ଗଳ୍ପ

ଫୁଲ ଚୋରି

Fula Chori an odia story by Subal Mohapatra

କଣ କରିବ ବୁଦ୍ଧି ଦିଶୁ ନଥାଏ । ରୁମାଲ ଟା କାଢି ମୁଣ୍ଡରେ ବାନ୍ଧି ଦେଲା । ଆଖ ପାଖରେ କେହି ବି ନଥାନ୍ତି । ତାକୁ ଭାରି ଡର ଲାଗୁଥାଏ ।

ଫୁଲ ଚୋରି

ବାଙ୍କନିଧି ବାବୁଙ୍କ ସକାଳ ବୁଲା ଭଲ ତ ସେ ଭଲ । ଅଭ୍ୟାସଟା ୩୦ ବର୍ଷ ତଳର, ଯେତେବେଳେ ସେ ଚାକିରୀ କରୁଥିଲେ ମୟୁରଭଞ୍ଜର ଠାକୁରମୁଣ୍ଡା ପୋଷ୍ଟ ଅଫିସରେ । ହେଡ଼ ପୋଷ୍ଟ ମାଷ୍ଟର ପଦବୀରେ ଢେର ଦିନ ରହି ଗଲେ ଏ ଅଫିସରେ । ପ୍ରକୃତ ଘର ଭୁବନ । ରିଟାୟାର୍ଡ଼ ପରେ ଭୁବନେଶ୍ୱର ରେ ଘର କିଣି ରହୁଛନ୍ତି । ରାତି ୪ଟା ରୁ ବାଙ୍କନିଧି ବାବୁ ରୁଲ ବାଡ଼ି ଖଣ୍ଡେ ଧରି ଘରୁ ବାହାରି ଯାନ୍ତି । ସକାଳ ବୁଲା, ହୋ ହୋ କ୍ଲବ (ହସ କ୍ଲୁବ) ସାରି, ପାର୍କ ରେ ଦୁଇ ରାଉଣ୍ଡ ମାରି, ଚା ଖାଇ, ପାଉଚ କ୍ଷୀର ୨ ଲିଟର କିଣି ବାବୁ ଘରକୁ ଫେରନ୍ତି । କିନ୍ତୁ ମଝିରେ ଗୋଟେ କେଁ ଅଛି । ରାତି ୪ଟା ରେ ସେ ଯେଉଁ ଯେଉଁ ବାଟ ଦେଇ ଯାଆନ୍ତି, ସେ ବାଟ ଯାକ ଗୋଟେ ବି ଗଛରେ ଗୋଟେ ବି ଫୁଲ ରହେନି । ବାବୁଙ୍କର ଫୁଲ ପ୍ରତି ଲୋଭ ଟିକେ ଅଧିକା ।

ଠାକୁରମୁଣ୍ଡାରେ ଥିଲା ବେଳେ ସରକାରୀ ପିଅନ ଦ୍ୱାରା ଘର ଆଗରେ ଫୁଲ ବଗିଚା ଗୋଟେ କରି ଥିଲେ । ଆଉ ଆଉ ଫୁଲ ବି ସକାଳୁ ଘେରେ ବୁଲି ଆସିଲେ ରାସ୍ତା କଡ଼ରୁ ମିଳି ଯାଏ । ସ୍ତ୍ରୀ ବାସନ୍ତୀଙ୍କ ଖୁସି ପାଇଁ ସେ ଫୁଲ ଆଣି ଦିଅନ୍ତି । ବାସନ୍ତୀଙ୍କୁ ୫୦ ବର୍ଷ ହେଲା ବେଳକୁ ସେ ଭଗବାନଙ୍କର ବଡ ଭକ୍ତ । ସକାଳୁ ସକାଳୁ ଗାଧୋଇ, ଠାକୁର ଘରକୁ ଭଳିକି ଭଳି ଫୁଲରେ ସୁନ୍ଦର ଭାବେ ନ ସଜେଇଲେ ଦିନ ସାରା ଭଲ ଲାଗେନି ତାଙ୍କୁ । ବାଙ୍କନିଧି ବାବୁ ବି ସାଥ ଦିଅନ୍ତି ତାଙ୍କର । ବୁଢା ବୁଢ଼ୀ ଦି ଜଣ ସକାଳ ୭ଟା ରୁ ଗାଧୋଇ ପାଧୋଇ ଠାକୁର ଘରେ ପଶନ୍ତି ଯେ ଦିନ ୯ଟା ରେ ପୂଜା ସରେ । ଭଲ ଭଲ ପର୍ବ ପର୍ବାଣିରେ ତ ଆଉ ଘଣ୍ଟେ ଅଧିକା ଲାଗେ । ଦିନେ ଦିନେ ମକରା (ବାବୁଙ୍କ ପିଅନ) ମାଲିକାଣୀଙ୍କୁ ଖୁସି କରିବାକୁ କଇଁ ଆଉ ପଦ୍ମ ଫୁଲ ବି ଆଣି ଦିଏ । ବାବୁଆଣୀ ଆଠଣା, ଟଙ୍କେ ବକ୍ସିସ ଦିଅନ୍ତି ।

ଭୁବନେଶ୍ୱର ଆସିଲା ପରେ ଏଠି ଏ କଂକ୍ରିଟ ଜଙ୍ଗଲରେ ଫୁଲ କଉଠୁ ଆସିବ । ଘର ଆଗରେ ଗୋବେ ବୋଲି ଜାଗା ନାହିଁ । ତୁଳସୀ ଗଛ ଗୋଟେ ଲାଗିଛି ଯେ ପୂଜା କରିବାକୁ ଜାଗା ଅଣ୍ଟୁନି । ଯାହା ବି ଫୁଲ ଦିଶେ, ସେ ସବୁ ପାଚେରୀ ଭିତରେ । ଲୋକ ମାନେ ନିଜ ନିଜ ଘରେ ଲଗେଇଛନ୍ତି । ମାଗିଲେ ଦିଅନ୍ତି ନାହିଁ । ସେଥିପାଇଁ ଏତେ ସବୁ ପାଲା । ସକାଳୁ ସକାଳୁ ଉଠିକି ମର୍ନିଙ୍ଗ ୱାକ ନାଁ ରେ କିଛି କିଛି ଫୁଲ ଏକାଠି ହେଇ ଯାଏ । ବାକି କାମ ବି ସରି ଯାଏ । ବେଳେ ବେଳେ ତଟକା ପନିପରିବା ଧରି ବାବୁ ଘରକୁ ଆସନ୍ତି । ବାଙ୍କନିଧି ବାବୁଙ୍କର ଦି ପୁଅ । ବାହାରେ ରହନ୍ତି । ବଡର ଗୋଟିଏ ପୁଅ , ନାଁ ରିଙ୍କୁ । ସାନ ଏବେ ଏବେ ବାହା ହେଇଛି । ରିଙ୍କୁ ସପ୍ତମରେ ପଢେ । ଖରାଦିନ ଛୁଟିରେ ଭୁବନେଶ୍ୱର ବୁଲିବାକୁ ଆସି ଥାଏ । ବାପା ମା ଚାକିରୀ, ଏତେ ଦିନ ଛୁଟି ରେ ରହିପାରିବେନି । ରିଙ୍କୁକୁ ଆଣି ଜେଜେ ପାଖରେ ଛାଡି ଦେଇ ଗଲେ । ରିଙ୍କୁ ଆସିଲା ପରେ ଘର ଏବେ ଗହଳି ଗହଳି ଲାଗୁଛି । ରିଙ୍କୁ ଉଠିଲା ବେଳକୁ ଜେଜେ ନଥାନ୍ତି । ବୁଲି ବାଲି ଫେରନ୍ତି ୭ଟା ରେ ।

ସେଦିନ ରାତିରେ ରିଙ୍କୁ ପଚାରିଲା, “ଜେଜେ, ତମେ ସକାଳୁ ସକାଳୁ କୁଆଡେ ଯାଉଛ “?

ଜେଜେ – ମର୍ନିଙ୍ଗ ୱାକ ରେ ।

ରିଙ୍କୁ — ମୁଁ ଯିବି ?

ଜେଜେ – ନାଁ, ସକାଳୁ ତୁ ଉଠିପାରିବୁନି, ଥାଉ ।

ରିଙ୍କୁ — ମୁଁ ପାରିବି, ମୁଁ କାଲିଠୁ ତମ ସହ ମର୍ନିଙ୍ଗ ୱାକ ରେ ଯିବି ।

ଜେଜେ – ହଉ ।

ପରଦିନ ରିଙ୍କୁ ଉଠିଲା ବେଳକୁ ଜେଜେ ମର୍ନିଙ୍ଗ ୱାକ ରୁ ଫେରି ଚା ପିଉଛନ୍ତି । ରିଙ୍କୁ କହିଲା, ମୋତେ ନ ଉଠେଇକି ପଲେଇଲ ? ହଉ , କାଲି ଦେଖିବା । ଜେଜେ ହସି ଦେଲେ । କିନ୍ତୁ ବାବୁଙ୍କର ରିଙ୍କୁକୁ ନବାକୁ ଇଚ୍ଛା ନଥାଏ । କାରଣ ଛୋଟ ପିଲା ସକାଳୁ ଉଠି କଣ କରିବ ? ଆଉ ତା ଆଗରେ ଏ ବୁଢା ବୟସ ରେ ପାଚେରୀ ଚଢି ଫୁଲ ଆଣିବାକୁ ଲାଜ ଲାଗିବ । ହଉ ଦେଖିବା ।

ଲାଗ ଲାଗ ପାଞ୍ଚ ଦିନ ଜେଜେ, ରିଙ୍କୁକୁ ନ ନେଇ କି ପଳେଇଲେ । ସବୁଦିନ ରିଙ୍କୁ ପଚାରେ, ଜେଜେ କହନ୍ତି, “ହଉ, ଦେଖିବା” କିନ୍ତୁ ସକାଳୁ ନ ଉଠେଇ ପଳାନ୍ତି । ପରଦିନ ବି ଜେଜେ ସକାଳୁ ସକାଳୁ ଉଠି ବାହାରି ଗଲେ । ରିଙ୍କୁ କିନ୍ତୁ ନଛୋଡବନ୍ଧା । ରାତିରେ ରେ ମୋବାଇଲ ରେ ଆଲାର୍ମ ଦେଇଥାଏ । ୩.୩୦ ରୁ ଉଠି ମୁହଁ ଧୋଇ, ଚେଇଁକି ଶୋଇ ଥାଏ । ଜେଜେ ଗଲା ପରେ ସେ ତାଙ୍କ ପଛେ ପଛେ ଚାଲିଲା । ଜେଜେ, ଗୋଟେ ପରେ ଗୋଟେ ଗଛ ଖାଲି କରି କରି ଯାଉଥାନ୍ତି । ରିଙ୍କୁକୁ ଟି କେ ଖରାପ ଲାଗିଲା । ଗଛ ଗୁଡିକ କେତେ ସୁନ୍ଦର ଦେଖା ଯାଉଥାନ୍ତି । ଚନ୍ଦ୍ର କିରଣ ଅଳ୍ପ ଅଳ୍ପ ପଡି ଥାଏ । ସୂର୍ଯ୍ୟ ଦେବତା ଆସିବେ ଆସିବେ ହେଉ ଥାନ୍ତି । ସିନ୍ଦୁରା ଫାଟି ଟିକେ ଟିକେ ଫରଚା ହେଇ ଯାଇଥାଏ । ଗୋଲାପ, ଟଗର, ଚମ୍ପା, ଆଉ ବି ସବୁ ଫୁଲ ଗଛ ଗୁଡିକ ସ୍ୱର୍ଗର ପରି ଭଳି ଦେଖା ଯାଉଥାନ୍ତି । ଜେଜେ କିନ୍ତୁ ନିଷ୍ଠୁର ଭାବେ ସବୁ ଫୁଲ ତୋଳି ଆଣୁଥାନ୍ତି । ଜେଜେ ଫୁଲ ତୋଳି ସାରିଲା ପରେ ଗଛ ଗୁଡିକୁ ଚାହିଁ ହେଉ ନଥାଏ । ଯେମିତି କି ରାତିର ଅନ୍ଧକାର ରେ ଲଙ୍ଗଳା ଭୁତ ମାନେ ହାତ ଗୋଡ ହଲଉଛନ୍ତି । ଜେଜେ କିନ୍ତୁ ଥରେ ଦି ଥର ଏପଟ ସେପଟ ଚାହିଁ ଦେଇ ସବୁ ଗଛ ଲଣ୍ଡା କରି ଚାଲିଥାନ୍ତି ।

ରିଙ୍କୁ ଭାବି ଚାଲି ଥାଏ, ପୁଣେ ରେ ତାଙ୍କ ଫ୍ଲାଟ ରେ ସିକୁରିଟି ଗାର୍ଡ ଗୋଟେ ଛୋଟ ଫୁଲ ବଗିଚା କରିଥାଏ । ଜାତି ଜାତିକା ଫୁଲ ଆଉ ସୋ ଗଛ ସବୁ ଲଗେଇ ଥାଏ । ବେଳେବେଳେ ତାଙ୍କ ସୋସାଇଟି ର କିଛି ପିଲା ଆସି ଗଛ ଭାଙ୍ଗି ଦିଅନ୍ତି ଆଉ ଫୁଲ ଛିଡେଇ ଦିଅନ୍ତି । ସେ ଭାରି ମନ ଦୁଃଖ କରେ । କାହାକୁ କିଛି କହି ପାରେନି । ସେ ତ ଗରିବ ଲୋକ, କିଛି କହିଲେ କାଳେ ଚାକିରୀରୁ ବାହାର କରିଦେବେ । ରିଙ୍କୁ ର ମନ ବି ଦୁଃଖ ହୁଏ । ଜେଜେ ଏଠି ସବୁ ଗଛ ଲଣ୍ଡା କରି ଚାଲିଛନ୍ତି । ବଗିଚାର ମାଲିକକୁ କେତେ ଦୁଃଖ ନ ଲାଗୁଥିବ ।

ଛି.. ଏଗୁଡା ଖରାପ କଥା । ଠାକୁରଙ୍କୁ କଣ ଗୋଟେ ଫୁଲ ଦେଇ ପୂଜା କରି ହବନି ? ଚୋରି କରା ଫୁଲରେ ଠାକୁର ଘର ସଜେଇବା କଣ ଭଲ କଥା । ଠାକୁର କଣ ଖୁସି ହୁଅନ୍ତି ଅନ୍ୟକୁ ଦୁଃଖ ଦେଇ ଆଣିଥିବା ଫୁଲରେ ? ଫୁଲ ତା ଗଛରେ ସୁନ୍ଦର ଦିଶେ । ଛିଣ୍ଡେଇ ଆଣି, ଠାକୁରଙ୍କୁ ଲଗେଇବା କ’ଣ ଦରକାର ? ଯେତିକି ଦରକାର ସେତିକି ଆଣିଲେ ହବନି ? ଯିଏ ଫୁଲ ଗଛ ଲଗେଇଛି , ତା’ର ବି ତ ଘରେ ଠାକୁର ପୂଜା ହେଉଥିବ । ସବୁ ଫୁଲ ନେଇ ଗଲେ, ସେ କଣ କରିବ ? ସେମିତି ବି ଗଛକୁ ପୁରା ଲଣ୍ଡା କରିଦେଲେ କ’ଣ ଭଲ ଦିଶେ ? କେତେ ସୁନ୍ଦର ଦିଶେ ଗଛଗୁଡ଼ିକ ଫୁଲ ଥିଲେ, କେତେ ମହୁମାଛି ଆସନ୍ତି, ପ୍ରଜାପତି ଉଡନ୍ତି, କେତେ ଭଲ ଦେଖା ଯାଏ ପାର୍କ ଗୁଡା । ଏଠି କିନ୍ତୁ ନିଜେ ତ ଗଛ ଲଗେଇବେନି ଓଲଟା ଯାହାର ଗଛ ଅଛି ତା ଗଛରୁ ଚୋରି କରିବେ । ଛି.. ଛି… ଏଗୁଡା ଭଲ କଥା ନୁହଁ । ରିଙ୍କୁ କୁ ଖରାପ ଲାଗୁଥାଏ କିନ୍ତୁ ସେ ତ ଲୁଚି ଲୁଚି ଦେଖୁଚି । ଜେଜେ ତାହେଲେ ସବୁଦିନ ଏୟା କରୁଛନ୍ତି । ସେଥିପାଇଁ ମୋତେ ସକାଳୁ ବୁଲେଇବାକୁ ଆଣୁ ନଥିଲେ ।

ଜେଜେ ତାଙ୍କର ଫୁଲ ତୋଳିବାରେ ଲାଗିଥାନ୍ତି । ହଠାତ, ବିରୁଡି ଗୋଟେ କଉଠି ଥିଲା, ଜେଜେଙ୍କ ଆଖି ତଳକୁ ବିନ୍ଧି ଦେଲା । ଫୁଲ ବ୍ୟାଗ ଟା ଜେଜେଙ୍କ ହାତରୁ ଛିଟିକି ପଡିଲା । ମା.. ଲୋ କହି ଜେଜେ ବୁଲି ପଡିଲା ବେଳକୁ ଗୋଡ ଖସିଗଲା । ପାଚେରୀ ଉପରୁ ସିଧା ତଳେ । ପାଚେରୀ ତଳେ ପଥର ଗଦା । ଜେଜେ ପଥର ଉପରେ ପଡିଲେ । ବାମ ଗୋଡ ଟା ଭାଙ୍ଗି ଗଲା ଆଉ ମୁଣ୍ଡ ବି ଫାଟି ଯାଇ ଥାଏ । ତଳେ ପଡି ଜେଜେଙ୍କର ଆଉ ହୋଶ ନାହିଁ ।

ରିଙ୍କୁ କେତେ କଥା ଭାବୁ ଭାବୁ କଣ ଗୋଟେ ଦୁମ କରି ଶବ୍ଦ ହେଲା । ରିଙ୍କୁ ଦେଖିଲା ବେଳକୁ ଜେଜେ ତଳେ ପଡିଛନ୍ତି । ରିଙ୍କୁ ଜେଜେଙ୍କ ପାଖକୁ ଦୌଡ଼ି ଗଲା । କଣ କରିବ ବୁଦ୍ଧି ଦିଶୁ ନଥାଏ । ରୁମାଲ ଟା କାଢି ମୁଣ୍ଡରେ ବାନ୍ଧି ଦେଲା । ଆଖ ପାଖରେ କେହି ବି ନଥାନ୍ତି । ତାକୁ ଭାରି ଡର ଲାଗୁଥାଏ । ଜେଜେଙ୍କଠୁ ଶୁଣିଥିଲା ଯେ ଆଗ ଛକରେ ଚା ଦୋକାନ ଅଛି । ଯେଉଁଠି ଜେଜେ ସବୁଦିନ ଚା ପିଅନ୍ତି । ସେ ରାତି ୩ଟା ରୁ ଦୋକାନ ଖୋଲେ । ରିଙ୍କୁ ଦୌଡ଼ି ଦୌଡ଼ି ଯାଇ ଛକ ରେ ପହଁଚିଲା । ୟାକୁ ଦେଖି ଚା ଦୋକାନୀ କାବା । ଏତେ ସକାଳୁ ବାଙ୍କନିଧି ବାବୁଙ୍କ ନାତି ଏଠି କଣ । କାଲି କହୁଥିଲେ, ନାତି ଟୋକାଟା ମର୍ନିଙ୍ଗ ୱାକ ରେ ଆସିବାକୁ କହୁଛି । ଆଜି ବୋଧେ ନେଇ କି ଆସିଛନ୍ତି । କିନ୍ତୁ ବାଙ୍କନିଧି ବାବୁ କୁଆଡେ ଗଲେ? ୟେ କଣ ଏକା ।

ରିଙ୍କୁ ଦୌଡ଼ି ଦୌଡ଼ି ହାଲିଆ ହେଇ ଯାଇ ଥାଏ । କଥା କହି ପାରୁ ନଥାଏ । ଚା ବାଲା ପଚାରିଲା ପରେ ଖଣ୍ଡି ଖଣ୍ଡି ଭାଷା ରେ ରାହା ନେଇ ନେଇ କହିଲା, ଜେଜେ.. ପଡି ଯା ଇ ଇ ଇ ଛନ୍ତି … ମୁ ଉ ଉ ନ ଣ୍ଡ… ଫାଟି ଯା ଆ ଇ ଇ ଛି । ଚା ବାଲା ଆଉ କାଳ ବିଳମ୍ବ ନକରି ରିଙ୍କୁ କୁ ତା ସ୍କୁଟର ରେ ବସେଇ କି ନେଇ କି ଆସିଲା । ଚା ବାଲା ବାଙ୍କନିଧି ବାବୁଙ୍କ ମୁହଁ ରେ ପାଣି ମାରି ଚେତା କଲା । ବାଙ୍କନିଧି ବାବୁ ଯନ୍ତ୍ରଣା ରେ ଉଃ.. ଆଃ.. ହଉ ଥାନ୍ତି ।ସଙ୍ଗେ ସଙ୍ଗେ ଚା ବାଲା, ତାଙ୍କୁ ସ୍କୁଟର ରେ ବସେଇ, ରିଙ୍କୁ କୁ ସାଙ୍ଗରେ ନେଇ ହସ୍ପିଟାଲ ଗଲା । ଡାକ୍ତର ବାବୁ କହିଲେ ଗୋଡ ଭାଙ୍ଗି ଯାଇଛି । ମୁଣ୍ଡ ରେ ୩ ଟା ଷ୍ଟିଚ ପକେଇ, ଗୋଡ ପ୍ଳାଷ୍ଟର କରିଦେଲେ, ବିରୁଡି ମରା କଷ୍ଟ କମ ହେବା ପାଇଁ ମେଡ଼ିସିନ ଲେଖିଦେଲେ । ଜେଜେଙ୍କୁ ଇଞ୍ଜେକସନ ଦିଆ ହେଲା ଆଉ ଜେଜେ ଶୋଇ ପଡିଲେ । ଖବର ପାଇ ଜେଜୀ, ସାଙ୍ଗରେ ପିଣ୍ଟୁ ନନାଙ୍କୁ (ପଡୋଶୀ) ଧରି ହସ୍ପିଟାଲ ପହଞ୍ଚିଲେ । ମେଡ଼ିସିନ ଧରି ସମସ୍ତେ ଘରକୁ ଆସିଲେ । ଏବେ ସମସ୍ତେ ଘଟଣା କ’ଣ ଜାଣିବା ପାଇଁ ଚାହିଁଲେ କିନ୍ତୁ ଜେଜେ ତ କହିବା ଅବସ୍ଥାରେ ନ ଥାନ୍ତି । ରିଙ୍କୁକୁ ସମସ୍ତେ ପଚାରୁ ଥାନ୍ତି, ସେ କିନ୍ତୁ ଜାଣି ଜାଣି ମିଛ କହିଲା । କହିଲା, “ଜେଜେ ଚାଲୁ ଚାଲୁ ଗୋଟେ ବିରୁଡି ତାଙ୍କୁ ମାରିବାରୁ ସେ ରାସ୍ତା ରେ ଝୁଣ୍ଟି ପଡିଲେ ଆଉ ପଥର ଗଦା ଉପରେ ପଡିଲେ, ଗୋଡ ଆଉ ମୁଣ୍ଡରେ ପଥର ବାଜିବାରୁ ଏ ଅବସ୍ଥା” ।

ସମସ୍ତେ ରିଙ୍କୁ କୁ ବାଃ ବାଃ କରୁ ଥାନ୍ତି । କିନ୍ତୁ ରିଙ୍କୁ ମନରେ ଖୁସି ନଥାଏ । ସେ କଣ ଗୋଟେ ଖୋଜିଲା ଖୋଜିଲା ପରିକା ହଉଥାଏ । କାହାକୁ କିଛି କହୁ ନଥାଏ । ମନଦୁଃଖରେ ସେ ଯାଇ ଛାତ ଉପରେ ବସିଲା । ଦିନ ୧୧ଟା ହବ । ଖରା ଜୋର ହେଲାଣି । ଭୁବନେଶ୍ୱର ର ତାପମାତ୍ରା ୪୨ ଡିଗ୍ରୀ ହେଲାଣି । ଅନ୍ୟ ମନସ୍କ ଭାବରେ ବସୁ ବସୁ ସେ ପାଚେରୀ ଉପରେ ଖରାରେ ବସି ପଡିଲା । ପଛ ପଟୁ ପେଣ୍ଟ ତାତିଗଲା । ମା’ ଲୋ କହି ଉଠିଆସିଲା ସେ । କେତେ ଗରମ ହେଲାଣି । ଘର ଟା ବି ତାତି ଯାଉଛି । ଗୋଟିକିଆ ଘର, ତଳେ ରୁମରୁ ତ ବାମ୍ଫ ବାହାରୁଚି । ଛାତ ର ଗୋଟେ କୋଣରେ ଗଛ ଛାଇ ଟିକେ ପଡି ଥାଏ । ସେଠି ଯାଇ ସେ ବସି ପଡିଲା । ଥଣ୍ଡା ଥଣ୍ଡା ପବନ ସହ ଗଛ ଛାଇ ରେ ଆରାମ ଲାଗୁଥାଏ । ଭାବୁ ଭାବୁ ଟା ଆଖି କି ନିଦ ମାଡି ଆସିଲା ।

ହଠାତ କିଛି ଗୋଟେ ମିଳିଗଲା ପରିକା, ସେ ଚମକି କି ଉଠି ପଡିଲା, ତା ମୁହଁ ଉଜ୍ୱଳ ହୋଇ ଉଠିଲା । ସେ ଧାଇଁ ଧାଇଁ ଯାଇ ଚା ବାଲା ପାଖରେ ପହଁଚିଲା । ତା’ ଠୁ କବାଡି ବାଲାର ଦୋକାନ କେଉଁଠି ଅଛି ବୁଝି, କବାଡି ବାଲା ଦୋକାନ ରେ ପହଞ୍ଚି ଗଲା । କବାଡି ଵାଲା ପାଖରୁ ବାଛି ବାଛି କିଛି ପୁରୁଣା ତେଲ ଟିଣ, ପ୍ଲାଷ୍ଟିକ ର ବଡ ବଡ ଜାଗା ଆଉ କିଛି ପ୍ଲାଷ୍ଟିକ କୁଣ୍ଡ ବି, ବାପା ମା ଖର୍ଚ୍ଚ ପାଇଁ ଦେଇଥିବା ପଇସା ରେ କିଣି ଆଣିଲା । ସ୍କୁଲ ରେ ସାର ଥରେ କହୁଥିଲେ ରୂଫଟପ ଗାର୍ଡେନ ବିଷୟରେ । ଏବେ ସେ ଛାତ ଉପରେ ରୂଫଟପ ଗାର୍ଡେନ ତିଆରି କରିବାର ପ୍ଲାନ କଲା । ପ୍ରଥମେ କିଛି କିଛି ଛୋଟ ବଡ ପ୍ଲାଷ୍ଟିକ କୁଣ୍ଡ, ତେଲ ଟିଣ ଆଣିଲା । ତା’ ପରେ ଜେଜେଙ୍କ ଚାକର ଆଉ ପିଣ୍ଟୁ ନନାଙ୍କ ସହାୟତା ରେ ସେଥିରେ ମାଟି ଭର୍ତି କରି ଛାତ ଉପରେ ରଖିଲା । ଜେଜେ ତ ଘରେ ଖଟ ଉପରେ ଶୋଇଥାନ୍ତି । ଜେଜୀର ଅଣ୍ଟା ବ୍ୟଥା ଯୋଗୁଁ ସେ ଛାତ କୁ ଯାଇ ପାରନ୍ତିନି । ଏସବୁ ତାଙ୍କୁ କିଛି ବି ଜଣା ନଥାଏ । ରିଙ୍କୁ ବି ପିଣ୍ଟୁ ନନା ଆଉ ଚାକର କୁ କହି ଥାଏ ଯେ ଜେଜେଙ୍କୁ ଏସବୁ କିଛି ନ କହିବା ପାଇଁ । ଫୁଲ ଗଛ ଚାରା, ମନ୍ଦାର ଫୁଲ, ଟଗର ଫୁଲ, ଆହୁରି ବି ବହୁତ ପ୍ରକାର ର ଗଛ ସବୁ ଆଣି ଛାତ ଉପରେ ଲଗେଇଲା ଆଉ ସବୁଦିନ ସକାଳେ, ସନ୍ଧ୍ୟା ରେ ପାଣି ଦେଲା । ରିଙ୍କୁ ସବୁଦିନ ବାଲ୍ଟି ରେ ପାଣି ନେଇ ଗଛରେ ଦିଏ । ପିଣ୍ଟୁ ନନା ବି କମ୍ପୋଷ୍ଟ ଆଉ ଚାରା ଆଣି ତାକୁ ଦିଅନ୍ତି । ଜେଜେଙ୍କୁ ଜଣା ନଥାଏ । ଏମାନେ ସବୁ ଲୁଚେଇ ଲୁଚେଇ କରୁଥାନ୍ତି । ଆସ୍ତେ ଆସ୍ତେ ଗଛ ସବୁ ବଡ ହେବାରେ ଲାଗିଲେ । କିଛି କିଛି ଗଛରେ ଫୁଲ ଫୁଟିବାକୁ ଲାଗିଲେ । କମ୍ପୋଷ୍ଟ ଖତ ଆଉ ପାଣି ପାଇ ସେମାନେ ସବୁ ହୃଷ୍ଟ ପୃଷ୍ଟ ହେଇ ଥାନ୍ତି । ରିଙ୍କୁ କିଛି ଲଙ୍କା ଆଉ ଟମାଟୋ ଚାରା ବି ଲଗେଇ ଥାଏ । ସେଗୁଡା ବି ବଢ଼ୁ ଥାନ୍ତି । ବଗିଚା ଦେଖିଲେ ମନ ପୁରି ଯାଉ ଥାଏ । ଘର ଉପରେ ସୂର୍ଯ୍ୟ କିରଣ ନପଡିବା ଯୋଗୁଁ ଆଉ ସକାଳେ ସନ୍ଧ୍ୟାରେ ପାଣି ଦେବା ଯୋଗୁଁ ଘର ବି ଥଣ୍ଡା ରହୁ ଥାଏ । ଜେଜେ ତ ଖଟ ଉପରୁ ଉଠି ପାରୁ ନଥାନ୍ତି, ସେ ଭାବୁ ଥାନ୍ତି ଯେ ଏବର୍ଷ ଖରା ଅପେକ୍ଷାକୃତ କମ ହୋଇଛି । କିଛି ଦିନ ପରେ ଜେଜେ ଟିକେ ଭଲ ହେଲେ । ଭଲ ହେଲା ପରେ ରିଙ୍କୁ କଥା ଶୁଣିଲେ । ଭାବିଲେ ଭଲ ହେଲା, ଟୋକା ଟା କିଛି ଜାଣିନି । ନହେଲେ କି ହିନସ୍ଥା ହେଇଥାନ୍ତା । କେହି ବି ଜାଣି ନାହାନ୍ତି ଯେ ସେ ଫୁଲ ଚୋରି କରୁଥିଲେ ବୋଲି, ନହେଲେ ଏ ବାଟ ଦାଣ୍ଡ ରେ ସେ କଣ ମୁହଁ ଟେକି ଚାଲି ପାରି ଥାନ୍ତେ ।

ରିଙ୍କୁର ଛୁଟି ସରି ସରି ଆସିଲା । ଜେଜେ ବି ଆସ୍ତେ ଆସ୍ତେ ଚଲା ବୁଲା କରି ପାରିଲେ । ବାଡ଼ି ଧରି ଆସ୍ତେ ଆସ୍ତେ ଚାଲୁ ଥାନ୍ତି । ଦିନେ ସନ୍ଧ୍ୟାରେ ସମସ୍ତେ ଏକାଠି ବସି କଥା ହେଉଥାନ୍ତି । ଜେଜେ କହିଲେ, “ଯାହା ହେଉ, ଏବର୍ଷ ଏ ବିପଦ ସମୟରେ ଖରା ଟିକେ କମ ହୋଇଛି, ଗରମ ନଥିବା ଯୋଗୁଁ ମଣିଷ ବଞ୍ଚି ଗଲା । ନହେଲେ କଣ ଯେ ଅବସ୍ଥା ହୋଇଥାନ୍ତା କିଏ ଜାଣେ ” । ରିଙ୍କୁ ମୁରୁକି ମୁରୁକି ହସୁ ଥାଏ । ସେ ଠିକ କଲା ଯେ ପର ଦିନ ସକାଳୁ ସେ ଜେଜେ ଆଉ ଜେଜୀଙ୍କୁ ନେଇ ଛାତ କୁ ଯିବ ।

ଜେଜେ ବି ବହୁତ ଦିନ ହେଲା ବାହାରକୁ ଯାଇ ନଥାନ୍ତି । ମନ ପୁରା ପିତା ହେଇ ସାରି ଥାଏ । ଘରେ କେତେ ଶୋଇବ, କେତେ ଘରେ ରହିବ ? ବୁଲାରିଆ ଲୋକ ଘରେ ରହିଲେ ଯାହା ହୁଏ । ଜେଜେ ପୁରା ଚିଡିଚିଡା ଧରି ସାରି ଥାନ୍ତି । ଟିକେ ଟିକେ କଥା ରେ ରାଗି ଯାଉଥାନ୍ତି । ପର ଦିନ ସକାଳୁ, ଚା ଜଳଖିଆ ପର୍ବ ସରିଲା ପରେ ସେ ଜେଜେ ଆଉ ଜେଜୀଙ୍କୁ କହିଲା, “ଆସ ଟିକେ ଛାତ ଉପରେ ବୁଲିକି ଆସିବା, ତମକୁ ଭଲ ଲାଗିବ” । ଜେଜୀ କହିଲେ ଛାତ ଉପରକୁ ଗଲେ ମୋ ଅଣ୍ଟା ଧରି ଦେବ । ତମେ ଦି ଜଣ ଯାଅ ବୁଲିକି ଆସ । ରିଙ୍କୁ କିନ୍ତୁ ନଛୋଡବନ୍ଧା । କହିଲା ମୁଁ ଦି ଜଣଙ୍କ ହାତ ଧରି ନେଇ ଯିବି, ଚାଲ । ଜେଜେ, ଜେଜୀ, ରିଙ୍କୁ ଆଉ ପିଣ୍ଟୁ ନନା ଛାତ ଉପରକୁ ଗଲେ । ପିଣ୍ଟୁ ନନା ତ ସବୁ ଜାଣିଥାନ୍ତି କିନ୍ତୁ କିଛି ବି କହୁ ନଥାନ୍ତି । ସେ ଜେଜେ ଆଉ ଜେଜୀଙ୍କ ପ୍ରତିକ୍ରିୟା ଦେଖିବାକୁ ଅପେକ୍ଷା କରି ଥାନ୍ତି । ଆସ୍ତେ ଆସ୍ତେ ପାହାଚ ଗଣି ଗଣି ସମସ୍ତେ ଛାତ ଉପରେ ପହଞ୍ଚି ସାରିଥାନ୍ତି ।

ଜେଜେ ଆଉ ଜେଜୀ ଆଉ କାହା ଛାତ ଉପରେ ଅଛନ୍ତି ବୋଲି ଭାବୁଥାନ୍ତି । ଆଖିକୁ ବିଶ୍ୱାସ ହେଉ ନଥାଏ । ଏତେ ଗଛ ପତ୍ର କୁଆଡୁ ଆସିଲା । ଛୋଟ ଛୋଟ ଟଗର ଗଛରେ ଫୁଲ ଫୁଟି ଥାଏ । ଗଛରେ ଲଙ୍କା ବି ଫୁଲ ଧରି ଆସୁଥାଏ । ଗୋଲାପ ଫୁଲ ଫୁଟି ଥାଏ । କେତେ କଣ ଗଛ ସବୁ ଲାଗି ଥାଏ । ଦି ଜଣ ଯାକ ବିସ୍ମୟ ହୋଇ ଚାହିଁଥାନ୍ତି । ଇଏ ସବୁ କଣ? କିଏ କଲା ଏସବୁ? କେତେ ଫୁଲ ଗଛ, ସୋ ଗଛ, କେତେ ପ୍ରକାର କାକଟସ, ଘିକୁଆଁରି, ରଜନୀ ଗନ୍ଧା, ମନି ପ୍ଲାଣ୍ଟ, ଆହୁରି କେତେ କେତେ ଗଛ, ଛାତ ସାରା ଲାଗି ଥାଏ । ବହୁତ ବଢିଆ ଭାବରେ ସବୁ ଗୁଡିକ ସଜା ହୋଇଥାଏ । ଜେଜୀ ତ ଡେଇଁ ପଡିଲେ, ଗଛ ପ୍ରତି ତାଙ୍କର କେତେ ଶ୍ରଦ୍ଧା, ଏଠି ଜାଗା ନାହିଁ ବୋଲି ମନ ମାରି ରହୁଥିଲେ । ସବୁ ଗଛ ଗୁଡିକୁ ଟିକେ ଟିକେ ଆଉଁସି ଦେଉଥାନ୍ତି । କାହା ଫୁଲକୁ ଟିକେ ଗେଲ କରି ଦେଉଥାନ୍ତି ତ, କେଉଁ ପତ୍ର କୁ ବଡ ଶ୍ରଦ୍ଧାରେ ଦେଖୁଥାନ୍ତି । ମନେ ମନେ ସେ ଯେ କେତେ ଖୁସି, ଏକଥା ବ୍ୟକ୍ତ କରି ପାରୁ ନଥାନ୍ତି । ଆଉ କାହା ଆଡକୁ ବି ନଜର ନଥାଏ ତାଙ୍କର । ଛାତ ସାରା ଚାରି ପାଞ୍ଚ ଥର ବୁଲି ସାରିଲା ପରେ, ଜେଜେଙ୍କ ମୁହଁକୁ ଦେଖି ସେ ଅଟକି ଗଲେ । ରିଙ୍କୁ ଆଉ ପିଣ୍ଟୁ ନନା, ଜେଜୀଙ୍କୁ ସେତେବେଳୁ ଦେଖୁଥିଲେ । ଜେଜୀଙ୍କ ଖୁସି ଦେଖି ହସୁଥିଲେ । କିନ୍ତୁ ଜେଜେଙ୍କ ଆଡେ କାହାର ବି ନଜର ନାହିଁ । ଏବେ ଜେଜୀ ଅଟକି ଯାଇ ଜେଜେଙ୍କ ଆଡେ ଚାହିଁଲା ପରେ, ଏମାନେ ବି ଜେଜେଙ୍କୁ ଦେଖିଲେ । ଜେଜେ ଚୁପ ଚାପ ହୋଇ ଠିଆ ହୋଇ ଥାନ୍ତି । ଆଖି ଛଳ ଛଳ । ଆଖିରେ ଲୁହ ଭର୍ତି । କୋହ ଉଠୁ ଥାଏ । କିନ୍ତୁ ତାକୁ ଚାପି ରଖିଥାନ୍ତି । ପିଣ୍ଟୁ ନନା ଦୌଡ଼ି ଯାଇ ତଳୁ ପ୍ଲାଷ୍ଟିକ ଚୌକି ଦି ଟା ନେଇ ଆସିଲେ । ଜେଜୀ, ଜେଜେଙ୍କ ପାଖକୁ ଆସି ପଚାରିଲେ କ’ଣ ହେଲା । ଏମିତି ପିଲାଙ୍କ ପରି କାନ୍ଦୁଛ କାହିଁକି? ଜେଜେଙ୍କ ଲୁହ ଆଉ କୋହ ଏବେ ତାଙ୍କ କଥା ଶୁଣିବା ଅବସ୍ଥାରେ ନଥାନ୍ତି । ଜେଜେ ଭୋ ଭୋ ହୋଇ ବଡ ପାଟିରେ କାନ୍ଦି ଉଠିଲେ । ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇଥାନ୍ତି । କ’ଣ ହେଲା ? ଜେଜେ କାନ୍ଦିଲେ କାହିଁକି ? ରିଙ୍କୁ ଯାଇ ପାଣି ଆଣି ପିଆଇଲା । ଜେଜେ ଟିକେ ସାଷ୍ଟାମ ହେଲା ପରେ କହିଲେ, ଏଡିକି ବକଟେ ପିଲା, ଆଜି ମୋ ଆଖି ଖୋଲି ଦେଲା । ଖାଲି ଯେ ଛୋଟ ମାନେ ବଡ ମାନଙ୍କଠୁ ଶିଖନ୍ତି ସେ କଥା ନୁହଁ, ଛୋଟ ମାନେ ବି ବେଳେ ବେଳେ ବଡ ମାନଙ୍କୁ ବହୁତ ବଡ ଶିକ୍ଷା ଦିଅନ୍ତି । ଆଜି ମୋ ନାତି ମୋ ପାଇଁ ବଗିଚା ତିଆରି କରିଛି । କଣ ପାଇଁ ଜାଣିଛ ? ସେଦିନ ମୁଁ ରାସ୍ତାରେ ଝୁଣ୍ଟି କି ପଡି ନଥିଲି । ମୁଁ ମିଶ୍ରବାବୁଙ୍କ ପାଚେରୀ ଉପରେ ଚଢି ଫୁଲ ଚୋରି କରୁଥିଲି । ଗୋଟେ ବିରୁଡି କଉଠି ଥିଲା କେଜାଣି ମୋ ଆଖିତଳକୁ ବିନ୍ଧିଦେଲା । ମୁଁ ମା..ଲୋ କହି ବୁଲି ପଡିଲା ବେଳକୁ, ମୋ ଗୋଡ ଖସି ଗଲା ଆଉ ମୁଁ ପଥର ଗଦା ଉପରେ ପଡ଼ିଗଲି । ଏକଥା ସବୁ ରିଙ୍କୁ ଜାଣିଛି । କିନ୍ତୁ କାଳେ ମୋତେ ଖରାପ ଲାଗିବ ବୋଲି ସେ କାହାକୁ ବି କହିନି । ଆଉ ଆଜି ମୋ ପାଇଁ ଏତେ ବଡ ବଗିଚା ତିଆରି କରିଛି । ଇଏ ମୋ ନାତି ନୁହଁ, ଇଏ ମୋ ଜେଜେ । ଆଜି ମୋତେ କେତେ ବଡ ଶିକ୍ଷା ଦେଲା । ଏତିକି କହି ଜେଜେ ରିଙ୍କୁକୁ କୋଳେଇ ନେଲେ ଆଉ ଗେଲ କଲେ । ଜେଜୀ ଆଉ ପିଣ୍ଟୁ ନନା ଆଖିରେ ବି ଲୁହ ଆସି ଯାଇଥିଲା । ସେମାନେ ବି ରିଙ୍କୁ ମୁଣ୍ଡକୁ ଆଉଁସି ଦେଲେ । ଜେଜେ ପ୍ରତିଜ୍ଞା କଲେ ଯେ ଆଉ କେବେ ବି ସେ କାହା ବାଡିରୁ ଫୁଲ ଚୋରି କରିବେନି । ଯାହା ଫୁଲ ପୂଜା ପାଇଁ ଦରକାର, ସେ ସବୁ ଏଇ ବଗିଚାରେ ଲଗେଇବେ । ଜେଜୀ ତ ଫୁଲ ଗଛର ସୌନ୍ଦର୍ଯ୍ୟ ଆଉ ବଗିଚା ର ସୁନ୍ଦରତା ଦେଖି ଫୁଲ ଛିଡେଇବା ପାଇଁ ମନା କଲେ । ଏବେଠୁ ଗୋଟେ ଦିଟା ଫୁଲରେ ଠାକୁର ପୂଜା ହବ । ଫୁଲ ସବୁ ବଗିଚାରେ ଭଲ ଲାଗୁଛନ୍ତି ।

କିଛି ଦିନ ପରେ ରିଙ୍କୁର ଛୁଟି ସରିଗଲା । ବାପା ମା ତାକୁ ନେବା ପାଇଁ ଆସିଲେ ଆଉ ରିଙ୍କୁର ବଗିଚା ଦେଖି ବହୁତ ଖୁସି ହେଲେ । ଜେଜେ ଆଉ ଜେଜୀ ତ ତା’ର ବହୁତ ବହୁତ ପ୍ରଶଂସା କରୁ ଥାନ୍ତି । ସମସ୍ତଙ୍କ ଆଗରେ କହୁଥାନ୍ତି, “ଫୁଲ କୁ ଫୁଲ, ପନିପରିବା, ତା ସହ ଥଣ୍ଡା ଘର, ରିଙ୍କୁ ଆମ ପାଇଁ ସବୁ ର ସମାଧାନ ଏକାଥରେ କରି ଦେଇ ଗଲା ” ।

ଲୋକପ୍ରିୟ ଲେଖା

To Top