ଗଳ୍ପ

ଗଳିପଶି ଛୁ …….

Prasanta Kumar Behera's odia Story Galipashi Chhu

ବୋଧହୁଏ ସେମାନେ ସ୍ୱାମୀ ସ୍ତ୍ରୀ ଥିଲେ । ସ୍ତ୍ରୀ ଲୋକଟି ଏମିତି ଠାଣିରେ ତା ସ୍ୱାମୀକୁ ଡାକୁଥିଲା ସତେ ଯେମିତି ସେ ଟ୍ରେନ୍ ତାକୁ ଦେଖି ଡରିକି ଠିଆ ହୋଇଯିବ ।

ଗଳିପଶି ଛୁ .......

କିଛି ଲୋକ ଅଛନ୍ତି ଯାହାଙ୍କ ଅଭ୍ୟାସ ହେଉଛି ସବୁଠି ଗଳିଯିବା ବା ପଶିଯିବା । ଏ କିସମର ଲୋକମାନେ ସବୁବେଳେ ନିଜ ସ୍ୱାର୍ଥକୁ ସାଙ୍ଗରେ ଧରି ଚାଲନ୍ତି । ଏମାନଙ୍କ କାମ କେଉଁଠି ଅଟକି ଯାଏନି । ଲାଞ୍ଚ ଖୋଇବା ବା ଲାଞ୍ଚ ଖାଇବାରେ ଏମାନେ ପୁରା ମାହିର୍ । ଗଳିପଶି କାମ କରିବାରେ ଏକ୍ସପର୍ଟ । ସେମାନେ ଭଲକରି ଜାଣନ୍ତି ଚୋର ଘର ସବୁବେଳ ଅାଲୁଅ ନୁହେଁ । ଦିନେ ନା ଦିନେ ଅନ୍ଧାର ଆସିବ ହିଁ ଅସିବ । ଘରେ ବସି ଖବର କାଗଜ ପଢିଲା ବେଳେ କିମ୍ୱା ଟି.ଭି.ରେ ନ୍ୟୁଜ୍ ଦେଖିଲା ବେଳେ ଭିଜିଲାନ୍ସ ହାତରେ ଲାଞ୍ଚ ନେଉଥିବା ଅବସ୍ଥାରେ ଧରାପଡିଥିବା ଅଧିକାରୀଙ୍କ କଥା ମନଧ୍ୟାନ ଦେଇ ପଢନ୍ତି ବା ଦେଖନ୍ତି । ମନ ଭିତରେ ଶଙ୍କା ଆଶେ କାଳେ ତାଙ୍କ ପାଳି କେତେବେଳେ ପଡିଯିବ । କିନ୍ତୁ ଉପରକୁ ନିଜକୁ ଖୁବ୍ ସଚ୍ଚୋଟ ବୋଲି ପାଖ ଆଖ ଲୋକଙ୍କୁ କହି ବୁଲନ୍ତି । ପାଖ ଆଖ ଲୋକ କିନ୍ତୁ ଠିକ୍ ଜାଣିଥାନ୍ତି ସେ ଲୋକର ପ୍ରକୃତି କଣ । ଏମାନେ କିନ୍ତୁ ଖୁବ୍ ଧର୍ମ ଭିରୁ । ସବୁବେଳେ ଆଗକୁ ଆଉ ପଛକୁ ଅନାଇଁ ଡରିମରି ଥାଆନ୍ତି । ସବୁଦିନେ ଠାକୁର ମନ୍ଦିରକୁ ଯାଆନ୍ତି । ନିଜେ କରୁଥିବା ଦୁର୍ନୀତି ପାଇଁ ଠାକୁରଙ୍କୁ ବଡପାଟି କରି ଡାକନ୍ତି ସାହା ହେବାକୁ । ଦୁର୍ନୀତିରୁ ଯେଉଁ କଳାଟଙ୍କା ମିଳେ ସେଥିରୁ କିଛି ଲୋକଙ୍କୁ ଦାନଧର୍ମ ପାଇଁ ଦେଇ ଦିଅନ୍ତି । ବିଭିନ୍ନ ପୂଜା ଅର୍ଚ୍ଚନା ଘରେ ଆଉ ମନ୍ଦିରରେ କରି ଲୋକଙ୍କୁ ବିଭିନ୍ନ କିସମର ଖାଦ୍ୟ ଖାଇବାକୁ ଦିଅନ୍ତି । ରାତିରେ ବଡ ପାଟିରେ ପୁରାଣ ଭାଗବତ ବାଣୀ ଆବୃତି କରନ୍ତି । କେଉଁଠି ଯଦି ଧର୍ମାନୁଷ୍ଠାନରେ ପ୍ରବଚନ ହୁଏ ସେଠି ଯାଇ ପହଞ୍ଚି ମନଧ୍ୟାନ ଦେଇ ଧର୍ମବାଣୀ ଶୁଣନ୍ତି । ଜୀବନଟା କିଛି ନୁହେଁ ଖାଲି ମାୟା ବୋଲି ବୁଝନ୍ତି । ଭାଗବତରେ ଥିବା ତତ୍ୱ– ପ୍ରାଣିର ଭଲମନ୍ଦ ବାଣି ମରଣ କାଳେ ତାହା ଜାଣି — ଏକଥା ଶୁଣି ତାଙ୍କ ମନ ଭିତରେ ଗଭୀର ପ୍ରଭାବ ପଡେ । ଜାଣିପାରନ୍ତି କି ଅର୍ଜିଥିବା ଧର୍ମ ବା ପୂଣ୍ୟ ହିଁ କେବଳ ମଣୁଷକୁ ଅମର କରେ । ସେଇ ମହାନ୍ ବ୍ୟକ୍ତି ମାନଙ୍କୁ ଲୋକ ମାନେ ଝୁରନ୍ତି । କୁହନ୍ତି “ଆହା ଭଲ ଲୋକଟା ଚାଲିଗଲା ।”

ଏ ଗଳାପଶା ଲୋକମାନେ ମୋହ ମାୟାରେ ଘାଣ୍ଟି ଚକଟି ହେଉଛନ୍ତି ବୋଲି ବୁଝି ଯାନ୍ତି । ସତରେ ଏ ଜୀବନରେ କଣ ଅଛି ? ଆଜି ଅଛି କାଲିକି ନାହିଁ । ଜୀବନ ସାରା କମେଇଥିବା ଧନ କିଛି ବି ସାଙ୍ଗରେ ନେଇ ହେବନି । ଯଦିବା ନେଇ ହେଉଥାନ୍ତା ମଲାପରେ ଘର ଲୋକମାନେ ଦେବାର କୌଣସି ଚାନ୍ସ୍ ଉଠୁନି । ଯେମିତି ଏକା ଆସିଥିଲା ସେମିତି ଏକା ଯିବା ଫାଇନାଲ୍ ବୋଲି ଜାଣିପାରି ଆଉ ଦୁର୍ନୀତି କି ପାପ କର୍ମ କରିବନି ବୋଲି ଶପଥ କରିବାକୁ ସେତେବେଳେ ପଛାନ୍ତି ନାହିଁ । କିନ୍ତୁ ତା ପରଦିନ ଯେଉଁକଥା କୁ ସେହିକଥା । ରାତ୍ ଗୟେ ବାତ୍ ଗୟେ । ପୁଣି ସେଇ ଦୁର୍ନୀତିରେ ବୁଡିଯାଆନ୍ତି ।

ଏବେ ଆଇନ୍ ହୋଇଛି ଲାଞ୍ଚ ଦେଲା ବାଲା ଆଉ ଲାଞ୍ଚ ନେଲା ବାଲା ଉଭୟ ସମାନ ଭାବରେ ଦୋଶି । କିନ୍ତୁ ଆଇନ୍ ତା ବାଟରେ ଥିବା ବେଳେ ଲାଞ୍ଚ କାରବାର କମିଛି ବୋଲି କହିବା ଆଦୌ ଠିକ୍ ନୁହେଁ । ଲାଞ୍ଚୁଆ ଲାଞ୍ଚ ନେଇ ଧରାପଡିବା ସବୁଦିନେ ଏ ଖବର ଆସୁଛି । ଏହା ନିଶ୍ଚିତ ଯେ ଯେତିକି ଧରା ପଡୁଛନ୍ତି ତା’ ଠାରୁ ବହୁତ ଅଧିକ ଲାଞ୍ଚୁଆ ଆଇନର ଆଖି ଅଢୁଆଳରେ ରହି ଯାଉଛନ୍ତି । ଅଳ୍ପ କେଇଜଣ ହାତ ଗଣତି ନିତିନିଷ୍ଠ ଭଲ ଅଧିକାରୀ ଓ ସାଧାରଣ ଲୋକଙ୍କୁ ଛାଡିଦେଲେ ଅନ୍ୟମାନେ ସମସ୍ତେ ସେଇ ଗଳାପଶା ବାଟ ଆପଣେଇଥାନ୍ତି । ସବୁଆଡେ ପିସି କାରବାର ହେବାର ଅଭିଯୋଗ ଉଠେ । ଲୋକମାନେ ବି ମାରିନେବା ଚକ୍କରରେ ଠେଲାପେଲା ହୋଇ ହାତ ଗୁଞ୍ଜା ଦେଇ ଅଗତୁରା କାମ ହାସଲ୍ କରିନିଅନ୍ତି । କାମ ହାସଲ ହୋଇ ସାରିବା ପରେ ମନକୁ ମନ କୁହନ୍ତି , “ନଉ ପଛେ କିନ୍ତୁ କାମଟା କରିଦେଲା ।” କିନ୍ତୁ ସେମାନେ ଭୁଲି ଯାଆନ୍ତି ଯେ ସେଇ କାମ କରିବାକୁ ଲାଞ୍ଚୁଆ ଅଧିକାରୀ ମାନେ ସରକାରଙ୍କ ଠାରୁ ମୋଟା ଅଙ୍କର ଦରମା ପାଇଥାନ୍ତି । ଯେଉଁ ପର୍ଯ୍ୟନ୍ତ ସାଧାରଣ ମଣିଷ ସଚେତନ ନ ହୋଇଛନ୍ତି ଏ ସମାଜରେ ଏମିତି ଗଳାପଶା ଚାଳିଥିବ । କୌଣସି ଆଇନ୍ କିଛି ବି ପରିବର୍ତ୍ତନ କରି ପରିବନି ।

—————————– ୨ ———————————-

ଟ୍ରେନ୍ ଆସିବା ପୂର୍ବରୁ ଫାଟକ ପଡିଗଲା । ଏହାହିଁ ସ୍ୱାଭାବିକ ନିୟମ । କିଛି ସମୟ ମଧ୍ୟରେ ପଡିଥିବା ଫାଟକର ଉଭୟ ପାଶ୍ୱରେ ଗାଡି ମଟର ସବୁର ଭିଡ ଜମେ । ସେଠି ଟ୍ରେନ୍ ଗତି ଠାରୁ ଅଧିକ ବେଗରେ ଅହରହ ଦୌଡୁଥିବା ମଣିଷ ମାନେ ଅପେକ୍ଷାରେ ରହିବାକୁ ବାଧ୍ୟ ହୁଅନ୍ତି । ଟ୍ରେନ୍ ଯିବାପରେ ପୁଣି ତାଙ୍କ ଜୀବନ ରସ୍ତାରେ ଖୀପ୍ର ବେଗରେ କିଏ କୁଆଡେ ଦୌଡିବେ ।

କିନ୍ତୁ କିଛି ଲୋକ ଏମିତି ଥାନ୍ତି ଯିଏକି ତାଙ୍କ ଜୀବନରେ କେବଳ ଦୌଡିବା ଶିଖିଥାନ୍ତି । କେଉଁଠି ଅପେକ୍ଷାରେ ରହିବା ବୋଧେ ସେମାନଙ୍କ ଜାତକରେ ନଥାଏ । ଟ୍ରେନ୍ ପାଖେଇ ଅସିବାର ସଙ୍କେତ ଭାବରେ ସାଉଣ୍ତ୍ ଶୁଭୁଥାଏ । ସେଠି ଯେତେଜଣ ଥିଲେ ତାଙ୍କ ଭିତରେ ଆମେ ବାପ ପୁଅ ବାଇକ୍ ସହିତ ଅପେକ୍ଷାରେ ଥିଲୁ ।

ଆଗ ଗୋଟେ ସାଇକେଲ୍ ବାଲା ସହିତ ସ୍ତ୍ରୀ ଲୋକଟିଏ ଫାଟକ ତଳେ ପଶି ପଳାଇଲେ । ତାପରେ ହଠାତ୍ ଆଉ ଗୋଟେ ସ୍ତ୍ରୀଲୋକ ଫାଟକ ଭିତରେ ଗଳିକି ପଶି ଯାଇ ଫଛକୁ ବୁଲିପଡି ଜଣଙ୍କୁ ଇଂଗିତ କରି କହିଲା, “ଆସ ! ପଶି ଆସ ।”

ବୋଧହୁଏ ସେମାନେ ସ୍ୱାମୀ ସ୍ତ୍ରୀ ଥିଲେ । ସ୍ତ୍ରୀ ଲୋକଟି ଏମିତି ଠାଣିରେ ତା ସ୍ୱାମୀକୁ ଡାକୁଥିଲା ସତେ ଯେମିତି ସେ ଟ୍ରେନ୍ ତାକୁ ଦେଖି ଡରିକି ଠିଆ ହୋଇଯିବ ।

ତା’ କଥା ମୁତାବକ୍ ପୁରୁଷଟିଏ ବି ମଟର ସାଇକଲ୍ ସହ ନିଜେ ଗେଟ୍ ତଳେ ପେଟେଇ ପଡି ଭିତରକୁ ପଶିଗଲା । ମୁଣ୍ତରେ ହେଲମେଟ୍ ଥିବାରୁ ସ୍ତ୍ରୀ କଥାରେ ସାହସ କରି ଗେଟ୍ ତଳେ ପେଟେଇ ପଡ଼ି ଟ୍ରେନ୍ ଆଗକୁ ଚାଲିଲା । ସେ ସ୍ତ୍ରୀ ଲୋକଟି ସେମିତି ଠିଆ ହୋଇ ତା ସ୍ୱାମୀକୁ ରେଳ ଧାରଣା ପାରି ହେବା ପର୍ଯ୍ୟନ୍ତ ଅପେକ୍ଷା କଲା । ତା’ ହାବ ଭାବରୁ ଏମିତି ଲାଗୁଥିଲା, ଯଦି ଟ୍ରେନ୍ ଆସିଯିବ ତାହେଲେ ସେ ସାମ୍ନାରେ ରହି ମୁକାବିଲା କରିବ । ତା ସ୍ୱାମୀ କିନ୍ତୁ ନିରାପଦରେ ଆଗ ପାଶ୍ କରିଯାଉ । ଯଦି ଟ୍ରେନ୍ ଆସି କିଛି ଅଘଟଣ ଘଟିଗଲା ତାହେଲେ ସେ ତା’ ଶଙ୍ଖା ସିନ୍ଦୁର ସହ ସ୍ୱର୍ଗକୁ ଯିବାରେ କିଛି ଅସୁବିଧା ନାହିଁ ।

ତାଙ୍କ ପରେ ପରେ ଆଉ ଗୋଟେ ଲୋକ ସେମିତି ହେଲମେଟ୍ ପିନ୍ଧି ଗେଟ୍ ତଲେ ପଶି ଚାଲିଗଲା । କିଛି ଲୋକ ଏମିତି ଗଳିପଶି ରେଳ ଧାରଣା ପାରି ହେବା ମୁଁ ପ୍ରାୟ ଦେଖେ । ମୋ ପୁଅ ସୋନୁ ପାଇଁ କିନ୍ତୁ ଏ ଘଟଣା ପୁରା ନୂଆ ଥିଲା । ସେ ଆଶ୍ଚର୍ଯ୍ୟ ହୋଇ ମୋତେ ପଚାରିଲା, “ଏମାନେ କଣ ଏମିତି ଗଳିକି ପଳାଉଛନ୍ତି ?”

ମୁଁ ମଜାରେ କହିଲି, “ବହୁତ ଜରୁରୀ କାମ ଥିବ ନିଶ୍ଚେ । ତାପରେ ମୁଣ୍ତରେ ହେଲମେଟ୍ ଅଛି ମାନେ ଟ୍ରେନ୍ ସେମାନଙ୍କର କିଛି କରି ପାରିବନି ।”

ସେ ମୋ ଉତ୍ତରରେ ହସି ଉଠି କହିଲା, “ସ୍ତ୍ରୀ ଲୋକ ମାନେ ତ ହେଲମେଟ୍ ପିନ୍ଧି ନାହାନ୍ତି, ସେମାନେ ତାହେଲେ କେମିତି ଯାଉଛନ୍ତି ?”

ମୁଁ କହିଲି, “ପୁରୁଷର ହେଲମେଟ୍ ପିନ୍ଧା ମୁଣ୍ତ ଯେତିକି ଟାଣ, ନାରୀର ମୁଣ୍ତ ବିନା ହେଲମେଟ୍ ରେ ସେତିକି ଶକ୍ତ । ତେଣୁ ସେମାନଙ୍କର ବି ଟ୍ରେନ୍ କିଛି କରିପାରିବନି ।”

ମୋ କଥାରେ ସୋନୁ ହସୁଥାଏ । ମୁଁ କିନ୍ତୁ ଭାବୁଥାଏ ଟ୍ରେନ୍ ଫାଟକ ତଳେ ଗଳି ଯାଉଥିବା ଏଇ ଲୋକମାନେ ଜୀବନକୁ ପାଣି ଛଡାଇ ବିପନ୍ନ କରି ରୋମାଞ୍ଚିତ ହେବାର ସୁନ୍ଦର ସ୍ୱାଦ ନେଉଥିବେ । ଶିକାର ନିଜେ ଆସି ଫାସରେ ପଡୁଛି ବୋଲି ଯମ ବି ଅଳ୍ପ ଦୂରରୁ ଥାଇ ଖୁସିରେ ଏଇ ଗଳାପଶା ଲୋକମାନଙ୍କୁ ଦେଖୁଥିବ ।

ଏ କିସମର ଗଳାପଶା ଲୋକମାନେ କେବେ ସଚେତନ ହେଉଛନ୍ତି ଦେଖାଯାଉ ?

ଲୋକପ୍ରିୟ ଲେଖା

To Top