ଗଳ୍ପ

ଏତେ ଦୂରେ ଥାଇ ବି, ଏତେ ନିକଟରେ

Anasuya Panda's odia story Ete Doore Thaai Bi Ete Nikatare

ଆଜିକାଲି ଯୋଉଁ ଯୁଗ ହେଲାଣି, ଲୋକମାନେ ଏକାଧିକ ଝିଅମାନଙ୍କ ସହ ସମ୍ପର୍କ ରଖୁଛନ୍ତି । ସଫଟ୍ୱେୟାର୍ ଇଞ୍ଜିନିୟର୍‌ମାନେ ଏ କାମରେ ଆଗୁଆ । କାହାକୁ ବା ବିଶ୍ୱାସ ଅଛି ।

ଏତେ ଦୂରେ ଥାଇ ବି, ଏତେ ନିକଟରେ

ରୁମ୍‌ର ଲାଇଟ୍‌ଟା ବନ୍ଦ କରି ଦେଇ, ଚଉକି ଉପରେ ବସି ମୁଣ୍ଡଟାକୁ ଉପରକୁ ରଖି ନନ୍ଦିନୀ ଭାବୁଥିଲା । ଫେବୃଆରୀ ମାସର ପ୍ରଥମ ସପ୍ତାହରେ ଫ୍ୟାନ୍‌ଟା ପୁରା ହାଇସ୍ପିଡ୍‌ରେ ବୁଲିଲେ ବି ଗରମ ଶୀତର ଫରକ ତାକୁ ଜଣାପଡୁନଥିଲା । ଆଇପଡ୍‌ରେ “ତ୍ରିୟମ୍ୱକମ୍ ୟଜା ମହେ. . .” ମନ୍ତ୍ର ଲାଗିଥିଲା । ତାକୁ ଯେତେବେଳେ ବେଶି ଭଲ ନ ଲାଗେ ସେ ଏହି ମନ୍ତ୍ରଟି ଶୁଣେ । ଲାଇଟ୍ ବନ୍ଦ କରି ଦେଇ, ଅନ୍ଧାରରେ ନିଜ ସହ ନିଜେ କଥା ହୁଏ । ନିଜର ଏକୁଟିଆପଣକୁ ଶବ୍ଦାଇତ କରେ । ହେଲେ ଶବ୍ଦ ଆସି ତା’ ମନର ନିରବତାକୁ ପ୍ରତିରୋଧ କରନ୍ତା କି ! କିଏ ତା’ ସହ ଟିକେ କଥା ହୁଅନ୍ତା କି ! କେଜାଣି କାହିଁକି ଖୁବ୍ ଏକୁଟିଆ ଲାଗୁଛି ତାକୁ ଆଜି । କାହାକୁ ଟିକେ ଫୋନ୍ କରି କଥା ହେବି କି ! ଘରେ ମା’ ବାପା ତ ବୁଢ଼ା ହୋଇଗଲେଣି, ଆଉ ଅଯଥାରେ ସେମାନଙ୍କୁ ଚିନ୍ତା ଦେଇ ଲାଭ କ’ଣ ? ସାନ ଭଉଣୀ ସୁରଭି ସହ କଥା ହେବା ପାଇଁ ତା’ ନମ୍ୱର ଲଗାଇଲା । ମାତ୍ର ନା, ସେ ଅଟକିଗଲା । ସେ ଅନ୍ତସତ୍ତ୍ୱା ! ଏ ସମୟରେ ତାକୁ ଏୟାଡୁ ସିଆଡୁ କଥା ନେଇ ବିବ୍ରତ କରାଇବାକୁ ଠିକ୍ ମନେକଲାନି ସେ । ଏମିତି ବି ରାତି ବେଶି ହେଲାଣି, ତା’ ସ୍ୱାମୀ ଘରେ ଥିବେ ।

କେଉଁ ସାଙ୍ଗ ଅବା ଅଫିସ୍‌ର ସାଙ୍ଗକୁ ଫୋନ୍ କରିବ କି ? ଝିଅ ସାଙ୍ଗମାନେ ନିଜ ନିଜ ପ୍ରେମିକ ବା ପତିମାନଙ୍କ ସହ ବ୍ୟସ୍ତ ଥିବେ । ଆଉ ଅଫିସରେ କାମ କରୁଥିବା ପୁଅ ସାଙ୍ଗମାନେ ପ୍ରବୀଣ, ସୂରଜ, କ୍ରିଷ୍ଣା. . . ସେମାନଙ୍କୁ ଫୋନ୍ କରିବି କି ? ସେମାନେ କିଛି ଉପାୟ କହିପାରିବେ । ନା ଏତେ ରାତିରେ ଫୋନ୍ କରିବା ଠିକ୍ ହେବନି । ଦିନବେଳା କଥା ଅଲଗା । ଅଫିସର ଝିଅ କର୍ମୀଙ୍କ ସହ ସମୟ ବିତାଇବାକୁ ସେମାନେ ଭଲ ପାଆନ୍ତି । ଏ ତ ଆଜିକାଲିର ଗୋଟେ ଫେସନ୍ ହୋଇଗଲାଣି । ହେଲେ ରାତିରେ ବାଧ୍ୟ ଶିଶୁଟିଏ ପରି ସେମାନେ ନିଜ ପ୍ରେମିକା ବା ପତ୍ନୀଙ୍କ ମନୋରଞ୍ଜନ କରୁଥିବେ । ମୋର ଫୋନ୍ କଲଟି ବୋଧେ ସେମାନଙ୍କ ସୁଖୀ ପରିବାରରେ ଝଡ଼ ସୃଷ୍ଟି କରିପାରେ ।

ମଣିଷ ବ୍ୟସ୍ତ ହୋଇଗଲେ କାହିଁକି କେଜାଣି ଅନ୍ୟ ପାଖକୁ ଦଉଡ଼ିଯାଏ । କେହି କ’ଣ କାହାର ଅସୁବିଧା ନେଇଯାଏ ? ବୋଧେ ଦୁଇପଦ କଥା ହୋଇଗଲେ ମନଟା ହାଲୁକା ହୋଇଯାଏ, ଅବା ସମାଧାନର କିଛି ସୁରାକ ମିଳିଯାଏ । ତିନିଦିନ ହେଲା ଅନୁରାଗ ଫୋନ୍ କରିନାହାଁନ୍ତି । ବାରମ୍ୱାର ମୋର ମୋବାଇଲ୍‌କୁ ଅନୁଧ୍ୟାନ କରି କରି ମୁଁ ବିବ୍ରତ ହୋଇଗଲିଣି ସିନା, ଥକି ଯାଇନାହିଁ । ଏବେ କେତେଦିନ ହେବ ଆମ ଭିତରେ ଟିକେ ମନ ମାଳିନ୍ୟ ଚାଲିଥିଲା । ମୁଁ କେବଳ ତାଙ୍କୁ ଗାଳି କରୁଥିଲି, ଅସନ୍ତୁଷ୍ଟ ହେଉଥିଲି, ହେଲେ କୌଣସି କଥାକୁ ସେ ଗୁରୁତ୍ୱ ଦେଉନଥିଲେ ।

ଆମ ବାହାଘର ପରେ ପରେ, ଅନୁରାଗ ଅଫିସରେ ଜଏନ୍ କରୁ କରୁ ତାଙ୍କୁ ଆମେରିକା ଯିବା ପାଇଁ ପ୍ରସ୍ତାବ ଆସିଲା । ଆଉ ଏ ବିଦେଶ ଗ୍ରସ୍ତ ତାଙ୍କର ପଦୋନ୍ନତି ପାଇଁ ସାହାଯ୍ୟ କରିବ । ଏମିତି ବି ଅନୁରାଗ ବହୁତ ଦେଶ ଅଫିସ୍‌ର ପ୍ରୋଜେକ୍ଟ କାମରେ ଭ୍ରମଣ କରିଛନ୍ତି । କ୍ଲାଇଣ୍ଟ୍ ପାଇଁ ଭଲ କାମ କରି ପ୍ରଶଂସିତ ହୋଇଛନ୍ତି । ମାତ୍ର ଆମେରିକା ଯିବାକୁ ତାଙ୍କର ବହୁତ ଇଚ୍ଛା ଥିଲେ ବି କେବେ ସୁଯୋଗ ମିଳିନଥିଲା । ଏମିତିକି ପୂର୍ବରୁ ତାଙ୍କର ଭିସା ପ୍ରେସୋସ ହୋଇ ବି ଅନିବାର୍ଯ୍ୟ କାରଣ ବଶତଃ ରଦ୍ଦ ହୋଇ ଆମେରିକା ଗ୍ରସ୍ତ ସମ୍ଭବ ହୋଇନଥିଲା । ଏତେଦିନ ପରେ ଇପ୍ସିତ ସୁଯୋଗଟି ପାଇ ଖୁସିରେ ଅଧୀର ହୋଇଯାଇଥିଲେ ଅନୁରାଗ । ମୋତେ ଫୋନ୍ କରି ଅନର୍ଗଳ କହିଚାଲିଥିଲେ “ନନ୍ଦିନୀ ତୁମେ ମୋ ପାଇଁ ବହୁତ ଲକି ! ମୋତେ ପ୍ରୋଜେକ୍ଟ କାମରେ ତିନିମାସ ପାଇଁ ଆମେରିକା ଯିବାର ଅଛି, ବୋଧହୁଏ କାମର ଆବଶ୍ୟକତା ଅନୁସାରେ କିଛିଦିନ ଏପଟସେପଟ ହୋଇପାରେ । ମୁଁ ବହୁତ ଦିନରୁ ଏ ପ୍ରସ୍ତାବକୁ ଅପେକ୍ଷା କରିଥିଲି । ବାସ୍ତବରେ ତୁମକୁ ପାଇ ମୁଁ ବହୁତ ଭାଗ୍ୟବାନ୍ !” ଅତି ଖୁସିରେ ଅନୁରାଗଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥିଲା ।

ଆମ ଦୁହିଁଙ୍କର ଆୟୋଜିତ ବିବାହ । ମାତ୍ର ପନ୍ଦର ଦିନ ଆମେ ଏକାଠି ରହିଛୁ । ଅନୁରାଗଙ୍କର ବଡ଼ ପରିବାର, ସେଠି ନୂଆ ବୋହୂର ଦାୟିତ୍ୱ ତୁଲାଉ ତୁଲାଉ ଖୁବ୍ କମ୍ ସମୟ ଆମେ କଥାବାର୍ତ୍ତା ହୋଇପାରୁଥିଲୁ ଏକାଠି ବସି, ରାତ୍ରିର ଶୋଇବା ସମୟକୁ ଛାଡ଼ିଦେଇ । ପନ୍ଦର ଦିନ ପରେ ମୋତେ ମୋର କମ୍ପାନୀରେ ଜଏନ୍ କରିବାର ଥିଲା ଆଉ ଅନୁରାଗଙ୍କୁ ତାଙ୍କ କମ୍ପାନୀରେ । ଅଧିକା ଛୁଟି ନଥିଲା ଦୁହିଁଙ୍କର । ମୁଁ ବାଙ୍ଗାଲୋର୍‌ରେ ଏକ ମଲ୍ଟିନ୍ୟାସନାଲ୍ କମ୍ପାନୀରେ କାମ କରେ, ଆଉ ଅନୁରାଗ ହାଇଦ୍ରାବାଦରେ । କଥାଥିଲା ବାହାଘର ପରେ ଯୁଦ୍ଧକାଳୀନ ଭିତ୍ତିରେ ଆମ ଦୁହିଁଙ୍କୁ ଗୋଟିଏ ଜାଗା ବା ସହରକୁ ଆସିବାକୁ ଚେଷ୍ଟା କରିବାକୁ ପଡ଼ିବ । ମାତ୍ର ଏବେ ଏତେ ଶୀଘ୍ର ପରିସ୍ଥିତି ବଦଳି ଯାଉଥିଲା ଯେ କିଛି ଭାବିବାକୁ ସମୟ ନଥିଲା । ଦୁହେଁ ଦୁହିଁଙ୍କୁ ପୂର୍ଣ୍ଣରୂପେ ଜାଣିବା ପୂର୍ବରୁ ଅନୁରାଗ ସାତସମୁଦ୍ର ତେର ନଈ ପାର ହୋଇ ଆମେରିକା ଯିବେ ଏ ପ୍ରସ୍ତାବ, ଅବଶ୍ୟ ଆନ୍ତରିକ ଭାବେ ମୁଁ ଗ୍ରହଣ କରିପାରୁନଥିଲି । ଭାରତ ଭିତରେ ଥିଲେ ବୋଧେ ପନ୍ଦର ଦିନ ମାସରେ ଦୁହେଁ ଏକାଠି ହୋଇପାରିଥାନ୍ତୁ । ମାତ୍ର ଅନୁରାଗଙ୍କର ଏତେ ଆବେଗ ଓ ଆନନ୍ଦକୁ ମୁଁ ଏଡ଼ି ଦେଇ ନଥିଲି । ତାଙ୍କ ଯିବାର ଆନନ୍ଦରେ ମୁଁ ବି ବାହାରେ ବାହାରେ ଖୁସି ହୋଇ ଅଭିନନ୍ଦନ କଲି ।

ତିନିମାସ ପାଇଁ ଡିପେଣ୍ଟାଟ୍ ଭିସା କରିବା ସହଜ ନୁହେଁ, ଯଦି ମୁଁ ଯାଏ ମୋର ଚାକିରୀ ଛାଡ଼ିବାର ନୋଟିସ୍ ପିରିୟଡ୍ ଦୁଇମାସ । ଆଗାମୀ ଆପ୍ରାଇଜାଲ୍‌ରେ ମୋର ପଦୋନ୍ନତି ଓ ଦରମା ବୃଦ୍ଧିର ବହୁତ ଆଶା ଅଛି । ତେଣୁ ଅନୁରାଗ ଏକୁଟିଆ ଆମେରିକା ଗଲେ । ଅବଶ୍ୟ ଏ ଖବରରେ ଆମ ଘରେ ବା ମୋର ଘନିଷ୍ଠ ବନ୍ଧୁମାନେ ଖୁସି ନଥିଲେ । ଆଜିକାଲି ଯୋଉଁ ଯୁଗ ହେଲାଣି, ଲୋକମାନେ ଏକାଧିକ ଝିଅମାନଙ୍କ ସହ ସମ୍ପର୍କ ରଖୁଛନ୍ତି । ସଫଟ୍ୱେୟାର୍ ଇଞ୍ଜିନିୟର୍‌ମାନେ ଏ କାମରେ ଆଗୁଆ । କାହାକୁ ବା ବିଶ୍ୱାସ ଅଛି । ମାତ୍ର ଏଇ ସ୍ୱଳ୍ପ ଦିନ ଭିତରେ ମୋର ଦୃଢ଼ ବିଶ୍ୱାସ ଓ ଆସ୍ଥା ଆସିଯାଇଥିଲା ଅନୁରାଗଙ୍କ ଉପରେ । ସେ ଭଲ ଓ ଅନ୍ୟମାନଙ୍କଠାରୁ ଖୁବ୍ ଭିନ୍ନ ଏ ଧାରଣା ମୋର ଦମ୍ଭ ହୋଇଯାଇଥିଲା ମନ ଭିତରେ ।

ଆମେରିକାର ଉତ୍ତର କାଲିଫର୍ଣ୍ଣିଆର ସବୁଠୁ ଜନବହୁଳ ଅଞ୍ଚଳ ହେଲା ସାନ୍‌ଫ୍ରାନ୍‌ସିସ୍କୋ । ଅନୁରାଗ କାମ କରୁଥିବା କମ୍ପାନୀ ସିସ୍କୋ ଏହି ସହରରେ ଅବସ୍ଥିତ । ଅନୁରାଗ କହୁଥିଲେ ଏଠି ବହୁ ବଡ଼ ବଡ଼ ମଲ୍ଟିନ୍ୟାସନାଲ କମ୍ପାନୀ, ପୃଥିବୀର ବିରାଟ ଓ ବିଖ୍ୟାତ ଯାନ୍ତ୍ରୀକ ଓ ବୈଦ୍ୟୁତିକ କାରଖାନାର ମୁଖ୍ୟ ପେଣ୍ଠସ୍ଥଳୀ ଏଇ ସାନ୍‌ଫ୍ରାନ୍‌ସିସ୍କୋ ସହର । କୁଆଡ଼େ ସିସ୍କୋ କମ୍ପାନୀର ନାମ ଏଇ ସାନ୍ ଫ୍ରାନ୍‌ସିସ୍କୋ ସହର ନାମରୁ ନିଆଯାଇଛି । ବହୁପୂର୍ବରୁ ଏକ ଅନୁନ୍ନତ କୃଷି କ୍ଷେତ ଥିବା ଅଞ୍ଚଳ ସାନ୍‌ଫ୍ରାନ୍‌ସିସ୍କୋ ଏବେ ଆମେରିକାର ଛଅଟି ବଡ଼ ସହର ଭିତରୁ ଗୋଟିଏ ଜନବହୁଳ ଓ ଯାନ୍ତ୍ରୀକ କ୍ଷେତ୍ରରେ ଉନ୍ନତି ପାଇଁ ଏ ସହରଟିକୁ ଏବେ ସିଲିକନ୍ ଭ୍ୟାଲି ବୋଲି କୁହାଯାଉଛି ।

ଏ ଭିତରେ ଅନୁରାଗଙ୍କର ଆମେରିକାରେ ରହଣି ତିନିମାସ ପୂର୍ଣ୍ଣ ହୋଇଯାଇଛି । କାର୍ଯ୍ୟର ଆବଶ୍ୟକତା ହେତୁ ଆଉ ଦୁଇମାସ ଅନୁରାଗ ସେଠି ରହିବେ । ଏତେ କାର୍ଯ୍ୟର ବ୍ୟସ୍ତତା, ସମୟ ପାର୍ଥକ୍ୟ ଓ ସାତ ସମୁଦ୍ର ତେର ନଈର ଦୂରତା ଆମକୁ କମ୍ ଜଣାପଡୁଥିଲା ଇଣ୍ଟରନେଟ୍ରେ ଭାବର ଆଦାନ ପ୍ରଦାନ କରି । କେବେ କେବେ ମୁଁ ଅଫିସ୍‌ରେ ଥିବାବେଳେ ବି ଅନୁରାଗ ମୋ ମୋବାଇଲ୍କୁ ଫୋନ୍ କରନ୍ତି । ନନ୍ଦିନୀ ଖାଇଲଣି କି ନାହିଁ । ଆଜି ଅଫିସ କ୍ୟାଣ୍ଟିନ୍‌ରେ କ’ଣ ଖାଇବା ଦିଆଯାଇଥିଲା । ତୁମ କଥା ବହୁତ ମନେପଡୁଛି । ତୁମେ ଯଦି ମୋ ସହ ଏବେ ଥାଆନ୍ତ କେତେ ଭଲ ହୋଇଥାନ୍ତା । ଇତ୍ୟାଦି ଇତ୍ୟାଦି. . . । ମୋର ସହକର୍ମୀମାନେ ମଜାରେ ଟି’ଣୀ ଦିଅନ୍ତି, ସତରେ ତୁମେ କେତେ ଭାଗ୍ୟବାନ ! ଅନୁରାଗ ତୁମକୁ କେତେ ଯତ୍ନ ଓ ପ୍ରେମ କରୁଛନ୍ତି । ସତକଥା ଶାରୀରିକ ଭାବେ କେତେ ଦୂରରେ ଥିଲେ ବି ମୋତେ ଲାଗେ ଅନୁରାଗ ମୋର ଖୁବ୍ ନିକଟରେ ଅଛନ୍ତି । ମୋ ହୃଦୟରେ ଅଛନ୍ତି । ମୋତେ ଟିକେ ବି କଷ୍ଟ ହୁଏନି । ନୂଆ ନୂଆ ବାହାଘର ପରେ ସେ ଏତେଦିନ ଆମେରିକାରେ ରହିଗଲେ ବୋଲି । ସତରେ ମୁଁ ଭାଗ୍ୟବାନ ! ଏକା ସଙ୍ଗେ କାହାକୁ ସବୁ ମିଳିଯାଏନି । ଅନୁରାଗ ରୂପ, ଗୁଣ, ଚରିତ୍ର ସବୁଥିରେ ନିଖୁଣ । ଦୁନିଆଁରେ କାହାର ଘରଥିଲେ ସ୍ୱାମୀ ନିଜର ନୁହେଁ ତ ସ୍ୱାମୀ ଭଲ ପାଉଥିଲେ ଘରର ଅଭାବ ଥିବ । ପ୍ରକୃତରେ ମୁଁ ତ ଏକରକମ ବାହାଘର ହେବାକୁ ଡରିଯାଉଥିଲି । ଆଜିକାଲିର ଦୁନିଆଁରେ ଚରିତ୍ରବତ୍ତାର ନାମ ହିଁ ନାହିଁ । ଘରେ ସ୍ତ୍ରୀମାନେ ଅପେକ୍ଷା କରିଥିବେ, ସ୍ୱାମୀମାନେ କାମ ବାହାନାରେ କେଉଁ ଝିଅ ସହକର୍ମୀମାନଙ୍କ ସହ ସମୟ ବିତାଉଥିବେ । ଅନୁରାଗ ସେସବୁରୁ ବହୁତ ଊର୍ଦ୍ଧ୍ଵରେ ଏ ବିଶ୍ୱାସ ମୋର ଦୃଢ଼ ହୋଇଯାଇଥିଲା ।

ତେବେ କ’ଣ ପାଇଁ ଅନୁରାଗ ଫୋନ୍ କରୁନାହାନ୍ତି ? କେବେ ତ ସେ ଏମିତି କରିନାହାନ୍ତି । ସ୍ୱାମୀ ସ୍ତ୍ରୀର ଛୋଟ ମୋଟ ରାଗ ଅଭିମାନ କ’ଣ ଅନୁରାଗଙ୍କୁ ଭାଙ୍ଗି ଦେଲା, ନା ଦେହ ଖରାପ ହୋଇଛି, ନା ଆଉ କିଛି ଅସୁବିଧା ହେଲା, କେଉଁଠି କି ବୁଲିବାକୁ ଯାଇଛନ୍ତି କି ? ନା ଆଉ. . . ! ନା. . . ଆଉ କିଛି ଅନୁରାଗ କେବେ କରିବେନି । ମାତ୍ର କ’ଣ ବା ବିଶ୍ୱାସ ଅଛି । ପୁଅମାନେ ତ ସବୁବେଳେ କିଛି ନା କିଛି ସାହାରା ଖୋଜୁଥାନ୍ତି । ତେବେ କ’ଣ କେଉଁ ବିଦେଶୀନି ବା ସୁନ୍ଦରୀ ଭାରତୀୟ ରମଣୀର ପ୍ରେମ ଫାଶରେ ପଡ଼ିଗଲେ ଅନୁରାଗ ?

ଯଦି ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯାଇଥାନ୍ତେ ତେବେ ନିଶ୍ଚିନ୍ତ ଖବର ତ କରିଥାନ୍ତେ, ଫୋନ୍ ନ ହେଲେ ନାହିଁ ମେସେଜ୍‌ଟିଏ ତ ପଠାଇଥାନ୍ତେ । ଗତଥର ସେ ଅଚାନକ ସାଙ୍ଗମାନଙ୍କ ସହ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି ଚାଲିଯାଇଥିଲେ, ମୋତେ ନ ଜଣାଇ, ମୁଁ ଫୋନ୍‌କୁ ଅପେକ୍ଷା କରି କରି ଏତେ ଅଭିମାନ କରିଥିଲି ଯେ ତା’ ପରଦିନ ସାରା ତାଙ୍କ ସହ କଥା ହୋଇନଥିଲି । କେତେ ଯେ ପରିଶ୍ରମ କରିବାକୁ ପଡ଼ିଥିଲା ଅନୁରାଗଙ୍କୁ ମୋତେ ବୁଝାଇବାକୁ । ମୁଁ ତ ତାଙ୍କୁ ଅବିଶ୍ୱାସ କରୁଥିଲି, ସତରେ ସେ ମୋତେ କିଛି ଲୁଚାଉଛନ୍ତି ନ ହେଲେ ନ କହି କ’ଣ ପାଇଁ ବୁଲିବାକୁ ପଳାଇଗଲେ । ମାତ୍ର ସେ ଫଟୋ ପଠାଇଲା ପରେ ମୁଁ ବିଶ୍ୱାସ କଲି ।

ଆଠ ହଜାର ଶହେ ଅଶୀ ଏକର ବିଶିଷ୍ଟ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟି କାଲିଫର୍ଣ୍ଣିଆର ଏକ ବେସରକାରୀ ଗବେଷଣାଭିତ୍ତିକ ବିଶ୍ୱବିଦ୍ୟାଳୟ, ଯେଉଁଠୁ ପ୍ରାୟ ପଚାଶରୁ ଊର୍ଦ୍ଧ୍ଵ ଶିକ୍ଷକ ଓ ଗବେଷକ ନୋବେଲ୍ ପ୍ରାଇଜ୍ ପାଇଛନ୍ତି । ଜଣେ ବିରାଟ ରେଳରାସ୍ତା ବ୍ୟାପାରୀ ଓ ଧନୀ ରାଜନୀତିଜ୍ଞ ଲେଲାଣ୍ଡ ଷ୍ଟାନ୍ଫୋର୍ଡ ଓ ତାଙ୍କ ସ୍ତ୍ରୀ ତାଙ୍କ ପନ୍ଦର ବର୍ଷୀୟ ପୁତ୍ର ଲେଲାଣ୍ଡ ଷ୍ଟାନ୍ଫୋର୍ଡ ଜୁନିଅର୍ ଯିଏ ଟାଇଫଏଡ୍ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲା । ତା’ର ସ୍ମୃତିରେ ଏହି ବିଶ୍ୱବିଦ୍ୟାଳୟଟି ତିଆରି କରିଥିଲେ । ସବୁଠୁ ବଡ଼ କଥା ହେଲା ଏଇ ବିଶ୍ୱବିଦ୍ୟାଳୟରେ କମ୍ପ୍ୟୁଟର ଷ୍ଟାଫ୍ ଭାବରେ କାମ କରୁଥିବା ଦୁଇସ୍ୱାମୀ ସ୍ତ୍ରୀ ଲିଓନାର୍ଡ ବୋସାକ୍ ଓ ସାନ୍ଡି ଲିଭନର୍ ସିସ୍କୋ କମ୍ପାନୀ ଉଣେଇଶହ ଚଉରାଅଶୀ ମସିହାରେ ଆରମ୍ଭ କରିଥିଲେ । ଅନୁରାଗ ଇଣ୍ଟରନେଟ୍‌ରୁ ଜାଗା ବିଷୟରେ ଟିକିନିକି ବିବରଣୀ କହିଲା ବେଳେ ମୁଁ ନିର୍ବାକ୍ ହୋଇ ଶୁଣୁଥାଏ । ଖୁବ୍ ଭଲ ଲାଗେ ଅନୁରାଗଙ୍କର ସ୍ଥାନ ବିଷୟରେ ବିସ୍ତାର କରିବାର ଶୈଳୀ ।

ନା ଆଜି ମଧ୍ୟ ଫୋନ୍ କରିବେନି ଅନୁରାଗ । ରାତି ବେଶୀ ହେଲାଣି ସକାଳେ ଅଫିସ୍ ଅଛି । ଏମିତି ବି ପ୍ରାୟ ସାଢ଼େ ବାର ଘଣ୍ଟାର ସମୟ ପାର୍ଥକ୍ୟ ଆମ ଦୁହିଁଙ୍କର ସହର ଭିତରେ । ଶୋଇବାକୁ ବାହାରିଲା ନନ୍ଦିନୀ । ସବୁଦିନେ ଶୋଇବା ପୂର୍ବରୁ ଗୋଡ଼ ଧୋଇ ଠାକୁରଙ୍କୁ ପ୍ରାର୍ଥନା କରିବାର ଅଭ୍ୟାସ ତା’ର ଅଛି । ଆଉ ଆଜିର ଏ ପରିସ୍ଥିତିକୁ ସାମ୍ନା କରିବାକୁ ତାକୁ ଠାକୁରଙ୍କ ଠାରୁ ଅନେକ ଧୈର୍ଯ୍ୟ ଓ ଶକ୍ତିର କାମନା କରିବାର ଅଛି ।

ସେ ପ୍ରାର୍ଥନା କରି ଉଠିଲା । ହଠାତ୍ ତା’ର ମୋବାଇଲ୍ ବାଜି ଉଠିଲା । “ନନ୍ଦିନୀ କେମିତି ଅଛ, ଅନୁରାଗ କହୁଛି ।”

ଏଠି ବହୁତ ବରଫ ପଡ଼ିବାରୁ ଜନଜୀବନ ଅସ୍ତବ୍ୟସ୍ତ । ରାସ୍ତାଘାଟ ସବୁ ତୁଷାରାଚ୍ଛନ୍ନ । ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତା ସଫା ଚାଲିଛି । ମୋ ଘରର ଇଣ୍ଟରନେଟ୍ ମଧ୍ୟ ପଳାଇଯାଇଛି । ପ୍ରାୟ ଦେଢ଼ ମିଟର ବହଳର ବରଫ ପଡ଼ିଯାଇଥିଲା । ତେଣୁ ବାହାରକୁ ବାହାରି ହେଉନଥିଲା । ଏମିତିକି ଅଫିସ୍ ମଧ୍ୟ ବନ୍ଦ । ଆଜି ରାସ୍ତା ଟିକେ ସଫା ହେବାରୁ ମୁଁ ବାହାରକୁ ଆସି ଫୋନ୍ କରୁଛି । ଜାଣିଛ ନଈ ପାଣି ମଧ୍ୟ ବରଫ ହୋଇଯାଇଛି । ତୁମେ କିଛି କହୁନ କାହିଁକି ଯେ ନନ୍ଦିନୀ ! ରାଗିଛ ? ମୁଁ ଜାଣିଛି ତୁମେ ବ୍ୟସ୍ତ ହେଉଥିବ । ଦୟାକରି ମୋ ଉପରେ ରାଗନି । ଅନୁନୟ ଭରା କଣ୍ଠରେ କହୁଥିଲେ ଅନୁରାଗ ।

ମୋ ଆଖିରୁ ଧାର ଧାର ଲୁହ ବହିବାରେ ଲାଗିଥିଲା । ମୁଁ କ’ଣ କ’ଣ ଯେ ଭାବି ଚାଲିଥିଲି । ସତରେ ମୋ ଅନୁରାଗ ସମସ୍ତଙ୍କ ଠାରୁ ଭିନ୍ନ । ଏତେ ଦୂରରେ ଥାଇବି, ଏତେ ନିକଟରେ, ଏତେ ନିଜର !

ଲୋକପ୍ରିୟ ଲେଖା

To Top