ଗଳ୍ପ

ଫେରନ୍ତା ସିନ୍ଦୂର

Dr Sharat Chandra Parida's odia story Ferantaa Sindoora

ଝିଅ ନୁହେଁ ଘିଅ, ତାକୁ ଗମ୍ଭୀରି ଶିକାରେ ଥୁଅ ।” କେତେବେଳେ ଗୋଡ଼ ଖସି ଯିବ କିଏ କହିବ ? ସଂସାର ଗତି ତ ତମେ ସବୁ ଜାଣ ବାବୁ । ଘୋଡ଼ା, ସ୍ତ୍ରୀ, ଧନ ଆଖିରୁ ନ କରିବ ଆନ ବୋଲି ପୂର୍ବ ପୁରୁଷ କହିଯାଇଚି । ଆମ କଥା କିଏ ପଚାରେ ?

ଫେରନ୍ତା ସିନ୍ଦୂର

ସେଦିନ ନରସିଂହ ବାବୁ ଗାଁରେ ପହଞ୍ଚିଲେ । କ’ଣ ଶାଗପଖାଳ ଦି’ଟା ଖାଇ ବିଶ୍ରାମ ନେଉଥିଲେ । ବୋଉ ଆସି ପାଖରେ ବସି ମନ ଉଣା କରି କହିଲେ- “ଆରେ, ଜାଣିଚୁନା ! ଏଇ ନାୟକ ଘର ! ଜେଜେଙ୍କ ନାଁ ପଡ଼ିବ । ତାଙ୍କର ଗଜା ଭେଣ୍ଡିଆ ପୁଅଟା କୋଉ ଦୂର ରାଇଜରେ ଚାକିରି କରିଥିଲା । କ’ଣ ଟିକେ ଜର ହେଲା । ଭଲ ନ ହେବାରୁ ଗାଁକୁ ପଳାଇ ଆସିଥିଲା । ଭଲ ହୋଇଗଲା । ଝାଡ଼ିଝୁଡ଼ି ହୋଇ ଚାକିରୀ ଥାନକୁ ଯାଇଥିଲା । ଦିନ ସେଇଟା ପରେ ପୁଣି ଦେହ ଖରାପ ହେଲା । ଜରଟା ଲେଉଟିଲା ନା କ’ଣ ! ସେଇଠାରେ ଆରପାରିକୁ ଚାଲିଗଲା । ବୁଢ଼ା ଯାଇଥିଲେ । ସବୁ କାମସାରି ଗାଁକୁ ଫେରିଲେ । ଆଜିକି ମାସେ ହେଲା । ଏକ ପୁଅରେ ଆଶ, ନଈକୂଳରେ ଚାଷ ପରି । ବୁଢ଼ାବୁଢ଼ୀ ଯାହା ଡହଳ ବିକଳ ହୋଇ କାନ୍ଦୁଛନ୍ତି । ଏଇ ଗଲାସନ ପୁଅକୁ ହାତରେ ଦି’ହାତ କରିଥିଲେ । କଥାରେ ଅଛିପରା କ୍ଷଣ କ୍ଷଣକେ ଶଙ୍ଖ ମହୁରି କ୍ଷଣ କ୍ଷଣକେ ପାଳ ଦଉଡ଼ି । ପିଲା ଝିଲା କିଛି ନାଇଁ । କୁଳ ଭୂଆସୁଣୀଟି ବିଚରା କ’ଣ କରିବ ? ସଂସାର କ’ଣ ଜାଣିବା ପୂର୍ବରୁ ସାଥୀ ହରେଇ ବସିଲା । ଶାଶୂ ଶଶୁର ତ ପାଚିଲା କୋଳି । ବୋହୂଟା ବିଚାରୀ ଏଠାରେ ଦାନ୍ତ କାମୁଡ଼ି ପଡ଼ିଚି । ଶାଶୂ ଶଶୁରଙ୍କୁ ଭାରି ଭକ୍ତି କରେ । ଏମାନେ ମଧ୍ୟ ତାକୁ ଝିଅ ଠାରୁ ଅଧିକ ସ୍ନେହ ଦେଉଛନ୍ତି । ଏକଥା ଶୁଣି ଖାଲି ନରସିଂହ ବାବୁଙ୍କ ହୃଦୟ କାହିଁ ଯେ କୌଣସି ସହୃଦୟ ବ୍ୟକ୍ତିର ହୃଦୟ ମଧ୍ୟ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଯିବ ମାଟିଟେଳା ଭୂଇଁରେ ପଡ଼ି ଭାଙ୍ଗିଗଲା ପରି ।”

ନାୟକ ଘର ନରସିଂହ ବାବୁଙ୍କ ଘର ଠାରୁ ମାତ୍ର ଦୁଇଶହ ମିଟର ଦୂର । ମଝିରେ ଖଣ୍ଡେ ଜୋର । ବର୍ଷା ଦିନେ ବାଟ ବନ୍ଦ । ବୁଲି ଗଲେ ଅଧା କିଲୋମିଟର । ଚାରି ପାଞ୍ଚଟି ଘର ନେଇ ଛୋଟିଆ ନାୟକ ସାଇ । ପୁରୁଖା ଲୋକଙ୍କ ଭିତରୁ ଫଗୁଆ ଅଜା ଜଣେ । ତାଙ୍କ ପୁଅ ଯଚି । ହିସାବରେ ନରସିଂହ ବାବୁଙ୍କ ଦାଦା । ପୁରାଶାଳିଆ ଦେହ । ରଙ୍ଗ ଶ୍ୟାମଳ । ଉଚ୍ଚତା ମଧ୍ୟ କମ୍ ନୁହେଁ । ବଳିଲା ବଳିଲା ବାହୁ । ଦୀର୍ଘ ଦଶ ବର୍ଷ ହେଲା ଦେଖା ସାକ୍ଷାତ୍ ନ ହୋଇ ଥିଲେ ମଧ୍ୟ ସେ ଚେହେରା ନରସିଂହବାବୁଙ୍କ ଆଖି ଆଗରେ ନାଚି ଉଠୁଥିଲା । ମନ କହୁଥିଲା ତାଙ୍କ ଘର ଆଡ଼େ ଥରେ ବୁଲି ଆସନ୍ତେ । କିନ୍ତୁ ଆଗରୁ ସେମିତି ଯିବା ଆସିବା ନଥିବାରୁ ମନଟା ଥମିଗଲା । ଏମିତି ଗୋଳେଇ ଘାଣ୍ଟି ହେବା ଭିତରେ ଚାକିରୀ କ୍ଷେତ୍ରକୁ ଫେରି ଆସିଥିଲେ ନରସିଂହବାବୁ ।

ୟା’ ଭିତରେ ଛଅ ମାସ ବିତି ଯାଇଚି । ଦୋଳ ପୁନେଇଁକୁ ଗାଁକୁ ଯାଇଥାନ୍ତି ନରସିଂହ ବାବୁ । ଗାଁ ମୁଣ୍ଡରେ ଏକରୁ ଅନେକ ହୋଇ ଦୋକାନମାଳା । ଏକ ଛୋଟ କାଟର ବଜାର । ଘରେ ବସି ଦେହ ମନ ଯାମ୍ ହୋଇଗଲେ ସେହି ମିନି ବଜାର ଆଡ଼େ ଟିକେ ବୁଲି ଯା’ନ୍ତି । ସେଠାରେ ଦାଦା ପୁଅ ଭାଇ ବାଉରିଆ ବା ଅଭିଠାରୁ ସାଧା ମିଠା ଖିଲିପାନ ଖଣ୍ଡେ ଚଢ଼େଇ ଦିଅନ୍ତି । ବେଞ୍ଚ ଉପରେ ବସି ପୁରୁଣା ସମ୍ପର୍କରେ ରଙ୍ଗ ମାରନ୍ତି । ହଠାତ୍ ଛକକୁ ବୁଲି ଆସିଲେ ଫଗୁଆ ଅଝା । ତାଙ୍କୁ ଦେଖି ସମୟ ସୁଅରେ ମିଳେଇ ଯାଉଥିବା ସ୍ମୃତି ଜମାଟ ବାନ୍ଧିଲା । କାଖତଳ ଚିରିଗଲେ ବି ଧୋବଲା ଗଞ୍ଜିଟି ଦେହରେ ଗଳାଇ ଦେଇଥାନ୍ତି । ତାଙ୍କ କାନ୍ଧରେ ଖୋର୍ଦ୍ଧା ପାକଲା ଗାମୁଛାଟି ଦୁଇ ଭାଙ୍ଗ ହୋଇ ପଡ଼ିଥାଏ । ବାଳ ସତୁରି ଭାଗ ଝୋଟ । ବାହୁର ଚମ ଧୁଡୁଧୁଡୁ ହୋଇ ବୁଢ଼ା ବଳଦର କମଳ ପରି ଓହଳି ପଡ଼ିଛି । କାଳିଆ ମୁଚୁମୁଚୁ ବିଶାଳ ଦେହଟା ସାରା ହାଡ଼ମାଳ । ନିସ୍ତେଜ ଜଣା ପଡୁଥାଏ । ମୁଖରେ ଉଦାସୀନତାର ଛାୟା । ନରସିଂହ ବାବୁ ତାଙ୍କୁ ଦେଖି ବସିବା ଜାଗାରୁ ଉଠି ଆସିଲେ । ଅଜା ନମସ୍କାର କରି କଥାବାର୍ତ୍ତା ଆରମ୍ଭ କରିଦେଲେ । ଅଜା ସଙ୍ଗେ ସଙ୍ଗେ ପଚାରିଲେ- “ବାବୁ କେବେ ଆସିଚ ?” ହଁ, ଏଇ ଦୁଇ ତିନି ଦିନ ହେଲା । ତମର ସବୁ ଭଲ ତ ! କଥା ଲହସରେ ଅଜାଙ୍କୁ ଖଣ୍ଡେ ନିରୋଳା ଦୂର ଜାଗାକୁ ନେଇଗଲେ ନରସିଂହ ବାବୁ । ଏଇ ଯେମିତି ୟୁନିଭରସିଟିମାନଙ୍କରେ ପଢ଼ିଲା ବେଳେ ଯୋଡ଼ି ଯାଉଁଳି ହୋଇ ପୁଅ ଝିଅ ସବୁ ଗପସପ କରୁଥାନ୍ତି ।

ଦୁହେଁ ଖଣ୍ଡେ କାଠ ଗଣ୍ଡି ଉପରେ ବସି ପଡ଼ିଲେ । ସହରୀ ଲୋକେ ସନ୍ଦେହୀ । କିନ୍ତୁ ଗାଁ ଗହଳର ଅନେକ ଲୋକ ଏବେ ବି ସରଳବିଶ୍ୱାସୀ ଓ ନିରୀହ । ଅତି ଆପଣାର ଲୋକଟି ପାଇଗଲା ପରି ଅନୁଭବ କରୁଥା’ନ୍ତି ଅଜା । ଅଜା କେମିତି ଅଛ ବୋଲି ନରସିଂହ ବାବୁ ପଚାରି ଦିଅନ୍ତେ, ପୁନେଇଁ ତିଥିରେ ଚନ୍ଦ୍ରମା ପୂର୍ବ ଦିଗରୁ ହସି ହସି ଆକାଶ କୋଳକୁ ଡେଉଁ ପଡ଼ିଲା ପରି ଫଗୁଆ ଅଜାଙ୍କ ହୃଦୟ ଭିତରର କଥାଗୁଡ଼ାକ ଫକ୍ ଫକ୍ ଡେଇଁବାକୁ ଲାଗିଲା । ଅନ୍ଧାର ଗହ୍ୱର ମଧ୍ୟରେ ସତେ ଯେମିତି ଆଲୋକର ସନ୍ଧାନ ମିଳିଚି ।

ଫଗୁଆ ଅଜାଙ୍କ ବୟସ ସତୁରି ଧରିବଣି । ଗୋଳିଆ ପାଣି କିଛି ସମୟ ରଖିଦେଲେ ମଇଳଆତକ ତଳେ ବସିଗଲା ପରି ତାଙ୍କ ଭାବପ୍ରବଣତା ନିରବି ଯାଇଥିଲା । ତା’ ସ୍ଥାନରେ ଏକ ଦିବ୍ୟ ଆତ୍ମସନ୍ତୋଷର ମଧୁରିମା ଲହଡ଼ି ଭାଙ୍ଗୁଥିଲା । ଫଗୁଆ ଅଜା ଆରମ୍ଭ କଲେ କହିବି “ବାବୁ ! ଗତ ବାହା ତିଥିରେ ମୁଁ ମୁକ୍ତି ପାଇଲି ।” ନରସିଂହ ବାବୁ କିଛି ବୁଝି ନ ପାରିଲା ଭଳି ମୁଦ୍ରାରେ ଚାହିଁ ରହିଲେ ଫଗୁଆ ଅଜାଙ୍କ ମୁହଁକୁ । ଫଗୁଆ ଅଜା ସିନା ବେଶି ପାଠ ପଢ଼ି ନାହାନ୍ତି ହେଲେ ମଣିଷର ମନ ପଢ଼ିବାରେ ସାମାନ୍ୟ ଭୁଲ୍ କରନ୍ତି ନାଇଁ । କିଛି ବୁଝିପାରୁ ନ କି ବାବୁ ? ପୁଅ ଚାଲିଗଲା ପରେ ଆମର ଚିନ୍ତା ଶହେ ଗୁଣ ବଢ଼ି ଯାଇଥିଲା । ଯେତେ କାନ୍ଦିଲେ ପୁଅ କ’ଣ ଆଉ ଫେରି ଆସିବ ନା ଦୁଃଖର ଭାର ମୁଣ୍ଡରୁ ଓହ୍ଲାଇ ଯିବ । ଫଗୁଆ ଅଜା କଥା କହିଲା ବେଳେ ନରସିଂହ ବାବୁ ଅନୁଭବ କରୁଥିଲେ ଅଜାଙ୍କ ଠାରେ ଭାବ ଅଛି କିନ୍ତୁ ଭାବପ୍ରବଣତା ଶୁଖି ଯାଇଛି । ଆମ ଆଖିରେ ଲୁହ ମରିଗଲାଣି । ପୁଅକୁ ଝୁରି ଝୁରି ମା’ ତା’ର କଣ୍ଟା ହେଲାଣି । ବୋହୂଟା ବିଚରା ନାନା ଚିନ୍ତା ଦୁଶ୍ଚିନ୍ତାରେ ସନ୍ତୁଳି ହୋଇ ଯାଉଥିଲା । କଞ୍ଚା ବୟସ । ଲୋକ କହନ୍ତି- “ଝିଅ ନୁହେଁ ଘିଅ, ତାକୁ ଗମ୍ଭୀରି ଶିକାରେ ଥୁଅ ।” କେତେବେଳେ ଗୋଡ଼ ଖସି ଯିବ କିଏ କହିବ ? ସଂସାର ଗତି ତ ତମେ ସବୁ ଜାଣ ବାବୁ । ଘୋଡ଼ା, ସ୍ତ୍ରୀ, ଧନ ଆଖିରୁ ନ କରିବ ଆନ ବୋଲି ପୂର୍ବ ପୁରୁଷ କହିଯାଇଚି । ଆମ କଥା କିଏ ପଚାରେ ? ବୁଢ଼ାବୁଢ଼ୀ ଦି’ଟା ନଡ଼ିଆ ଗଛର ଶୁଖିଲା ବାଉଙ୍ଗା ପରି ଗଛରେ ଲାଖି ରହିଚୁ । ଆମର ଏମିତି ଗଲାଣି କାଳକ ଆଉ କାଉ ନେଇଗଲା ଫାଳକ । ଆଉ ବା କେତେଦିନ ? ଅନ୍ୟମାନେ ଆମକୁ କହୁଥିଲେ- “ବୋହୂଟା ପାଇଁ କାହିଁ ଏତେ ବ୍ୟସ୍ତ ହେଉଚ ? ଯାହା ତା ଭାଗ୍ୟରେ ଥିବ ହେବ ।” କିନ୍ତୁ ବାବୁ ଆଜି ଆମେ ଯାହାକୁ ଗୁରୁତ୍ୱ ଦେଇନଥାଉ କାଲି ତାହା ଏକ ଗୁରୁତର ସମସ୍ୟା ହୋଇ ଆମ ଆଗରେ ଉଭା ହୁଏ । ଯାହାକୁ ଆଜି ଆମେ ଆମର କର୍ତ୍ତବ୍ୟ ବୋଲି ଗ୍ରହଣ କରି ନଥାଉ କାଲି ତା’ ପାଇଁ ଆମକୁ ପ୍ରଚଣ୍ଡ ଅନୁତାପ କରିବାକୁ ପଡ଼ିଥାଏ । ଆଜି ଯାହାକୁ ଆମେ ସମ୍ମାନର ଆଞ୍ଚ ବୋଲି ଭାବି ଏଡ଼ାଉ ଦେଉ କାଲି ତାହା ଲୋକ ତୁଣ୍ଡରେ ଅପବାଦ ହୋଇ ଆମ ସମ୍ମାନକୁ ମାଟିରେ ମିଶାଇ ଦେଇଥାଏ ।

ମୋର ବଳ ବୟସ ଥିଲାବେଳେ କଲିକତା ଚମ୍ପାଡ଼ଙ୍ଗା ଯାଇ ମୋଟିଆ କାମ କରୁଥିଲି । ପୁଅ ରୋଜଗାର କଲାପରେ ଆମେ ଘରେ ରହି ଗଣ୍ଡାଏ ଫୁଟାଇ ଖାଉ ଥିଲୁ । ସେତକ ସୁଖ ତ ଭଗବାନ ସହି ପାରିଲା ନାଇଁ । ପୁଅ ବୋହୂ ନାତିନାତୁଣୀ ସୁଖ ଆମ କପାଳରେ ବିଧି ଲେଖି ନାଇଁ । ଗୋଟିଏ ବୋଲି ତ ପୁଅ ଥିଲା । ଆମକୁ ଦୁଃଖ ସାଗରେ ଭସେଇ ଦେଇ ଚାଲିଗଲା । ଏ ବୟସରେ ପରର ମୂଲ ଲାଗି ପେଟ ପାଇଁ ଦି’ଟା ଦାନା ଯୋଗାଡ଼ କରୁଚି । ମୁଁ ସମୁଦୁଣୀଙ୍କି ଡକାଇ କହିଲି- “ଆମ ଅବସ୍ଥା ତ ବାରଣ୍ଡା ଦି’କଡ଼ା । ନ ଦାନା ଛଅ ବିଶ୍ୱା । ବେଳ ଥାଉଁ ଥାଉଁ ତମ ଝିଅକୁ ତମେ ଘରକୁ ନେଇଯାଅ । ଆମ ପକ୍ଷରେ ସେ ବଗ ବେକରେ ଢିଙ୍କି ପରି । ଆଉ କେଉଁଠି ସୁବିଧା ଦେଖି ଉଠାଇ ଦିଅ ।” ଏହି କଥା କହିବା ଉତ୍ତାରୁ କିଛିଦିନ ବହିଗଲା । ଦିନେ ସମୁଦୁଣୀ ଆସି ଝିଅକୁ ନେଇଗଲେ । ଭଗବାନ୍ ମୋର ଡାକ ଶୁଣିଲେ ବୋଲି ତାଙ୍କ ପାଖରେ ଶହେ ମୁଣ୍ଡିଆ ମାରିଲି । ଦି’ପରାଣିଆ ଘର, ବାନ୍ଧ କତରା ଚାଲ ରୀତିରେ ମରଣକୁ ଯାହା ଅପେକ୍ଷା କରି ରହିଲୁ । ଦିନେ ଅଚାନକ ବୋହୂ ଉଦୁଉଦିଆ ଖରା ବେଳଟାରେ କାନ୍ଦି କାନ୍ଦି ନସର ପସର ହୋଇ ଆମ ଘରେ ହାଜର ।

ତା’ ଶାଶୂ ଆଉ ମୁଁ ତାଟଙ୍ଗା । କଥା ପଚାରିଲେ କଇଁ କଇଁ କାନ୍ଦ । ବେଳା ଭୂଇଁରେ ସାଗରର ଢେଉ ବାଡ଼େଇ ହେଲା ପରି ହୃଦୟର କୌହ ଆଖିରେ ଲହଡ଼ି ଭାଙ୍ଗୁଥିଲା । ବହୁ କଷ୍ଟରେ ମୋର ଓ ତା’ ଶାଶୂର ପାଦତଳେ ମୁଣ୍ଡ ବାଡ଼େଇ କହିବାକୁ ଲାଗିଲା- “ମୋତେ ବଞ୍ଚାଅ ବାପା, ମୁଁ ଏଇଠି ପଛେ ପଡ଼ି ପଡ଼ି ମରିବି ହେଲେ ମୋ ବୋଉ ପାଖକୁ ଆଉ ଯିବି ନାଇଁ ।” ଝଡ଼ ପରେ ସିନା ବର୍ଷା ହୁଏ ଏଠି କିନ୍ତୁ ବର୍ଷା ପରେ ଝଡ଼ ଆରମ୍ଭ ହୋଇଗଲା । ନିରୀହ ହରିଣୀ ପଛରେ ଭୋକିଲା ବାଘୁଣୀ ଧାଇଁଲା ପରି ରାଗ ଗରଗର ହୋଇ ଧଇଁସଇଁ ଅବସ୍ଥାର ସମୁଦୁଣୀ ଆମ ଦାଣ୍ଡ ଦୁଆରେ ପହଞ୍ଚି ଗଲେ । ମୁହଁରୁ ଖାଲି ଗୋଟିଏ କଥା- “ମୋ ଝିଅକୁ ମୋ ସାଙ୍ଗରେ ପଠାଇ ଦିଅ । ମୁଁ ତାହା ବାହାଘର ଠିକ୍ କରିଚି । ଏଠିକି କାହିଁକି ଧାଇଁ ଆସିଚି ? ଏଠି ତା’ର କିଏ ଅଛି ?” ମା’ ଝିଅଙ୍କର ଏ ନାଟକ ଦେଖି ଆମ ବୁଦ୍ଧି ଭଦ୍ରକ ଯାଉଥାଏ । ବହୁ ଧୈର୍ଯ୍ୟର ସହିତ କହିଲି, “ସମୁଦୁଣୀ ବିଶ୍ରାମ ନିଅ ! ଥୟ ଥର !” ସମୁଦୁଣୀ ଥୟ ଧରିବେ କ’ଣ ଅଥୟ ହୋଇ କାଳୀ କରାଳୀ ରୂପ ଧାରଣ କରିବାକୁ ଲାଗିଲେ । ତାଣ୍ଡବ ନୃତ୍ୟ ରଚନା କଲେ । ଏକା ଜିଦ୍, ଝିଅକୁ ନେବେ ଯାଇଯିବେ । ଶେଷରେ କଥାରେ ନ ପାରି ବାହୁ ଦି’ଟାକୁ ଭିଡ଼ି ଧରି ଝିଙ୍କା ଓଟରା କଲେ । ଗୋଟିଏ ରୀତିମତ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଗଲା । ସାଇ ପଡ଼ିଶା ଠୁଳ ହେବାରେ ଲାଗିଲେ । ମୋତେ ଓ ତୁମ ଆଈଙ୍କୁ କଥାଟା ଭାରି ନାଙ୍କେରା ଲାଗୁଥାଏ । ଅଗତ୍ୟା ଦୁହେଁ ମିଶି ସମୁଦୁଣୀଙ୍କୁ ବହୁ କାକୁତି ମିନତି କଲୁ । ହାତ ଓଠ ଧରି ନେହୁରା ହେଲୁ । ବ୍ୟସ୍ତ ହୁଅନ୍ତା ସମୁଦୁଣୀ । ପିଲାଟା ଅବୁଝା ହୋଇଚି । ତାକୁ ବୁଝାସୁଝା କରି ଦିନ ତିନି ଚାରିଟା ଭିତରେ ତୁମ ଘରେ ନେଇ ଛାଡ଼ି ଦେଇ ଆସିବୁ । ଏଠି କଳି ତକରାଳ କଲେ ଲୋକେ କ’ଣ ଭାବିବେ ? କଥାଟା ହାଟରେ ପଡ଼ି ଦାଣ୍ଡରେ ଗଡ଼ଗଡ଼େଇବ ସିନା । ଆମେ ବୁଝୁଚୁ ସମୁଦୁଣୀ- ମୂର୍ଖ ପୁଅ, ବିଧବା ଝିଅ, ବିନା ନିଆଁରେ ଦହନ୍ତି ଦେହ । ତାକୁ ବି ସହିବାକୁ ହେବ । ବାପ ମା’ ସିନା ଜନମ ଦେଇଛନ୍ତି କରମ ତ ଦେଇ ନାହାନ୍ତି ।

ସମୁଦୁଣୀଙ୍କ ମଗଜ ଟିକିଏ ଥଣ୍ଡା ହେଲା । ସେ ଯୁଦ୍ଧ କ୍ଷେତ୍ରରୁ ନିଜକୁ ଅପସାରଣ କଲେ । ବସିବା କଥା ଦୂରେ ଥାଉ ଠିଆ ଠିଆ ଦୁଲୁଦୁଲୁ ହୋଇ ଉଚ୍ଚା ଢିଅରୁ ତଳକୁ ଗଡ଼ିଲେ । ଘରକୁ ବାଟ ଧରିଲେ । ଯାହା ହେଉ ରାହୁଗ୍ରାସରୁ ମୁକ୍ତି ମିଳିଲା । ଯିଏ ଯୁଆଡ଼େ ପଳାଇ ଗଲେ । ଘର ବୋହୂ ଘରେ ରହିଲା । ଧୀରେ ଧୀରେ ପରିସ୍ଥିତି ଶାନ୍ତ ହେଲା । ଘରେ ଯାହା ମୁଠେ ଥିଲା ତାହା ଖାଇ ବୋହୂ ମାଳତୀ ଶାନ୍ତିରେ ଟିକେ ନିଃଶ୍ୱାସ ମାରିଲା । ବିଶ୍ରାମ ନେଲା । କଳିର ମଞ୍ଜି କଥାଟା ନ କହିଲେ ଶାଶୂ ଶଶୁର ଜାଣିବେ କେମିତି ? ମାଳତୀ ଗୁମର ଫିଟାଇ କହିଲା “ଆମ ଗାଁ ପାଖରେ ଗୋଟାଏ ବୁଢ଼ା ଅଛି । ବାପ ଠାରୁ ଅଧିକ ବୟସ । ଚଳିବା ଭଲ । ତା’ର ଭାର୍ଯ୍ୟ ମରିଯାଇଚି । ଭେଣ୍ଡିଆ ପୁଅ ତିନି ତିନିଟା । ମୋତେ ଖାଇବାକୁ ଗଣ୍ଡେ ମିଳିବ ବୋଲି ତାହା ସହିତ ମୋତେ ଛନ୍ଦି ଦେବାକୁ ମା’ ଠିକ୍ କରିଚି ।” ଏ କଥା ଶୁଣି ଫଗୁଆ ଅଜାଙ୍କ ମନରେ ସଂସାର ବେଭାର ଉଙ୍କି ମାରିଲା । ବୋହୂ ଯାହା କହୁଚି, ଠିକ୍ କହୁଚି । ଭେଣ୍ଡିଆ ବରର ଖଣ୍ଡିଆ ଘର ଦେଖି ଲୋକେ ସିନା କରକର ହୋଇ ହସନ୍ତି । କିନ୍ତୁ ବୁଢ଼ା ବରର ପଥର ଘର ଦେଖି ବାହା ହୋଇ ଗଲେ ଜୀବନ ସାରା ଆଖିରୁ ଲୁହ ଝରଝର ହୋଇ ବୋହୁ ଥାଏ । ବୋହୂ ପୁଣି କହିଚାଲିଲା- “ବୋଉ ମୋ ଇଚ୍ଛା ବିରୋଧରେ ଜବରଦସ୍ତି ବାହା ଦେବାକୁ କହୁଚି । ଯାହାର କୋଳରେ ଏନ୍ତୁଡ଼ିଶାଳରୁ ବଢ଼ି ବଡ଼ ହେଲି ସେହି ମା’ ମୋ ମନ ତଳର ବେଦନା ବୁଝିପାରୁ ନାଇଁ । ମା’ର କର୍ତ୍ତବ୍ୟ ଶେଷ କରିବାକୁ ଯାଇ ମୋର ଜୀବନ ଶେଷ କରି ଦେବାକୁ ବସିଚି । ମୁଁ ଗୋଟିଏ ସଖୀ କଣ୍ଢେଇ ନୁହେଁ ବୋଉ, ମୁଁ ଗୋଟିଏ ରକ୍ତ ମାଂସର ମଣିଷ । ମଲା ଠାରୁ ଘୋଷରା ବାଧେ । ମୋ କପାଳ ଫାଟିଲା ବେଳକୁ ଘର ଢିଙ୍କି କୁମ୍ଭୀର ହେଉଛି । ମୁଁ ତ ଅଭାଗିନୀ ! ମୋ କପାଳରେ ସିନ୍ଦୂର ନଥିଲେ ନାଇଁ । କିନ୍ତୁ ସାରା ଜୀବନ ମୁଁ ମରି ମରି ବଞ୍ଚି ପାରିବି ନାଇଁ । ବାପା, ତୁମ ଦୁହିଁଙ୍କୁ ଛାଡ଼ି ଦେଲେ ଏତେ ବଡ଼ ଦୁନିଆଁରେ ମୋର ନିଜର ବୋଲି କେହି ନାହାନ୍ତି । ବୋଉ, ମୁଁ ଥିର କରିଛି- ଏଇଠି ମୁଁ ତୁମ ଦୁହିଁଙ୍କ ପାଖରେ ଭୋକ ଉପାସରେ ମରି ଯିବି ସିନା ହେଲେ ମୋ ବୋଉ ପାଖକୁ ଆଉ ଫେରିବି ନାଇଁ । ବାପା କେଉଁ କାଳରୁ ଏ ସଂସାର ଛାଡ଼ି ଚାଲି ଯାଇଚନ୍ତି । ତୁମେ ଦୁହେଁ ମୋ ବାପା ମା’ । ମୁଁ ଭଲ ଭାବରେ ଜାଣେ ତୁମ୍ଭେମାନେ ଗରିବ । ହେଲେ ଗରିବର କ’ଣ ଝିଅ ନାହାନ୍ତି ? ମୋତେ ପର କରି ଆଡ଼େଇ ଦିଅ ନାଇଁ ।”

ବୁଢ଼ାବୁଢ଼ୀଙ୍କ ମୁଣ୍ଡରେ ବଜ୍ର ପଡ଼ିଲା । ଅଭାବଗ୍ରସ୍ତ ପରିବାର । ସାହା ଭରସା କେହି ନାଇଁ । ବୋଝ ଉପରେ ନଳିତା ବିଡ଼ି ପରି ଯୁବତୀ ବିଧବା ବୋହୂ । କଥାରେ ଅଛି ପରା ସ୍ତିରୀ ଦଶା ପଥର ତଳେ, ପୁରୁଷ ଦଶା ପତର ତଳେ । ମାଛି ପଡ଼ିଲେ ନବ ଖଣ୍ଡ । ବଢ଼ିଲା ନଈ । ଦୁଇକୂଳ ଖାଉଚି । ଡଙ୍ଗାରେ କାତ ପାଉନି । ଜୀବନର ଅପରାହ୍ଣରେ ପହଞ୍ଚି ମଣିଷ ସହ ବେଶ୍ ପରିଚିତ ଫଗୁଆ ଅଜା । ପ୍ରତି ଦେହର ପ୍ରକୃତି ଅଛି । ପ୍ରବୃତ୍ତି ଅଛି । ଭୋକଶୋଷ ରୂପକ ଧର୍ମ ବି ରହିଚି । ଶୁଖିଲା ଧର୍ମ ଉପଦେଶ କହି ତାକୁ ବୁଝାଇବା ଅର୍ଥ ପ୍ରକୃତିକୁ କ୍ରୁର ଉପହାସ କରିବା । ମଣିଷର ପ୍ରବୃତ୍ତିକୁ ନୂଆ ଦିଗ ଦେଖାଇ ଦିଆଯାଇପାରେ ମାତ୍ର ତା’ର ପ୍ରବୃତ୍ତିର ପଥକୁ ଅବରୋଧ କରିବା ବିପଜ୍ଜନକ ଅଟେ । ବଡ଼ ବଡ଼ ମୁନିଋଷିମାନେ ମଧ୍ୟ ନିଜ ପ୍ରବୃତ୍ତି ପାଖରେ ନିଜକୁ ବଳି ଦେଇଚନ୍ତି ।

ଫଗୁଆ ଅଜା ଓ ଆଈ ଥିର କଲେ- ନିଆଶ୍ରୀ ବୋହୂଟା ଯଦି ଆମ ପରି ଥୁଣ୍ଟା ଗଛଟାକୁ ଆଦରି ନେଇଚି ତାକୁ ପ୍ରତିବାଦ କରିବାକୁ ଆମେ କିଏ ? ତା’ ପାଇଁ ଆମ ଥଣ୍ଟରେ କାଠିକୁଟା ଗୋଟାଇ ଆଣି ବସା ବାନ୍ଧି ଦେବା । ଆମ ପରରେ ତାକୁ ଘୋଡ଼ାଇ ନିରାପଦରେ ରଖିବା । ଫଗୁଆ ଅଜା ରାଜା ରାମମୋହନ ରାୟଙ୍କ ସଂସ୍କାରବାଦୀ ବିପ୍ଳବୀଙ୍କ ନାଁ ଶୁଣି ନଥିବେ କିନ୍ତୁ ବିଧବା ବିବାହ ପରି ଏକ ବାସ୍ତବବାଦୀ ପ୍ରସ୍ତାବ ତାଙ୍କ ମନରେ ଆସ୍ଥାନ ଜମେଇବାକୁ ଲାଗିଲା । ସେ ତ୍ରିକାଳଦର୍ଶୀ ମୁନି ପରି ଅନାଗତ ଭବିଷ୍ୟତକୁ ଜଳଜଳକରି ଦେଖି ପାରୁଥିଲେ । ଯିଏ ଯାହା ଅପବାଦ ଦେଉ, ନାପସନ୍ଦ କରୁ, ବୋହୂରୁ ପାଲଟିଥିବା ଝିଅକୁ ସେ ବିଭା ଦେବେ । ଏକାକୀ ପାତ୍ର ଖୋଜିବାର ଲାଗି ପଡ଼ିଲେ ଫଗୁଆ ଅଜା । ତାଙ୍କୁ ସମର୍ଥନର ଇନ୍ଧନ ଯୋଗାଉ ଥିଲେଧର୍ମପତ୍ନୀ ।

ଆଜିର ଯୁଗରେ ଯାନଯୌତୁକ ଦେଲେ ମଧ୍ୟ ରୂପବତୀ ଅଭିଆଡ଼ୀ ଝିଅକୁ ବର ମିଳିବା ମୁସ୍କିଲ୍ । କିନ୍ତୁ ସେ ସେଥି ପ୍ରତି ଧ୍ୟାନ ନ ଦେଇ ଅତି ନିଷ୍ଠାପର ଭାବରେ ନିଜ ଲକ୍ଷ୍ୟରେ ଅଗ୍ରସର ହେଲେ । ଅରକ୍ଷିତକୁ ଦଇବ ସାହା । ଫଗୁଆ ଅଜା ଶୁଣିବାକୁ ପାଇଲେ ଚିତ୍ରୋତ୍ପଳା ନଈ ଆରପାରିରେ କୋଲଣପୁର ଗାଁ । ସାଲେପୁର ଠାରୁ ମାତ୍ର ଚାରି କିଲୋମିଟର ଦୂର । ଗରିବ ପରିବାର ହେଲେ ବି ଏକା ପାଟକର । ତିନି ଭାଇ ମଧ୍ୟରୁ ମଝିଆ ଭାଇ ବସନ୍ତ । ଚାଲିଚି ବୋହୂ ଖୋଜା । ବୟସ ଦୁଇ କୋଡ଼ି ପାଞ୍ଚ । ଜମି ବାଡ଼ି ଅଳ୍ପ । କିଛି ଭାଗ ବଖରା କରି ଦରକାର ବେଳେ ପରର କାମ କରି ଚଳିଯାନ୍ତି । ବୁଢ଼ାଙ୍କୁ କିଏ କହି ଦେଲା ପରି ଦିନେ ସକାଳୁ ସକାଳୁ ଗାଧୋଇ ପାଧୋଇ ନଈ ଭିତରେ ପଶି ମାତ୍ର ବସନ୍ତଙ୍କ ପାଖରେ ପହଞ୍ଚିଗଲେ । ଫଗୁଆ ଅଜା ଭାରି ସାଦାସିଧା ଲୋକ । ଲୌକିକ ଆଚାର ବ୍ୟବହାରକୁ ପଛ କରି ଖୋଲା ଖୋଲି ଅନ୍ତର କଥା କହିବାକୁ ଲାଗିଲେ- “ବାପା, କ’ଣ କହି ତୁମକୁ ମୋ ଦୁଃଖ ବୁଝାଇବି ? ମାସ ନଅଟା ହୋଇନି ପୁଅ ମୋର ବାହା ହୋଇଥିଲା । ରୋଗ ବୈରାଗ୍ୟ କିଛି ନ ଥିଲା । କ’ଣ ଟିକିଏ ଜର ହେଲା ଯେ ଆମକୁ ପର କରି ଆରପାରିକୁ ଚାଲିଗଲା । ଆମେ ବୁଢ଼ା ବୁଢ଼ୀ ଦୁଇଟା ଆଉ କେତେ ଦିନ ବଞ୍ଚିବୁ ? ବିଚରା ବୋହୂଟି ଏକୁଟିଆ ହୋଇଗଲା । ସଂସାର କ’ଣ ଜାଣିବା ପୂର୍ବରୁ ତା’ ସଂସାର ଉଜୁଡ଼ିଗଲା । ବିଚାରୀର ଫଟା କପାଳ । ହନ୍ତସନ୍ତ ହେଉଛି । ତମେ ମୋର ପୁଅ । ନିରାଶ୍ରୀର ଜୀବନ ରକ୍ଷା କର । ତମେ ଆମ ପାଇଁ ଭଗବାନ୍ । ଗୁଣର ଝିଅଟି ତୁମର ଉନ୍ନତି କରିବ ।” ବସନ୍ତ ନିଜର ସ୍ଥିତି, ଅବସ୍ଥିତି ଓ ନିଷ୍ପତ୍ତି ଜଣାଇବା ପୂର୍ବରୁ ଫଗୁଆ ଅଜା ଫେରିଲେ । ଦିନ ବାର ଧରି ଭାବୀ ଜ୍ୱାଇଁଙ୍କୁ ନିମନ୍ତ୍ରଣ ଦେଇ ଆସିଲେ ମହା ଖୁସିରେ ।

ଏ ସମ୍ୱାଦ ଶୁଣି ଆଈ ଓ ମାଳତୀଙ୍କ ମନ ଆକାଶରେ ଆଶାର ସୁନେଲି କିରଣ ବୁଣି ହୋଇଗଲା । କଣ୍ଟ ଦିନକୁ ଚାହିଁ ରହିଥାନ୍ତି ତିନି ପ୍ରାଣୀ । ସକାଳୁ ସକାଳୁ ଲଣ୍ଡଭଣ୍ଡ ହୋଇ ଦାଣ୍ଡ ଘର ସବୁ ସଫା ସୁତୁରାରେ ଲାଗି ପଡ଼ିଲେ । ଦୋକାନରୁ କିଛି ସଉଦା ପତ୍ର ଆଣି ରୋଷେଇ ବାସ ଆରମ୍ଭ କରି ଦେଲେ । ହରଡ଼ ଡାଲି । ଦଳ ଗୋହିରିର ଚୁନା ମାଛ । ଗୁଡ଼ ପକା ଓଉ ଖଟା । ସାଲେପୁରରୁ ପାଞ୍ଚ ଟଙ୍କିଆ ରସଗୋଲା । ଫଗୁଆ ଅଜା ମୂଲପାତିରୁ ଯାହା ଛଞ୍ଚି ରଖିଥିଲେ ସେଥିରେ ଭାବୀ ଜ୍ୱାଇଁଙ୍କ ଚର୍ଚ୍ଚାର ବନ୍ଦୋବସ୍ତ କରିଦେଲେ । ଖଟ ଉପରେ ସଫା ବିଛଣା ଚାଦର ବିଛେଇ ଦେଲେ । ବସନ୍ତଙ୍କ ଆସିବା ବାଟକୁ ସମସ୍ତେ ଚାତକ ପରି ଅନେଇ ରହିଲେ । ଆସିବା ବେଳ ସହ ତାଳ ଦେଇ ମନର ଉତ୍କଣ୍ଠା ବଢ଼ି ଚାଲିଥାଏ । ସବୁ ଆକାଂକ୍ଷାର ଅବସାନ ଘଟାଇ ଜାମା ଯୋଡ଼ ହୋଇ ପହଞ୍ଚି ଗଲେ ବସନ୍ତ ।

ପୁଅକୁ ଦେଖି ବୁଢ଼ାବୁଢ଼ୀ ଆନନ୍ଦରେ ଆତ୍ମ ବିସ୍ମୃତ ହୋଇ ଉଠିଲେ । ସବୁ କିଛି ଭୁଲିଗଲେ । ନେତ୍ରରୁ ତାଙ୍କର ଗଡ଼ି ଚାଲିଲା ଆନନ୍ଦର ଅଶ୍ରୁ । ବସନ୍ତ ଭିତରେ ନିଜ ପୁଅ ଯଚିର ପ୍ରତିଛବି ଦେଖୁଥାନ୍ତି ସେମାନେ । କି ଅଦ୍ଭୁତ ଏ ଆକର୍ଷଣ ! କି ଅବାଧ୍ୟ ଏ ସମ୍ପର୍କ ! ! କି ବିଚିତ୍ର ଏ ଦୁନିଆ ! ! ! କି ଅସାଧାରଣ ଏ ତ୍ୟାଗ ! ଅଜଣା ଅପରିଚିତ ହୃଦୟଗୁଡ଼ିକ ମଧ୍ୟରେ ଏକା ବେଳକେ ଅବ୍ୟକ୍ତ ଆତ୍ମୀୟତାର ଝରଣା ମହା ଆନନ୍ଦରେ କୁଳୁକୁଳୁ ହୋଇ ବହିବାକୁ ଲାଗିଲା । ଆଜି ଟାଙ୍କର ପାହାଡ଼ର ଛାତି ଫଟେଇ ପ୍ରେମ ଝର ଆତ୍ମପ୍ରକାଶ କରିଛି । ଆଈ ପୁଅକୁ ଧରି ମନ ଭରି କାନ୍ଦିଲେ । ଧୀରେ ଧୀରେ ତାଙ୍କର ହାତ ପାହାନ୍ତାରେ । ପୁଅର ହୃଦୟ ଯେତେବେଳେ ବାତ୍ସଲ୍ୟ ରସରେ ଦ୍ରବୀଭୂତ ଅନାବିଳ ସ୍ନେହ ମମତାର ଚଉହଦି ମଧ୍ୟରେ ବନ୍ଦୀ, ଶବ୍ଦରେ ବା କି ଆବଶ୍ୟକତା ! ଆଜି ପରପୁଅ ପରମେଶ୍ୱର ପାଲଟି ଯାଇଛନ୍ତି । ପ୍ରେମର ଭାଷା ନାଇଁ । ଖାଲି ଅମୃତମୟ ହୋଇଯାଇଛି ପରିବେଶ । ଶୁଭଲଗ୍ନ ଦେଖି ଶୁଭ ପରିଣୟ କରାଇ ଦେଇଛନ୍ତି ଫଗୁଆ ଅଜା । ମାଳତୀର ମହକରେ ମହକି ଉଠିଚି ବସନ୍ତର ପରିବାର । ବୁଢ଼ାବୁଢ଼ୀ ଦୁହେଁ ପରମ ତୃପ୍ତିରେ ବିହ୍ୱଳ ହୋଇ ମହାଶୂନ୍ୟକୁ ଚାହିଁ ରହିଛନ୍ତି ପରସ୍ପରର ହାତ ଧରି ! ! !

ଲୋକପ୍ରିୟ ଲେଖା

To Top