ଗଳ୍ପ

ଗରିବ

Anusuya Jena's odia story Gariba

ସମୟ ଚକ୍ରରେ ସବୁ ବଦଳି ଯାଇଛି, ସେ ଚାରିଚାରିଟା ଚାକିରି ବଦଳାଇ ଶେଷରେ ବେରୋଜଗାରିଆ ହେଇ ଘରେ ବସିଛି , ଆଉ କୀର୍ତ୍ତି ଉପରେ ହାତ ଖର୍ଚ ପାଇଁ ତାକୁ ନିର୍ଭରଶୀଳ ହବାକୁ ପଡୁଛି ।

ଗରିବ

ଦିନ ସାଢେ ଏଗାରଟା । ସବୁଦିନ ଭଳି ଆଜି ବି ଏଇ ସମୟ ରେ ତା’ ବଜାଜ ସ୍କୁଟର ବାହାର କରିବାକୁ ଥାକରୁ ସ୍କୁଟର ଚାବି ବାହାର କଲା ବିପ୍ଲବ । ଦି’ ଘେରା ବୁଲି ଗୋଟେ ସିଗାରେଟ ଟାଣି ଦେଇ ଆସିଲେ ପୁଣି ମନୋନିବେଶ କରିବ ତା’ର କବିତା ଲେଖିବା କାମରେ । କୀର୍ତ୍ତି ଆଜି କଲେଜ ଯାଇନି , ଛୁଟି ନେଇଛି, ଝିଅର ପଢାପଢି ଦେଖିବା ଲାଗି । ତା’ର ପରୀକ୍ଷା ଦୁଇ ଦିନ ପରେ ଆରମ୍ଭ ହବ । ତା’ ହାତରେ ଚାବି ଦେଖି ଯେମିତି ମୁହଁ କଲା କୀର୍ତ୍ତି , ବିପ୍ଲବ ବେଶ ପଢିପାରିଲା ସେ ମୁହଁର ଭାବକୁ । ମନ ଭିତରଟାକୁ କିଏ ଯେମିତି ରାମ୍ପି ବିଦାରି ପକାଇଲା । ସେ ଭାବିଲା , ଇଏ ସେଇ କୀର୍ତ୍ତି, ଯିଏ ବାଣୀ ବିହାରରେ ପଢିଲା ବେଳେ ଇକୋନୋମିକ୍ସର ଥିଓରି ବୁଝି ନପାରିଲେ ବିନା ଦ୍ଵିଧାରେ ତା’ର ହଷ୍ଟେଲ ରୁମରେ ପହଞ୍ଚି ଯାଉଥିଲା, ତା’ର ଲେଖା କବିତା ସବୁ ଶୁଣିବାକୁ ପାଗଳ ହେଇଯାଉଥିଲା, ରେଜଲ୍ଟ ବାହାରିଲା ଦିନ ସେ ଟପ୍ପର ହେଇଥିଲା ବୋଲି ଗର୍ବରେ ଫାଟି ପଡୁଥିଲା, ଫୁଲେଇ ହଉଥିଲା ତା’ର ଝିଅ ସାଙ୍ଗ ମାନଙ୍କ ଗହଣରେ, ଡିପାର୍ଟମେଣ୍ଟ ଟପ୍ପରର ପ୍ରେମିକା ବୋଲି ??

ସମୟ ଚକ୍ରରେ ସବୁ ବଦଳି ଯାଇଛି, ସେ ଚାରିଚାରିଟା ଚାକିରି ବଦଳାଇ ଶେଷରେ ବେରୋଜଗାରିଆ ହେଇ ଘରେ ବସିଛି , ଆଉ କୀର୍ତ୍ତି ଉପରେ ହାତ ଖର୍ଚ ପାଇଁ ତାକୁ ନିର୍ଭରଶୀଳ ହବାକୁ ପଡୁଛି । ମନର କୋହକୁ ସିଗାରେଟର ଧୂଆଁରେ ଉଡାଇଦେବାଲାଗି ଭାବି ସ୍କୁଟର ଷ୍ଟାର୍ଟ କଲା ବିପ୍ଲବ ।

କାହିଁକି କେଜାଣି ଆଜି ତା’ ସ୍କୁଟର ଟା ଗନ୍ତବ୍ୟ ପାନ, ସିଗାରେଟ ଦୋକାନ ଆଗକୁ ଆହୁରି ଗଡିଗଲା, କ୍ରାଉନ ହୋଟେଲ ସାମ୍ନାରୁ ଆହୁରି ଆଗକୁ । ସବୁଦିନ ସକାଳୁ ସେଠି ମୂଲିଆ, ରେଜା (ମୁଲିଆଣୀ)ଙ୍କର ଦରଦାମ କଷା ଯାଏ, ଯେମିତି ମଣିଷ ନୁହନ୍ତି ସେମାନେ, ହାଟକୁ ଆସିଥିବା ଗୋରୁ ଗାଈ । ଦର କଷା କଷି ରେ ସବୁ ଜୁଆନ କାମିକା ମାନେ ଆଗେ କାମ ପାଇଯାଆନ୍ତି, ମନ ଖୁସିରେ କଣ୍ଟ୍ରାକ୍ଟର ପଠେଇଥିବା ମିନିଟ୍ରକ ଡାଲାରେ ଖୁନ୍ଦିଖାନ୍ଦି ହେଇ କାମ ଜାଗାକୁ ଚାଲିଯାନ୍ତି, ଆଶ୍ଵସ୍ତିରେ ନିଶ୍ଵାସ ମାରି , ଯେ ଆଜି ପେଟ ଅପୋଷା ରହିବନି !! ଏମିତି ଏମିତି ଦଶଟା ଭିତରେ ପ୍ରାୟ ଭିଡ ଭାଙ୍ଗିଯାଏ ସେଠି । କିଛି ଅଲୋଡା , ବୁଢା , ବୁଢୀ ଅବା କାମ ପାଇବା ଲୋଭ ରେ ଆସିଥିବା ଭିନ୍ନକ୍ଷମ ଲୋକ ଅପେକ୍ଷାରେ ରହି ଯାଆନ୍ତି , ଠିକ ଯେମିତି ଗୋରୁ ହାଟ ରେ ବଳକା ରହି ଯାଆନ୍ତି ହଡା ବଳଦ କି ବୁଢୀ ଗାଈ । ବିପ୍ଲବର ନଜର ପଡିଲା ରାସ୍ତା କଡରେ ଥିବା ଡିଭାଇଡର ଉପରେ ମୁଣ୍ଡରେ ହାତ ଦେଇ ବସିଥିବା ବୁଢା ଲୋକଟି ଉପରେ । ତା’ ସ୍କୁଟର ଅବିଳମ୍ବେ ସେ ଆଡକୁ ମାଡିଗଲା ।

“ମଉସା, କାଇଁ ଏମିତି ବସି ପଡିଛ ?” ବୁଢା ତା ଶୁଖିଲା ଓଠରେ ଜିଭ ବୁଲାଇ ଆଣି ବିପ୍ଲବ ଆଡକୁ କରୁଣ ଆଖିରେ ଚାହିଁଲା । ଥର ଥର ଗଳା ରେ କହିଲା ବାବୁ ! କାମ କରିବାକୁ ଯିବି ବୋଲି ଆସିଥିଲି, କିନ୍ତୁ କେହି ସୁପରଭାଇଜର ମତେ ନେଲେନି । ଗଲା ଦି’ ଦିନ ହେଲା କାମ ପାଇନି, ଘରେ ଚୁଲି ଜଳିନି । ଆଜି ବଡ ଆଶାରେ ଆସିଥିଲି କାମ ମିଳିଯିବ ବୋଲି । ବିପ୍ଲବର ମନ ଭିତରଟା ଓଦା ହେଇଗଲା । ଘରେ ଆଉ ସବୁ କିଏ ଅଛନ୍ତି ? ପଚାରିଲା ସେ । ବଢିଲା ଝିଅ, ଆଉ ମୋ ସ୍ତ୍ରୀ । ସ୍ତ୍ରୀ ଟା ମୋର ରୋଗଣୀ ଆଉ ଝିଅକୁ କୁଆଡେ କାମ ପାଇଟି କରିବାକୁ ପଠେଇବାକୁ ଡର ଲାଗେ । ମୁଁ ଯାହା ମୂଲ ପାଏ, ସେଇଥିରେ ଚଳିଯାଉ । ନିଜ ପକେଟ ଅଣ୍ଡାଳିଲା ବିପ୍ଲବ । ମନେ ପଡିଲା, କାଲି ରାତିରେ ଦେଢଶ ଟଙ୍କା ଦେଇଥିଲା କୀର୍ତ୍ତି, ଝିଅର ଦୁଇଟା ଖାତା କିଣିବା ଲାଗି । ଆଚ୍ଛା ମଉସା, ତମକୁ କାମ କଲେ କେତେ ମୂଲ ମିଳେ ଦିନକୁ ? ଏଇ ଶହେ ଚାଳିଶ ଟଙ୍କା । ବୁଢା ଲୋକକୁ ପୂରା ମୂଲ କିଏ ଦବ ବାବୁ ? ବୁଢା କହିଲା । ବିନା ଦ୍ଵିଧାରେ ପକେଟରୁ ଶହେ ଚାଳିଶ ଟଙ୍କା ବାହାର କରି ବୁଢାକୁ ଧରେଇ ଦେଲା ସିଏ । ଏଇ ନିଅ ମଉସା, ଆଜିର ମଜୁରୀ । ଗଛ ଛାଇ ରେ ଯାଇ ବସ । ସଞ୍ଜ ବେଳକୁ କାମିକା ମାନେ ଫେରିଲା ବେଳେ ତାଙ୍କ ସଙ୍ଗେ ଘରକୁ ଫେରିବ , ବାଟରୁ ଆଜି ପାଇଁ ଖାଇବା ଜିନିଷ କିଣି ନବ । ଲୁହ ଭରା ଡବ ଡବ ଆଖିରେ ବୁଢା ଚାହିଁଲା ବିପ୍ଲବ ମୁହଁକୁ ।

ବୁଢା ପାଖରୁ ସ୍କୁଟର ଷ୍ଟାର୍ଟ କରି ବିପ୍ଲବ ମୁହାଁଇଲା ଦୁର୍ଗା ପୂଜା ମଣ୍ଡପ ବସ୍ତି ପାଖରେ ଥିବା ପାନ ଦୋକାନ ପାଖକୁ, ସିଗାରେଟ ଖଣ୍ଡେ ଟାଣିବ ବୋଲି । ପାନ ଦୋକାନ ସାମ୍ନାରେ ସରକାରଙ୍କ ପାଞ୍ଚ ଟଙ୍କିଆ ଆହାର ଯୋଜନା କେନ୍ଦ୍ର । ଭିଡ ଲାଗିଛି ଲୋକଙ୍କର । ନୀରବରେ ସେ ଘର ଭିତରକୁ ଚାହିଁ ବାହାର ବାରଣ୍ଡାରେ ବସିଛନ୍ତି ଆଠ ଦଶ ଜଣ ବୁଢା ବୁଢୀ । ବିପ୍ଲବକୁ ଲାଗିଲା ଗଣ୍ଡେ ଖାଇବା ଲାଗି ସେଇ ପାଞ୍ଚ ଟଙ୍କା ହୁଏତ ଏଇ ଲୋକ ମାନଙ୍କ ପାଖରେ ନାହିଁ । ପୁଣି ପକେଟ ଭିତରେ ହାତ ପୁରାଇଲା ସେ । ଦଶ ଟଙ୍କିଆ ନୋଟ ଖଣ୍ଡେ ଛଡା ଆଉ କିଛି ନାହିଁ । ହତାଶା ଭାବରେ ଆଖି ଜାଲୁଜାଲୁଆ ହେଇ ଗଲା ତା’ର । ଧିକ ତା’ ଜୀବନ କୁ !! ତା’ ପାଠ ପଢାକୁ । ଟଙ୍କା ପଚାଶ ଟା ପକେଟ ରେ ନାହିଁ !! ମନେ ପଡିଲା ବାମ ପକେଟରେ ଦଶ ଟଙ୍କିଆ କଏନ ଟିଏ ଅଛି, କାଲି ରାତିରେ ପରିବା ଦୋକାନୀ ଫେରେଇଥିଲା । ସ୍କୁଟରକୁ ଷ୍ଟାଣ୍ଡ ମାରି ସେ ଲୋକ ମାନଙ୍କ ପାଖକୁ ଗଲା ସିଏ । କୋଡିଏ ଟଙ୍କା ବାହାର କରି ଜଣେ ବୁଢାକୁ ଧରାଇ ଦେଇ କହିଲା , ମଉସା ନିଅ , ଏତିକି ରେ ଚାରିଟା ମିଲ ହେଇଯିବ, ଭାଗ ବାଣ୍ଟି ଖାଇବ ସମସ୍ତେ । ସେମାନଙ୍କ ଭିତରୁ ବୁଢୀ ଟିଏ ତା’ ପାକୁଆ ପାଟିରେ ଅନେକ ଆଶୀର୍ବାଦ କଲ୍ୟାଣ କରି ପକାଇଲା ତାକୁ । ପାନ ଦୋକାନରେ ଗୀତ ବାଜୁଛି : “ ଦୁନିୟା ମେ କିତନା ଗମ ହୈ , ମେରା ଗମ କିତନା କମ ହୈ” । ବିପ୍ଲବ କୁ ଲାଗିଲା ତା’ ଆଖିର ଲୁହ କୁ କିଏ ଦେଖି ପକାଇବ । ବୁଲି ପଡି ତରତର ହେଇ ସ୍କୁଟର ଉପରେ ଯାଇ ବସିପଡିଲା । ମନେ ମନେ ଭାବିଲା, ମୋ ପାଖରେ ସିନା ପଇସା ନାହିଁ, ଅନେକ ସାଙ୍ଗ ମାନେ ତ ଖୁବ ଭଲ ରେ ଅଛନ୍ତି । ଯଦି ହଜାରେ ଟଙ୍କା ଲେଖାଏ ଜଣେ ଜଣେ ଦିଅନ୍ତି, ତାହେଲେ ପାଞ୍ଚ ଜଣ ମିଶିଲେ ପାଞ୍ଚ ହଜାର ଟଙ୍କା ଦେଇପାରିବେ, ସେଥିରେ ମାସକୁ ଅତି କମରେ ତିରିଶ, ଚାଳିଶ ଜଣ ଏମିତି ଅସହାୟ ଲୋକ ଓଳିଏ ଖାଇପାରିବେ ।

ସବୁଠୁ ଆଗେ ବିକାଶର ନାମ ମନକୁ ଆସିଲା ତା’ର । ସେଲରେ କାମ କରୁଛି, ମାସକୁ ଦେଢ ଲକ୍ଷ ଉପରେ ଦରମା ବୋଲି ଅନେକ ଥର ଗର୍ବରେ କହିଛି, ତା’ ଲାଗି ହଜାରେ ଟଙ୍କା ଦେବା ନିହାତି ସାଧାରଣ କଥା ହେବ ନିଶ୍ଚୟ ଭାବି ତାକୁ କଲ କଲା ସେ । ବିକାଶର ନମ୍ବରରେ ପାଞ୍ଚ ସାତ ଟା ରିଂ ପରେ ଉଠାଇଲା ସେ । ଆରେ ଭାଇ ! ସରି, ଆଜି ଛୁଟି ରେ ଅଛି, ଶୋଇ ପଡିଥିଲି । କାଲି ରାତିରେ ପାର୍ଟି ଥିଲା, ହ୍ୟାଙ୍ଗ ଓଭର ଏଯାଏ ଯାଇନି । କାଇଁ ଫୋନ କରିଥିଲୁ କହ । ବିପ୍ଲବର ହଜାରେ ଟଙ୍କିଆ ପ୍ରସ୍ତାବକୁ ସିଧା ସଳଖ ନାକଚ କରିଦେଲା ବିକାଶ । ଆରେ , ତୁ କାହିଁକି ଏତେ ଗୋପବନ୍ଧୁ ହବାକୁ ମନ ବଳେଇଛୁ କହିଲୁ ବିପ୍ଲବ ?? ସରକାର ତ ଅଛି ନା ସେମାନଙ୍କ ପାଇଁ । ହଉ, ମୁଁ ତୋ ସାଙ୍ଗେ ପରେ କଥା ହେବି, କହି ଫୋନ କାଟିଦେଲା ବିକାଶ । ଦୀର୍ଘଶ୍ଵାସ ଟିଏ ମାରିଲା ବିପ୍ଲବ । ବିକାଶ କୋଉ ପାର୍ଟି କଥା କହୁଛି, ଅଛପା ନଥିଲା ତାକୁ । ଆଜିକାଲି ରାଜଧାନୀରେ ଗୋଟେ ନୂଆ ଫେସନ ହେଇଛି, ବଡ ବଡ ହୋଟେଲର ବନ୍ଦ ହଲରେ ଝିଅଙ୍କୁ ନଚାଇବା, ଆଉ ଅଧା ବୟସର ପୁରୁଷ ମହିଳା ମାନେ ତାଙ୍କ ସଙ୍ଗେ ନିଶାସକ୍ତ ହେଇ ନାଚି ନାଚି ସେମାନଙ୍କ ଉପରେ ଟଙ୍କା ବିଞ୍ଚିବା । ଇଏ ସେଇ ବିକାଶଟି, ସାଙ୍ଗ ହେଇ ପାଠ ପଢିଲା ବେଳେ ତା’ ଠାରୁ କେତେ ଉଧାର ନେଇ ଦେଇନି, ଗରିବ ପରିବାର ରୁ ଆସିଥିବାର ଦ୍ଵାହି ଦେଇ !! ଆଜି ପେଟ ର ଭୋକ କଣ ସେ ଭୁଲିଗଲା ??

ବିପ୍ଲବର ମନ ଭିତରେ ଗୁଣି ହେଉଥିଲା ସତରେ ଗରିବ କିଏ ?? ଆଜି ଭେଟିଥିବା ମଣିଷ ମାନେ, ଝିଅର ଖାତା କିଣା ପଇସା ଦାନ କରି ଦେଇ ଶୂନ୍ୟ ପକେଟରେ ଘରକୁ ଫେରୁଥିବା ସେ, ନା ନିଜ ବିବେକକୁ ପୋଡି ଖାଇ ପବନଦୋଳିରେ ଭାସୁଥିବା ବିକାଶ ??

ଲୋକପ୍ରିୟ ଲେଖା

To Top