ଗଳ୍ପ

ଗଣତନ୍ତ୍ର

Gaurahari Das's Odia Story GANATANTRA

ଆପଣଙ୍କ ପାଇଁ ଦିନର ଚବିଶ ଘଣ୍ଟା ମୋ ଦରଜା ଖୋଲା ରହିବ । ଯାହା ସମସ୍ୟା ଆସିବ ମୋତେ କହିବେ, ମୁଁ ତା’ର ସମାଧାନ କରିବି ।

ଗଣତନ୍ତ୍ର

ରମେଶ ଏମ୍.ଏଲ୍.ଏ.ଙ୍କ ଘର ଆଗରେ ଅପେକ୍ଷା କରୁଥିଲା । ଗଲା ଚାରିଦିନ ହେଲା, ସକାଳୁ ଉଠିପଡ଼ି ସେ ଏଠିକି ଆସୁଛି ଏବଂ ଅଫିସ୍ ଯିବା ସମୟ ହେଇଗଲେ ଏଠୁ ଫେରିଯାଉଛି । ଏମ୍.ଏଲ୍.ଏ.ଙ୍କ ସାଙ୍ଗରେ ଦେଖା ହୋଇପାରୁନାହିଁ । ଆଜି ବି ଏଠି ଅପେକ୍ଷା କରିବାର ଅଢ଼େଇଘଣ୍ଟା ବିତିଗଲାଣି । ଦେଖା ହେବ କି ନାହିଁ, କିଏ ଜାଣେ ? ଗଲା ମାର୍ଚ୍ଚ ମାସ ନିର୍ବାଚନବେଳେ ଏମ୍.ଏଲ୍.ଏ. ତା’ ଘର ପାଖେ ସଭା କରିଥିଲେ । ତା’ ଝିଅ ହାତରୁ ଦହି ସରବତ ପିଇଥିଲେ । ରମେଶକୁ ଆଲିଙ୍ଗନ କରି କହିଥିଲେ, “ଆପଣଙ୍କ ପାଇଁ ଦିନର ଚବିଶ ଘଣ୍ଟା ମୋ ଦରଜା ଖୋଲା ରହିବ । ଯାହା ସମସ୍ୟା ଆସିବ ମୋତେ କହିବେ, ମୁଁ ତା’ର ସମାଧାନ କରିବି ।” ସେକଥା ମନେ ପକେଇ ରମେଶ ମନକୁ ମନ ହସିଲା । ସତକଥା, ଏମ୍.ଏଲ୍.ଏ.ଙ୍କ ଦରଜା ଚବିଶ ଘଣ୍ଟା ଖୋଲା ଅଛି । କିନ୍ତୁ ବନ୍ଦ ଦରଜାଠାରୁ ଆହୁରି ନିର୍ମମ । ତୁମେ ଦେଖୁଥିବ, ଲୋକେ ଯାଉଛନ୍ତି ପୁଣି ଲୋକେ ଆସୁଛନ୍ତି, କିନ୍ତୁ ତୁମେ ଯାଇପାରୁନଥିବ । ପୁଣି ଗଲେ ବି କ’ଣ କରିବ, ଏମ୍.ଏଲ୍.ଏ.ଙ୍କ ଚାରିପାଖେ ସବୁବେଳେ କୋଡ଼ିଏ ବାଇଶ ଲୋକ ଘେରି ରହିଥିବେ । ସେମିତି ଗୋଟେ ମେଳାରେ କ’ଣ କିଛି କହିହେବ । ପାଞ୍ଚ ସାତ ମିନିଟ୍ ନିରୋଳା ସମୟ ମିଳିଲେ ହୁଏତ ସେ ତା’ ସମସ୍ୟାର କଥା କହନ୍ତା । ଥରେ ଏମ୍.ଏଲ୍.ଏ.ଙ୍କ କାନରେ ପଡ଼ିଗଲେ ଏ ଛୋଟିଆ ସମସ୍ୟାଟିର ସମାଧାନ ହୋଇଯାଆନ୍ତା, ଏ ବିଶ୍ୱାସ ତା’ର ଅଛି ।

ରମେଶ ଗୋଟେ କଦମ୍ୱ ଗଛକୁ ଢିରା ଦେଇ ଛିଡ଼ା ହେଲା । ଘଣ୍ଟାଏ କାଳ ଗୋଟିଏ ଜାଗାରେ ଛିଡ଼ା ହୋଇ ତା’ ଗୋଡ଼ ଥକି ପଡ଼ିଥିଲା । ଏତିକିବେଳେ ତା’ର ପାଟପୁର ଥାନାର ମଙ୍ଗୁଳିବାବୁ ସବ୍ଇନିସ୍ପେକ୍ଟର କଥା ମନେପଡ଼ିଲା । ଲୋକଟା ଏଡ଼େ ଲାଞ୍ଚୁଆ ବୋଲି ରମେଶ କେବେ ଭାବି ନଥିଲା । ସେଦିନ ଭାରି ମୁହଁ ତୋଡ଼ ଦେଖଉଥିଲା, ଏମିତି କରିଦେବି, ସେମିତି କରିବି, ସେଗୁଡ଼ାକୁ ବାନ୍ଧି ଆଣି ହାଜତ୍ ଭିତରେ ପୁରେଇ ଦେବି । କିନ୍ତୁ କ’ଣ ହେଲା କେଜାଣି, ଏବେ ଗଦ ଶୁଙ୍ଘିଲା ପରି ବସି ରହୁଛି । ଯେତେ ଯାହା କହିଲେ ବି କିଛି ଶୁଣୁ ନାହିଁ । ସେଦିନ କୃଷ୍ଣ ମଙ୍ଗରାଜ ନିଜ ଆଡୁ କହି ନଥିଲେ ରମେଶ ନିଜେ ଜାଣିପାରି ନଥାନ୍ତା ଯେ ମଙ୍ଗୁଳିବାବୁଟା ଏଡ଼େ ଲାଞ୍ଚୁଆ । ଏବେ ରମେଶ ଅନୁତାପ କରୁଥିଲା ଯେ କାହିଁକି ସେ ବିଶ୍ୱାସ କରି ମଙ୍ଗୁଳିବାବୁକୁ ସବୁକଥା କହିଦେଲା !

ଭୁବନେଶ୍ୱର-ଖୋର୍ଦ୍ଧା ମଝିରେ ପାଟପୁର ହାଉସିଂ କଲୋନି । ରାଜପଥ ସେପଟେ ପାଟପୁର ଗାଁ, ଏପଟେ ପାଟପୁର ହାଉସିଂ କଲୋନି । ଏଇ କଲୋନିରେ ସାତଶହରୁ ଅଧିକ ଘର ହେବ । ଅଶୀ ମସିହାରେ, ଏଇ କଲୋନିଟି ନୂଆ ଗଢ଼ି ଉଠିବା ବେଳେ ଏଠି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକମାନଙ୍କୁ ଘର ମିଳିଥିଲା । ମାତ୍ର ଏହା ଭିତରେ କଲୋନିର କାୟାବଦଳ ହୋଇସାରିଛି । ଯେଉଁମାନେ ଘର ପାଇଥିଲେ ସେମାନଙ୍କ ଭିତରୁ ଅଧିକାଂଶ ଏହା ଭିତରେ ସେଗୁଡ଼ାକ ବିକି ଅନ୍ୟ ଆଡ଼କୁ ଚାଲିଗଲେଣି । ଗରିବ, ଦୁର୍ବଳ, ଅଳ୍ପ ଦରମା ପାଉଥିବା କିରାଣି ଏବଂ ଛୋଟ ବ୍ୟବସାୟୀ ପ୍ରାୟ ଆଉ କେହି ନାହାନ୍ତି । ତାଙ୍କ ଘରଗୁଡ଼ାକ କିଣି ନେଇଛନ୍ତି ଠିକାଦାର, ବଡ଼ ଅଫିସର ଏବଂ ଧନୀ ରାଜନେତା । ପୁରୁଣା ଘରଗୁଡ଼ାକ ସମ୍ପୂର୍ଣ୍ଣ ଭାଙ୍ଗିଦେଇ ସେଇ ଜାଗାରେ ସୁନ୍ଦର ସୁନ୍ଦର କୋଠାଘର ତିଆରି ହୋଇଛି । ପାଟପୁର କଲୋନି ଭିତରେ ପୁଣି ଏବେ ଚାରିଟା ବହୁତଳ ଆପାର୍ଟମେଣ୍ଟ୍ । ଯେଉଁ କେତୋଟି ସାନ ସାନ ପରିବାର ଅଛନ୍ତି, ସେମାନେ ଯେ ଧୀରେ ଧୀରେ ଏଠୁ ଉଠି ଯିବେ- ତାହାର ଲକ୍ଷଣ ଦେଖାଗଲାଣି ।

ଗଲା ରବିବାର ରାତି କଥା ମନେପଡ଼ି ରମେଶକୁ ଭୟ ଲାଗୁଥିଲା । ରାତି ପ୍ରାୟ ସାଢ଼େ ବାରଟା କି ଗୋଟାଏ ହେବ । ତା’ ଘର ଗେଟ୍‌କୁ କେତେଜଣ ଆସି ବାଡ଼େଇଥିଲେ । ଧଡ୍‌ଧଡ୍‌ ଶବ୍ଦ ଶୁଣି ସେ ଉଠିପଡ଼ିଲା । ସ୍ତ୍ରୀକୁ ପଚାରିଲା, “ଏତେ ରାତିରେ କିଏ ଗେଟ୍ ବାଡ଼ଉଛି ? ” ସ୍ତ୍ରୀ ନିଦରୁ ଉଠିଥିଲା ଏବଂ ଆଶ୍ଚର୍ଯ୍ୟ ହୋଇଥିଲା । ତା’ ପାଖରେ ଏହାର କୌଣସି ଜବାବ୍ ନ ଥିଲା । ଖଡ଼ଖଡ଼ ଶବ୍ଦ ଶୁଣି ଝିଅ ବି ଉଠି ପଡ଼ିଥିଲା । ସିଏ ବି ଆଶ୍ଚର୍ଯ୍ୟ ।

ରମେଶ ଦେହରେ ଜାମାଟେ ଗଳେଇ ଗେଟ୍ ପାଖକୁ ଆସିଲାବେଳକୁ କଲୋନିର ବିଜୁଳି ଲାଇନ୍ କଟିଗଲା । ଚାରିଆଡ଼େ ଅନ୍ଧାର । ସିଏ ସେଇ ଅନ୍ଧାର ଭିତରେ ପଚାରିଲା, “କ’ଣ ହେଇଛି ? କିଏ ଗେଟ୍ ବାଡ଼ଉଛି ?”

କେହି ଜଣେ ରମେଶର ମୁହଁ ଉପରେ ମୋବାଇଲ୍ ଫୋନ୍ ଆଲୁଅ ପକେଇଲା । ରମେଶ ହାତପାପୁଲିରେ ମୁହଁ ଘୋଡ଼େଇ ପଚାରିଲା, “ମୋ ମୁହଁଟାକୁ କାହିଁକି ଟର୍ଚ୍ଚ ପକଉଛ ?”

: “ତମକୁ ଚିହ୍ନିବାକୁ ଆଲୁଅ ପକଉଛୁ ପରା । ଭାଇର ମୁହଁଟା କେମିତି ଦିଶୁଛି ଟିକେ ଦେଖିବା ।” ଘଡ଼ଘଡ଼ିଆ ଗଳାରେ ଜଣେ ଜବାବ୍ ଦେଇଥିଲା ।

ତା’ କଥା ନ ସରୁଣୁ ଅନ୍ୟମାନେ ହସିଥିଲେ ।

ରମେଶକୁ ଭୀଷଣ ଅପମାନ ଲାଗୁଥିଲା । ସିଏ ଜାଣିପାରୁଥିଲା ଯେ ଏମାନେ ତା’ ଘର ପାଖରେ ଭୋଜି କରୁଥିବା ମା’ କାଳୀ ଯୁବକ ସଂଘର ସଦସ୍ୟ । ସେ ପଚାରିଲା, “ମୋ ପାଖରେ କ’ଣ କାମ ? ପୁଣି ଏତେ ରାତିରେ ?”

: “ଆମେ ଖାଇବା ଲାଗି ପତ୍ର ପକଉଥିଲୁ । ତୁମ କଥା ମନେ ପଡ଼ିଲା । ଆସୁନ, ଆମ ସାଙ୍ଗେ ଟିକେ ବସିବ । ଅନୁଗୁଳରୁ ଖାସି ଆଣିଥିଲୁ । ତମକୁ ଚାନ୍ଦାଫାନ୍ଦା ମାଗିବୁ ନାହିଁ ବା !” – ଆଗରେ ଥିବା ଲୋକଟି କହିଲା । ତା’ କଥା ସରୁ ନ ସରୁଣୁ ଅନ୍ୟମାନେ ହସି ଉଠିଲେ । ଅନ୍ଧାର ଭିତରେ ସେମାନଙ୍କର ହସ ବଡ଼ ଭୟଙ୍କର ଶୁଭୁଥିଲା ।

: “ମୁଁ ଖାଇସାରିଛି । ତୁମେମାନେ ଯାଅ- ସକାଳକୁ କଥା ହେବା ।”

: “ମଙ୍ଗୁଳିବାବୁ ପରା ଅପେକ୍ଷା କରିଛି । ଭାଇ ନ ଗଲେ ସିଏ ଖାଇବ ନାହିଁ । ଭାରି ଭାତୃଭକ୍ତ ।”

ତା’ପରେ ପୁଣି କିସ୍ତିଏ ହସ ।

ରମେଶ ଚମକି ପଡ଼ିଥିଲା । ପଚାରିଥିଲା, “ମଙ୍ଗୁଳିବାବୁ, କୋଉ ମଙ୍ଗୁଳିବାବୁ ?”

ଲୋକଟି କହିଲା, “ଆହା, ଭାଇକୁ ଭୁଲିଗଲ । ଆମ ସବ୍ଇନିସ୍ପେକ୍ଟର ମଙ୍ଗୁଳିବାବୁ । ସିଏ ଅପେକ୍ଷା କରିଛନ୍ତି । ତମେ ଗଲେ ଯାଇ ସିଏ ଖାଇବା ପାଖରେ ବସିବେ ।”

ରମେଶ ଗଳା ନରମ କଲା । ସେ ଜାଣିପାରୁଥିଲା ସେ ମଙ୍ଗୁଳିବାବୁ ଏମାନେଙ୍କୁ ସବୁ କଥା କହିଦେଇଥିବ । ଲୋକଟାକୁ ଏତେ ବିଶ୍ୱାସ କରିବା ତା’ପକ୍ଷେ ଉଚିତ୍ ହୋଇନାହିଁ । କିନ୍ତୁ ଏବେ ଆଉ କ’ଣ କରାଯାଏ ? ସିଏ କହିଲା, “ଆଗରୁ କହିଥିଲେ ଯାହା ହୋଇଥାନ୍ତା, ମୁଁ ଖାଇ ସାରିଛି । ତୁମେମାନେ ଯାଅ ।”

: “ଆମେ ଯିବୁ । ହଉ । କିନ୍ତୁ ତମେ ଫେର୍ ମଝିରୁ ଆମ ପତର ଝିଙ୍କି ନେବ ନାହିଁ ତ ?” – ଲୋକଟି ହସି ହସି ପଚାରୁଥିଲା ।

ରମେଶ କହିଲା, “କି କଥା କହୁଛ ! ମୁଁ ସେମିତିକା ଲୋକ ନୁହେଁ । କାହା ପତର ମୁଁ କାହିଁକି ଝିଙ୍କିବି ?”

: ହଉ, ଚାଲରେ ! ଭାଇ ଆମର ଭଲଲୋକ । ଛୁଆପିଲା ନେଇ ରହୁଛନ୍ତି । ସିଏ କାହିଁକି କାହା ଖାଇବା ପତର ଝିଙ୍କିବେ ? ଚାଲ, ଚାଲ !”

ଯୁବକ ସଂଘର ଟୋକାମାନେ ଚାଲିଗଲେ ।

ତା’ପରେ

ଲୋକପ୍ରିୟ ଲେଖା

To Top