ଗଳ୍ପ

ଘୋ ଘୋ ରାଣୀ

Dr Nilamani Lenka's odia story Gho Gho Raani

ବାପା ମାଛ ଧରିବା ପାଇଁ ଅନ୍ୟ ନୋଳିଆ ଭାଇମାନଙ୍କ ସହିତ ସକାଳୁ ସମୁଦ୍ରକୁ ଗଲାପରେ ଆପନ୍ନା ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଥାଏ ।

ଘୋ ଘୋ ରାଣୀ

ଦରିଆ ସାଙ୍ଗରେ ମିତ ବସିଛି ଆପନ୍ନା ।

ମିତ ହେବା କଥା ଏବକାର ନୁହେଁ । ଆପନ୍ନାର ବାପା କମରା ମଧ୍ୟ ଯୁବକ ସମୟରେ ନିଜ ରାଜ୍ୟ ଛାଡ଼ି ଓଡ଼ିଶାକୁ ଆସିବା ପରେ ରୀତିମତ ସମ୍ପର୍କ ସ୍ଥାପନ କରିଥିଲା ଏ ଦରିଆ ସହିତ । ଦରିଆର ନୀଳ ଜଳରାଶି ଏବଂ ଦିଗନ୍ତ ବିସ୍ତାରୀ ପରିସୀମାକୁ ଦେଖିଲା ମାତ୍ରେ ଭାବପ୍ରବଣ ହୋଇ ଯାଉଥିଲା । ଅନ୍ୟ ମତ୍ସ୍ୟଜୀବୀଙ୍କ ପରି ସେ ବି ମାଛ ମାରିବା ନିମିତ୍ତ ଛୋଟିଆ କାଠ ଡଙ୍ଗାକୁ ଦରିଆର ଛାତି ଉପରେ ବାହି ନେଉଥିଲା । ଯେତିକି ବି ମାଛ ଧରି ଫେରୁଥିଲା ସେଥିରେ ତା’ର ଅନେକ ଆନନ୍ଦ ମିଳୁଥିଲା ।

ତେଲ ଲୁଣର ଛୋଟିଆ ସଂସାରର ନାଆକୁ ମନେ ମନେ ସେ ଦରିଆ କୋଳରେ ଭସେଇ ଦେଇ ଖୁବ୍ ଖୁସି ଅନୁଭଭ କରୁଥିଲା ।

କମରାର ଝିଅ ଆପନ୍ନା ଅନ୍ୟ କେଉଁ ରାଜ୍ୟର ଝିଅ ନ ଥିଲା ? ପୁରୀର ନୋଳିଆ ବସ୍ତିରେ ତା’ର ଜନ୍ମ । ବାପା ଏବଂ ମାଆ ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ହୋଇଥିଲେ ହେଁ ନିଜର କୌଳିକ ବୃତ୍ତି ନିମିତ୍ତ ଓଡ଼ିଶାକୁ ଚାଲି ଆସିଥିଲେ ସେମାନେ । ତିନି ଦଶନ୍ଧିରୁ ଊର୍ଦ୍ଧ୍ଵ ସମୟ ସେମାନେ ପୁରୀରେ ରହିବା ପରେ ମୁଣ୍ଡ ଗୁଞ୍ଜିବା ନିମିତ୍ତ ପକ୍କା ଘର ଖଣ୍ଡେ କରି ପାରିନଥିଲେ କିମ୍ୱା ସରକାରୀ ସହାୟତା ସେମାନଙ୍କ ଭାଗ୍ୟରେ ନଥିଲା ।

ନୋଳିଆ ବସ୍ତିରେ ରହୁଥିବା ଶତାଧିକ ମତ୍ସ୍ୟଜୀବୀମାନଙ୍କ ପରି ଆପନ୍ନା ଜନ୍ମ ହୋଇ ହେତୁ ପାଇବା ପରଠାରୁ ଦରିଆର ଅନେକ ରୂପ ଦେଖିଛି । ସାଙ୍ଗମାନଙ୍କ ସହିତ ଶୈଶବ, ବାଲ୍ୟ କଟାଇବା ପରେ ଯୌବନରେ ପାଦ ଥାପି ରାମେୟାକୁ ନିଜର ଜୀବନ ସାଥୀ କରିନେଇଛି । ବାପା ମାଛ ଧରିବା ପାଇଁ ଅନ୍ୟ ନୋଳିଆ ଭାଇମାନଙ୍କ ସହିତ ସକାଳୁ ସମୁଦ୍ରକୁ ଗଲାପରେ ଆପନ୍ନା ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଥାଏ ।

ବାପା ଦରିଆ କୂଳର ଦୁଷ୍ଟ ଲହଡ଼ିକୁ କାଟି ଭିତରୁ ଗଲାପରେ ଆପନ୍ନା ବଡ଼ ପାଟିରେ ଡାକେ ।

“ଘୋ’ – ଘୋ’ ରାଣୀ
ଖେଳିବ ଦରିଆ ରାଣୀ
ଆସରେ ଭାଇ ଭଉଣୀ”

ଦରିଆ ଫୁଲିଙ୍ଗ କିମ୍ୱା ସ୍ତ୍ରୀ ଲିଙ୍ଗ ମାଲୁମ ନାହିଁ । ନୋଳିଆ ପିଲାମାନଙ୍କ ପାଇଁ ମନୋରଞ୍ଜନ ନିମିତ୍ତ ବସ୍ତିରେ କୌଣସି ସୁବିଧା ସୁଯୋଗ ନାହିଁ । ସିଲଟ ଧରି ଚକ୍ ଖଡ଼ିରେ ବ୍ରହ୍ମା-ବିଷ୍ଣୁ-ମହେଶ୍ୱର କହି ତିନିଟି ଶୁନ ବୁଲାଇବାର ପ୍ରୟାସ ହେବା ଦେଖାଯାଇନି ଏ ଯାଏ । ମଝିରେ ମଝିରେ ସର୍ଭେ ନିମିତ୍ତ କିଛି କର୍ମୀ ଏଠାକୁ ଆସି ସେମାନଙ୍କ ନାମ, ବୟସ ଏବଂ ପରିବାର ସଦସ୍ୟଙ୍କ ସଂଖ୍ୟା ଟିପି ନେଇ ଚାଲି ଯାଆନ୍ତି । ଅବହେଳିତ ଅବସ୍ଥାରେ ବର୍ଷ ପରେ ବର୍ଷ ଏହିପରି ନିର୍ଦ୍ଦ୍ୱନ୍ଦରେ ଏମାନଙ୍କ କଟିଯାଏ ।

ସନ୍ଧ୍ୟା ନଇଁ ଆସିଲେ ଅନ୍ଧାରର ପରସ୍ତ ଦରିଆ ଭିତରୁ ହିଁ ଆସେ । କିଛି ସମୟର ବ୍ୟବଧାନରେ ଦରିଆ ହଜିଯାଏ ପ୍ରକୃତିର କଳା ଚାଦର ତଳେ । କେବଳ ଘୋ’-ଘୋ’ ଶବ୍ଦ । ଅନ୍ଧାର ବହଳ ଭିତରେ କ୍ଳାନ୍ତ ମତ୍ସ୍ୟଜୀବୀମାନଙ୍କର ନିଦ୍ରା ଭଙ୍ଗ କରିପାରେ ନାହିଁ ରାତିର ପ୍ରଚଣ୍ଡ ଲହଡ଼ିମାଳା ।

ନୋଳିଆ ବସ୍ତିରେ ଅପ୍ରଶସ୍ତ ଖଟିଘର । ଯାହା କି ମତ୍ସ୍ୟଜୀବୀମାନଙ୍କର ବିଶ୍ରାମ ସ୍ଥାନ । ଖରାପ ପାଗ କିମ୍ୱା ମାଛ ମାରିବା ପାଇଁ ସମୁଦ୍ରକୁ ଯାଇଥିବା ସାଥୀମାନଙ୍କର ଫେରନ୍ତା ପାର୍ଶ୍ୱକୁ ଏଠି ଚାହିଁ ବସିଥାନ୍ତି ଅନ୍ୟମାନେ । ଏମାନଙ୍କ ସହିତ ବସିଥାନ୍ତି କିଛି ବେପାରୀ ଏବଂ ଗ୍ରାହକ । ଦିନସାରା ଚଳଚଞ୍ଚଳ ହୋଇ ରହୁଥିବା ଖଟିଘର ସନ୍ଧ୍ୟା ପୂର୍ବରୁ ଖାଲି ହୋଇ ଯାଇଥାଏ । ମାଛ ବେପାର ସାରିବା ପରେ ସେଠାରେ ପହଞ୍ଚି ଯାଆନ୍ତି ବସ୍ତିର ସବୁଠାରୁ ବୟସ୍କା ମହିଳା ସୀତାଦି ।

କାଚ ଶିଶିରେ ତିଆରି ହୋଇଥିବା ଡିବିରି ଜାଳି ବସି ଯାଆନ୍ତି ସୀତାଦି । ତେଲୁଗୁ ଭାଷାରେ ସେଠାକୁ ଆସିବାକୁ ଆହ୍ୱାନ କରନ୍ତି ସମସ୍ତ ପିଲାଙ୍କୁ । ବାପା ମାଆ ବି ଓଡ଼ିଆ ଭାଷା ବୁଝୁଥିବା ସେମାନଙ୍କ ପିଲାମାନଙ୍କୁ ତରବର ହୋଇ ସେଠିକୁ ଯିବାକୁ ଉତ୍ସାହିତ କରିଥାନ୍ତି ।

ସୀତାଦି ଗପ ପରେ ଗପ କହନ୍ତି । ଗୀତ ବି ବୋଲନ୍ତି । ତାଙ୍କ ଗପ ଏବଂ ଗୀତର ଅନ୍ତଃଫଲ୍‌ଗୁ ଥିଲା ଦରିଆର କଥା । ଘୋ’-ଘୋ’, ଦୁମ୍‌ଦୁମ୍ ଶବ୍ଦକୁ ଆକ୍ଷେପ କରି ପିଲାମାନଙ୍କୁ କହନ୍ତି- “ଦେଖ, ଏ ଦରିଆ ରାଜା, ବଜାଏ କି ରଙ୍ଗେ ବାଜା ।” ଗପରେ ବୁଝାନ୍ତି ଦରିଆ ରାଗିଲେ ମଣିଷର କି କ୍ଷତି କରିପାରେ, କୁଳ ଲଙ୍ଘେ । ଯେତେ ରାଣ ନିୟମ ପକାଇଲେ ବି ଅମାନିଆ ଦରିଆ ରାଜା କୂଳକୁ ଆସି ତା’ରାଣୀକୁ ଖୋଜେ । ପାଏ କି ନ ପାଏ କେଜାଣି ମାତ୍ର କେଇ ମୁହୂର୍ତ୍ତରେ ସେ ଫେରିଯାଏ । ରାତି ହେଲେ ଆହୁରି ଜୋର୍ କରି କମ୍ପାଏ ଦରିଆ ରାଜା ।

ପିଲାଏ ଡରି ଯାଆନ୍ତି । ଖଟିଘର କାନ୍ଥ ଭାବରେ ଝୁଲୁଥିବା ନଡ଼ିଆ ବାହୁଙ୍ଗାର ଜାଲିରେ ଦରିଆକୁ ନିମିଷେ ଚାହିଁ ଦେଇ ପୁଣି ତଳକୁ ମୁହଁ ପୋତି ବସି ଯାଆନ୍ତି । ପିଲାମାନଙ୍କ ଭିତରୁ ଚତୁର ଥିବା ଆପନ୍ନା ସେତେବେଳେ ସୀତାଦିଙ୍କୁ ପଚାରେ ଅନେକ ପ୍ରଶ୍ନ ।

– ସୀତାଦି ! ଦରିଆ ରାଜା କାହିଁକି କୂଳକୁ ଆସେ ?
– ରାଣୀକୁ ଦେଖିବାକୁ ।

ଆପନ୍ନା ବୁଝିପାରେ ନାହିଁ । ପୁଣି ଜାଣିବାକୁ ବାରମ୍ୱାର ପଚାରେ ।

– ରାଣୀ କିଏ ? ସେ ଏଠି ରହିବା ପରେ ରାଜା କାହିଁକି ଲୁଣିଆ ପାଣିରେ ରହେ ? ଦରିଆ ତ ଲକ୍ଷ୍ମୀ ମା’ଙ୍କ ଘର ବୋଲି ତମେ କହୁଥିଲ ।

ସୀତାଦି ଥଙ୍ଗେଇ ଥଙ୍ଗେଇ କହନ୍ତି- “ଆରେ ପିଲାଏ ! ପ୍ରତି ବର୍ଷ ଦୈବ ଦୁର୍ବିପାକରେ କେତେ ନୋଳିଆ ପୁଅ ଅକାରଣରେ ଦରିଆରେ ଜୀବନ ଦିଅନ୍ତି । ଛୋଟିଆ କାଠ ଡଙ୍ଗାଟା ଲହଡ଼ି ମାଡ଼ରେ ବେଳେବେଳେ ଓଲଟିଗଲେ ତା’ ଉପରେ ଛିଡ଼ା ହୋଇ ଜୀବନ ରକ୍ଷା ନିମିତ୍ତ ଉପରକୁ ହାତ ଟେକି କେତେବେଳେ ରକ୍ଷା ପାଆନ୍ତି ତ କେତେ ହଜି ଯାଇଥାନ୍ତି । ଯେଉଁମାନେ ହଜି ଯାଇଛନ୍ତି ସେମାନେ ଦରିଆର ରାଜା । ଅମର ସେମାନେ । ରାତି ହେଲେ ତାଙ୍କ ଘର କଥା ମନେପଡ଼େ । ଦରିଆର ଲହଡ଼ିରେ ବସି କୂଳକୁ ଆସି ସେମାନଙ୍କର ବିଧବା ପତ୍ନୀଙ୍କୁ ଦେଖିଥାନ୍ତି । ପୁଣି ଫେରିଯାନ୍ତି ସେମାନେ ।

ପିଲାମାନେ ଆହୁରି ଡରି ଯାଆନ୍ତି । ଆପନ୍ନା ଥରି ଉଠେ । ଥାଉ ସୀତାଦି ଏତିକି ଥାଉ । ମୋତେ ଆମ ଘରେ ତମେ ଟିକେ ଛାଡ଼ି ଦେଇ ଆସ । ଖଟିଘରେ ଡିବିରି ଆଲୁଅ ଲିଭାଯାଏ । ଡରୁଆ ପିଲାମାନଙ୍କୁ ସୀତାଦି ସେମାନଙ୍କର ଘରେ ବାପମାଆଙ୍କ ଜିମା ଦେଇ ଆସନ୍ତି ।

ଆପନ୍ନା ଦରିଆକୁ ଦେଖିଲେ ବେଳେବେଳେ ଭୟ କରେ । ଏହାର କାରଣ ସେ ହିଁ ନିଜେ । ଆଖି ସାମ୍ନାରେ ଘଟିଯାଇଥିବା ଅଭୁଲା ଘଟଣା କେବେ ସୁଦ୍ଧା ତା’ ସ୍ମୃତି ପଟରୁ ଅପସରି ଯିବନାହିଁ ।

କୁଆଁର ପୁନେଇଁ ଜହ୍ନର ସଫେଦ ଆଲୁଅ ସେଦିନ ସମଗ୍ର ବେଳାଭୂମିକୁ ଆକର୍ଷିତ କରିଦେଇଥିଲା । ଖେଳ ଜମିଗଲା ପରେ ଦରିଆର ଛୋଟ ଛୋଟ ଲହଡ଼ି ପାଦକୁ ଛୁଇଁବା ମାତ୍ରେ ପିଲାଏ ବୋଲୁଥିଲେ-

“ଘୋ’-ଘୋ’ ରାଣୀ
ପାଦେ ପାଦେ ପାଣି”

ପୂର୍ଣ୍ଣମୀର ସୁସ୍ଥ ସବଳ ଦରିଆ ସେଦିନ ଭାରି ଗମ୍ଭରୀ ଜଣାପଡୁଥିଲା । ଫୁଲିଲା ଫୁଲିଲା ଦେହରେ ସୃଷ୍ଟି ହେଉଥିବା ଅଗଣିତ ଲହଡ଼ି ବେଳାଭୂମିର ବାଲୁକା ରାଶିରେ ଫେଣ ବାନ୍ତି କରି ବାରମ୍ୱାର କଡ଼ ଲେଉଟାଉଥିଲା ।

ପିଲାଏ ପୁଣି ଦରିଆର ପାଣିକୁ ଆଣ୍ଠୁଏ ଯାଏ ପଶିଲେ । ଆପନ୍ନା ବୋଲିଲା-

“ଘୋ’-ଘୋ’ ରାଣୀ
ଆଣ୍ଠୁଏ ଆଣ୍ଠୁଏ ପାଣି
ଖେଳିବ ଦରିଆ ରାଣୀ
ଆସରେ ଭାଇ ଭଉଣୀ”

ଦରିଆର ଛୋଟ ବଡ଼ ଲହଡ଼ିରେ ଭିଜି ଯାଉଥିଲା ପିଲାମାନଙ୍କର ପୋଷାକ । ସେଥିପ୍ରତି ସେମାନଙ୍କର ନିଘା ନ ଥିଲା । ଅପର ପକ୍ଷରେ ଦରିଆ ପାଣିରେ ଖେଳିବା ନିତିଦିନିଆ ଘଟଣା ହୋଇଥିବାରୁ ନୋଳିଆ ବାପମାଆ ସେମାନଙ୍କୁ ଭୟାତୁର ହୋଇ ଖୋଜି ନ ଥାନ୍ତି ।

ଭାବପ୍ରବଣ ହୋଇ ଖେଳରେ ପିଲାମାନେ ମଗ୍ନ ଥିଲାବେଳେ ଦରିଆ ଜୁଆରିଆ ହେତୁ ବେଳେବେଳେ ଉଠୁଥିବା ଉଚ୍ଚ ଢେଉରେ ତା’ ଆଖି ସାମ୍ନାରେ କେତେକ ସାଥି ଦରିଆ ଭିତରକୁ ଚାଲିଗଲେ । ହୋ’ ହାଲ୍ଲାରେ ଅନେକ ଖୋଜାଗଲା । କେହି ମିଳିଲେ ନାହିଁ । କନ୍ଦାକଟାରେ ରାତି ବତିଯିବା ପରେ ସକାଳକୁ ସେମାନଙ୍କ ମୃତ ଶରୀର ଦରିଆର ଲହଡ଼ିରେ ଫେରିଆସିଲା କୂଳକୁ ।

ଦରିଆ ପ୍ରତି ଭୟ ସୃଷ୍ଟି ହୋଇଥିବା ଆପନ୍ନା ବିବାହିତା । ଘର ସଂସାର ନିମିତ୍ତ ଧରିଛି ରାମେୟାର ହାତ । ମାଛ ଧରିଲେ ଦାନା ସଂଗ୍ରହ ହୁଏ । ଅନ୍ୟ ମତ୍ସ୍ୟଜୀବୀ ଭାଇମାନଙ୍କ ସହିତ ଦରିଆକୁ ଯାଉଥିବା ରାମେୟା ଆଉ ଭିତରକୁ ଯିବାକୁ ଭଲ ମନେ କରୁନାହିଁ । ଅବଶ୍ୟ ଆପନ୍ନାର ପରାମର୍ଶ ହିଁ ଏଥିପାଇଁ ଦାୟୀ ।

ଆପନ୍ନା ଏକମାତ୍ର ବାର ବର୍ଷର ପୁଅକୁ ମତ୍ସ୍ୟଜୀବୀ କରିବାକୁ ଇଚ୍ଛା କରିନାହିଁ । ଏଥିପାଇଁ ତା’ ମୁଣ୍ଡ ଛୁଇଁ ଶପଥ କରାଇଛି ରାମେୟାକୁ । ଦରିଆର ଲହଡ଼ିକୁ ଅତିକ୍ରମ କରି ମାଛ ମାରିବାକୁ ସେମାନଙ୍କ ପରିବାର ବେସାହାର ହୋଇ ଯାଇଥିବାବେଳେ ସରକାରୀ କିମ୍ୱା ବେସରକାରୀ ସ୍ତରରେ କ୍ଷତିପୂରଣ ତ ମିଳିନାହିଁ କିମ୍ୱା ସମବେଦନା ବି ପ୍ରକାଶ ପାଇନାହିଁ । ମୃତକ ପତ୍ନୀମାନଙ୍କ ବୈଧବ୍ୟ ଏବଂ ସେମାନଙ୍କର ହତାଶାବୋଧ ଆପନ୍ନାକୁ ଭିନ୍ନ ମୁହାଁ କରିଦେଇଛି ।

ଦରିଆ ସହିତ ରୀତିମତ ଖେଳ ଖେଳି ଆସିଛି ଏ ମଣିଷ । କେତେବେଳେ କ୍ଷେପଣାସ୍ତ୍ର ପରୀକ୍ଷଣ ତ କେତେବେଳେ ବ୍ଲାଷ୍ଟିଂ ଦ୍ୱାରା ଦରିଆର ଛାତିକୁ ଖିନ୍‌ଭିନ୍ କରାଯିବା ନିତିଦିନିଆ ଘଟଣା ହୋଇଗଲାଣି । ଅସ୍ଥିର ଦରିଆ ଭିତରେ ସହର ଗଢ଼ିବାର ସ୍ୱପ୍ନ ଦେଖିଛି ଏ ମଣିଷ । ତ୍ରେତୟାର ଲଙ୍କା ସେତୁ ପରି ଆଧୁନିକ ମଣିଷ ଅନେକ ଯୋଜନା କରିସାରିଲାଣି ।

ବୋଧହୁଏ ଏଥିପାଇଁ ଅସ୍ଥିର ହୋଇଯାଇଛି ଏ ଦରିଆ ।

ମାଛଧରା ଛାଡ଼ି ସରକାରୀ ସହାୟତା ପାଉନଥିବା ଅଭିଯୋଗରୁ କେତେଜଣ ନୋଳିଆ ଭାଇଙ୍କୁ ଲାଇଫ୍ ପ୍ରୋଟେକସନ୍ ଟିମ୍‌ର ସଭ୍ୟ କରାଯାଇଛି । ସେମାନଙ୍କ ହାତରେ ଧରାଇ ଦିଆଯାଇଛି ରବର ଟ୍ୟୁବ୍ ଏବଂ ତୀର୍ଥଯାତ୍ରୀମାନଙ୍କୁ ଆସନ୍ନ ଜଳସମାଧିରୁ ଉଦ୍ଧାର କରିବା ନିମିତ୍ତ କେତେକ ଜ୍ୟାକେଟ୍ ।

– ତା ପରେ –

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top