ଗଳ୍ପ

ଫେରୁଛି ଫଗୁଣ

Prasant Kumar Swain's odia Story Feruchhi Faguna

ତୁମେ ସିନା ମୋ ସ୍ୱପ୍ନ ରାଇଜର ରାଜକୁମାରୀ ସାଜି ମୋ ସବୁଜ ଗାଲିଚାରେ ଗୋଲାପ ହୋଇ ଫୁଟିଥିଲ, ମୁଁ ଯେ ତୁମ ଦାଣ୍ଡ ଅଗଣାରେ ଟଗର ଫୁଲଟିଏ ହୋଇ ଫୁଟିଥିବି ତାହାର କିଛି ମାନେ ନାହିଁ

ଫେରୁଛି ଫଗୁଣ

ମଣିଭଦ୍ରା ପାହାଡ଼ ସଦୃଶ ତୁମ ପୂରିଲା ଶରୀର ଦେଖି ମୁଁ ତୁମକୁ ଭଲ ପାଇନଥିଲି କି ତୁମ ଢଳଢଳ ରୂପ ଯୌବନରେ ବିମୋହିତ ହୋଇ ତୁମକୁ ପ୍ରେମ କରିବସିନଥିଲି । ତୁମ ନିରୀହ ଆଖି ଓ ବର ଓହଳ ପରି ଲମ୍ବା କେଶ ମୋତେ ଟାଣି ନେଇଥିଲା ତୁମ ପାଖକୁ । ତୁମର ସେହି ମୃଗ ନୟନୀ ଆଖିରେ ମୁଁ ଦେଖି ପାରିଥିଲି ଏକ ଭିନ୍ନ ପୃଥିବୀ, ଯେଉଁ ପୃଥିବୀରେ କେବଳ ଭରି ରହିଥିଲା ପ୍ରେମର ଗୋଲାପ, ମଲ୍ଲୀର ମହକ ଆଉ ସ୍ନେହ ଶ୍ରଦ୍ଧାର ସବୁଜିମା ଉଦ୍ୟାନ । ସେହି ପ୍ରେମକୁ ମୁଁ ଚାହିଁଥିଲି ବାନ୍ଧି ରଖିବାକୁ ଜନ୍ମଜନ୍ମାନ୍ତର । ପ୍ରଥମ ଦେଖା ଆଉ ଦୁଇ ପଦ ଫୁଲେଇ କଥାରେ ତୁମେ ଲାଗିଥିଲ ଅତି ଆପଣାର । ସତେ ଯେମିତି ଏବେ ନୁହେଁ, ବହୁ ପୂର୍ବରୁ ଆମେ ଦୁହେଁ ପରିଚିତ ।

ଭଉଣୀ ବାହାଘର ସମୟରେ ଅଜାଣତରେ ତୁମ ସହ ଧକ୍କା ହେବା ପରେ ମୁଁ କହିଥିଲି-ରିଅଲି, ଆମ୍ ଭେରି ସରି । ତୁମ କହିଲ-ଓକେ, ଗହଳିରେ ଏମିତି ହୁଏ । ମୁଁ ପଚାରିଲି-ତୁମ ନା କ’ଣ ? ଅଳ୍ପ ହସି ତୁମେ କହିଥିଲ- ଅଞ୍ଜଳି ।

ବାସ୍, ତା’ ପରେ ତୁମେ ଚାଲିଯାଇଥିଲ ଖାଇବା ପାଇଁ । ମୁଁ ଚାଲିଯାଇଥିଲି ମୋ ବାଟରେ ।

ଲେଉଟାଣି ଦିନ ଭଉଣୀକୁ ଛାଡ଼ି ଯିବା ସମୟରେ କାରରେ ମୋ ପାଖରେ ବସିଥିଲ ତୁମେ । ରାତ୍ରି ଅନିଦ୍ରା ହୋଇଥିବାରୁ ଅଜାଣତରେ ମୋ କାନ୍ଧରେ ମୁଣ୍ଡରଖି ତୁମେ ଶୋଇଯାଇଥିଲ । ତୁମେ ସିନା ଶୋଇ ଯାଇଥିଲ, ହେଲେ ମୋ ଆଖି ହଟିନଥିଲା ତୁମ ସୁନ୍ଦର ମୁଖମଣ୍ଡଳରୁ । କାନ୍ଧକୁ କଷ୍ଟ ହେଉଥିଲେ ମଧ୍ୟ ତୁମକୁ ଉଠାଇନଥିଲି । ତୁମ ସୁନ୍ଦର ମୁଖକୁ ଦେଖୁ ଦେଖୁ କାର ପହଞ୍ଚିଯାଇଥିଲା ତୁମ ଗାଁରେ । ନିଦ ଭାଙ୍ଗିବା ପରେ ଅଳସି ଆଖିରେ ଲାଜେଇ ଚାହାଣିରେ ତୁମେ ଚାହିଁଥିଲ ମୋତେ । ଆଉ ମୁଁ ତୁମକୁ । ଦୁହିଁଙ୍କ ଆଖି ହଟି ନଥିଲା ଦୁହିଁଙ୍କ ଉପରୁ । କିଛି ସମୟ ପରେ ତୁମେ ଲାଜରେ ଆଖି ପତାକୁ ତଳକୁ କରି କଣେଇ କଣେଇ ଚାଲିଯାଇଥିଲ ଘର ଭିତରକୁ । ହେଲେ ମୁଁ ଅଟକି ଯାଇଥିଲି ତୁମର ସୁନ୍ଦର ଚନ୍ଦ୍ରଉଦିଆ ମୁଖମଣ୍ଡଳ ପାଖରେ । ତୁମର ସେହି ଲାଜୁଆ ଚାହାଣି ମୋ ହୃଦୟର ଅଲେଖା କାଗଜରେ ଲେଖିଦେଇଥିଲା ଏକ ନୂଆ କାହାଣୀ । ସେହିଦିନ ତୁମ ମୁହଁଟି ଚିତ୍ରଟିଏ ହୋଇ ଆଙ୍କି ହୋଇଯାଇଥିଲା ମୋ ଆଖିର ଲେନ୍ସରେ ।

ହେଲେ ବିଡ଼ମ୍ବନା, ସେହି ପ୍ରଥମ ଦେଖା ପ୍ରଥମ ଦେଖାରେ ହିଁ ରହିଗଲା । ପୁନେଇଁର ଚାନ୍ଦଟା ଥରଟିଏ ଦେଖାଦେଇ ଏତେବଡ଼ ଆକାଶଟାରେ କୁଆଡ଼େ ହଜିଗଲା ଯେ ଆଉ ଦେଖାଦେଲା ନାହିଁ । ତୁମ ସହ ଦ୍ୱିତୀୟବାର ଦେଖାହେବାର ସୁଯୋଗ ପୁନର୍ବାର ଆସିଲା ନାହିଁ । ମୋ ଘରଠାରୁ ତୁମ ଦୁଆର ବେଶି ଦୂର ନୁହେଁ । ହେଲେ କାହିଁକି କେଜାଣି ସେହି ଦିଗକୁ ପାଦ ବଢ଼ାଇବା ଲାଗି ସତେ ଯେମିତି ଥିଲା ବାରଣ । ମନେ ମନେ ତୁମକୁ ଅନେକବାର ଖୋଜିଛି । ମୌସୁମୀ ବର୍ଷାର ଛିଟାରେ ଦେହ ଓଦା ହୋଇଯାଇଥିବା ବେଳେ ତୁମ ତୋଫା ଗୋରା ମୁହଁଟି ଜଳ ଜଳ ହୋଇ ସେହି ଛିଟାରେ ଦେଖାଦେଇଛି । ଶୀତ ସକାଳର କୁହୁଡ଼ିରେ ତୁମର ଝାପ୍ସା ଛବି ଦେଖିଛି । ସେହି କୁହୁଡ଼ି ଭିତରେ ବଧୂ ବେଶ ସାଜି ତୁମେ ମୋରି ଆଡ଼କୁ ଆସୁଥିବା ପରି ମନେହୋଇଛି । ମାତ୍ର କିଛି ବାଟ ଆଗକୁ ଯିବା ପରେ ତୁମକୁ ପାଇନି । କେବଳ ଛନ୍ଦି ହୋଇଯାଇଛି ଅଳ୍ପ ଅଳ୍ପ ଅନ୍ଧାରର କୁହୁଡ଼ି ଭିତରେ ।

ଦିନେ କି ଦୁଇ ଦିନ ନୁହେଁ, ଏମିତି ଅନେକ ଦିନ ତୁମକୁ ସ୍ୱପ୍ନରେ ଦେଖିଛି । ସ୍ୱପ୍ନରେ ତୁମ ସହ କଥା ହୋଇଛି । ତୁମ ହାତରେ ହାତ ଛନ୍ଦି ଗହଳ ଆମ୍ବ ବଗିଚାରେ ବୁଲିଛି । ଢେଲା ମାରି ତୁମ ପାଇଁ ଆମ୍ବ ତୋଳିଛି । ମାତ୍ର ଆଖିପତା ଖୋଲିବା ପରେ ସୁନ୍ଦର ସ୍ୱପ୍ନ ସବୁ ପାଣିଫୋଟକା ପରି ମିଳାଇଯାଇଛି । କିଏ ଜଣେ ଯେମିତି ସେହି ସ୍ୱପ୍ନର ପାଣି ଫୋଟକାରେ ଢେଲାଟିଏ ପକାଇଦେଉଛି । ଏମିତି ସ୍ୱପ୍ନ ଦେଖିବା ଆଉ ସ୍ୱପ୍ନ ଭାଙ୍ଗିବା ଭିତରେ ବିତିଗଲା ଗୋଟିଏ ବର୍ଷ । ଭାଙ୍ଗିଗଲା ମନ, ମଉଳିଗଲା ସତେଜ ସ୍ୱପ୍ନ, ଗନ୍ଧହୀନ ହୋଇଗଲା ପ୍ରେମର ବାସ୍ନା । ଗାଁ କଲେଜରେ ସରିଗଲା ଯୁକ୍ତ ତିନି ପାଠପଢ଼ା । ଉଚ୍ଚଶିକ୍ଷା ପାଇଁ ମୁଁ ଘର ଛାଡ଼ି ଚାଲିଆସିଲି ଭୁବନେଶ୍ୱର ।

ସ୍ୱପ୍ନ ଭାଙ୍ଗି ନଥାନ୍ତା, ଯଦି ତୁମେ ଚାହିଁଥାନ୍ତ, ଯଦି ତୁମ ସୁମଧୁର ସ୍ୱର ଦୂରଭାଷ ଯନ୍ତ୍ର ସାହାଯ୍ୟରେ ଥରଟିଏ ମୋ କାନ ପାଖରେ କିଛି ଧ୍ୱନି ସଞ୍ଚାର କରିଥାନ୍ତା । ଏହା ସବୁ କାହିଁକି ଯେ ହେଲାନି ତାହା କହିବା ମୋ ପକ୍ଷେ ସମ୍ଭବ ନୁହେଁ । ବୋଧହୁଏ ମୋ ମନ ଭିତରେ ଯେଉଁ ପ୍ରେମର ନୌକା ବିନା ଆହୁଲାରେ ସ୍ରୋତକୁ ଆଡ଼େଇ ଆଗକୁ ଆଗକୁ ଚାଲିଥିଲା, ତୁମ ପ୍ରେମର ନାଆ ସେତେବେଳେ ଆହୁଲା ଖୋଜୁଥିଲା । ଏହା ବି ହୋଇପାରେ ଆହୁଲାକୁ ଆଶ୍ରା ନକରି ତୁମ ପ୍ରେମର ନାଆରେ ମୋଟର ଖଞ୍ଜାଯାଇଥିଲା । ଯାହାବି ହେଉନା କାହିଁକି ସ୍ୱପ୍ନ ରାଇଜରେ ଘୂରି ବୁଲୁଥିବା ମୋ ମନ ଭିତର ପ୍ରେମ ପକ୍ଷୀଟା କେଉଁଠାରେ ଧକ୍କା ଖାଇ ଆଘାତ ପାଇଥିଲା । ସେବେଠାରୁ ମୁଁ ଆଉ ତୁମକୁ ସ୍ୱପ୍ନରେ ଖୋଜିବାକୁ କି ଆଖିର ଲେନ୍ସରେ ତୁମ ସୁନ୍ଦର ଛବିକୁ ବାନ୍ଧି ରଖିବାକୁ ଚେଷ୍ଟାକରିନି ।

ତୁମେ ବୋଧେ ଆଉ କାହା ହାତର ସିନ୍ଦୂର ମଥାରେ ଭରିସାରିବଣି । ତୁମ ବର ଓହଳ ପରି ଲମ୍ବା କେଶକୁ ଆଉ କାହା ମୁହଁରେ ଛାଟି ତା’ର ନିଦ୍ରା ଭଙ୍ଗକରିବଣି । ଫୁଲେଇ କଥା କହି କାହା ହୃଦୟର ଶୂନ୍ୟ ସ୍ଥାନକୁ ପୂରଣ କରିସାରିବଣି । କାହା ବାଇକ୍ ପଛରେ ବସି ସେହି ସିଟ୍‌ର ମାନ ବୃଦ୍ଧି କରିସାରିବଣି । ଏହା ବି ହୋଇପାରେ ତୁମେ ମୋତେ ବି ସ୍ୱପ୍ନରେ ଦେଖୁଥାଇପାର । ନା, ନା ସେମିତି କେବେ ହୋଇପାରେନା । ତୁମେ ସିନା ମୋ ସ୍ୱପ୍ନ ରାଇଜର ରାଜକୁମାରୀ ସାଜି ମୋ ସବୁଜ ଗାଲିଚାରେ ଗୋଲାପ ହୋଇ ଫୁଟିଥିଲ, ମୁଁ ଯେ ତୁମ ଦାଣ୍ଡ ଅଗଣାରେ ଟଗର ଫୁଲଟିଏ ହୋଇ ଫୁଟିଥିବି ତାହାର କିଛି ମାନେ ନାହିଁ । ମୋ ଆଖିର ଲେନ୍ସରେ ତୁମେ ସିନା ଏକମାତ୍ର ସୁନ୍ଦର ଛବିଟିଏ ହୋଇ ମୋତେ ସୁନ୍ଦରତାର ପରିଭାଷା ଶିଖାଉଥିଲ । ହେଲେ ମୁଁ ତୁମ ସ୍ୱପ୍ନର କନ୍ଦର୍ପ ହୋଇଥିବି ଏହା ଭାବିବା ମୋ ପକ୍ଷେ ଉଚିତ୍ ନୁହେଁ । ତୁମ ସହ ସମୁଦ୍ରରେ ସ୍ନାନ କରିବାକୁ, ସନ୍ଧ୍ୟାରେ ବେଳାଭୂମିରେ ବହୁଥିବା ହାଲୁକା ଶୀତୁଆ ପବନରେ ତୁମ ହାତରେ ହାତ ଛନ୍ଦି ବୁଲିବାକୁ ମୁଁ ସିନା ରାତି ରାତି ଉଜାଗର ରହି ଯୋଜନା ପ୍ରସ୍ତୁତ କରୁଛି । ହେଲେ ତୁମ ମନର ମାନସ ସରୋବରରେ ସ୍ନାନ କରିବାକୁ ତୁମେ ଯେ ଆଉ କାହାକୁ ନିର୍ବାଚିତ କରିନଥିବ, ତାଙ୍କ ସହ ହାତରେ ହାତ ଛନ୍ଦି ସନ୍ଧ୍ୟାର ଆଲୋକରେ ନିଜକୁ ଆଲୋକିତ କରିବାକୁ ନିଷ୍ପତ୍ତି ନେଇନଥିବ ତାହା ଯେ ମୁଁ କିପରି କହିବି । ଏମିତି ଅନେକ କିଛି ଭାବିବା ପରେ ମୋ ହୃଦୟରେ ତୁମେ ପୂରଣ କରିବାକୁ ଯାଉଥିବା ଶୂନ୍ୟସ୍ଥାନକୁ ପୁନର୍ବାର ଶୂନ୍ୟ କରିଦେଲି । ଖୁସିରେ ନୁହେଁ, ଛାତିରେ ପଥର ରଖି ଏହି ନିଷ୍ପତ୍ତି ନେଲି । କିପରି ବା ନେଇ ନଥାନ୍ତି, ତୁମେ ତ ଥରଟିଏ ପାଇଁ ମୋତେ ଫୋନ୍‌ଟିଏ କଲ ନାହିଁ । ଫଗୁଣରେ ପ୍ରଥମ ଥର ପାଇଁ ଛାତି ଭିତରେ ସୃଷ୍ଟି ହୋଇଥିବା ପ୍ରେମ ଶିଡ଼ି ନଚଢୁଣୁ ପଡ଼ି ଆଘାତପ୍ରାପ୍ତ ହେଲା । ସେବେଠାରୁ ମୁଁ ଆଉ କେବେ ତୁମକୁ ନେଇ ସ୍ୱପ୍ନ ଦେଖନି କି ତୁମ କଥା ଭାବିନାହିଁ ।

ହଠାତ୍ ଦିନେ ବାପାଙ୍କ ଫୋନ୍ ଆସିଲା । ଏଇ ବର୍ଷ ବାପା ମୋ ବାହାଘର କରିବାକୁ ଚାହୁଁଛନ୍ତି । ବାପା ମୋ ପାଇଁ ଝିଅ ମଧ୍ୟ ଦେଖିସାରିଛନ୍ତି । ବାହାହେବା ପାଇଁ ଇଚ୍ଛା ନଥିଲେ ମଧ୍ୟ ବାପାଙ୍କ ମୁହଁରେ ନାହିଁ କରିପାରିଲିନି । କାରଣ ବାପାଙ୍କର କୌଣସି କଥାରେ ମୁଁ କେବେ ନାହିଁ କରିନାହିଁ । ଅନିଚ୍ଛା ସତ୍ତ୍ୱେ ମୋତେ ଝିଅ ଦେଖିଯିବାକୁ ପଡ଼ିଲା । କାରଣ ଝିଅ ଓ ତା’ର ପରିବାର ଲୋକ ଚାହୁଁଥିଲେ ମୋତେ ଦେଖିବାକୁ । ଶେଷରେ ଗୋଟିଏ ଦିନ ବାପା, ବୋଉ, ମୁଁ ଓ ମୋର ଭଉଣୀ ମିଶି ଝିଅ ଦେଖିବାକୁ ଗଲୁ । ଝିଅ ଘରେ ପହଞ୍ଚିବା ପରେ ସମସ୍ତେ କେତେ କଥାରେ ମାତିଗଲେ । ଖାଇବା, ପିଇବା କାର୍ଯ୍ୟକ୍ରମ ସରିବା ପରେ ଆମେ ବସିଥିବା ସ୍ଥାନକୁ ଝିଅକୁ ଡକାଗଲା । ମୁହଁରେ ଅଳ୍ପ ଲାଜ ଧରି ନୀଳ ରଙ୍ଗର ଏକ ଶାଢ଼ି ପିନ୍ଧି ଝିଅଟି ଆସି ବସିଲା ମୋ ଆଗରେ ପଡ଼ିଥିବା ସୋଫାରେ । ବୋଉ ଝିଅଟିକୁ କିଛି ପ୍ରଶ୍ନ କରିବା ପରେ ମୋତେ ପ୍ରଶ୍ନ କରିବାକୁ କହିଲେ । ସେତେ ପର୍ଯ୍ୟନ୍ତ ମୁଁ ଝିଅଟିର ମୁହଁ ଦେଖିନଥିଲି । କେଉଁ ଏକ ଅଦୃଶ୍ୟ ଲାଜରେ ମୁଁ ଭାରି ଲାଜେଇ ଯାଇଥିଲି । କେବଳ ମୁଁ ନୁହେଁ, ଝିଅ ଦେଖିବାକୁ ଯାଉଥିବା ସମସ୍ତ ପୁଅ ଏଇମିତି ଲାଜ କରନ୍ତି ।

ବୋଉଙ୍କ ନିର୍ଦ୍ଧେଶ ପରେ ମୁଁ ଝିଅଟିକୁ ଚାହିଁଲି । ଝିଅଟିକୁ ଦେଖିବା ପରେ ମୋ ନିଜ ଆଖିକୁ ମୋର ବିଶ୍ୱାସ ହେଲାନି । ଝିଅଟିକୁ ପ୍ରଶ୍ନ କରିବା ବଦଳରେ ଅନେକ ପ୍ରଶ୍ନର ସମାହାରରେ ମୁଁ ନିଜେ ଛନ୍ଦି ହୋଇଗଲି । କେମିତି ବା ଛନ୍ଦି ନ ହେବି ? ଦୀର୍ଘ ସମୟ ଧରି ଅପଲକ ନୟନରେ ମୁଁ ଚାହିଁ ରହିଛି ସେହି ଝିଅଟିକୁ । ସମସ୍ତେ ମୋତେ ଅନାଇ ହସିବା ଆରମ୍ଭ କଲେଣି, ତଥାପି ସେଥିପ୍ରତି ମୋର ଧ୍ୟାନ ନାହିଁ । ଭଉଣୀ ଚିମୁଟି ଦେବା ପରେ ମୁଁ ମୋ ଆଖି ଫେରାଇ ଆଣିଲି ଝିଅଟି ଉପରୁ । କାରଣ ସେହି ଝିଅଟି ଆଉ କେହି ନୁହେଁ, ସେ ହେଉଛି ଆଖିର ଲେନ୍ସରେ ଦୀର୍ଘଦିନ ଧରି ବାନ୍ଧି ହୋଇ ରହିଥିବା ସେଇ ଅଞ୍ଜଳି । ଯାହା ସହ ମୋର ଦେଖା ହୋଇଥିଲା ଭଉଣୀ ବାହାଘରରେ । ଯେଉଁ ପୁନେଇର ଚାନ୍ଦକୁ ପ୍ରେମିକା ରୂପରେ ପାଇବାକୁ ବାରମ୍ବାର ସ୍ୱପ୍ନରେ ଦେଖୁଥିଲି, ସେ ଆଜି ମୋ ଆଖି ସାମ୍ନାରେ । ତାହା ସହ ହେବାକୁ ଯାଉଛି ମୋର ବାହାଘର । ଏମିତି ଲାଗୁଥିଲା ସତେ ଯେମିତି ଖୁସିରେ ମୁଁ ସୋଫାରୁ ତଳକୁ ଖସିପଡ଼ିବି । ମୋର ସମସ୍ତ ହାବଭାବ ଦେଖି ବାପା ବୋଧହୁଏ କିଛି ବୁଝିପାରିଥିଲେ । ଅଞ୍ଜଳି ସହ କିଛି ସମୟ ଏକାନ୍ତରେ କଥା ହେବା ପାଇଁ ମୋତେ ଛାତ ଉପରକୁ ପଠାଇଥିଲେ । ସେଠାରେ ମୁଁ ମୋ ମନ କଥା ଖୋଲି କହି ଦେଇଥିଲି ତୁମ ଆଗରେ । ସେଦିନ ତୁମ ଆଖିରେ ମୁଁ ଦେଖିପାରିଥିଲି ରାଗ ଓ ଅଭିମାନ । ତୁମେ ମଧ୍ୟ ମୋତେ କୁଆଡ଼େ ମନେ ମନେ ଭଲପାଉଥିଲ । ମୋ ଭଉଣୀ ଏବଂ ତୁମ ମାଇଁଙ୍କଠାରୁ ମୋ ଫୋନ ନମ୍ବର ନେଇ ତୁମେ ମୋ ସହ କଥା ହେବା ପାଇଁ ମଧ୍ୟ ଚାହୁଁଥିଲ । ଅନେକ ଥର ନମ୍ବର ଡାଏଲ କରି କଲ୍ ଲାଗିବା ପୂର୍ବରୁ କାଟିଦେଇଛ । କାଳେ ମୁଁ ତୁମକୁ ଚିହ୍ନି ପାରିବିନି, ତୁମ ଭଲ ପାଇବାକୁ ଅସ୍ୱୀକାର କରିବି, ଏହି ଭୟର ଆଶଙ୍କାରେ ପ୍ରେମ ପକ୍ଷୀର ଡେଣାକୁ କାଟିଦେଇଥିଲ ।

ଯାହା ହେଉନା କାହିଁକି ମୁଁ ଆଜି ଫେରିପାଇଛି ହଜିଯାଇଥିବା ଫଗୁଣକୁ । ସେହି ଫଗୁଣ ଆଜି ମୋ ସାମ୍ନାରେ । ଆକାଶର ଅନ୍ଧକାର ମଧ୍ୟରେ ହଜିଯାଇଥିବା ପୁନେଇଁର ଚାନ୍ଦକୁ ମୁଁ ଆଜି ପାଇଯାଇଛି ମୋ ହାତ ପାହାନ୍ତାରେ । ମୁଁ ଆଜି ବୁଝିପାରୁଛି ନିଚ୍ଛକ ଭଲପାଇବା କେବେ ମରେନା । ତାହା ପୁଣି ବହୁ ଆନନ୍ଦ ନେଇ । ଯେଉଁ ଆନନ୍ଦରେ ଉଲ୍ଲସିତ ହୋଇ ଉଠେ ଦେହ, ମନ ଓ ପ୍ରାଣ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top