ଗଳ୍ପ

ଫେରିବାର ବେଳ

Trilochan Das's odia Story Feribaara Bela

ଏବେ ଚିନ୍ତା କରୁଛି, ନାଗପୁର ଫେରି ଯିବି ଓ ବଳକା ଟଙ୍କାରେ ଗୋଟେ ଏକ ବଖୁରିଆ ଫ୍ଲାଟ୍ କିଣି ବାକି ଜୀବନଟା ସେଇଠି କଟେଇ ଦେବି

ଫେରିବାର ବେଳ

ତୃତୀୟ ବନ୍ଧୁ ଜଣକ କହିଲେ, “ଡଃ ପାଟିଲ୍, ଆପଣ ସବୁ କଥା ଭୁଲିଯାଆନ୍ତୁ ବୋଲି କହିବା ମୋର ଧୃଷ୍ଟତା ହୋଇ ପାରେ, କିନ୍ତୁ ଆଜିର ପରିପ୍ରେକ୍ଷୀରେ ଏହା ହିଁ ବାସ୍ତବତା”। ସମ୍ପର୍କର ବଳୟ ଭିତରେ ଆପଣ ରହିପାରନ୍ତି, କିନ୍ତୁ ତାହା କେବଳ ପରିଧିରେ, କେବେ ହେଲେ କେନ୍ଦ୍ରରେ ନୁହେଁ”। ଡଃ ପାଟିଲ୍ ମୁଣ୍ଡ ହଲେଇ କହିଲେ,“ଏବେ ବୋଧହୁଏ ତାହା ହିଁ ମୋ ପାଇଁ ଉଚିତ୍ ହେବ” । ଡ଼ଃ ପାଟିଲ୍ ଅବସର ନେବା ପୂର୍ବରୁ ନାଗପୁରର ଏକ ପ୍ରଖ୍ୟାତ ଇଂଜିନିୟରିଂ କଲେଜରେ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ସେବାନିବୃତ୍ତି ପରେ ଅଧୁନା ରହୁଛନ୍ତି ବେଙ୍ଗାଲୁରୁର ଏକ ସମ୍ଭ୍ରାନ୍ତ ଅଞ୍ଚଳରେ । ଏବେ କିଛି ଦିନ ହେବ ସେ ଆମ ସାନ୍ଧ୍ୟ ଭ୍ରମଣ ଗୋଷ୍ଠୀର ସଦସ୍ୟତା ଗ୍ରହଣ କରିଛନ୍ତି । ଡ଼ଃ ପାଟିଲ୍ ବିପତ୍ନୀକ । ଅବସର ନେବାର ଦୁଇ ବର୍ଷ ପୂର୍ବରୁ ଏକ ସଡ଼କ ଦୁର୍ଘଟଣାରେ ପତ୍ନୀଙ୍କର ମୃତ୍ୟୁ ହୁଏ । ଏଣୁ ପତ୍ନୀଙ୍କ ସ୍ମୃତିରେ ବାକି ଜୀବନଟା ନାଗପୁରରେ କଟାଇଦେବେ ବୋଲି ସିଦ୍ଧାନ୍ତ ନେଇଥିଲେ । କିନ୍ତୁ ତାଙ୍କ ଯୋଜନାଟା ଓଲଟ ପାଲଟ କରିଦେଲା ତାଙ୍କ ବୋହୂ । ବୋହୂର ଯୁକ୍ତି ଥିଲା, “ବାପାଙ୍କୁ ତାଙ୍କର ଭଗ୍ନ ସ୍ଵାସ୍ଥ୍ୟରେ ନାଗପୁରରେ ଏକା ରହିବାକୁ ଛାଡ଼ି ଦେବା ଉଚିତ୍ ହେବ ନାହିଁ, ବରଂ ଆମ ପାଖରେ ରହିଲେ ତାଙ୍କର ଦେଖାଶୁଣା କରିବା ସହଜ ହେବ । ତା ଛଡା ଆମ ‘ମୁନା’ କୁ ପାଖରେ ପାଇଲେ ସେ ବିଲକୁଲ୍ ଏକା ଅନୁଭବ କରିବେ ନାହିଁ” । ବୋହୂଟି ତାଙ୍କର ଭାରି କୁହାଳିଆ । ଏହି ଉତ୍କଳ ରତ୍ନଟି ତାଙ୍କ ପୁଅ ଏନ୍.ଆଇ.ଟି., ରାଉରକେଲାରେ ପଢୁଥିଲା ବେଳେ ତାର ସହପାଠୀ ଥିଲା । ବୋହୂର ଯୋଜନାବଦ୍ଧ ପ୍ରସ୍ତାବଟି ପୁଅ ଠିକ୍ ବୁଝି ପାରିନଥିଲେ ବି ସେଥିରେ ହଁ ଭରିଲା ଏବଂ ବାପାଙ୍କୁ ତାଙ୍କ ପୂର୍ବ ନିଷ୍ପତ୍ତି ବଦଳେଇବାକୁ ଅନୁରୋଧ କଲା । ଡ଼ଃ ପାଟିଲ୍ ମଧ୍ୟ ମା’ ଛେଉଣ୍ଡ ପିଲାଟାକୁ ନିରାଶ କରିବାକୁ ଚାହିଁଲେ ନାହିଁ ଏବଂ ସମୟ କ୍ରମେ ସେ ବେଙ୍ଗାଲୁରୁର ବାସିନ୍ଦା ହୋଇ ଗଲେ ।

ସବୁ ବାପା ମା’ ଚାହାଁନ୍ତି, ପୁଅ ତାଙ୍କ ପାଖରେ ରହୁ, ତାକୁ ସବୁବେଳେ ମନଭରି ଦେଖୁଥାଆନ୍ତୁ । କିନ୍ତୁ ବାପା ମା’ ଙ୍କ ମନରେ କ’ଣ ଥାଏ, ସେ କ’ଣ ଖୋଜୁଥାନ୍ତି, ତାହା ଜାଣିବା ପାଇଁ ସନ୍ତାନଟି ପାଖରେ ସମୟ ନ ଥାଏ । ଅନେକଙ୍କ ଆଖିରେ ତ ସେମାନେ ଏକ ଅନାବଶ୍ୟକ ବୋଝ, “ନନ୍ ପରଫର୍ମିଙ୍ଗ୍ ଆସେଟ୍” । ଏହି ବୃଦ୍ଧ ପିତାମାତାଙ୍କ ପାଖରେ କେବଳ ଅତୀତ ଛଡ଼ା ଆଉ କିଛି ନ ଥାଏ । ଅତୀତକୁ ନେଇ ସେମାନେ ସର୍ବଦା ରୋମନ୍ଥନ କରୁଥାନ୍ତି ଏବଂ ବିତି ଯାଇଥିବା ସୁଖଦ ମୁହୁର୍ତ୍ତ ଗୁଡ଼ିକୁ ବାରମ୍ବାର ମନେପକାଇ ତାହାରି ବାସ୍ନାରେ ଆତ୍ମବିଭୋର ହୋଇ ଯାଉଥାଆନ୍ତି । କିନ୍ତୁ ଅତୀତର ଦୁଃଖଦ ଘଟଣାଗୁଡିକୁ ଅତ୍ୟନ୍ତ ସନ୍ତର୍ପଣରେ ନିଜ ଭିତରେ ଚାପି ରଖିଥାନ୍ତି । କେବେ କେମିତି ଯଦି ଅସାବଧାନତା ବଶତଃ ତାହା ପାଟିରୁ ଖସିଯାଏ, ତେବେ ସଭାମଝିରେ ଉଲଗ୍ନ ହେବା ଭଳି ନିଜକୁ ଅତ୍ୟନ୍ତ ଅସହାୟ ମନେ କରନ୍ତି । ସେହିଭଳି କିଛି ଘଟଣା ଘଟିଥିଲା ଡ଼ଃ ପାଟିଲଙ୍କ ସହିତ । ଡ଼ଃ ପାଟିଲ୍ ସେ ଦିନ ଭାରି ବିମର୍ଶ ଦେଖାଯାଉଥାନ୍ତି, ଆଉ ସେଥିପାଇଁ ଗପର ମାହୋଲ୍ ବି ବିଲକୁଲ୍ ଜମୁ ନଥାଏ । ଅତ୍ୟନ୍ତ ପ୍ରଗଳ୍ଭ ଡ଼ଃ ପାଟିଲ୍ ଚୁପଚାପ୍ ଥାନ୍ତି ଓ ବେଳେ ବେଳେ ଅନ୍ୟମନସ୍କ ହୋଇ ଯାଉଥାଆନ୍ତି । ଯେହେତୁ ସେ ନିଜେ କିଛି କହୁନଥାନ୍ତି, ତେଣୁ ଆମେ ସମସ୍ତେ ତାଙ୍କ ବିମର୍ଷତାର କାରଣ ଜାଣିଵାକୁ ଚାହିଁଲୁ । ଡଃ ପାଟିଲ୍ ବୋଧହୁଏ ଏହା ଆଶା କରୁ ନ ଥିଲେ । ଏଣୁ ଆମର ସମବେତ ଅନୁରୋଧରେ ସେ ବାଧ୍ୟ ହୋଇ ଖୁବ୍ ସଙ୍କୋଚରେ ନିଜ ଭିତରେ ଚାପିରଖିଥିବା ବେଦନାକୁ ପ୍ରକାଶ କଲେ । ଘଟଣାଟା ତାଙ୍କ ଭାଷାରେ ଯାହା ବର୍ଣନା କଲେ, ତାହା ଏହି ପରି । ବୋହୂ ତାଙ୍କର ବାହାରୁ ଦେଖିବାକୁ ଭାରି ସୁଧାର । କୈାଣସି ଲୋକ ପକ୍ଷରେ ତା ଭିତରେ ଥିବା ବିପରୀତ ଚରିତ୍ରଟିର ସନ୍ଧାନ କେବେବି ପାଇବ ନାହିଁ । ଏହା କହୁଥିଲାବେଳେ ଡ଼ଃ ପାଟିଲ୍ ନିଜର କୋହ ସମ୍ଭାଳି ପାରୁନଥିଲେ । ଭାରି ଭାରି କଣ୍ଠରେ କହିଲେ ଯେ ଶ୍ରୀମତୀ ଚାଲିଗଲା ପରେ ସେ ଖୁବ୍ ଏକୁଟିଆ ହୋଇଯାଇଥିଲେ, ହେଲେ କେବେ ବି ନିଜକୁ ଅସହାୟ ଅନୁଭବ କରି ନ ଥିଲେ । ସେ ଥିଲେ ହୁଏତ ତାଙ୍କୁ ଏ ଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ି ନ ଥାନ୍ତା । ଆଣ୍ଠୁ ସମସ୍ୟା ବାହାରିବା ପରେ ଶିଢି ଚଢିବା ଓ ଓହ୍ଲାଇବାକୁ ତାଙ୍କୁ ଭାରି କଷ୍ଟ ହୁଏ । ପୁଅକୁ ଏହା ଭଲଭାବେ ଜଣା । କିନ୍ତୁ ତାଙ୍କ ଡ଼୍ୟୁପ୍ଲେକ୍ସଟିର ତଳ ମହଲାରେ କୌଣସି ଶୋଇବା ଘର ନ ଥିବାରୁ ପୁଅ ବାଧ୍ୟ ହୋଇ ପ୍ରଥମ ମହଲାର ପ୍ରଥମ ଘରଟିକୁ ବାପାଙ୍କର ଶୋଇବା ଘର ଭାବେ ସଜାଡି ଦେଇଛି । ଡଃ ପାଟିଲ୍ ପ୍ରାୟତଃ ଶୋଇବା ଘରେ ଅଧିକାଂଶ ସମୟ ଲେଖା ଲେଖି ଓ ପଢାପଢିରେ କଟାନ୍ତି । ପୁଅ ଘରେ ଥିଲା ବେଳେ କେବେ ବି କୌଣସି ଜିନିଷ ଆଣିବାକୁ ବାପାଙ୍କୁ ବାହାରକୁ ପଠାଏନି, କାରଣ ବାରମ୍ଵାର ଉପର ତଳ ହେବାକୁ ବାପାଙ୍କୁ କଷ୍ଟ ହୁଏ । ବାପା ତାହା ପ୍ରକାଶ ନକଲେ ବି ପୁଅ ତାଙ୍କ ମୁହଁ ଦେଖି ବୁଝିଯାଏ । ସେଥିପାଇଁ ବୋହୁକୁ ତାଗିଦ୍ କରି କହି ଥାଏ ଯେ କୌଣସି ଜିନିଷର ଆବଶ୍ୟକତା ପଡିଲେ ଅଫିସ୍‌କୁ ଫୋନ୍ କଲେ ସେ କାହା ହାତରେ ପଠେଇ ଦବ, ନ ହେଲେ ଅଫିସରୁ ଫେରିଲା ବେଳକୁ ସେ ନିଜେ ନେଇ ଆସିବ । ବାପାଙ୍କୁ କୌଣସି ପରିସ୍ଥିତିରେ ବି ବାହାରକୁ ପଠାଇବ ନାହିଁ ।

ପୁଅ ଏବେ ମାସେ ହେବ କମ୍ପାନୀ କାମରେ ଆମେରିକାରେ । ଡଃ ପାଟିଲଙ୍କର ଦୁଃଖ ଆରମ୍ଭ ହେଲା ପୁଅ ଆମେରିକା ଯିବା ପରେ । ସକାଳୁ ଉଠିଲେ କପେ ଗରମ୍ ଚା’ରୁ ତାଙ୍କର ଦିନ ଆରମ୍ଭ ହୁଏ । ସକାଳର ଚା’ କପେ ତାଙ୍କର ଦୀର୍ଘ ଦିନର ଅଭ୍ୟାସ ଏବଂ ଶ୍ରୀମତୀ ଥିବାବେଳେ ଏଥିରେ କେବେ ବି ବ୍ୟତିକ୍ରମ ହୋଇ ନାହିଁ । ଏପରିକି ଶ୍ରୀମତୀ ଅସୁସ୍ଥ ଥିଲେ ମଧ୍ୟ ଏଇ କାମଟି ସେ ନିଜ ହାତରେ ହିଁ କରନ୍ତି, ଘରେ ରୋଷେଇଆ ଥିବା ସତ୍ଵେ । ଏଠିକି ଆସିଲାପରେ, ପ୍ରଥମେ ପ୍ରଥମେ ବୋହୂ ସେ କାମଟି କରୁଥିଲା, କିନ୍ତୁ ଆସ୍ତେ ଆସ୍ତେ ତାହା ଚାକର ହାତକୁ ଚାଲିଗଲା । ଏବେ ଏମିତି ବି ହଉଚି, ଯେଉଁଦିନ କାମ କରିବା ଲୋକଟି ଆସୁ ନାହିଁ, ତେବେ ଚା କପେ ପାଇଁ ତାଙ୍କୁ ଖଣ୍ଡେ ଦୂରରେ ଥିବା ଷ୍ଟଲକୁ ଯିବାକୁ ପଡୁଛି । ଅବଶ୍ୟ ପୁଅ ଘରେ ଥିଲେ ତାହା କେବେ ହେବାକୁ ଦିଏ ନାହିଁ, କାରଣ ଏଭଳି ସ୍ଥିତିରେ ସେ ନିଜ ହାତରେ କାମଟି କରି ଦିଏ ।

ଏଇ ଯେଉଁ ସକାଳ ଚା କପେ ନ ପାଇବା କଥାଟା ତାଙ୍କୁ ସେତେ ବେଶି କଷ୍ଟ ଦେଇ ନ ଥିଲା, ଯାହା ଆରମ୍ଭ ହୋଇଛି ଏବେ । ସକାଳୁ ପ୍ରଥମେ କ୍ଷୀର ଆଣିବାକୁ ପଡ଼ିବ, ଫେରିବା ପରେ ପୁଣି ବରାଦ ହେବ ପରିବା ପାଇଁ । କିଛି ସମୟ ପରେ, ଏଥରକ ଅନୁରୋଧ କଲାଭଳି ବୋହୁ କହିବ “ବାପା ଟିକେ ଆମିଷ ଆଣନ୍ତେନି” । ତିନି ତିନି ଥର ଉପର ତଳ ହେବା ବେଳକୁ ଆଣ୍ଠୁ ଯନ୍ତ୍ରଣା ଆରମ୍ଭ ହୋଇ ଯାଇଥିବ, କିନ୍ତୁ ମନା କରି ହେଉ ନ ଥିବ । ଗତ କିଛି ଦିନ ହେବ ଆଣ୍ଠୁ ଦରଜ ପାଇଁ ରାତିରେ ସେ ଭଲରେ ଶୋଇ ପାରୁନାହାନ୍ତି । ଏବେ, ସେ ଜୀବନରେ କେବେ ନ କରୁଥିବା କାମ କରୁଛନ୍ତି, ପୁଣି ବିନା ପ୍ରତିବାଦରେ । ଏ ପରିସ୍ଥିତି ତାଙ୍କ ଜୀବନରେ ଏମିତି ଆସିବ, ତାହା କେବେବି ସେ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲେ । ଏହା କହୁ କହୁ ଡଃ ପାଟିଲ୍‌ଙ୍କର କଣ୍ଠ ଅବରୋଧ ହୋଇ ଆସିଲା, ସେ ଆଉ କିଛି କହି ପାରିଲେ ନାହିଁ । ଆମେ କହିଲୁ, “ଥାଉ ଥାଉ,ଆପଣ ଆଉ କିଛି କହିବା ଦରକାର ନାହିଁ, ଆପଣଙ୍କୁ କହିବାକୁ ବାଧ୍ୟ କରିବାଟା ଆମର ଭୁଲ୍ ହେଲା । ଆଶାକରୁ ଆପଣ ଆମକୁ କ୍ଷମା କରିଦେବେ”। ଡଃ ପାଟିଲ୍ କହିଲେ “ଆରେ ନା ନା, ଆପଣମାନେ କିଛି ଭୁଲ୍ କରିନାହାଁନ୍ତି, ଭୁଲ୍ କରିଛି ମୁଁ ନିଜେ । ଅବସର ପରେ ମୁଁ ଆଗ ପଛ କିଛି ନ ଭାବି, ପାଇଥିବା ଟଙ୍କାର ଏକ ସିଂହ ଭାଗ ଏଠି ଘର କିଣିବାରେ ଖର୍ଚ୍ଚ କରିଦେଲି । ଏବେ ଚିନ୍ତା କରୁଛି, ନାଗପୁର ଫେରି ଯିବି ଓ ବଳକା ଟଙ୍କାରେ ଗୋଟେ ଏକ ବଖୁରିଆ ଫ୍ଲାଟ୍ କିଣି ବାକି ଜୀବନଟା ସେଇଠି କଟେଇ ଦେବି” । ଆମେ କହିଲୁ, “ଆପଣ କ’ଣ ଭାବୁଛନ୍ତି, ସମସ୍ୟା ଠାରୁ ଦୂରେଇ ଗଲେ ସମସ୍ୟାର ସମାଧାନ ହୋଇଯିବ। ହୁଏତ ପୁଅ ଆପଣଙ୍କୁ ଭୁଲ୍ ବୁଝିବ, ଏମିତି କି ବାପ ପୁଅ ମଧ୍ୟରେ ସମ୍ପର୍କ ବି ଖରାପ ହୋଇଯାଇପାରେ” । ଡଃ ପାଟିଲ୍ କହିଲେ, “ଆମ ସମୟ ତ ସରି ଆସିଲାଣି, କିନ୍ତୁ ତାଙ୍କ ଜୀବନଟା ଏବେ ମାତ୍ର ଆରମ୍ଭ ହୋଇଛି । ପୁଅ ଯେତେବେଳେ ଜାଣିବ ଯେ ସମସ୍ତ ବାରଣ ସତ୍ଵେ ବାପାଙ୍କ ସହିତ ଏଭଳି ବ୍ୟବହାର କରାଯାଇଛି, ସେ ତାହା କେବେ ବି ବରଦାସ୍ତ କରିବ ନାହିଁ । ଏଥିପାଇଁ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବ, ଆଉ ତାହା ମୁଁ କେବେ ବି ସହି ପାରିବି ନାହିଁ। ଏଣୁ କିଛି ଅଘଟଣ ଘଟିବା ପୂର୍ବରୁ ସେଥିପ୍ରତି ଆଗତୁରା ସତର୍କ ରହିବା ଦରକାର”। ଡଃ ପାଟିଲ୍ ପୁଣି କହିଲେ, “ଏହି କିଛି ଦିନ ତଳେ “ଟାଇମ୍ସ ଅଫ୍ ଇଣ୍ଡିଆ”ର ବାଙ୍ଗାଲୋର ସଂସ୍କରଣରେ ଓେବରୋଏ (Oberoi) ଏବଂ ଆଇ.ଟି.ସି. ଗ୍ରୁପ ଦ୍ଵାରା ପରିଚାଳିତ କିଛି ପଞ୍ଚ ତାରକା ହୋଟେଲ୍ ମାନଙ୍କରେ ଅକ୍ୟୁପାନ୍ସି ରେଟ୍ କଥା ବାହାରିଥିଲା । ସେଥିରେ ଉଲ୍ଲେଖ ଥିଲା ଯେ, ସପ୍ତାହର ଶେଷ ଦିନ ଦୁଇଟିରେ ଅର୍ଥାତ୍ ଶନିବାର ଓ ରବିବାର କୌଣସି ରୁମ୍ ଖାଲି ରହୁନାହିଁ । ତାହାର କାରଣ ଦର୍ଶାଇବାକୁ ଯାଇ ସାମ୍ଵାଦିକ ବନ୍ଧୁ ଜଣକ ଲେଖିଥିଲେ ଯେ, ସପ୍ତାହର ପ୍ରଥମ ପାଞ୍ଚ ଦିନ ପତ୍ନୀ ବିମୁଖ ପତିମାନେ କୌଣସି ପ୍ରକାରେ ଟାଣିଓଟାରି ଘରେ କଟେଇ ଦିଅନ୍ତି, କିନ୍ତୁ ସପ୍ତାହାନ୍ତ ଦୁଇ ଦିନ, ଯାହା କି ପରିବାର ସହିତ କଟେଇବା କଥା, ସେଇଦିନ ମାନଙ୍କରେ ଭିଡ ଲଗାନ୍ତି ଏହି ହୋଟେଲ ମାନଙ୍କରେ । ଅବଶ୍ୟ ଏଥିପାଇଁ କିଛି ମୋଟା ଅଙ୍କ ଖର୍ଚ୍ଚ କରିବାକୁ ହୁଏ, କିନ୍ତୁ ସେଥିପ୍ରତି ସେମାନଙ୍କର ଖାତିର ନ ଥାଏ । ଭାଙ୍ଗିଯାଇଥିବା ସମ୍ପର୍କକୁ କୌଣସି ନା କୌଣସି ଚାପରେ ପଡି, ‘ସବୁ ଠିକ ଠାକ୍ ଚାଲିଛି’ ବୋଲି ଉପରକୁ ଦେଖାଇ, ଜୀବନ ଜୀଇଁବାର ଏହା ଏକ ନୂତନ କଳା ଛଡା ଆଉ କିଛି ନୁହେଁ”। ଡ଼ଃ ପାଟିଲଙ୍କ ମତରେ, “ଆମେ ଯେତେ ପାଠ ପଢି ଯେଡେ ବଡ଼ ପଦବୀରେ ଅବସ୍ଥାପିତ ହୋଇଥିଲେ ମଧ୍ୟ, ଗୋଟେ ରକ୍ଷଣଶୀଳ ପରିବେଶରୁ ମୁକ୍ତ ହୋଇ ସ୍ଵାଧୀନତା ନାମରେ ସ୍ଵେଚ୍ଛାଚରିତାକୁ କେବେ ବି ଗ୍ରହଣ କରି ପାରିବୁ ନାହିଁ”। ଏହା ଶୁଣିଲା ପରେ ମନେ ହେଲା,ଏ ଭଳି ଏକ ଉଚ୍ଚ ବିଚାର କେବଳ ଡଃ ପାଟିଲଙ୍କ ଭଳି ଲୋକ ହିଁ ପୋଷଣ କରି ପାରନ୍ତି । ସନ୍ତାନର ସୁଖ ପାଇଁ ବାପା ମା କେବେବି ନିଜକୁ ବଳି ଦେବା ପାଇଁ ପଛାନ୍ତି ନାହିଁ । ସେଇଥିପାଇଁ ତ କୁହାଯାଇଛି , “ଦୁନିଆଁରେ ଭଲ ଅବା ଖରାପ ସନ୍ତାନ ଥାଇ ପାରନ୍ତି, କିନ୍ତୁ ଖରାପ ବାପା ମା’ ବୋଲି କିଛି ନାହିଁ” ।

ଲୋକପ୍ରିୟ ଲେଖା

To Top