ଗଳ୍ପ

ଗଣତନ୍ତ୍ର

Gaurahari Das's Odia Story GANATANTRA

ମାତ୍ର ଆମର ଏ ଦେଶ ଗଣତନ୍ତ୍ର । ଏଠି ଗୋଟେ ଘୋଡ଼ାଠାରୁ ଦିଇଟି ଗଧଙ୍କର ମୂଲ୍ୟ ବେଶି । କାରଣ ଗୋଟେ ଘୋଡ଼ାର ଗୋଟିଏ ଭୋଟ୍, ଯୋଡ଼େ ଗଧଙ୍କର ଦିଇଟି ଭୋଟ୍ । କ’ଣ ମୁଁ ଭୁଲ୍ କହୁଛି ?

ଗଣତନ୍ତ୍ର

-: ପୂର୍ବରୁ :-

ଗଲା ମାସ ଶେଷ ସୋମବାର ସକାଳେ, ସ୍କୁଲର ଶିକ୍ଷକ ଦେବରାଜ ମହାନ୍ତି ରମେଶକୁ ଡାକି ନେଇ ଦେଖେଇ ଥିଲେ । ସ୍କୁଲ ପଛପଟେ ଦିଇଟା ବଡ଼ ମଦ ବୋତଲ ପଡ଼ିଥିଲା । ତା’ ସାଙ୍ଗରେ ସିଗାରେଟ୍ ଖୋଳ, କୁକୁଡ଼ା ହାଡ଼ ଏବଂ ଅଇଁଠା କଦଳୀପତ୍ର । ଦେବରାଜ ମହାନ୍ତି କହିଥିଲେ, “ଆଉ ପାରୁନାହିଁ ରମେଶବାବୁ, ପ୍ରତିଦିନ ସକାଳୁ ଆସି କିଏ ଏସବୁ ସଫା କରିବ ? ଏଣେ ସଫା ନ କଲେ ସମସ୍ୟା । ସାନ ସାନ ପିଲାଗୁଡ଼ିକ ଆସି ଏସବୁ ଦେଖିଲେ ତାଙ୍କ ଉପରେ ଭଲ ପ୍ରଭାବ ପଡ଼ିବ ନାହିଁ । ମୁଁ ଏକଥା କଲୋନିର ମୁଖିଆମାନଙ୍କୁ ଦି’ତିନିଥର ଲେଖାଏଁ କହିଲିଣି । ସମସ୍ତେ ଶୁଣୁଛନ୍ତି, କେହି କିଛି କହୁନାହାନ୍ତି । ପ୍ରତ୍ୟେକ ଭାବୁଛନ୍ତି ଇଏ ଅନ୍ୟ କାହାର କାମ । କ’ଣ କରିବି ? ଶିକ୍ଷାନୁଷ୍ଠାନରେ ଏ ଧରଣର ଲୀଳା ମୋର ବରଦାସ୍ତ ହେଉନାହିଁ ।”

ରମେଶ ଏସବୁରେ ନିଜେ ଭୁକ୍ତଭୋଗୀ ଥିଲା । ତେବେ ଶିକ୍ଷକଜଣଙ୍କ ଠାରୁ ସବୁକଥା ଶୁଣିଲା ପରେ ତା’ର ରାଗ ଆହୁରି ବଢ଼ିଯାଇଥିଲା । କଲୋନିର ଲୋକମାନଙ୍କ ନିଷ୍କ୍ରିୟତାକୁ ସେ ବୁଝିପାରୁ ନଥିଲା । ଏଇଟା ଗୋଟେ ହିଞ୍ଜିଡ଼ା ବସ୍ତି- ତାକୁ ସେହିପରି ଲାଗୁଥିଲା । ସେ କୋଠାଘର, ଗାଡ଼ି-ମଟର ଓ ଥାଟପାଟର ଅର୍ଥ କ’ଣ- ଯଦି ଅନ୍ୟାୟକୁ ଅନ୍ୟାୟ ଏବଂ ନ୍ୟାୟକୁ ନ୍ୟାୟ ବୋଲି କହିବାକୁ ଡର ମାଡୁଛି- ସେ ମନକୁ ମନ ପଚାରିଥିଲା ।

ଦେବରାଜ ମହାନ୍ତି କହିଥିଲେ, “ଆପଣା ଟିକେ କାହାକୁ କହନ୍ତୁ । ମୋର ବିଶ୍ୱାସ ହେଉଛି, ଆପଣ ଚେଷ୍ଟା କଲେ କିଛି ଗୋଟେ ହେବ । ତା’ ନ ହେଲେ ଏଇଟା ଗୋଟେ ହୋଟେଲ୍ ହୋଇଯିବ, ଆଉ ସ୍କୁଲ୍ ହୋଇ ରହିବ ନାହିଁ ।”

ରମେଶକୁ ଏ କଥାଗୁଡ଼ାକ ଭାରି କଷ୍ଟ ଦେଇଥିଲା । ସିଏ ନିଜେ ଦେଖିଛି, ଦିନେ ଦିନେ ରାତି ଗୋଟାଏ ପର୍ଯ୍ୟନ୍ତ ଭୋଜି ଚାଲୁଥିଲା । ଥରେ ରାତି ଦଶଟା ପାଖାପାଖି ଭୋଜି କରୁଥିବା ଟୋକାଙ୍କ ଭିତରେ କିଛି ଗୋଟେ କଥାକୁ ନେଇ ଫୌଜଦାରୀ ଆରମ୍ଭ ହୋଇଯାଇଥିଲା, ତା’ପରେ ଅଭଦ୍ର ଭାଷାରେ ଗାଳିଗୁଲଜ, ଦଉଡ଼ାଦଉଡ଼ି, ଢେଲା ଓ ବୋତଲ ମାଡ଼ । ମା’, ଭଉଣୀ ଓ ବାପ-ଭାଇଙ୍କୁ ନେଇ ଅଶ୍ଳୀଳ ଗାଳିଗୁଲଜ ଚାଲିଥିଲା । ରମେଶ ମନେ ମନେ ଖୁସି ହୋଇଥିଲା । ତା’ ସ୍ତ୍ରୀ କହିଥିଲା, “ଏସବୁ ମଦର ପ୍ରଭାବ ।” ତେବେ ରମେଶ ଖୁସି ହେବାର ଭିନ୍ନ କାରଣ ଥିଲା । ଏମିତି ଗଣ୍ଡଗୋଳ ଲାଗି ସେମାନଙ୍କ ସଂଘ ଭିତରେ ଫାଟ ସୃଷ୍ଟି ହେଲେ ଅନ୍ତତଃ ଭୋଜିଭାତ ଏବେଠୁ ବନ୍ଦ ହୋଇଯିବ । ସେ ଏଇକଥା ଭାବି ରାତିରେ ଶୋଇବା ଲାଗି ଯାଇଥିଲା । ରାତି ଗୋଟାଏ ବେଳେ, ପରିସ୍ରା କରିବା ଲାଗି ଉଠିବା ବେଳେ ଦେଖିଲା, ଯୁବକ ସଂଘର ଟୋକାମାନେ ଶାନ୍ତିରେ ବସି ଖାଉଛନ୍ତି । ସମସ୍ତେ ସମସ୍ତଙ୍କୁ ବୁଝଉଛନ୍ତି ଏବଂ ନିଶା ପ୍ରଭାବରେ କଥା ହୁଡ଼ିଥିବା ସଫେଇ ଦେଉଛନ୍ତି । ସେମାନଙ୍କ କଳି ତୁଟି ଯାଇଛି ।

ଦେବରାଜ ମହାନ୍ତି ସେଦିନ କହୁଥିଲେ, “ଏଇ ଜାଗାଟି ବର୍ତ୍ତମାନ ନାନା ପ୍ରକାର ଅସାମାଜିକ କାର୍ଯ୍ୟର ଯୋଗାଯୋଗ କେନ୍ଦ୍ର ହୋଇଛି । ରାତିରେ ଏଠିକି ଆସି ଧନୀ ଲୋକଙ୍କ ଗାଡ଼ି ଲାଗୁଛି । ଏଇଠାରୁ ଟୋକାମାନେ ମାଡ଼ଗୋଳ କରିବା ଲାଗି ଅଲଗା ଜାଗାକୁ ଯାଉଛନ୍ତି । ଏଠି ମଦ, ଗେଞ୍ଜଇ ବେପାର ଚାଲିଛି । ରାତିଅଧରେ, ପାଚେରି କଡ଼କୁ ଗରାଖ ଆସି ସେସବୁ ଜିନିଷ ଏଠୁ କିଣି ନେଉଛନ୍ତି । ଜାଗାଟା ଏକପାଖିଆ ହୋଇଥିବାରୁ ଏସବୁ କାରବାର ଲାଗି ସୁବିଧା ହେଉଛି । ଭୋଜିଭାତ ଖାଲି ଗୋଟେ ବାହାନା । ଅସଲ କାରବାର ଟେଣ୍ଡର୍ ଫିକ୍ସିଂ, ଦଲାଲି ନ ହେଲେ ଭଡ଼ାଟିଆ ଗୁଣ୍ଡାଗିରି । ଚୋରା ଜିନିଷ କାରବାର ବି ଗୋଟେ ନିୟିତି କାମ ।”

ଏସବୁ ଶୁଣି ରମେଶ ସେଦିନ ଥାନାକୁ ଯାଇ ସବ୍ଇନିସ୍ପେକ୍ଟର୍ ମଙ୍ଗୁଳିବାବୁକୁ ଖବର ଦେଇଥିଲା । ମଙ୍ଗୁଳିବାବୁ ପାନ ଚୋବେଇ କହିଥିଲା, “ଡୋଣ୍ଟ୍ ଓରି, ବି ହାପି । ମୁଁ ସେ ଶଳାଗୁଡ଼ାଙ୍କୁ ବାନ୍ଧି ଆଣିବି । ମାଲକାନାଗିରିରେ ଛଅମାସ ରହିକି ଆସିଛି । ନକ୍ସଲଗୁଡ଼ାକ ତ ମୋର ବାଳ ବଙ୍କା କରିପାରିନାହାନ୍ତି, ଇଏ ଧଣ୍ଡ କୋଚିଆ କ’ଣ କରିବେ ? ଶଳା, ଏଠି କଳାଧନ୍ଦା ଚଳେଇଛନ୍ତି ।”

ରମେଶ ଖୁସି ହୋଇ ମଙ୍ଗୁଳିବାବୁଙ୍କୁ ଚାରିଖଣ୍ଡ ଡିଲକ୍ସ ପାନ କିଣି ଦେଇଥିଲା । ମଙ୍ଗୁଳିବାବୁ କହିଥିଲା, “ସବୁ ଲୋକ ଯଦି ଆପଣଙ୍କ ପରି ସଚେତନ ନାଗରିକ ହୁଅନ୍ତେ, ଭାରତରେ ଆଉ ସମସ୍ୟା ରହନ୍ତା ନାହିଁ ।”

ତା’ପରେ ମଙ୍ଗୁଳିବାବୁ ବିଶଦ ଭାବରେ ତା’ ପାଖରୁ ସବୁକଥା ଶୁଣିଥିଲା । ପ୍ରତି ରାତିରେ ମଦ୍ୟପମାନଙ୍କର ଅଶ୍ଳୀଳ ଚିତ୍କାର, ଅବକାରୀ ଜିନିଷର ଚୋରା କାରବାର ଏବଂ ସ୍କୁଲ୍‌ର ପରିବେଶ ନଷ୍ଟ- ଏଇ ତିନିଟା କଥା ଉପରେ ସେ ଗୁରୁତ୍ୱ ଦେଇଥିଲା । ସେଦିନ ଥାନାରୁ ଫେରିବାବେଳେ ରମେଶକୁ ଲାଗୁଥିଲା, ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହୋଇଯିବ । ପୁଣି ଥରେ ନିରୀହ ନିର୍ଜନତା ଫେରି ଆସିବ ସ୍କୁଲ୍‌ର ହତାକୁ । ତା’ର ଦୁଶ୍ଚିନ୍ତାତକ ଦୂର ହେବ । ଆଉ ଏମିତି ପ୍ରଚ୍ଛନ୍ନ ଧମକ ଶୁଣିବାକୁ ପଡ଼ିବ ନାହିଁ ତାକୁ ।

କିନ୍ତୁ ଗଲା ରବିବାର ରାତିର ଅଭିଜ୍ଞତା ତାକୁ ବିଚଳିତ କରିଦେଲା । ଯେଉଁ ମଙ୍ଗୁଳିବାବୁକୁ ତ୍ରାଣକର୍ତ୍ତା ବିଚାରି ସେ ତା’ ଆଗରେ ସବୁକଥା ଗଳ ଗଳ କରି କହିଦେଇ ଆସିଥିଲା ସେଇ ମଙ୍ଗୁଳିବାବୁ ଆସି ମା’ କାଳୀ ସଂଘର ଟୋକାମାନଙ୍କ ସାଙ୍ଗରେ ଭୋଜି ଖାଉଥିଲା । ଏମିତି ଏକ ଦୃଶ୍ୟର କଥା ସେ କଦାପି କଳ୍ପନା କରିପାରି ନଥାନ୍ତା ।

ସେ ସୋମବାର ସକାଳୁ ମଙ୍ଗୁଳିବାବୁକୁ ଫୋନ୍ କରିଥିଲା । ଚାରି ଚାରିଥର ଫୋନ୍ କାଟି ଦେବା ପରେ ମଙ୍ଗୁଳିବାବୁ ଫୋନ୍ ଧରିଥିଲା । କହିଥିଲା, “ଆପଣ ଅତିରଞ୍ଜନ କରି କଥାଗୁଡ଼ା କହିଥିଲେ । ମୁଁ ସେମାନଙ୍କୁ କହିଦେଇ ଆସିଛି, ପାଟିତୁଣ୍ଡ କରିବେ ନାହିଁ । ତା’ ଛଡ଼ା କଲୋନିର ଅନ୍ୟମାନେ ତ ନିରବ ରହୁଛନ୍ତି । ଆପଣ କାହିଁକି ତାଙ୍କ ପଛରେ ପଡ଼ିଛନ୍ତି ? ସେଗୁଡ଼ା ଗୁଣ୍ଡା ବଦମାସ, କେତେବେଳେ କ’ଣ କରି ବସିବେ, ଚୁପ୍ ରହିଗଲେ ଭଲ ।”

ରାଗରେ ଫୋନ୍‌ଟା କାଟି ଦେଇଥିଲା ରମେଶ । ମଙ୍ଗୁଳିବାବୁ ତାକୁ ଭରସା ଦେଉଥିଲା ନା ଡରଉଥିଲା, ସେକଥା ସେ ଜାଣି ପାରୁନଥିଲା ।

ତା’ ଅଫିସ୍‌ର ବଡ଼ବାବୁ କହନ୍ତି, ପୁଲିସ୍‌କୁ ସିନା ଲୋକେ ଚୋରଙ୍କ ପ୍ରତିପକ୍ଷ ବୋଲି ଭାବନ୍ତି, ମାତ୍ର ସେମାନେ ତାଙ୍କର ପରମବନ୍ଧୁ । ଚୋରମାନଙ୍କ ଖର୍ଚ୍ଚରେ ଅଧିକାଂଶ ପୁଲିସ୍‌ଙ୍କ ଘରର ପରିବା କିଣାଯାଏ, ଝିଅ ବାହାଘର ଖର୍ଚ୍ଚ ଉଠେ ଏବଂ ପୁଲିସ୍ ବେପାର ପାଇଁ ମୂଳଧନ ଯୋଗାଡ଼ ହୁଏ । ମଙ୍ଗୁଳିବାବୁର କଥା ଶୁଣିଲା ପରେ ରମେଶର ମନେ ହୋଇଥିଲା, ବଡ଼ବାବୁ ମିଛ କହୁନଥିଲେ । କାରଣ ସେ ଆଦୌ ଭାବି ପାରୁନଥିଲା ଯେ, ଗୋଟେ ପୁଲିସ୍ ସବ୍ଇନିସ୍ପେକ୍ଟର ନିଜେ ଆସି ବଦମାସଗୁଡ଼ାକଙ୍କ ସାଙ୍ଗରେ ଭୋଜି ଖାଇବ ।

ଏବେ ଘରୁ ବାହାରିବା ବେଳେ ରମେଶ ସ୍କୁଲ୍ ଆଡ଼କୁ ଚାହିଁପାରୁ ନଥିଲା । ଏହା ଭିତରେ ସେ ଲଗେଇଥିବା ଫୁଲଗଛ ତିନିଟି ବଢ଼ିଗଲେଣି । ମାତ୍ର ତାଙ୍କ ଆଡ଼କୁ ଚାହିଁବା ଲାଗି ମଧ୍ୟ ତା’ର ଆଗ୍ରହ ହେଉ ନଥିଲା । ତାକୁ ଲାଗୁଥିଲା, ସେଇ ସ୍କୁଲ୍ ପଡ଼ିଆରେ ଶହ ଶହ ବିଷଧର ସାପ ଚଳପ୍ରଚଳ ହେଉଛନ୍ତି । ଦିନକୁ ଦିନ ସେମାନଙ୍କ ବଂଶ ବଢ଼ି ଚାଲିଛି । ସେମାନଙ୍କ ଫଣା ତଳେ ଅଛି କାଳକୂଟ ବିଷ । ସେପଟୁ ବୋହୁଥିବା ପବନରେ ମଧ୍ୟ ସେଇ ବିଷ ଖୁନ୍ଦି ହେଇଛି । ସେଇ ବିଷର ଜ୍ୱାଳାରେ ସେ ଦିନରାତି ଛାଟିପିଟି ହେଉଛି । ଏମିତି ଚାଲିଥିଲେ ଖୁବ୍ ଶୀଘ୍ର ତା’ର ପ୍ରାଣ ଚାଲିଯିବ ।

ହଠାତ୍ ଲୋକମାନଙ୍କର କୋଳାହଳ ବଢ଼ିଗଲା ।

ରମେଶ ଜାଣିଲା, ଏମ୍ଏଲ୍ଏଙ୍କର ବିଧାନସଭା ଯିବା ସମୟ ହୋଇଗଲାଣି । ସିଏ ଭାବିଲା, ଆଜି ବି କ’ଣ ତାଙ୍କ ସାଙ୍ଗେ ତା’ର ଦେଖା ହୋଇପାରିବ ନାହିଁ । ତାକୁ ବଡ଼ ଅପମାନ ଲାଗୁଥିଲା ।

ସିଏ ଭିଡ଼ କାଟି ଏମ୍ଏଲ୍ଏଙ୍କ ପାଖକୁ ଗଲା ଓ ତାଙ୍କୁ ନମସ୍କାର ହେଲା । ଏମ୍ଏଲ୍ଏ କହିଲେ, “ଆରେ, ଆପଣ ଏଠି ? କେତେବେଳୁ ଆସିଲେଣି ?”

ରମେଶ କୃତକୃତ୍ୟ ହେଲା ।

କହିଲା, “ଢେର୍ ସମୟ ହେଲାଣି. . . ।”

ଏମ୍ଏଲ୍ଏ ତା’ କାନ୍ଧରେ ହାତ ପକେଇ ତାକୁ ତାଙ୍କ ବଗିଚାର ପଣସଗଛ ମୂଳକୁ ଡାକିନେଲେ । ପଚାରିଲେ, “କୁହନ୍ତୁ, ଆପଣଙ୍କର କ’ଣ ସମସ୍ୟା ଅଛି ?”

ରମେଶ ଚାହିଁଲା । ଏମ୍ଏଲ୍ଏଙ୍କ ମୁହଁରେ ବ୍ୟସ୍ତତା । ପୁଣି ତିନିଫୁଟ ଦୂରତାରେ, ଅପେକ୍ଷା କରୁଥିବା ଗୁହାରିଆଙ୍କ ଭିଡ଼ । ତାଆରି ଭିତରେ ସେ ସବୁଗୁଡ଼ାକୁ କିପରି କହିବ ଚିନ୍ତା କରିପାରୁନଥିଲା ।

ଏମ୍ଏଲ୍ଏ କହିଲେ, “କୁହନ୍ତୁ, ମୁଁ ଶୁଣୁଛି ।” ତା’ପରେ ସେ ତାଙ୍କର ଜଣେ ସହଯୋଗୀକୁ ଇସାରା କରି କହିଲେ, “ଗାଡ଼ି ବାହାର କରିବାକୁ କହ ।”

ରମେଶ ପାଟି ଖୋଲିବାକୁ ଯାଉଥିଲା । ଦେଖିଲା, ମଙ୍ଗୁଳିବାବୁ ସବ୍ଇନିସ୍ପେକ୍ଟର ଏମ୍ଏଲ୍ଏଙ୍କ ଘରୁ ବାହାରୁଛି । ସାଦା ପୋଷାକ ପିନ୍ଧିଥିବାରୁ ସେ ସହଜେ ଚିହ୍ନା ପଡୁନାହିଁ । ରମେଶ କହିଲା, “ମୁଁ ପାଟପୁର ହାଉସିଂ କଲୋନିରୁ ଆସିଥିଲି । ମଙ୍ଗୁଳିବାବୁ ସେଠିକା ସବ୍ଇନିସ୍ପେକ୍ଟର ।”

ଏମ୍ଏଲ୍ଏ ଗମ୍ଭୀର ହୋଇଗଲେ । କହିଲେ, “ଓଃ, ହାଉସିଂ କଲୋନି କଥା । କ’ଣଟି ଆପଣଙ୍କର ? ଯାହାହେଉ, ଶୁଣନ୍ତୁ । ଗୋଟାଏ କଥାର ଉତ୍ତର ଦିଅନ୍ତୁ । ଆପଣ ପାଠଶାଠ ପଢ଼ି ଚାକିରୀ କଲେ । କିନ୍ତୁ ଯେଉଁମାନେ ଚାକିରୀବାକିରୀ କରିପାଇଲେ ନାହିଁ ସେମାନେ କୁଆଡ଼େ ଯିବେ ।”

ରମେଶ ପାଟି ଖୋଲୁଥିଲା । ଏମ୍ଏଲ୍ଏ ତାଙ୍କୁ ଅଟକେଇ ଦେଇ କହିଲେ, “ସମସ୍ତେ କ’ଣ ବେପାର ବଣିଜ କରି ପାରୁଛନ୍ତି । ଆମ ସରକାର ବା ସେମାନଙ୍କ ଲାଗି କ’ଣ କରୁଛି ?”

ରମେଶ ପୁଣି ପାଟି ଖୋଲିବାକୁ ଚେଷ୍ଟା କଲା ।

ଏମ୍ଏଲ୍ଏ କହିଲେ, “ଆପଣଙ୍କ ଚିଠିଗୁଡ଼ା ମୁଁ କାଗଜରୁ ପଢ଼ିଛି । ଆପଣଙ୍କର ଭିନ୍ନ ମତ ଥାଇପାରେ । ମାତ୍ର ସେ ଯୁବକମାନଙ୍କର ଏଇ ଭୋଜିଭାତ, ମଉଜମସ୍ତି ଗୋଟେ ରିଲିଜ୍ । ଏହାଦ୍ୱାରା ତାଙ୍କ ଭିତରୁ ନୈରାଶ୍ୟ ଓ ହତାଶାର ବିଷଗୁଡ଼ାକ ବାହାରକୁ ବାହାରିଯାଉଛି । ନ ହେଲେ ସେଗୁଡ଼ିକ ଆଉରି ସାମାଜିକ ସମସ୍ୟା ସୃଷ୍ଟି କରନ୍ତା । ତା’ଛଡ଼ା ସେ କଲୋନିର ଅନ୍ୟମାନେ ତ କେହି କେବେ ଅଭିଯୋଗ କରୁନାହାନ୍ତି, ଆପଣ କାହିଁକି ସବୁବେଳେ ଅଭିଯୋଗ କରୁଛନ୍ତି ? ମୁଁ ଯାହା ଜାଣିଛି ସେମାନେ ତ ବ୍ୟକ୍ତିଗତ ଭାବେ ଆପଣଙ୍କର କୌଣସି କ୍ଷତି କରୁନାହାନ୍ତି । କ’ଣ ମଙ୍ଗୁଳିବାବୁ ? ତୁମେ ପରା ତାଙ୍କ ସାଙ୍ଗେ ଖାଇ କି ଆସିଛ ! ସେଗୁଡ଼ା ଭଲ ପିଲା ନୁହନ୍ତି ?”

: “ହଁ, ସାର୍ !” ମଙ୍ଗୁଳିବାବୁ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିଲା ।

ଏମ୍ଏଲ୍ଏଙ୍କର ଗଲା ମାର୍ଚ୍ଚ ମାସର ମନ୍ତବ୍ୟ ରମେଶର ମନେ ପଡୁଥିଲା । ହଜାରେ ତାରା ଥିଲେ କିଛି ଲାଭ ନାହିଁ, ରମେଶ ପରି ଗୋଟିଏ ଚନ୍ଦ୍ର ଥିଲେ ଅନ୍ଧାର ତୁଟିଯିବ । ସେ କହିଲା, “ସମସ୍ତେ କ’ଣ ଏ ବିଷୟ ଉଠେଇବେ ? ଆପଣ ତ କହନ୍ତି ହଜାରେ ତାରା ଥାଇ ଲାଭ ନାହିଁ, ମାତ୍ର ଗୋଟିଏ. . . !”

ତା’ କଥା ତାକୁ ସାରିବାକୁ ନ ଦେଇ ଏମ୍ଏଲ୍ଏ କହିଲେ, “ମାତ୍ର ଆମର ଏ ଦେଶ ଗଣତନ୍ତ୍ର । ଏଠି ଗୋଟେ ଘୋଡ଼ାଠାରୁ ଦିଇଟି ଗଧଙ୍କର ମୂଲ୍ୟ ବେଶି । କାରଣ ଗୋଟେ ଘୋଡ଼ାର ଗୋଟିଏ ଭୋଟ୍, ଯୋଡ଼େ ଗଧଙ୍କର ଦିଇଟି ଭୋଟ୍ । କ’ଣ ମୁଁ ଭୁଲ୍ କହୁଛି ?”

ରମେଶର ଆଉ କିଛି କହିବାର ନଥିଲା । ତା’ର ସବୁ ଯୁକ୍ତି ବନ୍ଦ ହୋଇ ଯାଇଥିଲା ।

ଏମ୍ଏଲ୍ଏ କହିଲେ, “ଆପଣ ଯାଆନ୍ତୁ, ମୁଁ ସେମାନଙ୍କୁ କହିଦେବି । ସେମାନେ ଶୃଙ୍ଖଳାର ସହ ଭୋଜିଭାତ କରିବେ ।”

ରମେଶର ହାତ ମୁଠା ମୁଠା ହୋଇ ଆସୁଥିଲା । ମଙ୍ଗୁଳିବାବୁ ପାଖେ ଅଭିଯୋଗ କଲା ପରେ ସେଇ ଯୁବକ ସଂଘର ନେତା କୃଷ୍ଣ ଜେନା ରାତିରେ ତା’ ଘରକୁ ଆସି କେମିତି ଧମକ ଦେଇଥିଲା ସେକଥା ତା’ର ମନେ ପଡୁଥିଲା । ଏବେ ଏମ୍ଏଲ୍ଏଙ୍କ ପାଖେ ଆସି ଫେରାଦୀ ହେବା କଥା ଜଣାପଡ଼ିବା ପରେ ସେଇ ଟୋକାମାନଙ୍କର ଉପଦ୍ରବ କିପରି ହେବ ସେକଥା ସେ ବେଶ୍ ଅନୁମାନ କରିପାରୁଥିଲା ।

ସେ କ’ଣ କରିବ କିଛି ଚିନ୍ତା କରି ପାରୁନଥିଲା ।

ଲୋକପ୍ରିୟ ଲେଖା

To Top