ଗଳ୍ପ

ଗାରୁଡ଼ି ମନ୍ତ୍ର

Byaasakabi Fakir Mohan Senapati's odia story Gaarudi Mantra

ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀବିଭାଗ କରାଯାଏ, ଏକପୁଅ ବାପ ମା’ ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଡ଼ିବେ- ଏକଥା ଲେଖକ ତମ୍ୱା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢ଼ରୂପେ ବୋଲିବାକୁ ପ୍ରସ୍ତୁତ ଅଛି

ଗାରୁଡ଼ି ମନ୍ତ୍ର

ଏହିଟା ହେଲା ତିରିଶ ଚାଳିଶ ବର୍ଷ ତଳର କଥା । କଟକରେ କଲେଜ୍ ନୂଆ ବସିଛି, ଏଫ୍.ଏ କ୍ଲାସ୍ ପର୍ଯ୍ୟନ୍ତ ପଢ଼ା ହୁଏ । ଉପର କ୍ଲାସ୍‌ରେ ଗୋଟି ପନ୍ଦର ଷୋଳ ଛାତ୍ର । ସେଥିମଧ୍ୟରୁ ଆଠ ଦଶଗୋଟି ମଫସଲିଆ, ସହର ଭିତରେ ନାନା ଜାଗାରେ ବସା କରି ରହିଛନ୍ତି । ସେତେବେଳେ କଲେଜ୍‌ରେ ବୋର୍ଡିଂ ନଥିଲା । କଟକ ଚୌଧୁରୀ ବଜାର ଭିତରେ ଗୋଟିଏ ସାଦା ଦୋମହଲା କୋଠାରେ ବସା- ଛାତ୍ରଟିର ନାମ ମଦନମୋହନ । ନାମଟି ପରି ପିଲାଟି ଦେଖିବାକୁ ମଧ୍ୟ ମଦନମୋହନ, ବୟସ ଜଣାଯାଏ ଷୋଳ ସତର ଭିତରେ । ବସାରେ ପୂଜାହାରୀ, ଗୋଟିଏ ଭଣ୍ଡାରୀ, ଆଉ ସାନ୍ତ ଏହି ତିନୋଟି ଲୋକ । ହେଲେ କ’ଣ, କେହି ଭାର କାନ୍ଧେଇ, କେହି ବୋଝ ମୁଣ୍ଡେଇ, କେହି ତୁଚ୍ଛା ହାତରେ ରୋଜିନା ଦୁଇ ତିନିଜଣ ଧୂଳିଗୋଡ଼ିଆ ଲୋକ ଯା’ ଆସ କରନ୍ତି । ଦିନେ ବୋଲି ଉପୁରିଲୋକଙ୍କ ଛୁଟଣ ନାହିଁ । ଜିନିଷପତ୍ର ଧରି ଉପୁରିଲୋକଙ୍କ ଯା’ ଆସ କରିବାର ଦେଖି ବସା ଆଖପାଖ ଦୋକାନିଏ ବୁଝିଲେଣି, ଏହି ବାବୁ ପିଲାଟି ମଫସଲର କୌଣସି ଜମିଦାର ଘରର ପୁଅ ହେବ । ତେର ଦିନ ପାଖରେ ଥିବା ଲୋକର ପରିଚୟ, ଜାଣିବା ପାଇଁ ଲୋକଙ୍କର ସହଜରେ ଇଚ୍ଛା ବଳେ- ତା’ ଉପରେ ପୁଣି ବଡ଼ଲୋକ ହେଲେ ଲୋକେ ଆଗେ ପରିଚୟ ଖୋଜି ବସନ୍ତି । ପାଖଲୋକ ସମସ୍ତେ ଜାଣିଗଲେଣି ପିଲାଟି ବଡ଼ନଈ ପରଗନାର ଶାଳପାଳ ତାଲୁକର ଜମିଦାର ଗୋଲାପଲୋଚନ ପଟ୍ଟନାୟକଙ୍କ ପୁଅ । ଏହା ମଧ୍ୟ ଜଣାଗଲାଣି, ଜମିଦାରଙ୍କର ଏହି ଗୋଟିଏ ବୋଲି ପୁଅ । ପୃଥିବୀରେ ଯେତେ ପ୍ରକାର ହତଭାଗ୍ୟ ଲୋକ ଅଛନ୍ତି, ସେମାନଙ୍କର ଯଦି ଶ୍ରେଣୀବିଭାଗ କରାଯାଏ, ଏକପୁଅ ବାପ ମା’ ନିଶ୍ଚୟ ପ୍ରଥମ ଶ୍ରେଣୀର ପ୍ରଥମରେ ପଡ଼ିବେ- ଏକଥା ଲେଖକ ତମ୍ୱା ତୁଳସୀ ଶାଳଗ୍ରାମ ଛୁଇଁ ଦୃଢ଼ରୂପେ ବୋଲିବାକୁ ପ୍ରସ୍ତୁତ ଅଛି । ପୁଅ ଖାଇ ନାହିଁ, ବାପ ମା’ଙ୍କର ଉପାସ- ପୁଅଟିର ବେରାମ, ଆଖିରେ ନିଦ ନାହିଁ, ପେଟରେ ଭୋକ ନାହିଁ । ଦିନରାତି ବିଛଣା ପାଖରେ ଜଗି ବସିଛନ୍ତି । ପୁଅଟି କାହିଁରେ ସୁଖରେ ରହିବ, ଦିନ ରାତି ଭାବନା । ଆପଣାର ତିନିସିଆଁ ଲୁଗା, ପୁଅ ସକାଶେ ଜଥା କିଣା ଲାଗିଛି । ଦେହର ରକ୍ତ ପରି ଟଙ୍କାଗୁଡ଼ିକ ପୁଅ ପାଇଁ ଅକାରଣ ବା ସକାରଣ ପାଣି ପରି ଖରଚ କରିବାକୁ ଟିକିଏ ହେଲେ ହାଲିଆ ହୋଇ ପଡ଼ିବେ ନାହିଁ । ପରକାଳ ଗତିପାଇଁ ପ୍ରଭୁଙ୍କ ନାମ ଗୁଣିବାକୁ ବି ବେଳ ମିଳେ ନାହିଁ । ବାପ ମା’ଙ୍କର ଯେତେ କିଛି ଧର୍ମକାର୍ଯ୍ୟ, ସବୁଗୁଡ଼ିକ ପୁଅ ମଙ୍ଗଳ କାମନାରେ । ମଦନ କଟକରେ ପଡୁଛି, ବାପ ମା’ଙ୍କ ପିଣ୍ଡରେ ଅଛି ପ୍ରାଣ-ମନ ରହିଛି ପୁଅ ପାଖରେ । ରୋଜିନା ପୁଅ ଦେହପା’ର ମଙ୍ଗଳ ବାତିନ ନ ପାଇଲେ ସାଆନ୍ତାଣୀ ଅଥୟ ହୋଇପଡ଼ନ୍ତି । କଟକ ସହର ଦୋକାନର ଚାଉଳଗୁଡ଼ାକ ପାଣିପଶା, ବାଲିଗୋଡ଼ିମିଶା, ମଳୁଖିଆ । ସାନ୍ତାଣୀ ଉଆସ ମଧ୍ୟରେ ପୋଇଲୀମାନଙ୍କୁ ଲଗାଇ ଉଆଖିଆ ସରୁ ଉରିଆ କୁଟାଇ ବାହୁଙ୍ଗୀ ବେଠିଆରେ କଟକ ପଠାଇ ଦେଲେ । ତୋଟାରୁ ପାଚଲା କଦଳୀ କାନ୍ଦିଏ ଅଇଲା । ମା’ ମନ କେତେକେ ବୁଝେ, ଆଗରୁ ହାଣ୍ଡିଏ ଫୁଲବଡ଼ି ପରା ହୋଇଥିଲା- ସବୁ କଟକକୁ ଘେନି ଯା’ । ଆଜି ପଠାଇବାକୁ କିଛି ନାହିଁ । ତୁଚ୍ଛା ହାତରେ ହେଲେ ଜଣେ ନଗଦୀ ପାଇକ ଧାଇଁଯାଇ ପୁଅକୁ ଦେଖି ଆସୁ । ରୋଜିନା ଏହିପରି ଚାଲିଛି ।

ଜମିଦାର ଗୋଲାପଲୋଚନ ପଟ୍ଟନାୟକେ ଆପେ ପାଠୁଆ ନ ହେଲେ କ’ଣ ହେଲା, ପାଠର ମର୍ଯ୍ୟାଦା ବୁଝନ୍ତି, ଏଥି ସକାଶେ ସେ ଆଖି କାନ ବୁଜି ଇଂରାଜୀ ପାଠ ପଢ଼ିବା ସକାଶେ ପୁଅକୁ ବିଦେଶକୁ ପଠାଇ ଦେଇଛନ୍ତି । ମଦନ ଉଛୁଣିକା କଲେଜର ସବା ଉପର କ୍ଳାସ୍‌ରେ ପଢେ଼ଇ । କଲେଜ୍ ପଢ଼ା ବହି ଛାଡ଼ି ବାହାର ବହି ଢେର୍ ପଢ଼ିଗଲାଣି । ଭେଣ୍ଡିଆମାନେ ଉପନ୍ୟାସ ପଢ଼ିବାକୁ ସୁଖ ମଣନ୍ତି । ମଦନ ବି ଢେର୍‌ଗୁଡ଼ାଏ ଉପନ୍ୟାସ ପଢ଼ିଗଲାଣି । ମଦନ ପିଲାଟା ଖୁବ୍ ଗମ୍ଭୀର, ମନମରା ଲୋକ । ହେଲେ କ’ଣ,

“ଯୋଗୀକା ରୋଗୀକା ଭୋଗୀକା ନିଶାନ
ଆଁ ଖସେ ଜାନ ଅଉର ଆଁ ଖସେ ପଇଛାନ ।”

ପାଟି ଫିଟାଇ ନ କହୁ, ମଣିଷ ମନର କଥା ଆଖିରୁ ଧରା ପଡ଼େ । ଦେଖାଗଲାଣି, ମଦନ ଉପନ୍ୟାସ ବହିଖଣ୍ଡ ହାତରେ ଧରି ଏକଧ୍ୟାନରେ ଭକ୍ ଭକ୍ କରି ଉପରକୁ ଅନାଇ ଢେର୍ ବେଳଯାଏ କ’ଣ ଭାବେ । ସଞ୍ଜବେଳେ ନଈକୂଳରେ ବସି ଏହିପରି ଭାବୁଥିବାର ଦେଖାଯାଏ । ମଦନ ସାଙ୍ଗ ପଢୁଆ ହୃଦୟର ବନ୍ଧୁ ଗୋକୁଳି ବାବୁ ମଦନର ଏହିପରି ଭାବ ଦେଖି ପଚାରିଲାଣି, “ମଦନ ! ଏପରି ବସି କ’ଣ ଗୋଟାଏ ଭାବୁରେ ?”ବନ୍ଧୁ ପାଖରେ ମନର କଥା ପେଇ କହିଲେ ମନ ଟିକିଏ ହାଲୁକା ହୁଏ । ଦିନେ ମଦନ ହଠାତ୍ କହି ପକାଇଲା, “ଗୋକୁଳି ! ଏହି ଉପନ୍ୟାସ ଖଣ୍ଡ ପଢ଼ିଲ, ନାୟକ ନାୟିକାଙ୍କର କେମନ୍ତ ମଧୁର ପ୍ରଣୟ ପଢ଼ିଲ ।”ଗୋକୁଳି ହସି ହସି କହିଲେ, “ଓହୋ ! ବୁଝିଛି, ତୁମେ ଏହିପରି ନାୟିକାଟିଏ ଖୋଜୁଛ ପରା ?”ଦୁଇ ବନ୍ଧୁ ଖୁବ୍ ହସାହସି ହେଲେ ।

ମନୁଷ୍ୟ କୌଣସି କାର୍ଯ୍ୟରେ ଲାଗିପଡ଼ିବା ଆଗେ ତାହା ମନରେ ତିନୋଟି ଅବସ୍ଥା ଘଟେ । ପ୍ରଥମେ ଅନୁଭୂତି, ଦ୍ୱିତୀୟ ଭାବନା, ତୃତୀୟ ଇଚ୍ଛା । ଗୀତାକାର ମଧ୍ୟ ସେହିପରି କଥାଟାଏ କହିଛନ୍ତି,

“ଧ୍ୟାୟତୋ ବିଷୟାନ୍ ପୁଂସଃ ସଙ୍ଗସ୍ତେଷୂପଜାୟତେ ।”

ତରୁଣ ବୟସରେ ତରଳ ମନ ପ୍ରଣୟ ଆଡ଼କୁ ସହଜରେ ଢଳି ପଡ଼େ । ମଦନ ଉପନ୍ୟାସରେ ନାୟକ ନାୟିକାଙ୍କ ପ୍ରଣୟ କଥା ପଢ଼ି ପଢ଼ି ସ୍ଥିର କଲାଣି, ଏହିପରି କନ୍ୟାଟିଏ ପାଇଲେ ବିଭା ହେବ । ସଙ୍ଗେ ସଙ୍ଗେ ମନରେ ପଡ଼ିଗଲା,

“କୁଜୀ ପରି ନଇଁ ନଇଁ ଗୋଡ଼ି ଟିପି ଗମନା,
ମୁଖଚନ୍ଦ୍ର ଆବୃତ, ହାତ ଲମ୍ୱ ଓଢ଼ଣା,
ଚୁ-ଚୁ- କଥା କହେ ହାଉଡ଼ୀ ସମାନା
ଘରକୋଣବାସୀ, ବିରସବଦନା,
ମାର୍ଜାର ଶିଶୁ ପରି ମୁଦ୍ରି ତନେତ୍ରା,
ତୈଳହରିଦ୍ରାବିଲେପିତଗାତ୍ରା ।”

ହାୟ ହାୟ ! ଦରଫୁଟିଲା ପଦ୍ମଟିକୁ ବୋରଝାଞ୍ଜିରେ ଘୋଡ଼ାଇ ପକାନ୍ତି । ଦେଶର କି କୁପ୍ରଥା ! କି କୁସଂସ୍କାର ! ଛି ଛି ଛି ! ଏପରି କାଠ କୁଣ୍ଢେଇଟାକୁ କିଏ ବାହା ହେବ ମ ? ମୁଁ ନ ହେବି ନାହିଁ ପଛକେ ବାହା ।

ଚାରି ଛ’ମାସ ଉତ୍ତାରେ ଦିନେ ଫୁଲସଞ୍ଜ ସମୟ, ମୁଣ୍ଡରେ ଗାମୁଛା ଖଣ୍ଡେ ପାଗପରି ଗୁଡ଼ିଆ, ଅଣ୍ଟାରେ ପାଛୋଡ଼ିଖଣ୍ଡ ଭିଡ଼ା, ଆଣ୍ଠୁଯାଏ ଧୂଳି, ଅଳ୍ପ ନଇଁ ନଇଁ ଗୋଟିଏ ବୁଢ଼ା ବାଡ଼ି ଖଣ୍ଡିଏ ଠୁକ୍ ଠକ୍ କରି ବସାଘର ଦୋମହଲା ଉପରକୁ ଉଠିଗଲେ । ହାତରେ ତାଳଟିଏ ଧରି ପିଠିରେ ସାନ ବୋକଚାଟିଏ ପକାଇ ପଛରେ ଜଣେ ଭଣ୍ଡାରି ଚାଲିଛି । ମଦନ ବାବୁ ତାଙ୍କୁ ଦେଖି ଚମକି ପଡ଼ିଲା ପରି ହୋଇ ପଚାରିଲେ, “ଇଏ ଅଜା, ଇଏ ଅଜା ! ଆପଣ କୁଆଡ଼େ ଅଇଲେ ? ଆପଣ ଆଡ଼େ ଅଇଲେ । ଆରେ ଅଜାଙ୍କୁ ଗୋଡ଼ ଧୋଇବାକୁ ପାଣି ଦେ’ରେ । ଧାଇଁ ଯା’ ବଜାରରୁ ଜଳଖିଆ କିଣି ଆଣରେ ।”

ବୃଦ୍ଧ- ହେଉ ହେଉ, ସବୁ ହେବ, ତୁ ଏଡ଼େ ବ୍ୟସ୍ତ ହୋଇପଡ଼ ନା ।

ନବାଗତ ଏହି ବୁଢ଼ାଟିକୁ ଚିହ୍ନାଇ ଦେବା ଦରକାର, ନୋହିଲେ ପାଠକ କିଛି ଛନ୍ଦି ହେବେ । ବୃଦ୍ଧ ନବଘନ ଦାସେ ସାନ୍ତାଣୀଙ୍କ ମାମୁଁ, ମଦନର ଅଜା । ଦାସେ ସାନ୍ତଙ୍କ ଘର ଛାମୁକରଣ । ହେଲେ କ’ଣ ହେଲା ମଦନ ଠିକ୍ ଅଜା ପରି ଭକ୍ତି କରେ, ଅଜା ବି ମୁନିବ ପୁଅ ବୋଲି ତୁମେ, ଆପଣ ନ କହି ତୁ- ଆରେ ବୋଲି ଡାକନ୍ତି, ସେହିପରି ସ୍ନେହ କରନ୍ତି । ଦାସେ ଗୋଡ଼ ହାତ ଧୋଇ ଟିକିଏ ଅଳ୍ପ ଗଡ଼ ଗଡ଼ କରି ଖଣ୍ଡେ ଆସନରେ ବସିଛନ୍ତି । ଦିନେ ଆସନ୍ତି ନାହିଁ, ଆଜି କିଆଁ ଅଇଲେ । ମଦନର ମନ ଲାଗିଛି । ଯାଇ ପାଖରେ ବସିପଡ଼ି ପଚାରିଲା, “ଅଜା କିଆଁ ଆସିଛନ୍ତି, କ’ଣ ଲୋଡ଼ା ବୋଲନ୍ତୁ, ଉଆସରେ ସବୁ ମଙ୍ଗଳ ତ ?”

ବୃଦ୍ଧ- “ଉଆସରେ ସବୁ ମଙ୍ଗଳ, ସମସ୍ତଙ୍କ ଦେହପା’ ଭଲ, ଖୁବ୍ ମଙ୍ଗଳ କଥାଟାଏ କହିବାକୁ ଦଶ କୋଶ ବାଟ ଧାଇଁ ଆସିଛି । ବୋଲିବି, ତୁ କିଆଁ ଏପରି ଛାନିଆ ହେଉଛୁ ।”

ମଦନ ଟିକିଏ ଲାଜ ପାଇଲା ପରି ହେଲା, ମାତ୍ର କିପରି ଝାଁ କରି କଥା ମନକୁ ବାଜିଗଲା, ଖୁବ୍ ଭଲ ମଙ୍ଗଳ କଥା । ଏଣେ ଚଞ୍ଚଳ ତ କହୁ ନାହାନ୍ତି, କଥା କ’ଣ ? ସଫା ବୁଝି ନ ପାରିଲେ କ’ଣ ହେଲା, ମାତ୍ର ମନଟା କେମିତିକା ଗୁଡ଼େଇ ପୁଡ଼େଇ ହେଉଛି, ଉଦାସ ଉଦାସ ପରି ଜଣାଯାଉଛି । ଉଠି ଯାଇ ପଢ଼ିବାକୁ ବସିଗଲା । ହେଲେ ପଢ଼ାରେ ମନ ଲାଗୁନାହିଁ । ଏ ବହି ଖଣ୍ଡ ସେ ବହି ଖଣ୍ଡ ତୁଚ୍ଛା ଓଲଟ ପାଲଟ କରୁଛି ।

—-x—-

ଅଜା ନାତି ଦୁହେଁ ଖାଇ ବସିଛନ୍ତି । ଅଜା ଟିକିଏ ଗଳା ଖଙ୍କାରି ଦେଇ କଥା ଆରମ୍ଭ କଲେ, “ବୁଝିଲୁ ମଦନ, ବାପା ସାନ୍ତ ମୋତେ ପଠାଇଛନ୍ତି, ତୋତେ ଘେନି ଗାଁକୁ ଯିବି । ତୋ ବିଭାଘର ! “ମଦନ ଅଜା ମୁହଁକୁ ଏକଧ୍ୟାନରେ ଚାହିଁ କଥା ଶୁଣୁଥିଲେ, “ବିଭାଘର”ଏହି କଥାଟା ଶୁଣି ତାଙ୍କ ମୁଣ୍ଡ ବୁଲାଇ ଦେଲାଣି । ହାତରୁ ଭାତଗୁଣ୍ଡାଟା କେତେବେଳେ ଖସି ପଡ଼ିଲା, ତାଙ୍କୁ ଜଣା ନାହିଁ । ଅଜା ସାନ୍ତ ଭାତ ଥାଳିରେ ହାତ ଦେଇ ତଳକୁ ଅନାଇ କଥା ହଙ୍କି ଯାଉଛନ୍ତି- ମଦନଙ୍କ କାନରେ କଥାଗୁଡ଼ାକ ପଶୁଛି କି ନାହିଁ, ତାଙ୍କୁ ଜଣା । ମଙ୍ଗଳପୁର ଜମିଦାର୍ ରାମରାମ ଦାସଙ୍କ କନ୍ୟାଟିର ଏହି ପନ୍ଦର ବରଷ ପଶିଛି । ଖୁବ୍ ଡୌଲ, ଗୋଟିଏ କାଠିରେ ଗଢ଼ା, ଚମ୍ପା ଫୁଲ ପରି ରଙ୍ଗ, ଖୁବ୍ ପାଠୋଈ, ଛାନ୍ଦକୁ ଛାନ୍ଦ ଗୀତ ମୁହେଁ ମୁହେଁ ହାଙ୍କିଯାଏ । ଦେଖ ମଦନ, ମୁଁ ଢେର୍ ଆଡ଼େ ଲାଗି ଲାଗି ତୋ ପାଇଁ ଏହି କନ୍ୟାଟି ଠିକ୍ କରିଛି । କନ୍ୟାକୁ ଯେତେବେଳେ ଦେଖିବୁ, ଅଜା ସତୁଆ କି ମିଛୁଆ, ଜାଣିବୁ । ମୋ ପାଇଁ ବକ୍‌ସିସ୍ ଦରକାର । ତୋ ଆଡୁ ଅଲଗା ଗୋଟିଏ ବରମପୁରୀ ପାଟ କଥା ପାଇବି । କ’ଣ କହୁଛୁ ମଦନ ? ମଦନର ଜ୍ଞାନ ଅଛି ଯେ, କଥାର ଉତ୍ତର ଦେବ । ବୋଧକରୁ, ମନ ମଧ୍ୟରେ କହୁଛି, ଜଥା- ନା ତୋ ମୁଣ୍ଡ ବକ୍‌ସିସ୍ ପାଇବୁ । ମଦନ ରାତିସାରା ବିଛଣାରେ ପଡ଼ି ଭାବୁଛି, ଆଖିରେ ନିଦ ନାହିଁ । ଆଜିକାଲିକା ଇଂରାଜୀ ପାଠୁଆ ଭେଣ୍ଡିଆଙ୍କ ମଧ୍ୟରୁ ଗୋଟାଏ ଗୋଟାଏ ଅଦିନିଆ କଖାରୁ ବହାରି ପଡ଼ନ୍ତି- ତାଙ୍କ ଜାଣିବାରେ ବାପଟା ମୂର୍ଖ, କିଛି ଜାଣେ ନାହିଁ, ସେମାନେ ଆପେ ଔପନ୍ୟାସିକ, କନ୍ୟା ବାଛି ବିଭା ହେବେ । କନ୍ୟାର ରୂପ ଗୁଣ ଘେନି ବାପ ସଙ୍ଗରେ ବୋଲାବୋଲି କରି ବସନ୍ତି । ମଦନ ସେପରି ଶ୍ରେଣୀରୁ ବାହାର । ଆଜିଯାଏଁ ବାପର କୌଣସି କଥାରେ ଜବାବ୍ ଦେଇ ନାହିଁ । ସେ ଗୋଟିଏ କଥା ଧରିଛି, ବାପ ପରି ମଙ୍ଗଳକାମୀ ତାହାର ଆଉ ଜଗତରେ କେହି ନାହିଁ । ଅନ୍ୟ ସ୍ୱାର୍ଥପର ଲୋକଗୁଡ଼ାଙ୍କ ପାଖରୁ କିଛି ଦୂରରେ ଥାଏ । ମାତ୍ର ମଦନ ବିଭାଘର କଥା ଶୁଣି ଟିକିଏ ଲାଜ ପାଇଲାଣି, ଅଜା ମୁହଁକୁ ଅନାଇ ପାରୁନାହିଁ, ବାପକୁ ଜବାବ୍ ଦେବ କ’ଣ ? ଢେର୍ ଭାବି ଭାବି ଗୋଟାଏ କଥା ତାହା ମନରେ ପଡ଼ିଗଲା- ମୋତେ ଭଲ କରି ଇଂରେଜୀ ପଢ଼ାଇବା ପାଇଁ ବାପା ଢେର୍ ଥର କହିଛନ୍ତି । ମଦନ ମନ ଟିକିଏ ଖୁସି ହେଲା, ଏହି କଥାଟିକୁ ସଙ୍ଖାଳି କରି ଶୋଇ ପଡ଼ିଲା ।

ତହିଁ ଆରଦିନ ସକାଳେ ଅଜା ନାତି ଦୁହେଁ ଖାଇ ବସିଛନ୍ତି । ବୁଢ଼ା ମନରେ ବିଚାରିଲା, ପିଲାଟା ତ କିଛି ଜବାବ୍ ଦେଲା ନାହିଁ- କଥା କ’ଣ ? ନାତିର ମନ ବିଡ଼ିବା ପାଇଁ ଅଜା କହି ବସିଲେ, “ବୁଝିଲୁରେ ନାତି, ଏପରି ପରମା ସୁନ୍ଦରୀ, ଏପରି ପାଠୋଈ ପାତ୍ରୀ, ଏପରି ଭଲ ଘର ଭାଗ୍ୟକୁ ମିଳେ । ହେବ ନାହିଁ କିଆଁ-ବାପସାନ୍ତ ଯେପରି ପୁଣ୍ୟବନ୍ତ, ତୁ ଯେପରି ପିତୃଭକ୍ତ ଧାର୍ମିକ ପିଲା ତୋତେ ଏ କନ୍ୟା ମିଳିବ ନାହିଁ ଆଉ କାହାକୁ ମିଳିବ । ଦିନେ ହେଲେ ବାପସାନ୍ତଙ୍କୁ କୌଣସି କଥାରେ ନା-ପଦ ତୋ ମୁହଁରୁ କାଢ଼ି ନାହୁଁ । ଏଥିଲାଗି ଦେଶଯାକ ତୋର ପ୍ରଶଂସା । ତୁ ପିଲାଟା ହେଲେ କ’ଣ ହେଲା, ସବୁ ଶାସ୍ତ୍ର ବୁଝୁ । ଜାଣୁ । ଶାସ୍ତ୍ରରେ ଲେଖା ଅଛି, ବାପ ଯେଉଁ ପୁଅ ପ୍ରତି ସନ୍ତୁଷ୍ଟ, ସବୁ ଦେବତାଠାରୁ ସେ ବର ପାଏ । ଆଉ ଗୋଟାଏ କଥା ବୁଝିଥା’, ଏପରି ପାତ୍ରୀ ହାତରୁ ଥରେ ବାହାରି ଗଲେ ଆଉ କେଭେଁ ମିଳେ ନାହିଁ । ବାପା ସେଥିପାଇଁ ଚଞ୍ଚଳ ହୋଇ ପଡ଼ିଛନ୍ତି । ସ୍ୱୀକୃତ ହୋଇ ଗଲାଣି । ଆସନ୍ତା ମକର ସତର ଦିନ ଶୁକ୍ଳ ଦଶମୀକୁ ଲଗ୍ନ, ତେଣିକି ଲଗ୍ନ ନାହିଁ । ଆଉ ତୋର ଯୋଡ଼ା ବୟସ ପଡ଼ିବ, ବର୍ଷେ ବିଭା ବନ୍ଦ । ଯା’, ସ୍କୁଲ୍‌ମାଷ୍ଟରଙ୍କୁ କହି ବୋଲି ତୋ ପୋଥିପତ୍ର ଘେନି ଚାଲିଆ’ । କାଲି ସକାଳେ ଚାଲିଯିବା । ଆଉ ଦିନ ନାହିଁ ମଝିରେ ମାସ ଯୋଡ଼ାଏ ।”ମଦନ ବାବୁ ମଣ୍ଡପୋତି ଧୀରେ ଧୀରେ କହିଲେ, “ବାପା କହିଛନ୍ତି, ମୁଁ ଭଲକରି ଇଂରାଜୀ ପାଠଟା ପଢ଼ିବି । ବି.ଏ. ପାସ୍‌ଯାଏ ପଢ଼ିବାକୁ ମୋର ବି ଇଚ୍ଛା । ବାହା ଫା’ ହେଲେ ମୋର ଆଉ ପାଠ ହେବ ନାହିଁ ।”

ଅଜା ହଁ ହଁ, ସେ କଥା ବି ଉଆସରେ ପଡ଼ିଥିଲା । ବାପା କହିଛନ୍ତି, ତୋର ଆଉ ପଢ଼ିବାର ଦରକାର ନାହିଁ । ଆଉ ତୋର ବି.ଏ. ଫି.ଏ ପାସ୍ ଫାସ୍ ଦରକାର କ’ଣରେ ? ତୁ କ’ଣ ସରକାର ଘରେ ଚାକିରୀ କରିବୁ !

ମଦନ ବାବୁଙ୍କ ସଙ୍ଖାଳି ସରିଲା । ଫଁ କରି ନିଶ୍ୱାସଟାଏ ପକାଇ ତୁନି ହୋଇ ବସିଲେ । ଅଜା କଥା ଶୁଣି ଜୋକ ମୁହଁରେ ଲୁଣ ଦେଲା ପରି ତୁନି ହୋଇ ବସିଲେ ।

ଜମିଦାରଙ୍କ ଉଆସର ଚାରିଟା ପୁର-ବାହା ଦିନଠାରୁ ସାନ ସାନ୍ତଙ୍କ ପୁର ଅଲଗା ହୋଇଯାଇଛି । ମଝି ଦୁଆରଟି କିଳିଦେଲେ ଦୁଇ ପୁର ସମ୍ପୂର୍ଣ୍ଣରୂପେ ଅଲଗା ହୋଇଯାଏ । ମଦନ ବାବୁଙ୍କ ବିଭା କାଲି ପରି ଚାରିମାସ ହୋଇଗଲାଣି । ଦିନ ରାତି ପୁର ମଧ୍ୟକୁ ଯା’ ଆସ କରିବାକୁ ମଦନ ବାବୁଙ୍କର ଇଚ୍ଛା, କିନ୍ତୁ ରାତି ପହରକ ଆଗରୁ ପୁର ମଧ୍ୟକୁ ଯାଇ ପାରନ୍ତି ନାହିଁ । ବାହାର କଚେରି ଘର ଲଗା ଆପଣା ବୈଠକଖାନାରେ ବସି ପଢ଼ାପଢ଼ି କରୁଥାନ୍ତି । ମଦନମୋହନଟି ବଡ଼ ଲାଜକୁଳିଆ ପିଲା । ଦିନବେଳେ ଭିତର ଉଆସକୁ ଯିବା ସମୟରେ ପୋଇଲୀ ପରିବାରିଗୁଡ଼ାକ କେହି ହସନ୍ତୁ ନ ହସନ୍ତୁ, ସେ ମନରେ କରନ୍ତି, ଯେମନ୍ତ ପୋଇଲୀଗୁଡ଼ାକ ହସୁଛନ୍ତି । ଆଉ ଆଉ ଜମିଦାରଙ୍କ ଘର ପରି ଏହାଙ୍କ ଉଆସରେ ଅକର୍ମୀ ଅସଭ୍ୟ ପୋଇଲୀଗୁଡ଼ାଏ ବି ଢେର୍ । ସେ ଗୁଡ଼ାଙ୍କର ଆଉ ପାଇଟି କ’ଣ ?

ଏ ତ ଗଲା ଗୋଟାଏ କଥା । ବଡ଼ କଥାଟା ଏହି ଯେ, ପଦୀଟା ବୋହୂ ପାଖେ ପାଖେ ଜୋକ ପରି ଲାଗି ରହିଛି । ପଦୀଟା ପୋଇଲୀ ହେଲେ କ’ଣ ହେଲା, ତାହାର ଗୁଣ ଢେର୍ । ଗାଁରେ ତାହାର ନାମ ଡାକ ଅଛି । ଗାଁ ମଧ୍ୟରେ କୌଣସି ସାନ୍ତଙ୍କ ଝିଅ ବିଭାଘର, ଦଶ ପନ୍ଦର ଦିନ ଆଗରୁ ମା’ ସାନ୍ତାଣୀ ପଦୀକୁ ଡାକି ନେଇ ଝିଅ ପାଖରେ ରଖି ଦିଅନ୍ତି । ଶାଶୁଘରକୁ ଯିବାବେଳେ ଝିଅ କାହାକୁ ଧରି କି କଥା କହି କିପରି ବାହୁନିବ- ଶାଶୁଘରେ କେତେ ଓଢ଼ଣା ପକାଇ କିପରି ନଇଁ ନଇଁ ଚାଲିବ, କିପରି ଚୁ-ଚୁ କଥା କହିବ, ଏସବୁ ସଦ୍‌ଗୁଣ ଶିଖାଇବାକୁ ପଦୀକୁ କେହି ବଳିଯିବ ନାହିଁ । ନିତାନ୍ତ ପରିତାପର ବିଷୟ, ଶିକ୍ଷାର, ବିଶେଷରେ ସ୍ତ୍ରୀ ଶିକ୍ଷାର ବହୁଳ ପ୍ରଚାର ଯୋଗୁଁ ପଦୀ ଶ୍ରେଣୀ ଗୁଣବତୀମାନଙ୍କ ଦାନାପାଣି ପ୍ରାୟ ଉଠିଗଲାଣି । ଝିଅ ବିଭା ହୋଇ ଆସିବା ବେଳେ ମଙ୍ଗଳପୁର ତାଲୁକର ଜାମିଦାରାଣୀ ପଣନ୍ତକାନିରେ ଆଖି ପୋଛି ପକାଇ କହିଲେ, “ଶୁଣ ପଦି, ମନି ତୋତେ ଲାଗିଲା । ବୁଝି ସାବଧାନ ! ଝିଅର ଢଙ୍ଗଢ଼ାଙ୍ଗ ଲାଜ ସରମ କଥାରେ ଯେମନ୍ତ କେହି ତୁଣ୍ଡ ନ ଫିଟାଏ, ଆମ ବଂଶକୁ ନିନ୍ଦା ବୋଲଣା ନ ଆସେ ।”ପଦୀ ଖୁବ୍ ଗର୍ବରେ ମୁରକି ହସଟାଏ ହସି କହିଲା, “ଆଜ୍ଞା ମଣିମା ! ଏକଥା କ’ଣ ଆଜି ପଦୀକୁ ଶିଖାଇ ଦେବେ ।”

କନ୍ୟାଟିର ନାମ ମୋହିନୀ । ରୂପରେ, ଗୁଣରେ ବି ସେହିପରି ମୋହିନୀ । ମଦନ ବାବୁଙ୍କ ମନକୁ ବଡ଼ ଲାଗିଗଲାଣି । ଭାରି ଇଚ୍ଛା, ବୋହୂଟିକୁ ଭଲ କରି ପଢ଼ାଇବେ, ସବୁବେଳେ ଦୁଇଜଣ ବସି କଥାଭାଷା ହେବେ, ସଞ୍ଜବେଳେ ତୋଟାରେ ବୁଲିବେ- ଉପାୟ କ’ଣ ? ପଦୀଟା ତ ସାଙ୍ଗେ ସାଙ୍ଗେ ଲାଗି ରହିଛି । କ’ଣ ମନ୍ତ୍ର ପଢ଼ାଉଛି, ସେହି ମୂର୍ଖ ବୋହୂଟା ବି ଆଖି ଫିଟାଉ ନାହିଁ କି କଥା କହୁ ନାହିଁ । ଦିନେ ମଦନ ବାବୁ ଆପଣା ପଢ଼ା ଘରେ ବସି କ’ଣ ଭାବୁଥିଲେ, ହଠାତ୍ ଖୁସିଟାଏ ହୋଇ ପାଟି କରି କହି ପକାଇଲେ, “ବେଶ୍ ଉପାୟ ମନରେ ପଡ଼ିଛି, ବେଶ୍ କଥା ବେଶ୍ କଥା ।”

ମଦନବାବୁ ପ୍ରତିଦିନ ରାତି ପହରକ ସରିକି ଉଆସ ଭିତରକୁ ଆସୁଥିଲେ । ଏଣିକି ଢେର୍ ଥର ମଠ ହୋଇ ଗଲାଣି, ଦିନେ ଦିନେ ଦେଢ଼ ପହର ବି ଗଡ଼ିଯାଏ । ଦିନେ ପଦୀ ପଚାରିଲା, “ହୋଇଲୋ ଶୁକ୍ରୀ ! ସାନ୍ତ ମଣିମାଙ୍କର ଉଆସ ଭିତରକୁ ବିଜେ ହେବାକୁ ଦିନେ ଦିନେ ଏତେ ମଠ ହୁଏ କିଆଁ ?”ବଡ଼ ଉଆସରେ ଢେର୍‌ଗୁଡ଼ାଏ ପୋଇଲୀ, ମାତ୍ର ସାନ ସାନ୍ତଙ୍କ ଉଆସକୁ କେହି ଯା’ନ୍ତି ନାହିଁ । ପୁଅ ଗୋଳମାଳକୁ ଭଲ ପାଏ ନାହିଁ । ଏଥିପାଇଁ ମା’ ସାନ୍ତାଣୀଙ୍କର ମନା । କେହି ପୋଇଲୀ ସାନ ସାନ୍ତଙ୍କ ଉଆସ ଭିତରକୁ ଯିବେ ନାହିଁ । କେବଳ ଶୁକ୍ରୀ ପୋଇଲୀକୁ ନମୋଦ କରି ଦେଇଛନ୍ତି- ସବୁବେଳେ ବୋହୂ ପାଖରେ ଥାଏ । ପାଠ ଘରେ ସାନ ସାନ୍ତ ଓ ଶୁକ୍ରୀ ନିରୋଳାରେ ବସି ଢେର୍ ବେଳଯାଏ କ’ଣ ଫୁସର-ଫାସର୍ ହେଉଥିବାର କେତେ ଥର ଦେଖାଗଲାଣି । ପଦୀ ପଚାରିବାରୁ ଶୁକ୍ରୀ କହିଲା, “ତୁ ଶୁଣି ନାହୁଁ କି ଲୋ ପଦୀ ଅପା । ସାନ୍ତ ମଣିମା ଗାରିଡ଼ି ମନ୍ତ୍ର ଫୁଙ୍କିବାକୁ ଯା’ନ୍ତି ପରା ।”

ପଦୀ- “ଗାରିଡ଼ିମନ୍ତ୍ର କ’ଣ ଲୋ ?”

ଶୁକ୍ରୀ- “କ’ଣ କି, ଏ ଦେଶରେ ଏହି ଖରାଦିନିଆ ଚିତ୍ରାନାଗ ଢେର୍ ବାହାରି ମଣିଷଙ୍କୁ ଦଂଶି ଦିଅନ୍ତି । ସାନ୍ତଙ୍କୁ ଗାରିଡ଼ି ମନ୍ତ୍ର ଜଣା, ଫୁଙ୍କି ଦେଲେ ବିଷ ଉଡ଼ିଯାଏ । ପଣକୁ ପଣ ରୋଗୀ ଭଲ ହୋଇ ଗଲେଣି । ଆଉ କ’ଣ କହିବି ପଦୀ ଅପା, ଏହି ପାଖ ଗାଁ ମଛୁପୁରରେ ପୁଞ୍ଜାଏ ବୋହୂ ଠକ ଠକ କରି ମରିଗଲେ । କେଡ଼େ ସୁନ୍ଦର ବୋହୂଗୁଡିକ ଆହା ! ଆହା !”

ପଦୀ- “ହଁ ଲୋ ଶୁକ୍ରୀ ! ସେଗୁଡ଼ାକ ସାନ ସାନ୍ତ ମଣିମାଙ୍କୁ କିଆଁ ବାତିନ ଦେଲେ ନାହିଁ ?”

ଶୁକ୍ରୀ- “ହଁ, ସାନ ସାନ୍ତ ବିଜେ କରିଥିଲେ, ଢେର୍ ଫୁଙ୍କାଫୁଙ୍କି କଲେ, ହେଲେ କ’ଣ ହେଲା, ବୋହୂଗୁଡ଼ାକ ଆପଣା ଦୋଷରୁ ମଲେ ମ ! କଥା କ’ଣ କି, ସାନ୍ତ ଆଗେ ମନ୍ତ୍ର ପାଣିରେ କାଠିମରା ରୋଗୀର ମୁହଁ ଧୋଇ ଦିଅନ୍ତି, ଆଉ ଯୁଡ଼ା ଫିଟାଇ ଦିଅନ୍ତି, ଆଉ ଗାରିଡ଼ି ମନ୍ତ୍ର ଡାକିବାବେଳେ ରୋଗୀ ମୁହଁରୁ ଲୁଗା କାଢ଼ି ସାନ୍ତଙ୍କ ମୁହଁକୁ ଚାହିଁ ରହିବା ବିଧି । ବୋହୂଗୁଡ଼ାକ ମନ୍ତ୍ର ପଢ଼ିବାବେଳେ ଯେମିତି ମୁହଁ ଢାଙ୍କି ପକାଇଲେ, ଠକ୍ ଠକ୍ କରି ଢଳି ପଡ଼ିଲେ ।”

ପଦୀ- “ଆହା ! ପାଖରେ କ’ଣ କେହି ପୁରୁଖା ମାଇପେ ନ ଥିଲେ । ବୋହୂ ମୁହଁ ଢାଙ୍କିବାବେଳେ ତା’ ହାତ ଧରି ପକାଇଲେ ନାହିଁ କିଆଁ । ଜୀବନ ବଡ଼ ନା ଲାଜ ବଡ଼ । ଆପଣାକିଆକୁ ଇଲାଜ କିଆଁ । ହଁ ଲୋ ଶୁକ୍ରୀ, କାଠିମରା ରୋଗୀର ମୁଣ୍ଡବାଳ ଫିଟାଇ ଦିଅନ୍ତି, ମୁଁ ଜାଣେ ।”

ଶୁକ୍ରୀ- “ପଦୀ ଅପା, ତୁ ତ ରୋଜିନା ସଞ୍ଜବାଦେ ନୀତି ପଢ଼ାଇବା ଲାଗି ବୋହୂ ସାନ୍ତାଣୀଙ୍କୁ ତୋଟାଆଡ଼େ ଘେନିଯାଉ । ହାତରେ ଗୋଟାଏ ଆଲୁଅ ଘେନିଗଲେ ଭଲ ହୁଅନ୍ତା ପରା ।”

ପଦୀ- “କ’ଣ କହିଲୁ ଲୋ ଶୁକ୍ରୀ କ’ଣ କହିଲୁ ! ଏଡ଼େ ମହତ ଘର ପୋଇଲୀଟା ହୋଇ କ’ଣ କଥାଟା ମହୁଁରେ ଧରିଲୁ ? ଦେଶରେ ମୁଲକରେ ଗୋଟାଏ ନିନ୍ଦା ଚହଳ ପଡ଼ିଯିବ ଯେ, ହାଟୁଆ ଘର ଝିଅଟା ପରି ମଶାଲ ଜାଳି ବାଡ଼ିଆଡ଼େ ଯାଏ । ମା’ ସାନ୍ତାଣୀଙ୍କ କାନରେ ବାଜିଗଲେ କ’ଣ ମୋ ଚୁଟି ପିଠି ରହିବ ! ଆମ ଉଆସରେ ତ ବୋଡ଼ିକୁ ବୋଡ଼ି ପୋଇଲୀ-ମା’ ସାନ୍ତାଣୀ ବାଛି ବାଛି ମୋତେ ସଙ୍ଗରେ ଦେଲେ କିଆଁ । ଆଲୋ ପଦୀ ଯେବେ ସଙ୍ଗରେ ଅଛି, ଆମ ଜେମା’ଙ୍କର ଡର କ’ଣ !”

ସଞ୍ଜ ଗଡ଼ିଗଲାଣି । ଘର ଭିତରେ ସବୁ ଅନ୍ଧାର । ବୋହୂଟି ଓଢ଼ଣା ପକାଇ ତୋଟା ଭିତରୁ ଧୀରେ ଧୀରେ ଚାଲିଛି । ପଦୀ ବାହାଟି ଧରି ଚଳାଇ ଆଣୁଛି । ତୋଟା ଦୁଆର ଦୁଆରବନ୍ଧ ଡେଇଁ ଯେମିତି ଘର ଭିତରକୁ ପଶିବେ, କବାଟକଣରୁ ଦେଢ଼ହାତ ଲମ୍ୱ ସାପଟାଏ ବାହାରି ବୋହୂ ଆଉ ପଦୀ ଗୋଡ଼ପାଖ ବାଟେ ହଳହଳ କରି ଚାଲିଗଲା । ପଦୀ ତ ବୋହୂଟାକୁ ପେଲି ଦେଇ “ବୋପା ଲୋ”ବୋଲି ରଡ଼ିଟାଏ ଛାଡ଼ି ଘରେ ପଶି କବାଟ କିଳି ଦେଲାଣି । ବୋହୂଟା ହାଉଳି ଖାଇ ଠା’ ପଡ଼ିଗଲା, ଚେତା ନାହିଁ । ଶୁକ୍ରୀ ଅଳ୍ପ ଦୂରରେ ଥିଲା, ଧାଇଁ ଆସି ବୋହୂଟିକୁ କାଖେଇ ପହଡ଼ ଘର ଭିତରକୁ ଘେନିଗଲା, ମୁହଁରେ ପାଣି ଛିଞ୍ଚିବାରୁ ବୋହୂର ଚେତା ବସିଲା । ଶୁକ୍ରୀ କହିଲା, “ଆପଣ କିଛି ଡରିବେ ନାହିଁ । ସାନ୍ତଙ୍କୁ ଡାକି ଆଣୁଛି, ଏହି ଲାଗେ ଭଲ କରିଦେବେ ।”

ସାନ ସାନ୍ତଙ୍କୁ ଦେଖି ବୋହୂଟାର ସାହସ ହେଲାଣି । ବରଡ଼ାପତ୍ର ପରି ଥରୁଥିଲା, ଏବେ ଓଢ଼ଣାଟି ପକାଇ ତୁନି ହୋଇ ବସିଛି । ସାନ ସାନ୍ତଙ୍କ ତୁଣ୍ଡ ଶୁଣି ପଦୀ ବି ଆସି ପହଞ୍ଚିଗଲା । ମାତ୍ର ଏ ପର୍ଯ୍ୟନ୍ତ ତା’ ଦେହଟା ଟିକିଏ ଟିକିଏ ଥରୁଛି, ପାଟିରୁ କଥା ବାହାରୁ ନାହିଁ । ଦୁଇଖଣ୍ଡ ଆସନ ପଡ଼ିଲା, ବୋହୂ ଆଉ ସାନ ସାନ୍ତ ମୁହାଁମୁହିଁ ହୋଇ ବସିଲେ । ସାନ୍ତ ପଚାରିବାକୁ ପଦୀ କହିଲା, “ହଁ, ମୁଁ ସାପଟାକୁ ଦେଖିଛି- ତିନି କି ଚାରି ହାତ ଲମ୍ୱ, ଦେହଯାକ କଳା ହଳଦିଆ ଡୋରାଡୋରା ଚିତ୍ର ହୋଇଛି । ମୁଁ ଯେମିତି ସାପଟାକୁ ଦେଖିଲି, ତାକୁ ବାଡ଼େଇବା ପାଇଁ ଜେମା’ଙ୍କୁ ବସାଇ ଦେଇ ବାଡ଼ି ଖୋଜିବାକୁ ଧାଇଁଲି ।”ଦୁଷ୍ଟ ଶୁକ୍ରୀଟା ମୁହଁରେ ଲୁଗା ଦେଇ ଟିକିଏ ହସିଲା ।

ସାପ କାମୁଡ଼ିଛି କି ନାହିଁ, ସାନ୍ତ ବୋହୂ ଗୋଡ଼ ଭିଡ଼ି ଆଣି ପରଖି ବସିଲେ । ବୋହୂଟା ଗୋଡ଼ ଭିଡ଼ି ନେଉଥାଏ । ସାନ୍ତ କହିଲେ, “ହାଁ ହାଁ, ଏପରି କଲେ ମନ୍ତ୍ର କାଟୁ କରିବ ନାହିଁ ।”ଦେଖାଗଲା, ବୋହୂ ବାଁ ଗୋଇଠିରେ ଘାଉଡ଼ ହୋଇଛି । ସାନ୍ତ କହିଲେ, “ହଁ ହଁ ସତ- ପଦୀ କଥା ସତ, ଏଟା ଚିତ୍ରା ନାଗ, ଦେଖୁ ନାହଁ, ଗୋଟାଏ ଦାନ୍ତ ବସିଛି । ଏ ନାଗର ଗୋଟାଏ ବୋଲି ଦାନ୍ତ । ଚିନ୍ତା ନାହିଁ । ଦି’କଲି ମନ୍ତ୍ର ଡାକି- ଦେଲେ ସବୁ ବିଷ ହରିଯିବ । ଆଲୋ ଶୁକ୍ରୀ, ଯା’, ଡେବିରି ହାତରେ ପୋଖରୀରୁ କଂସାଏ ପାଣି ଆଣ ଡେବିରି ଆଖି ବୁଜିଯିବୁ- ସାପର ଗୋଟାଏ ଦାନ୍ତ ପରା ।”

ସାନ୍ତ- “ହଁ, ଏବେ ମୁହଁରୁ ଲୁଗା କାଢ଼ ।”ବୋହୂ ଓଢ଼ଣାଟାକୁ ଆହୁରି ଭିଡ଼ି ଦେଉଛି । ପଦୀ ଆଗୋ ମା’ । ଓଢ଼ଣା କାଢ଼, ଓଢ଼ଣା କାଢ଼ କହି ଆଗେ ଓଢ଼ଣାଟା କାଢ଼ି ପକାଇଲା । ବୋହୂଟା ଭିଡ଼ି ମୋଡ଼ି ହେଉଥାଏ । ପଦୀ ଆଉ ଶୁକ୍ରୀ ଦୁହେଁଯାକ ବୋହୂର ଦୁଇବାହୁ ଆଣ୍ଟ କରି ଧରି ବସିଥାନ୍ତି । ସାନ୍ତ ବୋହୂର ଯୁଡ଼ା ଫିଟାଇ ପକାଇଲେ । ଯୁଡ଼ା ଫିଟାଇବାବେଳେ ବୋହୂଟା କଡ଼ ଭିଡ଼ି ମୋଡ଼ି ହେଲା, ପଦୀ ମୁଣ୍ଡରେ ପିଠିରେ ହାତ ବୁଲାଇ ବହୁତ ହେମତ୍ ଦେଉଥାଏ । ବୋହୂଟା ଆଉ କ’ଣ କରିବ, ଯୋଡ଼ାଏ ମାଇକିନିଆ ଆଣ୍ଟ କରି ଧରିଛନ୍ତି, ପଦୀ ପିଠିରେ ହାତ ବୁଲାଇ ହେମତ୍ ଦେଉଥାଏ । ସାନ୍ତ ପାଣି କଂସାକ ମନ୍ତ୍ରି ବୋହୂ ମୁହଁ, ଘାଉଡ଼ ଜାଗା ତିନିଥର କରି ଧୋଇ ଦେଲେ । ତାହା ବାଦେ କହିଲେ, “ଏବେ ମୁଁ ଗାରିଡ଼ି ଡାକିବି, ମୋ ମୁହଁକୁ ଏକଧ୍ୟାନରେ ଚାହିଁ ରହିବାକୁ ହେବ ।”ଏଣେ ଜୀବନବିକଳ କଥା, ତେଣେ ମାଇକିନିଆ ଦୁଇଟାଙ୍କ ପାଟି- ଚାହଁ ଚାହଁ । ବଡ଼ କଷ୍ଟରେ ବୋହୂ ମୁଣ୍ଡଟାକୁ ଟିକିଏ ଓହଳାଇ ସାନ୍ତଙ୍କୁ ଏକଧ୍ୟାନରେ ଚାହିଁ ରହିଲା । ବାବୁ ଗାରିଡ଼ି ମନ୍ତ୍ର ଡାକିଲେ-

“ଅଂ କାଳନ୍ଦୀ ହ୍ରଦରେ ଥିଲା କାଳୀ,
କୃଷ୍ଣ ଗଲେ ପଦ୍ମ ତୋଳି,
କାଳୀ ଦେଲା କାମୁଡ଼ି,
ଶ୍ରୀକୃଷ୍ଣ ଗଲେ ପଡ଼ି ।
ଗରୁଡ଼ ଅଇଲା ଉଡ଼ି କରି,
ବିଷ ଗଲା ଘା’ ମୁହଁରେ ହରି ।
ଆ-ଫୁ-ଆ-ଫୁ-ଆ-ଫୁ-“

ଏହିପରି ସାତଥର ମନ୍ତ୍ର ପଢ଼ିସାରି ରୋଗିଣୀ ବେକରେ ଖଣ୍ଡେ ମନ୍ତ୍ରା ସୂତା ବାନ୍ଧିଦେଲେ । ସାନ୍ତ କହିଗଲେ, “ଚିତ୍ରା ନାଗ ସାପ ବିଷ ପାଞ୍ଚଦିନ ରହେ- ପାଞ୍ଚଦିନ ସକାଳ ସଞ୍ଜ ମନ୍ତ୍ର ଫୁଙ୍କାଯିବ ।”

ସାନ୍ତ ଦେଖିଲେ, ରୋଗିଣୀ ଦେହରୁ ଅସଲ ବିଷଟା ଢେର ଛାଡ଼ିଗଲାଣି । ମନ୍ତ୍ର ଫୁଙ୍କାବେଳେ ବୋହୂଟା ଖୁବ୍ ବଳରେ ଓଠ କାମୁଡ଼ି ରହୁଛି, ହସ ସମ୍ଭାଳି ପାରୁନାହିଁ । ପଞ୍ଚମ ଦିନ ସକାଳେ ସାନ୍ତ କହିଲେ, “ବୋହୂ ବେକରେ ଯେଉଁ ସୂତା ବନ୍ଧା ହୋଇଛି, ଶନିବାର ବଡ଼ି ସକାଳେ ଜଣେ ବିଧବା ସ୍ତ୍ରୀ ଅଧୁଆମୁହଁରେ ଡେବିରି ହାତରେ ସେ ସୂତାଛିଣ୍ଡାଇ ନେଇ ଏକମୁହାଁ ଚାଲିଯିବ, ତିନି ମାସ ତିନି ପକ୍ଷ ତିନି ଦିନ ଦେଖା ଦେବ ନାହିଁ ।”ପଦୀ ଚଞ୍ଚଳ କହି ପକାଇଲା, “ଆଉ କାହା ହାତରେ ହେବ ନାହିଁ, ମୁଁ ସୂତା ଛିଣ୍ଡାଇ ନେଇଯିବି ।”ସାନ୍ତ ତ ସେହି କଥା ଖୋଜୁଥିଲେ, ମନରେ ବଡ଼ ଖୁସି । ପଦୀ ମନରେ ବି ବଡ଼ ଆନନ୍ଦ- ଭଲ ହେଲା, ଗାଁକୁ ପଳାଇବା ଏ ସାପୁଆ ମୁଲକରେ କିଏ ରହିବ ମ ?

ମାସେ ଦୁଇମାସ ବିତିଗଲାଣି, ସ୍ତ୍ରୀ ପୁରୁଷ ଦୁଇଜଣ ଉଆସ ଭିତରେ ବସି ପଢ଼ାପଢ଼ି କରନ୍ତି । ଉଆସ ପଛ ତୋଟା ନିରୋଳ । ଦୁଇଜଣ ଫୁଲ ବଗିଚାରେ ସଞ୍ଜବେଳେ ବୁଲାବୁଲି କରନ୍ତି । ମୋହିନୀଟି ବୁଦ୍ଧିମତୀ, ଗୁଡ଼ାଏ ପଢ଼ିଗଲାଣି ।

ଦିନେ ମୋହିନୀ ହସି ହସି କହିଲା, “ହଁ ହେ, ତୁମେ ଏଡ଼େ ଦୁଷ୍ଟ ନା । ଖଣ୍ଡେ କାଗଜ, ଖଣ୍ଡେ ଡାଙ୍ଗ ପଲଙ୍କ ଚଳୁ କାଢ଼ି ଆଣିଲା- ତିନି ଆଙ୍ଗୁଳି ଅନ୍ଦାଜ ଚୌଡ଼ା, ଦେଢ଼ହାତ ଲମ୍ୱ ଖଣ୍ଡେ କାଗଜ କଳା ଆଉ ହଳଦୀରେ ଚିତ୍ର ହୋଇଛି ଏକ ପାଖ ମୁଣ୍ଡରେ ଖଣ୍ଡେ ଗେଙ୍ଗୁଟିବନ୍ଧା । ସେହି ଗେଙ୍ଗୁଟିଟା ଧରି ଫୋପାଡ଼ି ଦେଲେ କାଗଜ ଖଣ୍ଡକ ହଳହଳ ହୋଇ ସାପ ପରି ଚାଲିଯାଏ । ଆଉ ଖଣ୍ଡେ ବାଉଁଶକଣି ଆଗରେ ଗୋଟାଏ କଣ୍ଟା ବନ୍ଧା ।”ମୋହିନୀ ହସି ହସି କହିଲା, “ତୁମେ ଏଡ଼େ ଦୁଷ୍ଟ, କବାଟ କଣରୁ କାଗଜ ଖଣ୍ଡ ଫୋପାଡ଼ି ଦେଇ କଣ୍ଟାଟା ଫୁଟାଇ ଦେଲ ।”ମଦନ ବାବୁ କହିଲେ, “ହୋଇ ଲୋ ଶୁକ୍ରୀ, ୟା’ଙ୍କୁ କହିଦେଲୁ କିଆଁ ! ସାପ ଦେଖାଇଲୁ କିଆଁ !” ଶୁକ୍ରୀ ହସି ହସି ପଳାଇଲା ।

ଲୋକପ୍ରିୟ ଲେଖା

To Top