ଗଳ୍ପ

ଗନ୍ଧି ଦାସ

Hemanta Kumar Rout's odia story Gandhi Das

ଗନ୍ଧିଦାସ ଚୋର ଡକେଇତ । ଏ କଥା ଗାଁର ପ୍ରତିଟି ମଣିଷର ହୃଦୟରେ ରକ୍ତରେ ମାଂସରେ ମିଶିଯାଇଛି । ସହଜରେ ଅଚେତନ ମଣିଷ ।

ଗନ୍ଧି ଦାସ

ଚନ୍ଦନପୁର ଗାଁ ଦେଉଳ ପାଖରେ ଭାରି ଗହଳି । ସ୍ତ୍ରୀ ପୁରୁଷଙ୍କଠାରୁ ନଙ୍ଗଳା ପିଲା ଯାଏ । ଗନ୍ଧିଦାସ ହାତରେ ବେଡ଼ି ପଡ଼ିଛି । ଗାଁ ଦେଉଳରୁ ସୁନାର ଗୌରାଙ୍ଗ ମୂର୍ତ୍ତି ଚୋରି । ଗନ୍ଧିଦାସ ଛଡ଼ା ଆଉ କିଏ । ଗନ୍ଧିଦାସ କୁଆଡ଼େ କମ୍ୟୁନିଷ୍ଟ । ଈଶ୍ୱରଙ୍କୁ ବିଶ୍ୱାସ କରେନା । ପୋଲିସ୍ ଆଖି ଗନ୍ଧିଦାସ ଉପରେ । ଅବଶ୍ୟ ଏ କଥାଟାକୁ ଆହୁରି ମାଜିଦେଲେ ଗାଁର କୁଜି ନେତା ମାନେ ।

ଗନ୍ଧିଦାସ ଚାଲିଲା ଥାନା ଆଡ଼େ । ନିଜ ଭିତରେ ଅସଂଖ୍ୟ ପ୍ରଶ୍ନ । ତମେ ସେଇ ବିପ୍ଳବୀ ନେତା । ତମେ ସେଇ ମେହନତିର ଦାୟାଦ । ତମେ ସେଇ ଗନ୍ଧିଦାସ । । ।

ହଁ, ଗନ୍ଧିଦାସ ଜଣାଶୁଣା ନାଁ । ବୟସ ସତୁରୀରୁ ବେଶି । ମୁଣ୍ଡରେ ଟାଉଁସିଆ ଚୂଳ ପଛକୁ କୁଣ୍ଡାଏ । ମୁହଁର ଦାଢ଼ି ବଗ ପରି ତୋଫା ।

ଦୋକାନରେ ଟହଲଟୁକୁରା କାମ ପାଇଁ କଲିକତା ଚାଲିଗଲା । ତା ପରେ ଝୋଟ କଳରେ କାମ କଲା, ୟୁନିୟନ୍ ଗଢ଼ିଲା । ସରକାର ଓ କମ୍ପାନୀ ବିରୁଦ୍ଧରେ ଭାଷଣ ଦେଲା । ପରେ ପରେ ଚାକିରୀ ଛାଡ଼ି କମ୍ୟୁନିଷ୍ଟ ପାର୍ଟିର ହେଲା ଟାଇଗର ।

ବାପା ମା ଗନ୍ଧିଆକୁ ଚାହିଁ ବାଟ କାଟିଲେ । କଲିକତା ସହରରେ ଥିବାବେଳେ ଗାଁ ମାଟିର ସ୍ୱପ୍ନ ଦେଖେ । ସୁନ୍ଦର ଗାଁ ତାର । ସୁନ୍ଦର କ୍ଷେତସବୁ । ସେଇ କ୍ଷେତରେ ଅସଂଖ୍ୟ ନିରଳସ କୃଷକର କୋଳାହଳ । ତଥାପି ବର୍ଷବର୍ଷ ଧରି ସେମାନେ ଶୋଷିତ । ସେମାନଙ୍କ ଭିତରେ ସେଇ ଆଦିମ କ୍ଷୁଧା । ଅସହ୍ୟ ଯନ୍ତ୍ରଣା । ଅକଥନୀୟ ଅତ୍ୟାଚାର ।

ପ୍ରଥମେ ପ୍ରଥମେ ଗାଁ ଲୋକଙ୍କ ସଙ୍ଗେ ମିଶୁନଥିଲା । ମନ ହେଲେ କାନ୍ଧରେ ଝୁଲା ବେଗ୍‌ଟି ପକାଇ କିଛି ପତ୍ରପତ୍ରିକା ଧରି କେଉଁ ଆଡ଼େ ଅଦୃଶ୍ୟ ହୋଇଯାଏ । ସାତ ଆଠ ଦିନ ପରେ ଗାଁକୁ ଆସି ପୋଷାକ ଓହ୍ଲାଇ ବାଡ଼ିରେ କୋଦାଳ ଧରି ମାଟି ପିନ୍ଧାଏ ।

ଏବେ ଗନ୍ଧିଦାସ ଗାଁ ଲୋକଙ୍କ ସାଙ୍ଗରେ ମିଶିଲାଣି । କିଛି ଲୋକଙ୍କୁ ନେଇ ପୋଖରୀରୁ ଦଳ କାଢ଼େ । ଗାଁ ରାସ୍ତାରେ ମାଟି ପକାଏ । ନିଜେ ମୁଣ୍ଡାଏ, ମାଟି ହାଣେ । କିଏ ରୋଗରେ ପଡ଼ିଲେ ଡାକ୍ତରଖାନା ନେଇଯାଏ । କ୍ଷେତରେ ହିଡ଼ରେ ପଡ଼ିଆରେ ଦିନ ମଜୁରିଆ, ଛୋଟଚାଷୀ, ମାଟି ଖୋଳାଳୀଙ୍କୁ ବସେଇ ଆଲୋଚନା କରେ । ପାର୍ଟିର ଆଇଡ଼ୋଲଜି କହେ । ଇସ୍ତାହାର ପଢ଼ି ବୁଝାଏ । ବିପ୍ଳବୀ ଗୀତଗାଏ । ରୁଷ୍ ଚାଇନା କଥା କହେ । ସଂଗଠିତ ହୋଇ ବିପ୍ଳବ ନ କଲେ ମଣିଷ ଶୋଷଣର ଶେଷ ନାହିଁ ବୋଲି ସୂଚାଏ । ସେମାନଙ୍କ ଜିଜ୍ଞାସୁ ଆଖି ଆଗରେ ଝୁଲାଏ ନିର୍ଯାତିତ ମହାମଣିଷର ମୁକ୍ତିର ପରୱାନା ।

ଗନ୍ଧିଦାସର ଅପରାଧ କଣ । ତାକୁ ତ ପୁଣି ପୋଲିସ୍ ହାଜତ ଭିତରକୁ ଯିବାକୁ ପଡ଼ିଲା । ନିର୍ମମ ମାଡ଼ ଦିଆଗଲା । କୌଣସି ପ୍ରକାର ଗାଁକୁ ଆସିଲା ସିନା ଅଙ୍ଗ ଚଳୁନଥିଲା । ଉଠିବାର ବଳ ନଥିଲା ।

ଜୀବନର ଦୀପଟି ଆସ୍ତେ ଆସ୍ତେ ମଳିନ ପଡ଼ିଆସୁଥିଲା । ଗାଁର ଟୋକାଦଳ ମଦ ପିଇବାକୁ ମୂର୍ତ୍ତି ବିକିଲେ ଚଣ୍ଡିଆପଲ୍ଲୀର କୃଷ୍ଣ ବଣିଆକୁ । ବଣିଆ ଧରାପଡ଼ିଲା ଥାନାରୁ ଖବର ଆସିଲା । ପୋଲିସ୍ ଟୋକାଙ୍କୁ ଆରେଷ୍ଟ କଲେ । ଗନ୍ଧିଦାସ ନିର୍ଦ୍ଦୋଷରେ ଖଲାସ ହେଲେ ।

ଜୀବନର ବେଳା ଉପରେ ମୁହୂର୍ତ୍ତର ଅସଂଖ୍ୟ ଢେଉ । ସବୁ ଶୂନ୍ୟ ମୁଠାମୁଠା ବାଲି ଗରଡ଼ାପରି । ନିଃସଙ୍ଗ ପରଦାର ଆଢୁଆଳରେ କହେ ଜୋତାରୁ ଚମଡ଼ା ଛିଡ଼ିଗଲା ଚାଲିଚାଲି । କେତେ ଲୋକଙ୍କୁ ବୁଝେଇଲା । କିଏ ବୁଝିଲା । ଜଳିଜଳି ଝରିଗଲି । ବୁଢ଼ାକାଳେ ଦୁର୍ନାମ । ଗନ୍ଧିଦାସ କମ୍ୟୁନିଷ୍ଟ ନାଁରେ କରେ ବ୍ଲାକ୍ ମାର୍କେଟିଂ । ବିଦେଶକୁ ମୂର୍ତ୍ତି ପଠାଏ । ବିପ୍ଳବ ନାଁରେ ହାଜତକୁ ଗଲେ ଗୌରବ । ଚୋରି ନାଁରେ ବେଡ଼ି ପିନ୍ଧିଲି । ପୋଲିସ୍‌ ଠାରୁ ମାଡ଼ ଖାଇଲି । ଆରେଷ୍ଟ ହୋଇଗଲି । ମୋ ସାଙ୍ଗରେ ଗଲା କିଏ । କିଏ ଅନ୍ୟାୟ ବିରୁଦ୍ଧରେ ପ୍ରତିବାଦ କଲା । କାହା ପାଇଁ ମୋର ଏ ବିପ୍ଳବ । କି ସ୍ୱାର୍ଥ ମୋର । କୋଡ଼ିଏ ବର୍ଷ ପରେ ମୋଚେ ଚିହ୍ନିଲା କିଏ । ଏ ଦୁର୍ଭାଗ୍ୟ ମୋର ନୁହେଁ । ଗନ୍ଧିଦାସର ନୁହେଁ ଗୋଟିଏ ମହାଜାତିର । କୋଟିକୋଟି ଶୋଷିତର । ବ୍ୟକ୍ତି ମାଟି ହୋଇଯାଉ କିନ୍ତୁ ଫୁଟିଉଠୁ ପୃଥିବୀର ଉପରେ ମୁକ୍ତିର ଅନିର୍ବାଣ ଲାଲ୍‌ଶିଖା ।

ପୋଲିସ୍ ମାରିଦେଲା, ମାରିଦେଲାନି ଦରମରା କରି ଛାଡ଼ିଦେଲା । ଚୋରଟି ହୋଇ ପାରିଲିନି । ଜେଲ୍‌ରେ ଥାନ୍ତି । ଖାଇବାକୁ ତ ମିଳିଥାନ୍ତା । ବୁଢ଼ା କାଳେ ଭରସା କିଏ । ଭଙ୍ଗା ଚାଳିଆରେ ନିଜେ ଶୀତରେ ଥରୁଛି । କୋଠାଘରେ ରହିଥାନ୍ତି । ଖାଇବାକୁ ମୁଠେ ପାଇଥାନ୍ତି । ଗଲାପରେ ମୋ ଶବ ଏଠି ପଚି ସଢ଼ି ଯିବ ହେଲେ ଜେଲ୍ ଭିତରେ ଶବଦାହ ହୋଇଥାନ୍ତା ।

ଜେଲ୍‌ରେ ଥିବା ସବୁ ମଣିଷ ଡକେଇତ ଖୁନି ନୁହନ୍ତି । ସମାଜରେ ଥିବା ସବୁ ମଣିଷ ସାଧୁ ନୁହନ୍ତି । ପ୍ରଚଳିତ ଆଇନ୍ ବ୍ୟବସ୍ଥାରେ ସଇତାନ ଖସିଯାଏ । ନିରୀହ ପଡ଼ିଯାଏ । କେତେ ଅସାମାଜିକ ମଣିଷକୁ ଆଇନ୍ ଜେଲ୍ ଭିତରକୁ ନେଇଛି । କେତେ ସଇତାନକୁ ଫାଶି ଖୁଣ୍ଟରେ ଝୁଲେଇଛି ।

ସେମାନେ ନେତାଙ୍କ ପାଖରେ ଆପତ୍ତି କରିଛନ୍ତି ବୋଧେ- ବାବୁ ଚିପିଚିପି ବିଦ୍ରୁପ ଠାଣିରେ କହୁଥାନ୍ତି ।

ବର୍ଷବର୍ଷ ଧରି ସେମାନେ ନିର୍ଯ୍ୟାତିତ, ଶୋଷିତ । ହାଡ଼ଭଙ୍ଗା ଖଟଣି ଖଟି ସେମାନେ ପାଇଲେ କଣ । ସେମାନଙ୍କ ପେଟକୁ କାଟି ତମେ ବାଟିବାଟି ସମ୍ପତ୍ତି କମେଇଛ । ତମ ପିଲା ପାଠ ପଢ଼ିଲେ । ସେମାନଙ୍କ ପିଲା କିଛି ବୁଝି ନାହାନ୍ତି ବୋଲି ତ ଅତ୍ୟାଚାରିତ । ସେମାନେ ପୁଣି କରିବେ କଣ । ମୁଁ କଣ କିଛି ଦେଖୁନି ।

ବଳବନ୍ତରାୟ ତାତ୍ସଲ କରି କହିଲେ । ସବୁ ଦେଖୁଛ ତୁମେ, ସେଇଥିପାଇଁ ଦଳେ ଲୋକଙ୍କୁ ନେଇ ବ୍ଲକ୍ ଘେରୁଅ କଲ । ମୋ ବିଲ୍‌କୁ ବନ୍ଦ କରି ମୋ ପ୍ରେଷ୍ଟିଜ୍‌କୁ ନଷ୍ଟ କଲ । ମୋ ବିରୁଦ୍ଧରେ ଲୋକଙ୍କୁ ତତେଇଲ । ଜାଣ, ଯେଉଁମାନେ ସେଦିନ ତମ ସଙ୍ଗରେ ଯୋଗ ଦେଲେ ସେମାନଙ୍କ ଭିତରେ ମୋ ଭାଗଚାଷୀ ବି ଅଛନ୍ତି । ସେମାନଙ୍କ ଠାରୁ ମୋ ଜମି ଛଡ଼େଇ ଆଣିବି । ଏ ଗାଁର ସବୁ ଜମି ମୋର । ତମେ ସଂଗଠନ କରି ପାରିବ ନାହିଁ । ସାବଧାନ ଗନ୍ଧିଦାସ ସାବଧାନ, ମୋ ପଲିଟିସ୍ ଭାରି ସିରିୟସ୍ । ସେଦିନ ବଳବନ୍ତରାୟ ସଦଳବଳେ ଫେରିଗଲେ ।

କୋଡ଼ିଏ ବର୍ଷ ସାଧନାର ଫଳ ବ୍ୟର୍ଥ । କେତୋଟି ମଣିଷ ସେ ଗଢ଼ି ପାରିଲା । ଲୋକେ ସବୁ ଶୁଣିଲେ, କଣ ବୁଝିଲେ କେଜାଣି ଅସଲ ବେଳକୁ ପାଖକୁ ଆସିଲେନି । ପୋଲିସ୍ ପିଟିଲା । ଅଫିସରୁ ବାହାର କରିଦେଲେ । କୁଜିନେତା ମାନେ ଗନ୍ଧିଦାସକୁ ପାଗଳ କର ହସରେ ଉଡ଼େଇ ଦେଲେ । ହେଃ ହେଃ ହେଃ ଗନ୍ଧିଦାସ କଣ ନେତା । ଯାହାର କୋଠାବାଡ଼ି, ରଙ୍ଗୀନ ଟି.ଭି., ବ୍ୟାଙ୍କବାଲାନ୍ସ ନାହିଁ ସେ ଗୋଟା କି ଲିଡ଼ର । ଭିକାରୀଟା ଟିଣ ବାଡ଼େଇ ଭିକ ମାଗେ । ସେ କୁଆଡ଼େ କମ୍ୟୁନିଷ୍ଟ ହେବ ହେଃ ହେଃ ହେଃ ।

କେଉଁ ମହାମାନବର ବାର୍ତ୍ତା ନେଇ କଲିକତା ମହାନଗରୀରୁ ନିଜ ଗାଁକୁ ମୁହେଁଇଲା । ଶୋଷଣରୁ ମହାସମୁଦ୍ର । ଅଗଣିତ ଢେଉ । ସେଇ ଢେଉକୁ ପ୍ରତିରୋଧ କରିବାକୁ ଗନ୍ଧିଦାସ ପରି ମଣିଷ ଖଣ୍ଡେ ଖଣ୍ଡେ ଟେକା ପକେଇଲେ । ସମୁଦ୍ରର ଅସୀମ ଢେଉ ମହାପ୍ରଳୟ ସୃଷ୍ଟି କରି ସେମାନେ ଆଉଜି ପଡ଼ିଲେ ସୀମାହୀନ ରାଶିରାଶି ବେଳାଭୂଇଁରେ ।

ସୁନ୍ଦର ସ୍ୱପ୍ନ ତାର । ତା ମାଟିରେ ରୁଷ୍ ବିପ୍ଳବ । ଚାଇନାର ସଂଗ୍ରାମ । ଭିୟେତ୍‌ନାମ୍‌ର ଗରିଲା ଯୁଦ୍ଧ । ମାଟି ଯୁକ୍ତ ମହାମୁକ୍ତ ପୃଥିବୀ ଉପରେ ରକ୍ତ ରଙ୍ଗର ପତାକା । ସେଦିନ ପ୍ରମୋଦ ତା ମାକୁ ବୁଝାଉ ଥିଲା ଷଣ୍ଢ ବଳବନ୍ତଙ୍କ ଲୋକମାନେ ଏ କଥା କରି ଗନ୍ଧିଦାସ ନାଁରେ ଦୁର୍ନାମ କରୁଛନ୍ତି । ସେମାନେ ଧରାପଡ଼ି ଆରେଷ୍ଟ ହୋଇ ଜାମିନ୍‌ରେ ଆସିଛନ୍ତି ।

– କାହିଁ ଗାଁରେ ଜଣେ ତ କେହି ଏ କଥା କହୁନି ।

– କହିବାକୁ ସାହସ କା’ର । ବାବୁଙ୍କ ବିରୁଦ୍ଧରେ ଖୋଲା ଖୋଲି କହିବ କିଏ ।

ସେଦିନ ପରା ଦଳେ ଲୋକଙ୍କୁ ବସେଇ ବାବୁ କହୁଥିଲେ । ସବୁ ଦୁର୍ନୀତିର କାରଣ ଗନ୍ଧିଦାସ । ଗାଁରେ ଗୋଳମାଳ କରଉଚି । ଲୋକଙ୍କୁ ଖରାପ ବାଟକୁ ନଉଚି । ଧର୍ମ କର୍ମ ପାଇଁ ବାରଣ କରୁଛି । ଏଇ ଗାଁର ସେଇଟା ଗୋଟେ କଳଙ୍କିତ ମଣିଷ । ସେଇଟା ଗୋଟେ ଦୁର୍ନୀତି ଖୋର ମଣିଷ । ଧର୍ମ ତାକୁ କଂସ ଭଳି କଚାଡ଼ିବ । ପଚିସଢ଼ି ମରିବ ।

ଗନ୍ଧିଦାସ ଚୋର ଡକେଇତ । ଏ କଥା ଗାଁର ପ୍ରତିଟି ମଣିଷର ହୃଦୟରେ ରକ୍ତରେ ମାଂସରେ ମିଶିଯାଇଛି । ସହଜରେ ଅଚେତନ ମଣିଷ । ସେମାନଙ୍କ ଭିତରେ କିଛି ଗୋଟେ ରହିଗଲେ ତାକୁ ସଫା କରିବା ଭାରି କଷ୍ଟ ।

ପ୍ରମୋଦ ମା କଥାରେ ପ୍ରତିବାଦ କଲାନି । ସେଇକଥା ତା ହୃଦୟରେ ବାରମ୍ୱାର ଆନ୍ଦୋଳିତ ହେଲା । ଶୂନ୍ୟ ହାତରେ ଗନ୍ଧିଆଦା ପାଖକୁ କାହିଁକି ଯିବ । ରାତିରେ ଶୋଇ ପାରିଲାନି । ଗନ୍ଧିଆଦାର ଯନ୍ତ୍ରଣା ତା ଭିତରେ ପୁଞ୍ଜିଭୂତ ହୋଇଗଲା ।

ବଡ଼ି ଭୋରୁ ପ୍ରମୋଦ ଚାଲିଲା ଗନ୍ଧିଦାସ ଘରକୁ । ନିର୍ବିବାଦରେ ଗନ୍ଧିଦାସ ଶୋଇ ଯାଇଥିଲା ନିରବ ହୋଇ । ବିଶାଳ ଆଗ୍ନେୟଗିରିର ଜ୍ୱଳନ୍ତ ଉତ୍ତପ୍ତ ଲାଭାସବୁ ନିଷ୍ପ୍ରଭ ତଥାପି ମୁହଁଟି ଜାଜୁଲ୍ୟମାନ । କୋଟି କୋଟି ମଣିଷର ଦୁଃଖର ସ୍ରୋତକୁ ପ୍ରତିରୋଧ କରିବାକୁ ସେ ଏକ ପ୍ରଚଣ୍ଡ ସେତୁ ପରି ଶୋଇଛି ଯେ ଆଉ ଉଠିବନି । ମଣିଷ ପାଇଁ ଉଡ଼ାଇବନି ରକ୍ତର ଝଣ୍ଡା । ବର୍ଷବର୍ଷ ଧରି ସଂଗ୍ରାମ କରିବନି ଶୋଷଣ ବିରୁଦ୍ଧରେ । ଯେଉଁ ବିଶ୍ୱଗ୍ରାସୀ ନିଆଁ ଜର୍ମାନରୁ ରୁଷିଆ, ଚାଇନା, ତାପରେ ବ୍ୟାପିଗଲା ସାରା ପୃଥିବୀକୁ । ସବୁ ପ୍ରହସନ ଏ ଦେଶରେ । ସୁନାର ଗୌରାଙ୍ଗ ମୂର୍ତ୍ତି ଧରାପଡ଼ି ନଥିଲେ ନିରପରାଧ ଗନ୍ଧିଦାସ ବି ଜେଲ୍‌ରୁ ଫେରିନଥାନ୍ତା ।

ପ୍ରମୋଦ ଗନ୍ଧିଦାସର ଗାଁ ହିସାବରେ ପୁତୁରା । ଏବେ ଫେରିଛି କଲେଜ୍‌ରୁ । କଲେଜ୍ ଇଉନିୟନ୍‌ରେ ଛିଡ଼ା ହୋଇ ପ୍ରେସିଡ଼େଣ୍ଟରେ ଜିତିଥିଲା । ଗନ୍ଧିଦାସ ପାଖରେ ବସେ । ପତ୍ରପତ୍ରିକା ପଢ଼େ । ଗନ୍ଧିଦାସର ତ୍ୟାଗମୟ ଜୀବନକୁ ବିଶ୍ଳେଷଣ କରେ । ତାର ଦୁଇପଦ କଥାରେ ପ୍ରମୋଦ ଭିତରେ ବିପ୍ଳବର ନିଆଁ ଜଳିଉଠେ । ପ୍ରମୋଦ ଦେଖେ ଯେପରି ଶୋଷଣ ରାକ୍ଷସମାନେ ମଣିଷର ରକ୍ତ ପିଇବାକୁ ଛୁଟି ଆସୁଛନ୍ତି । ଗନ୍ଧିଦାସର ରକ୍ତମାଂସର ଆଗ୍ନେୟ ପାହାଡ଼ ଭିତରେ ଲାଭା ଗୁଡ଼ିକ ଯେପରି ଟକମକ ହୋଇ ଫୁଟୁଛନ୍ତି । ହେଲେ ଜୀର୍ଣ୍ଣ ଅବୟବକୁ ପ୍ରତିଘାତ କରି ସେମାନେ ଆଉ ଉଦ୍‌ଗୀରଣ ହେଉ ନାହାନ୍ତି । ତାହା ଯେପରି ସେଇ କଙ୍କାଳ ସାର ଶରୀର ଭିତରେ ନିର୍ବାପିତ ହୋଇଯାଉଛି । ନିଃଶେଷ ହୋଇ ଯାଉଛି ରକ୍ତ ମାଂସର ଇଲାକାରେ ।

ଗନ୍ଧିଦାସ ବିଡ଼ିଟିଏ ଉଣ୍ଡାଳୁଛି ପାଖ ଖଣ୍ଡିଆ ବାକ୍ସରେ ହାତ ପୁରାଇ । ଖଣ୍ଡିଆ ବିଡ଼ିଟିଏ ପାଇଲେ ତାକୁ ଫିଙ୍ଗିଦିଏ ନାହିଁ । ଯନ୍ତ୍ରଣାରେ କଡ଼ ଲେଉଟାଏ ବଡ଼ କଷ୍ଟରେ । ସେବା ପାଉନି । ପେଟକୁ କିଛି ଯାଉନି । ଆସ୍ତେ ଆସ୍ତେ ଶୁଖି ସଳିତା ହୋଇ ଯାଉଛି । ସେଇଟିକୁ ପିଇବାକୁ ପାଟିରେ ଗେଞ୍ଜି ଦଉଚି ।

ପ୍ରମୋଦ ବଡ଼ ବ୍ୟସ୍ତ ହୋଇ ପଡ଼ିଲା । ନିଜ ଘରୁ ଦୁଇଖଣ୍ଡ ରୁଟି ଆଣିବାକୁ ଗଲା ଗନ୍ଧିଆଦା ପାଇଁ । ଘରେ ପହଞ୍ଚି ମାକୁ କହିଲା, ମା ଗନ୍ଧିଆଦା ବଡ଼ ଦୟନୀୟ ଅବସ୍ଥାରେ ଅଛି । ଖାଇବା ବିନା ଉଠିପାରୁନି । ଖଣ୍ଡେ ରୁଟି ଦେଲେ ମୁଁ ଦେଇ ଦେଇ ଆସିବି ।

– ଯା, ଯା ସେଇଟା ଚୋର ଡକେଇତ । ତାକୁ ଧର୍ମ ଛାଡ଼ିଲାଣି ଖାଇବା ବିନା । ଶୁଖିଶୁଖି ମରିବ । ଲୋ ମା । ଗାଁ ଦେଉଳରୁ ଦେବତାଙ୍କୁ ଚୋରିକଲା । ସେ ଭୋଗିବନି କିଏ ଭୋଗିବ । ସ୍ୱର୍ଗ ଏଇଠି । ନର୍କ ଏଇଠି ।

– ନାଁ ମା ଗନ୍ଧିଆ ଦା ଚୋରି କରିନି ।

ତୁ ଏକଥା କହୁଛୁ ନା ଗାଁର ଅଶୀ ଘର ଲୋକେ ଏ କଥା କହୁଛନ୍ତି । ସେ ନିଆଁ ଗନ୍ଧିଦାସ ହୃଦୟ ଦେଇ ଫୁଟିବ ସହସ୍ର ଗନ୍ଧିଦାସ ହୃଦୟରେ ।

ମୁହୂର୍ତ୍ତକ ଭିତରେ ଗନ୍ଧିଦାସର ଭଙ୍ଗା କୁଡ଼ିଆଟିରେ ଗାଁର ସବୁ ଲୋକ ଭର୍ତ୍ତି ହୋଇଗଲେ । ପ୍ରମୋଦ ଚାଲିଲା ଆଗରେ ଗାଁ ଗୋଠ କ୍ଷେତ ପାଟ କିଆ ଗୋହିରୀ ଦଣ୍ଡା ନାଳକୁ ଅତିକ୍ରମ କରି । ବଳବନ୍ତ ରାୟ ପଛରୁ ଯେତେ ଚିତ୍କାର କଲେ ବି କେହି ତାଙ୍କ କଥା ଶୁଣିଲେ ନାହିଁ । ଗନ୍ଧିଦାସ ଶୋଇ ନଥିଲା । ଆକାଶକୁ ଚାହିଁଥିଲା । ବିଶାଳ ନୀଳଶୂନ୍ୟର ଇଲାକା । ସୂର୍ଯ୍ୟ ଉଠିଥିଲା ମହାଗଗନକୁ, ପୃଥିବୀ ମୁକ୍ତ ମହାମୁକ୍ତ । ଦୂରରୁ ଶୁଭୁଥିଲା ଶତସହସ୍ର ମଣିଷର କୋଳାହଳ । ମଣିଷର ବିଶାଳ ସମୁଦ୍ର ଉପରେ ନାଚୁଥିଲା ରକ୍ତ ରଙ୍ଗ ପତାକାର ଉନ୍ମତ୍ତ ନହତି । ସେ ଢେଉରେ ପ୍ରତିଧ୍ୱନିତ ହେଉଥିଲା ନୀଳ ଦିଗ୍‌ବଳୟର କରାଳ କାନ୍ଥିନୀ । ମହାକାଳର ଗର୍ଭ ଫଟେଇ ଶୁଭୁଥିଲା-

ଲାଲ୍ ସଲାମ୍ ଗନ୍ଧିଦାସ ଲାଲ୍ ସଲାମ୍ ।

ଲୋକପ୍ରିୟ ଲେଖା

To Top