ କରିପାରିବ । ଏହି ପାନଖିଆ ଖରଚାରେ ଜଣେ ନିଜର ତଥା ପିଲାମାନଙ୍କର ରହଣି ନିମନ୍ତେ ଏକ ସୁନ୍ଦର କୋଠା ଘରଟିଏ ତିଆରି କରି ଦେଇପାରିବ । ଯାହା ଆଜିର ଯୁଗରେ ନିହାତି ଆବଶ୍ୟକ । ମୁଁ ୟାଡ଼େ ପ୍ରମାଦ ଗଣିବାକୁ ଆରମ୍ଭ କଲିଣି । କୁଳିଆ ଭାଇ ଏକଥା ଶୁଣି କାଳେ ଅସୁଖ ପ୍ରକାଶ କରିବେ ବା ଆଲୋଚନା ଚକ୍ରରେ ଅସହଯୋଗ କରିବେ । ମୁଁ ଟିକେ ତାଙ୍କ ଆଡ଼କୁ ବଙ୍କେଇ ଚାହିଁଲି । ଦେଖିଲି ମୁହଁରେ ଗୋଟିଏ ବେପରୱା ଭାବ । ହୋଲ ନାଇଁ କି ଡୋଲ ନାଇଁ । ବ୍ୟସ୍ତ ନୁହେଁ କି ବିବ୍ରତ ନୁହେଁ । ମୁଡ୍ ଅଫ୍ ଥିବା ମୁଖମଣ୍ଡଳରେ ନିସ୍ତେଜ ହସର ସରୁ ଗାରଟିଏ । ଖାଲି ଏତିକି କହିଲେ କ’ଣ କରିବ, ଖାଇତ ଆସିଚି, କେମିତି ଛାଡ଼ିବା ?

ମିଶ୍ର ବାବୁ କେଉଁ ଛାଡ଼ିବାର ଜନ୍ତୁ । ଅଳସୁଆ ଜୱାନଙ୍କୁ କ୍ୟାପ୍ଟେନ୍ କ’ଣ ଛାଡ଼ିଦିଅନ୍ତି । ଦାୟିତ୍ୱହୀନ ପିଲାକୁ ଦାୟିତ୍ୱବାନ୍ ଅଭିଭାବକ କ’ଣ ଛାଡ଼ି ଦିଅନ୍ତି । ମିଶ୍ର ବାବୁଙ୍କ ଗଳା ଟିକେ ଚଢ଼ା ଶୁଣାଗଲା । କଥା ଟିକେ ଟାଣ ହୋଇଗଲା । କହିଲେ କ’ଣ ହେଲା ? ମୋ ସ୍ତ୍ରୀ ଚାକିରି କରନ୍ତି । ଉଠିଲେ ପାନ ବସିଲେ ପାନ । ସବୁବେଳେ ବିମ୍ୱଫଳ ପରି ଓଠ ନାଲି । ହେଲେ ଏସବୁ ମୋର ଆଦୌ ପସନ୍ଦ ନାଇଁ । କ’ଣ କରିବି କେମିତି କହିବି । ଆକାଶ କାଳେ ଖସି ପଡ଼ିବ । ପବନ କାଳଏ ବନ୍ଦ ହୋଇଯିବ । ପୃଥିବୀ କାଳେ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ । ଦିନେ ଛାତି ଦମ୍ଭ କରି ଭାବିଲି ଆଜି ଯାହା ହେଉଚି ପଛେ ହେଉ କହିବି । ସିଧା କହିଲି- ତମେ ଆଉ ପାନ ଖାଅନା । ଏହା ଗୋଟିଏ ମନ୍ଦ ଅଭ୍ୟାସ । ମିଶ୍ର ବାବୁ ସିନା କହି ଦେଲେ କିନ୍ତୁ ଝଡ଼ ହେବ କି ବନ୍ୟା ହେବ ଦେଖିବାକୁ ଅପେକ୍ଷା କରି ବ୍ୟାକୁଳିତ ହୋଇ ରହିଲେ । ନାରୀସଶକ୍ତୀକରଣ ଖୁବ୍ ଧୁମ୍‌ଧାମ୍‌ ଚାଲିଚି । ଅର୍ଦ୍ଧାଙ୍ଗିନୀ କହିଲେ- କ’ଣ ହେଲା । ମୁଁ ହକ୍ ରୋଜଗାର କରୁଚି । ପାନ ଖଣ୍ଡେ ଖାଇବାର ମୋର କ’ଣ ସ୍ୱାଧୀନତା ନାଇଁ ! ! ସେଥିରେ ପୁଣି ବାରଣ !!! ଛତା ନେଇ ନଥିବା ବାଟୋଇ ଯେମିତି ନିର୍ଘାତ ଅସରାଏ ବର୍ଷା ନୀରବରେ ମଥାପାତି ସହିଯାଏ ମିଶ୍ର ବାବୁ ନିଦାବିଷ୍ଣୁ ପାଲଟିଗଲେ । ମୁଖରୁ ବାକସ୍ଫୁରଣ ହେଲା ନାଇଁ । କାନମୂଳଟା ଭାଁ ଭାଁ ହେଉଥାଏ । ନିଜ ସ୍ୱାମୀ ପଣିଆକୁ ଅଣ୍ଟିରେ ପୂରାଇ ରଖିଲେ । ନ ଯଯୌ ନ ତସ୍ଥୌ ଅବସ୍ଥା । କହିଲେ କୁଳ କୁଟୁମ୍ୱକୁ ଲାଜ । ମନକଥା ମନ ମୁଣାରେ ଭର୍ତ୍ତି କଲେ ।

ଦିନେ କୁନି ଝିଅକୁ ସାଙ୍ଗରେ ଧରି ସ୍ୱାମୀ ସ୍ତ୍ରୀ ଦୁହେଁ ମାର୍କେଟ ଯାଇଥିଲେ । ସାଙ୍ଗରେ ଥିଲା ପୁଅ । ସେ ଷଷ୍ଠ ଶ୍ରେଣୀର ଛାତ୍ର । ଝିଅ ଚତୁର୍ଥରେ ପଢ଼େ । ହସଖୁସିର ଝିଅଟି । ଅନ୍ୟ ଜିନିଷ କିଣା କିଣି ଚାଲିଥାଏ । ଝିଅ ଲକ୍ଷ୍ୟ କଲା ବାପା ଗୋଟିଏ ସିଗାରେଟ୍ କିଣି ପକେଟ୍‌ରେ ରଖୁଛନ୍ତି । ଗୃହିଣୀ ମଧ୍ୟ ଦେଖୁ ଥାଆନ୍ତି । କିଛି ବୁଝି ପାରୁ ନଥାନ୍ତି । ସବୁ ଅବାକ୍ । ନୀରବତା ଭାଙ୍ଗି ଝିଅ ପଚାରିଲା- ବାପା ସିଗାରେଟ୍ କ’ଣ କରିବ ? ମିଶ୍ର ବାବୁ କହିଲେ – ମୁଁ ଆଜି ଠାରୁ ସିଗାରେଟ୍ ଟଣା ଆରମ୍ଭ କରିବି । ମା’ ପୁଅ ଝିଅ ତିନିହେଁ ଆଶ୍ଚର୍ଯ୍ୟ ହୋଇଗଲେ । ଝିଅଟି ସିନା ସାନ, ହେଲେ ବୁଦ୍ଧି ଭାରି ତୀକ୍ଷ୍ଣ । କହିଲା ତାହା ହୋଇ ପାରିବ ନାଇଁ । ଆମ ସ୍କୁଲରେ ମାମ୍ କହିଚନ୍ତି ପାନ ଖାଇବା ଓ ଧୂଆଁ ପିଇବା ବଡ଼ ମନ୍ଦ ଅଭ୍ୟାସ । ତୁମେ ସିଗାରେଟ୍ ପିଇ ପାରିବ ନାଇଁ । ମିଶ୍ର ବାବୁ କହିଲେ ତୋର ବୋଉ କେମିତି ପାନ ଖାଉଚନ୍ତି । ଏହା କ’ଣ ମନ୍ଦ ଅଭ୍ୟାସ ନୁହେଁ । ଏହା ଶୁଣି ବୋଉଙ୍କର ତେଣେ ଭାଳେଣି ପଡ଼ିଗଲାଣି । ଥା. . . ଥା. . . ମା. . . ମା. . . ହେଲେଣି । ବୁଦ୍ଧି ହଜିଗଲାଣି । କେମିତି ଏ ଅଖାଡୁଆ ପରିସ୍ଥିତିରୁ ପାର ହେବ । ଝିଅ କିନ୍ତୁ ନଛୋଡ଼ବନ୍ଧା । ତା’ର ରୋକଠୋକ୍ ଶେଷ ନିଷ୍ପତ୍ତି ଜଣାଇ କହି ଦେଲା- ତୁମେ ଯଦି ଏ ସିଗାରେଟ୍‌କୁ ଏଠାରେ ନ ଫୋପାଡ଼ିଚ ମୁଁ ଆଜି ଘରକୁ ଯିବି ନାଇଁ । ଟାଣିଦେଲା ଲକ୍ଷ୍ମଣ ରେଖା । ତା’ର ଭୀଷ୍ମ ପ୍ରତିଜ୍ଞାରେ ସେ ଅଟଳ । ପୁଅ ଖାଲି ନୀରବ ଶ୍ରୋତା ସାଜିଥାଏ ।

ପରିସ୍ଥିତ ଗମ୍ଭୀର । କ୍ଷୁଦ୍ର ସ୍ଥାନରେ ବିରାଟ ଦରବାର । ବାଦୀ, ପ୍ରତିବାଦୀ ଓ ବିଚାରପତି ଆଉ ସ୍ରଷ୍ଟା ମିଶି ଚାରି । ଘରର ଗୁମର କଥା । କାହାକୁ କହିବେ । ଝିଅକୁ କ’ଣ କହି ବୁଝାଇବେ । ବୁଝାଇବାର ଦାୟିତ୍ୱ କିଏ ନେବେ । ବାପା ବୋଉଙ୍କ ଅକଲ ଗୁଡୁମ୍ । ଅବସ୍ଥା ଅସମ୍ଭାଳ ହେବାରୁ ନିଜର ରୁଚି ବିରୋଧୀ, ଇଚ୍ଛାର ପ୍ରତିକୂଳ ଏକ ନିଷ୍ଠୁର ସିଦ୍ଧାନ୍ତ ନେଇ ଶ୍ରୀମତୀ ମିଶ୍ର କହିଲେ- ହଉ ବାବା ହେଲା । ମୋ ପାଇଁ ଏତେ ନାଟକ ତ ? ମୁଁ ଆଜିଠାରୁ ଆଉ ପାନ ଖାଇବି ନାଇଁ । ମିଶ୍ର ବାବୁ ତ ଏହି ମଉକାକୁ ଅନେଇ ବସିଥିଲେ । କଥାକୁ ଝାମ୍ପ ମାରି କହିଲେ- ହଁ, ମୁଁ ମଧ୍ୟ ସିଗାରେଟ୍ ଟାଣିବି ନାଇଁ । ଏହା କହି ସିଗାରେଟ୍ଟିକୁ ରାସ୍ତାକଡ଼କୁ ଫିଙ୍ଗି ଦେଲେ । ଏତେ କମ୍ ସମୟ ମଧ୍ୟରେ ଏମିତି ଏକ କୁଅଭ୍ୟାସର ଅବସାନ ନାଟକୀୟ ଢଙ୍ଗରେ ଘଟିବ ବୋଲି କେହି ବିଶ୍ୱାସ କରିପାରୁ ନଥିଲେ । ଓହୋଃ କି ଆନନ୍ଦ ! ଆଜି ପ୍ରବୃତ୍ତିକୁ ସେମାନେ ଜିତି ପାରିଛନ୍ତି । ସ୍ୱାମୀ ସ୍ତ୍ରୀ ଦିହେଁ କୁନିଝିଅଟିକୁ କୁଣ୍ଢାଇ ପକାଇଲେ । ଏଡ଼େ ସୁନ୍ଦର ବୁଦ୍ଧିମତୀ ଝିଅଟି ପାଇଛନ୍ତି ବୋଲି ଦୁହିଁଙ୍କ ଆଖିରୁ କୃତଜ୍ଞତାର ଅଶ୍ରୁବିନ୍ଦୁ ଦୁଇ ଟୋପା ଝରିପଡ଼ିଲା. . . ।

ଲୋକପ୍ରିୟ ଲେଖା

To Top