ଗଳ୍ପ

ଘାତକ

Shakuntala Bindhani's odia story Ghatak

ଓଃ. . . ଭଦ୍ରମହିଳା ତେବେ ଉପକୂଳବର୍ତ୍ତୀ ଅଞ୍ଚଳର । କର୍ପରେସନ୍‌ରେ କାର୍ଯ୍ୟ କରନ୍ତି । ଆଜି ଫେରୁଥିବେ ଘରୁ । ରାସ୍ତା କ୍ରସ୍ କରୁ କରୁ ଦୁର୍ଘଟଣା । ଦୋଷ କାହାର ?

ଘାତକ

ଭିଡ଼ ଦେଖି ଗାଡ଼ି ଅଟକାଇଲା ନିଶାନ୍ତ ।

ବୋଧହୁଏ ହିଟ ଏଣ୍ଡ ରନ୍ କେଶ । ହାତ ଘଣ୍ଟାରେ ନଜର ପକାଇ ପୁଣି ଗାଡ଼ି ଷ୍ଟାର୍ଟ କଲା ମାତ୍ର ଗାଡ଼ି ଗଡ଼ାଇଲା ନାହିଁ । ତା’ର କନ୍‌ସାଇନ୍ସ ବାଧା ଦେଲା । ବିବେକ ପଥରୋଧ କରୁଥିଲା । ଗାଡ଼ିରୁ ଓହ୍ଲାଇ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଗଲା । ଭିଡ଼ ଭାଙ୍ଗି ସାମ୍ନାକୁ ଗଲା ।

ରକ୍ତ ଜୁଡୁବୁଡୁ ଅସାଡ଼ ଶରୀର । ସେ ପୁଣି ଜଣେ ସ୍ତ୍ରୀଲୋକର । କାଜୁଆଲ ସାଲୱାର୍ କମିଜ ପରିହିତା ଜଣେ ମଧ୍ୟ ବୟସ୍କା ନାରୀ । ଛାତିରେ ପଡ଼ିଛି ରାଜସ୍ଥାନୀ ଓଢ଼ଣୀ । କେହି ଜଣେ ଗୋଟାଇ ରଖିଛି ହାତବ୍ୟାଗ । କଳାରଙ୍ଗର ଲେଦର ଭ୍ୟାନିଟି ବ୍ୟାଗ । ସମସ୍ତେ ହୋ’ ହୋହ୍ଲା ଆହା ଚ ଚ ଶବ୍ଦରେ ସୀମିତ । ପରିବର୍ତ୍ତୀ ପଦକ୍ଷେପ ନେବା ପାଇଁ କେହି ପ୍ରସ୍ତୁତ ନୁହଁନ୍ତି ।

– ଆରେ ତାଙ୍କ ଠିକଣା ଖୋଜ. . . ଘର ଲୋକଙ୍କୁ ଫୋନ୍ କର. . . କେବଳ ଉପଦେଶ. . . ଆଶୁ ଚିକିତ୍ସାର କଥା କେହି କହୁ ନ ଥାନ୍ତି ।

– କେମିତି ପାଇବା ଠିକଣା. . . ?

– ତାଙ୍କ ବ୍ୟାଗ ଦରାଣ୍ଡ । ମୋବାଇଲ ଫୋନ୍ ଥାଇପାରେ ।

– ନା-ବାବା-ନା. . . ଚୋରି ଚାକେରୀ କେଶ୍‌ରେ କିଏ ଫସିବ ? ପୁଣି ଲେଡ଼ିଜ୍ ! ମୋର ବାବା କାଦୁଅକୁ ଯିବାର ନାହିଁ କି ଗୋଡ଼ ଧୋଇବାର ନାହିଁ ।

– ନିଶ୍ୱାସ ପ୍ରଶ୍ୱାସ ଚାଲିଛି ତ. . . ?

ନିଶାନ୍ତକୁ ଖୁବ୍ ବିରକ୍ତ ଲାଗୁଥିଲା ତା’ ସହ ବ୍ୟସ୍ତ ମଧ୍ୟ । ସଭ୍ୟ ସମାଜ ଉପରେ ତା’ର ଆସ୍ଥା ଟଳମଳ ହେଉଥିଲା । ଆବେଗହୀନ ମଣିଷର ମନ କେମିତି ହୋଇପାରେ ? ଗୋଟେ ଝଟ୍‌କାରେ ଦରାଣ୍ଡି ପକାଇଲା ଭ୍ୟାନିଟି ବ୍ୟାଗ୍ । ଛୋଟ ଭେଲବେଟ୍ କପଡ଼ାର ପର୍ସ । ତାରି ଭିତରେ ଅଛି ସେଲଫୋନ୍ । ସ୍କ୍ରିନ୍ ଲକିଂ ଅଛି । ନିରିଖେଇଲାରୁ ଜଣାପଡ଼ିଲା । କଣ ଗୋଟେ ଅନବରତ ସ୍କ୍ରଲିଂ କରୁଛି ।

ସଲୀଳା ଦାସ ବ୍ଲଡ୍ ଗ୍ରୁପ୍ ବି ପଜିଟିଭ୍ ଏବଂ ଏମରଜେନ୍ସି କଣ୍ଟାକ ନମ୍ୱର । ଭଗବାନଙ୍କୁ ଧନ୍ୟବାଦ ଜଣାଇ ନମ୍ୱର ଟିପିଲା ନିଜ ମୋବାଇଲରୁ । ଯଦିଓ ରିଂ ହେଉଥିଲା ମାତ୍ର କେହି ଉଠାଉ ନଥିଲେ ।

– ଇଏ କେମିତି ଏମରଜେନ୍ସି ନମ୍ୱର । ବାରମ୍ୱାର ଫୋନ୍ କରିବା ସତ୍ତ୍ୱେ କେହି ରିସିଭ୍ କରୁନାହାନ୍ତି । ପୁଣି ଥରେ ନମ୍ୱର ଚିପିଲା ମାତ୍ର ସମାନ ଅବସ୍ଥା । କେହି ଉଠାଉ ନାହାଁନ୍ତି । ନୋ ଏନସର୍. . . ।

– ନା ଡେରି କଲେ ଅବସ୍ଥା ଗୁରୁତର ହୋଇଯାଇପାରେ । କାଳ ବିଳମ୍ୱ ନ କରି ଲୋକଙ୍କ ସହାୟତାରେ ନିଜ ଗାଡ଼ିର ପଛ ସିଟ୍‌ରେ ଶୁଆଇ ଦେଲା । ଡାକ୍ତରଖାନାରେ ପହଞ୍ଚି ହାତଗୋଡ଼ ଧରି ଆଶୁ ଚିକିତ୍ସାର ବନ୍ଦୋବସ୍ତ କଲା ଦିନ ଏଗାରଟା ପଇଁଚାଳିଶ । ହସ୍ପିଟାଲ ଆସିବାର ଦୁଇ ଘଣ୍ଟା ବିତିଗଲା ପରେ ମଧ୍ୟ ସେ ଏମରଜେନ୍ସି କଣ୍ଟାକ୍ଟ ନମ୍ୱରରୁ ଗୋଟିଏ ବି ଫୋନ୍ ଆସିନାହିଁ । ଆଶ୍ଚର୍ଯ୍ୟ । ଏଭଳି ଜଣେ ଦାୟିତ୍ୱହୀନ ଲୋକର ନମ୍ୱରକୁ କେମିତି ଏମରଜେନ୍ସି କଣ୍ଟାକ୍ଟ ନମ୍ୱର ଭାବରେ ସେଭ୍ କରିଛନ୍ତି ଏ ମହିଳା ।

ଏବେ ବିବ୍ରତ ହୋଇପଡୁଥିଲା ନିଶାନ୍ତ । କାର୍ଯ୍ୟାଳୟକୁ ଯାଇ ନ ପାରିବାର କାରଣ ସହ ଅଧାଦିନ ଛୁଟି ନିମନ୍ତେ ଅନୁରୋଧ କରି ମେସେଜ୍ ପଠାଇଥିଲା ତା’ର ଉପରିସ୍ଥ ଅଧିକାରୀ ଜଣ ଭଦ୍ରତାର ଜ୍ୱଳନ୍ତ ମିଶାଲ । ଅନୁମୋଦନ ସହ ତା’ର ଏ ମାନବ ସେବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

କମ୍ଲିମେଣ୍ଟସ୍ ନା କମେଣ୍ଟ. . . ?

ଆଦୌ ହସୁ ନଥିବା ବସ୍ ଜଣଙ୍କର ପ୍ରଶଂସା ଓ ସମାଲୋଚନା ଭିତରେ ଥିବା ପାର୍ଥକ୍ୟଟିକୁ ଏ ପର୍ଯ୍ୟନ୍ତ ବୁଝିପାରିଲା ନାହିଁ ନିଶାନ୍ତ । ସଲୀଳା ନାମ୍ନୀ ଦୁର୍ଘଟଣା ଗ୍ରସ୍ତ ମହିଳା ଜଣଙ୍କର ଚିକିତ୍ସା ଚାଲିଥିଲା ଆଇସିୟୁ ଭିତରେ । ବାହାରେ ଜଳୁଥିଲା ନାଲିବତୀ । ସେଇ ନାଲିବତୀକୁ ଚାହିଁ ବାହାରେ ପଡ଼ିଥିବା ଲୁହାର ଚୌକି ଉପରେ ବସିଥିଲା ନିଶାନ୍ତ. . . ।

କ’ଣ କରିବ ନ କରିବ ଚିନ୍ତା କରୁ କରୁ ପୁଣି ଥରେ ଫୋନ ଲଗାଇଲା । ମାତ୍ର କେହି ଫୋନ୍ ଉଠାଉ ନଥିଲେ । ତା’ ମୁଣ୍ଡ ଉପରେ ଜିଦ୍‌ର ଭୂତ ସବାର ହୋଇ ତାକୁ ବାଧ୍ୟ କରୁଥିଲା ଫୋନ୍ ଲଗାଇବାକୁ । ବାର ବାର ଯେ ପର୍ଯ୍ୟନ୍ତ ଅପରପଟରୁ କୌଣସି ଶବ୍ଦ ସ୍ୱର ନ ଶୁଣିଛି । ନାଃ, ଏଥର ମଧ୍ୟ ସମାନ ଅବସ୍ଥା । ନୋ ଏନ୍ସର୍ ।

ବିପର୍ଯ୍ୟସ୍ତ ହୋଇ ଭ୍ୟାନିଟ୍ ବ୍ୟାଗ୍ ଭିତରେ ଆଉଟୁ ପାଉଟୁ ହେଉଥିବା ଜିନିଷ ସବୁକୁ ତଳେ ଢାଳିଲା ଇନ୍‌ଡିସିପ୍ଲିନ୍ ଆଦୌ ବରଦାସ୍ତ କରିପାରେ ନାହିଁ । ନିଜକୁ, ନିଜର ଅଶାନ୍ତ ମନକୁ ଶାନ୍ତ କରିବା ପାଇଁ କିଛି ତ କାମ କରିବା ଆବଶ୍ୟକ ମଣି ବ୍ୟାଗ୍ ସଜାଡ଼ିଲା । ସାମାନ୍ୟ ପ୍ରସାଧନ ସାମଗ୍ରୀ ଏଇ ଯେମିତି ଛୋଟ ଅଇନା, ପାନିଆ, ମିନି ପାଉଡ଼ର, ଲିକୁଇଡ୍ ସିନ୍ଦୁର ଏବଂ ଆଇଟେକ୍ସ କମ୍ପାନୀର ଓଭାଲ୍ ସାଇଜ୍ ବିନ୍ଦି । ଛୋଟ ପର୍ସ ରେଜା ଏବଂ କିଛି ଟଙ୍କା ସହ ନିଜର ଆଧାର । ଏଟିଏମ୍ ଏବଂ ଭୋଟର ଆଇ କାର୍ଡ ଓ ପାନ ନମ୍ୱର ।

ଓଃ. . . ଭଦ୍ରମହିଳା ତେବେ ଉପକୂଳବର୍ତ୍ତୀ ଅଞ୍ଚଳର । କର୍ପରେସନ୍‌ରେ କାର୍ଯ୍ୟ କରନ୍ତି । ଆଜି ଫେରୁଥିବେ ଘରୁ । ରାସ୍ତା କ୍ରସ୍ କରୁ କରୁ ଦୁର୍ଘଟଣା । ଦୋଷ କାହାର ?

ମହିଳା ଜଣକର

ନା ଗାଡ଼ି ବାଲାର

ନା ଟ୍ରାଫିକ୍ ପୋଲିସ୍‌ର । ଦୋଷ ଯାହାର ବି ହେଉ କିନ୍ତୁ ଯନ୍ତ୍ରଣା ତ ମହିଳା ଜଣକର । ଆଉ ତା’ ସହ ସେ ବି ତ ଯୋଡ଼ି ହୋଇଯାଇଛି ମାନବିକତାର ଦ୍ୱାହି ଦେଇ ।

ରେକ୍ସିନ୍ କଭରର ନୀଳ ଡାଏରୀ । ବୋଧହୁଏ ସଲୀଳାଙ୍କର । ବ୍ୟାଗ୍‌ରେ ଭର୍ତ୍ତି କରୁ କରୁ ସାମାନ୍ୟ ଖୋଲି ଯାଇଥିଲା । ସୁନ୍ଦର ହସ୍ତାକ୍ଷର ! ! ଅନ୍ୟର ଡାଏରୀ ପଢ଼ିବା ଯଦିବା ଗର୍ହିତ କାର୍ଯ୍ୟ ନିଶାନ୍ତ ଓଲଟାଇଲା ପୃଷ୍ଠା ।

—-୧୧.୦୫.୧୭—-

ଅନିତ୍ୟ ଖୁବ୍ ବେଶୀ ବେପରୱା ପିଲାଙ୍କ ପ୍ରତି । ଠିକ୍ ବେପରୱା ଯଦିଓ ନୁହେଁ । ତଥାପି ନିଜ ନିଷ୍ପତ୍ତିରେ ଅଟଳା । ନିଜର ନିଷ୍ପତ୍ତି ହିଁ ଠିକ୍ ଏଇଭଳି ଏକ ଭ୍ରମରେ ଜୀଉଁଥିବା ମଣିଷ । ଦାରିଦ୍ରତା ଭିତରେ ନିଜର ନିଷ୍ପାପ ଶୈଶବ ଓ କୈଶରକୁ ହରାଇଥିବା ଅନିତ୍ୟ ପ୍ରାଚୁର୍ଯ୍ୟର ବିନିମୟରେ ନିଜ ପିଲାଙ୍କ ଭିତରେ ଆବିଷ୍କାର କରିବାର ପ୍ରୟାସରେ ମଗ୍ନ । କିନ୍ତୁ ପ୍ରାଚୁର୍ଯ୍ୟରେ ଯେ କେବଳ ବସ୍ତୁ ହିଁ ଖରିଦ କରି ହୁଏ । ସ୍ନେହ ନୁହେଁ କି ଶାସନ ନୁହେଁ । ବାପାଙ୍କର ମିଠା ଧମକ, ଗମ୍ଭୀର ଚାହାଁଣୀ ପଛରେ ଲୁକ୍କାୟିତ ମମତା ଜୀବନକୁ ବାସ୍ତବତା ସହ ସାମ୍ନାସାମ୍ନି ହେବାର ଶିକ୍ଷା ତ ପିତା ହିଁ ଦିଏ ସନ୍ତାନମାନଙ୍କୁ । ଯାହା ଅନିତ୍ୟ ଆଦୌ ଦେଉ ନଥିଲେ ।

ଅର୍ଥ ବଳରେ ସବୁକିଛି କ୍ରୟ କରିହୁଏ । ମାତ୍ର ସଂସ୍କାର, ବ୍ୟବହାର ଏବଂ ମାନବିକତାର ମନ୍ତ୍ର ତ ପରିବାରଠାରୁ ମିଳେ । ଯାହା ମୋ ଏ ତଥା କଥିତ ପରିବାରରେ ସ୍ୱପ୍ନ ପ୍ରାୟ ।

—-୧୬.୦୫.୧୭—-

ଘର, ପରିବାର । ଦୁଇଟି ମନ୍ତ୍ରମୁଗ୍ଧ କଲା ପରି ଶବ୍ଦ । ଇଟାସିମେଣ୍ଟ ଲୁହାରଡ଼ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ନେଇ ନିର୍ମିତ ଛାତ ପକ୍କାଘରଟିକୁ କୋଠାଘର କୁହାଯାଏ । କିନ୍ତୁ ଘରରେ ରୂପାନ୍ତରିତ ହୁଏ ଯେତେବେଳେ ଗୋଟିଏ ପରିବାର ସେଥିରେ ବସବାସ କରନ୍ତି । ପରସ୍ପର ପ୍ରତି ସ୍ନେହଶୀଳ ଓ ସମ୍ମାନସ୍ପଦ ହୁଅନ୍ତି । ଯାହାକୁ ସ୍ୱର୍ଗ ବୋଲି କୁହାଯାଏ । ଦୁଃଖରେ ସମସ୍ତେ ପରସ୍ପରକୁ ଜାବୁଡ଼ି ଧରନ୍ତି ଏବଂ ସୁଖରେ ଶାନ୍ତିରେ ଖୁସି ବାଣ୍ଟନ୍ତି ।

କିନ୍ତୁ ଏମିତି ପରିବାର ମୋର ନୁହେଁ । ଏଠି ଜ୍ୱର ହେଲେ, ଡାକ୍ତର ପାଖରେ ଠିଆ ହୁଏ । ବଡ଼ ବଡ଼ ନର୍ସିଂହୋମ୍ କି ହସ୍ପିଟାଲ୍‌ର ଠିକଣା ଲୋଡ଼ା ହୁଏ ଆମ୍ୱ୍ରଲାନ୍ସରେ ବସି ଆଟେଣ୍ଡାଣ୍ଟର ଗାଳି ଶୁଣିବାକୁ ପଡ଼େ ଆଉ ଭୋକ ହେଲେ ଲେଜ୍, କୁର୍କୁରେ, ବରା, ବର୍ଗର, ପିଜା ଓ ବିରିଆନି ପାଇଁ ଟଙ୍କାର ଆବଶ୍ୟକତା ହୁଏନା ।

ଶାସନ ବିହୀନ ବିଶୃଙ୍ଖଳିତ ପରିବାର । ମୋତେ କଷ୍ଟ ହୁଏ । ଖୁବ୍ କଷ୍ଟ । ଏତେ କଷ୍ଟ ଯେ ବେଳେ ବେଳେ ନିଶ୍ୱାସ ପ୍ରଶ୍ୱାସ ମଧ୍ୟ ଠିକ୍ ଭାବରେ ନେଇପାରେନା । ସେତେବେଳେ ଜୀବନ ନୁହେଁ ମୃତ୍ୟୁ ହିଁ ପ୍ରିୟ ଲାଗେ । ଅନ୍ୟମନସ୍କ ହୁଏ ବାରମ୍ୱାର । ରାସ୍ତାରେ ଝୁଣ୍ଟି ପଡ଼େ । ଗାଡ଼ି, ମଟରରେ ବାଡ଼େଇ ହୋଇଯାଏ । ଅସାବଧାନତା ବଶତଃ ଦୁର୍ଘଟଣାର ଶିକାର ହେବାକୁ ପଡ଼େ ।

—-୧୯.୫.୧୭—-

ଆଜି ମନେ ପଡୁଛି ସେଇ ରାଜାଙ୍କର କଥା । କୋଉଠୁ ଶୁଣିଥିଲି ଏ କାହାଣୀ । କେବେ ପଢ଼ିଥିଲି ଏ ଗପ । ସାମ୍ରାଜ୍ୟ ଯେତେ ହୁତୁହୁତୁ ନିଆଁରେ ଜଳୁଥିଲା । ରାଜା ନିରୋଳା ବସି ବଂଶୀବାଦନରେ ମଗ୍ନ ଥିଲେ ।

ବଡ଼ ଆଶ୍ଚର୍ଯ୍ୟ ଲାଗେ ଏଇ ମଣିଷର ପ୍ରକୃତି ଆଉ ପ୍ରବୃତ୍ତି ଦେଖି । ଡେଷ୍ଟିନି. . . ଭାଗ୍ୟ. . . କପାଳ ଲିଖନ । ଦିନେ ଆଦୌ ଭରସା କି ସମ୍ପୂର୍ଣ୍ଣ ବିଶ୍ୱାସ ନ ଥିଲା ମୋର । କର୍ମ. . . ସତ୍ କର୍ମ ରଚିତ କର୍ମ ମାଧ୍ୟମରେ ପ୍ରାପ୍ତ କରାଯାଇପାରେ ଇପ୍ସିତ ଲକ୍ଷ୍ୟ । ଉଚିତ-ଅନୁଚିତର ସୁକ୍ଷ୍ମ ରେଖା, କାଚକାନ୍ଥର ପତଳା ସ୍ଥିତି ଯେ ସମୟ ଏବଂ ପରିସ୍ଥିତି ଯେ ପରିବର୍ତ୍ତନମୁଖୀ । ବଦଳିଯାଏ ତାଙ୍କର ସଂଜ୍ଞା ଏବଂ ସନ୍ଧିର ସର୍ତ୍ତ ।

ଏବେ ପୁରାପୁରି ଭାଗ୍ୟ ଉପରେ ମୁଁ ବିଶ୍ୱାସ କରେ । ସମୟ ଦୋଳିରେ ଝୁଲେ ଏବଂ ଅପ୍ରିୟ ବାସ୍ତବତାକୁ ସାମ୍ନା କରେ ।

ଜୀବନଟା ଖୁବ୍ ଅଚିହ୍ନା ଲାଗେ । କେମିତି ମୁଁ ଗୋଟେ ଘନ ଜଙ୍ଗଲରେ ଏକାଏକା ବୁଲୁଛି । ଯେ କୌଣସି ମୁହୂର୍ତ୍ତରେ ଘଟିପାରେ କିଛି ଅଘଟଣା, ଅପ୍ରତ୍ୟାଶିତ ଘଟଣା । ସବୁ ଚିହ୍ନା ମୁହଁ କ୍ରମଶଃ ଅଚିହ୍ନା ପାଲଟି ଯାଉଛନ୍ତି । ପ୍ରିୟଜନ ପରିବାର ବର୍ଗ, ଜ୍ଞାତି, କୁଟୁମ୍ୱ । ଯେମିତି ମୁଁ କାହାକୁ ଚିହ୍ନି ହିଁ ନାହିଁ ।

ଗୋଟିଏ ପରିବ୍ରାଜକ, ଅଚିହ୍ନା ସହରରେ ଏକୁଟିଆ ଭ୍ରମଣ କରୁଥିବାର ଭାବ ମୋ ଭିତରେ । ହଜିଯିବାର ଭୟ, ହରେଇ ଦେବାର ଆଶଙ୍କା, ହାରିଯିବାର ଉତ୍ତେଜନା ସବୁ ମିଶି ମୋତେ କେମିତି ଶୂନ୍ୟ କରି ଦେଉଛି ଧିରେ ।

– କ’ଣ ପାଇଲି ?

– କ’ଣ ହରାଇଲି ?

– ଅବଶିଷ୍ଟ କ’ଣ ଆଉ ଅଛି ? ସମୟ ତ ପାପୁଲିରେ ଅଟକି ଥିବା ମୁନ୍ଦାଏ ପାଣି । ଝରିଯାଏ କୋଉ ଫାଙ୍କରେ ।

ମୁଁ ହାରିଯାଏ ନିଜ ନିକଟରେ ।

ମୋର ଛୋଟ ଛୋଟ ସ୍ୱପ୍ନ । କୁନି କୁନି ଇଚ୍ଛା କବର ନିଏ ମୋ ଲୁହରେ । ମୋର ଜିଜ୍ଞାଷା ଲିପ୍ସା ଲୁଚିଯାଏ ହୃତ୍‌ପିଣ୍ଡର କୋଉ ଅଳିନ୍ଦରେ । ଯାହାର ଠିକଣା ମିଳେନାହିଁ ।

ମୁଁ ହାତ ବଢ଼ାଏ । ମାତ୍ର ହାତଟିଏ ଲମ୍ୱି ଆସେ ନାଇଁ ତାକୁ ଧରିବାକୁ । ମୁଁ କିଛି ଶବ୍ଦ ବୁଣେ, ମାତ୍ର ତୋଳି ଧରିବାକୁ କେହି ନ ଥାଏ । ମୁଁ ଏକୁଟିଆ ଯୁଦ୍ଧ କରେ ନିଜ ସହ । ନିଜ ଲୋକଙ୍କ ସହ ମାତ୍ର ମୋ ପାଖରେ ନା ଥାଏ ସାରଥି ନା ଧନୁଶର । ନିରସ୍ତ୍ର ଭାବରେ ଏ ଯୁଦ୍ଧକ୍ଷେତ୍ରରେ ଲଢୁଥାଏ ।

କି କଷ୍ଟ. . . ନିଜ ଲୋକଙ୍କ ସହ ଯୁଦ୍ଧ କରିବା ସତରେ ଖୁବ୍ କଷ୍ଟ । କେମିତି କରୁଥିଲେ ପାର୍ଥ ମହାଭାରତ ଯୁଦ୍ଧରେ !

—-୨୩.୫.୧୭—-

ଆଜି ବର୍ଷାର ଆସର ।

ତୃପିତ ପୃଥିବୀର ଜଳାଭିଷେକ । ଏତେବେଶୀ ବର୍ଷା । ହଠାତ୍ ମୁଁ ରହୁଥିବା ଇଲାକା ଜଳପ୍ଲାବିତ । ଆକାଶ ଫାଟି ଯାଇଛି କି ! ମାଠିଆ ମୁହଁରେ ଓଗାଳୁଥିଲା ବର୍ଷା । ମୁଁ ଭିଜୁଥିଲି ଆଉ ଏକ ବର୍ଷାରେ । ଯାହାର ନାଁ ଲୁହ ଥିଲା । ଠିକ୍ ବର୍ଷା ପରି । ଅଚାନକ ଲୁହ ଆସେ ଆଖିର ଆକାଶରେ ।

ବିନା ମେଘ କି ଘଡ଼ଘଡ଼ିରେ ।

ବିନା କିଛି ସଙ୍କେତ କି କାରଣରେ ?

ଠିକ୍ ବନ୍ଧୁପରି

ଅଧା ଶତ୍ରୁପରି । ଲୁହ ଶତ୍ରୁ ନୁହେଁ କେବେ ଲାଗେ ନିଜ ଖୁବ୍ ନିଜର ।

ଗୋଟିଏ କୋଳାହଳ, ଗୁଞ୍ଜରଣ । ନିଶାନ୍ତ ମୁହଁଟେକି ଅନାଇଲା । ଜଣେ ଭଦ୍ରବ୍ୟକ୍ତି ଏବଂ ସାଙ୍ଗରେ ବୋଧହୁଏ ପୁଅ ଝିଅ ।

– ପାପା. . . ଜାଣିଛ. . . ମାମା ସବୁବେଳେ ଇରେସ୍ପନ୍ସିବଲ୍ । ଦେଖ ନିଜେ ଏକ୍ସିଡ଼େଣ୍ଟରେ ପଡ଼ିଲା ଆମକୁ କେତେ ହଇରାଣ ହେବାକୁ ପଡୁଛି ।

ଇଡ଼ିଅଟ୍. . .

ନିଶାନ୍ତ ଆଚମ୍ୱିତ ଆଶ୍ଚର୍ଯ୍ୟ ।

ପରିବାରର ସଂଜ୍ଞା କ’ଣ ଏମିତି ? ଡାଏରିଟି ଚୁପ୍‌ଚାପ୍ ରଖିଦେଲା । ନିଶାନ୍ତ ପଢ଼ିବାକୁ ଚାହିଁଲେ ମଧ୍ୟ ପଢ଼ିପାରିଲାନି । ଅଭଦ୍ରାମି ନିଶ୍ଚୟ ।

– ମୁଁ ନିଶାନ୍ତ. . . ଆପଣଙ୍କୁ ଫୋନ୍ କରିଥିଲି ।

– ଓଃ. . . ଥାଙ୍କସ୍ । ଭାବଲେଶ ଚେହେରା ନେଇ କହିଲେ ସେ । କେତେ ଟଙ୍କା ଖର୍ଚ୍ଚ ହେଇଛି ? ଆପଣଙ୍କର. . . ।

– ଟଙ୍କା. . . ତା’ର ସାହାଯ୍ୟକୁ ସହାନୁଭୂତିକୁ ଟଙ୍କାରେ ମାପୁଛନ୍ତି । ଅସନ୍ତୋଷର ଚିହ୍ନ ତା’ ମୁହଁରେ ଫୁଟି ଉଠିଲା ।

ଧନ୍ୟବାଦ୍ ଜଣାଇ ଉଠିଲା ନିଶାନ୍ତ ।

ତା’ ପଛରେ କୋଳାହଳ । ସମସ୍ତେ ମିଶି ତାକୁ (ଦୁର୍ଘଟଣାଗ୍ରସ୍ତ ଭଦ୍ରମହିଳାଙ୍କୁ) ଦୋଷାରୋପ କରୁଥିଲେ । ଭାରି ଖରାପ ଲାଗୁଥିଲା ତାକୁ ।

ଘର ପରିବାରର ଲୋକମାନେ, ଆତ୍ମୀୟ ସଜନ ପରି ମନେହେଉ ନଥିଲେ ତା’ର । ଘାତକ ମନେ ହେଉଥିଲେ ସମସ୍ତେ । ଯେଉଁମାନେ ତା’ର ଆବେଗ, ସ୍ୱପ୍ନ, ଇଚ୍ଛା, ଅନିଚ୍ଛାକୁ ବାରବାର ହତ୍ୟା କରୁଥିଲେ ।

ଲୋକପ୍ରିୟ ଲେଖା

To Top