ଗଳ୍ପ

ଘର

Pradip Nayak's odia story Ghara

ସେତେବେଳେ ପାଞ୍ଚହଜାର ଟଙ୍କାର ଦରମାରେ ଯେମିତି ଚାଲୁଥିଲା ଘର ଆଜିବି ପଚାଶ ହଜାର ଘରକୁ ଆସିଲେ ସେଇ ଏକାକଥା । ଯେଡେ ବାଉଁଶ ସେଡ଼େ ପୋଲ ।

ଘର

ପରିବାର ଭିତରେ ସବୁ ବାପାଙ୍କର ଭୂମିକା କ’ଣ ଏମିତି ? ଗୋଟେ ଘର ସଜାଡ଼ିବାରେ ଯେତେ କଣା, ଫଟା ସେଥିରେ ବାପା ହିଁ ମଲମ ପରି କେଉଁଠି ନେସି ହେଇ ଯାଆନ୍ତି ତ ଆଉ କେଉଁଠି ମେଞ୍ଚାଏ ହେଇ ଥୁଆ ହୁଅନ୍ତି । ମାଆ ! ଘର ହଉପଛେ ଝାଟିମାଟି, କାନ୍ଥରୁ ଖସି ପଡୁଥିବା ମାଟି ପୁଳାକୁ ସେଇଠି ଖପେଇ ଦେଇ ସଜ ଗୋବରରେ ଲିପି ଆଣିଲା ବେଳକୁ ଗୋଟିଏ ନୂଆ ଅନୁଭୂତିରେ ତା’ ମନ ଫମ୍ପେଇ ଉଠେ । ନହେଉ ଚୂନଧଉଳା କାନ୍ଥ । ନ ଥାଉ ଖାଇବା ଟେବୁଲ୍ । ତାଳପତ୍ର ଚଟ ପକେଇ ପଖାଳ ବେଲାଏ ବାଢ଼ିଦେଇ ବିଞ୍ଚଣା ଧରି ପାଖରେ ବସିଗଲେ ବାପାଙ୍କ ପେଟ ପୂରା, ମାଆର ଅଭାବି ମନ ବି ପୁରା ।

ରାଜୀବର ଏବେ ବି ମନେଅଛି ବାପା ମାଆ କଉଠି ଦଣ୍ଡେ ବସିଗଲେ କଥାପଡ଼େ ଅଣ୍ଟାବିଲରୁ ପୁଳାଏ ମାଟି ନ ଉଠିଲେ ଲୁଣା ମାରି ଯାଉଚି । ଖଣି ଏ ବର୍ଷ ସଅଳ ସଅଳ ନ ଖୋଳିଲେ ଧାନ ବରି ଲାଗିଯାଉଚି । ହଳୁଆ ଗାଈଟାକୁ ପାଖ ଗାଁ ଷଣ୍ଢ ପାଖକୁ ନବାକୁ ହବ । ଦି’ଥର ଫେରେଇଲାଣି । ଅଣ୍ଡିରା ବର୍ତ୍ତ ହବ । ପାହିରୁ ସଞ୍ଜାଧାନ ଆସିବ । ବଡ଼ବଡୁଆଙ୍କ ଶ୍ରାଦ୍ଧପୂର୍ବରୁ ସିକାରେ ଚୂନ ଦିଆ ହେଇ ରଖାଯାଇଥିବା ବୋଇତି କଖାରୁ ପଚି ଯାଉଚି । ମାମୁଁଘରକୁ ଜେଜେଙ୍କ ପ୍ରାୟଶ୍ଚିତ୍ତ କାମ ପାଇଁ କିଛି ନିମତ୍ତା ପଠେଇବାକୁ ପଡ଼ିବ । ଭାୟାଘର ଗୁଆ ଦେଇଯାଇଛନ୍ତି ସେଠିକି ବେଭାର ଯିବ । ଗାଁ ଠାକୁରାଣୀଙ୍କ ଘର ଛାଆ ପାଇଁ ବଦଳ ମଣିଷ ପଠେଇବାକୁ ହେବ । କଥା ଭିତରେ ଆସୁଥିବ ପୁଅ ରାଜୀବ ଏଥର ହାଇସ୍କୁଲ୍ରେ ନାଆଁ ଲେଖିବ । ତା’ ପାଇଁ ସ୍କୁଲ୍ ଡ୍ରେସ୍, ବହିଖାତା । ସାନଝିଅ ରତି ପାଇଁ ଖଣ୍ଡେ ଜାମା, ତା’ ମେଧାବୃତ୍ତି ପରୀକ୍ଷା ପାଇଁ ଗାଡ଼ିଭଡ଼ା ।

ସତରେ ଏତେ ସବୁ ଭିତରେ ଥାଏ ସଂସାର ।

ରାଜୀବ ବେଳେବେଳେ ଭାବେ ଶିକାରେ ଘିଅ, ଝାମ୍ପ ମାରିମାରି ବିଲେଇ ଅସଫଳ, ତଥାପି କେବେ ଘର ଛାଡ଼ି ଦୂରକୁ ପଳାଇ ଯାଏନା । ଗୋଟିଏ ଦୂରନ୍ତପ୍ରାପ୍ତି, ସୁଖ ଆଶାରେ ମଣିଷ ମଧ୍ୟ ସଂସାର ଛାଡ଼ି କୁଆଡ଼େ ଯାଇପାରେନା । ଲଟପଟ ହେଉଥାଏ ଘର ଭିତରେ । ସବୁ ଏକାକଥା ।

କି ମାୟା ଥାଏ ଘର ପରିବାରରେ । ବାପା ମାଆଙ୍କର କ’ଣ ଏଇ ଚିନ୍ତାରେ ନିଦ ହଜିଯାଏ ନା କ’ଣ । ପାହାନ୍ତି ପହରକୁ ବେଳେବେଳେ ନିଦ ଭାଙ୍ଗିଗଲେ ରାଜୀବ ଶୁଣେ ବାପା ମାଆଙ୍କ ଭିତରର କଥା । ନଡ଼ିଆଗଛ ନୂଆ ଚଅଁର କାଢ଼ିଚି । ପ୍ରଥମ କେନ୍ଦା କଟାଯିବ । ପୁରୁଣା ସଜନା ଗଛ ଗଣ୍ଡିରେ ପୋକ ଲାଗୁଛି ଗ୍ରାମାକ୍ସିନ୍ ଆସିବ, ଅଣ୍ଡିରା ହାଟରେ ବିକ୍ରି ହବ ।

ସତକୁ ସତ ସେଇମିତି ଚାଲୁଥାଏ ଘର । ବାହା ନିମତ୍ତା ଆସୁଥାଏ ଯାଉଥାଏ । ଗୋରୁଖିଆ ବିଲ ପାଖରେ ପହିଟେକା ହେଇ ଝଟା ଦିଆଯାଏ । ପାଳକ ଦେଖି ଭାଗଚାଷୀ ସଞ୍ଜାଧାନରେ କାଟକସୁର୍ କରେ । ଆର୍.ଆଇ. ପାଖରେ ନୂଆ ବର୍ଷ ପାଇଁ ପାଉତି କଟାହୁଏ । ଭୋଟ ପରିଚୟ ପତ୍ରରେ ତ୍ରୁଟି ପାଇଁ ପଞ୍ଚାୟତ ଅଫିସ୍ ଯାଉଥାନ୍ତି ବାପା । ବଢ଼ିପାଣିରେ ବିଲ ଧୋଇ ଅମାର ଖାଲି ହୁଏ । ଅଭାବବୋଧ ପାଖରେ ବାପା ମାଆ ସାଲିସ୍ କରି ଯାଉଥାନ୍ତି । ଲୋଚାକୋଚା ଧରେ ବାପାଙ୍କ ଚମ । ଧୋବ ଫରଫର ମାଆର ସିନ୍ଥି ମଝିରେ ଜକଜକ ଦିଶୁଥାଏ ସିନ୍ଦୂର । ଜାଉ ରନ୍ଧାହୁଏ ରତିର ନୂଆ ଗାଧୁଆ ପାଇଁ । ମାଆ ବସି ଏକାନ୍ତରେ ବାହୁନେ । ବାପାଙ୍କ ମଥାରେ ବଳିରେଖା ସ୍ପଷ୍ଟ ହେଇ ଦିଶିଯାଏ । ମାଆ କାନର ପେଣ୍ଡି, ହାତର ବାହୁଟି ଭଙ୍ଗା ହେଇ ରତି ପାଇଁ ଗହଣା ଗଢ଼ାହୁଏ । ତା’ ଭିତରେ ସିଏ ନିଜେ ହାଇସ୍କୁଲ ପାଠ ପଢ଼ାସାରି କଲେଜ ଯାଏ ।

ରାଜୀବ ଆଖିରୁ କେବେ ହଜିଯାଏନା ତା’ କଲେଜ ପଢ଼ା ବେଳର ଚିତ୍ର । ଗୋଟିଏ ଫୋନ୍ ନମ୍ୱର ଲେଖାଥିବା କାଗଜଖଣ୍ଡକୁ ମାଆ ସାତଗଣ୍ଠି କରି ରଖିଥିବ । ବାର ବାର କହୁଥିବ ପୁଅ ପାଖକୁ ବାରତା ଆସିଲାକି ନାହିଁ । ବାପାଙ୍କୁ ଝୁଣି ପକଉଥିବ ପାଖ ବଜାରର ଫୋନବୁଥ୍‌କୁ ଯାଇ ପୁଅର ଦେହପା’ ଖବର ବୁଝିବାକୁ । ସେ ମୋଡ଼ାମକଚା କାଗଜଖଣ୍ଡକ ଯେମିତି ତା’ ପୁଅ । ହାଏ !

କଲେଜ ପାଠପଢ଼ା ଶେଷ କରି ସିଏ ଯେତେବେଳେ କିଛି କାମଧନ୍ଦା ନ ପାଏ, ଗାଁରେ ବୁଲୁଥାଏ, କିଛି ରାଜନୀତିଆ ଲୋକ ଆସି ବାପାଙ୍କୁ ଫୁସୁଲାନ୍ତି. . . ରାଜୀବକୁ ସରପଞ୍ଚରେ ଠିଆ କରାଅ । କେଜାଣି କାହିଁକି ବାପା ମନା କରିଦିଅନ୍ତି ସେମାନଙ୍କୁ । ସେମାନେ ମଧ୍ୟ ବାପାଙ୍କୁ ପୁରୁଣା କଂଗ୍ରେସିଆ ବୋଲି କହନ୍ତି । ସମବାୟ ଋଣ ଚାହୁଁଥିବା ବାପାଙ୍କ ନାଆଁକୁ ସେମାନେ ଚାଲ୍ କରି କାଟି ଦିଅନ୍ତି । ଆଧାର କାର୍ଡରେ ପୁଅର ନାଆଁକୁ ଅଲଗା କରି ପରିବାର ନମ୍ୱରକୁ ଅଲଗା କରାଇବା ପାଇଁ ବାପାଙ୍କୁ ଯେତେ କହିଲେ ମଧ୍ୟ ସିଏ ମନା କରନ୍ତି ।

ବାପାଙ୍କ ମୁହଁରେ ଖୁସିର ଝଲକ ସେଇଦିନ ଦେଖିଚି ରାଜୀବ । ଯେଉଁଦିନ ତା’ ଚାକିରି ଖବର ସାରା ଗାଁରେ ଖେଳିଗଲା । ରାଜୀବ କିନ୍ତୁ ରାଜି ନ ଥିଲା କଚେରିରେ କିରାଣି ଚାକିରି କରିବା ପାଇଁ । ବାପା କିନ୍ତୁ ବୁଝେଇଲେ ଧୈର୍ଯ୍ୟ ଧରି ପଡ଼ିରହ । କାହାକୁ ଛୋଟ ମଣିବା ଦରକାର ନାହିଁ । ସେତେବେଳେ ପାଞ୍ଚହଜାର ଟଙ୍କାର ଦରମାରେ ଯେମିତି ଚାଲୁଥିଲା ଘର ଆଜିବି ପଚାଶ ହଜାର ଘରକୁ ଆସିଲେ ସେଇ ଏକାକଥା । ଯେଡେ ବାଉଁଶ ସେଡ଼େ ପୋଲ । ତେବେ ତା’ ଭିତରେ ବି ଘରର ପିଣ୍ଡା, ଅଗଣା ସିମେଣ୍ଟ ପଲସ୍ତରା ହଉଥାଏ । ଚଉଁରା ଗଢ଼ା ହେଇ ଲମ୍ୱା ବାଉଁଶରେ ଆକାଶଦୀପ ଉଠେ । ଘର ଆଗରେ ସାମିଆନା ବନ୍ଧା ହେଇ, ମାଇକ୍ ବାଜେ । ଜୋଇଁକୁ ତିରିଶ ହଜାର ବାଟଖର୍ଚ୍ଚ ଦିଆଯାଇ ରତିର ବାହାଘର କରାଯାଏ ।

ରତିର ବାହାଘର ପରେ ବାପା ମାଆ କେମିତି ଗୋଟେ ଉଦାସ ହେଇ ପଡୁଥିବେ । କିଛିଦିନ ବାପା ଭାତକଂସା ପାଖରେ ବସି ଲୁଣଟିକେ ମାଗିବାକୁ ଯାଇ ମୁହଁରୁ ତାଙ୍କର ବାହାରି ଯାଉଥିବ- “ରତି ଲୁଣ ଟିକେ ଆଣିଲୁରେ ମା’ ।” ସେଇ ତୁଣ୍ଡ କିଛିଦିନ ପରେ ସଳଖି ଯାଉଥିବ । ଆମ ସାହିର ପାଟଓଷେଇତି ରତି ଦୂର ଗାଁରେ ବୋହୂ ସାଜି ଖୁଦୁରୁକୁଣୀ ଓଷା କରୁଥିବ । ଏପଟେ ମାଆ ସଜାଡୁଥିବ ତା’ ପାଇଁ ବେଭାର । ମୂର୍ତ୍ତି ପାଇଁ ଟଙ୍କା । ଅମାରରୁ ବିକ୍ରି ହଉଥିବ ଧାନ । ବେଳେବେଳେ ସମୟର ବଦଳୁଥିବା ରାସ୍ତା ମୋଡ଼ରେ ବାପା ଜଳକା ହେଇ ଠିଆ ହେଇ ଯାଉଥିବେ ।

ରାଜୀବର ଖୁବ୍ ମନେପଡ଼େ ତା’ ବାହାଘର ବେଳର କଥା । ତାକୁ ହାତକୁ ଦି’ହାତ କରିବାର କି ଚିନ୍ତା ବାପାଙ୍କର । ସେଇ ବୁଢ଼ା ବୟସରେ ବି ଛତା, ଚପଲ ମାଡ଼ି ବାହାରି ପଡ଼ିବେ ବୋହୂ ଘର ଖୋଜିବା ପାଇଁ । ଘରକୁ ବି ପ୍ରସ୍ତାବ ଆସୁଥିବ । ଏମିତି ତ ଘରକୁ ଆସୁଥିବା ଭଦ୍ରଲୋକଙ୍କ ପାଇଁ ବାପା, ଚୁଡ଼ା, ଚାଉଳ, ମିଠେଇ, ନଡ଼ିଆ କୋରା ସଜାଡ଼ିବା ବେଳକୁ ରାଜୀବ ନିଜେ ବଜାରକୁ ଦଉଡ଼େ । ସେସବୁ ପୁରୁଣାକାଳିଆ କହି ଭଦ୍ରଲୋକଙ୍କ ପାଇଁ ଆଣି ଥୋଇଦିଏ ସିଙ୍ଗଡ଼ା, ବରା, ଛେନାପୋଡ଼ । ବାପା ତା’ ମୁହଁକୁ ଖାଲି ଚାହିଁ ରହନ୍ତି ଯାହା, ପାଟି ଖୋଲନ୍ତି ନାହିଁ । ଘରର ଚୁଆଦିଆ ପାନ ବଦଳରେ ଜର୍ଦା ମସଲାର ପାନ ଥୁଆ ହୁଏ କୁଣିଆଙ୍କ ଥାଳିଆରେ ।

ପୁଅ ବାହାଘର ସାରିଦେଇ ବାପା ଯେ ନିଶ୍ଚିତ ହେଇ ଯାଇଥିଲେ ତା’ ନୁହଁ ବେଳେବେଳେ ଆଉ ଗୋଟିଏ ଦୂରନ୍ତ ସ୍ୱପ୍ନ, ଅନାଗତ ଭବିଷ୍ୟତ ପାଇଁ ମୋହଗ୍ରସ୍ତ ହେଇପଡୁଥିଲେ । ନାତି କି ନାତୁଣୀ ! ରାଜୀବର ଯେତେବେଳେ ପ୍ରଥମ ଝିଅ ଜନ୍ମ ହେଲା ସମସ୍ତେ ଖୁସି ହେଲେ । ଟିକି ଝିଅର ଲାଲ୍ ଟୁକୁଟୁକୁ ଓଠରେ ହାତ ମାରିଦେଇ ବାପା କହୁଥିଲେ “ମୋ- ଲକ୍ଷ୍ମୀ ଠାକୁରାଣୀ କିରେ !” କିନ୍ତୁ ଦ୍ୱିତୀୟଟି ପୁଅ ହେଇ ଆସୁ, ନାତି ଟୋକାକୁ କାନ୍ଧରେ ବସେଇ ଗାଁ ମେଳାକୁ ଯାଆନ୍ତୁ ଏକଥା ବି ମନେ ମନେ ଚାହୁଁଥିଲେ । ମାଆ କେତେ ମାଜଣା ନ ଦେଇଚି ଠାକୁରାଣୀଙ୍କ ପାଖରେ । କେତେ ଦେବଦେବୀଙ୍କ ପାଖରେ ନ ମନାସିଚି ଭୋଗ । ହେଲା ନାହିଁ । ଦ୍ୱିତୀୟ ଗର୍ଭ ଝିଅ । ଅବଶ୍ୟ ମନକଥା ମନରେ ମରିଯାଇଥିଲା ସମସ୍ତଙ୍କର । ପାଟିରେ ପଉଟି ନାହିଁ । ତା’ ସତ୍ତ୍ୱେ ବି ଚୁପ୍ ହେଇ ନାହିଁ ମାଆ ନାତି ନିଶାରେ । ସେଇ ନିଶାରେ କି କ’ଣ କୋରପୋଛା ହେଇ ନାତି ମୋହନ ଆସିଲା । ଖୁସିର ଠିକଣା ରହିଲା ନାହିଁ ଘରେ । ନାତି ଟୋକାର ଷଠୀପୂଜା ହବ, ଚୂଳ ପକା କର୍ମ ହବ, କ’ଣ କ’ଣ ଚାଲିଲା ମାଆର । କିନ୍ତୁ ନାତି ଟୋକା ମୋହନର ଷୋଳପୂଜା ଦେଖିବାକୁ ଅଜା ନଥିଲେ । ଗୋଟେ ଅସମାପ୍ତ ଇଚ୍ଛାର ବଳବତ୍ତୀ ବାପା ଚାରିକାନ୍ଧରେ ମଶାଣି ଗଲେ ।

ରାଜୀବ ଏଇସବୁ ଭାବିଲା ବେଳେ କାହିଁକି କେଜାଣି ହସ ଲାଗେ । ସତରେ ସୁନା ଆସିଲା ବେଳକୁ କାନ ନାହିଁ । କେବେ କାନ ତୁଚ୍ଛାଟାକୁ ଦୋହଲୁଚି ରତିଏ ସୁନା ପାଇଁ । ପ୍ରାପ୍ତି, ଅପ୍ରାପ୍ତିର ବାଘବକ୍ରୀ ଖେଳ ।

ବାପା ଚାଲିଯିବା ପରେ ପରେ ରାଜୀବ ଅନୁଭବ କରେ ସିଏ ଯେମିତି ବୟସିଆ ହେଇଯାଉଚି । ଚାହିଁ ନ ଚାହିଁ ମଧ୍ୟ ମୁରବି । ଘରର ସବୁ ଦାୟିତ୍ୱ ଆପେ ଆପେ ଖସି ଆସୁଚି କାନ୍ଧକୁ । ପୁରୁଣା ଘରର କାନ୍ଥ, ଓରା, ଶେଣି, ଜନ୍ତୁରି, ପେଲା ତାକୁ ଚେତେଇ ଦଉଚନ୍ତି- ଏବେ ତୁ ବାପା ହେଇଗଲୁ । ଝିଅ ପୁଅଙ୍କ ଡାକରେ ଏ ଯାଏ ନିଜକୁ ବାପା ବୋଲି ଭାବି ନଥିବା ରାଜୀବ ସତକୁ ସତ ଏ ଦାୟିତ୍ୱ ଡାକରେ ବାପା ।

ରାଜୀବକୁ ସ୍ତ୍ରୀ ନୀଳିମା କାନେ କାନେ କହେ- ତମ ଚାକିରୀ ଆଉ କେତେ ଦିନ ରହିଲା । ହଇଓ ଜୀବନରେ କିଛି ବି କରି ପାରିଲନି । କିଛି ନ ହେଲା ନାଇଁ ଘର ଖଣ୍ଡେ ତ କର । ବାପାଙ୍କ ଅମଳର ଘରକୁ ନିରବରେ ଚାହିଁ ରହେ ସିଏ । କେତେ କଥା ମନକୁ ଆସେ ତା’ର । ସତରେ ଏ ଘରକୁ ଭାଙ୍ଗି ଦବ । ଏତକ ସନ୍ତକ ଅଛି ବୋଲି ତ ବାପ, ଗୋସଁବାପ ମନେ ପଡୁଛନ୍ତି । ଶେଷରେ ପିଲାମାନଙ୍କ ଜିଦ୍, ଆଗରେ ଚୁପ୍ ରହିବାକୁ ପଡ଼େ ନିଜକୁ ।

ମନର ଡେଣା ଲାଗିଲା ବେଳକୁ, ପାଠଶାଠ ପଢ଼ି ପିଲାମାନେ ବଡ଼ ହେଲାବେଳକୁ ରାଜୀବ ଅନୁଭବ କରେ ସିଏ ଯେମିତି ଅଦରକାରୀ ହେଇପଡୁଚି । ପରିବାର ଭିତରେ କିଛି ଗୋଟାଏ ସମସ୍ୟା ପାଇଁ ତା’ର ନିଷ୍ପତ୍ତି ପୁରୁଣା କାଳିଆ ସାବ୍ୟସ୍ତ ହେଉଚି । ବଢ଼ିଲା ପିଲାମାନଙ୍କୁ କିଛି ଗୋଟେ କହିବା ପୂର୍ବରୁ ନିଜ ଭିତରେ ନିଜେ ଅସହାୟ ଅନୁଭବ କରନ୍ତି । ବଡ଼ ନାତୁଣୀକୁ ଅଧାନଙ୍ଗୁଳି କହି କଟାକ୍ଷ କରୁଥିବା ଜେଜିମାଆ ବି ବାଟକାଟେ ପରପାରିକୁ । ସେ ବୋଧହୁଏ ଦେଖିବାକୁ ଇଚ୍ଛା କରେନା-ଦିନେ ତା’ ବଡ଼ ନାତୁଣୀ ବିନା ବେଦୀ ବନ୍ଦାପନାରେ କଉ ଗୋଟେ ଟୋକା ସହ ରାତି ଅଧରେ ଘରଛାଡ଼ି ଚାଲିଯିବ ।

ମୋହନ ଚାକିରି କରିବା ଏବଂ ଦ୍ୱିତୀୟ ଝିଅର ବାହାଘର ପରେ କିଛି କାମ ନିଜ ମୁଣ୍ଡରୁ ଓହ୍ଲେଇ ଯାଇଥିବାର ଅନୁଭବ ହୁଏ ରାଜୀବକୁ । ହେଲେ ମୁକ୍ତି କାଇଁ । ଶାନ୍ତି କଉଠି ? ଚାଷ ବାସ କେବେଠୁ ଭାଗରେ ଚାଲୁଥିବାରୁ ଭାବନ୍ତି ଏବେ ବୋଧହୁଏ କାମ କିଛି ନାହିଁ କିନ୍ତୁ ଜମି ବାଡ଼ିରେ ମାଲିମକଦ୍ଦମା, ଅବୁଝା ପଡ଼ିଶା ଏମାନଙ୍କୁ ନେଇ ଜୀବନ ଦୁର୍ବିସହ । ମୋହନ କଉ ଗୋଟେ ଫେସ୍‌ବୁକ୍‌ରେ ପରିଚୟ ହୋଇଥିବା ଝିଅକୁ ବାହାହୁଏ ତା’ ଚାକିରୀ କରୁଥିବା ସହରରେ । କେବଳ ନାଆଁଧରା ଭାବରେ ବୋହୂକୁ ନେଇ ଘରକୁ ଆସେ । ସାଇପଡ଼ିଶାରେ ନିନ୍ଦା ଆଉ ଲାଜ ପାଇଁ ଭୋଜି ଦିଆହୁଏ । ଅସ୍ଥାୟୀ ଗୋଟେ ବସାଘରକୁ ଆସିଥିବା ପୁଅବୋହୂ ଦିନ କେତେଟାରେ ଫୁର୍ର ମାରନ୍ତି । ଗଲାବେଳେ କଥାଧରା କରି ବାପାମାଆଙ୍କୁ ତାଙ୍କ ସାଙ୍ଗରେ ବୁଲିଯିବାକୁ କହନ୍ତି ।

ପ୍ରୌଢ଼ାବସ୍ଥାରେ ରାଜୀବ ସ୍ତ୍ରୀ ଅନିମା ଶୂନ୍ୟ ଘରର ଚାରିକାନ୍ଥ, ଖାଁ-ଖାଁ ଅଗଣା, ବାଡ଼ି ହେଇ ଗୋଟେ ବିରହୀ ଯକ୍ଷ ପରି ଛଟପଟ ହୁଅନ୍ତି । ଚଷମାର ଲେନ୍ସ ବଦଳେଇବା ପାଇଁ ଯେଉଁ ଭାଇଘର ସାଙ୍ଗରେ ମନାନ୍ତର ସେଇ ପୁତୁରାର ହାତ ଧରନ୍ତି । ତୁଟି ତୁଟି ଯାଉଥିବା ଭଗାରିମାନଙ୍କ ସହ ସମ୍ପର୍କ ଯୋଡ଼ି ଖୁସି ହୁଅନ୍ତି । ବଡ଼ଝିଅ ବେଳେବେଳେ ଜ୍ୱାଇଁକୁ ସାଙ୍ଗରେ ଧରି ଲୋଚାକୋଚା ମନ ନେଇ ଆସେ । ବାପା ହିସାବରେ ସିଏ ଝିଅର ଭବିଷ୍ୟତ ପାଇଁ ପରାମର୍ଶ ଦିଅନ୍ତି । ଘରୁ ବିଦା ହେବାବେଳେ ଝିଅ ହାତରେ କିଛି ଗୋଟେ ଦେବାକୁ ଚାହିଁ ତାଙ୍କ ବହୁଦିନର ସାଇତା କିଛି ଟଙ୍କା, ସ୍ତ୍ରୀ ଅନିମାର ଗୋଟେ ଯୋଡ଼େ ଗହଣା ଧରେଇ ଦିଅନ୍ତି । ମନକୁ ବୁଝାନ୍ତି- ଏଇତ ସମ୍ପର୍କ ! ଏଇମାନଙ୍କୁ ନେଇ ସଂସାର । ବଦଳି ଯାଉଥିବା ଏଇ ସମ୍ପର୍କର ପରିଭାଷାକୁ ତାଙ୍କୁ ସ୍ୱୀକାର କରିବାକୁ ହବ । ପିଲାଙ୍କ ଆଖିରେ ଏବେ ହଜାରେ ରାସ୍ତା, ମନରେ ଉଡ଼ିବାର ମୋହ । କେବଳ କେହି ବି ଜାଣେନା ସେ ଉଡ଼ାଣଖୋର ମନର ପରିସମାପ୍ତି କଉଠି, କେମିତି ? ଦେଖୁଥିବା ସ୍ୱପ୍ନର ସ୍ଥିତି କ’ଣ ?

ଅନିମାଙ୍କ ସଫେଦ ପଡ଼ିଆସୁଥିବା କେଶରାଶି, ମଳିନ ପଡ଼ିଆସୁଥିବା ଦେହର ରଙ୍ଗ, ପରଳ ମାଡ଼ି ଆସୁଥିବା ଆଖିକୁ ଚାହିଁ ଦେଲେ ଭାରି ଅସହାୟବୋଧ କରନ୍ତି ରାଜୀବ । ଜୀବନସାରା ଯାହା ହାତ ଧରି ଚାଲିବାର ଇଚ୍ଛା ସେଇ ସ୍ତ୍ରୀକୁ ଦେଖିଦେଲେ କୁହୁଡ଼ି କୁହୁଡ଼ି ପରି ଦିଶେ । ଯାହା ଆଦୌ ସମ୍ଭବ ନୁହେଁ ସେଇ ନାତିନାତୁଣୀ ନାଚକୁଦ ଶୋଇ ଶୋଇ ସିଏ ସ୍ୱପ୍ନ ଦେଖନ୍ତି । ମନେହୁଏ ସେମାନେ ତାଙ୍କ ପାଖେ ପାଖେ ଅଛନ୍ତି । ହାତରୁ ଖସିପଡୁଥିବା ବେତବାଡ଼ି ଉଠେଇ ଦଉଚନ୍ତି । ଜେଜିମା’ର କାନିଧରି ଲୋଟଣି ଖାଉଚନ୍ତି । ସିଏ ତାଙ୍କ ପେନ୍‌ସନ୍ ପଇସାରୁ ଟ୍ରାଇ ସାଇକେଲ୍ କିଣି ଦଉଛନ୍ତି ସେମାନଙ୍କୁ । ସ୍ୱପ୍ନ ଭାଙ୍ଗିଗଲା ପରେ ଗୋଟେ ଧୁ’ ଧୁ’ ବାସ୍ତବତା ଭିତରେ ତଣ୍ଟି ଶୁଖିଯାଏ । ପାଖରେ କାହାକୁ ନ ଦେଖି ଡାକ ପକାନ୍ତି- “ଆରେ ଶୁଣୁଚ. . . ।”

ସକାଳୁ ସଞ୍ଜ ଅନିମା ତୁଚ୍ଛାଟାରେ ଟହଲ ଖାଉଥାନ୍ତି ଘର ଭିତରେ । ରୋଷେଇ ଟିକକ ସାରିଦେବା ପରେ ବସ୍ତୁତଃ କିଛି କାମ ନଥାଏ ହାତରେ । କାହା ସାଙ୍ଗରେ ପଦେ କଥା ହେବାକୁ ଚାହିଁଲେ ଚାରିଆଡ଼ ଶୂନ୍ ଶୂନ୍ ଦିଶେ । ଇଚ୍ଛା କରନ୍ତି ପାଖରେ ପିଲାମାନେ ଥାଆନ୍ତେ କି ? କେତେ ପ୍ରକାରର ରାନ୍ଧି ପରଶି ଦିଅନ୍ତେ । ବାଡ଼ିଗଛରେ ପିଜୁଳି ପାଚି ଝଡ଼େ । କଦଳୀ ଗଛରେ କେତେବେଳେ କଦଳୀ ପାଚି ମାଙ୍କଡ଼ ଖାଏ । ବାଡ଼ିରୁ ଶାଗ ପଡ଼ିଶାଘର ତୋଳି ନିଅନ୍ତି । ରାଜୀବ ସ୍ତ୍ରୀ ଅନିମାକୁ କେବଳ ଚାହିଁ ହୁଅନ୍ତି । ନିରବି ଯାଇଥିବା ସ୍ତ୍ରୀ କେମିତି ବଦଳି ବଦଳି ଗଲାପରି ଦିଶନ୍ତି । ଯିଏ ଦିନେ ପିଲାମାନଙ୍କ ଗହଳରେ କେଡ଼େ ଖୁସିରେ ଥିଲେ । କେତେ ଗପ କରୁଥିଲେ, କିନ୍ତୁ ସେସବୁ ଏବେ ସରିଯାଇଚି । ଏମିତିକି ତାଙ୍କ ସହ ମଧ୍ୟ ଭାଗ ବଣ୍ଟୁରା କରିବାକୁ କିଛି ହିଁ ଦୁଃଖ ସୁଖ ନାହିଁ । ଏମିତି ଏକ ପରିସ୍ଥିତିରୁ ମୁକ୍ତ ହେବାକୁ ସିଏ ଅନେକ ସମୟରେ ଘରର ଛାତ ଉପରକୁ ଚାଲି ଯାଆନ୍ତି । ନିର୍ମେଘ ଆକାଶ ଆଡ଼କୁ ଚାହିଁ ରହନ୍ତି । କିନ୍ତୁ ଗୋଟିଏ ବି ତାହା ଦିଶେ ନାହିଁ ଆଖିକି । ମନକୁ ଅନେକ କଥା ଆସେ । ସତରେ ଘର କ’ଣ ? ଏହା କେବେ କଉ ମଣିଷର ସ୍ୱପ୍ନକୁ ପୂରଣ କରିପାରେ କି ? ତାଙ୍କୁ ପୁଣି ଲାଗେ ସବୁ ଅବ୍ୟକ୍ତ ଅପୂର୍ଣ୍ଣତା ଭିତରେ ପୂର୍ଣ୍ଣତାକୁ ଏଇଠୁ ହିଁ ଆମନ୍ତ୍ରଣ କରାଯାଇପାରେ କେବଳ ।

ରାତିର ବିଳମ୍ୱିତ ପ୍ରହର । ଅନିମା ବହୁବେଳୁ ବିଛଣାରେ ରାଜୀବବାବୁଙ୍କୁ ନପାଇ ବ୍ୟସ୍ତ ହେଇପଡ଼ନ୍ତି । ଏ ବୃଦ୍ଧାବସ୍ଥାରେ ଏକାକୀ କୁଆଡ଼େ ଏମିତି ଚାଲିଯାଆନ୍ତି । ଏ ସମୟରେ ଦାଣ୍ଡ କି ବାଡ଼ିପଟକୁ ଯିବା ସମ୍ଭବ ନୁହଁ । ଛାତ ଉପରକୁ ଯାଇଥିବେ ନିଶ୍ଚୟ । କିନ୍ତୁ ଇଏ କ’ଣ । ଏତେ ଏକାକୀତ୍ୱ ଭିତରେ ଅବଶିଷ୍ଟ ଜୀବନ ଯାହାକୁ ନେଇ ସ୍ୱପ୍ନ ଦେଖୁଥିଲେ ସିଏ ଏମିତି ଭାବରେ. . . ଛାତ ଉପରେ ଶୋଇ ରହିଛନ୍ତି ! !

କୃଷ୍ଣପକ୍ଷର ଅନୁଜ୍ଜଳ ଜହ୍ନ ଆଲୁଅରେ ମୁହଁ ଦିଶୁଚି ଶେତା । ନିଥର ହାତ, ପାଦ, ପାଟି ମେଲା ।

ଅନିମା ଖୁବ୍ ବଡ଼ ପାଟିରେ ଡାକି ପାରିବେକି କାହାକୁ । ନା- ସର୍ବନିମ୍ନ କର୍ତ୍ତବ୍ୟ କରିବେ । କିଛି ବୁଝିପାରିଲେନି । ଟର୍ଚ୍ଚ ହାତରେ ନେଇ ପଡ଼ିଶା ଘରେ କେବଳ ଜଣେଇ ଦେଇ ଆସିଲେ । ପିଲାମାନଙ୍କୁ ଖବର ଜଣେଇବାର ଆଗ୍ରହ ମରିଯାଇଚି ମନରୁ, ତଥାପି. . .

ସକାଳ ହେଲା, ଘରେ ଅଡ଼ିଶା ପଡ଼ିଶା, ଭାଇ ବତିଶାଙ୍କ ଭିଡ଼ ଲାଗିଲା । ଖରା ଟାଣ ହେଲା, ହେଲେ ନା- ଝିଅ ଜ୍ୱାଇଁ, ନା- ପୁଅ ବୋହୂ, କାହାରି ଦେଖାନାହିଁ । କେତେବେଳ ଯାଏ ଶବ ପଡ଼ି ରହିଚି । ହିସାବରେ ଦେଢ଼ଶୁର ହେବେ ଅଗଣାରେ ଠିଆ ହୋଇ ବଡ଼ପାଟିରେ କହିଲେ- “କ’ଣ ଯେ କୁହାଯିବ ଏମାନଙ୍କୁ ? କେତେ ସମୟ ଆଉ ବାସି କରି ରଖାଯିବ ଶବକୁ ?” ନା- ତମେମାନେ ଯିଏ ଯାହା କହୁଚ କୁହ ଆଉ ଘଣ୍ଟାଏ ଅପେକ୍ଷା କରିବା, ତା’ପରେ. . . ମୋ ଭାଇଙ୍କ ଶବକୁ ଆଉ ମୁଁ ଅଧିକ ବାସିମଡ଼ା ହେବାକୁ ଦେବି ନାହିଁ । କଣ ଭାବିଚନ୍ତ କିଏ ଏମାନେ ? ଆମେ କ’ଣ ସବୁ ମରିଯାଇଚୁ ? ନ ହେଲା ନାଇଁ ପୁଅବୋହୂ, ଝିଅଜ୍ୱାଇଁ, ଯାହାର ପୁଅ ବୋହୂ ନାହାନ୍ତି ତା’ ମଡ଼ା କ’ଣ ମଶାଣିକୁ ଯାଉନି ? ନା ପୁଅ ନିଆଁ ଦେଲେ ସ୍ୱର୍ଗକୁ ବାଟ ଦିଶିଯାଉଚି ?

ଶେଷରେ ସେଇଆ ହିଁ ହେଲା । ବୃଦ୍ଧା ଅନିମା କେବଳ ନିଷ୍ପ୍ରଭ ଆଖିରେ ଦେଖୁଥିଲେ କୋକେଇ ବନ୍ଧା । ଶବ ଉଠା ଦୃଶ୍ୟ । ଭାବହୀନ ତାଙ୍କ ସମଗ୍ର ସତ୍ତା । ଯଥାବିଧି ସତ୍କାର ସରୁ ସରୁ ଦ୍ୱିପ୍ରହର । ମରା ସିଂ ଭାଇଙ୍କ ପାଇଁ ଜଳଖିଆ ପ୍ରସ୍ତୁତି ଚାଲିଚି । ଗାଁ ଲୋକଙ୍କ ଶହ ଶହ ଶହ ହାତର ସମ୍ମିଳିତ ଉଦ୍ୟମରେ କାମ ସବୁ ଉଠି ଯାଉଚି ।

ଝିଅ ଜ୍ୱାଇଁମାନେ ଆସି ପହଞ୍ଚିବା ଠିକ୍ ପରେ ପରେ ମୋହନ ତା’ ପିଲାପିଲିଙ୍କୁ ଧରି ପହଞ୍ଚିଲା । ଅଗଣା, ବାଡ଼ିରେ ହାଉଯାଉ ଲୋକଙ୍କୁ ଦେଖି ମୋହନ ହାଁ କରି ଚାହିଁ ରହିଚି । ଏତେସବୁ କାମ କିଏ କଲା, କେମିତି କଲା ପଚାରିବାକୁ ପାଟି ଖୋଲୁନି । ମିଛ ଅଭିମାନରେ କେବଳ ଅନିମାଙ୍କ ପାଖରେ ଠିଆ ହେଇ ଅନୁଚ୍ଚ ସ୍ୱରରେ ପଚାରୁଥିଲା- “ବୋଉ ଅନ୍ତତଃ ମୋ ଆସିବା ଯାଏ ଏ କାମ ଟିକେ ଅଟକିଥିଲେ ଚଳିନଥାନ୍ତା ?” ପୁଅର ଅଭିଯୋଗ ଶୁଣି କେବଳ ଗୋଟେ ଭାବହୀନ ଚାହାଁଣିରେ ଅନିମା ମୋହନ ମୁହଁକୁ ଚାହିଁଲେ, କିଛି ବି କହିଲେ ନାହିଁ ।

ମୋହନ ଅପରାଧୀ ମନ ନେଇ ଅନୁଶୋଚନା ମିଶି ସ୍ୱରରେ କହିଲା- “ତୋ ବୋହୂ ପିଲାମାନଙ୍କୁ ନେଇ ଏଠି ତ ଆଉ ଦଶଦିନ ଯାଇ ଚଳିପାରିବନି । ସେଇଥିପାଇଁ ତାକୁ ସାଙ୍ଗରେ ଆଣିବି କି ନା- ଏଇ ଦ୍ୱନ୍ଦ୍ୱରେ ଡେରି ହେଇଗଲା । ତାପରେ ବାପାଙ୍କୁ ତ କେତେଥର କହିଲି ମୋ ସହ ଚାଲନ୍ତୁ । ସିଏ କିଛି ବି ଶୁଣିଲେନି । ଏଇ ଘରେ ତାଙ୍କ ମଡ଼ା ଉଠିବ ବୋଲି କହିଲେ । ତାଙ୍କ ଲାଗି ତ ଆଉ ମୁଁ ମୋ ପିଲାମାନଙ୍କ ଭବିଷ୍ୟତକୁ ନଷ୍ଟ କରିପାରିବିନି ।”

ଅନିମା କେବଳ ଶୁଣୁଛନ୍ତି ପୁଅ କଥା । ଦେଢ଼ଶୁର ଜଣେ ପାଟି କରୁଛନ୍ତି ଅଗଣାରେ- ଏ ପଢ଼ିହାରୀ ବଅଁଶରେ ଗୋଟାଏ ଲୋକ ମରି ପଡ଼ିବ ରାତି ବାରରୁ ଦିନ ବାଆର ଯାଏ, ଏକଥା କେବେ ହେଇଚି ନା- ହବ । ଆମେ ବଞ୍ଚି ଥାଉଁ ଥାଉଁ ଭାଇଙ୍କୁ ବାସିମଡ଼ା କରିଥାନ୍ତୁ । ପଢ଼ିହାରୀ ସାହିରେ କେହି ନ ହେଲେ ବି ଏ ଗାଁଟା କ’ଣ ମରିଯାଇଚି ? ଏଇଠି ଭାଇ ବିରାଦର ଅଛନ୍ତି । ଏଠି କେହି ଏକଲା ନୁହଁମ । ମୋହନକୁ କୁହ ଦଣ୍ଡା ମୁଣ୍ଡକୁ ଯାଇ ଜୁଇ ପାଉଁଶ ଟିକେ ମୁଣ୍ଡରେ ମାରିଦେଇ ଆସୁ । ମରାସିଂ ଭାଇ ଖାଇ ବସିବେ ।

ମୋହନ ଗାଲରେ କିଏ ଯେମିତି ଶକ୍ତ ଚାପୁଡ଼ାଟାଏ ମାରିଦେଲା । ଶବ୍ଦ କମ୍ ଯାହାର ଆଘାତ ବେଶି । ତଉଲି ପାରୁନାହିଁ ଏ ଗାଁ ମାଟିରେ ବଞ୍ଚି ରହିଥିବା ସମ୍ପର୍କ ଆଉ ତା’ କାକଫୋନି ସହରର ଜୀବନଚର୍ଯ୍ୟା । ତାକୁ ଲାଗୁଚି ସିଏ କିଛି ବୁଝିପାରୁନି, ହେଲେ ଚୂନ ଖସିପଡ଼ିଥିବା ଘରର ଚାରିକାନ୍ଥ, ତା’ ପିଲାଦିନ ସ୍ମୃତି ଲାଖି ରହିଥିବା ଆସବାବ କିଛି ଗୋଟେ କହୁଚନ୍ତି ।

ମୋହନର ସବୁ ଭାବନା ଭିତରକୁ ଦଲକାଏ ପବନପରି ପଶିଆସିଲା ପୁଅ ଟୋନି । ଷ୍ଟାଣ୍ଡାର୍ଡ ଆଠରେ ପଢ଼େ । ହାତରେ ଧରିଚି ଆଣ୍ଡ୍ରଏଡ଼ ଫୋନ୍ । ଇଂରାଜୀରେ କହିଲା- “ଡ୍ୟାଡ୍ ଡ୍ୟାଡ୍, ମମ୍ କହୁଚନ୍ତି ଆମେ ଆଉ ତ ଏଠିକି ଆସିବାନି, ଜେଜିମା’ ଆମ ସାଙ୍ଗରେ ଯିବେ । ତା’ହେଲେ ଏ ଘରଟା ଆମର ଆଉ କି କାମରେ ଆସିବ । କହିବ ତ ମୁଁ କେତେଟା ଫଟୋ ନେଇ ଓଏଲ୍ଏକ୍ସ ଡଟ୍ କମ୍‌ରେ ଗୋଟେ ସେଲ୍ ଆଡ଼ ପୋଷ୍ଟ କରିଦେବି ।”

ଲୋକପ୍ରିୟ ଲେଖା

To Top